Categories
ଆଜିର ଖବର ଆଞ୍ଚଳିକ

ନାଚୁଣୀ ଶୂଳିଆ ଜଙ୍ଗଲରେ ପୋଲିସ ଏବଂ ଅବକାରୀର ମିଳିତ ଚଢ଼ାଉ: ୧୨ ଶହ ଲିଟର ପୋଚ ଜବତ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ସଲପଡିହ ଗ୍ରାମ ଶୂଳିଆ ଜଙ୍ଗଲରେ ନାଚୁଣୀ ଫାଣ୍ଡି ପୋଲିସ ଏବଂ ବାଲୁଗାଁ ଅବକାରି ବିଭାଗର ମିଳିତ ଚଢ଼ାଉ ହୋଇଥିଲା। ଦେଶୀ ମଦ ତିଆରି ହେଉଥିବାର ଖବର ପାଇ ଉକ୍ତ ସ୍ଥାନରେ ଉଭୟ ବିଭାଗ ଚଢାଉ ଆରମ୍ଭ କରିଥିଲେ।

ଏହି ପରିପ୍ରେକ୍ଷୀରେ ଆଜି ସକାଳ ୬ ଘଟିକାରୁ ୮ ଘଟିକା ଯାଏଁ ଦୁଇ ଘଣ୍ଟା ଚଢ଼ାଉରେ ୨୮ ଲିଟର ଦେଶୀ ମଦ ସହ ୧୨ ଶହ ଲିଟର ପୋଚ ଜବତ କରି ନଷ୍ଟ କରାଯାଇଛି।

ଉକ୍ତ ସ୍ଥାନରେ ଦେଶୀ ମଦ ତିଆରି କରିବା ଅଭିଯୋଗରେ ଲକ୍ଷ୍ମୀଧର ସେଠି (୫୮) ନାମକ ଜଣେ ବ୍ୟକ୍ତିଙ୍କୁ ଅବକାରି ବିଭାଗ ଗିରଫ କରିଛି। ତାଙ୍କ ବିରୁଦ୍ଧରେ ଅବକାରୀ ବିଭାଗ ପିଆର ନମ୍ବର ୧୯/୨୧-୨୨ ରେ ମାମଲା ରୁଜୁ କରିଛି।

ଉକ୍ତ ଚଢ଼ାଉରେ ଟାଙ୍ଗୀ ଅବକାରୀ ବିଭାଗ ନିରୀକ୍ଷକ ଆଲୋକ ପ୍ରଧାନ, ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ, ବାଲୁଗାଁ ଅବକାରୀ ବିଭାଗ ଉପ ନିରୀକ୍ଷକ ମନୋଜ ବାରିକ ଏବଂ ଅନ୍ୟ ପୋଲିସ ଓ ଅବକାରି କର୍ମଚାରୀମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ହୋଲିରେ ଚୋରା ମଦ ବେପାରୀ ମାଲେମାଲ୍: ଶୋଇଛି ତିର୍ତ୍ତୋଲ ଅବକାରି ବିଭାଗ

ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ଅଞ୍ଚଳରେ ଛତୁ ଫୁଟିଲା ପରି ମଦ ଦୋକାନ ଖୋଲିବାରେ ଲାଗିଥିବା ବେଳେ ଟାର୍ଗେଟ ପୁରଣ କରିବା ପାଇଁ ଚୋରା ମଦ ଦୋକାନିଙ୍କ ଉପରେ କାଁ ଭାଁ ନାମକୁ ମାତ୍ର ଚଢାଉ କରି ତିର୍ତ୍ତୋଲ ଅବକାରୀ ବିଭାଗ ବାଃ ବାଃ ନେଉଥିବା କୁହାଯାଉଛି। ସୂଚନାନୁଯାୟୀ ତିର୍ତ୍ତୋଲ ଅଞ୍ଚଳର ଏମିତି କୌଣସି ଗାଁ ଗହଳି, ଛକ ବଜାର ନାହିଁ ଯେଉଁଠି ଚୋରା ମଦ ଗଞ୍ଜେଇ ବିକ୍ରି ନହେଉଛି।

ଏମିତିକି ହୋଲିରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଘଟେ ସେଥିପାଇଁ ସରକାରଙ୍କ ପକ୍ଷରୁ ମଦବିକ୍ରି ଉପରେ କଟକଣା ଲଗାଯାଇଥିଲା। ସରକାରୀ ସ୍ୱୀକୃତିପ୍ରାପ୍ତ ମଦଦୋକାନ ଗୁଡିକ ସରକାରଙ୍କ ନିର୍ଦ୍ଦେଶାନୂଯାୟୀ ବନ୍ଦ ରହିଥିବା ବେଳେ ତିର୍ତ୍ତୋଲ ଅଞ୍ଚଳର ଗାଁ ଗହଳି ଛକ ବଜାର ଓ ଢାବା ଗୁଡିକରେ ଚୋରାମଦ ବେପାରୀ ମାନେ ଖୋଲାଖୋଲି ଯୋରଦାର୍ ବେପାର ଚଳାଇଥିବା ଦେଖିବାକୁ ମିଳିଥିଲା।

ସୂଚନାନୁଯାୟୀ ଏମିତିକି ତିର୍ତ୍ତୋଲ ଅବକାରୀ ଅଫିସ୍ ନିକଟସ୍ଥ ତିର୍ତ୍ତୋଲ ବଜାରରେ ହୋଲି ଦିନ ସକାଳ ଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲାଖୋଲି ଚୋରା ମଦ ବେପାର ଚାଲିଥିବା ବେଳେ କଟକ-ପାରାଦ୍ବୀପ ରାସ୍ତା କଡରେ ଅବସ୍ଥିତ ବାଲିପାଟଣା ଛକରେ ଦିର୍ଘଦିନ ହେବ ଏକ ଚୋରା ମଦ ଗୋଦାମ ଖୋଲାଯାଇ ଏକରକମ ମଦ ବାର୍ ଚାଲୁଥିବା କୁହାଯାଉଥିବା ବେଳେ ହୋଲିପର୍ବ ଦିନ ସକାଳ ଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ ସେଠାରେ ଖୋଲାଖୋଲି ଭାବେ ଯୋରଦାର୍ ଚୋରା ମଦ ବେପାର ଚାଲିବା ଫଳରେ ସ୍ଥାନୀୟ ଅଞ୍ଚଳରେ ମଦୁଆଙ୍କ ପ୍ରବଳ ଉପଦ୍ରବ ଯୋଗୁଁ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ଶୁଣିବାକୁ ମିଳୁଛି।

ଏମିତିକି ବିଭିନ୍ନ ବ୍ରାଣ୍ଡର ମଦକୁ ଅତିରିକ୍ତ ଚଢା ଦରରେ ବିକ୍ରୀ କରାଯାଇ ସାଧାରଣ ଲୋକଙ୍କୁ ଶୋଷଣ କରି ଉକ୍ତ ଚୋରା ମଦ ବେପାରୀ ମାଲେମାଲ୍ ହେଉଥିବା ବେଳେ ତିର୍ତ୍ତୋଲ ଅବକାରୀ ବିଭାଗର ଭୂମିକାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିର୍ଭୟରେ ଦିନରାତି ଖୋଲାଖୋଲି ଚୋରା ମଦ ବିକ୍ରି କରୁଥିବା ଉକ୍ତ ଚୋରା ମଦ ବେପାରୀମାନେ ମାସିକିଆ ମୋଟା ଅଙ୍କର ବଟି ଦେଇ ବିଭାଗ ଠାରୁ ଅଭୟ ବର ପାଇ ଧରାକୁ ସରା ମଣୁଛନ୍ତି ବୋଲି କୁହାଯାଉଛି।ସରକାରୀ ନୀତି ନିୟମ ଓ ସାଧାରଣ ଲୋକଙ୍କ ହିତକୁ ଜଳାଞ୍ଜଳି ଦେଇ ଜିଲ୍ଲାସ୍ତରୀୟ କିଛି ଅସାଧୁ ଅଫିସର ନିଜ ପକେଟ୍ ଗରମ କରି ମାଲେମାଲ୍ ହେବା ପାଇଁ ଉକ୍ତ ଚୋରା ମଦ ବେପାରୀଙ୍କୁ ଅଭୟବର ପ୍ରଦାନ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି।

ସ୍ଥାଣୁ ପାଲଟିଥିବା ବିଭାଗୀୟ କର୍ମଚାରୀଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଉଥିବା ଶୁଣିବାକୁ ମିଳୁଛି।