Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭୀମପୁର ଗାଁରେ ହତ୍ୟାକାଣ୍ଡ ମାମଲା: ସମଲିଙ୍ଗୀ ସମ୍ପର୍କକୁ ନେଇ ମର୍ଡର ହୋଇଥିବା କହିଲା ଜଙ୍କିଆ ପୋଲିସ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଶଗଡଭଙ୍ଗା ଭୀମପୁର ଗାଁରେ ହତ୍ୟାକାଣ୍ଡ। ସମଲିଙ୍ଗୀ ସମ୍ପର୍କକୁ ନେଇ ମର୍ଡର ହୋଇଥିବା ଖୋର୍ଦ୍ଧା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ। ମୃତ ଯୁବକଙ୍କ ନାମ ରଶ୍ମିରଞ୍ଜନ ବଳିୟାରସିଂହ।

ଘଟଣାରୁ ପ୍ରକାଶ ଯେ, ଶଗଡଭଙ୍ଗା ଗାଁର ରଶ୍ମିରଞ୍ଜନ ବଳିୟାରସିଂହ ନାମକ ଜଣେ ଯୁବକ ଏକ ରାମ ନାଟକ ଯାତ୍ରାରେ ରୋଲ କରିବା ପାଇଁ ଚନ୍ଦନପୁର ଅଞ୍ଚଳର ସୋମନାଥ ଲାଠି ନାମକ ଜଣେ ତୃତିୟ ଲିଙ୍ଗୀକୁ ଆଣି ନିଜ ଘରେ ରଖିବା ସହିତ ତା ସହିତ ଦୈହିକ ସଂମ୍ପର୍କ ରଖିଥିଲେ। କିନ୍ତୁ ସୋମନାଥ ସହିତ ରଶ୍ମିରଞ୍ଜନଙ୍କ ପ୍ରେମ ବିଚ୍ଛେଦ ହେବାରୁ ଜାନୁଆରୀ ୨ ତାରିଖ ଦିନ ପରିବାର ଲୋକ ଘରେ ନ ଥିବା ସୁଯୋଗ ପାଇ ରଶ୍ମିରଞ୍ଜନଙ୍କୁ ସୋମନାଥ ଲାଠି ଲୁହା ରଡରେ ଆକ୍ରମଣ କରିଥିଲା। ଯାହାଫଳ ରଶ୍ମିରଞ୍ଜନଙ୍କ ମୃତ୍ୟୁ ଘଟିଥିଲା। ଏହାସହିତ ରଶ୍ମିରଞ୍ଜନଙ୍କ ଘରୁ ଟଙ୍କା ସହିତ କିଛି ସୁନା ଅଳଙ୍କାର ଲୁଟ କରି ସୋମନାଥ ମୋଟର ସାଇକେଲ ନେଇ ଫେରାର ହୋଇଯାଇଥିଲା।

ରଶ୍ମିରଞ୍ଜନଙ୍କ ମାଆ ଏନେଇ ଜଂକିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଜଙ୍କିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସୋମନାଥକୁ ଧରିବା ପାଇଁ ପୋଲିସ ୩ ଟି ଟିମ ଗଠନ କରି ବିଭିନ୍ନ ଯାଗାରେ ଚଢ଼ାଉ ଜାରି ରଖିଥିଲା। ଶେଷରେ ଅଭିଯୁକ୍ତକୁ ଯାଜପୁରରୁ ଗିରଫ କରାଯାଇଥିଲା।

ସମଲିଙ୍ଗୀ ପ୍ରେମ ସଂମ୍ପର୍କକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପୋଲିସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ରଣପୁର ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ

ରଣପୁର: ରଣପୁର ମହୋତ୍ସବ “ଅର୍ଜୁନ-୨୦୨୪” ପାଇଁ ଆଜି କ୍ଷୁଦ୍ର ଜଳସେଚନ ବିଭାଗ ଡାକ ବଙ୍ଗଳାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକ ମହୋତ୍ସବର ଅଧ୍ୟକ୍ଷ ତଥା ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଅଧ୍ୟକ୍ଷତାରେ ଏବଂ ଆବାହକ ବରିଷ୍ଠ ଆଇନୀଜୀବୀ ସୁରେଶ ଚନ୍ଦ୍ର ମିଶ୍ରଙ୍କ ଆବାହକତ୍ବରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ମହୋତ୍ସବର ସଂଯୋଜକ ଇଂ ଦେବାଶିଷ ପଟ୍ଟନାୟକ, ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ସଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି, ଆତ୍ମା କମିଟିର ଅଧ୍ୟକ୍ଷା ନର୍ମଦା ରାୟଙ୍କ ସମେତ ରଣପୁର ଅଞ୍ଚଳର ସାମ୍ବାଦିକମାନେ ଉପସ୍ଥିତ ଥିଲେ। ନୟାଗଡ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ମହୋତ୍ସବ ହେଉଥିଲେ ମଧ୍ୟ ରଣପୁର ମହୋତ୍ସବର ସ୍ୱତନ୍ତ୍ରତା ରହିଛି। ରଣପୁର ମହୋତ୍ସବ ଜାନୁଆରୀ ୫ ତାରିଖ ଦିନ ବେଜେଲଗେଟକୁ ପିଟି ପିଟି ମାରି ରଘୁଦିବାକର ଶହୀଦ ହୋଇଥିଲେ। ଏହି ଶହୀଦମାନଙ୍କୁ ମନେ ପକାଇବା ପାଇଁ ଏହି ରଣପୁର ମହୋତ୍ସବ ପାଳନ କରାଯାଏ ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ କହିଥିଲେ। ଶାନ୍ତି ଶୃଙ୍ଖଳାକୁ ଗୁରୁତ୍ୱଦେବା ସହିତ ବିଭିନ୍ନ ଉନ୍ନତ ଧରଣର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଉପରେ ଗୁରୁତ୍ୱ ଦିଆ ଯାଇଥିଲା।

ମହୋତ୍ସବ କାର୍ଯ୍ୟକୁ ସୁପରିଚାଳନା ପାଇଁ ବିଧାୟକ ଶ୍ରୀ ପ୍ରଧାନ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ରଣପୁର ମହୋତ୍ସବ ହେଉଛି ବଳିଦାନ ଓ ବିଜୟର ଉତ୍ସବ ବୋଲି ବିଧାୟକ ମତ ଦେଇଥିଲେ। ରଣପୁର ମହୋତ୍ସବର ମଧ୍ୟ ରେଜିଷ୍ଟ୍ରେସନ ହୋଇ ସାରିଛି ବୋଲି ବିଧାୟକ କହିଥିଲେ।

ଶହୀଦ ରଘୁଦିବାକରଙ୍କ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରିବା ପାଇଁ ମତ ପ୍ରକାଶ ପାଇଥିଲା। ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ ପୁରୀ ଗଜପତି ମହାରାଜଙ୍କ ଦ୍ୱାରା ଚଳିତ ବର୍ଷର ମହୋତ୍ସବକୁ ଉଦଘାଟନ କରିବା ପାଇଁ ପ୍ରସ୍ତାବ ଦିଆ ଯାଇଥିଲା। ପ୍ରଥମେ ମହୋତ୍ସବ ଆରମ୍ଭ କରିଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରିବା ପାଇଁ ବରିଷ୍ଠ ସାମ୍ବାଦିକ ବିଶ୍ୱରଂଜନ ଆଚାର୍ଯ୍ୟ ମତ ଦେଇଥିଲେ। ରାଜ୍ୟରୁ ତଥା ରାଜ୍ୟ ବାହାରୁ ଆସୁଥିବା ବୁଲା ବିକାଳିମାନଙ୍କ ରହିବା ପାଇଁ ଟେଣ୍ଟ ବ୍ୟବସ୍ଥା କରିବା ପାଇଁ ସାମ୍ବାଦିକ ବ୍ରଜ ରଣସିଂହ ମତ ଦେଇଥିଲେ। ଚଳିତ ବର୍ଷ ଅଧିକ ପୋଲିସବାହିନୀ ମୁତୟନ କରିବା ପାଇଁ ମଧ୍ୟ ସାମ୍ବାଦିକ ରଘୁନାଥ ନାୟକ ମତ ଦେଇଥିଲେ। ଶେଷରେ ସାଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କାଉଁରୀ-୨୦୨୩ ପାଇଁ ପ୍ରସ୍ତୁତି: ରାଜ୍ୟପାଳ କରିବେ ଉଦଘାଟନ, ଆକର୍ଷଣୀୟ କାର୍ଯ୍ୟକ୍ରମ ପାଇଁ ମିଳିଲା ପ୍ରତିଶୃତି

ରାଜସୁନାଖଳା: ରାଜ୍ୟପାଳଙ୍କ କରକମଳରେ ଉଦଘାଟିତ ହେବ ପଞ୍ଚମ ରାଜସୁନାଖଳା ମହୋତ୍ସବ କାଉଁରୀ-୨୦୨୩। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ରାଜସୁନାଖଳା ମହୋତ୍ସବ କମିଟି ସୂଚନା ଦେଇଛି।

ନୟାଗଡ଼ ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳି ଭାବେ ପରିଚିତ ରାଜସୁନାଖଳାର କଳା, ସାହିତ୍ୟ, ସଂସ୍କୃତିର ବିକାଶ ପାଇଁ ଗଢିଉଠିଥିବା ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ରାଜସୁନାଖଳା ମହୋତ୍ସବ କମିଟି ଆନୁକୂଲ୍ୟରେ ଆଗାମୀ ଡିସେମ୍ବର ୮ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପୀ ଏହି ରାଜ୍ୟସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହେବ।

ତେବେ ଗତବର୍ଷ ମାନଙ୍କ ଅପେକ୍ଷା ଆହୁରି ଆକର୍ଷଣୀୟ କାର୍ଯ୍ୟକ୍ରମ କରିବା ନିମନ୍ତେ ପ୍ରତିଶୃତି ରଖିଲେ ମହୋତ୍ସବ କମିଟି ଅଧ୍ୟକ୍ଷ ଆର୍ତ୍ତତ୍ରାଣ ପ୍ରଧାନ। ଗଣମାଧ୍ୟମ ପ୍ରତିନିଧି ମାନଙ୍କର ପ୍ରଶ୍ନର ଉତ୍ତର ରଖି କମିଟି ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ ଚଳିତ ବର୍ଷ ମହୋତ୍ସବକୁ ଆହୁରି ଆକର୍ଷଣୀୟ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସାଂସ୍କୃତିକ ଦଳ ଆଣିବା ପାଇଁ ପ୍ରକାଶ କରିଛନ୍ତି। ବିଗତ ବର୍ଷରେ ବହୁ ଜନ ସମାଗମକୁ ଲକ୍ଷ୍ୟ ରଖି ଚଳିତ ବର୍ଷ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ମତ ପ୍ରକାଶ ପାଇଛି।

ଏତଦ ବ୍ୟତୀତ ଦର୍ଶକ ମାନେ କିପରି ମିନା ବଜାର, ରାମଦୋଳି ଏବଂ ପଲ୍ଲଶ୍ରୀ ମେଳାର ଭରପୁର ମଜା ଉଠାଇ ପାରିବେ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସାମ୍ବାଦିକ ମାନଙ୍କର ପ୍ରଶ୍ନର ଉତ୍ତର ରଖି କମିଟି ଉପାଧ୍ୟକ୍ଷ ପ୍ରସନ୍ନ କୁମାର ପ୍ରଧାନ ମତ ପ୍ରକାଶ କରିଥିଲେ। ଦେଖଣାହାରୀ ମାନଙ୍କର ସୁରକ୍ଷା ଏବଂ ସମସ୍ତ ପ୍ରକାରର ସୁବିଧା ଅସୁବିଧାର ତୁରନ୍ତ ପଦକ୍ଷେପ ନିମନ୍ତେ ରାଜସୁନାଖଳାର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କର ସହାୟତା ନିଆଯିବ ବୋଲି ଦୃଢୋକ୍ତି ପ୍ରକାଶ ପାଇଛି।

ଅଞ୍ଚଳର ପ୍ରସିଦ୍ଧ ଶକ୍ତିପୀଠର ଅଧୀଶ୍ଵରୀ ଦେବୀ ମା କାଉଁରୀଙ୍କର ନାମରେ ନାମିତ ଏହି ମହୋତ୍ସବର ପ୍ରଥମ ଦିନ ମଶାଲ ଶୋଭାଯାତ୍ରା, ପୀଠ ହୋମ, ସନ୍ଧ୍ୟାରେ ରାଜ୍ୟପାଳଙ୍କ ଦ୍ୱାରା ମଞ୍ଚ ଉଦଘାଟନ ହେବ।

ଏହି ଅବସରରେ ଏକ ବାର୍ଷିକ ସ୍ମରଣୀକା “କାଉଁରୀ” ପ୍ରକାଶ କରାଯିବା ନିମନ୍ତେ କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଧାନ ପ୍ରକାଶ କରିଥିଲେ। ଏଥିନିମନ୍ତେ ରାଜସୁନାଖଳାକୁ ଭଲ ପାଉଥିବା ରାଜ୍ୟର କବି, ଲେଖକ ତଥା ଗବେଷକ ମାନଙ୍କ ଠାରୁ ଲେଖା ନିମନ୍ତେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଜରିଆରେ ପଠାଇବା ପାଇଁ ପତ୍ରିକା ସମ୍ପାଦକ ପ୍ରଦୀପ ରଣା ମହୋଦୟ ଅନୁରୋଧ କରିଥିଲେ।

ପ୍ରକାଶ ଥାଉକି ବିଗତ ୨୦୧୯ ମସିହାରେ ଆରମ୍ଭ ହୋଇଥିବା ଏହି ମହୋତ୍ସବ ମହାମାରୀ କରୋନା ସମୟରେ ବି ଡିଜିଟାଲ ମହୋତ୍ସବ ଆୟୋଜନ କରି ବେଶ ସୁନାମ ସାଉଁଟି ଥିଲା।ଉକ୍ତ କାର୍ଯ୍ୟକ୍ରମକୁ ମହୋତ୍ସବ କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଧାନ ଆହ୍ବାନ କରିଥିବା ବେଳେ କମିଟି ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସ୍ୱାଗତ କରିଥିଲେ।

ଉପାଧ୍ୟକ୍ଷ ପ୍ରସନ୍ନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଯୁବ ସାମ୍ବାଦିକ ପ୍ରଚାର ପ୍ରସାର କମିଟି ସମ୍ପାଦକ ରାଜେନ୍ଦ୍ର କୁମାର ସାହୁ ପରିଚାଳନା କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା କୈଳାସ ଚନ୍ଦ୍ର ସାହୁ ଏବଂ ପ୍ରଦୀପ କୁମାର ସାହୁ ସରସ ସୁନ୍ଦର କାର୍ଯ୍ୟକ୍ରମ ପାଇଁ ପ୍ରତିଶୃତି ସହ ସାମ୍ବାଦିକଙ୍କ ପ୍ରେସ ଗ୍ୟାଲେରୀ ରେ ବ୍ୟାପକ ବ୍ୟବସ୍ଥା ପାଇଁ ପ୍ରତିଶୃତି ଦେଇଥିଲେ।

ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଆସାମ ବିହୁ, ରାଜ୍ୟସରକାର ଙ୍କ ସଂସ୍କୃତି ବିଭାଗ ପକ୍ଷରୁ ନୃତ୍ୟ ଦଳ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବ। ସେହିପରି ଦଶାବତାର, ପୁରୀ ସାହିଯାତ ମେଢ଼ ସହ ଓଲିଉଡ଼ ର ବହୁ କଳାକାର ଯୋଗ ଦେବେ। ଏଥିସହ ମେଲୋଡି ଏବଂ ଝୁମର ନାଚ ଦର୍ଶକ ଙ୍କୁ ବାନ୍ଧି ରଖିବ।

ଏହି କାର୍ଯ୍ୟକ୍ରମକୁ ସମ୍ପାଦନ କରିବାରେ ଯୁବ ସାମ୍ବାଦିକ ରାକେଶ ପାଢ଼ୀ ଏବଂ ଯାଦୁନାଥ ସାମନ୍ତରାୟ ସହଯୋଗ କରିଥିଲେ। ଉକ୍ତ ପ୍ରେସ ମିଟରେ ଖୋର୍ଦ୍ଧା ଏବଂ ନୟାଗଡ ଉଭୟ ଜିଲ୍ଲାର ଗଣ ମାଧ୍ୟମ ପ୍ରତିନିଧି ଉଭୟ ଇଲୋକ୍ଟ୍ରୋନିକ୍ସ ଏବଂ ପ୍ରିଣ୍ଟ ମିଡ଼ିଆର ପ୍ରତିନିଧି ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ଇମ୍ଫାଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ୍ ଶାହାଙ୍କ ଚାରଦିନିଆ ମଣିପୁର ଗସ୍ତ ଆଜି ଶେଷ ହୋଇଛି। ଗସ୍ତର ଅନ୍ତିମ ଦିବସରେ ଇମ୍ଫାଲ ଠାରେ ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇଥିଲେ। ହିଂସାଗ୍ରସ୍ତ ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ ସେ ସବୁ ପକ୍ଷଙ୍କୁ ନିବେଦନ କରିବା ସହିତ ସେମାନଙ୍କ ସହଯୋଗ ଲୋଡ଼ିଛନ୍ତି। ବିଭିନ୍ନ ପକ୍ଷ ଏକାଠି ହୋଇ ଆପୋସ ଆଲୋଚନା ଜରିଆରେ ଶାନ୍ତି ଓ ସଦଭାବନା ରକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ସ୍ପର୍ଶକାତର ସମୟରେ ରାଜ୍ୟବାସୀ କୌଣସି ଗୁଜବ ଓ ଅପପ୍ରଚାରରେ ବିଶ୍ୱାସ ନ କରି ଶାନ୍ତି ବଜାୟ ରଖିବାକୁ ସେ ନିବେଦନ କରିଛନ୍ତି। ଏହି ହିଂସାକାଣ୍ଡରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ଶାହା ମୋଦୀ ସରକାରଙ୍କ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ମଣିପୁର ହିଂସାକାଣ୍ଡର ବିଚାର ବିଭାଗୀୟ ତଦନ୍ତ କରାଯିବ। କୌଣସି ଏକ ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏହି ତଦନ୍ତ କମିଶନ ଗଠିତ ହେବ। ଏହାଛଡ଼ା ମଣିପୁର ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ରାଜ୍ୟରେ ଗଠିତ ହେବ ଏବଂ ଏଥିରେ ସବୁ ବର୍ଗ ଓ ପକ୍ଷର ପ୍ରତିନିଧିତ୍ୱ ରହିବ।

ସ୍ୱରାଷ୍ଟ୍ର ମନ୍ତ୍ରୀ ଆହୁରି କହିଛନ୍ତି ଯେ ଭାରତ ସରକାର ଓ ମଣିପୁର ସରକାରଙ୍କ ପକ୍ଷରୁ ରିଲିଫ ତଥା ଥଇଥାନ ପ୍ୟାକେଜରେ ହିଂସାକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ନିକଟ ସମ୍ପର୍କୀୟ ବା ପରିବାରବର୍ଗଙ୍କୁ ପ୍ରତ୍ୟେକ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ। ଏହି ସହାୟତା ରାଶିରେ କେନ୍ଦ୍ର ଓ ମଣିପୁର ସରକାରଙ୍କ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ଅବଦାନ ରହିବ। ମୃତକଙ୍କ ସମ୍ପର୍କୀୟ ବା ପରିବାରବର୍ଗଙ୍କୁ ଡିବିଟି ବ୍ୟବସ୍ଥାରେ ଏହି ଅର୍ଥ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ। ସେହିପରି ମଣିପୁରରେ ଶାନ୍ତି ରକ୍ଷା ପାଇଁ ବିଭିନ୍ନ ନିରାପତ୍ତା ସଂସ୍ଥା ଓ ରାଜ୍ୟ ପୁଲିସ ବାହିନୀ କାମ କରୁଛନ୍ତି। ସେମାନଙ୍କ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା ଏବଂ କାର୍ଯ୍ୟରେ ନିରପେକ୍ଷତା କାମ ଦେଖିବା ପାଇଁ ଏକ ଇଣ୍ଟର ଏଜେନ୍ସି ୟୁନିଫାଏଡ କମାଣ୍ଡ ଗଠିତ ହେବ। ଏଥିରେ ନିରାପତ୍ତା ପରାମର୍ଶଦାତା କୁଳଦୀପ ସିଂହ ମୁଖ୍ୟ ଭାବେ କାମ କରିବେ।

ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ରୁଜୁ ହୋଇଥିବା ମାମଲାଗୁଡ଼ିକ ମଧ୍ୟରୁ ପାଞ୍ଚଟି ଚିହ୍ନଟ ମାମଲା ସମେତ ମୋଟ ଛ’ଟି ଏବଂ ଗୋଟିଏ ସାଧାରଣ ଷଡ଼ଯନ୍ତ୍ର ମାମଲାର ତଦନ୍ତ ଭାର ସିବିଆଇର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଉପରେ ନ୍ୟସ୍ତ କରାଯାଇଛି। ଏହି ହିଂସାକାଣ୍ଡର କାରଣ ନିର୍ଦ୍ଧାରଣରେ କୌଣସି ପକ୍ଷପାତ ବା ପାତରଅନ୍ତର ରହିବ ନାହିଁ। ଏଭଳି ଘଟଣାର ପୁନରୁାବୃତ୍ତି ଯେପରି ନ ଘଟେ ସେଥିପାଇଁ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମନ୍ତ୍ରୀ ଶ୍ରୀ ଶାହା ଆହୁରି କହିଛନ୍ତି ଯେ ମଣିପୁରକୁ ଅତ୍ୟାବଶ୍ୟକ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଭାରତ ସରକାର ନିୟମିତି କୋଟା ବାହାରେ ୩୦ ହଜାର ମେଟ୍ରିକ ଟନ ଚାଉଳ ପଠାଇଛନ୍ତି। ଏହାଛଡ଼ା ରାଜ୍ୟରେ ଇନ୍ଧନ ଅଭାବ ଦୂର କରିବା ପାଇଁ ରୋଷେଇ ଗ୍ୟାସ ସିଲିଣ୍ଡର, ପେଟ୍ରୋଲ ଓ ପନିପରିବା ପଠାଇବାର ବ୍ୟବସ୍ଥା କରାଯାଉଛି। ଦେଶର ଅବଶିଷ୍ଟ ଭାଗରୁ ମଣିପୁରକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ମଧ୍ୟ ସୁନିଶ୍ଚିତ କରାଯିବ। ଏଥିପାଇଁ ଖଙ୍ଗସାଙ୍ଗ ରେଳଷ୍ଟେସନରେ ଏକ ଅସ୍ଥାୟୀ ପ୍ଲାଟଫର୍ମ ତିଆରି କରାଯିବ। ଏହାଛଡ଼ା ଲୋକଙ୍କ ଯାତ୍ରାକୁ ସୁଗମ କରିବା ପାଇଁ ଚୁଡ଼ାଚାନ୍ଦପୁର, ମୋରେ କାଙ୍ଗପୋକପିରୁ ଅସ୍ଥାୟୀ ହେଲିକପ୍ଟର ସେବା ଆରମ୍ଭ କରାଯାଇଛି। ଏହାଫଳରେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଲୋକ ସହଜରେ ନିଜ ଗନ୍ତବ୍ୟସ୍ଥଳକୁ ଯାଇ ପାରୁଛନ୍ତି । ଏହି ହେଲିକପ୍ଟର ସେବା ପାଇଁ ଯାତ୍ରୀ ପିଛା ୨୦୦୦ ଟଙ୍କା ଭଡ଼ା ଧାର୍ଯ୍ୟ ହୋଇଛି । ସେମାନେ ଏହି ଭଡ଼ାରେ ରାଜ୍ୟର ଆଭ୍ୟନ୍ତରୀଣ ଓ ଯୋଗାଯୋଗ ସୁବିଧା ନ ଥିବା ଗନ୍ତବ୍ୟସ୍ଥଳକୁ ଯାଇପାରିବେ । ହେଲିକପ୍ଟର ସେବା ବାବଦରେ ଯେଉଁ ଅତିରିକ୍ତ ଖର୍ଚ୍ଚ ଲାଗିବ ତାହାକୁ ଉଭୟ କେନ୍ଦ୍ର ଓ ମଣିପୁର ସରକାର ବହନ କରିବେ ।

ସେ ଆହୁରି କହିଛନ୍ତି ଯେ ମଣିପୁର ପାଇଁ କେନ୍ଦ୍ର ସରକାର ଆଠଟି ଚିକିତ୍ସକ ଦଳ ଗଠନ କରିଛନ୍ତି । ସେଥିମଧ୍ୟରୁ ତିନିଟି ଦଳ ମଣିପୁରରେ ପହଂଚି ସାରିଲେଣି । ଅବଶିଷ୍ଟ ପାଞ୍ଚଟି ଦଳ ଖୁବଶୀଘ୍ର ରାଜ୍ୟରେ ପହଂଚିବେ । ସେମାନେ ମୋରେ, ଚୁଡ଼ାଚାନ୍ଦପୁର ଓ କାଙ୍କପୋକପି ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇଦେବେ ।

ରାଜ୍ୟରେ ପ୍ରତିଯୋଗିତାମୂଳକ ସମସ୍ତ ପରୀକ୍ଷା ଓ ଶିକ୍ଷା ବ୍ୟବସ୍ଥାକୁ ବ୍ୟାହତ ହେବାକୁ ଦିଆଯିବ ନାହିଁ ବୋଲି ଶ୍ରୀ ଶାହା କହିଛନ୍ତି । ଅନଲାଇନ ଶିକ୍ଷା, ଅନଲାଇନ ପରୀକ୍ଷା, ଦୂରଶିକ୍ଷା ବ୍ୟବସ୍ଥା ଆଦି ତୁରନ୍ତ ଆରମ୍ଭ କରିବାକୁ ଉଭୟ କେନ୍ଦ୍ର ଓ ଶିକ୍ଷା ମନ୍ତ୍ରଣାଳୟ ଏବଂ ରାଜ୍ୟ ଶିକ୍ଷା ବଭାଗ ମିଳିତ ଭାବେ କାମ କରୁଛନ୍ତି । ଆଉ ଦୁଇଦିନ ମଧ୍ୟରେ ଏସବୁ ସୁବିଧା ମଣିପୁରରେ ଉପଲବ୍ଧ ହେବ । ସେହିଭଳି ମଣିପୁର ହାଇକୋର୍ଟରେ ମାମଲା ଉପସ୍ଥାପନ ଓ ବିଚାର ପ୍ରକ୍ରିୟା ପୁନର୍ବାର ଚାଲୁ କରିବାକୁ ଚୁଡ଼ାଚାନ୍ଦପୁର, ମୋରେ ଓ କାଙ୍ଗପୋକପିରେ ଆଭାସୀ ବ୍ୟବସ୍ଥା ତିଆରି କରିବାକୁ କାମ ଚାଲିଛି । ରାଜ୍ୟରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ସହିତ ସବୁ କାମକୁ ଭଲ ଭାବେ ତଦାରଖ କରିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ଯୁଗ୍ମ ସଚିବ ପାହ୍ୟା ଅଧିକାରୀ ଓ ପାଞ୍ଚ ଜଣ ନିର୍ଦେଶକ ପାହ୍ୟାର ବିଭିନ୍ନ ମନ୍ତ୍ରଣାଳୟର ଅଧିକାରୀ ମଣିପୁରରେ ଉପସ୍ଥିତ ରହିବେ ।

ସ୍ୱରାଷ୍ଟ୍ର ମନ୍ତ୍ରୀ ଆହୁରି କହିଛନ୍ତି ଯେ ମଣିପୁର-ମିଅଁମାର ସୀମାରେ ନିର୍ମିତ ୧୦ କିମି ଲମ୍ବ ତାରବାଡ଼ର ପରୀକ୍ଷାନିରୀକ୍ଷା ସରିଛି । ଭାରତ ସରକାରଙ୍କ ଦ୍ୱାରା ଏହି ତାରବାଡ଼ ତିଆରି କରାଯାଇଛି । ଅନ୍ୟ ୮୦ କିମି ସୀମାର ତାରବାଡ଼ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ଅବଶିଷ୍ଟ ସୀମାର ତାରବାଡ଼ ନିର୍ମାଣ ପାଇଁ ସର୍ଭେ କାମ ଚାଲିଛି । ପଡ଼ୋଶୀ ଦେଶରୁ ମଣିପୁର ଓ ଭାରତକୁ ପ୍ରବେଶ କରୁଥିବା ଲୋକଙ୍କ ବାୟୋମେଟ୍ରିକ ଓ ଆଖିର ଫଟୋଚିତ୍ର ସଂଗ୍ରହ କରାଯାଉଛି । ଏହା ଫଳରେ ମଣିପୁରକୁ ବାହାରୁ ଆସୁଥିବା କୌଣସି ଲୋକ ହିଂସାକାଣ୍ଡ ଭିଆଇବାକୁ ସାହସ କରିବ ନାହିଁ ।

ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି ଯେ ହିଂସାକାଣ୍ଡ ଦୃଷ୍ଟିରୁ ଏବେ ମଣିପୁରରେ ଅପରାଧୀ ଓ ବିଦ୍ରୋହୀଙ୍କ ବିରୋଧରେ ଚାଲିଥିବା ସାମରିକ ଅଭିଯାନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଏଥିପାଇଁ ବିଭିନ୍ନ ପକ୍ଷଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଛି । ଏହି ଚୁକ୍ତିର କୌଣସି ପ୍ରକାର ଉଲ୍ଲଂଘନକୁ ବରଦାସ୍ତ କରାଯିବ ନାହିଁ । ଚୁକ୍ତି ଖିଲାପକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କେହି ସର୍ତ୍ତ ଖିଲାପ କଲେ ତାହାକୁ ଚୁକ୍ତିର ଉଲ୍ଲଂଘନ ଭାବେ ବିଚାର କରାଯିବ ଏବଂ ସବୁ ସମ୍ପୃକ୍ତ ପକ୍ଷଙ୍କ ପାଇଁ ଚୁକ୍ତିର ସର୍ତ୍ତ ଟିକିନିଖି ପାଳନ ବାଧ୍ୟତାମୂଳକ । ଏଥିରେ କୌଣସି ସାଲିସ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି ।

ସେ ଆହୁରି କହିଛନ୍ତି ଯେ ମଣିପୁରରେ ଯେଉଁମାନଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଅଛି ସେମାନେ ପୁଲିସ ନିକଟରେ ତାହା ସମର୍ପଣ କରିବା ଉଚିତ । ପୁଲିସର କମ୍ବିଂ ଅପରେସନ ସମୟରେ ଯାହା ପାଖରୁ ଅସ୍ତ୍ରଶସ୍ତ୍ର ମିଳିବ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟର ଏହି ଘଡ଼ିସନ୍ଧି କ୍ଷଣରେ ନାଗରିକ ସମାଜ ଓ ବିଭିନ୍ନ ସଂଗଠନ ଆଗେଇ ଆସି ଶାନ୍ତି ଏବଂ ସଦଭାବନା ପ୍ରତିଷ୍ଠାରେ ସାହାଯ୍ୟ ସହଯୋଗ କରିବା ଆବଶ୍ୟକ । ଆପୋସ ଆଲୋଚନା ମାଧ୍ୟମରେ ସଦ୍ଭାବନା ଓ ଶାନ୍ତିର ବାତାବରଣ ସୃଷ୍ଟି କରିବାକୁ ସେ ନିବେଦନ କରିଛନ୍ତି ।

ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ଏକ ମାମଲାରେ ଅଦାଲତଙ୍କ ରାୟ ପରେ ଗତ ଏପ୍ରିଲ ୨୯ ତାରିଖରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଆରମ୍ଭ ହୋଇଥିଲା । ତା’ ପୂର୍ବରୁ ବିଗତ ଛ’ ବର୍ଷ ଧରି ମଣିପୁରରେ ବନ୍ଦ, ଅପରାଧ, କର୍ଫୁ୍ୟ, ହିଂସାକାଣ୍ଡ ଓ ଅଶାନ୍ତି କିଛି ନ ଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହଙ୍କ ନେତୃତ୍ୱରେ ସବୁକିଛି ଠିକଠାକ ଚାଲିଥିଲା । ଏହି ଛ’ ବର୍ଷ ମଧ୍ୟରେ ଡବଲ ଇଞ୍ଜିନ ସରକାର ଯୋଗୁ ମଣିପୁରରେ ଅଭୁତପୂର୍ବ ବିକାଶ ଘଟିଛି । ଏହି ଛ’ ବର୍ଷ ଥିଲା ମଣିପୁର ଇତିହାସରେ ଶାନ୍ତି ଓ ବିକାଶର ବର୍ଷ । ମଣିପୁରରେ ଅନେକ କେନ୍ଦ୍ରୀୟ ଅନୁଷ୍ଠାନ ଓ ଚମକ୍ରାର ଭିତ୍ତିଭୂମିମାନ ପ୍ରତିଷ୍ଠା କରାଯାଇ ଏହାକୁ ବିକାଶର ନୂଆ ଶିଖରରେ ସରକାର ପହଂଚାଇଛନ୍ତି । ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ ମଣିପୁର ଦେଶର ଏକ ହବରେ ପରିଣତ ହୋଇଛି ।

ସେ ଆହୁରି କହିଛନ୍ତି ଯେ ମଣିପୁରରେ ତାଙ୍କ ଅବସ୍ଥାନ କାଳରେ ସେ ବିଭିନ୍ନ ବର୍ଗ ଓ ସମୁଦାୟର ଲୋକଙ୍କୁ ଭେଟିଛନ୍ତି। ବିଭିନ୍ନ ଅସ୍ଥାୟୀ ରିଲିଫ କ୍ୟାମ୍ପ ବୁଲି ଦେଖିବା ସହିତ ଇମ୍ଫାଲ, ମୋରେ ଓ ଚୁଡ଼ାଚାନ୍ଦପୁରରେ ବିଭିନ୍ନ ପ୍ରତିନିଧିଦଳର ସଦସ୍ୟ ଏବଂ ହିଂସାକାଣ୍ଡରେ କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟର କ୍ୟାବିନେଟ ମନ୍ତ୍ରୀଗଣ ଓ ମହିଳା ସଂଗଠନର ପ୍ରତିନିଧିଙ୍କ ସହିତ ତାଙ୍କର ଆଲୋଚନା ହୋଇଛି । ଏହା ବ୍ୟତୀତ ମିଟେଇ ସମ୍ପ୍ରଦାୟ ୨୨, କୁକି ସମ୍ପ୍ରଦାୟର ୨୫ ଜନପ୍ରତିନିଧିଙ୍କ ସହିତ ସେ ଆଲୋଚନା କରିଛନ୍ତି । ଶାନ୍ତି ଫେରାଇ ଆଣିବାକୁ ରାଜ୍ୟର ବୁଦ୍ଧିଜୀବୀ, ପ୍ରଫେସର, ଅବରସପ୍ରାପ୍ତ ଅଧିକାରୀ ଓ ବିଭିନ୍ନ ବର୍ଗର ଲୋକଙ୍କୁ ସେ ଭେଟି କଥାବାର୍ତ୍ତା କରିଛନ୍ତି । ସର୍ବୋପରି ୧୧ଟି ରାଜନୀତିକ ଦଳର ପ୍ରତିନିଧିଙ୍କ ସହିତ ତାଙ୍କର ଆଲୋଚନା ହୋଇଛି । ସର୍ବଦଳୀୟ ବୈଠକ ସମେତ ରାଜ୍ୟର କ୍ରୀଡ଼ାବିତଙ୍କ ସହିତ ସେ ରାଜ୍ୟରେ ଶାନ୍ତି ଫେରାଇ ଆଣିବା ସହିତ ସଦଭାବନା ପୁନଃ ପ୍ରତିଷ୍ଠା ପାଇଁ ଆଲୋଚନା କରିଛନ୍ତି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହା ଏହି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଘୋଷଣା ହେବ ମାଟ୍ରିକ୍ ପରୀକ୍ଷା ଫଳ ତାରିଖ: କିଛି ସମୟ ପରେ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ, ଏନେଇ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଅପେକ୍ଷା କରି ରହିଛନ୍ତି। ତେବେ ଆଜି ଅପେକ୍ଷାର ଅନ୍ତ ଘଟିବ। ଆଜି ଦିନ ସାଢେ ୧୧ଟାରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ତାରିଖ ଘୋଷଣା କରାଯିବ। ବୋର୍ଡର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ଏହି ସୂଚନା ଦେଇଛନ୍ତି। କିନ୍ତୁ ଆସନ୍ତାକାଲି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇପାରେ ବୋଲି ଜଣାପଡିଛି।

Categories
ବିଶେଷ ଖବର

ନିଜ ସରକାର ବିରୋଧରେ ‘ଜନ ସଂଘର୍ଷ ପଦ ଯାତ୍ରା’ କରିବେ ସଚିନ ପାଇଲଟ, ଆସନ୍ତା ୧୧ରୁ ହେବ ଆରମ୍ଭ

ନୂଆଦିଲ୍ଲୀ: ଆଜି ସାମ୍ବାଦିକ ସମ୍ମିଳନୀରେ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏକ ବଡ଼ ଘୋଷଣା କରିଛନ୍ତି। ରାଜସ୍ଥାନ ନିର୍ବାଚନ ପୂର୍ବରୁ ସଚିନ ପାଇଲଟ ଅଜମରରୁ ‘ଜନ ସଂଘର୍ଷ ପଦ ଯାତ୍ରା’ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଏହି ଯାତ୍ରା ୧୨୫ କିଲୋମିଟର ଲମ୍ବା ହେବ, ଯେଉଁଥିରେ ସଚିନ୍ ପାଇଲଟ୍ ଜନସାଧାରଣଙ୍କ ମଧ୍ୟରେ ଯାଇ ସେମାନଙ୍କ ଅଭିଯୋଗ ଶୁଣିବେ।

ସାଚିନ୍ ପାଇଲଟ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଯେତେବେଳେ ସେ ବସୁନ୍ଧରା ରାଜେଙ୍କ କାର୍ଯ୍ୟକାଳ ସମୟରେ ଦୁର୍ନୀତି ବିଷୟରେ କଥାବାର୍ତ୍ତା କରନ୍ତି, ସେତେବେଳେ ଗେହଲଟ୍ ସରକାରଙ୍କ ତରଫରୁ ସେ କୌଣସି ପ୍ରତିକ୍ରିୟା ପାଆନ୍ତି ନାହିଁ। ତେଣୁ, ସେ ନିଷ୍ପତ୍ତି ନେଇଛନ୍ତି ଯେ, ମେ ୧୧ ତାରିଖରେ ଅଜମେରରୁ ଏକ ପଦ ଯାତ୍ରା ଆରମ୍ଭ କରିବେ, ଯାହା ପାଞ୍ଚ ଦିନ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ସଚିନ ପାଇଲଟ ଜନସାଧାରଣଙ୍କ ମଧ୍ୟରେ ଯାଇ ତାଙ୍କ କଥା ଶୁଣିବେ।

ସଚିନ ପାଇଲଟ କହିଛନ୍ତି ଯେ, ସେ ରାଜସ୍ଥାନରେ ପେପର ଲିକ୍ ପ୍ରସଙ୍ଗକୁ ଅନେକ ଥର ଉଠାଇଛନ୍ତି, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଆରପିଏସସି କାର୍ଯ୍ୟାଳୟ ଅଜମେରରେ ଅଛି। ସେଥିପାଇଁ ବର୍ତ୍ତମାନ ସେ ନିଜେ ସେଠାକୁ ଯାଇ ଦୁର୍ନୀତି ବିରୋଧରେ ପଦଯାତ୍ରା କରିବେ। ଏହି ପଦ ଯାତ୍ରା ୧୨୫ କିଲୋମିଟର ଲମ୍ବା ହେବ ଏବଂ ପାଞ୍ଚ ଦିନ ପର୍ଯ୍ୟନ୍ତ ଚାଲିବ। ସଚିନ ପାଇଲଟ କହିଛନ୍ତି ଯେ, ଜନସାଧାରଣଙ୍କ ଚାପ ପଡିଲେ ସରକାର ଠିକ୍ ନିଷ୍ପତ୍ତି ନେବେ। ସେଥିପାଇଁ ସେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବେ ଏବଂ ସେମାନଙ୍କୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରିବେ।

ସଚିନ ପାଇଲଟ କହିଛନ୍ତି ଯେ, କର୍ଣ୍ଣାଟକ ନିର୍ବାଚନରେ ​​ପ୍ରଚାର ବେଳେ ବିଜେପି ଦ୍ଵାରା ଭୁଲ ଏବଂ ଖରାପ ଶବ୍ଦ ବ୍ୟବହାର କରାଯାଇଥିଲା। ମଲ୍ଲିକାର୍ଜୁନ ଖଡଗେ ଏବଂ ତାଙ୍କ ପରିବାରକୁ ମୃତ୍ୟୁ ଧମକ ଦିଆଯାଇଥିଲା। ସଚିନ ପାଇଲଟ ଏଭଳି ଶବ୍ଦକୁ ନିନ୍ଦା କରିଛନ୍ତି ଏବଂ ବିଜେପି ଉପରେ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ, ଏହି ଶବ୍ଦ ଶୁଣିବା ପରେ ମଧ୍ୟ ବିଜେପି କୌଣସି ପଦକ୍ଷେପ ନେଇ ନାହିଁ, ଯାହା ଦୁର୍ଭାଗ୍ୟଜନକ।

Categories
ଆଜିର ଖବର ଜାତୀୟ ଖବର

ପୁଣି ଧାରଣାରେ ବସିଲେ କୁସ୍ତି ଖେଳାଳି: କରିଲେ ଏହି ଦାବି

ନୂଆଦିଲ୍ଲୀ: ବଜରଙ୍ଗ ପୁନିଆଙ୍କ ସମେତ ଅନେକ କୁସ୍ତିଯୋଦ୍ଧା ପୁଣିଥରେ ଦିଲ୍ଲୀର ଜନ୍ତର ମନ୍ତ୍ରରରେ ବିରୋଧ ଆରମ୍ଭ କରିଛନ୍ତି। ଏଥି ସହିତ ଅପରାହ୍ନ ୪ ଟା ସମୟରେ କୁସ୍ତିମାନଙ୍କ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି। ରେସଲର ସାକ୍ସି ମଲିକ କହିଛନ୍ତି ଯେ, ଆମେ ଦୁଇ ଦିନ ପୂର୍ବେ ସିପି ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲୁ। କୌଣସି ଶୁଣାଣି ହୋଇନାହିଁ। ୭ ଜଣ ଝିଅ ଏଫଆଇଆର ଦାଖଲ କରିଥିଲେ। ଜଣେ ଝିଅ ନାବାଳିକା ଏବଂ ପୋସ୍କୋ ଅଧୀନରେ ଆସେ। ଅଢେଇ ମାସ ବିତିଗଲାଣି, କିନ୍ତୁ କମିଟି ପକ୍ଷରୁ କୌଣସି ନିଷ୍ପତ୍ତି ଆସିନାହିଁ।

ସାକ୍ସି ମଲିକ କହିଛନ୍ତି ଯେ, ସେଠାରେ ଯୌନ ନିର୍ଯାତନା ମାମଲା ବ୍ରିଜ ଭୂଷଣ ଚରଣ ସିଂଙ୍କ ବିରୋଧରେ ଥିଲା। ମାମଲାର ଶୁଣାଣି ହୋଇନଥିଲା, ତେଣୁ ଆମେ ପରାସ୍ତ ହୋଇ ଏଠାକୁ ଫେରିବାକୁ ବାଧ୍ୟ ହୋଇଥିଲୁ। ଲୋକମାନେ ଆମକୁ ମିଥ୍ୟାବାଦୀ ବୋଲି ଭାବିବା ଆରମ୍ଭ କରିଛନ୍ତି, ଲୋକମାନେ ଭାବନ୍ତି ଯେ ଆମେ ମିଛ କହୁଛୁ। ଆମେ ଆମର କ୍ୟାରିୟର, ଭବିଷ୍ୟତ ଏବଂ ପରିବାରକୁ ବିପଦରେ ପକାଇଛୁ। ଯେଉଁମାନଙ୍କ ସହ ଆମେ ଲଢୁଛୁ ସେମାନେ ବହୁତ ଶକ୍ତିଶାଳୀ, ଆପଣ ଭଲ ଭାବରେ ଜାଣିଛନ୍ତି କିଏ ସେମାନଙ୍କ ସହ ଅଛନ୍ତି ଏବଂ କିଏ ନାହାଁନ୍ତି। କେହି କେହି ୩ ମାସ ଧରି ସମସ୍ତଙ୍କଠାରୁ ସମୟ ମାଗିଛନ୍ତି, କ୍ରୀଡ଼ା ମନ୍ତ୍ରୀଙ୍କ ମନ୍ତ୍ରଣାଳୟରୁ ମଧ୍ୟ କୌଣସି ଶୁଣାଣି ହୋଇନାହିଁ।

ଏହି ସମୟରେ ସାକ୍ଷୀ ମଲିକ ଭାବପ୍ରବଣ ହୋଇଥିଲେ। ସେ କହିଛନ୍ତି ଯେ, ଏହା କୁହାଯାଉଛି ଯେ ଆମେ ପ୍ରମାଣ ଦେଇନାହୁଁ, ବ୍ରିଜଭୂଷଣଙ୍କଠାରୁ କାହିଁକି ପ୍ରମାଣ ଦିଆଯାଇ ନାହିଁ? ପୀଡିତାଙ୍କର ସମ୍ପୂର୍ଣ୍ଣ ଜୀବନ ଅଛି, ଯଦି ଝିଅ ଆସି ଠିଆ ହୁଏ ତେବେ ତା’ର ଜୀବନ କ’ଣ ହେବ?

ଭାରତୀୟ ରେସଲିଂ ଫେଡେରେଶନର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କୁ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। ଦିଲ୍ଲୀର କନ୍ନାଟ୍ ପ୍ଲେସ୍ ପୋଲିସ୍ ଷ୍ଟେସନରେ ଅଭିଯୋଗ ହୋଇଛି। ଏ ବାବଦରେ ପୋଲିସ ଏପର୍ଯ୍ୟନ୍ତ ଏଫ୍ଆଇଆର୍ ପଞ୍ଜୀକୃତ କରିନାହିଁ। ସୂଚନା ଅନୁଯାୟୀ, ପୂର୍ବ ପ୍ରଦର୍ଶନ ସମୟରେ ଖେଳାଳିମାନଙ୍କୁ ମିଳିଥିବା ଆଶ୍ଵାସନା ଉପରେ କାର୍ଯ୍ୟାନୁଷ୍ଠାନ ଅଭାବରୁ କୁସ୍ତିଯୋଦ୍ଧାମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଜଣେ ବିରୋଧୀ ରେସଲର କହିଛନ୍ତି ଯେ, ନାବାଳିକାଙ୍କ ସମେତ ୭ ଜଣ ମହିଳା କୁସ୍ତି ସଂସଦ ଛକ ପୋଲିସ ଷ୍ଟେସନରେ ଅଭିଯୋଗ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୋଲିସ ଅଧିକାରୀମାନେ ଏଫଆଇଆର ପଞ୍ଜିକରଣ କରିବାକୁ ମନା କରିଦେଇଥିଲେ। କୁସ୍ତି ଖେଳାଳି କହିଛନ୍ତି ଯେ, “ଆମେ ଅନେକ ଅଞ୍ଚଳରୁ ଧମକ ପାଉଛୁ। ଆମେ ପୁଣିଥରେ ଧାନା ଆରମ୍ଭ କରିଛୁ। ଯେପର୍ଯ୍ୟନ୍ତ ଆମ ଦାବି ପୂରଣ ହୋଇନାହିଁ, ସେପର୍ଯ୍ୟନ୍ତ ଧାରଣା ଜାରି ରହିବ।

Categories
ଆଜିର ଖବର ଜାତୀୟ ଖବର

ଦେଶକୁ ଶାସନ କରିବା ଜନ୍ମଗତ ଅଧିକାର ବୋଲି ଭାବନ୍ତି ରାହୁଲ ଗାନ୍ଧୀ: ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଏବଂ ଆଦାନୀ ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଏହି ସମୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ କଡା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ତାଙ୍କର ଅହଂକାର କାରଣରୁ ସଂସଦ ଦ୍ୱାରା ଅଯୋଗ୍ୟ ହୋଇଛନ୍ତି। ରାହୁଲ ଅଧିକାର ରାଜନୀତି କରନ୍ତି। ସେ ଭାବନ୍ତି ଯେ, ସେ ଆଇନ ଏବଂ ସମ୍ବିଧାନଠାରୁ ଉର୍ଦ୍ଧ୍ୱରେ ଅଛନ୍ତି।

ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ବାବାସାହେବଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବିଧାନ ଆଧାରରେ ନିର୍ମିତ ସମସ୍ତ ଅନୁଷ୍ଠାନ ତାଙ୍କ ତଳେ ଅଛନ୍ତି ବୋଲି ରାହୁଲ ଗାନ୍ଧୀ ବିଶ୍ୱାସ କରନ୍ତି। ସମ୍ବିଧାନ ବିଷୟରେ କହୁଥିବା ଲୋକ ଦେଶକୁ କୁହନ୍ତୁ ଯେ, ପ୍ରଧାନମନ୍ତ୍ରୀ ବିଦେଶରେ ଥିବାବେଳେ ଅଧ୍ୟାଦେଶକୁ ଚିରିଦେବା ସମ୍ବିଧାନର ଅସମ୍ମାନ ନଥିଲା କି? ସେ କହିଛନ୍ତି ଯେ, ଦେଶର ବିକାଶ ପାଇଁ ବିଜେପି ନୂଆ ଉତ୍ସାହ ସହ କାମ କରୁଛି। ବର୍ତ୍ତମାନର ସରକାରକୁ ଅସ୍ତବ୍ୟସ୍ତ କରିବାର ଲକ୍ଷ୍ୟ ନେଇ ସମସ୍ତ ଦୁର୍ନୀତିଗ୍ରସ୍ତ ଏକଜୁଟ ହୋଇଛନ୍ତି।

ଶ୍ରୀ ଅଶ୍ୱିନୀ ଆହୁରି କହିଛନ୍ତି ଯେ, ରାହୁଲ ଭାରତ ଏବଂ ଏହାର ଗଣତନ୍ତ୍ରକୁ ବଦନାମ କରିଛନ୍ତି। ଓବିସି ସମ୍ପ୍ରଦାୟ ପ୍ରତି ତାଙ୍କର ଅପମାନଜନକ ମନ୍ତବ୍ୟ ଯୋଗୁଁ ସେ ଅହଂକାର ଯୋଗୁଁ ଅଯୋଗ୍ୟ ହୋଇଛନ୍ତି। ଏହାକୁ ଦୁର୍ଭାଗ୍ୟଜନକ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆର୍ଥିକ ବର୍ଷ ୨୦୨୩-୨୪ କେନ୍ଦ୍ର ବଜେଟ୍ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ସଂସଦରେ ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରଣଙ୍କ ଦ୍ୱାରା ଉପସ୍ଥାପିତ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ବିକଶିତ ଭାରତ ପାଇଁ ବଜେଟ୍ ବୋଲି ନୂଆଦିଲ୍ଲୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଜନକେନ୍ଦ୍ରୀକ, ଅଭିବୃଦ୍ଧି ଓ ଉତ୍ସାହପୂର୍ଣ୍ଣ ଅମୃତକାଳ ବଜେଟ୍ ଉପସ୍ଥାପନ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ଚଳିତବର୍ଷ  ମୋଟ ୧ ଲକ୍ଷ ୧୬ ହଜାର ୪୧୭ କୋଟି ଟଙ୍କା ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରଣାଳୟ ପାଇଁ ବ୍ୟବବରାଦ କରାଯାଇଛି। ଜାତୀୟ ଶିକ୍ଷା ନୀତିକୁ କ୍ରିୟାନ୍ୱୟନ କରିବା ପାଇଁ ଚଳିତବର୍ଷ ପ୍ରଥମ ଥର ଶିକ୍ଷା ବିଭାଗରେ ସର୍ବାଧିକ ୧ ଲକ୍ଷ ୧୨ ହଜାର ୮୯୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହାବ୍ୟତିତ ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ପାଇଁ ୩ ହଜାର ୫୧୭ କୋଟି ଟଙ୍କା ଆବଣ୍ଟନ ହୋଇଛି।

ଏନଇପିକୁ କ୍ରିୟାନ୍ୱୟନ କରିବାରେ ଶିକ୍ଷକ ମାନଙ୍କର ଭୂମିକା ମହତ୍ୱପୂର୍ଣ୍ଣ। ଏଥିପାଇଁ ବଜେଟରେ ଶିକ୍ଷକ ମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ତଥା ସେମାନଙ୍କ କ୍ଷମତା ବୃଦ୍ଧି ପାଇଁ ତାଲିମ ଦିଆଯିବା ଭଳି ଡାଏଟ(ଡିଷ୍ଟ୍ରିକ୍ଟ ଇନଷ୍ଟିଚ୍ୟୁସନ ଫର୍ ଏଜ୍ୟୁକେସନ ଆଣ୍ଡ୍ ଟ୍ରେନିଂ)କୁ ଅପଗ୍ରେଡେସନ କରାଯାଇଛି। ଶିଶୁଙ୍କ ଜ୍ଞାନ ବଢାଇବା ପାଇଁ ଏବଂ ସମଗ୍ର ଭାରତବର୍ଷର ବିଷୟ ଉପରେ ଜ୍ଞାନ ଆହରଣ କରିବା ପାଇଁ ଜାତୀୟ ଡିଜିଟାଲ ଲାଇବ୍ରେରୀର କଳ୍ପନା କରାଯାଇଛି। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ଆମ ଦେଶର ଲକ୍ଷାଧିକ ଯୁବକ ଯୁବତୀଙ୍କୁ ଅତ୍ୟାଧୁନିକ ପାଠ୍ୟକ୍ରମ ଯଥା କୋଡିଂ, ରୋବୋଟିକ, ଡ୍ରୋନ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ସଫ୍ଟ ସ୍କିଲ କ୍ଷେତ୍ରରେ କୁଶଳୀ କରାଯିବ। ୩୦ ସ୍କିଲ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ପ୍ରତିଷ୍ଠା କରାଯାଇ ଯୁବକଙ୍କୁ ଦକ୍ଷ କରାଯିବ। ୧୫୭ ମେଡିକାଲ କଲେଜରେ ୧୫୭ ନର୍ସିଂ କଲେଜ୍ ସ୍ଥାପନ ହେବ। ଦେଶରେ ୭୪୦ଟି ଏକଲବ୍ୟ ସ୍କୁଲ ଗୁଡିକରେ ୩୮ ହଜାର ୮୦୦ ଶିକ୍ଷକ ଓ ସହାୟକଙ୍କୁ ନିଯୁକ୍ତି ନିଆଯିବ। ଏହା ଦ୍ୱାରା ୩.୫ ଲକ୍ଷ ଜନଜାତି ଛାତ୍ରଛାତ୍ରୀ ଲାଭ ପାଇବେ।

ପ୍ରଧାନମନ୍ତ୍ରୀ କୌଶଲ୍ୟ ବିକାଶ ଯୋଜନା,‘ଏଗ୍ରିକଲ୍‌ଚୁରାଲ୍‌ ଏକ୍ସଲେଟର୍‌ ଫଣ୍ଡ୍‌’ ଗଠନ, ମତ୍ସ୍ୟ ଚାଷ ଓ ଦୁଗ୍ଧଜାତ ସାମଗ୍ରୀ ଉପରେ ଧ୍ୟାନ ନିବେଶ, ମିଲେଟ୍‌କୁ ପ୍ରୋତ୍ସାହନ ପାଇଁ ‘ଶ୍ରୀଅନ୍ନ’, ମିଷ୍ଟି ଯୋଜନା, ପର୍ଯ୍ୟଟନକୁ ଗୁରୁତ୍ୱ, ପ୍ରମିଟିଭ୍ ଜନଜାତିଙ୍କ ବିକାଶ ପାଇଁ ୧୫ ହଜାର କୋଟି ଟଙ୍କାର ବ୍ୟୟବରାଦ ହେବ। ଓ୍ୱାନ ଡିଷ୍ଟ୍ରିକ୍ଟ- ଓ୍ୱାନ ପ୍ରଡକ୍ଟ ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବା ପାଇଁ ମଲ୍ ନିର୍ମାଣ ହେବ। ସବୁଜ ଅର୍ଥନୀତିକୁ ଗୁରୁତ୍ୱ, ଏମଏସଏମଇ ଓ କର୍ପୋରେଟ୍ କ୍ଷେତ୍ର ଏବଂ ଡିଜିଟାଲ ଭିତ୍ତିଭୂମି ଆହୁରି ସୁଦୃଢ଼଼ ହେବ। ଏହା ଦ୍ୱାରା ଓଡ଼ିଶା ବିଶେଷ ଲାଭ ପାଇବ। ଗ୍ରାମୀଣ ଓ କ୍ଷୁଦ୍ର ସହରକୁ ଗତି ଦେଲା ଭଳି ବଜେଟ୍ ହୋଇଛି। ବଜେଟ୍ ଭାରତବର୍ଷର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ସମସ୍ତଙ୍କ ପାଇଁ ହୋଇଥିବା ଏହି ବଜେଟ୍ ଗରିବଙ୍କୁ ସଶକ୍ତ କରିବ ଏବଂ ଅନ୍ତିମ ଶ୍ରେଣୀର ଲୋକଙ୍କ ପାଖରେ ଲାଭ ପହଞ୍ଚିବ। ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା ଓ ବିକାଶ, ଡିଜିଟାଲ ଭିତ୍ତିଭୂମି, ସବୁଜ ଅର୍ଥନୀତି ଏବଂ ରୋଜଗାର କ୍ଷେତ୍ରକୁ ମଜଭୂତ କରିବା ଭଳି ବଜେଟ୍। ଏହି ବଜେଟ୍ ଭାରତ ପାଇଁ ଏକ ଦାୟିତ୍ୱବାନ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି, ଯାହା ଦେଶକୁ ଟେକ୍ନୋଲୋଜି ଭିତ୍ତିରେ ଜ୍ଞାନ ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ଏକ ସୁଦୃଢ଼ ମୂଳଦୁଆ ପକାଇବ।

ଆଗାମୀ ୨୫ ବର୍ଷକୁ ଧ୍ୟାନରେ ରଖି ହୋଇଥିବା ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଏହି ବଜେଟ୍ ବିକଶିତ ଭାରତର ମୂଳଦୁଆ ପକାଇଛି। ‘ମହିଳା ସମ୍ମାନ ସଞ୍ଚୟ ଯୋଜନା’ରେ ମହିଳା ମାନଙ୍କୁ ବ୍ୟବସାୟ ସହ ଯୋଡିବା ଏବଂ ସଶକ୍ତ ଓ  ଆତ୍ମନିର୍ଭର  କରିବା ଦିଗରେ ଧ୍ୟାନ ଦିଆଯାଇଛି। ଏକବିଂଶ ଶତାବ୍ଦୀର କାର୍ଯ୍ୟଶୈଳୀକୁ ଦୃଷ୍ଟିରେ ରଖି ବଜେଟ୍ ପ୍ରସ୍ତୁତ ହୋଇଛି। ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରାଯାଇଛି। ଟିକସ ରିହାତି ନିମ୍ନ ଓ ମଧ୍ୟବିତ୍ତଙ୍କୁ ଆର୍ଥିକ ବୋଝରୁ ମୁକ୍ତ କରିବ। ପର୍ଯ୍ୟଟନକୁ ଗୁରୁତ୍ୱ ଦିଆଯାଇଛି । ଚ୍ୟାଲେଞ୍ଜି ଆଧାରରେ ୫୦ଟି ଅତିରିକ୍ତ ବିମାନବନ୍ଦର, ଏୟାରଷ୍ଟ୍ରିପର ହେବ ପୁନରୁଦ୍ଧାର ହେବା ଦ୍ୱାରା ବିଶ୍ୱସ୍ତରୀୟ ପର୍ଯ୍ୟଟନ ସୁବିଧା ପର୍ଯ୍ୟଟକଙ୍କୁ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

‘ପରୀକ୍ଷା ପେ ଚର୍ଚ୍ଚା-୨୦୨୩’ ଆୟୋଜନ ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୭ ତାରିଖରେ ନୂଆଦିଲ୍ଲୀର ତାଳକଟୋରା ଇନଡୋର୍ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ଷଷ୍ଠ ସଂସ୍କରଣରେ ପ୍ରଥମ ଥର ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶିକ୍ଷା ବୋର୍ଡ ମାନଙ୍କର ୧୬ ଲକ୍ଷ ପିଲା ଅଂଶଗ୍ରହଣ କରିବେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ ଠାରେ ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଜନଆନ୍ଦୋଳନରେ ପରିଣତ ହୋଇସାରିଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ଦିଗରେ ଏହି କାର୍ଯ୍ୟକ୍ରମକୁ ଦେଶର ଲୋକମାନେ ସକାରାତ୍ମକ ଭାବରେ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନିଜର ବ୍ୟସ୍ତ ଜୀବନଚର୍ଯ୍ୟା ମଧ୍ୟରେ ଦେଶର ନୂଆ ପୀଢିକୁ ପ୍ରସ୍ତୁତ କରିବା ପାଇଁ ଅଭିଭାବକ ଓ ମେଣ୍ଟର ଭାବେ ପରାମର୍ଶ ଦେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ଛାତ୍ରଛାତ୍ରୀଙ୍କ ପ୍ରଶ୍ନତ୍ତୋର ଓ ଆଲୋଚନା କାର୍ଯ୍ୟକ୍ରମ ଜୀବନ ପ୍ରତି ଏକ ନୂଆ ଦୃଷ୍ଟିକୋଣ । ଏହା ଧୀରେ ଧୀରେ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଆଲୋଚନା ଓ ଆସ୍ଥାର ବିଷୟ ହେବା ସହ ସେମାନଙ୍କର ଆତ୍ମବିଶ୍ୱାସ ବଢାଉଛି । ଏହି କାର୍ଯ୍ୟକ୍ରମ ଏକ ଅନୁଷ୍ଠାନ ଭାବରେ ପରିଗଣିତ ହୋଇସାରିଛି ।

ଚଳିତବର୍ଷ ପରୀକ୍ଷା ପେ ଚର୍ଚ୍ଚା ପାଇଁ ମୋଟ ୩୮ ଲକ୍ଷ ପରୀକ୍ଷାର୍ଥୀ ପଞ୍ଜୀକରଣ କରାଇଛନ୍ତି । ଗତ ବର୍ଷ ତୁଳନାରେ ଏହି ସଂଖ୍ୟା ୧୫ ଲକ୍ଷ ୭୩ ହଜାର ଅଧିକ । ସେହିପରି ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସମସ୍ତ ରାଜ୍ୟର ପ୍ରତିନିଧି ଭାବେ ସାରା ଦେଶର  ୧୦୨ ଜଣ ବିଦ୍ୟାର୍ଥୀ ମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଏହା ବ୍ୟତୀତ କିଛି ଦିନ ପୂର୍ବରୁ ଭାରତ ସରକାରଙ୍କ ଏନସିଇଆରଟି ଏବଂ ସ୍କୁଲ ଶିକ୍ଷା ଓ ସ୍ୱାକ୍ଷରତା ବିଭାଗ ପକ୍ଷରୁ ଆୟୋଜିତ କଳା ଉତ୍ସବର ୮୦ ଜଣ ଶ୍ରେଷ୍ଠ ବିଜେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଏହି ସମସ୍ତ ବିଦ୍ୟାର୍ଥୀ ଗଣତନ୍ତ୍ର ଦିବସ ପ୍ୟାରେଡରେ ମଧ୍ୟ ଅତିଥି ଭାବେ ଭାଗ ନେବେ । ଏହି ସବୁ ପିଲାଙ୍କୁ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ପରୀକ୍ଷା ପେ ଚର୍ତ୍ତାର ପର ଦିନ କର୍ତ୍ତବ୍ୟ ପଥ, ରାଷ୍ଟ୍ରୀୟ ସମର ସ୍ମାରକ, ରାଜଘାଟ, ସଦୈବ ଅଟଳ ଓ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ତଥା ଦେଶର ଐତିହ୍ୟ ସହ ଜଡ଼ିତ ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିବା ପାଇଁ ନିଆଯିବ ।

ଏଗଜାମ ୱାରିୟର୍ସ ପୁସ୍ତକର ବଢୁଥିବା ଚାହିଦା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ନିକଟରେ ଦେଶର ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ଜିଲ୍ଲାରେ କେନ୍ଦ୍ରୀୟ ବିଦ୍ୟାଳୟ, ନବଦୋୟ ବିଦ୍ୟାଳୟ ସମେତ ରାଜ୍ୟସ୍ତରୀୟ ବୋର୍ଡର ୭ ହଜାର ୨୮୩ ସ୍କୁଲରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲିଖିତ ଏଗଜାମ ଓ୍ୱାରିୟର୍ସ କଥାବସ୍ତୁ ଉପରେ ଚିତ୍ରକଳା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହା ଛାତ୍ରଛାତ୍ରୀଙ୍କ ସୃଜନଶୀଳ ପ୍ରତିଭାକୁ ଚିହ୍ନଟ କରିବାର ଏକ ଅବସର ଦେଇଥିଲା ।

ଏଗଜାମ ଓ୍ୱାରିୟର୍ସ ପୁସ୍ତକ ଇଂରାଜୀ ଓ ହିନ୍ଦି ଭାଷା ସମେତ ଦେଶର ୧୩ଟି ପ୍ରମୁଖ ସ୍ଥାନୀୟ ଭାଷା ଯଥା ଓଡ଼ିଆ, ଆସାମୀ, ବେଙ୍ଗଲୀ, ଗୁଜୁରାଟୀ, କନ୍ନଡ, ମଲାୟାଲାମ, ମରାଠୀ, ପଞ୍ଜାବୀ, ତାମିଲ ତେଲୁଗୁ, ଉର୍ଦ୍ଧୁ ଭାଷାରେ ପ୍ରକାଶିତ ହୋଇଛି । ଏହି ପୁସ୍ତକକୁ ଅଳ୍ପ କିଛି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ବ୍ୟକ୍ତି ରାଜ୍ୟପାଳ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉନ୍ମୋଚନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

———————-

 

 

 

 

 

 

 

 

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ବନ୍ଧରେ ବିଜେଡିର ସାମ୍ବାଦିକ ସମ୍ମିଳନୀ

ସୀତାରାମ ଅଗ୍ରୱାଲ

ଚିଲିକା: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ବଦଳୁଛି ରାଜନୈତିକ ସମୀକରଣ। ନିକଟରେ ପଂଚାୟତ ନିର୍ବାଚନ ସମୟର ଗଣ୍ଡଗୋଳ ପରଠାରୁ ସରକାରୀ ଦଳରୁ ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେଵ ସୁପ୍ରିମକୋର୍ଟଙ୍କ କଟକଣା ଯୋଗୁଁ ନିର୍ବାଚନ ମଣ୍ଡଳୀକୁ ପଶି ପାରୁନାହାନ୍ତି। ତଥାପି ବିଧାୟକଙ୍କ ନିର୍ଦ୍ଦେଶରେ ଦଳର ନେତୃବୃନ୍ଦ ଉନ୍ନୟନମୂଳକ କାର୍ଯ୍ୟ ଜାରି ରଖିଛନ୍ତି ବୋଲି ଦାବି କରୁଛନ୍ତି। ଏଭଳି ପରିସ୍ଥିତିରେ ଦଳ ତଥା ସରକାରଙ୍କ ଦ୍ୱାରା ଚିଲିକା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବାବଦରେ ଖୋର୍ଦ୍ଧା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ପ୍ରଦାନ କରିଛନ୍ତି।

ଆଜି ବାଣପୁର ବିଜୁ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ବାଣପୁର ବ୍ଲକରେ ସରକାରଙ୍କ ଦ୍ୱାରା ଉନ୍ନୟନ କାର୍ଯ୍ୟକୁ ଗଣମାଧ୍ୟମ ଆଗରେ ପ୍ରକାଶ କରିବା ସହ ଏକ ପ୍ରେସ ଇସ୍ତାହାର ଜାରି କରିଥିଲେ ଗୋପୀନାଥ ମହାରଣା। ଜିଲ୍ଲା ଏମପି ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ, ନିର୍ବାଚନ ମଣ୍ଡଳୀ ଏମପି ପ୍ରତିନିଧି ଯଦୁମଣି ପ୍ରଧାନ, ବିଧାୟକ ପ୍ରତିନିଧି ମନୋଜ ପ୍ରଧାନ, ତୁମୁରାପୁଟ ସରପଞ୍ଚ ଅକ୍ଷୟ ସେଠିଙ୍କ ଉପସ୍ଥିତିରେ ଉନ୍ନୟନ କାର୍ଯ୍ୟଗୁଡିକର ବ୍ୟାଖ୍ୟା କରିଥିଲେ।

ଉନ୍ନତିମୂଳକ କାର୍ଯ୍ୟ ଭିତରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଭାଟପଡ଼ା ଠାରୁ ସାନ ହନ୍ତୁଆଡ ପର୍ଯ୍ୟନ୍ତ ରାସ୍ତା ଓ ଶଙ୍ଖ ନିର୍ମାଣ ପାଇଁ ୫ କୋଟି ୫୧ ଲକ୍ଷ ଟଙ୍କାର କାର୍ଯ୍ୟ ଚାଲୁ ରହିଥିବା ବେଳେ ଜଳସେଚନ ବିଭାଗ ତରଫରୁ କେନାଲର ଉନ୍ନତି କରଣ ପାଇଁ ୮୪.୨୫ ଲକ୍ଷ ଟଙ୍କାର ଟେଣ୍ଡର କାର୍ଯ୍ୟ ସମ୍ପନ୍ନ ହୋଇଛି। ସେହିଭଳି ଭାବରେ ପୂର୍ତ୍ତ ବିଭାଗ ତରଫରୁ ମା’ ଭଗବତୀ ମନ୍ଦିର ଉନ୍ନତି ପାଇଁ ୧ କୋଟି ୭୨ଲକ୍ଷ ଟଙ୍କା, ବାଣପୁର ତହସିଲର ନୂତନ ଗୃହ ନିର୍ମାଣ ନିମନ୍ତେ ୧.୧୭କୋଟି, ଟ୍ରାଫିକ ସମସ୍ୟା ଦୁରୀଭୂତ ପାଇଁ ୩୯୭.୪୮କୋଟି ଟଙ୍କାର ଟେଣ୍ଡର କାର୍ଯ୍ୟ ସଂପୂଣ୍ଣ ହୋଇଛି।

ପୂର୍ବରୁ ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରର ନିର୍ମାଣ ପାଇଁ ଆଙ୍କୁଲାପଦର ଠାରେ ୬କୋଟି ୭୫ଲକ୍ଷ, ଗୋଦାବରୀଶ ବିଦ୍ୟାଳୟ ଓ ବାଣପୁର ସରକାରି ଉଚ୍ଚବିଦ୍ୟାଳୟର ନୂତନ ଗୃହ ନିର୍ମାଣ ପାଇଁ ପ୍ରତ୍ୟେକ ସ୍କୁଲକୁ ୮୦ ଲକ୍ଷ, ବାଳିକ ସ୍କୁଲର ଗୃହ ନିର୍ମାଣ ପାଇଁ ୨୫ ଲକ୍ଷ, ଆୟତପୁର ଠାରୁ ପଲଟନ ପଡିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୧୨ କୋଟି, ଗାଲୁଆ ଛକ ଠାରୁ କୋସରଡା ରାସ୍ତାନିର୍ମାଣ ପାଇଁ ୪ କୋଟି, ଧୂଆଁଳ ଠାରୁ ଭିମପୁର ଓ ପଲଟନ ପଡିଆ ଠାରୁ ସାନସିରାଇପୂର ରାସ୍ତା ନିର୍ମାଣ ପାଇଁ ୨୨ କୋଟି,୧୫ଟି ସ୍କୁଲକୁ ୫ଟି ଅନ୍ତର୍ଭୂକ୍ତ କରାଯାଇ ପ୍ରତେକ ସ୍କୁଲକୁ ପ୍ରାୟ ୮୦ ଲକ୍ଷ ଟଙ୍କା ଲେଖାଁଏ ଅନୁଦାନ ରାଶି ଯୋଗାଯିବା ସହ କେତେକ କାର୍ଯ୍ୟ ଚାଲୁ ରହିଥିବାବେଲେ କେତେକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।

ଶିକ୍ଷା ବିଭାଗର ଉନ୍ନତି ନିମନ୍ତେ ଭେଟିନାଥ ଦେବ ଉଚ୍ଚ ବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗରେ ଅନ୍ତର୍ଭୁକ୍ତ କରାଯାଇ ଆସନ୍ତା ଶିକ୍ଷାବର୍ଷ ଠାରୁ +୨ କଳାରେ ଛାତ୍ରଛାତ୍ରୀ ପଢ଼ିବାର ସୁଯୋଗ ପାଇବେ ବୋଲି ଜଣାଇଥିଲେ।

ଆଗାମୀ ଦିନ ମାନଙ୍କରେ ଚିଲିକା ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ଧ୍ୟାନ ଦେବା ସହ ସାଂସଦ ପିନାକୀ ମିଶ୍ର, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର ପ୍ରଚେଷ୍ଟା ଜାରି ରହିବ ବୋଲି ଉପାଧ୍ୟକ୍ଷ ଗୋପୀନାଥ ମହାରଣା ପ୍ରତିଶ୍ରୁତି ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜେନେରାଲ୍ ମ୍ୟାନେଜର, ପୂର୍ବ ତଟ ରେଳବାଇ ସ୍ତର-୭ ପର୍ଯ୍ୟନ୍ତ ସୁପରଭାଇଜର କ୍ୟାଡରର ପାହ୍ୟା ବୃଦ୍ଧି

ଭୁବନେଶ୍ବର: ପୂର୍ବତଟ ରେଳପଥର ମହା ପ୍ରବନ୍ଧକ ଆର. ଏନ.ସୁନକର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି ଏବଂ ଭାରତୀୟ ରେଳବାଇର ସୁପରଭାଇଜର କ୍ୟାଡରର ବେତନ ସଂରଚନାର ପାହ୍ୟା ବୃଦ୍ଧି ବିଷୟରେ ନୀତିଗତ ନିଷ୍ପତ୍ତି ବିଷୟରେ ସବିସ୍ତୃତ ବିବରଣୀ ଦେଇଛନ୍ତି। ମହା ପ୍ରବନ୍ଧକ କହିଛନ୍ତି ଯେ, ଭାରତୀୟ ରେଳବାଇର ନିଷ୍ପତ୍ତି ହେତୁ ପୂର୍ବ ତଟ ରେଳବାଇ ଅଧୀନରେ କାର୍ଯ୍ୟ କରୁଥିବା ୩୫୨୧ ସୁପରଭାଇଜର ଏହାର ଲାଭ ପାଇବେ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତୀୟ ରେଳବାଇରେ କାର୍ଯ୍ୟରତ ସୁପରଭାଇଜର କ୍ୟାଡରର ବେତନ ସଂରଚନାର ପାହ୍ୟା ବୃଦ୍ଧି ବିଷୟରେ ଘୋଷଣା କରିଛନ୍ତି। ଭାରତୀୟ ରେଳବାଇରେ କାର୍ଯ୍ୟରତ ବହୁ ସଂଖ୍ୟକ ସୁପରଭାଇଜରଙ୍କ ଏହା ବହୁ ଦିନ ଧରି ଦାବି ରହିଥିଲା।

ଭାରତୀୟ ରେଳରେ କାର୍ଯ୍ୟରତ ସୁପରଭାଇଜରଙ୍କ ମନୋବଳ କୁ ବଢାଇବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ଏହି ନିଷ୍ପତି ଭାରତୀୟ ରେଳବାଇରେ କାର୍ଯ୍ୟରତ ପାଖାପାଖି ୮୦୦୦୦ ସୁପରଭାଇଜରଙ୍କୁ ଉପକୃତ କରିବ।

ଭାରତୀୟ ରେଳ ଏକ ବହୁ-ବିଭାଗୀୟ ଏବଂ ବହୁମୁଖୀ ସଂଗଠନ ଅଟେ। ଦେଶରେ ବ୍ୟାପିଥିବା ସମଗ୍ର ରେଳ ନେଟୱାର୍କର କାର୍ଯ୍ୟ କଳାପ ସୁଚାରୁ ରୂପରେ ପରିଚାଳିତ କରିବା ପାଇଁ ଏହି ସମସ୍ତ ବିଭାଗର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ବିଭାଗଗୁଡିକ ମଧ୍ୟରେ କାର୍ଯ୍ୟରତ ବିଭିନ୍ନ ବିଭାଗର ସୁପରଭାଇଜର କ୍ୟାଡରଗୁଡିକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟନ୍ତି, ଯାହାକି ଭାରତୀୟ ରେଳବାଇର ସୁଗମ ଏବଂ ଉର୍ନତ କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ସମଗ୍ର ରେଳ ବ୍ୟବସ୍ଥାର ନିରାପତ୍ତା ସୁନିଶ୍ଚିତ କରିଥାନ୍ତି।

ଭାରତୀୟ ରେଳବାଇରେ ସୁପରଭାଇଜର କ୍ୟାଡରରେ ମୁଖ୍ୟତ ‘ଗ୍ରୁପ୍‘ ସି’ ଲେଭଲ୍-୬ (ପିବି-୨ / ଗ୍ରେଡ୍ ପେ -୪୨୦୦) ଗ୍ରେଡ୍ ରେ ନିଯୁକ୍ତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ପଦୋନ୍ନତିର ଉପଲବ୍ଧତା ନ ଥିବାରୁ ଏହି ମାନେ ତୀବ୍ର ସ୍ଥିରତା ମଧ୍ୟରେ ଗତି କରୁଛନ୍ତି। ଯେହେତୁ ଭାରତୀୟ ରେଳ ବର୍ତ୍ତମାନ ବୈଷୟିକ ନବୀକରଣ ପ୍ରକ୍ରିୟା ଦେଇ ଗତି କରୁଛି ଏବଂ ଏହାର ସୁପରିଚାଳନା ପାଇଁ ଆବଶ୍ୟକ ଗୁଣାତ୍ମକ ମାନବ ସମ୍ବଳକୁ ଭାରତୀୟ ରେଳ ପ୍ରତି ଆକୃଷ୍ଟ କରିବା ପାଇଁ ପଦୋନ୍ନତିର ପର୍ଯ୍ୟାପ୍ତ ଉପାୟ ନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ ହୋଇପଡିଛି। ସୁପରଭାଇଜରୀ କ୍ୟାଡରରେ ଉନ୍ନତ ପ୍ରୋତ୍ସାହନମୂଳକ ଆଶା ସୁନିଶ୍ଚିତ କରିବା ଏବଂ ସୁପରଭାଇଜର ଗ୍ରେଡରେ ଗୁଣାତ୍ମକ ମାନବ ଶକ୍ତି ଆକର୍ଷିତ କରିବା ଦୃଷ୍ଟିକୋଣରୁ ଭାରତୀୟ ରେଳର ଏହି ନିଷ୍ପତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।

ଏହିସବୁ ବିଷୟକୁ ଧ୍ୟାନରେ ରଖି ଏବଂ ଭାରତୀୟ ରେଳବାଇର ସୁପରଭାଇଜର କ୍ୟାଡରମାନଙ୍କ ପାଇଁ କ୍ୟାରିୟର ପ୍ରଗତି ସୁନିଶ୍ଚିତ କରିବା ଏବଂ ସୁପରଭାଇଜର କ୍ୟାଡରକୁ ଗୁଣାତ୍ମକ ମାନବସମ୍ବଳ ଆକର୍ଷିତ କରିବା ହେତୁ ଭାରତୀୟ ରେଳବାଇ ସୁପରଭାଇଜର କ୍ୟାଡରର ୩୫୦୦୦ ପଦବୀ (୫୦%)ର ସ୍ତର – ୭ (ପିବି-୨/ଜିପି-୪୬୦୦) ରୁ ସ୍ତର – ୮ (ପିବି-୨/ଜିପି-୪୮୦୦) କୁ ପାହ୍ୟା ବୃଦ୍ଧି; ଏବଂ ସ୍ତର – ୮ (ପିବି-୨/ଜିପି-୪୮୦୦) ରେ ୪ ବର୍ଷ ସେବା ପରେଏହି ୩୫୦୦୦ ପୋଷ୍ଟର ସ୍ତର – ୮ (ପିବି-୨/ଜିପି-୪୬୦୦) ରୁ ସ୍ତର – ୯ (ପିବି-୨/ଜିପି-୫୪୦୦ ) କୁ ପାହ୍ୟା ବୃଦ୍ଧି ପାଇଁ ଭାରତୀୟ ରେଳ ଘୋଷଣା କରିଛି।

Categories
ଆଜିର ଖବର ଜାତୀୟ ଖବର

ଆଜି ଘୋଷଣା ହୋଇପାରେ ଏମସିଡି ନିର୍ବାଚନ ତାରିଖ: ଅପରାହ୍ନ ୪ ଟାରେ ଇସିର ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ଘୋଷଣା କରାଯାଇପାରେ। ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନ ସମ୍ପର୍କରେ ରାଜ୍ୟ ନିର୍ବାଚନ ଆୟୋଗ ଅପରାହ୍ନ ୪ ଟାରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ। ସୂଚନାନୁସାରେ, ଡିସେମ୍ବର ପ୍ରଥମ ସପ୍ତାହରେ ଏମସିଡି ନିର୍ବାଚନ ଅନୁଷ୍ଠିତ ହୋଇପାରେ। ଏହା ସହିତ ଦିଲ୍ଲୀରେ ପୌରପାଳିକା ନିର୍ବାଚନ ପାଇଁ ନିର୍ବାଚନ ଆଚରଣ ବିଧି ଆଜି ଠାରୁ ଲାଗୁ କରାଯାଇପାରେ। କୁହାଯାଉଛି ଯେ, ଦିଲ୍ଲୀ ରାଜ୍ୟ ନିର୍ବାଚନ ଆୟୋଗ ନିର୍ବାଚନ ସୂଚୀ ପ୍ରସ୍ତୁତ କରିଛନ୍ତି। ଏଭଳି ପରିସ୍ଥିତିରେ ନିର୍ବାଚନର ତାରିଖ ଘୋଷଣା କରାଯାଇପାରେ।

ଉଲ୍ଲେଖ ଯୋଗ୍ୟ ଯେ, ଏମସିଡି ୱାର୍ଡଗୁଡ଼ିକୁ ଡିଲିଟ କରିବା ପରେ ନିର୍ବାଚନ ଆୟୋଗ ମଧ୍ୟ ସଂରକ୍ଷଣ କାର୍ଯ୍ୟ କରିଛନ୍ତି। ଏହା ବ୍ୟତୀତ ରିଟର୍ଣ୍ଣିଂ ଅଫିସରମାନଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି ଏବଂ ସେମାନେ ୱାର୍ଡ ସ୍ତରରେ ମତଦାନ କେନ୍ଦ୍ର ସ୍ଥାପନ କରି ରାଜନୈତିକ ଦଳ ତଥା ସାଧାରଣ ଲୋକଙ୍କ ଠାରୁ ଆପତ୍ତି ଏବଂ ପରାମର୍ଶ ନେଇଛନ୍ତି। ଏଥି ସହିତ, ଆୟୋଗ ଇଭିଏମ୍ ମରାମତି କରିସାରିଛନ୍ତି। ସୂଚନାଯୋଗ୍ୟ ଯେ, ଏକୀକରଣ ପରେ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନର ୨୫୦ ୱାର୍ଡରେ ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନକୁ ତିନି ଭାଗରେ ବିଭକ୍ତ କରାଯାଇଥିଲା ଏବଂ ସମୁଦାୟ ୨୭୨ ୱାର୍ଡ ଥିଲା। କିନ୍ତୁ ଏବେ ୱାର୍ଡ ସଂଖ୍ୟା ୨୭୨ ରୁ ୨୫୦ କୁ ହ୍ରାସ କରାଯାଇଛି।

Categories
ବିଶେଷ ଖବର

ଆଜି ଘୋଷଣା ହେବ ଗୁଜୁରାଟ ନିର୍ବାଚନ ତାରିଖ!, ମଧ୍ୟାହ୍ନ ୧୨ଟାରେ ସାମ୍ବାଦିକ ସମ୍ମିଳନୀ କରିବ ଇସି

ନୂଆଦିଲ୍ଲୀ: ଗୁଜୁରାଟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖ ଆଜି ମଧ୍ୟାହ୍ନ ୧୨ ଟାରେ ଘୋଷଣା କରାଯାଇପାରେ। ଆଜି ନିର୍ବାଚନ ଆୟୋଗର ଏକ ସାମ୍ବାଦିକ ସମ୍ମିଳନୀ ହେବ, ଯେଉଁଥିରେ ତାରିଖ ସମ୍ପର୍କରେ ସୂଚନା ଦିଆଯିବ। ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏବଂ କଂଗ୍ରେସ ନିଜର ଆଭିମୁଖ୍ୟକୁ କଡାକଡି କରିସାରିଛନ୍ତି। ଏଥି ସହିତ ଆମ୍ ଆଦମୀ ପାର୍ଟିର ପ୍ରବେଶ ଏଥର ପ୍ରତିଯୋଗିତାକୁ ଆହୁରି ଆକର୍ଷଣୀୟ କରିପାରିଛି।

ତେବେ ଗୁଜୁରାଟ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆମ୍ ଆଦମୀ ପାର୍ଟି (AAP) ମଙ୍ଗଳବାର ଦିନ ୨୨ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ଏପର୍ଯ୍ୟନ୍ତ ୧୦୮ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଆମ୍ ଆଦମୀ ପାର୍ଟି ହେଉଛି ଏକମାତ୍ର ରାଜନୈତିକ ଦଳ ଯିଏ ଗୁଜୁରାଟ ନିର୍ବାଚନ ପାଇଁ ୧୦୦ ରୁ ଅଧିକ ପ୍ରାର୍ଥୀ ଘୋଷଣା କରିଛି। ଗୁଜୁରାଟରେ ମୋଟ ୧୮୨ ଟି ବିଧାନସଭା ଆସନ ରହିଛି।

୨୦୧୭ ଗୁଜରାଟ ବିଧାନସଭା ନିର୍ବାଚନରେ ​​ସମସ୍ତ ୧୮୨ ଟି ଆସନର ଫଳାଫଳ ଘୋଷଣା ହେବା ପରେ ବିଜେପି ୯୯ ଟି ଆସନ ସହିତ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ସେପଟେ କଂଗ୍ରେସ ୮୦ ଟି ଆସନ ପାଇଥିଲା। ଯଦି ଉଭୟଙ୍କ ମଧ୍ୟରେ ପାର୍ଥକ୍ୟ ଦେଖାଯାଏ, ତେବେ କେବଳ ୧୯ ଟି ଆସନର ପାର୍ଥକ୍ୟ ଥିଲା।

୧୯୯୫ ମସିହାରୁ ଗୁଜୁରାଟରେ ବିଜେପି କ୍ଷମତାରେ ଅଛି। ନରେନ୍ଦ୍ର ମୋଦୀ ଗୁଜୁରାଟର ୨୨ ତମ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ କ୍ରମାଗତ ୧୩ ବର୍ଷ ଏହି ପଦରେ ରହିଥିଲେ। ଲଗାତାର ତିନି ଥର ମୁଖ୍ୟମନ୍ତ୍ରୀ ହେବା ପରେ ମୋଦୀ ୨୦୧୪ ରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ପରେ ଆନନ୍ଦିବେନ୍ ପଟେଲ ଗୁଜୁରାଟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆଜି ଘୋଷଣା ହୋଇପାରେ ଦୁଇଟି ରାଜ୍ୟର ନିର୍ବାଚନ ତାରିଖ, ଅପରାହ୍ନ ୩ ଟାରେ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ: ଆଜି ଅପରାହ୍ନ ୩ ଟାରେ ଏକ ସାମ୍ବାଦିକ ସମ୍ମିଳନୀ କରିବା ନେଇ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଗୁଜରାଟ ଏବଂ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି। ତେବେ ତାରିଖ ଘୋଷଣା ହେବା ପରେ ଉଭୟ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେବ। ଉଭୟ ରାଜ୍ୟରେ ବର୍ତ୍ତମାନ ବିଜେପି କ୍ଷମତାରେ ଅଛି।

Categories
ଆଜିର ଖବର ଜାତୀୟ ଖବର

ଉପ ରାଜ୍ୟପାଳଙ୍କ ମାନହାନୀ ନୋଟିସକୁ ଚିରି ଫୋପାଡିଲେ ଆପ ସାଂସଦ: କହିଲେ ମୁଁ ଡରିବା ଲୋକ ନୁହେଁ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ସାମ୍ବାଦିକ ସମ୍ମିଳନୀରେ ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ମାନହାନୀ ନୋଟିସର କପିକୁ ଚିରି ଦେଇଛନ୍ତି। ସେ କହିଛନ୍ତି ଯେ, ମୁଁ ଭି.କେ ସାକ୍ସେନାଙ୍କୁ କହିବାକୁ ଚାହେଁ ଯେ ଭାରତର ସମ୍ବିଧାନ ମୋତେ ସତ କହିବାର ଅଧିକାର ଦେଇଛନ୍ତି। ଦେଶର ସର୍ବୋଚ୍ଚ ଗୃହର ଜଣେ ସଦସ୍ୟ ଭାବରେ ମୋର ସତ କହିବାର ଅଧିକାର ଅଛି। ମୁଁ ଅଟକି ଯିବି ନାହିଁ ଏବଂ କିଛି ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ନୋଟିସ୍ କୁ ଭୟ କରିବି ନାହିଁ। ଏବଂ ମୁଁ ଏପରି ନୋଟିସକୁ ୧୦ ଥର ଚିରି ଫୋପାଡି ଦେଉଛି |

ଉଲ୍ଲେଖ ଯୋଗ୍ୟ ଯେ, ଅବକାରୀ ନୀତିକୁ ନେଇ ବିଜେପି ଏବଂ ଏଏପି ମଧ୍ୟରେ ଏକ ଦୃଢ ବିବାଦ ଲାଗି ରହିଛି। କେଜ୍ରିୱାଲଙ୍କ ଅବକାରୀ ନୀତିରେ ବିଜେପି ଦୁର୍ନୀତି ଅଭିଯୋଗ ଆଣିଛି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ, ଷ୍ଟିଙ୍ଗ୍ ମାଷ୍ଟରଙ୍କର ଷ୍ଟିଙ୍ଗ୍ ହୋଇଗଲା। ଏହି ଦୁର୍ନୀତିରେ ସାମିଲ ଥିବା ଅଭିଯୁକ୍ତଙ୍କ ପିତା ଏହାର ପର୍ଦ୍ଦାଫାସ କରିଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବର ଠାରେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ରାମଦାସ ଅଠାୱଲେଙ୍କ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ଵର: ସମାଜରେ ସମତା ଆଣିବା ଲାଗି ଅଧିକ ସଂଖ୍ୟାରେ ଆନ୍ତଃଜାତି ବିବାହକୁ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ ବୋଲି କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ରାମଦାସ ଅଠାୱଲେ କହିଛନ୍ତି। ସୋମବାର ଭୁବନେଶ୍ବର ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ ଏହା କହିଛନ୍ତି।

ଡକ୍ଟର ଅଠାୱଲେ କହିଥିଲେ ଯେ ଭାରତ ସରକାର ଡକ୍ଟର ଆମ୍ବେଦକର ଫାଉଣ୍ଡେସନ ସହ ମିଶି ଆନ୍ତଃଜାତି ବିବାହ ପାଇଁ ଅଢ଼େଇ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା ସରକାରଙ୍କ ମଧ୍ୟ ଏପରି ଯୋଜନା ରହିଛି, କିନ୍ତୁ ଏଭଳି ବିବାହକୁ ବ୍ୟାପକ ଆକାରରେ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ।

ସେ କହିଥିଲେ ଯେ, ଓଡ଼ିଶାରେ ୨୦୨୦-୨୧ରେ ୧୮୪୭ଟି ଆନ୍ତଃଜାତି ବିବାହ ପଞ୍ଜୀକରଣ ହୋଇଥିଲା। ୨୦୨୧-୨୨ ଏହି ସଂଖ୍ୟା ୨୪୨୮କୁ ବୃଦ୍ଧି ପାଇଛି।

ରାଜ୍ୟରେ ଜାତିଗତ ନିର୍ଯାତନା ମାମଲା ଉପରେ ତଥ୍ୟ ପ୍ରଦାନ କରି ମନ୍ତ୍ରୀ କହିଥିଲେ ଯେ, ୨୦୨୦-୨୧ରେ ୨୮୨୮ ନିର୍ଯାତନା ମାମଲା ରୁଜୁ ହୋଇଥିଲା। ୨୦୨୧-୨୨ରେ ୨୭୬୮ ନିର୍ଯାତନା ମାମଲା ଦାୟର ହୋଇଛି। ଜାତିଗତ ନିର୍ଯାତନା ମାମଲା ରୋକିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟର ଆବଶ୍ୟକତା ରହିଛି ବୋଲି ଡକ୍ଟର ଅଠାୱଲେ ଜୋର ଦେଇ କହିଥିଲେ।

ଦିବ୍ୟାଙ୍ଗ, ବୟସ୍କ, ବିଧବାମାନଙ୍କର ସ୍ଥିତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାରେ ପ୍ରାୟ ୨୦ ଲକ୍ଷ ଦିବ୍ୟାଙ୍ଗ, ବୃଦ୍ଧବୃଦ୍ଧା ଏବଂ ବିଧବାମାନଙ୍କୁ ମାସିକ ୫୦୦ ଟଙ୍କାର ପେନସନ ମିଳୁଛି। ପେନସନ ହିତାଧିକାରୀଙ୍କ ସଂଖ୍ୟା ବଢ଼ାଇବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଡକ୍ଟର ଅଠାୱଲେ ବିଭିନ୍ନ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଏବଂ ଓଡ଼ିଶାରେ ଏସବୁ ଯୋଜନାର କାର୍ଯ୍ୟକାରିତା ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। ତଥ୍ୟ ଅନୁଯାୟୀ, ସାରା ଦେଶରେ ୪୬.୨୫ କୋଟି ପିଏମ ଜନ ଧନ ଯୋଜନା ଆକାଉଣ୍ଟ ଖୋଲାଯାଇଥିବା ବେଳେ ଓଡ଼ିଶାରେ ଏବେ ସୁଦ୍ଧା ୧ କୋଟି ୯୧ ଲକ୍ଷ ୨୦ ହଜାର ଆକାଉଣ୍ଟ ଖୋଲାଯାଇଛି।

ସେହିପରି, ପିଏମ ମୁଦ୍ରା ଯୋଜନା ଅଧୀନରେ ଏବେ ସୁଦ୍ଧା ଦେଶରେ ୩୬.୩୩ କୋଟି ଲୋକ ଲାଭାନ୍ବିତ ହୋଇଛନ୍ତି। ଅନ୍ୟପଟେ ଓଡ଼ିଶାରେ ଏହି ଯୋଜନାର ୨ କୋଟି ୪୫ ଲକ୍ଷ ୫୦ ହଜାର ହିତାଧିକାରୀ ରହିଛନ୍ତି। ପିଏମ ଉଜ୍ଜ୍ବଳା ଯୋଜନାରେ ଓଡ଼ିଶାର ୫୨ ଲକ୍ଷ ୯୪ ହଜାର ହିତାଧିକାରୀଙ୍କୁ ମାଗଣା ଗ୍ୟାସ ସଂଯୋଗ ମିଳିଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ)ରେ ଏବେ ସୁଦ୍ଧା ଦେଶରେ ୬୨.୨୨ ଲକ୍ଷ ଲୋକଙ୍କୁ ବାସଗୃହ ମିଳିଛି। ଓଡ଼ିଶାରେ ଏହି ଯୋଜନାରେ ୧ ଲକ୍ଷ ୮ ହଜାର ହିତାଧିକାରୀ ଲାଭବାନ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ସାରା ଦେଶରେ ୨ କୋଟି ୪୦ ଲକ୍ଷ ୩୬ ହଜାର ଲୋକ ଲାଭାନ୍ବିତ ହୋଇଥିବା ବେଳେ ଓଡ଼ିଶାରେ ୧୮ ଲକ୍ଷ ଗ୍ରାମୀଣ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିଛି।

ସାମ୍ବାଦିକ ସମ୍ମିଳନୀ ପୂର୍ବରୁ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଠାୱଲେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଥିଲେ। ଏସବୁ ଯୋଜନାର ଅଗ୍ରଗତି ନେଇ ସେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ମିଥୁନ ଚକ୍ରବର୍ତ୍ତୀଙ୍କ ବଡ ଦାବି: ବିଜେପି ସହ ଯୋଗାଯୋଗରେ ଅଛନ୍ତି ୩୮ ଟିଏମସି ବିଧାୟକ

ନୂଆଦିଲ୍ଲୀ: ଆଜି ଅଭିନେତା-ରାଜନେତା ମିଥୁନ ଚକ୍ରବର୍ତ୍ତୀ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଟିଏମସିର ୩୮ ଜଣ ବିଧାୟକ ବିଜେପି ସହ ଯୋଗାଯୋଗରେ ଅଛନ୍ତି। ସେ ଦାବି କରିଛନ୍ତି ଯେ, ସେ ନିଜେ ୨୧ ଜଣ ବିଧାୟକଙ୍କ ସହ ଆଲୋଚନା କରୁଛନ୍ତି।

ଆଜି କୋଲକାତାରେ ପାର୍ଟି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଥୁନ ଏହି ଦାବି କରିଛନ୍ତି। ସେ ସାମ୍ବାଦିକମାନଙ୍କୁ ପଚାରିଲେ ଯେ, ଆପଣ ବ୍ରେକିଙ୍ଗ୍ ନ୍ୟୁଜ୍ ଜାଣିବାକୁ ଚାହୁଁଛନ୍ତି କି? ମୋର ବ୍ରେକିଙ୍ଗ୍ ଖବର ଅଛି। ବର୍ତ୍ତମାନ ୩୮ ଟିଏମସି ବିଧାୟକ ଆମ ସହିତ ଯୋଗାଯୋଗ କରୁଛନ୍ତି।

ଏହା ବ୍ୟତୀତ ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି ଯେ, ସର୍ବଦା ଅଭିଯୋଗ ହେଉଛି ଯେ ଦଙ୍ଗା ଘଟଣାରେ ବିଜେପି ଜଡିତ ଅଛି, ବିଜେପି ଦଙ୍ଗା ସୃଷ୍ଟି କରୁଛି। କିନ୍ତୁ ମୋତେ ଏକ ଘଟଣା ଦେଖାନ୍ତୁ ଯେଉଁଥିରେ ବିଜେପି ଜଡିତ ଅଛି।

ଅନ୍ୟପକ୍ଷରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ପ୍ରସଙ୍ଗରେ ମିଥୁନ କହିଛନ୍ତି ଯେ, ଯଦି ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ, ତେବେ se ବିଶ୍ରାମ ନିଅନ୍ତୁ ଏବଂ ଶୋଇଯାଅନ୍ତୁ, କିଛି ହେବ ନାହିଁ। କିନ୍ତୁ ଯଦି ପ୍ରମାଣ ତାଙ୍କ ବିରୁଦ୍ଧରେ ଅଛି ତେବେ କେହି ଆପଣଙ୍କୁ ରକ୍ଷା କରିପାରିବେ ନାହିଁ।

ଏଥି ସହିତ ମୁସଲମାନମାନଙ୍କୁ ବିଜେପିର ଘୃଣା ପ୍ରଶ୍ନ ଉପରେ ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି ଯେ, ଭାରତର ଶ୍ରେଷ୍ଠ ତିନି ତାରକା ମୁସଲମାନ। ସଲମାନ, ଶାହାରୁଖ ଏବଂ ଆମୀର! ଏହା କିପରି ସମ୍ଭବ? ୧୮ ଟି ରାଜ୍ୟରେ ବିଜେପି କ୍ଷମତାରେ ଅଛି। ଯଦି ବିଜେପି ତାଙ୍କୁ ଘୃଣା କରେ କିମ୍ବା ହିନ୍ଦୁମାନେ ତାଙ୍କୁ ଭଲ ପାଆନ୍ତି ନାହିଁ, ତେବେ ତାଙ୍କ ଚଳଚ୍ଚିତ୍ର କିପରି ଏହି ରାଜ୍ୟଗୁଡିକରୁ ସବୁଠାରୁ ବଡ ବ୍ୟବସାୟ କରିପାରୁଛି? ଏହା ବ୍ୟତୀତ ଶିକ୍ଷକ ନିଯୁକ୍ତି ସ୍କାମ ସମ୍ପର୍କରେ ମିଥୁନ କହିଛନ୍ତି ଯେ, ଶିକ୍ଷକ ନିଯୁକ୍ତି ସ୍କାମ ହେଉଛି ୨୦୦୦ କୋଟି ଟଙ୍କା ଏବଂ ୧୦୦ କୋଟି ଟଙ୍କା ନୁହେଁ।

Categories
ଆଜିର ଖବର ଜାତୀୟ ଖବର

ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ମାୟାବତୀଙ୍କ ବଡ ଘୋଷଣା, ଏହି ପ୍ରାର୍ଥୀଙ୍କୁ ସମର୍ଥନ କରିବ ବିଏସପି

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ବିଏସପି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ବିଏସପି ମୁଖ୍ୟ ମାୟାବତୀ ଏକ ସାମ୍ବାଦିକ ସମ୍ମିଳନୀ କରି ଆଜି ଏକ ବଡ଼ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ସେ ସ୍ପଷ୍ଟ କରିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନରେ ​​ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନା ଏବଂ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ମଧ୍ୟରୁ ବିଏସପି କାହାକୁ ସମର୍ଥନ କରିବେ।

ବିଏସପି ମୁଖ୍ୟ ମାୟାବତୀ କହିଛନ୍ତି ଯେ, “ଆଦିବାସୀ ସମାଜକୁ ଏହାର ଆନ୍ଦୋଳନର ଏକ ବିଶେଷ ଅଂଶ ଭାବରେ ବିବେଚନା କରି ରାଷ୍ଟ୍ରପତି ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଆମର ଦଳ ନିଷ୍ପତ୍ତି ନେଇଛି। ଆମର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଜେପି ଏବଂ ଏନଡିଏର ସପକ୍ଷ କିମ୍ବା ବିରୋଧୀ ଦଳର ବିପକ୍ଷରେ ନେଇନାହୁଁ। ବରଂ ଆମ ଦଳର ଆଦର୍ଶକୁ ଧ୍ୟାନରେ ରଖି ଏକ ଆଦିବାସୀ ସମାଜର ଜଣେ ଦକ୍ଷ ତଥା ପରିଶ୍ରମୀ ମହିଳାଙ୍କୁ ଦେଶର ରାଷ୍ଟ୍ରପତି କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ଶରଦ ପାୱାର ଏବଂ ମମତା ବାନାର୍ଜୀ ରାଷ୍ଟ୍ରପତି ନିର୍ବାଚନ ବିଷୟରେ ନିମନ୍ତ୍ରଣ କରିନଥିଲେ। କିନ୍ତୁ ଆମ ଦଳ ତାହା କରୁନାହିଁ। ଆମେ ମାନବବାଦୀ ଚିନ୍ତାଧାରାର। ”

ସେ କହିଛନ୍ତି ଯେ, ଆମ୍ବେଦକରଙ୍କ ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବାକୁ କଂଗ୍ରେସ ଏବଂ ବିଜେପି ଚାହୁଁନାହାଁନ୍ତି। ୟୁପିରେ ଚାରିଥର ବିଏସପି ଶାସନ ସମୟରେ ଉତ୍ତରପ୍ରଦେଶରେ ବିକାଶ ଘଟିଛି। କିନ୍ତୁ ଜାତିଭିତ୍ତିକ ମାନସିକତାର ଲୋକମାନେ ବିଏସପିକୁ ଛୋଟ ଦେଖାନ୍ତି। ଯେତେବେଳେ କି କେନ୍ଦ୍ରର ପାର୍ଟି ସର୍ବଦା ବିଏସପି ଦଳକୁ ଭାଙ୍ଗିଥାଏ।

Categories
ଆଜିର ଖବର ଜାତୀୟ ଖବର

ଆଇକନିକ ସପ୍ତାହ ଉତ୍ସବ ପାଳନ ସଂକ୍ରାନ୍ତରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ

ନୂଆଦିଲ୍ଲୀ: “ଆଜାଦି କା ଅମୃତ ମହୋତ୍ସବ” (ଏକେଏଏମ୍‍) ର ଅଂଶ ଭାବରେ ଅର୍ଥ ମନ୍ତ୍ରଣାଳୟ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ୬ ରୁ ୧୧ ଜୁନ୍‌, ୨୦୨୨ ସପ୍ତାହ ବ୍ୟାପି ସେମାନଙ୍କର ‘ଆଇକନିକ୍ ସପ୍ତାହ’ ଉତ୍ସବ ପାଳନ ଲାଗି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ ମାର୍ଚ୍ଚ ୨୦୨୧ ରେ ଆଜାଦି କା ଅମୃତ ମହୋତ୍ସବ (ଏକେଏଏମ୍‍) ର ଉଦଘାଟନ କରିଥିଲେ, ଯାହାକି ୨୦୨୨ ମସିହା ଅଗଷ୍ଟ ୧୫ ତାରିଖ ଦିନ ଭାରତର ସ୍ୱାଧୀନତାର ୭୫ ତମ ବାର୍ଷିକୀ ପାଳନ ପାଇଁ ୭୫ ସପ୍ତାହ ଗଣନା କରାଯାଇଥିଲା। ଏହା ପରେ ବି ଏକେଏଏମ୍‍ ଉତ୍ସବ ଏକ ବର୍ଷ ପର୍ଯ୍ୟନ୍ତ ୧୫ ଅଗଷ୍ଟ, ୨୦୨୩ ପର୍ଯ୍ୟନ୍ତ ଜାରି ରହିବ।

ଭାରତର ୭୫ ତମ ସ୍ୱାଧୀନତାର ୭୫ ତମ ବାର୍ଷିକୀ ପାଳନ କରିବାର ଏକ ଅଂଶ ଭାବରେ ଏକ \’ଧନ୍ୟବାଦ\’ (ସୁକ୍ରିଆ) ଗୀତ ମୁକ୍ତିଲାଭ କରିଥିଲା ଯାହାକି କୋଭିଡ-୧୯ ମହାମାରୀ ବିରୁଦ୍ଧ ଲଢେଇରେ ଅନାଲୋଚିତ ଭାବେ ରହିଥିବା ହିରୋମାନଙ୍କୁ ଉତ୍ସାହିତ କରିଥିଲା ଏବଂ ଯେଉଁମାନେ ଆର୍ଥିକ ବ୍ୟବସ୍ଥାକୁ ସବୁଠାରୁ ସଙ୍କଟ ସମୟରେ ଚାଲୁ ରଖିଥିଲେ।

ସପ୍ତାହରେ ଘଟୁଥିବା ଘଟଣାଗୁଡ଼ିକର ସ୍ନାପସଟ୍ ପ୍ରଦାନ କରିବାକୁ ଏକ ଇ-ବୁକଲେଟ୍ ମଧ୍ୟ ଉପସ୍ଥାପିତ କରାଯାଇଥିଲା ଯେଉଁଥିରେ ଦୁଇ ମନ୍ତ୍ରଣାଳୟ – କର୍ପୋରେଟ୍ ବ୍ୟାପାର ଏବଂ ଅର୍ଥ କେବଳ ସେମାନଙ୍କର ସଫଳତା, ନୂତନ ପଦକ୍ଷେପ ପ୍ରଦର୍ଶନ କରିବ ନାହିଁ, ବରଂ ସେମାନଙ୍କର ଅଭିବୃଦ୍ଧି ଏବଂ ବର୍ଷବ୍ୟାପି ସମୀକ୍ଷାକୁ ଏକ ଆକର୍ଷଣୀୟ ଯାତ୍ରା ମାଧ୍ୟମରେ ଅତିକ୍ରମ କରିବ। କାର୍ଯ୍ୟକ୍ରମଣ୍ଟଗୁଡିକର କାର୍ଯ୍ୟସୂଚୀକୁ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ୬ ଜୁନ୍ ୨୦୨୨ ରେ ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବେ। ଭାରତର ସ୍ୱାଧୀନତାର ୭୫ ବର୍ଷର ଆବେଗକୁ ଦୃଷ୍ଟିରେ ରଖି ୬ ଜୁନ୍ ସମାରୋହ ସମଗ୍ର ଭାରତର ୭୫ଟି ସହରରେ ଏକକାଳୀନ ସିଧା ପ୍ରସାରଣ ମାଧ୍ୟମରେ ପାଳନ କରାଯିବ।

ଆଜାଦି କା ଅମୃତ ମହୋତ୍ସବର ଆଇକନିକ୍ ସପ୍ତାହରେ, କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଏବଂ ଅର୍ଥ ମନ୍ତ୍ରଣାଳୟର ପ୍ରତ୍ୟେକ ବିଭାଗ ସେମାନଙ୍କର ସମୃଦ୍ଧ ଇତିହାସ ଏବଂ ଉତ୍ତରାଧିକାରୀ ପ୍ରଦର୍ଶନ କରିବା ସହିତ ଆଗାମୀ ଆହ୍ୱାନର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହେବେ। ଉଦାହରଣ ସ୍ୱରୂପ, ୮ ଜୁନ୍ ୨୦୨୨, ତୃତୀୟ ଦିନରେ ଭାରତର ସିକ୍ୟୁରିଟି ବଜାରର ବିକାଶ ଉପରେ ଏକ ଡକ୍ୟୁମେଣ୍ଟାରୀ ରିଲିଜ୍ ହେବ ଏବଂ ଶେଷ ଦିନ, ୧୧ ଜୁନ୍ ୨୦୨୨ ରେ, ଜାତୀୟ କଷ୍ଟମସ ଏବଂ ଜିଏସଟି ସଂଗ୍ରହାଳୟ, ‘ଧରୋହର’, ଯାହା ଜବତ ସାମଗ୍ରୀ, ପୁରାତନ ସାମଗ୍ରୀ ଏବଂ କଷ୍ଟମ ଐତିହ୍ୟର ପ୍ରଦର୍ଶନ କରିଥାଏ ତାହା ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବ।

ଅର୍ଥ ମନ୍ତ୍ରଣାଳୟ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ଆଇକନିକ୍ ସପ୍ତାହ ଉତ୍ସବରେ ଅନ୍ୟ କେତେକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ମଧ୍ୟରେ ଡାଟା ଆନାଲିଟିକ୍ସ ଉପରେ ଆନ୍ତର୍ଜାତୀୟ ସମ୍ମିଳନୀ ଅନ୍ତର୍ଭୂକ୍ତ କରିବ ଯାହା ସର୍ବସାଧାରଣ କ୍ରୟ କ୍ଷେତ୍ରରେ ସର୍ବୋତ୍ତମ ଆନ୍ତର୍ଜାତୀୟ ଅଭ୍ୟାସ ଉପରେ ବିଚାର କରିବ ଏବଂ ଆଧୁନିକ ବୈଷୟିକ ଜ୍ଞାନକୌଶଳ ପାଇଁ ସାର୍ବଜନୀନ କ୍ରୟ କ୍ଷେତ୍ରରେ ଟଙ୍କାର ଅଧିକ ମୂଲ୍ୟ ଅଣିବାକୁ ଆଗକୁ ବଢିବ। ସାଧାରଣ ଖର୍ଚ୍ଚ ପରିଚାଳନା ଏବଂ ଟିକସ କ୍ଷେତ୍ରରେ କିଛି ପ୍ରମୁଖ ପଦକ୍ଷେପ ସ୍ୱରୂପ ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ମଧ୍ୟ ପ୍ରଦର୍ଶିତ ହେବ।

ଅର୍ଥ ମନ୍ତ୍ରଣାଳୟ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ଆଇକନିକ୍ ସପ୍ତାହର ଉତ୍ସବ ପାଳନ ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳୀନୀରେ ଅର୍ଥ ସଚିବ ତଥା ସଚିବ ବ୍ୟୟ, ଡକ୍ଟର ଟି.ଭି. ସୋମନାଥନ୍ ପୌରହିତ କରିଥିଲେ। ଉପସ୍ଥିତ ଅନ୍ୟ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଡିଆଇପିଏଏମ୍‍ ସଚିବ ତୁହିନ୍ କାନ୍ତ ପାଣ୍ଡେ, ଆର୍ଥିକ ବ୍ୟାପାର ସଚିବ ଅଜୟ ସେଠ୍‍, କର୍ପୋରେଟ୍ ବ୍ୟାପାର ସଚିବ ରାଜେଶ ବର୍ମା; ଡିପିଇ ସଚିବ ଅଲି ରାଜା ରିଜଭି; ଡିଏଫ୍‍ଏସ୍‍ ସଚିବ ସଞ୍ଜୟ ମାଲହୋତ୍ରା, ସିବିଆଇସି ଅଧ୍ୟକ୍ଷ ବିବେକ ଜୋହରୀ, ଏବଂ ସିବିଡିଟିର ଅଧ୍ୟକ୍ଷ (ଅତିରିକ୍ତ ଦାୟିତ୍ୱ) ସଙ୍ଗୀତା ସିଂହଙ୍କ ସହିତ ଅର୍ଥ ଓ କର୍ପୋରେଟ୍ ବ୍ୟାପାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ସହିଦ ଭଗତ ସିଂଙ୍କ ନାମରେ ନାମିତ ହେବ ଦିଲ୍ଲୀର ସୈନିକ ସ୍କୁଲ: ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବଡ ଘୋଷଣା

ନୂଆଦିଲ୍ଲୀ: ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଘୋଷଣା କରିଛନ୍ତି। ସିଏମ୍ କେଜ୍ରିୱାଲ କହିଛନ୍ତି ଯେ, ଆସନ୍ତାକାଲି ଅଗଷ୍ଟ ୨୩ ତାରିଖ ହେଉଛି ସହିଦ-ଏ-ଆଜମ ଭଗତ ସିଂଙ୍କ ଶହୀଦ ଦିବସ। ଗତ ବର୍ଷ ଆମେ ଘୋଷଣା କରିଥିଲୁ ଯେ, ଆମେ ଦିଲ୍ଲୀରେ ଏକ ବିଦ୍ୟାଳୟ ସ୍ଥାପନ କରିବୁ ଯେଉଁଠାରେ ପିଲାମାନଙ୍କୁ ସେନାରେ ଯୋଗଦେବା ପାଇଁ ତାଲିମ ଦିଆଯିବ ଏବଂ ଏହି ବିଦ୍ୟାଳୟର ନାମ ସହିଦ ଭଗତ ସିଂ ସଶସ୍ତ୍ର ବାହିନୀ ପ୍ରସ୍ତୁତି ବିଦ୍ୟାଳୟ ହେବ।

ସିଏମ କେଜ୍ରିୱାଲ କହିଛନ୍ତି ଯେ, ଆମେ ଝରୋଦା କଲାନରେ ୧୪ ଏକର ଜମିରେ ସହିଦ ଭଗତ ସିଂ ସଶସ୍ତ୍ର ବାହିନୀ ପ୍ରସ୍ତୁତି ବିଦ୍ୟାଳୟ ନିର୍ମାଣ କରୁଛୁ। ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ସଶସ୍ତ୍ର ବାହିନୀରେ ଯୋଗଦେବା ପାଇଁ ତାଲିମ ଦିଆଯିବ। ଏହି ବିଦ୍ୟାଳୟର ପିଲାମାନଙ୍କ ପାଇଁ ଦେୟ ମାଗଣା ହେବ ଏବଂ ସେଠାରେ ବାଳକ ଏବଂ ବାଳିକାମାନଙ୍କ ପାଇଁ ଅଲଗା ହଷ୍ଟେଲ ରହିବ।

ସବୁଠାରୁ ବଡ କଥା ହେଉଛି ଏହି ବିଦ୍ୟାଳୟରେ ବିଶେଷଜ୍ଞ ଅଧ୍ୟାପକ, ବିଶେଷକରି ସେନା, ନୌସେନା ଏବଂ ବାୟୁସେନାର ଅବସରପ୍ରାପ୍ତ ଅଧିକାରୀମାନେ ରହିବେ। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀରେ ରହୁଥିବା ଯେକୌଣସି ପିଲା ଏଠାରେ ଆଡମିଶନ କରିପାରିବେ। ଏଠାରେ ନବମ ଏବଂ ଏକାଦଶ ଶ୍ରେଣୀରେ ଆଡମିଶନ ହେବ। କେବଳ ଏତିକି ନୁହେଁ, ଏହି ବିଦ୍ୟାଳୟଟି ସମ୍ପୂର୍ଣ୍ଣ ମାଗଣା ହେବ ଏବଂ ଏଠାରେ ରହିବାର ସୁବିଧା ମଧ୍ୟ ମିଳିବ।

ଦିଲ୍ଲୀ ସରକାରଙ୍କ ଦ୍ୱାରା ନିର୍ମିତ ଏହି ବିଦ୍ୟାଳୟ ଦେଶ ଭକ୍ତି ବଜେଟ୍ ଅଧୀନରେ ସରକାରଙ୍କ ପ୍ରକଳ୍ପର ଏକ ଅଂଶ। ଏନଡିଏ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଏହି ବିଦ୍ୟାଳୟରେ ଅଧ୍ୟୟନ କରିପାରିବେ। ଏଠାରେ ସେମାନେ ଶିକ୍ଷା ସହିତ ତାଲିମ ସୁବିଧା ମଧ୍ୟ ପାଇବେ। ସହିଦ ଭାଗବତ ସିଂ ସଶସ୍ତ୍ର ବାହିନୀ ପ୍ରସ୍ତୁତି ବିଦ୍ୟାଳୟ ଦିଲ୍ଲୀ ବୋର୍ଡ ଅଫ୍ ସ୍କୁଲ ଏଜୁକେସନ୍ (DBSE) ସହିତ ଜଡିତ ହେବ।