Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ତିର୍ତ୍ତୋଲରେ ଚାଲିଛି ନକଲି ଚୋରା ମଦ କାରବାର: ମଦ ମୃତ୍ୟୁ ଆଶଙ୍କା

ରମେଶ ମହାନ୍ତି

ଜଗତସିଂହପୁର: ଚଳିତ ଲକଡାଉନରେ ଜଗତସିଂହପୁର ଜିଲ୍ଲାରେ ସରକାରୀ ସ୍ୱୀକୃତି ପ୍ରାପ୍ତ ମଦଦୋକାନ ଗୁଡିକ ବନ୍ଦ ରହିଥିବା ବେଳେ ଚୋରା ମଦ ବେପାରୀ ମାନେ ସକ୍ରିୟ ହୋଇ ଉଠିଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦୃତ ଗତିରେ ବୃଦ୍ଧି ପାଉଥିବା ଭୟାବହ କରୋନା ମହାମାରୀର ଦ୍ୱିତୀୟ ଲହରୀକୁ ଚୋରା ମଦ ବେପାରୀଙ୍କ ଖାତିର ନାହିଁ।

ସୂଚନାନୁଯାୟୀ ଗତବର୍ଷ ଲକଡାଉନ ସମୟରେ ତିର୍ତ୍ତୋଲ ଅଞ୍ଚଳର ଚୋରା ମଦ ବେପାରୀମାନେ ମଦର ଧାର୍ଯ୍ୟ ମୁଲ୍ୟ ଠାରୁ ତିନି ଚାରି ଗୁଣା ଚଢା ଦାମରେ ବିକ୍ରିକରି ମାଲେମାଲ୍ ହୋଇଥିବା ବେଳେ ଚଳିତ ଲକଡାଉନରେ ପୁଣି ଆରମ୍ଭ ହୋଇଗଲାଣି ଚୋରା ମଦର ବହୁଳ କାରବାର। ଲକଡାଉନ ଚାଲିଥିବା ବେଳେ ତିର୍ତ୍ତୋଲ ଅଞ୍ଚଳର ବିଭିନ୍ନ ଗାଁ ଗହଳି ଛକ ବଜାରରେ ଛତୁ ଫୁଟିଲା ପରି ଚୋରା ମଦ ବେପାର ଚାଲିଥିବା ଦେଖିବାକୁ ମିଳୁଛି। ଏମିତିକି ତିର୍ତ୍ତୋଲ ଅଞ୍ଚଳରେ ଏବେ ନକଲି ମଦର ଯୋରଦାର କାରବାର ଚାଲିଥିବା ଚର୍ଚ୍ଚା ହେଉଛି।

ତିର୍ତ୍ତୋଲ ବଜାର ଠାରେ ଅବକାରୀ ବିଭାଗର କାର୍ଯ୍ୟାଳୟ ଥିଲେ ମଧ୍ୟ ନିକଟସ୍ଥ ତିର୍ତ୍ତୋଲ ଲକବଜାରରେ ନିଧଡକ ଭାବେ ଚାଲିଛି ଚୋରା ମଦ କାରବାର। ଏପରିକି କଟକ-ପାରାଦ୍ବୀପ ମୁଖ୍ୟ ରାସ୍ତାର ବାଲିପାଟଣା ବଜାରରେ ନକଲି ମଦ ବିକ୍ରି ହେଉଥିବା ଚର୍ଚ୍ଚା ହେଉଛି। ଉକ୍ତ ବଜାର ନିକଟରେ ଥିବା ଜନବସତି ବାଟରେ ଚୋରା ମଦ ଗୋଦାମ ଥିବା କୁହାଯାଉଥିବା ବେଳେ ବିଭିନ୍ନ ବ୍ରାଣ୍ଡର ଚୋରାମଦ ସର୍ବସମ୍ମୁଖରେ ନିଧଡକ ଭାବେ ବିକ୍ରି ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଲକଡାଉନ୍ ଯୋଗୁଁ ଛକ ବଜାର ବ୍ୟବସାୟୀ ମାନେ ଏକରକମ ହାତ ବାନ୍ଧି ଘରେ ବସିଥିବା ବେଳେ ଅପରପକ୍ଷରେ ଚୋରା ମଦ ବେପାରୀ ମାନଙ୍କର ପୁଷମାସ ଚାଲିଛି ବୋଲି କୁହାଯାଉଛି। ମଦ ବୋତଲ ଉପରେ ବିଭିନ୍ନ ବ୍ରାଣ୍ଡର ଷ୍ଟିକର ଲଗାଯାଇ ନକଲି ମଦ ବିକ୍ରି ହେଉଥିବା ତିର୍ତ୍ତୋଲ ଅଞ୍ଚଳରେ ଏବେ ଯୋରଦାର ଚର୍ଚ୍ଚା ହେଉଥିବା ବେଳେ ଅବକାରୀ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଲକଡାଉନ୍ ସମୟରେ ତିର୍ତ୍ତୋଲ ଅଞ୍ଚଳରେ ନକଲି ଚୋରାମଦ କାରବାର ଚର୍ଚ୍ଚା ହେଉଥିବା କଥାଟା ଯଦି ସତ ହୋଇଥାଏ ତେବେ ଆଗାମୀ ଦିନରେ ମଦମୃତ୍ୟୁ ଆଶଙ୍କା ସହିତ ଭୟାବହ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାଜସ୍ବ ଲୁଟୁଛନ୍ତି ବାଲିମାଫିଆ!: ଶତାଧିକ ବାଲିବୋଝେଇ ହାଇୱାକୁ ଅଟକାଇଲେ ସ୍ଥାନୀୟ ବାସିନ୍ଦା

ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ତହସିଲ୍ ଅନ୍ତର୍ଗତ କିଲିପାଳ ଘାଟ ବାଲିମାଫିଆଙ୍କ ମନମାନି ଏବେ ତିର୍ତ୍ତୋଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଅଭିଯୋଗ ଅନୁଯାୟୀ କଟକ-ପାରାଦ୍ବୀପ ମୁଖ୍ୟ ରାସ୍ତାର ବାଲିପାଟଣା ବଜାର ସ୍ଥିତ ତାଳଦଣ୍ଡା କେନାଲ ଉପରେ ଥିବା ଏକ ଗ୍ରାମୀଣ ପାଦଚଲା ପୋଲ କୁହାଯାଉଥିବା ଛୋଟ ପୋଲ ଉପର ବାଟଦେଇ ଆଖପାଖ ଗ୍ରାମର ଲୋକେ ମହାନଦୀ ପାଖ କଣ୍ଡିଆରେ ଚାଷବାସ କରିବାକୁ ଓ ମହାନଦୀ ପଠା ଅଞ୍ଚଳରେ ଗାଈଗୋରୁ ଚରାଇବାକୁ ଯିବା ପାଇଁ ଏହି ପୋଲ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଏହି ପୋଲ ଉପରେ ଦୈନିକ ଶତାଧିକ ଟ୍ରିପ୍ ବାଲିବୋଝେଇ ହାଇୱା କିଲିପାଳ ଘାଟରୁ ବାଲି ଉଠାଇ ଯାତାୟତ କରୁଥିବାରୁ ଏହି ପୋଲର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କିଲିପାଳ (ଦକ୍ଷିଣପାର୍ଶ୍ଵ) ବାଲିଘାଟକୁ ନିଲାମ ନେଇଥିବା ନିଲାମଧାରୀ ବ୍ୟକ୍ତି ଉକ୍ତ ଘାଟରୁ ବିନା ୱାଇ ଫର୍ମରେ ବେଆଇନ୍ ଭାବେ ଦୈନିକ ଶତାଧିକ ଟ୍ରିପ୍ ବାଲି ହାଇୱାରେ ନିଧଡକ ଭାବେ ଉକ୍ତ ପୋଲ ଉପର ଦେଇ ବାହାରକୁ ଚାଲାଣ ହେଉଥିବା ଅଭିଯୋଗ ହେଉଥିବା ବେଳେ ପ୍ରଶାସନ ସ୍ଥାଣୁ ପାଲଟିଥିବା କୁହାଯାଉଛି। ଏମିତିକି ଏହି ବାଲି ବୋଝେଇ ହାଇୱା ଗୁଡିକ କଟକ-ପାରାଦ୍ୱୀପ ରାସ୍ତାର ବାଲିପାଟଣା ବଜାର ଦେଇ ଯାତାୟତ କରୁଥିବାରୁ ରାସ୍ତାରେ ବାଲି ଜମାହୋଇ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ଏନେଇ ସ୍ଥାନୀୟ ଲୋକମାନେ ଅତିଷ୍ଠ ହୋଇ କିଛିଦିନ ପୂର୍ବେ ଉକ୍ତ ପୋଲ ଉପରେ ଯାତାୟତ କରୁଥିବା ବାଲିବୋଝେଇ ହାଇୱା ଗୁଡିକୁ ଅଟକାଇଥିଲେ ଏବଂ ତିର୍ତ୍ତୋଲ ପୋଲିସ୍ ହସ୍ତକ୍ଷେପ କରିବା ପରେ ସେମାନେ ବାଲିଗାଡି ଗୁଡିକୁ ଛାଡିଦେଇଥିଲେ।

ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ମାନେ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ। ଯାହାକି ଏକ ସପ୍ତାହ ମଧ୍ୟରେ ଏହାର ତଦନ୍ତ କରାଯାଇ ପଦକ୍ଷେପ ନିଆନଗଲେ ଏକ ସପ୍ତାହ ପରେ ସ୍ଥାନୀୟ ବାସିନ୍ଦା ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ସ୍ଥାନୀୟ ଲୋକମାନେ ଅଭିଯୋଗ କରିବାର ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ ଉକ୍ତ ଘାଟରୁ ବାଲିଗାଡି ଗୁଡିକ ସେହି ପୋଲ ଉପରେ ଯାତାୟତ କରୁଥିବା ଦେଖିବାକୁ ମିଳୁଛି। ଏନେଇ ପ୍ରଶାସନର କାର୍ଯ୍ୟ ଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ହୋଲିରେ ଚୋରା ମଦ ବେପାରୀ ମାଲେମାଲ୍: ଶୋଇଛି ତିର୍ତ୍ତୋଲ ଅବକାରି ବିଭାଗ

ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ଅଞ୍ଚଳରେ ଛତୁ ଫୁଟିଲା ପରି ମଦ ଦୋକାନ ଖୋଲିବାରେ ଲାଗିଥିବା ବେଳେ ଟାର୍ଗେଟ ପୁରଣ କରିବା ପାଇଁ ଚୋରା ମଦ ଦୋକାନିଙ୍କ ଉପରେ କାଁ ଭାଁ ନାମକୁ ମାତ୍ର ଚଢାଉ କରି ତିର୍ତ୍ତୋଲ ଅବକାରୀ ବିଭାଗ ବାଃ ବାଃ ନେଉଥିବା କୁହାଯାଉଛି। ସୂଚନାନୁଯାୟୀ ତିର୍ତ୍ତୋଲ ଅଞ୍ଚଳର ଏମିତି କୌଣସି ଗାଁ ଗହଳି, ଛକ ବଜାର ନାହିଁ ଯେଉଁଠି ଚୋରା ମଦ ଗଞ୍ଜେଇ ବିକ୍ରି ନହେଉଛି।

ଏମିତିକି ହୋଲିରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଘଟେ ସେଥିପାଇଁ ସରକାରଙ୍କ ପକ୍ଷରୁ ମଦବିକ୍ରି ଉପରେ କଟକଣା ଲଗାଯାଇଥିଲା। ସରକାରୀ ସ୍ୱୀକୃତିପ୍ରାପ୍ତ ମଦଦୋକାନ ଗୁଡିକ ସରକାରଙ୍କ ନିର୍ଦ୍ଦେଶାନୂଯାୟୀ ବନ୍ଦ ରହିଥିବା ବେଳେ ତିର୍ତ୍ତୋଲ ଅଞ୍ଚଳର ଗାଁ ଗହଳି ଛକ ବଜାର ଓ ଢାବା ଗୁଡିକରେ ଚୋରାମଦ ବେପାରୀ ମାନେ ଖୋଲାଖୋଲି ଯୋରଦାର୍ ବେପାର ଚଳାଇଥିବା ଦେଖିବାକୁ ମିଳିଥିଲା।

ସୂଚନାନୁଯାୟୀ ଏମିତିକି ତିର୍ତ୍ତୋଲ ଅବକାରୀ ଅଫିସ୍ ନିକଟସ୍ଥ ତିର୍ତ୍ତୋଲ ବଜାରରେ ହୋଲି ଦିନ ସକାଳ ଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲାଖୋଲି ଚୋରା ମଦ ବେପାର ଚାଲିଥିବା ବେଳେ କଟକ-ପାରାଦ୍ବୀପ ରାସ୍ତା କଡରେ ଅବସ୍ଥିତ ବାଲିପାଟଣା ଛକରେ ଦିର୍ଘଦିନ ହେବ ଏକ ଚୋରା ମଦ ଗୋଦାମ ଖୋଲାଯାଇ ଏକରକମ ମଦ ବାର୍ ଚାଲୁଥିବା କୁହାଯାଉଥିବା ବେଳେ ହୋଲିପର୍ବ ଦିନ ସକାଳ ଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ ସେଠାରେ ଖୋଲାଖୋଲି ଭାବେ ଯୋରଦାର୍ ଚୋରା ମଦ ବେପାର ଚାଲିବା ଫଳରେ ସ୍ଥାନୀୟ ଅଞ୍ଚଳରେ ମଦୁଆଙ୍କ ପ୍ରବଳ ଉପଦ୍ରବ ଯୋଗୁଁ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ଶୁଣିବାକୁ ମିଳୁଛି।

ଏମିତିକି ବିଭିନ୍ନ ବ୍ରାଣ୍ଡର ମଦକୁ ଅତିରିକ୍ତ ଚଢା ଦରରେ ବିକ୍ରୀ କରାଯାଇ ସାଧାରଣ ଲୋକଙ୍କୁ ଶୋଷଣ କରି ଉକ୍ତ ଚୋରା ମଦ ବେପାରୀ ମାଲେମାଲ୍ ହେଉଥିବା ବେଳେ ତିର୍ତ୍ତୋଲ ଅବକାରୀ ବିଭାଗର ଭୂମିକାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିର୍ଭୟରେ ଦିନରାତି ଖୋଲାଖୋଲି ଚୋରା ମଦ ବିକ୍ରି କରୁଥିବା ଉକ୍ତ ଚୋରା ମଦ ବେପାରୀମାନେ ମାସିକିଆ ମୋଟା ଅଙ୍କର ବଟି ଦେଇ ବିଭାଗ ଠାରୁ ଅଭୟ ବର ପାଇ ଧରାକୁ ସରା ମଣୁଛନ୍ତି ବୋଲି କୁହାଯାଉଛି।ସରକାରୀ ନୀତି ନିୟମ ଓ ସାଧାରଣ ଲୋକଙ୍କ ହିତକୁ ଜଳାଞ୍ଜଳି ଦେଇ ଜିଲ୍ଲାସ୍ତରୀୟ କିଛି ଅସାଧୁ ଅଫିସର ନିଜ ପକେଟ୍ ଗରମ କରି ମାଲେମାଲ୍ ହେବା ପାଇଁ ଉକ୍ତ ଚୋରା ମଦ ବେପାରୀଙ୍କୁ ଅଭୟବର ପ୍ରଦାନ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି।

ସ୍ଥାଣୁ ପାଲଟିଥିବା ବିଭାଗୀୟ କର୍ମଚାରୀଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଉଥିବା ଶୁଣିବାକୁ ମିଳୁଛି।

Categories
ଆଞ୍ଚଳିକ

ତିର୍ତ୍ତୋଲ, କୁଜଙ୍ଗ ଓ ଏରସମା ଅଞ୍ଚଳର ମଠ ମନ୍ଦିରକୁ ଏଲ୍.ଇ.ଡି ଲାଇଟ୍ ବଣ୍ଟନ

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ, କୁଜଙ୍ଗ ଓ ଏରସମା ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ମଠ ମନ୍ଦିର ମାନଙ୍କରେ ଆଲୋକିକରଣ ନିମନ୍ତେ ମହାଶକ୍ତି ଫାଉଣ୍ଡେସନ୍ ଓ ସ୍ମାର୍ଟ ପାୱାର ଇଣ୍ଡିଆ ସହଯୋଗରେ ମାଗଣା ଏଲ୍.ଇ.ଡି ଲାଇଟ୍ ବଣ୍ଟନ କରାଯାଇଛି। ସ୍ମୃତି ରଞ୍ଜନ ଦାଶ ଓ ହେମନ୍ତ ତ୍ରିପାଠୀଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜୁଳି ଦିଦି ମାନଙ୍କ ଦ୍ୱାରା ଏହି ଏଲ୍.ଇଡି. ଲାଇଟ୍ ବଣ୍ଟନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ତିର୍ତ୍ତୋଲ ଓ ବାଲେଶ୍ବର ଉପନିର୍ବାଚନରେ ଭୋଟ ଗ୍ରହଣ ଜାରୀ, ଥର୍ମାଲ ସ୍କାନିଂ ପରେ ଭୋଟ ଦେଉଛନ୍ତି ଭୋଟର

ଭୁବନେଶ୍ବର, ଓଡିଶାର ଦୁଇ ନିର୍ବାଚନ ମଣ୍ଡଳୀ ତିର୍ତ୍ତୋଲ ଏବଂ ବାଲେଶ୍ବରରେ ଚାଲିଛି ମତଦାନ। ଆଜି ସକାଳ ସାତଟାରୁ ଏହି ମତଦାନ ପକ୍ରିୟା ଆରମ୍ଭ ହୋଇଛି। ସକାଳୁ ସକାଳୁ ଭିଡ ପରିଲକ୍ଷିତ ନ ହେଉଥିଲେ ମଧ୍ୟ ଧିରେ ଧିରେ ଗହଳି ବୃଦ୍ଧି ପାଉଛି। ତେବେ କରୋନା ସଂକ୍ରାମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଭୋଟରମାନେ ବୁଥ ଭିତରକୁ ପ୍ରବେଶ ପୂର୍ବରୁ ଥର୍ମାଲ ସ୍କାନିଂ କରାଯାଉଛି। ଏହାପରେ ସାନିଟାଇଜର କରି ଭୋଟ ଦେଉଛନ୍ତି। ଏଥିପାଇଁ ଆଶା କର୍ମି ଏବଂ ଏସଏଚଜି ମହିଳାମାନଙ୍କୁ ନିୟୋଜିତ କରାଯାଇଛି। ଆଜି ଏହି ମତଦାନ ପକ୍ରିୟା ଅପରାହ୍ନ 6 ଟା ପର୍ଯ୍ୟନ୍ତ ଚାଲିବ। କରୋନା ସୁରକ୍ଷା ସହିତ ଆଇନ ଶୃଙ୍ଖଳା ପାଇଁ ମଧ୍ୟ କଡା ବ୍ୟବସ୍ଥା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାତି ପାହିଲେ ଭୋଟ: ଆଜି ସଂଧ୍ୟାରୁ ଗାଁ ଗହଳିରେ ଚାଲିଛି ଭୋଜିଭାତର ଆସର

ରମେଶ ମହାନ୍ତି

ଜଗତସିଂହପୁର: ରାତି ପାହିଲେ ଭୋଟ ଦେବେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ବାସୀ। ଭୋଟ ଗ୍ରହଣ ପାଇଁ ବିଭିନ୍ନ ପଞ୍ଚାୟତରେ ପହଞ୍ଚି ଗଲେଣି ପୁଲିଂ ଅଧିକାରୀଙ୍କ ସହିତ ସୁରକ୍ଷା ବାହିନୀ ମାନେ। ହେଲେ ଆଜି ସଂଧ୍ୟାରୁ ଗାଁ ଗହଳିରେ ବିଭିନ୍ନ ଦଳ ପକ୍ଷରୁ ଭୋଜିଭାତର ଆସର ଚାଲିଥିବା ଦେଖିବାକୁ ମିଳିଛି। ସକ୍ରିୟ ହୋଇ ଉଠିଥିବା ପଞ୍ଚାୟତର କୁଜିନେତା ମାନେ ରାତି ପାହିବା ପୂର୍ବରୁ ଭୋଟରଙ୍କୁ ବଶୀଭୂତ କରି ଭୋଟ ହାତେଇବା ପାଇଁ ଅନ୍ଧାରି ବିଜେ କରିବେ ବୋଲି କୁହାଯାଉଛି। ସୂଚନାନୁଯାୟୀ ଏକ ନିର୍ଦ୍ଦିଷ୍ଟ ଦଳ ମହିଳା ଗୋଷ୍ଠୀଙ୍କ ଭୋଟ ହାତେଇବା ପାଇଁ ଏକ ଅଭିନବ ଯୋଜନା ଅବଲମ୍ବନ କରିଥିବା ଏବେ ତିର୍ତ୍ତୋଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଯେଉଁ ମହିଳା ଗୃପ୍ ତାଙ୍କ ଦଳକୁ ଭୋଟ ଦେବ ସହି ମହିଳା ଗୃପ୍ ପିଛା ୪ହଜାର ଲେଖାଏଁ ବଣ୍ଟା ହେଉଛି ବୋଲି କୁହାଯାଉଛି। ଏନେଇ ଅନ୍ୟ ମହିଳା ଗୃପ୍ ଭୋଟରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ଶୁଣିବାକୁ ମିଳୁଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ତିର୍ତ୍ତୋଲ ଆନନ୍ଦମଣ୍ଡପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଚଢାଉ: ତିର୍ତ୍ତୋଲରେ ରହିପାରିବେନି ବାହାର ନେତା ଓ କର୍ମୀ

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ବର୍ତ୍ତମାନ ନିର୍ବାଚନର ପ୍ରଚାର ପ୍ରସାର ସମୟ ସୀମା ଶେଷ ହୋଇ ଯାଇଥିବାରୁ ସମସ୍ତ ରାଜନୈତିକ କର୍ମକର୍ତ୍ତା, ଦଳୀୟ କର୍ମୀ ଯେଉଁମାନେ ଏହି ନିର୍ବାଚନ ମଣ୍ଡଳୀର ଭୋଟର ନୁହଁନ୍ତି କିନ୍ତୁ କେବଳ ପ୍ରଚାର ପ୍ରସାର ନିମନ୍ତେ ଏହି ନିର୍ବାଚନ ମଣ୍ଡଳୀକୁ ଆସିଥିଲେ ସେମାନଙ୍କ ଉପସ୍ଥିତି ଉପରେ କଟକଣା ଜାରି କରାଯାଇଛି। ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ତିର୍ତ୍ତୋଲ ବଜାର ସ୍ଥିତ ଆନନ୍ଦମଣ୍ଡପ (କଲ୍ୟାଣମଣ୍ଡପ)ରେ ଚଢ଼ାଉ କରିଥିଲେ। ହେଲେ ଚଢାଉ ସମୟରେ ଏଠାରେ କୌଣସି ରାଜନୈତିକ ଦଳର କର୍ମକର୍ତ୍ତା ନଥିଲେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଥିସହିତ ଜିଲ୍ଲାପାଳ ଓ ଏସ୍.ପି ତାରପୁର ପୋଲିସ୍ ଚେକ୍ ପୋଷ୍ଟରେ ଇନସପେକ୍ଟେଡ କରିବା ସହିତ ନୁଆପୋଖରୀ ସ୍ଥିତ ମଦଦୋକାନ ପରିଦର୍ଶନ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ତିର୍ତ୍ତୋଲ ଉପ-ନିର୍ବାଚନ ନିମନ୍ତେ ସମସ୍ତ ପୋଲିଂ ଅଧିକାରୀଙ୍କୁ ବୁଥ୍ ପ୍ରେରଣ

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ଉପ-ନିର୍ବାଚନ ନିମନ୍ତେ ସମସ୍ତ ପୋଲିଂ ପାର୍ଟିଙ୍କୁ ଆଜି ସମସ୍ତ ବୁଥ୍‌କୁ ପ୍ରେରଣ କରାଯାଇଛି। ସ୍ଥାନୀୟ ଏସ୍‌.ଭି.ଏମ୍ କଲେଜରେ ଏଥିନିମନ୍ତେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ବୁଥ୍ ସଂଖ୍ୟା ୨୬୫ ରୁ ୩୭୩କୁ ବୃଦ୍ଧି କରାଯାଇଛି। ୧୯୪୦ ଜଣ ପ୍ରିଜାଇଡିଙ୍ଗ୍ ପୋଲିଂ ଅଧିକାରୀ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ପୋଲିଂ ପାର୍ଟିକୁ ନେବା ଆଣିବା ପାଇଁ ୧୫୭ଟି ବସ୍‌ର ବ୍ୟବସ୍ଥା କରାଯାଇଛି।

ଉପ-ନିର୍ବାଚନ ନିମନ୍ତେ ୬୨ ଜଣ ସି.ଏ.ପି.ଏଫ୍‌, ୩୭ ଜଣ ୱେବ୍ କାଷ୍ଟିଙ୍ଗ୍‌, ୪୦ ଜଣ ମାଇକ୍ରୋ ଅବଜରଭର୍‌, ୫ଟି ଭିଡ଼ିଓ ଗ୍ରାଫି ନିୟୋଜିତ ହୋଇଛନ୍ତି। ଉପ-ନିର୍ବାଚନ ନିମନ୍ତେ ୩୩ ଜଣ ସେକ୍ଟର ଅଫିସର ନିୟୋଜିତ ହୋଇଛନ୍ତି। ଆଜି ପୋଲିଂ ପାର୍ଟିଙ୍କୁ ୩୭ଟି ଡିସ୍‌ପରସାଲ କାଉଟଂର ମାଧ୍ୟମରେ ପୋଲିଂ ସାମଗ୍ରୀ ପ୍ରଦାନ କରାଯାଇଛି। ଜିଲ୍ଲାପାଳ-ତଥା-ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଏବଂ ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର୍ ଏସ୍‌.ଭି.ଏମ୍ କଲେଜରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ। ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ପି.ରାଜେନ୍ଦ୍ର ଚୋଲନ୍ ପୂର୍ବାହ୍ନରେ ଏସ୍‌.ଭି.ଏମ୍ କଲେଜରେ ଡିସ୍‌ପରସାଲ କାଉଟଂର ବୁଲି ଦେଖିଥିଲେ।

ଅତିରିକ୍ତ ଜିଲ୍ଲାପାଳ-ତଥା-ରିଟର୍ଣ୍ଣିଂ ଅଧିକାରୀ ସଚ୍ଚିଦାନନ୍ଦ ସାହୁ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଚିନ୍ମୟୀ ବିଶ୍ୱାଳ, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଉପ-ଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ବାଲିକୁଦା ତହସିଲଦାର ସିଦ୍ଧାର୍ଥ ଶଙ୍କର ସାହୁ, ଡେପୁଟି କଲେକ୍ଟର ଅଜୟ କୁମାର ମହାନ୍ତି, ସହାୟକ ଜିଲ୍ଲାପାଳ ଦିନେଶ ମିଶ୍ର, ଅକ୍ଷୟ କୁମାର ବଡୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପୋଲିଂ ପାର୍ଟିମାନଙ୍କୁ ସୁବିଧାରେ ବୁଥ୍‌ମାନଙ୍କୁ ପ୍ରେରଣ କରିଥିଲେ।

କୋଭିଡ୍‌-୧୯ କଟକଣା ମାର୍ଗଦର୍ଶିକା ସମ୍ପର୍କରେ ପୋଲିଂ କର୍ମଚାରୀମାନଙ୍କୁ ହେଲପ୍ ଡେସ୍କ୍ ମାଧ୍ୟମରେ ସଚେତନତା କରାଯାଇଥିଲା। ପୋଲିଂ ପାର୍ଟିମାନଙ୍କ ସୁବିଧା ନିମନ୍ତେ କଲେଜ ପରିସରରେ ପାନୀୟ ଜଳ ଯୋଗାଣ ଓ ଶୌଚାଳୟର ସୁବନ୍ଦୋବସ୍ତ କରାଯାଇଥିଲା।

Categories
ଆଞ୍ଚଳିକ

ତିର୍ତ୍ତୋଲ ନେହେରୁପଡିଆରେ ଛାତ୍ର ବିଜେଡିର ସମାବେଶ: ଯୋଗଦେଲେ ଜିଲ୍ଲା ବିଜେଡ଼ି ସଭାପତି ଓ ମହାକାଳପଡ଼ା ବିଧାୟକ

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ସ୍ଥିତ ନେହେରୁ ପଡ଼ିଆ ଠାରେ ବିଜୁ ଛାତ୍ର ଜନତା ଦଳର ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଯୁବନେତା ବିମଳ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ତିର୍ତ୍ତୋଲ ଆଦିକବି ସାରଳା ଦାସ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଭାପତି ଦେବଦତ୍ତ ଦାଶଙ୍କ ନେତୃତ୍ୱରେ ଶତାଧିକ ଛାତ୍ର ଯୋଗଦେଇଥିଲେ।

ଏହି ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ବିଜେଡ଼ି ସଭାପତି ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ସମ୍ମାନିତ ଅତିଥିଭାବେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଜନ୍ମେଜୟ ଲେଙ୍କା ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ  ବ୍ଲକର ଆତ୍ମା ଅଧ୍ୟକ୍ଷ ବସନ୍ତ ମହାପାତ୍ର, ସାଂସଦଙ୍କ ପ୍ରତିନିଧି ପୀତବାସ ଗୋଛାୟତ, ଯୁବନେତା ଗୌରହରି ସାହୁ, ବଟକୃଷ୍ଣ ଦାଶ,ଦେବେନ୍ଦ୍ର ମହାପାତ୍ର,ବିନୟ ମହାପାତ୍ର, ତିର୍ତୋଲ ପଞ୍ଚାୟତ ପର୍ଯ୍ୟବେକ୍ଷକ ଜ୍ଞାନେଦ୍ର ଗିରିଗୋସ୍ୱାମୀ,ଜିଲ୍ଲା ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ଇ° ସମିତ କୁମାର ଲେଙ୍କା ,ବ୍ଲକ ଛାତ୍ର ବିଜେଡ଼ି ସଭାପତି ଦେବୀ ପ୍ରସାଦ ମହାପାତ୍ର , ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ଦେବୀ ପ୍ରସାଦ ଲେଙ୍କା, ରାଜ୍ୟ ଛାତ୍ର ବିଜେଡି ଉପସଭାପତି ବିଜୟ ବସନ୍ତିଆ, ରାଜ୍ୟ ଯୁଗ୍ମ ସମ୍ପାଦକ ପରେଶ ମଲିକ, ଛାତ୍ର ନେତା ଉମାକାନ୍ତ ସ୍ୱାଇଁ, ସମର୍ପଣ ରାଉତ ପ୍ରମୁଖ ଯୋଗଦେଇ ବିଧାୟକ ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ସର୍ବାଧିକ ଭୋଟରେ ବିଜୟୀ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ତିର୍ତ୍ତୋଲ ଉପନିର୍ବାଚନ ନିମନ୍ତେ ଯୋଗଦେଲେ ନିର୍ବାଚନ ଆୟୋଗଙ୍କ ଖର୍ଚ୍ଚ ପର୍ଯ୍ୟବେକ୍ଷକ

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀର ଉପନିର୍ବାଚନ ନିମନ୍ତେ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ଯୋଗେଶ ଶୁଖଦେବ୍ ଚିତ୍ତେ, ଆଇ,ଆର୍,ଏସ୍ ରବିବାର ଦିନ ଯୋଗଦେଇଛନ୍ତି। ସେ ପ୍ରତିଯୋଗୀ ପ୍ରାର୍ଥୀ ଓ ରାଜନୈତିକ ଦଳର ଖର୍ଚ୍ଚ ବିବରଣୀ ତଦାରଖ କରିବେ। ତାଙ୍କର ମୋବାଇଲ୍ ନଂ – ୭୭୫୨୦୯୦୯୭୬ ଓ [email protected] ରେ ଯୋଗାଯୋଗ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେ ସ୍ଥାନୀୟ ସର୍କିଟ ହାଉସ୍ ରେ ଅବସ୍ଥାନ କରୁଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ଉପନିର୍ବାଚନ, କରୋନା ଯୋଗୁଁ ନେତାଙ୍କୁ ଘର ଦେବା ପାଇଁ ଗାଁ ଲୋକେ ରାଜି ହେଉ ନାହାଁନ୍ତି

ଭୁବନେଶ୍ବର, ବର୍ତ୍ତମାନ ତିର୍ତ୍ତୋଲ ଏବଂ ବାଲେଶ୍ବରରେ ସବୁ ଦଳର ନେତାମାନେ ଡେରା ପକାଇଲେଣି। ଆହୁରି ଅନେକ ଭୁବନେଶ୍ବରିଆ ନେତା ସେଠାକୁ ଯିବେ। ହେଲେ ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ନେତାଙ୍କ ପାଇଁ ବଡ ସମସ୍ୟା ଭାବେ ଉଭା ହୋଇଛି ଘର। କାରଣ ଗାଁ ଗହଳିର ଲୋକେ ଭୁବନେଶ୍ବର ପରି କୋରନା ଅଞ୍ଚଳରୁ ଯାଉଥିବା ନେତାମାନଙ୍କୁ ଘର ଦେବାକୁ ଚାହୁଁ ନାହାଁନ୍ତି।

ପ୍ରଥମ କଥା ହେଲେ ଏହି ଦୁଇ ନିର୍ବାଚନ ମଣ୍ଡଳୀର ସ୍ଥିତି ଯାହା ଏତେ ନେତାଙ୍କ ରହିବା ପାଇଁ ସେମିତି ହୋଟେଲ ନାହିଁ। ସେଥିପାଇଁ ନିଜ ନିଜ ଅଞ୍ଚଳର କର୍ମିମାନଙ୍କୁ ନେତାଙ୍କ ରହିବା ପାଇଁ ଘର ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ଅଥବା ନିଜ ଘରେ ରହିବା ପାଇଁ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି। ହେଲେ ଏଥର ଭୁବନେଶ୍ବରରେ କରୋନା ଯୋଗୁଁ କର୍ମିମାନେ ନେତାଙ୍କୁ ନିଜ ଘରେ ସ୍ଥାନ ଦେବାକୁ ଆଗ୍ରହ ପ୍ରକାଶ କରୁ ନାହିଁନ୍ତି। ଫଳରେ ପ୍ରଚାର ପାଇଁ ଯିବାକୁ ଥିବା ନେତାମାନେ ବର୍ତ୍ତମାନ କେଉଁଠି ରହିବେ ସେ ନେଇ ସମସ୍ୟା ଦେଖାଦେଇଛି।

ମୁଖ୍ୟନେତାମାନେ ସହରରେ ରହିବାର ଯେନତେଣ ପ୍ରକାରରେ ବନ୍ଦୋବସ୍ତ ହୋଇପାରୁଛି। ହେଲେ ପଞ୍ଚାୟତ ସ୍ତରର ନେତାଙ୍କ ପାଇଁ ଏହି ସମସ୍ୟା ଆହୁରି ଅଧିକ ହୋଇଛି। ଯେତେ ଯାହା ବୁଝାଇଲେ ବି ଗାଁ ଗହଳିର ଲୋକେ ଭୁବନେଶ୍ବରରୁ ଯାଉଥିବା ନେତାଙ୍କୁ ଘର ଦେବାକୁ ଆଦୌ ରାଜି ହେଉ ନାହାଁନ୍ତି। ହେଲେ ଲୋକଙ୍କୁ ଉଚ୍ଚା ଦରରେ ଭଡା ଦେବାର ପ୍ରତିଶୃତି ଦେଇ ନେତାମାନେ ସେମାନଙ୍କ ଘର ନେବାକୁ ଚେଷ୍ଠା କରୁଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଶେଷ ଦିନରେ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ଓ ୨ଜଣ ସ୍ୱାଧୀନ ପ୍ରାର୍ଥୀ

ରମେଶ ମହାନ୍ତି

ଜଗତସିଂହପୁର: ନାମାଙ୍କନପତ୍ର ଦାଖଲର ଆଜି ଶେଷ ଦିନ ଥିବାବେଳେ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ଓ ଦୁଇଜଣ ସ୍ୱାଧୀନ ପ୍ରାର୍ଥୀ ସଚିତ୍ର ମଲ୍ଲିକ ଏବଂ ଗୋଲାପ ମଞ୍ଜରି ଭୋଇ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି।

ବହୁ ଦଳୀୟ କର୍ମୀଙ୍କ ସହ ବିଜୟ ଶଙ୍କର ଦାସ ଏକ ରାଲିରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ନିଜର ନାମାଙ୍କନପତ୍ର ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ସଚ୍ଚିଦାନନ୍ଦ ଦାସଙ୍କ ନିକଟରେ ଦାଖଲ କରିଛନ୍ତି।
ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ସେ ପ୍ରଥମେ ଜଗତ୍‌ସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ଦର୍ଶନ କରିଥିଲେ ।କରୋନା କଟକଣା ପାଇଁ ସର୍ବସାଧାରଣଙ୍କୁ ମନ୍ଦିର ଭିତରକୁ ଯିବା ପାଇଁ ଅନୁମତି ନଥିବାରୁ ମନ୍ଦିରର ମୁଖ୍ୟ ଦ୍ୱାର ବାହାରେ ସେ ପୂଜାର୍ଚ୍ଚନା କରିଥିଲେ। ବିଜୟଙ୍କ ସହ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଓ ଜଗତସିଂହପୁର ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ମୁଦୁଲିଙ୍କ ସମେତ ତିର୍ତ୍ତୋଲ, ରଘୁନାଥପୁର ଓ ବିରିଡ଼ି ବ୍ଲକର ବହୁ ତୁଙ୍ଗ ନେତା ସାମିଲ ହୋଇଥିଲେ।

ଏଥିସହିତ ନାମାଙ୍କନପତ୍ର ଦାଖଲର ଆଜି ଶେଷ ଦିନ ଥିବାବେଳେ ଆଜି ସୁଦ୍ଧା ମୋଟ୍ ୯ଜଣ ପ୍ରାର୍ଥୀ ନିଜର ନାମାଙ୍କନପତ୍ର ଦାଖଲ କରିଥିବା ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ

ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ରମେଶ ମହାନ୍ତି
ଜଗତସିଂହପୁର: ଆଜି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ୧୦୨ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ନିମନ୍ତେ ଜିଲ୍ଲାସ୍ତରୀୟ ମାଷ୍ଟର ଟ୍ରେନର୍, ବିଧାନସଭା ସ୍ତରୀୟ ମାଷ୍ଟର ଟ୍ରେନର୍, ରିଟର୍ଣ୍ଣିଂ ଅଫିସର, ସହକାରୀ ରିଟର୍ଣ୍ଣିଂ ଅଫିସର ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଓଡିଶାଙ୍କ ଦ୍ୱାରା ନିୟୋଜିତ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନର୍ ପରିଚାଳନା କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଡେପୁଟି ସିଇଓ ତଥା ଉପଶାସନ ସଚିବ ଗୃହବିଭାଗ ପ୍ରମୋଦ କୁମାର ସାହୁ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସଂଗ୍ରାମ କେଶରୀ ମହାପାତ୍ର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଯେପରି ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ହୋଇପାରିବ ସେଥିପ୍ରତି ସମସ୍ତ ଅଧିକାରୀମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ସଚିଦାନନ୍ଦ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଚିନ୍ମୟୀ ବିଶ୍ୱାଳ, ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ସହକାରୀ ରିଟର୍ଣ୍ଣିଂ ଅଧିକାରୀ ତଥା ତହସିଲଦାର,ବିରିଡି ଓ ରଘୁନାଥପୁର ଏବଂ ୨୦ଜଣ ଜିଲ୍ଲାସ୍ତରୀୟ ମାଷ୍ଟର ଟ୍ରେନର୍ ଓ ବିଧାନସଭା ସ୍ତରୀୟ ମାଷ୍ଟର ଟ୍ରେନର୍ ମାନେ ଉପସ୍ଥିତ ଥିଲେ। ରାଜ୍ୟ ସ୍ତରୀୟ ଟ୍ରେନରଙ୍କ ମଧ୍ୟରେ ରଘୁରାମ ଆର୍.ଆୟାର୍ ,ଅତିରିକ୍ତ ନିର୍ଦ୍ଦେଶକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶୈଳେନ୍ଦ୍ର କୁମାର ଜେନା, ଉପଶାସନ ସଚିବ କ୍ରୀଡ଼ା ଓ ଯୁବ ବ୍ୟାପାର ରାମକୃଷ୍ଣ ଟୁଙ୍ଗା ,ଏ.ଏସ୍.ଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନିର୍ବାଚନ ଖର୍ଚ୍ଚ ପରିଚାଳନା, ଆଦର୍ଶ ଆଚରଣ ବିଧି, ଅନୁପାଳନ, ପୋଷ୍ଟାଲ୍ ବ୍ୟାଲଟ୍, ଅନଲାଇନ ନୋମିନେସନ, କୋଭିଡ୍ ୧୯ ସଂପର୍କୀୟ ମାର୍ଗଦର୍ଶିକା ସମ୍ପର୍କରେ ଆଲୋଚନା ହୋଇଥିଲା। ଶେଷରେ ସହକାରୀ ଜିଲ୍ଲାପାଳ ନିର୍ବାଚନ ଦିନେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କୋଭିଡ କଟକଣା ଭିତରେ ଓଡିଶାର ଦୁଇ ଉପନିର୍ବାଚନରେ ହେବ ଭୋଟ ଗ୍ରହଣ, ଜାଣନ୍ତୁ କିପରି

ଭୁବନେଶ୍ବର, ଓଡିଶାର ଦୁଇଟି ନିର୍ବାଚନ ମଣ୍ଡଳୀ ତିର୍ତ୍ତୋଲ ଏବଂ ବାଲେଶ୍ବର ସଦର ଆସନରେ ଉପନିର୍ବାଚନ ହେବ। ଏ ନେଇ ଆଜି ଉପନିର୍ବାଚନର ସମସ୍ତ ତଥ୍ୟ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଦାନ କରିଛନ୍ତି। ସେହି ଅନୁସାରେ ଆସନ୍ତା ନଭେମ୍ବର ୩ ତାରିଖରେ ହେବ ଭୋଟଗ୍ରହଣ ।

ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପକ୍ରିୟା ନିମ୍ନ ତାରିଖ ଧାର୍ଯ୍ୟ କରାଯାଇଛି।

ଅକ୍ଟୋବର ୯- ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି

ଅକ୍ଟୋବର ୧୬- ନାମାଙ୍କନ ଦାଖଲର ଶେଷ ତାରିଖ

ଅକ୍ଟୋବର ୧୭- ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ

ଅକ୍ଟୋବର ୧୯-ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ

ନଭେମ୍ବର ୩-ଭୋଟଗ୍ରହଣ

ନଭେମ୍ବର ୧୦-ଭୋଟଗଣତି

ନଭେମ୍ବର ୧୨- ସମସ୍ତ ନିର୍ବାଚନ ପକ୍ରିୟା ଶେଷ ହୋଇ ଆଚରଣ ବିଧି ପ୍ରତ୍ୟାହାର

ତେବେ ଏଥର ଭୋଟ ଗ୍ରହଣ ପକ୍ରିୟା ପୁରା କୋଭିଡ କଟକଣା ଭିତରେ କରାଯିବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି। ସେହି ଅନୁସାରେ

୧-ପ୍ରାର୍ଥୀମାନେ ସେମାନଙ୍କର ପ୍ରାର୍ଥୀପତ୍ର ଉଭୟ ଅନଲାଇନ୍ ଓ ଅଫଲାଇନରେ ଦାଖଲ କରିପାରିବେ

୨- ସିଧା ବା ଅଫଲାଇନ୍ ନାମାଙ୍କନ ସମୟରେ ପ୍ରାର୍ଥୀ ମାତ୍ର ଦୁଇ ଜଣଙ୍କୁ ସାଥୀରେ ନେଇ ଯାଇପାରିବେ

୩-ପ୍ରାର୍ଥୀ ନାମାଙ୍କନ ସମୟରେ ୨ଟିରୁ ଅଧିକ ଗାଡି ନେଇ ଯାଇପାରିବେ ନାହିଁ

୪-ନିର୍ବାଚନ ପ୍ରଚାର ସମୟରେ ୫ରୁ ଅଧିକ ଲୋକ କାହା ଘରକୁ ଯାଇପାରିବେ ନାହିଁ

୫-ଡିଜିଟାଲ ମାଧ୍ୟମରେ ପ୍ରାର୍ଥୀଙ୍କ ପ୍ରଚାରକୁ ଅଧିକ ଗୁରୁତ୍ୱ ଦେବା ପାଇଁ ପ୍ରାର୍ଥୀମାନଙ୍କୁ କୁହାଯିବ

୬-ମତଦାନ ସମୟରେ ଜନଗହଳି ନିୟନ୍ତ୍ରଣ ଉପରେ ଧ୍ୟାନ ଦିଆଯିବ, ମାତ୍ର ଏକ ହଜାର ଭୋଟରଙ୍କୁ ନେଇ ବୁଥ କରାଯିବ

୭-ଉପ-ନିର୍ବାଚନରେ କରୋନା ପୀଡିତ ବି କରିପାରିବେ ମତଦାନ, ସେମାନେ ଶେଷ ସମୟରେ ଭୋଟ୍ ଦେବା ପାଇଁ ଅନୁମତି ଦିଆଯିବ

ଭୋଟଗ୍ରହଣ ସମୟରେ ଭିଡ ବା ଲୋକ ଗହଳି ହ୍ରାସ କରିବା ପାଇଁ ଏଥର ଅଧିକ ବୁଥର ଯୋଜନା କରାଯାଇଛି। ସେହି ଅନୁସାରେ ବାଲେଶ୍ବର ପାଇଁ ମୋଟ ବୁଥ ସଂଖ୍ୟା ୩୪୬ଟି କରାଯାଇଥିବା ବେଳେ ସେଥିରେ ମୁଖ୍ୟ ବୁଥ ୧୯୮ଟି ଏବଂ ଶାଖା ବୁଥ ୧୪୮ଟି କରାଯାଇଛି। ସେହିପରି ତିର୍ତ୍ତୋଲ ପାଇଁ ମୋଟି ଭୋଟ ଗ୍ରହଣ କେନ୍ଦ୍ର ୩୭୩ଟି ମଧ୍ୟରୁ ମୁଖ୍ୟ ବୁଥ ୨୬୫ ଏବଂ ଶାଖା ବୁଥ ୧୦୮ଟି କରାଯାଇଛି।

ବର୍ତ୍ତମାନ ଏହି ଉପନିର୍ବାଚନ ପକ୍ରିୟାରେ ଦୁଇଟି ଆସନରୁ ଯେଉଁ ସଂଖ୍ୟାରେ ଭୋଟର ଅଛନ୍ତି ତାହା ହେଲା

ବାଲେଶ୍ବର ନିର୍ବାଚନ ମଣ୍ଡଳିର ଭୋଟର ସଂଖ୍ୟା ହେଲା

ମୋଟ ଭୋଟର- ୨ ଲକ୍ଷ ୨୬ ହଜାର ୫ ଶହ ୮୬

ପୁରୁଷ ଭୋଟର-୧ ଲକ୍ଷ ୧୬ ହଜାର ୮ ଶହ ୮୪

ମହିଳା ଭୋଟର-୧ ଲକ୍ଷ ୯ ହଜାର ୬ ଶହ ୯୩

ଅନ୍ୟାନ୍ୟ-୯

ସେହିପରି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳିର ଭୋଟର ସଂଖ୍ୟା ହେଲା

ମୋଟ ଭୋଟର- ୨ ଲକ୍ଷ ୩୮ ହଜାର ୫୬

ପୁରୁଷ ଭୋଟର- ୧ ଲକ୍ଷ ୨୩ ହଜାର ୬୦୦

ଅନ୍ୟାନ୍ୟ-୨୮

ନିର୍ବାଚନ ଘୋଷଣା ଦିନଠାରୁ ଉଭୟ ଜଗତସିଂହପୁର ଏବଂ ବାଲେଶ୍ବର ଜିଲ୍ଲାରେ ଆଚରଣ ବିଧି ଲାଗୁ ହୋଇଯାଇଛି। ଏହା ସମସ୍ତ ରାଜନୈତିକ ଦଳ, ପ୍ରାର୍ଥୀ ଏବଂ ସରକାରଙ୍କ ଉପରେ ଲାଗୁ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ତିର୍ତ୍ତୋଲ ଅଞ୍ଚଳ ପାଇଁ ୨୦୦ କୋଟି ଟଙ୍କାର ଦୁଇଟି ସେତୁର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର, ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ତିର୍ତ୍ତୋଲ ପାଇଁ ଚଳଚଞ୍ଚଳ ହୋଇପଡିଛି ଶାସକ ବିଜେଡି। ଆଜି ସେହି ଅଞ୍ଚଳର ମହାନଦୀ ଉପରେ ଦୁଇଟି ବ୍ରିଜର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୋଟିଏ ହେଲା  ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୧୮.୫୬ କୋଟି ଟଙ୍କା ବ୍ୟୟରେ ତିର୍ତ୍ତୋଲ ପୋଷଳ ହାଇ ଲେବେଲ ସେତୁ। ଅନ୍ୟଟି ହେଲା ପୂର୍ତ୍ତ ବିଭାଗ ପକ୍ଷରୁ ମହାନଦୀ ଉପରେ ୮୨ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟରେ ଜଇପୁର-କଟିକଟା ହାଇଲେବେଲ ସେତୁ।

ଏହି ଦୁଇଟି ସେତୁ ଦ୍ବାରା ତିର୍ତ୍ତୋଲ ସହିତ କଟକ ଓ କେନ୍ଦ୍ରାପଡା ଜିଲ୍ଲାର ୨୮ଟି ଗ୍ରାମ ପଞ୍ଚାୟତର ପ୍ରାୟ ଦେଢ ଲକ୍ଷ ଲୋକ ଉପକାର ପାଇବେ। ଢେଙ୍କାନାଳରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଇସ୍ପାତ, ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଦୃଢ ସଂକଳ୍ପ ନେଇ ଓଡିଶାର ବିକାଶ ପାଇଁ କାମ କରିଆସୁଛନ୍ତି। ଆଜି ଏହି ଦୁଇଟି ସେତୁ ଠିକ୍‌ ସମୟରେ ସଂପୂର୍ଣ୍ଣ ହେବ ଏବଂ ବିକାଶ ପ୍ରକ୍ରିୟାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡିଶାରେ ଗମନା ଗମନ କ୍ଷେତ୍ରରେ ବହୁତ ଉନ୍ନତି ହୋଇଛି । ଆଜି ଏହି ଦୁଇଟି ସେତୁ ଦ୍ବାରା ତିର୍ତ୍ତୋଲ, ପାଟକୁରା ଓ ମାହାଙ୍ଗା ଅଞ୍ଚଳର ଦେଢ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ । ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ କହିଥିଲେ ଯେ ଏହି ଦୁଇଟି ସେତୁ ଜିଲ୍ଲାର ବିକାଶ ଇତିହାସରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିବ ।

ମୁଖ୍ୟମନ୍ତ୍ରୀ କୋଭିଡ ଲଢେଇର ବ୍ୟସ୍ତତା ମଧ୍ୟରେ ମଧ୍ୟ ଜଗତସିଂହପୁର ଜିଲ୍ଲାର ବିକାଶ ପାଇଁ ନିୟମିତ ଉଦ୍ୟମ କରିଚାଲିଛନ୍ତି ବୋଲି କହି ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। ଏହି ଅବସରରେ ଜଗତସିଂହପୁର ସାଂସଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ ମୁଦୁଲି, ପାରାଦୀପ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ ପ୍ରମୁଖ ସେମାନଙ୍କ ବକ୍ତବ୍ୟ ରଖିଥିଲେ।

ଉନ୍ନୟନ କମିଶନର, ସ୍ବତନ୍ତ୍ର ରିଲିଫ କମିଶନର, ଅର୍ଥ ବିଭାଗ ପ୍ରମୁଖ ସଚିବ, ପୂର୍ତ୍ତ ବିଭାଗ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ଉପନିର୍ବାଚନ: ପ୍ରାର୍ଥୀମାନେ ସେମାନଙ୍କ ଅପରାଧିକ କାର୍ଯ୍ୟ ସଂପର୍କରେ ପ୍ରଚାର କରାଇବାକୁ ବାଧ୍ୟ

ଭୁବନେଶ୍ୱର, ଉପନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀ ଓ ରାଜନୈତିକ ଦଳମାନେ ତିନୋଟି ପର୍ଯ୍ୟାୟରେ ପ୍ରାର୍ଥୀଙ୍କର ଅପରାଧ ପ୍ରବଣ ପୃଷ୍ଠଭୂମି ଛାପା ଓ ଇଲଟ୍ରୋନିକ୍ ଗଣମାଧ୍ୟମ ଜରିଆରେ ପ୍ରଚାର ପ୍ରସାର କରାଇବେ। ଆଜି ଏ ନେଇ ନିର୍ବାଚନ ଅଧିକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେହେତୁ ଓଡ଼ିଶାର ବାଲେଶ୍ୱର ଓ ତିର୍ତ୍ତୋଲ ଆସନରେ ଉପନିର୍ବାଚନ ହେବାକୁ ଯାଉଛି ସେଥିପାଇଁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଏଥିରେ କୁହାଯାଇଛି ଯେ, ପ୍ରଥମ ପର୍ଯ୍ୟାୟ ପ୍ରଚାର ପ୍ରସାର ପାଇଁ ପ୍ରାର୍ଥୀ ଓ ରାଜନୈତିକ ଦଳମାନେ ନାମାଙ୍କନ ପତ୍ର ପ୍ରତ୍ୟାହାରର ପ୍ରଥମ ଚାରିଦିନ ମଧ୍ୟରେ କରାଇବେ । ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ପ୍ରସାର ନାମାଙ୍କନ ପତ୍ର ପ୍ରାତ୍ୟାହାରର ପଞ୍ଚମରୁ ଅଷ୍ଟମ ଦିନ ମଧ୍ୟରେ ଏବଂ ସେହିପରି ତୃତୀୟ ପର୍ଯ୍ୟାୟ ପ୍ରଚାର ପ୍ରସାର ନାମାଙ୍କନ ପତ୍ର ପ୍ରତ୍ୟାହାରର ନବମ ଦିନଠାରୁ ନିର୍ବାଚନ ପ୍ରଚାରର ଶେଷ ଦିନ ମଧ୍ୟରେ ଅର୍ଥାତ୍‌ ଭୋଟ ଗ୍ରହଣର ଦୁଇଦିନ ପୂର୍ବରୁ କରାଇବେ।

ଅପ୍ରତିଦ୍ୱନ୍ଦୀ ପ୍ରାର୍ଥୀମାନଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ଭାବେ ଛାପା ଓ ଇଲଟ୍ରୋନିକ୍ ଗଣମାଧ୍ୟମ ଜରିଆରେ ପ୍ରାର୍ଥୀଙ୍କର ଅପରାଧ ପ୍ରବଣ ପୃଷ୍ଠଭୂମି ସଂପର୍କରେ ପ୍ରଚାର ପ୍ରସାର କରାଇବା ନିମନ୍ତେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଛ।

Categories
ଆଞ୍ଚଳିକ

ତିର୍ତ୍ତୋଲର ବନ୍ୟାଞ୍ଚଳ ପରିଦର୍ଶନ କଲେ ଜଳସମ୍ପଦ ମନ୍ତ୍ରୀ,ସାଂସଦ ଓ ପୂର୍ବତନ ବିଧାୟକ

ରମେଶ ମହାନ୍ତି 

ଜଗତସିଂହପୁର: ଆଜି ଓଡ଼ିଶାର ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ତିର୍ତ୍ତୋଲ ବ୍ଲକ ର ବନ୍ୟାଞ୍ଚଳ ପରିଦର୍ଶନ କରି ଗ୍ରାମବାସୀଙ୍କ ସହିତ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି।ମନ୍ତ୍ରୀଙ୍କ ସହିତ ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ ଓ ତିର୍ତ୍ତୋଲର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ପରିଦର୍ଶନ ସମୟରେ ଉପସ୍ଥିତ ରହି ଲୋକମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।କ୍ରିଷ୍ଣାନନ୍ଦପୁର ଠାରେ ମନ୍ତ୍ରୀ ଶ୍ରୀ ଦାସ ପାଇକା ନଦୀବନ୍ଧ ଉନ୍ନୟନ ସମ୍ପର୍କରେ ସାଂସଦ, ପୂର୍ବତନ ବିଧାୟକ ଓ ଜଳସମ୍ପଦ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ସମୀକ୍ଷା କରିଥିଲେ।ଏଥିସହିତ ଶଙ୍ଖେଶ୍ୱର ଗ୍ରାମ ପରିଦର୍ଶନ କରି ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିସାରିବା ପରେ ଶଙ୍ଖେଶ୍ୱର ସ୍ଥିତ ହନୁମାନ ମନ୍ଦିରରେ ସମସ୍ତେ ପ୍ରସାଦ ସେବନ କରିଥିଲେ। ଏଥିସହିତ ଉପରବେଳା ମନ୍ତ୍ରୀ ଓ ସାଂସଦ କଟରା ପଞ୍ଚାୟତ ଓ ପଟିଲୋ ପଞ୍ଚାୟତ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜରାସ୍ତାରେ ସଙ୍ଗରୋଧୀ ପ୍ରବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ: ତିର୍ତ୍ତୋଲରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ରମେଶ ମହାନ୍ତି

ଜଗତସିଂହପୁର: ସଙ୍ଗରୋଧ କେନ୍ଦ୍ରରେ ବିଭିନ୍ନ ପ୍ରକାର ଅବ୍ୟବସ୍ଥାକୁ  ନେଇ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କଲେ ସଙ୍ଗରୋଧୀ ପ୍ରବାସୀ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ।

ସୂଚନା ଯୋଗ୍ୟ ଯେ, ତିର୍ତ୍ତୋଲ ଆଦିକବି ସାରଳାଦାସ କଲେଜରେ ଚାଲୁଥିବା କରୋନା ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀଙ୍କୁ ଅସ୍ୱାସ୍ଥ୍ୟକର ପରିବେଶ, ନିମ୍ନମାନର ଖାଦ୍ୟ ଦିଆଯିବା ସାଙ୍ଗକୁ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ଏପରିକି ଏହି ସଙ୍ଗରୋଧ କେନ୍ଦ୍ରରେ କରୋନା ପଜିଟିଭ ଚିହ୍ନଟ ହେବାପରେ ମଧ୍ୟ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ତେବାସୀଙ୍କୁ କରୋନା ପରୀକ୍ଷା କରାନଯାଇ ଜୋରଜବରଦସ୍ତ ଘରକୁ ପଠାଇଦିଆଯାଉଥିବା ଅଭିଯୋଗ ହୋଇଛି।

ପ୍ରଶାସନିକ ଅଧିକାରୀମାନେ ସେମାନଙ୍କ କଥା ଶୁଣୁନାହାଁନ୍ତି ଘରୁ ଉଠାଇଆଣି ଏଠାରେ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ କରିଥିଲେ। ଜିଲ୍ଲାରେ ତିର୍ତ୍ତୋଲ ବ୍ଲକରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଠାରେ କିନ୍ତୁ ପ୍ରଶାସନିକ ଅଧିକାରୀମାନଙ୍କ ମନମାନି ଚାଲିଥିବା କୁହାଯାଉଛି। ସଙ୍ଗରୋଧ କେନ୍ଦ୍ରରେ ତିର୍ତ୍ତୋଲ କଲେଜ ସଙ୍ଗରୋଧ କେନ୍ଦ୍ରରେ ନେଗେଟିଭ ଚିହ୍ନଟ ହୋଇସାରିଥିବା ଓ ଘର ସଙ୍ଗରୋଧରେ ରହୁଥିବା ପ୍ରବାସୀଙ୍କୁ ଜୋରଜବରଦସ୍ତ ଘରୁ ଉଠାଇଆଣି ସଙ୍ଗରୋଧ କେନ୍ଦ୍ରରେ ରଖି ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି। ଏପରିକି କରୋନା ପଜିଟିଭ ଚିହ୍ନଟ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଲା ପରେ ମଧ୍ୟ ସେମାନଙ୍କ କରୋନା ଟେଷ୍ଟ କରାନଯାଇ ଘରକୁ ଜୋରଜବରଦସ୍ତ ପଠାଇବା ଘରୁ ରୋଗମୁକ୍ତ ହୋଇଆସି ଘରକୁ ରୋଗନେଇ ଯିବାର ବନ୍ଦୋବସ୍ତ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। କରୋନା ନିୟନ୍ତ୍ରଣ ପାଇଁ ପ୍ରଶାସନ ଦିନରାତି ଏକ କରିଦେଇଥିବା କହୁଥିବା ବେଳେ କରୋନା ସଙ୍ଗରୋଧ କେନ୍ଦ୍ର ଗୁଡିକରେ ବ୍ୟାପକ ଅନିୟମିତତା ଚାଲିଥିବା ଏହି ଘଟଣାରୁ ବାରିହୋଇ ପଡୁଥିବା କୁହାଯାଉଛି।

ଏହାକୁ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ନଶୁଣିବାରୁ ତିର୍ତ୍ତୋଲ କଲେଜ ସଙ୍ଗରୋଧ କେନ୍ଦ୍ରରେ ଥିବା ୮୦ଜଣ ଅନ୍ତେବାସୀ କଲେଜ ଫାଟକ ସମ୍ମୁଖରେ ଥିବା କଟକ-ପାରାଦ୍ୱୀପ ରାସ୍ତାରେ ଆଜି ମଧ୍ୟାହ୍ନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ଏନେଇ ତିର୍ତ୍ତୋଲ ତହସିଲଦାର ଓ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅନେକ ସମୟଧରି ସେମାନଙ୍କୁ ବୁଝାସୁଝା କରିଥିଲେ ଓ କରୋନା ଟେଷ୍ଟର ପ୍ରତିଶୃତି ପାଇବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା। ଜଗତସିଂହପୁର ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସଙ୍ଗରୋଧ କେନ୍ଦ୍ରରେ କରୋନା ପଜିଟିଭ ରୋଗୀଙ୍କ ସହ ମିଶିଥିବା ଅନ୍ତେବାସୀଙ୍କୁ ବିନା ଟେଷ୍ଟରେ ଘରକୁ ଛାଡିବା ଏହା ଗୋଷ୍ଠୀ ସଂକ୍ରମଣର ବାଟ ଖୋଲୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ଉଲ୍ଲେଖ୍ୟ ଯୋଗ୍ୟ କି, ଜଗତସିଂହପୁର ଜିଲ୍ଲାରେ ସାତଶହ ସାତଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ବେଳେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଜଗତସିଂହପୁର ଜିଲ୍ଲାର ଆଠଟି ବ୍ଲକ ମଧ୍ୟରୁ ତିର୍ତ୍ତୋଲ ବ୍ଲକରେ ସର୍ବାଧିକ ୧୩୬ଜଣ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ତିର୍ତ୍ତୋଲ ଅଂଚଳରେ ଲୋକଙ୍କୁ ଗୋଡେଇ କାମୁଡୁଛନ୍ତି ମାଙ୍କଡ: ୧୦ ଆହତ ୧ ଗୁରୁତର

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅଂଚଳରେ ଏବେ ଆତଙ୍କରାଜ ଚଳାଇଛନ୍ତି ମାଙ୍କଡ। ଲୋକଙ୍କୁ ଦେଖିବାକ୍ଷଣି ଗୋଡେଇ ଗୋଡେଇ କାମୁଡୁଛନ୍ତି ଏହି ମାଙ୍କଡମାନେ। ସୂଚନାନୂଯାୟୀ ଉକ୍ତ ବ୍ଲକ ଅନ୍ତର୍ଗତ ଦଣ୍ଡମିର, ଆହାଣା, ବାଲିଝରୀ ଗ୍ରାମ ମାନଙ୍କରେ ମାଙ୍କଡ ଆତଙ୍କ ଯୋଗୁଁ ଲୋକେ ଭୟଭିତ ହୋଇ ଘରୁ ବାହାରିବା ମୁସ୍କିଲ ହୋଇଗଲାଣି। କିଛିଦିନ ତଳେ ଦଣ୍ଡମିର, ଆହାଣା, ବାଲିଝରି ଗ୍ରାମର ୧୦ଜଣରୁ ଉର୍ଦ୍ଧ ମହିଳା ଓ ପୁରୁଷଙ୍କୁ ମାଙ୍କଡ କାମୁଡିଥିବା ବେଳେ ବାଲିଝାରି ଗ୍ରାମର କଣ୍ଡୁରୀ ଘଡେଇ, ଆହାଣା ଗ୍ରାମର ସାକୁଲି ସେଠୀ, ଦଣ୍ଡମିର ଗ୍ରାମର ବନଲତା କାଣ୍ଡି ପ୍ରମୂଖ ମାଙ୍କଡ କାମୁଡାରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏଥିସହିତ ଗତକାଲି ଦିନ ତିନିଟା ବେଳେ ଆହାଣା ଗ୍ରାମର ଜିତେନ ଘଡେଇଙ୍କ ପତ୍ନି୍ଙ୍କ ଡାହାଣ ହାତକୁ ମାଙ୍କଡ କାମୁଡି ପୁଳାଏ ମାଉଁସ ନେଇଯାଇ ଗାଡ କରିଦେଇଥିଲା। ଯଥାଶିଘ୍ର ତାଙ୍କୁ ଚିକିତ୍ସା ପାଇଁ ସ୍ଥାନିୟ ମଣିଜଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଆହତ ଯୋଗୁଁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ସେ କଟକରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ବୋଲି ଜଣାପଡିଛି।

ଉକ୍ତ ଅଂଚଳରେ ଏବେ ମାଙ୍କଡ ଆତଙ୍କ ଯୋଗୁଁ ଛୋଟପିଲା ଠାରୁ ବୁଢାବୁଢି ଯାଏ ସମସ୍ତେ ଭୟଭିତ ଅବସ୍ଥାରେ ଅଛନ୍ତି। ଏପରିକି ବାପା ମା’ ମାନେ ତାଙ୍କ ପିଲାମାନଙ୍କୁ ପାଠପଢିବା ପାଇଁ ବିଦ୍ୟାଳୟକୁ ପଠାଇବାକୁ ମଧ୍ୟ ସୁରକ୍ଷିତ ମଣୁନାହାଁନ୍ତି। ଏହି ଦୁଷ୍ଟ ମାଙ୍କଡମାନଙ୍କ ଆତଙ୍କରେ ଅତିଷ୍ଠ ହୋଇ ସ୍ଥାନିୟ ଗ୍ରାମବାସୀ ତିର୍ତ୍ତୋଲ ତହସିଲ୍ ରେ ଲିଖିତ ଅଭିଯୋଗ କରି ପ୍ରଶାସନର ସହାୟତା ଲୋଡିଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ଯଥାଶିଘ୍ର କୌଣସି ପଦକ୍ଷପ ନିଆ ନଗଲେ ସ୍ଥାନୀୟ ଗ୍ରାମବାସି ରାଜରାସ୍ତାକୁ ଓହ୍ଲାଇବେ ବୋଲି ଜଣାପଡିଛି।