Categories
ଆଜିର ଖବର

ଜଗତସିଂହପୁର ‘ଚେଷ୍ଟା’ ନିଶାମୁକ୍ତି କେନ୍ଦ୍ର ମାଲିକଙ୍କ ମାଡରେ ଜଣେ ନିଶାଡି ଅନ୍ତେବାସୀଙ୍କର ମୃତ୍ୟୁ

 

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଚାନ୍ଦଗଡ଼ ମଜୁରାଇ ଠାରେ ଥିବା ‘ଚେଷ୍ଟା’ ନିଶାମୁକ୍ତି କେନ୍ଦ୍ରରେ ଜଣେ ନିଶାଡୀ ଅନ୍ତେବାସୀର ମୃତ୍ୟୁ।

ସୂଚନାନୁଯାୟୀ ନିଶାମୁକ୍ତି କେନ୍ଦ୍ରର ମାଲିକ ରାଜକିଶୋର ଦାସଙ୍କ ମାଡରେ ନିଶାଡୀ ସେକ ଜବାର ମୃତ୍ୟୁବରଣ କରିଥିବା ଅଭିଯୋଗ ହେଉଛି। ମୃତ ନିଶାଡୀ ଜଣକ ସ୍ଥାନୀୟ ମଙ୍ଗଳପୁର ଚାଟରା ଗଣ୍ଡିତ ଗାଁର ବୋଲି ଜଣାପଡିଛି।

ଏହି ନିଶାମୁକ୍ତି କେନ୍ଦ୍ରଟି ବର୍ଷକ ପୂର୍ବରୁ ଆରମ୍ଭ କରାଯାଇଥିଲା। ଏହି କେନ୍ଦ୍ରରେ ୧୫ ରୁ ଉର୍ଦ୍ଧ୍ବ ନିଶାସକ୍ତ ବ୍ୟକ୍ତି ରହି ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ତିନି ମାସରେ ନିଶାରୁ ମୁକ୍ତି ମିଳିବ ବୋଲି କେନ୍ଦ୍ରର ମାଲିକ ନିଶାସକ୍ତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେବା ସହ ମାସିକ ୧୦ ହଜାର ଟଙ୍କା ଲେଖାଏଁ ତିନି ମାସକୁ ୩୦ ହଜାର ଟଙ୍କା ଚିକିତ୍ସା ଖର୍ଚ୍ଚ ନେଉଥିଲେ ବୋଲି କୁହାଯାଉଛି।

ଗତକାଲି ରାତିରେ ଉକ୍ତ ନିଶାମୁକ୍ତି କେନ୍ଦ୍ରରେ ରହୁଥିବା ନିଶାଗ୍ରସ୍ତ ବ୍ୟକ୍ତି ମାନଙ୍କୁ ନିଶାମୁକ୍ତି କେନ୍ଦ୍ରର ମାଲିକ ଆକ୍ରମଣ କରିଥିବା କୁହାଯାଉଥିବା ବେଳେ ଏହି ଆକ୍ରମଣରେ କେତେକ ନିଶାଡି ଫେରାର ହୋଇଯିବା ସହ ଜଣେ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହେଉଛି।

ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଥିବାରୁ ଜଗତସିଂହପୁର ସଦର ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ଲୋକମାନଙ୍କୁ ବୁଝାସୁଝା କରୁଛି। ଏଭଳି ଏକ ସଂସ୍ଥା ଖୋଲି ନିଶାଗ୍ରସ୍ତ ଲୋକମାନଙ୍କୁ ଭଲ କରିବାର ପ୍ରତିଶୃତି ଦେଇ ନିଶାଡୀ ମାନଙ୍କୁ ନିର୍ଯ୍ୟାତନା ଦିଆଯିବା ଭଳି ଘଟଣା ଏବେ ସାଧାରଣରେ ଚକିତ କରିଛି।

ତେବେ ତୁରନ୍ତ ନିଶାମୁକ୍ତି କେନ୍ଦ୍ରର ମାଲିକଙ୍କୁ ଗିରଫ କରିବା ସହିତ ମାଲିକ ସହିତ ରହି ଏଭଳି କାର୍ଯ୍ୟ କରୁଥିବା ତାର ସହଯୋଗୀ ମାନଙ୍କୁ ଯଥାଶୀଘ୍ର ଗିରଫ କରିବା ପାଇଁ ମୃତ ଯୁବକର ପରିବାର ଲୋକେ ଦାବି କରିଛନ୍ତି।

ଘଟଣା ସ୍ଥଳରେ ସଦର ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅନ୍ୟ ପକ୍ଷରେ ମାଲିକର ମାଡରେ କେତେଜଣ ଆହତ ହୋଇଛନ୍ତି ତାହା ସଠିକ ଭାବରେ ଜଣାପଡିନାହିଁ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ଜଗତସିଂହପୁର ଜିଲ୍ଲାରେ ଆଜି ସର୍ବାଧିକ ୨୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ

ରମେଶ ମହାନ୍ତି

ଜଗତସିଂହପୁର: କରୋନାର ଦ୍ୱିତୀୟ ଲହରୀ ସଂକ୍ରମଣ ଦୃତ ଗତିରେ ହୁ ହୁ ହୋଇ ବଢୁଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଆଜି ସର୍ବାଧିକ ୨୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପାରାଦ୍ବୀପରୁ ସର୍ବାଧିକ ୫୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କୁଜଙ୍ଗ ବ୍ଲକରୁ ୪୩ଜଣ , ଜଗତସିଂହପୁର ବ୍ଲକରୁ ୩୦ଜଣ, ବାଲିକୁଦା ବ୍ଲକରୁ ୨୫ଜଣ, ବିରିଡ଼ି ବ୍ଲକରୁ ୨୦ଜଣ, ନାଉଗାଁ ବ୍ଲକରୁ ୧୭ଜଣ, ତିର୍ତ୍ତୋଲ ବ୍ଳକରୁ ୧୫ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୧୫ଜଣ, ଏରସମା ବ୍ଲକରୁ ୧୪ଜଣ ଓ ରଘୁନାଥପୁର ବ୍ଲକରୁ ୧୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏଥିସହିତ ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମୁଦାୟ ୧୦୪୩୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୯୬୪୮ ଜଣ ସୁସ୍ଥ ହୋଇଥିବା ବେଳେ ୩୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ବର୍ତ୍ତମାନ ଜିଲ୍ଲାରେ ୭୪୭ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ୍: ଜାଣନ୍ତୁ କେଉଁ ଅଞ୍ଚଳରେ କେତେ ସମୟ ଚାଲିବ ଦୋକାନ

ରମେଶ ମହାନ୍ତି
ଜଗତସିଂହପୁର: କୋଭିଡ୍-୧୯ ଦ୍ୱିତୀୟ ଲହରୀର ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ଶୁକ୍ରବାର ଅପରାହ୍ନରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବଜାର କମିଟି କର୍ମକର୍ତ୍ତାଙ୍କ ସହିତ ଜିଲ୍ଲା ପ୍ରଶାସନର ଏକ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରି କୋଭିଡ୍ ୨ୟ ଲହରୀର ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ଦୋକାନ ବଜାର ଓ ବ୍ୟବସାୟ ପ୍ରତିଷ୍ଠାନ କରିଥିବା ବ୍ୟକ୍ତି ମାନେ ଅଧିକ ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ବଜାର କମିଟି କର୍ମକର୍ତ୍ତାମାନେ ଦୋକାନୀ ମାନଙ୍କୁ ଏ ସମ୍ପର୍କରେ ସଚେତନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ବାରମ୍ବାର ବାର୍ତ୍ତା ମାଧ୍ୟମରେ ରାଜ୍ୟର ଜନସାଧାରଣଙ୍କୁ ସଚେତନ କରାଉଛନ୍ତି। ରାଜ୍ୟ ସରକାର ଜୀବନ ସହିତ ଜୀବିକାକୁ ଗୁରୁତ୍ବ ପ୍ରଦାନ କରିଛନ୍ତି।

ପ୍ରତ୍ୟେକ ଦୋକାନୀ ଓ ବ୍ୟବସାୟୀ ମାନେ ନିଜେ ମାସ୍କ ପରିଧାନ କରିବା ସହିତ ଗ୍ରାହକ ମାନେ ଯେପରି ମାସ୍କ୍ ପରିଧାନ ପୂର୍ବକ ସାମାଜିକ ଦୁରତା ବଜାୟ ରଖିବେ ସେଥିପ୍ରତି ସଚେତନ ରହିବେ। ଜିଲ୍ଲାର ବିଭିନ୍ନ ବଜାର କମିଟି କର୍ମକର୍ତ୍ତା ମାନଙ୍କ ପ୍ରସ୍ତାବ କ୍ରମେ ଆସନ୍ତା ସପ୍ତାହରୁ ଜିଲ୍ଲାର ପୌରାଞ୍ଚଳ ସହିତ ସମସ୍ତ ଗ୍ରାମାଞ୍ଚଳରେ ସପ୍ତାହାନ୍ତ ସଟଡାଉନ୍ ଲାଗୁ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।

ଏତଦବ୍ୟତୀତ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସମସ୍ତ ଗ୍ରାମାଞ୍ଚଳରେ ସକାଳ ୫ଟାରୁ ଅପରାହ୍ନ ୨ଟା ଓ ପାରାଦ୍ବୀପ ପୌରାଞ୍ଚଳରେ ସକାଳ ୫ଟାରୁ ଅପରାହ୍ନ ୪ଟା ଏବଂ ଜଗତସିଂହପୁର ପୌରାଞ୍ଚଳରେ ସକାଳ ୫ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ମେ ମାସ ୧୫ତାରିଖ ପରେ ପୁନଶ୍ଚ ବୈଠକ ଡକାଯାଇ ଏହାର ସମୀକ୍ଷା କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। କୁଜଙ୍ଗ, ରାହାମା ଓ ତିର୍ତ୍ତୋଲ ବଜାରରେ ଅଧିକ ଗହଳି ପରିଲକ୍ଷିତ ହେଉଥିବାରୁ ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଜଗତସିଂହପୁର ପୌରାଞ୍ଚଳ ଗ୍ରାମାଞ୍ଚଳ ଅପେକ୍ଷା ଅଧିକ ସଚେତନ ଥିବାରୁ କୋଭିଡ୍ ସଂକ୍ରମଣ ଅପେକ୍ଷାକୃତ କମ୍ ରହିଛି।

ଗ୍ରାମାଞ୍ଚଳରେ ଲୋକମାନେ କୋଭିଡ୍ ସଂକ୍ରମଣ ନ ଲୁଚାଇ ପରିକ୍ଷା କରିନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ କୋଭିଡ୍ ସଂକ୍ରମଣ ରୋକିବାରେ ଜିଲ୍ଲାବାସୀଙ୍କର ସହଯୋଗ କାମନା କରିଥିଲେ। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ ବ୍ୟବସାୟୀ ପ୍ରତିନିଧି ମାନଙ୍କୁ କୋଭିଡ୍ ମାର୍ଗଦର୍ଶିକା କଡାକଡି ଅନୁପାଳନ କରିବାକୁ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ଜଗତସିଂହପୁର ସହର, ତିର୍ତ୍ତୋଲ, ରାହାମା ଓ କୁଜଙ୍ଗ ବଜାର କମିଟି ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ। କୁଜଙ୍ଗ ହାଟ ଆସନ୍ତା ସପ୍ତାହ ଠାରୁ ଶନିବାର ପରିବର୍ତ୍ତେ ଶୁକ୍ରବାର ଅନୁଷ୍ଠିତ ହେବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା।

Categories
ଆଞ୍ଚଳିକ

ଜଗତସିଂହପୁରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ରମେଶ ମହାନ୍ତି
ଜଗତସିଂହପୁର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଜଗତସିଂହପୁର ଜିଲ୍ଲାର ବରପୁତ୍ର ଗୋପବନ୍ଧୁ ଚୌଧୁରୀଙ୍କ ଶ୍ରାଦ୍ଧ ଦିବସ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜଗତସିଂହପୁର ସହରର ବଙ୍ଗଳାଛକ ଓ ଖେରସ ଛକ ଠାରେ ଥିବା ଗୋପବନ୍ଧୁ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ,ପୌରପରିଷଦ ନିର୍ବାହୀ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧୁବାବୁ ଜୟନ୍ତୀ ପାଳିତ

ରମେଶ ମହାନ୍ତି
ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ, ଜଗତସିଂହପୁର ପୌରପରିଷଦ ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା, ଜିଲ୍ଲା ଓକିଲ ସଂଘ ସଂପାଦକ ନରେଶ ଦାସ ପ୍ରମୁଖ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ଓ ପୌରପରିଷଦ କର୍ମଚାରୀମାନେ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁର ଏଟିଏମ୍ ଚୋରି ଘଟଣା: ସଦର ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଦୁର୍ଗା ବଜାର ଠାରେ ଥିବା ଇଣ୍ଡିଆନ ବ୍ୟାଙ୍କ ଏଟିଏମ୍ କୁ ତାଡ଼ି ଚୋରି ଉଦ୍ୟମ କରିଥିବା ୨ ଜଣ ଚୋରକୁ ଜଗତସିଂହପୁର ପୋଲିସ ଗିରଫ କରିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସଡ଼ିପିଓ ଏନେଇ ସୂଚନା ପ୍ରଦାନ କରିଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଏସଡ଼ିପିଓ ପ୍ରିୟରଞ୍ଜନ ଶତପଥୀ କହିଛନ୍ତି ଯେ, ଗତ ୧୭ ତାରିଖ ରାତିରେ ଏଟିଏମକୁ ଚୋର ମାନେ ତାଡ଼ି ଟଙ୍କା ଲୁଟ କରିବା ଉଦ୍ୟମରେ ବିଫଳ ହୋଇଥିଲେ। ତେବେ ଏଟିଏମ ଲୁଟ ନେଇ ଇଣ୍ଡିଆନ ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ନିଳିମା ଶତପଥୀ ଜଗତସିଂହପୁର ଥାନାରେ ଗତ ୧୮ ତାରିଖରେ ଅଭିଯୋଗ କରିଥିଲେ।ଜଗତସିଂହପୁର ଥାନା ପୋଲିସ ଅଭିଯୋଗ ପାଇବା ପରେ ଘଟଣା ସ୍ଥଳକୁ ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ଏବଂ ସଦର ପୋଲିସ ସଦଳବଳେ ଯାଇ ବ୍ୟାଙ୍କର ସିଡ଼ିଆର ଓ ଆଖପାଖର ସିସିଟିଭି ଫୁଟେଜକୁ ଆଧାର କରି ଏହାର ତଦନ୍ତ କରିବା ପରେ ବାଲିକୁଦା ଥାନା ଅଧିନସ୍ଥ ବାଖରାବାଦ ଗ୍ରାମର ଗଦାଧର ନାୟକଙ୍କ ପୁଅ ରାକେଶ ନାୟକ ଓ ବାଲିକୁଦା ବାଲିସାହି ଗ୍ରାମର ସାହିଦ ଖାଁ କୁ ପୋଲିସ ଗିରଫ କରିବା ସହିତ ଏଟିଏମ ତାଡିବାରେ ବ୍ୟବହୃତ ଏକ ଷ୍ଟିଲ ପାଇପ ଏବଂ ଏକ ବକ୍ସର ବାଇକକୁ ଜବତ କରିଛି।

ତେବେ ରାକେଶ ଓ ସାହିଦକୁ ପୋଲିସ ଆଜି କୋର୍ଟ ଚାଲାଣ କରିଥିବା ସାମ୍ବାଦିକ ସମ୍ମିଳନୀରେ ଏସଡ଼ିପିଓ ପ୍ରିୟରଞ୍ଜନ ଶତପଥୀଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁରରେ ଜିଲ୍ଲାସ୍ତରୀୟ “ମୋ ସ୍କୁଲ୍” କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ପତ୍ର ପ୍ରଦାନ ଉତ୍ସବ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ “ମୋ ସ୍କୁଲ୍” ଯୋଜନା ଅଧିନରେ ପୁରାତନ ଛାତ୍ର ଛାତ୍ରୀ ଓ ବିଦ୍ୟାଳୟକୁ ଦାନ କରିଥିବା ପୁରାତନ ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ପତ୍ର ବଣ୍ଟନ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ଉଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଯେଉଁମାନେ ଅର୍ଥଦାନ କରି ବିଦ୍ୟାଳୟ ରୂପରେଖ ବଦଳାଇବାକୁ ପ୍ରଚେଷ୍ଟା କରିଛନ୍ତି ସମସ୍ତଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ।

ମୁଖ୍ୟ ବକ୍ତାଭାବେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ସଂଯୋଜକ ସରୋଜକାନ୍ତ ମହାନ୍ତି, ସମ୍ମାନୀୟ ଅତିଥି ଭାବେ ସମଗ୍ରଶିକ୍ଷା ଜିଲ୍ଲା ପ୍ରକଳ୍ପ ସଂଯୋଜକ ସପନ କୁମାର ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ବିଗ୍ୟାନ ପରିଦର୍ଶକ ସୁଭାସ ଚନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ମୋ ସ୍କୁଲ୍ ଅଭିଯାନ କମିଟିର ସଭାପତି ଓ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିଥିବା ବେଳେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜୀବନ କୁମାର ସାହୁ ଆଭିମୁଖ୍ୟ ପ୍ରକାଶ କରିଥିଲେ।

ଏଥିସହିତ ଶିକ୍ଷକ ଅମୂଲ୍ୟ କୁମାର ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜଗତସିଂହପୁର ବ୍ଲକ ଶିକ୍ଷାଧିକାରୀ ଗଣେଶ ଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୫୨ଟି ପ୍ରମୁଖ ବିଦ୍ୟାଳୟର ପ୍ରଧାନଶିକ୍ଷକ, ପ୍ରଧାନଶିକ୍ଷୟତ୍ରୀ, ପରିଚାଳନା କମିଟି ସଭାପତି, ମୋ ସ୍କୁଲ୍ ଅଭିଯାନର ସଭାପତି ମାନେ ଯୋଗଦେଇଥିଲେ। ଶେଷରେ ମୋ ସ୍କୁଲ୍ ଅଭିଯାନର ଧନ୍ୟବାଦ ପତ୍ର ଜିଲ୍ଲାପାଳ ସମସ୍ତଙ୍କୁ ବଣ୍ଟନ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁରରେ କିନ୍ନର ଭତ୍ତା ଯୋଜନାର ଶୁଭାରମ୍ଭ: ଚିହ୍ନଟ ୫୭ ଜଣ କିନ୍ନରଙ୍କୁ ମିଳିବ ଭତ୍ତା

ରମେଶ ମହାନ୍ତି
ଜଗତସିଂହପୁର: ସରକାରଙ୍କ ଦ୍ବାରା ପ୍ରଣିତ ସ୍ୱୀକୃତ ଯୋଜନାରେ ଜଗତସିଂହପୁର ଜିଲ୍ଲାରେ ଚିହ୍ନଟ ହୋଇଥିବା ୫୭ଜଣ କିନ୍ନର ମାନଙ୍କୁ ଭତ୍ତା ଯୋଜନାରେ ସାମିଲ୍ କରାଯିବାର ସମସ୍ତ ବ୍ୟବସ୍ଥା ସରିଯାଇଛି। ଆଜି ପ୍ରଥମଥର ପାଇଁ ସେମାନଙ୍କ ମଧ୍ୟରୁ ୯ଜଣ କିନ୍ନରଙ୍କୁ ଜଗତସିଂହପୁର ଜିଲ୍ଲା କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶମ୍ଭୁନାଥ ରାଉତ ପରିଚୟପତ୍ର ସହ ସମସ୍ତ ହିତାଧିକାରୀମାନଙ୍କୁ ୫ଶହ ଟଙ୍କା ଲେଖାଏଁ ପ୍ରଦାନ କରି ସ୍ୱୀକୃତି ଯୋଜନାକୁ ଜଗତସିଂହପୁର ଜିଲ୍ଲାରେ ଶୁଭାରମ୍ଭ କରିଥିଲେ।

ପ୍ରକାଶ ଥାଉକି ଚଳିତ ମାସରେ ରାଜ୍ୟ କିନ୍ନର ସମାଜର ଆଗୁଆ ନେତ୍ରୀ ମୀରା ପରିଡାଙ୍କ ଦ୍ୱାରା ସ୍ଥାପିତ ସ୍ୱେଚ୍ଛାସେବୀ ସଂଗଠନ ସଖା ନିମନ୍ତେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶସ୍ତ୍ରୀ କରଣ ବିଭାଗ ଓଡିଶା ସରକାରଙ୍କ ଦିଆଯାଇଥିବା ୫ଲକ୍ଷ ୭୯ହଜାର ଟଙ୍କାରୁ ଜିଲ୍ଲାପାଳ କିନ୍ନର ଆତ୍ମନିର୍ଭରଶୀଳ ଓ ସାମାଜିକ ନ୍ୟାୟ ବାବଦକୁ ଅଗ୍ରୀମ ୨ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରି ରାଜ୍ୟରେ ଉଦାହରଣ ସୃଷ୍ଟି କରିଥିବାରୁ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଶଂସା କରିଛନ୍ତି।

ଆଗାମୀ ଦିନରେ ଏହି ଜିଲ୍ଲାରେ କିନ୍ନର ମାନଙ୍କୁ ମୁଖ୍ୟ ଶ୍ରୋତରେ ସାମିଲ କରି ସେମାନଙ୍କର ସମସ୍ତ ଦାବି ଓ ସୁବିଧା ସୁଯୋଗ ଭତ୍ତା ,ଆବାସ ଯୋଜନା ଗୃହ, ଚାକିରୀ, ସ୍ୱୟଂ ସହାୟକ ଗୋଷ୍ଠୀ ନିର୍ମାଣ କରି ଆତ୍ମନିର୍ଭରଶୀଳ କରାଇବାକୁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ସାମାଜିକ ସୁରକ୍ଷା ଅଧିକାରୀ ପ୍ରତିଶୃତି ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର ମୋହନ ଦାସ, ପାରାଦ୍ଵୀପ ମ୍ୟୁନିସିପାଲିଟିର ସିଓ, ପିଏ, ଡିପିଏ, ଜେସି, ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ହିତାଧିକାରୀ ମାନଙ୍କୁ ମାର୍ଗଦର୍ଶନ କରାଇଥିଲେ।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ହୋଲିରେ ଚୋରା ମଦ ବେପାରୀ ମାଲେମାଲ୍: ଶୋଇଛି ତିର୍ତ୍ତୋଲ ଅବକାରି ବିଭାଗ

ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ଅଞ୍ଚଳରେ ଛତୁ ଫୁଟିଲା ପରି ମଦ ଦୋକାନ ଖୋଲିବାରେ ଲାଗିଥିବା ବେଳେ ଟାର୍ଗେଟ ପୁରଣ କରିବା ପାଇଁ ଚୋରା ମଦ ଦୋକାନିଙ୍କ ଉପରେ କାଁ ଭାଁ ନାମକୁ ମାତ୍ର ଚଢାଉ କରି ତିର୍ତ୍ତୋଲ ଅବକାରୀ ବିଭାଗ ବାଃ ବାଃ ନେଉଥିବା କୁହାଯାଉଛି। ସୂଚନାନୁଯାୟୀ ତିର୍ତ୍ତୋଲ ଅଞ୍ଚଳର ଏମିତି କୌଣସି ଗାଁ ଗହଳି, ଛକ ବଜାର ନାହିଁ ଯେଉଁଠି ଚୋରା ମଦ ଗଞ୍ଜେଇ ବିକ୍ରି ନହେଉଛି।

ଏମିତିକି ହୋଲିରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଘଟେ ସେଥିପାଇଁ ସରକାରଙ୍କ ପକ୍ଷରୁ ମଦବିକ୍ରି ଉପରେ କଟକଣା ଲଗାଯାଇଥିଲା। ସରକାରୀ ସ୍ୱୀକୃତିପ୍ରାପ୍ତ ମଦଦୋକାନ ଗୁଡିକ ସରକାରଙ୍କ ନିର୍ଦ୍ଦେଶାନୂଯାୟୀ ବନ୍ଦ ରହିଥିବା ବେଳେ ତିର୍ତ୍ତୋଲ ଅଞ୍ଚଳର ଗାଁ ଗହଳି ଛକ ବଜାର ଓ ଢାବା ଗୁଡିକରେ ଚୋରାମଦ ବେପାରୀ ମାନେ ଖୋଲାଖୋଲି ଯୋରଦାର୍ ବେପାର ଚଳାଇଥିବା ଦେଖିବାକୁ ମିଳିଥିଲା।

ସୂଚନାନୁଯାୟୀ ଏମିତିକି ତିର୍ତ୍ତୋଲ ଅବକାରୀ ଅଫିସ୍ ନିକଟସ୍ଥ ତିର୍ତ୍ତୋଲ ବଜାରରେ ହୋଲି ଦିନ ସକାଳ ଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲାଖୋଲି ଚୋରା ମଦ ବେପାର ଚାଲିଥିବା ବେଳେ କଟକ-ପାରାଦ୍ବୀପ ରାସ୍ତା କଡରେ ଅବସ୍ଥିତ ବାଲିପାଟଣା ଛକରେ ଦିର୍ଘଦିନ ହେବ ଏକ ଚୋରା ମଦ ଗୋଦାମ ଖୋଲାଯାଇ ଏକରକମ ମଦ ବାର୍ ଚାଲୁଥିବା କୁହାଯାଉଥିବା ବେଳେ ହୋଲିପର୍ବ ଦିନ ସକାଳ ଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ ସେଠାରେ ଖୋଲାଖୋଲି ଭାବେ ଯୋରଦାର୍ ଚୋରା ମଦ ବେପାର ଚାଲିବା ଫଳରେ ସ୍ଥାନୀୟ ଅଞ୍ଚଳରେ ମଦୁଆଙ୍କ ପ୍ରବଳ ଉପଦ୍ରବ ଯୋଗୁଁ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ଶୁଣିବାକୁ ମିଳୁଛି।

ଏମିତିକି ବିଭିନ୍ନ ବ୍ରାଣ୍ଡର ମଦକୁ ଅତିରିକ୍ତ ଚଢା ଦରରେ ବିକ୍ରୀ କରାଯାଇ ସାଧାରଣ ଲୋକଙ୍କୁ ଶୋଷଣ କରି ଉକ୍ତ ଚୋରା ମଦ ବେପାରୀ ମାଲେମାଲ୍ ହେଉଥିବା ବେଳେ ତିର୍ତ୍ତୋଲ ଅବକାରୀ ବିଭାଗର ଭୂମିକାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିର୍ଭୟରେ ଦିନରାତି ଖୋଲାଖୋଲି ଚୋରା ମଦ ବିକ୍ରି କରୁଥିବା ଉକ୍ତ ଚୋରା ମଦ ବେପାରୀମାନେ ମାସିକିଆ ମୋଟା ଅଙ୍କର ବଟି ଦେଇ ବିଭାଗ ଠାରୁ ଅଭୟ ବର ପାଇ ଧରାକୁ ସରା ମଣୁଛନ୍ତି ବୋଲି କୁହାଯାଉଛି।ସରକାରୀ ନୀତି ନିୟମ ଓ ସାଧାରଣ ଲୋକଙ୍କ ହିତକୁ ଜଳାଞ୍ଜଳି ଦେଇ ଜିଲ୍ଲାସ୍ତରୀୟ କିଛି ଅସାଧୁ ଅଫିସର ନିଜ ପକେଟ୍ ଗରମ କରି ମାଲେମାଲ୍ ହେବା ପାଇଁ ଉକ୍ତ ଚୋରା ମଦ ବେପାରୀଙ୍କୁ ଅଭୟବର ପ୍ରଦାନ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି।

ସ୍ଥାଣୁ ପାଲଟିଥିବା ବିଭାଗୀୟ କର୍ମଚାରୀଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଉଥିବା ଶୁଣିବାକୁ ମିଳୁଛି।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ବିଶ୍ୱ ନାଟ୍ୟ ଦିବସ ପାଳିତ

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ବଜାର ସ୍ଥିତ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ସଂସ୍କୃତି ପରିଷଦ ଓ ଲୋକକବି ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣ ସ୍ମୃତି ପରିଷଦ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବିଶ୍ୱ ନାଟ୍ୟଦିବସ ୨୦୨୧ ପାଳିତ ହୋଇଯାଇଛି।

ଏହି ଉତ୍ସବରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଯେବେଠୁଁ ମଣିଷର ଜନ୍ମ ସେବେଠାରୁ ନାଟକର ଜନ୍ମ ସେକ୍ସପିଅର କହିଥିଲେ ଏ ପୃଥିବୀ ହେଉଛି ଏକ ରଙ୍ଗମଞ୍ଚ, ଆମେ ସମସ୍ତେ ଅଭିନେତା। ଗ୍ରୀସ୍ ରେ ୨୦୦୦ ବର୍ଷ ପୂର୍ବେ ନାଟକ ଆରମ୍ଭ ହୋଇଥିଲା। ବିଶ୍ଵ ନାଟ୍ୟ ଦିବସ ପାଳନ ଏକ ସୁନ୍ଦର ପ୍ରୟାସ, ଆୟୋଜକ ମାନଙ୍କୁ ସାଧୁବାଦ ଜଣାଇଥିଲେ।

ଉକ୍ତ ବିଶ୍ୱ ନାଟ୍ୟ ଦିବସରେ ଅଧ୍ୟକ୍ଷତା କରି ଲୋକକବି ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣ ସ୍ମୃତି ପରିଷଦ ର ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ୟ ବିଶ୍ୱ ନାଟ୍ୟ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥିଭାବେ ନାଟ୍ୟକାର କୈଳାଶ ଚନ୍ଦ୍ର ମଲ୍ଲିକ ଯୋଗଦେଇ ନାଟକ ଓ ଯାତ୍ରା ମଧ୍ୟରେ ପ୍ରଭେଦ ସମ୍ପର୍କରେ ଅବଗତ କରାଇଥିଲେ।

ଲୋକକବି ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣ ସ୍ମୃତି ପରିଷଦର କାର୍ଯ୍ୟକାରୀ ସଭାପତି ହେମନ୍ତ କୁମାର ରଥ ନିଜର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପରିଷଦର ସମ୍ପାଦକ ଅଧ୍ୟାପକ ଗୋପାଳକୃଷ୍ଣ ମିଶ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିସହିତ ଲୋକକବି ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣ ସ୍ମୃତି ପରିଷଦ ପକ୍ଷରୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ବାଣୀକ୍ଷେତ୍ର ଗୌରବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ସ୍ମୃତି ପରିଷଦର କଳାକାରମାନେ “ଜାତୀୟ ସଂହତି” ଉପରେ ଏକ ନାଟକ ପରିବେଷଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ତଥା ସ୍ମୃତି ପରିଷଦର ଉପାଧ୍ୟକ୍ଷ ପ୍ରଦୀପ୍ତ କିଶୋର ଚୌଧୁରୀ ,ଅବନିକାନ୍ତ ମହାରଣା, ଲାଲା ସଂଗ୍ରାମ କେଶରୀ ରାୟ, ବାଳକୃଷ୍ଣ ମହାନ୍ତିଙ୍କର ନାତି ଦେବର୍ଷି ମହାନ୍ତିଙ୍କ ସମେତ ବୁଦ୍ଧିଜୀବୀ, ଆଇନଜୀବୀ, କଳାକାର ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲା ଓକିଲ ସଂଘ ନିର୍ବାଚନର ଫଳାଫଳ: ଗଗନ ଦାଶ ସଭାପତି ଓ ନରେଶ ଦାସ ସମ୍ପାଦକ

ରମେଶ ମହାନ୍ତି
ଜଗତସିଂହପୁର: ଜିଲ୍ଲା ଓକିଲ ସଂଘ, ଜଗତସିଂହପୁରର ସାଧାରଣ ନିର୍ବାଚନରେ ଗଗନ ଚନ୍ଦ୍ର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ସୁବ୍ରତ ଶତପଥିଙ୍କୁ ୧୯ ଖଣ୍ଡ ଭୋଟରେ ପରାସ୍ତ କରିଥିବା ବେଳେ ସଂପାଦକ ଭାବେ ନରେଶ ଦାସ ତାଙ୍କର ପ୍ରତିଦ୍ବନ୍ଦ୍ବି ଉମାଶଙ୍କର ସ୍ବାଇଁଙ୍କୁ ୧୫୭ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।

ଉପସଭାପତି ଭାବରେ ପ୍ରହଲ୍ଲାଦ କୁମାର ନାୟକ ତାଙ୍କ ପ୍ରତିଦ୍ବନ୍ଦ୍ବି ଆଲୋକ ପ୍ରକାଶ ଜେନାଙ୍କୁ ୧୩୮ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। କୋଷାଧ୍ୟକ୍ଷ ଭାବରେ ଦୁର୍ଯ୍ୟୋଧନ ରାଉତ ଓ ଯୁଗ୍ମ ସମ୍ପାଦକ ଭାବରେ ଜ୍ଞାନ ରଂଜନ ମହାନ୍ତି ବିନା ପ୍ରତିଦ୍ବନ୍ଦ୍ବିତାରେ ବିଜୟୀ ହୋଇଥିବା ବେଳେ ପରିଚାଳନା କମିଟି ସଦସ୍ୟ ଭାବରେ ରାଜଶ୍ରୀ ମହାନ୍ତି ମଧ୍ୟ ଅପ୍ରତିଦ୍ଵନ୍ଦୀ ଭାବେ ବିଜୟୀ ହୋଇଥିଲେ। ଅନ୍ୟ ପରିଚାଳନା କମିଟି ସଦସ୍ୟ ଭାବେ ବିବେକାନନ୍ଦ ନାୟକ, ଅଶ୍ବିନୀ ଅମିତାଭ୍ ଲେଙ୍କା, ଅନିରୁଦ୍ଧ ସାବତ,ବାଟୁ ଭୋଇ, ପ୍ରକାଶ ଚନ୍ଦ୍ର ରାୟ ଓ ରୁଦ୍ରନାରାୟଣ ନାୟକ ବିଜୟ ଲାଭ କରିଛନ୍ତି।

ମୋଟ ୩୩୨ ବୈଧ ଭୋଟ୍ ରୁ ୩୦୮ ଖଣ୍ଡ ଭୋଟିଂ ହୋଇଥିଲା। ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜୀବୀ ଶ୍ରୀକାନ୍ତ ନନ୍ଦ ନିର୍ବାଚନ ପରିଚାଳନା କରିଥିବା ବେଳେ ଆଇନଜୀବୀ ସୈ।ରୀପ୍ରସାଦ ସ୍ବାଇଁ, ରବିନ୍ଦ୍ର କୁମାର ସ୍ବାଇଁ ଓ ଯଦୁମଣି ବିଶ୍ବାଳ ତାଙ୍କୁ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କରୋନା ପାଇଁ ବନ୍ଦ ହେଲା ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ

ରମେଶ ମହାନ୍ତି

ଜଗତସିଂହପୁର: କୋଭିଡ୍-୧୯ ର ଦୃତ ସଂକ୍ରମଣ (ଦ୍ୱିତୀୟ ଲହରୀ)କୁ ଦୃଷ୍ଟିରେ ରଖି ଚଳିତବର୍ଷ ଜିଲ୍ଲା ସଦର ମହକୁମା ଠାରେ ଏପ୍ରିଲ ୧ରୁ ୩ ତାରିଖ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା ଜିଲ୍ଲା ମହୋତ୍ସବ କଲ୍ଲୋଳ ୨୦୨୧କୁ ଜିଲ୍ଲାପାଳ ସ୍ଥଗିତ ରଖିଛନ୍ତି।

ପ୍ରକାଶ ଥାଉକି ଚଳିତ ମାର୍ଚ୍ଚ ମାସ ୧୦ ତାରିଖରେ ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ ୨୦୨୧ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ କୋଭିଡ୍ ସଂକ୍ରମଣର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜନସମାବେଶ ଉପରେ କଟକଣା ଜାରି କରିଥିବାରୁ ଏବଂ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ ନିମନ୍ତେ ଚଳିତ ବର୍ଷ ଜିଲ୍ଲା ମହୋତ୍ସବକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତିଲ୍ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁରରେ ବିଭିନ୍ନ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ସହ ଭତ୍ତା ଓ ଆବାସ ବଣ୍ଟନ କଲେ ବିଧାୟକ

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁରରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଉପସ୍ଥିତିରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ କରକମଳରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଯଥା ୬୦ ଲକ୍ଷ ବ୍ୟୟ ଅଟକଳ ମୂଲ୍ୟରେ ଚାଟ୍ରା ଠାରୁ କାଳିଆବରା କଂକ୍ରିଟ ରାସ୍ତା ଏବଂ ୨୦ଲକ୍ଷ ବ୍ୟୟ ଅଟକଳ ମୂଲ୍ୟରେ କଲେଜ ଛକ ଠାରୁ ମାର୍କଣ୍ଡେଶ୍ୱର ମନ୍ଦିର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।

ଏହି ଅବସରରେ ଜଗତସିଂହପୁର ପୌରପରିଷଦ କାର୍ଯ୍ୟାଳୟ ପରିସର ମଧ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ବିଧାୟକ ଏବଂ ମୁଖ୍ୟ ବକ୍ତାଭାବେ ଜିଲ୍ଲାପାଳ ଯୋଗଦେଇ ୨୮ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ବିକଳାଙ୍ଗ ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୬୮ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିବା ସହିତ ଏକ ମିନି ସେସପୋଲର ଲୋକାର୍ପଣ କରିଛନ୍ତି।

ଏଥିସହିତ ଜଗତସିଂହପୁର ପୌରାଞ୍ଚଳରେ ଜନସାଧାରଣଙ୍କ ହିତ ନିମନ୍ତେ ଏକ ଆଦର୍ଶ ପାର୍କ, ଆଦର୍ଶ ଶବଦାହ ଗୃହ ଏବଂ ଆଦର୍ଶ ପୋଖରୀ କରାଯିବ ବୋଲି ଜିଲ୍ଲାପାଳ ନିଜର ଅଭିଭାଷଣରେ ପ୍ରକାଶ କରିଥିଲେ। ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା ସ୍ୱାଗତ ଭାଷଣ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ

ରମେଶ ମହାନ୍ତି
ଜଗତସିଂହପୁର: ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ଏକ ସମ୍ମିଳନୀ କୋଭିଡ୍ ମାର୍ଗଦର୍ଶିକା ଅନୁଯାୟୀ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀକୁ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ ଉଦଘାଟନ କରିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବିଜୟା ପଣ୍ଡା ସ୍ୱାଗତ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲା ସ୍ତରରେ ସବୁଠାରୁ ଉତ୍ତମ କାର୍ଯ୍ୟ କରିଥିବା ୩ଜଣ ଆଶା କର୍ମୀଙ୍କୁ ୧ମ, ୨ୟ ଓ ୩ୟ ହାସଲ କରିଥିବାରୁ ୧୨ହଜାର ଟଙ୍କା, ୧୦ହଜାର ଟଙ୍କା ଏବଂ ୮ହଜାର ଟଙ୍କା ଇ-ଟ୍ରାନ୍ସଫର୍ କରାଯାଇଥିଲା।

ସେହିପରି ଗାଁ କଲ୍ୟାଣ ସମିତି କାର୍ଯ୍ୟକ୍ରମ ତରଫରୁ ପ୍ରତ୍ୟେକ ବ୍ଲକରୁ ଗୋଟିଏ ଗାଁକୁ ସୁସ୍ଥ ଗାଁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିରେ ପ୍ରତ୍ୟେକଙ୍କୁ ୧୦ହଜାର ଟଙ୍କା ଇ-ଟ୍ରାନ୍ସଫର୍ କରାଯାଇଥିଲା। ସହରାଞ୍ଚଳ ସ୍ୱାସ୍ଥ୍ୟସେବା ଅନ୍ତର୍ଗତ ୬ଟି ମହିଳା ଆରୋଗ୍ୟ ସମିତିକୁ ମାନପତ୍ର ସହ ୩ହଜାର ଟଙ୍କା ଇ-ଟ୍ରାନ୍ସଫର୍ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଡଃ ପ୍ରମୋଦ କୁମାର ବାରିକ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ନୋଡାଲ ଅଫିସର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସିନିୟର କନସଲଟାଣ୍ଟ ଆଶା ଓ ଗାଁ କଲ୍ୟାଣ ସମିତି ସୁଶାନ୍ତ କୁମାର ନାୟକ ଉପସ୍ଥିତ ରହି ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ ସହଭାଗିତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ଉପ-ପରିଚାଳକ ସୁକାନ୍ତ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଡଃ ଶତୃଘ୍ନ ଦାଶ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଭି.ବି.ଡି), ଡି.ପି.ଏମ୍ ଚକ୍ରଧର ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅର୍ବାନ ହେଲଥ୍ ଆସିଷ୍ଟାଣ୍ଟ ମ୍ୟାନେଜର ମମତା ଦାଶ, ଗାଁ କଲ୍ୟାଣ ସମିତି ଆସିଷ୍ଟାଣ୍ଟ ମ୍ୟାନେଜର ସୁଜାତା ପ୍ରିୟମ୍ବଦା ଦାଶ, ସ୍ବସ୍ତି ମହାନ୍ତି, ଅଶିତ କୁମାର ଦାଶ, ଜ୍ୟୋସ୍ନା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ତରରୁ ମେଡିକାଲ ଅଫିସର ,ବି.ପି.ଏମ୍ ,ଏ.ଡି.ପି.ଏଚ୍.ଇଓ ସଚଳା ମହାନ୍ତି, ଆଶାକର୍ମି, ଗାଁ କଲ୍ୟାଣ ସମିତିର ସଭ୍ୟସଭ୍ୟା, ସରପଞ୍ଚ ଏବଂ ମହିଳା ଆରୋଗ୍ୟ ସମିତି ସଭ୍ୟସଭ୍ୟା ମାନେ ଉପସ୍ଥିତ ଥିଲେ।ଆଶା ଆସିଷ୍ଟାଣ୍ଟ ମ୍ୟାନେଜର ଅମିତା ପଣ୍ଡା କାର୍ଯ୍ୟକ୍ରମରେ ସହାୟତା କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ସ୍ବାସ୍ଥ୍ୟ

ବିଶ୍ଵ ଯକ୍ଷ୍ମା ଦିବସ ଅବସରରେ ଜଗତସିଂହପୁରରେ ସଚେତନତା ରଥର ଶୁଭାରମ୍ଭ

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପାଳିତ ହୋଇଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଯକ୍ଷ୍ମା ହାରିବ ଦେଶ ଜିତିବ, ଆମର ଲକ୍ଷ୍ୟ ଟିବି (ଯକ୍ଷ୍ମା) ମୁକ୍ତ ଭାରତ।

ଯେକୌଣସି ଲୋକକୁ ଯକ୍ଷ୍ମା ରୋଗ ହୋଇପାରେ। ଏହାର ଲକ୍ଷଣ ହେଉଛି ଦୁଇ ସପ୍ତାହରୁ ଅଧିକ କାଶ ଲାଗି ରହିବା,ସଂନ୍ଧ୍ୟା ସମୟରେ ଅଳ୍ପ ଜ୍ୱର ହେବା, ଓଜନ କମିଯିବା, ଭୋକ ନ ଲାଗିବା ଏବଂ କଫରେ ରକ୍ତ ପଡିବା, ଛାତିରେ ଯନ୍ତ୍ରଣା ହେବା, ଯକ୍ଷ୍ମା ରୋଗୀ ଏଚ୍.ଆଇ.ଭି ଓ ମଧୁମେହ ପରିକ୍ଷା କରିବା ନିହାତି ଜରୁରି।

ଅନିୟମିତ କିମ୍ବା ଅସମ୍ପୂର୍ଣ୍ଣ ଚିକିତ୍ସା ଯୋଗୁଁ ଔଷଧ ପ୍ରତିରୋଧକ ଯକ୍ଷ୍ମା ହୋଇପାରେ। ସମସ୍ତ ସରକାରୀ/ବେସରକାରୀ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ, ସେମାନଙ୍କ ଦ୍ବାରା ଚିହ୍ନଟ ଓ ଚିକିତ୍ସିତ ହେଉଥିବା ରୋଗୀଙ୍କ ସମ୍ବନ୍ଧରେ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଇବା ବାଧ୍ୟତାମୂଳକ ଅଟେ।

ପ୍ରାଥମିକ ଭାବରେ ଯକ୍ଷ୍ମାରୋଗ ଫୁସଫୁସ୍ କୁ ପ୍ରଭାବିତ କରିଥାଏ। କିନ୍ତୁ ଏହା ଶରୀରର ନଖ ଓ ଚୁଟିକୁ ଛାଡ଼ି ଯେ କୌଣସି ଅଙ୍ଗକୁ ପ୍ରଭାବିତ କରିଥାଏ। ଏସମ୍ପର୍କରେ ସଚେତନ ହେବା ସହିତ କରୋନା ପାଇଁ ଉଦ୍ଦିଷ୍ଟ ସମସ୍ତ ନିୟମ ମାନି ଚଳିବା ଆବଶ୍ୟକ ଅଟେ। ଏହି ସଚେତନତା ରଥ ଜଗତସିଂହପୁର ଜିଲ୍ଲା ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରାଇବ। ଏ

ହି ଉଦଘାଟନୀ ଉତ୍ସବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟା ପଣ୍ଡା, ଏ.ଡି.ଏମ୍.ଓ ଡଃ ବସନ୍ତ ବାରିକ, ଡଃ ଶତୃଘ୍ନ ଦାଶ, ଡଃ ପ୍ରମୋଦ କୁମାର ବାରିକ, ଜିଲ୍ଲା ପ୍ରୋଗ୍ରାମ କୋଅଡିନେଟର୍ ବିପିନ୍ ବିହାରୀ ପାତ୍ରଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଜଗତସିଂହପୁରରେ ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ବର୍ଷ ପୁର୍ତ୍ତି ପାଳନ

ରମେଶ ମହାନ୍ତି

ଜଗତସିଂହପୁର: ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୁର୍ତ୍ତି ଉପଲକ୍ଷେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି।

ଏହି ଉପଲକ୍ଷେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସକାଳ ୭ଟା ସମୟରେ ଜଗତସିଂହପୁର ଥାନା ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଗାନ୍ଧୀଛକ ଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ମାଲ୍ୟାର୍ପଣ କରିଥିଲେ। ଏ

ହି ସମସ୍ତ କାର୍ଯ୍ୟକ୍ରମରେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି, ଉପ-ଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ, ବିଡିଓ ସାଗର କୁମାର ନନ୍ଦ, ତହସିଲଦାର ମାନସ ରଞ୍ଜନ ଭୋଇ, ପୌର ପରିଷଦ ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଲବ ଚୌଧୁରୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ପୌର ପରିଷଦ କର୍ମଚାରୀମାନେ ଉପସ୍ଥିତ ରହି ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁରରେ ଜନଗଣନା ପାଇଁ ପଦକ ଓ ପ୍ରମାଣପତ୍ର ପ୍ରଦାନ କଲେ ଜିଲ୍ଲାପାଳ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ୨୦୧୧ ଜନଗଣନା କାର୍ଯ୍ୟରେ ନିର୍ଭୁଲ ଓ ସଠିକ୍ ଭାବରେ କାର୍ଯ୍ୟ ସମ୍ପାଦନ କରିଥିବାରୁ ଅଧିକାରୀ ଓ କର୍ମଚାରୀମାନଙ୍କୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରଶଂସା କରିବା ସହିତ ପଦକ ପ୍ରଦାନ କରିଛନ୍ତି।

ଗୁରୁବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜନଗଣନାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୯ଜଣ ପରିଗଣନାକାରୀ (ଏନ୍ୟୁମରଟର) ଏବଂ ୨ଜଣ ପର୍ଯ୍ୟବେକ୍ଷଣକାରୀ (ସୁପରଭାଇଜର) ମାନଙ୍କୁ ଭାରତୀୟ ଜନଗଣନା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଦତ୍ତ ପ୍ରମାଣପତ୍ର, ରୌପ୍ୟ ଓ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଇଛି। ପ୍ରମାଣପତ୍ର ଓ ପଦକ ପ୍ରଦାନ କରାଯିବା ପରେ ସେମାନଙ୍କର କାର୍ଯ୍ୟଦକ୍ଷତା କର୍ମନିଷ୍ଠତା ପାଇଁ ତାଙ୍କୁ ଜିଲ୍ଲାପାଳ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ବିରିଡ଼ିର ତତ୍କାଳୀନ ତହସିଲଦାର ସୁରରାଜ ସଦସ୍ୟ, ପ୍ରଧାନ ଶିକ୍ଷକ ନିରଞ୍ଜନ ପଣ୍ଡା (ଜଗତସିଂହପୁର), ସଂଜୀବ କୁମାର ମହାପାତ୍ର (ସହକାରୀ ଶିକ୍ଷକ ବି ବି ହାଇସ୍କୁଲ କୁଜଙ୍ଗ), ଜ୍ୟୋତି ରଞ୍ଜନ ସାହୁ (ଏସ୍ ଏସ୍ ଏମ୍ ନାଉଗାଁ), ତପନ କୁମାର ପ୍ରଧାନ (ସୁଧକଣ୍ଠି ପ୍ରାଇମେରୀ ସ୍କୁଲ୍), ରୁଦ୍ର ପ୍ରସାଦ ସ୍ୱାଇଁ, ବାନାମ୍ବର ମଲ୍ଲିକ (କେ ଏଲ୍ ହାଇସ୍କୁଲ), ବରଦା ପ୍ରସନ୍ନ ବଳିୟାର ସିଂହ, ରମାକାନ୍ତ ରାଉତ (ଦଧିବାମନ ୟୁପି ସ୍କୁଲ୍), ସତ୍ୟ ପ୍ରସନ୍ନ ଗୁରୁ (ଚୌଧୁରୀକୁଦ ପ୍ରାଇମେରୀ ସ୍କୁଲ୍), ନୃସିଂହ ଚରଣ ବାହାଲିଆ (ସୁରବଲ ହାଇସ୍କୁଲ ବଉଳାଙ୍ଗ), ବିପିନ୍ କୁମାର ସେଠୀ (ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଜଗତସିଂହପୁର)ଙ୍କୁ ପଦକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ସଚ୍ଚିଦାନନ୍ଦ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପ-ଜନଗଣନା ଅଧିକାରୀ ସନ୍ତୋଷ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ, ବରିଷ୍ଠ ରାଜସ୍ବ ସହାୟକ ସମ୍ରାଟ କିଶୋର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଓସେପାର ଜାଲିଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ଜିଲ୍ଲା କର୍ମଚାରୀ ସହଜରେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି

ରମେଶ ମହାନ୍ତି
ଜଗତସିଂହପୁର: ଓସେପାର ରାଜ୍ୟ କାର୍ଯ୍ୟାଳୟ ଜାଲି କର୍ମଚାରିଙ୍କ ଉପରେ ନିଆଯାଉଥିବା ପଦକ୍ଷପକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଶିକ୍ଷକଟିଏ ଜାଲି ବୋଲି ଧରା ହୋଇ ଚାକିରୀରୁ ବିଦା ହୋଇ ଗଲା ବେଳେ ଓସେପା ଜାଲି ମାନଙ୍କୁ ତଳ ପଦବୀରେ ଅବସ୍ଥାପିତ କରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମାତ୍ର ଜଗତସିଂହପୁର ସମଗ୍ର କାର୍ଯ୍ୟାଳୟର କିଛି କର୍ମଚାରୀ ପାଗଳଙ୍କ ପରି ବିଳାପ କରିବା ଚର୍ଚ୍ଚାର ବିଷୟ ହୋଇଛି। ନିଜକୁ ଦକ୍ଷ ବୋଲି କହୁଥିବା ସାର୍ ଜଣଙ୍କ ଦାନ୍ତ କଡମଡ କରି ସବୁ ଶିକ୍ଷକଙ୍କ ପୋଲ ଖୋଲି ଦେବେ ବୋଲି କହୁଥିବା ଚର୍ଚ୍ଚା ହେଉଛି।

ତେବେ ଜିଲ୍ଲାରେ କେତେ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଜାଲି ଅଛନ୍ତି ବା ସେମାନଙ୍କ ପ୍ରମାଣ ପତ୍ର ତିଆରି କରିବାରେ ସାରଙ୍କ ଏଥିରେ ହାତ ନାହିଁ ତ? ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେଣୁ ସରକାର ନିରପେକ୍ଷ ତଦନ୍ତ କରି ଜିଲ୍ଲାରେ ଥିବା ଜାଲି ଶିକ୍ଷକମାନଙ୍କୁ ଠାବ କରିବା ସହିତ ସେମାନଙ୍କୁ ନିଯୁକ୍ତିରେ ସହଯୋଗ କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଧିଜିବୀ ମହଲରେ ଦାବୀ ହେଉଛି।

Categories
ଆଞ୍ଚଳିକ

ବ୍ଲକ ସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳନ ବେଳେ ଗୀତ ବୋଲିଲେ ଏବିଡିଓ

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ସଭାଗୃହରେ ଆଜି ବ୍ଳକ୍ ସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି। ତିର୍ତ୍ତୋଲ ପଞ୍ଚାୟତ ସମିତିର ଅଧ୍ୟକ୍ଷା ସୁଜାତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଡିଓ ଅଟଳ ବିହାରୀ ସ୍ୱାଇଁ, ଏବିଡିଓ ସତ୍ୟଜିତ୍ ସ୍ୱାଇଁ, ଜିଲ୍ଲାପରିଷଦ ପ୍ରବୀର ରାୟ, ଲିପାଲି ରାଉଳ, ଶନାତନ ଦଳେଇ, ଉପାଧ୍ୟକ୍ଷ ଆଶିଷ କୁମାର ସେଠୀ ମଞ୍ଚାସୀନ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ତିର୍ତ୍ତୋଲ ସରପଞ୍ଚ ମନୋରଞ୍ଜନ ମହାପାତ୍ର, କନିମୂଳ ସରପଞ୍ଚ ବେଦଦ୍ୟୁତି ପୃଷ୍ଟି, ଦାଇଁଲୋ ସରପଞ୍ଚ ଧନଞ୍ଜୟ ସୁତାର, ତରଜଙ୍ଗା ସରପଞ୍ଚ ବସନ୍ତ ସେଠୀ, ପଟିଲୋ ସରପଞ୍ଚ ଚିତ୍ତରଞ୍ଜନ ରଥ, ଆମ୍ବିରୀ ସରପଞ୍ଚ, କନକପୁର ସରପଞ୍ଚ ନମିତା ରାଉଳ, ସମିତି ସଭ୍ୟ ଅଜୟ ରାଉଳ, କଟରା ସମିତିସଭ୍ୟ ବାଇଧର ବଳ, ତୁଳଙ୍ଗ ସମିତି ସଭ୍ୟ ମମତା ନାୟକ, କୋଲର ସମିତି ସଭ୍ୟ ରଞ୍ଜିତ ପାଲ୍ ଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ ଯୋଗଦେବା ସହିତ ବିଭିନ୍ନ ବିଭାଗର କର୍ମଚାରୀମାନେ ଯୋଗଦେଇଥିବା ଦେଖିବାକୁ ମିଳିଥିଲା।

କାର୍ଯ୍ୟକ୍ରମ ଶେଷରେ ସଭା ସ୍ଥଳରେ ମଞ୍ଚାସୀନ ତିର୍ତ୍ତୋଲ ବ୍ଳକର ଏବିଡିଓ ଏକ ସୁମଧୁର ଓଡ଼ିଆ ଭଜନ ” ଜନମି ଥିଲି ମୁଁ ଶିରି କ୍ଷେତ୍ର ଦିନେ “ଗାନ କରିଥିଲେ।

Categories
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରତିକ୍ଷା ଗୃହ ଉଦଘାଟିତ

ରମେଶ ମହାନ୍ତି

ଜଗତସିଂହପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କୁ ଅଭିଯୋଗ ଓ ବିଭିନ୍ନ ସମସ୍ୟା ନେଇ ଆସୁଥିବା ଜନସାଧାରଣଙ୍କ ନିମନ୍ତେ ଏକ ପ୍ରତୀକ୍ଷା ଗୃହକୁ ଓଡିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂ ଉଦଘାଟନ କରିଛନ୍ତି। ଉପବାଚସ୍ପତିଙ୍କ ସହ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି ,ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉପସ୍ଥିତ ଥିଲେ।

ଏହି ପ୍ରତୀକ୍ଷା ଗୃହରେ ଜିଲ୍ଲାର ବରପୁତ୍ର ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ସରଳା ଦେବୀ, ରମାଦେବୀ, ଭାଗିରଥୀ ମହାପାତ୍ର ,ଜାତୀୟ କବି ବୀରକିଶୋର, ପଣ୍ଡିତ ପ୍ରାଣକୃଷ୍ଣ ପତିଆରା, ବିଶିଷ୍ଟ ବୈଜ୍ଞାନିକ ଡଃ ପ୍ରାଣକୃଷ୍ଣ ପରିଜା, ଶିକ୍ଷାବିତ ଶ୍ରୀରାମ ଦାଶଙ୍କ ଫଟୋ ସ୍ଥାନୀତ କରାଯାଇଛି।

ଜିଲ୍ଲାପାଳଙ୍କୁ ସାକ୍ଷାତ କରିବାକୁ ଆସୁଥିବା ଜନସାଧାରଣଙ୍କ ସୁବିଧା ନିମନ୍ତେ ଏହି ପ୍ରତୀକ୍ଷା ଗୃହ ଜିଲ୍ଲାପାଳଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଠା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁରରେ ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାରର ଶୁଭାରମ୍ଭ କଲେ ଜିଲ୍ଲାପାଳ

ରମେଶ ମହାନ୍ତି

ଜଗତସିଂହପୁର: ଜିଲ୍ଲାମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ୱାରା ବୁଧବାର ପୂର୍ବାହ୍ନରେ ଶୁଭାରମ୍ଭ ହୋଇଯାଇଛି।

ଜିଲ୍ଲାପାଳ ଶ୍ରୀ ମହାପାତ୍ର ପତାକା ହଲାଇ ଏହି ଭ୍ରାମ୍ୟମାଣ ପରୀକ୍ଷାଗାର ଗାଡିର ଶୁଭ ଉଦଘାଟନ କରି କହିଲେ ଜଗତସିଂହପୁର ଜିଲ୍ଲା ଏକ କୃଷି ଭିତ୍ତିକ ଜିଲ୍ଲା, ଜିଲ୍ଲାର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରନ୍ତି। ଓଡିଶା ସରକାର ଓ ପାରାଦ୍ୱୀପ ଫସଫେଟସ୍ ଲିମିଟେଡ୍ ର ମିଳିତ ସହାୟତାରେ ଆରମ୍ଭ ହୋଇଥିବା ଏହି ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ଜିଲ୍ଲାର କୃଷକ ମାନଙ୍କୁ ବହୁଳ ଭାବରେ ସହାୟତା ପ୍ରଦାନ କରିବ। ଚାଷୀମାନଙ୍କର ଅଭାବ ଅସୁବିଧା ଓ ଗୁଣବତା ପରୀକ୍ଷା ପାଇଁ ଏହା ସହାୟକ ହେବ।

ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ରବି ନାରାୟଣ ମହାପାତ୍ର ଯୋଗଦେଇ କହିଲେ ଏହି ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାରରେ ମାଟିରେ ଥିବା ଜୈବିକ, ଅଙ୍ଗାର, ସହଜ ଲବ୍ଧ ଫସଫରସ୍, ସହଜଲବ୍ଧ ପଟାସ୍, ଲବଣାଂଶ ଓ ପି.ଏଚ୍ (ଅମ୍ଳତା ଓ କ୍ଷାରୀୟତା)ପରୀକ୍ଷା କରାଯିବ। ମାଟିରେ ଥିବା ଅଣୁସାର ଯଥା-ବୋରନ୍, ଗନ୍ଧକ ଓ ଦସ୍ତା ପରିମାଣ ଜଣାପଡିବ। ମାଟିରେ କେଉଁ ଖାଦ୍ୟସାର କେତେ ପରିମାଣରେ ଅଛି ଜଣାପଡିବ। ସେହି ଅନୁସାରେ ସାର ପ୍ରୟୋଗ କରିବା ପାଇଁ ଅନୁମୋଦନ କରାଯିବ। ଏହା ପିପିଏଲ୍ ଓ ଓଡିଶା ସରକାରଙ୍କ କୃଷି ବିଭାଗ ସହ ବନ୍ଧନରେ କାର୍ଯ୍ୟ କରୁଅଛି।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପିପିଏଲ୍ ର ଉପ-ମହା ପ୍ରବନ୍ଧକ ବିଶ୍ୱଜିତ୍ ନନ୍ଦ କହିଲେ ଏହି ମାଟି ପରୀକ୍ଷା ଗାଡି ବିଭିନ୍ନ ଗାଁରେ ପହଂଚି କୃଷକଙ୍କର ନମୁନା ମାଟି ସଂଗ୍ରହ କରି ପରୀକ୍ଷା କରିବ ଏବଂ ମାଟି ପରୀକ୍ଷା ରିପୋର୍ଟ ଆଧାରରେ ସାର ପ୍ରୟୋଗ କରି ଚାଷୀମାନେ ମୃତିକା ସୁରକ୍ଷା କରିବା ସଂଗେ ସଂଗେ ଅଧିକ ଅମଳ ପାଇ ପାରିବେ। ବିନା ପଇସା ଖର୍ଚ୍ଚରେ ଚାଷୀ ଏହି ସୁବିଧା ପାଇ ପାରୁଛି। ଚାଷୀ ଗୋଟିଏ କ୍ୱିଣ୍ଟାଲରୁ ୨ କ୍ୱିଣ୍ଟାଲ ଫସଲ ଅଧିକା ଅମଳ କରି ପାରୁଛି, ଗୋଟିଏ ଏକରରେ ୨ ହଜାରରୁ ୫ ହଜାର ଟଙ୍କାର ଫାଇଦା ପାଇ ପାରୁଛି। ଏହି କାର୍ଯ୍ୟ କ୍ରମରେ ପିପିଏଲ୍ ର କର୍ପୋରେଟ୍ ହେଡ୍ ସୁଧୀର ରଞ୍ଜନ ମିଶ୍ରଙ୍କ ସମେତ କୃଷି ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।