ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ବିଶ୍ୱ ନାଟ୍ୟ ଦିବସ ପାଳିତ

Published: Mar 28, 2021, 11:41 am IST

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ବଜାର ସ୍ଥିତ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ସଂସ୍କୃତି ପରିଷଦ ଓ ଲୋକକବି ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣ ସ୍ମୃତି ପରିଷଦ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବିଶ୍ୱ ନାଟ୍ୟଦିବସ ୨୦୨୧ ପାଳିତ ହୋଇଯାଇଛି।

ଏହି ଉତ୍ସବରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଯେବେଠୁଁ ମଣିଷର ଜନ୍ମ ସେବେଠାରୁ ନାଟକର ଜନ୍ମ ସେକ୍ସପିଅର କହିଥିଲେ ଏ ପୃଥିବୀ ହେଉଛି ଏକ ରଙ୍ଗମଞ୍ଚ, ଆମେ ସମସ୍ତେ ଅଭିନେତା। ଗ୍ରୀସ୍ ରେ ୨୦୦୦ ବର୍ଷ ପୂର୍ବେ ନାଟକ ଆରମ୍ଭ ହୋଇଥିଲା। ବିଶ୍ଵ ନାଟ୍ୟ ଦିବସ ପାଳନ ଏକ ସୁନ୍ଦର ପ୍ରୟାସ, ଆୟୋଜକ ମାନଙ୍କୁ ସାଧୁବାଦ ଜଣାଇଥିଲେ।

ଉକ୍ତ ବିଶ୍ୱ ନାଟ୍ୟ ଦିବସରେ ଅଧ୍ୟକ୍ଷତା କରି ଲୋକକବି ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣ ସ୍ମୃତି ପରିଷଦ ର ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ୟ ବିଶ୍ୱ ନାଟ୍ୟ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥିଭାବେ ନାଟ୍ୟକାର କୈଳାଶ ଚନ୍ଦ୍ର ମଲ୍ଲିକ ଯୋଗଦେଇ ନାଟକ ଓ ଯାତ୍ରା ମଧ୍ୟରେ ପ୍ରଭେଦ ସମ୍ପର୍କରେ ଅବଗତ କରାଇଥିଲେ।

ଲୋକକବି ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣ ସ୍ମୃତି ପରିଷଦର କାର୍ଯ୍ୟକାରୀ ସଭାପତି ହେମନ୍ତ କୁମାର ରଥ ନିଜର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପରିଷଦର ସମ୍ପାଦକ ଅଧ୍ୟାପକ ଗୋପାଳକୃଷ୍ଣ ମିଶ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିସହିତ ଲୋକକବି ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣ ସ୍ମୃତି ପରିଷଦ ପକ୍ଷରୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ବାଣୀକ୍ଷେତ୍ର ଗୌରବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ସ୍ମୃତି ପରିଷଦର କଳାକାରମାନେ “ଜାତୀୟ ସଂହତି” ଉପରେ ଏକ ନାଟକ ପରିବେଷଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ତଥା ସ୍ମୃତି ପରିଷଦର ଉପାଧ୍ୟକ୍ଷ ପ୍ରଦୀପ୍ତ କିଶୋର ଚୌଧୁରୀ ,ଅବନିକାନ୍ତ ମହାରଣା, ଲାଲା ସଂଗ୍ରାମ କେଶରୀ ରାୟ, ବାଳକୃଷ୍ଣ ମହାନ୍ତିଙ୍କର ନାତି ଦେବର୍ଷି ମହାନ୍ତିଙ୍କ ସମେତ ବୁଦ୍ଧିଜୀବୀ, ଆଇନଜୀବୀ, କଳାକାର ମାନେ ଉପସ୍ଥିତ ଥିଲେ।

Related posts