ହୋଲିରେ ଚୋରା ମଦ ବେପାରୀ ମାଲେମାଲ୍: ଶୋଇଛି ତିର୍ତ୍ତୋଲ ଅବକାରି ବିଭାଗ

Published: Mar 30, 2021, 9:05 pm IST

ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ଅଞ୍ଚଳରେ ଛତୁ ଫୁଟିଲା ପରି ମଦ ଦୋକାନ ଖୋଲିବାରେ ଲାଗିଥିବା ବେଳେ ଟାର୍ଗେଟ ପୁରଣ କରିବା ପାଇଁ ଚୋରା ମଦ ଦୋକାନିଙ୍କ ଉପରେ କାଁ ଭାଁ ନାମକୁ ମାତ୍ର ଚଢାଉ କରି ତିର୍ତ୍ତୋଲ ଅବକାରୀ ବିଭାଗ ବାଃ ବାଃ ନେଉଥିବା କୁହାଯାଉଛି। ସୂଚନାନୁଯାୟୀ ତିର୍ତ୍ତୋଲ ଅଞ୍ଚଳର ଏମିତି କୌଣସି ଗାଁ ଗହଳି, ଛକ ବଜାର ନାହିଁ ଯେଉଁଠି ଚୋରା ମଦ ଗଞ୍ଜେଇ ବିକ୍ରି ନହେଉଛି।

ଏମିତିକି ହୋଲିରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଘଟେ ସେଥିପାଇଁ ସରକାରଙ୍କ ପକ୍ଷରୁ ମଦବିକ୍ରି ଉପରେ କଟକଣା ଲଗାଯାଇଥିଲା। ସରକାରୀ ସ୍ୱୀକୃତିପ୍ରାପ୍ତ ମଦଦୋକାନ ଗୁଡିକ ସରକାରଙ୍କ ନିର୍ଦ୍ଦେଶାନୂଯାୟୀ ବନ୍ଦ ରହିଥିବା ବେଳେ ତିର୍ତ୍ତୋଲ ଅଞ୍ଚଳର ଗାଁ ଗହଳି ଛକ ବଜାର ଓ ଢାବା ଗୁଡିକରେ ଚୋରାମଦ ବେପାରୀ ମାନେ ଖୋଲାଖୋଲି ଯୋରଦାର୍ ବେପାର ଚଳାଇଥିବା ଦେଖିବାକୁ ମିଳିଥିଲା।

ସୂଚନାନୁଯାୟୀ ଏମିତିକି ତିର୍ତ୍ତୋଲ ଅବକାରୀ ଅଫିସ୍ ନିକଟସ୍ଥ ତିର୍ତ୍ତୋଲ ବଜାରରେ ହୋଲି ଦିନ ସକାଳ ଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲାଖୋଲି ଚୋରା ମଦ ବେପାର ଚାଲିଥିବା ବେଳେ କଟକ-ପାରାଦ୍ବୀପ ରାସ୍ତା କଡରେ ଅବସ୍ଥିତ ବାଲିପାଟଣା ଛକରେ ଦିର୍ଘଦିନ ହେବ ଏକ ଚୋରା ମଦ ଗୋଦାମ ଖୋଲାଯାଇ ଏକରକମ ମଦ ବାର୍ ଚାଲୁଥିବା କୁହାଯାଉଥିବା ବେଳେ ହୋଲିପର୍ବ ଦିନ ସକାଳ ଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ ସେଠାରେ ଖୋଲାଖୋଲି ଭାବେ ଯୋରଦାର୍ ଚୋରା ମଦ ବେପାର ଚାଲିବା ଫଳରେ ସ୍ଥାନୀୟ ଅଞ୍ଚଳରେ ମଦୁଆଙ୍କ ପ୍ରବଳ ଉପଦ୍ରବ ଯୋଗୁଁ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ଶୁଣିବାକୁ ମିଳୁଛି।

ଏମିତିକି ବିଭିନ୍ନ ବ୍ରାଣ୍ଡର ମଦକୁ ଅତିରିକ୍ତ ଚଢା ଦରରେ ବିକ୍ରୀ କରାଯାଇ ସାଧାରଣ ଲୋକଙ୍କୁ ଶୋଷଣ କରି ଉକ୍ତ ଚୋରା ମଦ ବେପାରୀ ମାଲେମାଲ୍ ହେଉଥିବା ବେଳେ ତିର୍ତ୍ତୋଲ ଅବକାରୀ ବିଭାଗର ଭୂମିକାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିର୍ଭୟରେ ଦିନରାତି ଖୋଲାଖୋଲି ଚୋରା ମଦ ବିକ୍ରି କରୁଥିବା ଉକ୍ତ ଚୋରା ମଦ ବେପାରୀମାନେ ମାସିକିଆ ମୋଟା ଅଙ୍କର ବଟି ଦେଇ ବିଭାଗ ଠାରୁ ଅଭୟ ବର ପାଇ ଧରାକୁ ସରା ମଣୁଛନ୍ତି ବୋଲି କୁହାଯାଉଛି।ସରକାରୀ ନୀତି ନିୟମ ଓ ସାଧାରଣ ଲୋକଙ୍କ ହିତକୁ ଜଳାଞ୍ଜଳି ଦେଇ ଜିଲ୍ଲାସ୍ତରୀୟ କିଛି ଅସାଧୁ ଅଫିସର ନିଜ ପକେଟ୍ ଗରମ କରି ମାଲେମାଲ୍ ହେବା ପାଇଁ ଉକ୍ତ ଚୋରା ମଦ ବେପାରୀଙ୍କୁ ଅଭୟବର ପ୍ରଦାନ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି।

ସ୍ଥାଣୁ ପାଲଟିଥିବା ବିଭାଗୀୟ କର୍ମଚାରୀଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଉଥିବା ଶୁଣିବାକୁ ମିଳୁଛି।

Related posts