ଓଡିଶା ଉପନିର୍ବାଚନ: ପ୍ରାର୍ଥୀମାନେ ସେମାନଙ୍କ ଅପରାଧିକ କାର୍ଯ୍ୟ ସଂପର୍କରେ ପ୍ରଚାର କରାଇବାକୁ ବାଧ୍ୟ

Published: Sep 16, 2020, 7:00 pm IST

ଭୁବନେଶ୍ୱର, ଉପନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀ ଓ ରାଜନୈତିକ ଦଳମାନେ ତିନୋଟି ପର୍ଯ୍ୟାୟରେ ପ୍ରାର୍ଥୀଙ୍କର ଅପରାଧ ପ୍ରବଣ ପୃଷ୍ଠଭୂମି ଛାପା ଓ ଇଲଟ୍ରୋନିକ୍ ଗଣମାଧ୍ୟମ ଜରିଆରେ ପ୍ରଚାର ପ୍ରସାର କରାଇବେ। ଆଜି ଏ ନେଇ ନିର୍ବାଚନ ଅଧିକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେହେତୁ ଓଡ଼ିଶାର ବାଲେଶ୍ୱର ଓ ତିର୍ତ୍ତୋଲ ଆସନରେ ଉପନିର୍ବାଚନ ହେବାକୁ ଯାଉଛି ସେଥିପାଇଁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଏଥିରେ କୁହାଯାଇଛି ଯେ, ପ୍ରଥମ ପର୍ଯ୍ୟାୟ ପ୍ରଚାର ପ୍ରସାର ପାଇଁ ପ୍ରାର୍ଥୀ ଓ ରାଜନୈତିକ ଦଳମାନେ ନାମାଙ୍କନ ପତ୍ର ପ୍ରତ୍ୟାହାରର ପ୍ରଥମ ଚାରିଦିନ ମଧ୍ୟରେ କରାଇବେ । ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ପ୍ରସାର ନାମାଙ୍କନ ପତ୍ର ପ୍ରାତ୍ୟାହାରର ପଞ୍ଚମରୁ ଅଷ୍ଟମ ଦିନ ମଧ୍ୟରେ ଏବଂ ସେହିପରି ତୃତୀୟ ପର୍ଯ୍ୟାୟ ପ୍ରଚାର ପ୍ରସାର ନାମାଙ୍କନ ପତ୍ର ପ୍ରତ୍ୟାହାରର ନବମ ଦିନଠାରୁ ନିର୍ବାଚନ ପ୍ରଚାରର ଶେଷ ଦିନ ମଧ୍ୟରେ ଅର୍ଥାତ୍‌ ଭୋଟ ଗ୍ରହଣର ଦୁଇଦିନ ପୂର୍ବରୁ କରାଇବେ।

ଅପ୍ରତିଦ୍ୱନ୍ଦୀ ପ୍ରାର୍ଥୀମାନଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ଭାବେ ଛାପା ଓ ଇଲଟ୍ରୋନିକ୍ ଗଣମାଧ୍ୟମ ଜରିଆରେ ପ୍ରାର୍ଥୀଙ୍କର ଅପରାଧ ପ୍ରବଣ ପୃଷ୍ଠଭୂମି ସଂପର୍କରେ ପ୍ରଚାର ପ୍ରସାର କରାଇବା ନିମନ୍ତେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଛ।

Related posts