ଜଗତସିଂହପୁର ଏଟିଏମ୍ ଚୋରି ଘଟଣା: ସଦର ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

Published: Apr 20, 2021, 9:31 pm IST

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଦୁର୍ଗା ବଜାର ଠାରେ ଥିବା ଇଣ୍ଡିଆନ ବ୍ୟାଙ୍କ ଏଟିଏମ୍ କୁ ତାଡ଼ି ଚୋରି ଉଦ୍ୟମ କରିଥିବା ୨ ଜଣ ଚୋରକୁ ଜଗତସିଂହପୁର ପୋଲିସ ଗିରଫ କରିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସଡ଼ିପିଓ ଏନେଇ ସୂଚନା ପ୍ରଦାନ କରିଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଏସଡ଼ିପିଓ ପ୍ରିୟରଞ୍ଜନ ଶତପଥୀ କହିଛନ୍ତି ଯେ, ଗତ ୧୭ ତାରିଖ ରାତିରେ ଏଟିଏମକୁ ଚୋର ମାନେ ତାଡ଼ି ଟଙ୍କା ଲୁଟ କରିବା ଉଦ୍ୟମରେ ବିଫଳ ହୋଇଥିଲେ। ତେବେ ଏଟିଏମ ଲୁଟ ନେଇ ଇଣ୍ଡିଆନ ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ନିଳିମା ଶତପଥୀ ଜଗତସିଂହପୁର ଥାନାରେ ଗତ ୧୮ ତାରିଖରେ ଅଭିଯୋଗ କରିଥିଲେ।ଜଗତସିଂହପୁର ଥାନା ପୋଲିସ ଅଭିଯୋଗ ପାଇବା ପରେ ଘଟଣା ସ୍ଥଳକୁ ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ଏବଂ ସଦର ପୋଲିସ ସଦଳବଳେ ଯାଇ ବ୍ୟାଙ୍କର ସିଡ଼ିଆର ଓ ଆଖପାଖର ସିସିଟିଭି ଫୁଟେଜକୁ ଆଧାର କରି ଏହାର ତଦନ୍ତ କରିବା ପରେ ବାଲିକୁଦା ଥାନା ଅଧିନସ୍ଥ ବାଖରାବାଦ ଗ୍ରାମର ଗଦାଧର ନାୟକଙ୍କ ପୁଅ ରାକେଶ ନାୟକ ଓ ବାଲିକୁଦା ବାଲିସାହି ଗ୍ରାମର ସାହିଦ ଖାଁ କୁ ପୋଲିସ ଗିରଫ କରିବା ସହିତ ଏଟିଏମ ତାଡିବାରେ ବ୍ୟବହୃତ ଏକ ଷ୍ଟିଲ ପାଇପ ଏବଂ ଏକ ବକ୍ସର ବାଇକକୁ ଜବତ କରିଛି।

ତେବେ ରାକେଶ ଓ ସାହିଦକୁ ପୋଲିସ ଆଜି କୋର୍ଟ ଚାଲାଣ କରିଥିବା ସାମ୍ବାଦିକ ସମ୍ମିଳନୀରେ ଏସଡ଼ିପିଓ ପ୍ରିୟରଞ୍ଜନ ଶତପଥୀଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Related posts