Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଉପନିର୍ବାଚନରେ ମଧ୍ୟ ଭୋଟରଙ୍କ ମୁଡ୍ ସେହି ନବୀନ, ଲୋକଙ୍କୁ ମନେଇବାରେ ବିଫଳ ବିରୋଧୀ ଦଳ

ଭୁବନେଶ୍ୱର: ଦୀର୍ଘ ୨୧ ବର୍ଷର ରାଜ୍ୟ ଶାସନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ଳାନ୍ତ ଓ ଅବଶ କରିପାରିନି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଓଡ଼ିଶାରେ ତିଆରି ହୋଇଥିବା ବିଜୁ ଜନତା ଦଳ ଶାସନକ୍ଷମତାକୁ ଆସିବା ପୂର୍ବରୁ ରାଜ୍ୟରେ ଅନେକ ନେତା ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ନବୀନଙ୍କ ଭଳି ନିରଙ୍କୁସ, ସଂଖ୍ୟା ଗରିଷ୍ଠତା ହାସଲ କରି ଏଭଳି ଦୀର୍ଘ ବର୍ଷ ଶାସନ କ୍ଷମତାରେ ରହିବା ଭଳି ଐତିହାସିକ ସୁଯୋଗ କାହାକୁ ମିଳି ନ ଥିଲା। ଦୁର୍ନୀତି ଯୋଗୁ ଅତୀତର କଂଗ୍ରେସ ଶାସନ ବେଳେ ଯେଭଳି ବିକାଶ ହେବା କଥା ତାହା ହୋଇ ନ ଥିବାରୁ ନବୀନ ପ୍ରଥମେ ଦୁର୍ନୀତି ଉପରେ ରୋକ ଲଗାଇ ଦୁର୍ନୀତିଗ୍ରସ୍ତ ନେତାଙ୍କୁ ଦଳରୁ ତଡି ଦେଲେ। ଫଳରେ ଓଡ଼ିଆ ଲୋକଙ୍କ ଆଶା ଓ ଭରସାର ପ୍ରତୀକ ହୋଇ ଗଲେ ନବୀନ।

ପ୍ରଥମ ପାଳି ସରକାର ଗଠନ ବେଳେ ଭାରତୀୟ ଜନତା ପାର୍ଟି ସହ ମେଣ୍ଟ କରିଥିବା ବିଜେଡି ଆଉ ମେଣ୍ଟ ସରକାର ସପକ୍ଷରେ ନ ରହି ଜନମତକୁ ସମ୍ପୂର୍ଣ୍ଣ ଭରସା କରିଥିଲା। ବାସ୍ତବରେ ତାହା ହିଁ ଘଟିଚାଲିଲା। ଭୋଟର ନବୀନଙ୍କ ପ୍ରତି ଏତେ ଆଶାବାଦୀ ହୋଇଗଲେ ଯେ, କେବଳ ନବୀନ କହିଲେ ହିଁ ନିର୍ବାଚନରେ ବିଜୟ। ବିରୋଧୀଙ୍କ ଅପପ୍ରଚାର, ବିରୋଧ, ଆନ୍ଦୋଳନ ସବୁ ଯେମିତି ନିଷ୍ପ୍ରଭ ହୋଇ ଚାଲିଲା। ଫଳସ୍ୱରୂପ ରାଜ୍ୟରୁ କଂଗ୍ରେସ ଭୋଟ ଏତେ ତଳକୁ ଖସିଲା ଯେ, ଆଉ ଥରେ ଓଡ଼ିଶାରେ କଂଗ୍ରେସ ଶାସନ କ୍ଷମତାକୁ ଫେରିବା ଦିବାସ୍ବପ୍ନ ହୋଇଗଲାଣି।

ପୁଣି କ୍ଷମତାକୁ ଫେରିବାର ଲୋଭ କଂଗ୍ରେସ ନେତାଙ୍କ ମନରୁ ଲିଭୁନି। ଏଥିପାଇଁ ବାରମ୍ବାର ପିସିସି ନେତା ପରିବର୍ତ୍ତନ ମଧ୍ୟ ହୋଇଛି। ହେଲେ ପରିସ୍ଥିତି ଏପରି ହୋଇଛି ଯେ, କଂଗ୍ରେସ ଆଉ ବିଜେଡିର ପ୍ରତିଦ୍ବନ୍ଦ୍ବି ହୋଇ ନାହିଁ। ୨୦୧୪ ସାଧାରଣ ନିର୍ବାଚନରେ ସମଗ୍ର ଭାରତରେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଜନସାଧାରଣ ଅଧିକ ଆକୃଷ୍ଟ ହୋଇ ପଡିଲେ, ସେତେବେଳେ କିଛି ଲୋକଙ୍କ ମନ ଭିତରେ ଓଡ଼ିଶାରେ ବିଜେଡି ଶାସନକୁ ନେଇ ସନ୍ଦେହ ଦେଖା ଦେଇଥିଲା। ହେଲେ ନବୀନ ଥିଲେ ଏ ସମସ୍ତ ଚର୍ଚ୍ଚାର ଉର୍ଦ୍ଧ୍ବରେ। ବିଜେପିର ରଙ୍ଗୀନ ପ୍ରଚାର ଫିକା ପଡିଗଲା ନବୀନଙ୍କ ଶାନ୍ତ, ସରଳ ଓ ନିଷ୍କପଟ ମୁହଁ ଆଗରେ। ବିଜେଡି ହିଁ ଶାସନ କ୍ଷମତାରେ ରହିଲା। ପରିବର୍ତ୍ତନର ନାରା ଦେଉଥିବା ବିଜେପି ସ୍ତବ୍ଧ ହୋଇଗଲା। ସେହିଭଳି ୨୦୧୯  ରେ ଦେଶରେ ମୋଦି ଲହର ଓ ମୋଦି ମ୍ୟାଜିକ କାମ କରିଥିଲା ବେଳେ ଓଡ଼ିଶାରେ ସେଭଳି କିଛି ପ୍ରଭାବ ପଡ଼ିଲାନାହିଁ।

ନବୀନ ପଞ୍ଚମ ପାଳି ମୁଖ୍ୟମନ୍ତ୍ରୀ ଭାବେ ଶାସନ କ୍ଷମତାରେ ରହିଛନ୍ତି। ଅନେକ ପ୍ରତିବନ୍ଧକ ସତ୍ତ୍ୱେ ଅପରାଜୟ ନବୀନଙ୍କ ବିଜୟ ଧାରା ରୋକିବାକୁ ଏଯାଏ କେହି ବିରୋଧୀ ନ ଥିବା ସ୍ପଷ୍ଟ। ନବୀନଙ୍କ ଶାସନ ଶୈଳୀ ଓ ପ୍ରଶାସନକୁ ନିୟନ୍ତ୍ରଣରେ ରଖି ରାଜ୍ୟ ଚଳାଇବାର ଦକ୍ଷତା ନା ବିଜେପି ନା କଂଗ୍ରେସ କାହା ନିକଟରେ ନାହିଁ ବୋଲି ବାରମ୍ବାର ପ୍ରମାଣିତ ହୋଇସାରିଛି। ତେବେ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଉପ ନିର୍ବାଚନ ଭୋଟ ଗ୍ରହଣ ସରିଛି। ଫଳାଫଳକୁ ବିରୋଧୀଙ୍କ ଅପେକ୍ଷା ଥିଲା ବେଳେ ଭୋଟର କହୁଛନ୍ତି ସେହି ନବୀନ। କାରଣ ଗତ ସାଧାରଣ ନିର୍ବାଚନରେ ବିରୋଧୀ ବିଜେପି ବହୁତ କିଛି ତୁମ୍ବି ତୋଫାନ କରିଥିଲା। ଏଥର ଲୋକେ ନବୀନ ସରକାରଙ୍କୁ ବୁଝିଗଲେଣି। ଆଉ ତାଙ୍କୁ ଭୋଟ ଦେବେ ନାହିଁ। ହେଲେ ଫଳ ବାହରିଲା ବେଳକୁ ସେହି ନବୀନ।

ଗତ ବିଧାନସଭା ନିର୍ବାଚନ କାହିଁକି ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଠାରୁ ଯେତୋଟି ଉପନିର୍ବାଚନ ହୋଇଛି ସେଥିରେ ବିଜେଡିକୁ ହିଁ ସଫଳତା ମିଳିଛି। ତେବେ ପୂର୍ବର ସେହି ନବୀନ ଧିରେ ଧିରେ ପରିପକ୍ବ ହୋଇଥିବାରୁ ଗତ ଦୁଇଟି ପାଳିରେ ମଧ୍ୟ ଯେତୋଟି ଉପନିର୍ବାଚନ ହୋଇଛି ସବୁଥିରେ ବିଜେଡିକୁ ମିଳିଛି ସଫଳତା। ସେହି ଧାରା ଏବଂ ଲୋକଙ୍କ ମୁଡକୁ ଅନୁଧ୍ୟାନ କଲେ ଏହି ଦୁଇ ନିର୍ବାଚନରେ ମଧ୍ୟ ବିଜେଡି ବାଜିମାତ କରିବାର ସମ୍ଭାବନା ଅଧିକ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଶାନ୍ତି ଶୃଙ୍ଖଳାରେ ଶେଷ ହେଲା ମତଦାନ, କଡା ସୁରକ୍ଷା ସହିତ ଷ୍ଟ୍ରଙ୍ଗରୁମରେ ରଖାଗଲା ଇଭିଏମ

ଭୁବନେଶ୍ବର, ବେଶ୍ ଶାନ୍ତ ଶୃଙ୍ଖଳାର ସହିତ ଶେଷ ହେଲା ଓଡିଶାର ଦୁଇଟି ଆସନର ଉପନିର୍ବାଚନ। ଆଜି ସକାଳ 6 ଟାରୁ ମତଦାନ ପକ୍ରିୟା ଆରମ୍ଭ ହୋଇଥିଲା। ତେବେ ବାଲେଶ୍ବର କେତେକ ଆସନରେ ସଂଧ୍ୟା 6 ଟା ପରେ ମଧ୍ୟ ମତଦାନ ପକ୍ରିୟା ଚାଲୁ ରହିଛି। ତେବେ ସଦ୍ୟ ସୂଚନା ଅନୁସାରେ ବାଲେଶ୍ବରରେ ୭୧ ପ୍ରତିଶତ ଏବଂ ତିର୍ତ୍ତୋଲରେ ୬୯.୯ ପ୍ରତିଶତ ମତଦାନ ହୋଇଛି। ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ତେବେ ଚୁଡାନ୍ତ ମତଦାନ ପ୍ରତିଶତ କେତେ ହେଲା ସଂପୂର୍ଣ୍ଣ ଭୋଟ ଗ୍ରହଣ ସରିବା ପରେ ଆସନ୍ତାକାଲି ଜଣାପଡିବ।

ଗତ ସାଧାରଣ ନିର୍ବାଚନ ବେଳେ ବାଲେଶ୍ୱରରେ ୭୧.୨୯ ପ୍ରତିଶତ ଏବଂ ତିର୍ତ୍ତୋଲରେ ୭୪.୦୯ ପ୍ରତିଶତ ମତଦାନ ହୋଇଥିଲା। ଆଜି ଯେଉଁ ବୁଥଗୁଡିକରେ ନିର୍ଦ୍ଧାରିତ ସମୟରେ ମତଦାନ ହୋଇଯାଇଛି ସେହି ଇଭିଏମଗୁଡିକ ଷ୍ଟ୍ରଙ୍ଗରୁମରେ ରଖାଯାଇଛି। ସେଠାରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ଆସନ୍ତା 10 ତାରିଖରେ ଉଭୟ ଆସନ ଭୋଟ ଗଣନା କରାଯାଇ ସେହିଦିନ ଫଳାଫଳ ଘୋଷଣା କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଅପରାହ୍ନ ତିନିଟା ସୁଦ୍ଧା ଦୁଇ ଉପନିର୍ବାଚନରେ 55.04 ପ୍ରତିଶତ ମତଦାନ

ଭୁବନେଶ୍ବର, ଦୁଇ ଉପନିର୍ବାଚନରେ ହେଉଥିବା ମତଦାନର ଚତୁର୍ଥ ପର୍ଯ୍ୟାୟରେ 55.04 ପ୍ରତିଶତ ଭୋଟ ଗ୍ରହଣ ହୋଇଛି। ଏଥିରେ ଦୁଇ ନିର୍ବାଚନ ମଣ୍ଡଳୀରେ ଅପରାହ୍ନ 1 ଟା ସୁଦ୍ଧା 40.51 ପ୍ରତିଶତ ମତଦାନ ହୋଇଥିଲା।  ତେବେ ଏହି ପର୍ଯ୍ୟାୟରେ ବାଲେଶ୍ବରରେ 54.84 ପ୍ରତିଶତ ଏବଂ ତିର୍ତ୍ତୋଲରେ 55.23 ପ୍ରତିଶତ ମତଦାନ ହୋଇଛି। ସଂଧ୍ୟା ଛଅଟା ପର୍ଯ୍ୟନ୍ତ ଏହି ମତଦାନ ପକ୍ରିୟା ଚାଲିବ।

Categories
ବିଶେଷ ଖବର ରାଜ୍ୟ ଖବର

ଉପନିର୍ବାଚନରେ ବେଣୁ ମଉସା ପ୍ରାର୍ଥୀ ହେବା ପଛରେ ଆଶ୍ଚର୍ଯ୍ୟ ନାହିଁ, ହେଲେ ରହିଛି ରହସ୍ୟ ଓ ବିସ୍ମୟ

ଭୁବନେଶ୍ୱର: ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ମଇଦାନକୁ ସମସ୍ତେ ଓଲ୍ହାଇ ପାରିବେ। ଏହି ଅଧିକାର ଦେଶର ସମସ୍ତ ନାଗରିକଙ୍କ ପାଇଁ ସମ୍ବିଧାନ ସ୍ୱୀକୃତ। ହେଲେ ବାଲେଶ୍ୱର ଉପ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ଓରଫ ବେଣୁ ମଉସାଙ୍କ ପ୍ରାର୍ଥୀତ୍ବ କିନ୍ତୁ ଯେତିକି ବିସ୍ମୟ ସୃଷ୍ଟି କରିଛି ସେତିକି ପ୍ରଶ୍ନବାଚୀ ଠିଆ କରିଛି। ଆସନ୍ତାକାଲି ରାଜ୍ୟର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ହେବ। ଗୋଟିଏ ହେଉଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବିଧାନସଭା ଆସନ ଓ ଅନ୍ୟଟି ବାଲେଶ୍ୱର ସଦର।

ଗୋଟିକରେ ଶାସକ ବିଜେଡିର ବିଧାୟକ ରହିଥିଲେ ଓ ଅନ୍ୟଟିରେ ବିଜେପି ବିଧାୟକ। ଉଭୟ ଆସନରେ ଜିତିଥିବା ଦୁଇ ବିଧାୟକଙ୍କ ଅକାଳ ବିୟୋଗ ପରେ ଏଠାରେ ଉପ ନିର୍ବାଚନ ହେଉଛି। ଉଭୟ ଆସନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନିର୍ବାଚନ ଲଢୁଥିଲେ ବି ବାଲେଶ୍ୱର ସଦର ଆସନକୁ ନେଇ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସୁଛି। ତାହା ପୁଣି ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କୁ ନେଇ। ସିଏ ହେଉଛନ୍ତି ବେଣୁ ମଉସା।

ବୟସର ଅପରାହ୍ନରେ ପହଁଚିଥିବା ବେଣୁ ମଉସାଙ୍କ ରାଜନୈତିକ ଇତିହାସ ସେଭଳି ଟାଣ ନୁହେଁ। ଜଣେ ସାଧାରଣ ମଣିଷରୁ ଆଜି ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛନ୍ତି। ତେବେ ଏହି ଚର୍ଚ୍ଚା କଣ? ଚର୍ଚ୍ଚା ଏଭଳି ଯେ, ବେଣୁ ମଉସା ସିପିଆଇର ସଦସ୍ୟ ଥାଇ ଦଳ ପକ୍ଷରୁ ଜିତିବାର ସମ୍ଭାବନା ନ ଥିବାରୁ ସେ ଟିକଟ ପାଇନଥିଲେ। ତେଣୁ ଏହି ଆସନରୁ ସିପିଆଇ କାହାକୁ ପ୍ରାର୍ଥୀ କରିନାହିଁ। ତେବେ ବେଣୁ ମଉସା କଣ ସିପିଆଇ ଟିକଟରୁ ବଂଚିତ ହେଲେ ବୋଲି ସ୍ୱାଧୀନ ପ୍ରାର୍ଥୀ ହେଲେ! ଏଇଠୁ ଆରମ୍ଭ ହେଲା ବିସ୍ମୟ।

ପ୍ରଥମେ ସାଇକେଲରେ ବୁଲି ବେଣୁ ମଉସା ନିଜର ପ୍ରଚାର ଆରମ୍ଭ କରିଥିଲେ। ପରେ ତାଙ୍କ ସହ ଜଲିଉଡ଼ କଳାକାର ରାନୀ ପଣ୍ଡା ଯୋଡି ହୋଇଗଲେ।ପ୍ରଚାର ବି ଜମିଲା। ଗୋଟେ ପଟେ ରାଇଜ ମୁଖିଆ ଓ ଅନ୍ୟ ପଟେ କେନ୍ଦ୍ର ମନ୍ତ୍ରୀ, ସାଂସଦ। ବେଣୁ ମଉସା କିନ୍ତୁ ସାଧାରଣ ମଣିଷ, ଖଟିଖିଆ ଗରିବଙ୍କ ପକ୍ଷରୁ ପ୍ରାର୍ଥୀ ବୋଲି ପ୍ରଚାର କଲେ। ଏହାପରେ ସାଇକେଲ ଉଭାନ। ଆସିଲା ଖୋଲା ଜିପ, ସୁସଜ୍ଜିତ। ପୁଣି ଜିଲ୍ଲା କିନ୍ନର ମହାସଂଘ ବେଣୁ ମଉସାଙ୍କ ପ୍ରଚାରରେ ସାମିଲ ହେଲେ। ପୁଣି ଜମିଲା ପ୍ରଚାର।

ବେଣୁ ମଉସା ଟିଭି ଓ ସମ୍ବାଦପତ୍ରର ଶିରୋନାମାରେ ରହିଲେ। ହଠାତ ପ୍ରଚାର ସରିଆସିବା ବେଳକୁ ହୋଣ୍ଡା ସିଟି ଗାଡ଼ିରେ ମଉସା କଲେ ପ୍ରଚାର। ତେବେ ପ୍ରଶ୍ନ ଉଠୁଛି, ବେଣୁ ମଉସା କଣ ବିଜେଡି ନା ବିଜେପି ପ୍ରାର୍ଥୀଙ୍କୁ ନିର୍ବାଚନରେ ହରାଇ ବିଧାୟକ ହେବେ ବୋଲି ଆଶାବାଦୀ! ଚର୍ଚ୍ଚା ହେଉଛି ବାଲେଶ୍ଵରର ପୂର୍ବତନ ସାଂସଦ ଏହି ଆସନ ପାଇଁ ଟିକଟ ଲୋଭରେ ଥାଇ ଟିକଟ ନପାଇ ବେଣୁ ମଉସାଙ୍କୁ ସାମ୍ନାକୁ ଆଣିଛନ୍ତି।

ଆଉ କେହି କେହି କହୁଛନ୍ତି ଦୁଇ କେନ୍ଦ୍ର ମନ୍ତ୍ରୀ ଚାହୁଁନାହାନ୍ତି ଏଠାରୁ ବିଜେପି ପ୍ରାର୍ଥୀ ନିର୍ବାଚନରେ ଜିତନ୍ତୁ। କାରଣ କଣ ନା ସାଂସଦ ଅପରାଜିତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବେଶୀ ହୋଇଯିବ। ତେଣୁ ବେଣୁ ମଉସା କାଳେ ବିଜେପି ଭୋଟ କାଟିବେ। ଭୋଟ ଫଳାଫଳ ତ ସତ କହିବ, ହେଲେ ବେଣୁ ମଉସା ନିଜ ଇଚ୍ଛାରେ ପ୍ରାର୍ଥୀ ତ! ବିସ୍ମୟ ଏଇଠି।

Categories
ବିଶେଷ ଖବର ରାଜ୍ୟ ଖବର

ନବୀନଙ୍କ ଉପନିର୍ବାଚନ ଭାଷଣ: ସଂକ୍ଷିପ୍ତ ହେଲେ ମଧ୍ୟ ସବୁ ବର୍ଗକୁ ଆକୃଷ୍ଠ କରିବାର ରହିଛି କଳା ଓ କୌଶଳ

ଭୁବନେଶ୍ବର, ଉପନିର୍ବାଚନ ପାଇଁ ନବୀନ ତାଙ୍କର ପ୍ରଚାର ଶେଷ କରିଛନ୍ତି। ଦୁଇଟି ଉପନିର୍ବାଚନ ପାଇଁ ସେ ଦୁଇଥର ଭିଡିଓ କନଫ୍ରେସିଂ ମାଧ୍ୟମରେ ଭାଷଣ ଦେଇ ଭୋଟରଙ୍କୁ ଆକୃଷ୍ଠ କରିବାକୁ ଚେଷ୍ଠା କରିଛନ୍ତି। ତେବେ ତାହା ଲୋକଙ୍କୁ କେତେ ଆକୃଷ୍ଠ କରିଛି ତାହା ଭିନ୍ନ କଥା ହେଲେ ଏହି ଭାଷଣ ଥିଲା ଏକ ଭିନ୍ନ ପ୍ରକାରର। ମାତ୍ର ୫ରୁ ୮ ମିନିଟ ମଧ୍ୟରେ ହୁଏତ ଭାଷଣର ଅବଧି ହେବ, ହେଲେ ସେହି ସଂକ୍ଷିପ୍ତ ଭାଷଣରେ ବିଭିନ୍ନ ବର୍ଗର ଲୋକଙ୍କୁ କିପରି ବାନ୍ଧି ରଖିହେବ ସେ କଳା ଓ କୌଶଳ ଏହି ଭାଷଣରେ ଦେଖିବାକୁ ମିଳିଛି। ସାଧାରଣତଃ ନିର୍ବାଚନରେ ନେତାମାନେ ବଡବଡ କଥା କହିଥାନ୍ତି। ହେଲେ ନବୀନଙ୍କ ଏହି ସଂକ୍ଷିପ୍ତ ଭାଷଣରେ ସେପରି କିଛି ନ ଥିଲା। ଯାହା ଥିଲା ତାହା ବହୁ ଗୁରୁତ୍ବପୂର୍ଣ୍ଣ ଏବଂ ଲୋକଙ୍କୁ ଆକୃଷ୍ଠ କରିବାର କୌଶଳ।

ଉଭୟ ତିର୍ତ୍ତୋଲ ଏବଂ ବାଲେଶ୍ବର ଭାଷଣ ଉପରେ ଯଦି ଆଲୋଚନା କରାଯାଏ ତେବେ ଉଭୟରେ ନବୀନ ପ୍ରଥମେ ଧର୍ମ ଏବଂ ଆଞ୍ଚଳିକବାଦକୁ ପ୍ରାଧାନ୍ୟ ଦେଇଛନ୍ତି। ଯାହା ସେହି ଅଞ୍ଚଳର ଲୋକଙ୍କ ପାଇଁ ବେଶ୍ ଗୁରୁତ୍ବ ବହନ କରେ। ପ୍ରଥମେ ତିର୍ତ୍ତୋଲର ଭାଷଣରେ ସେ ଆରମ୍ଭ କଲେ ମା ସାରଳାଙ୍କ ପବିତ୍ର କ୍ଷେତ୍ରର ମୋର ତିର୍ତ୍ତୋଲ ଭାଇ ଓ ଭଉଣୀମାନେ। ସେହିପରି ବାଲେଶ୍ବରରେ ତାଙ୍କର ଭାଷଣ ଆରମ୍ଭ ହେଲା ଫକୀର ମୋହନଙ୍କ ଭୂମି ବାଲେଶ୍ବରର ମୋର ଭାଇ ଓ ଭଉଣୀମାନେ।

ସମସ୍ତେ ଜାଣନ୍ତି ଯେ ଯଦି କେହି ନିଜ ଅଞ୍ଚଳର କଥା କହେ ତେବେ ତାହା ସେହି ଅଞ୍ଚଳର ଲୋକଙ୍କୁ ବହୁତ ଭଲ ଲାଗେ। ହେଲେ ଯେତେବେଳେ ନବୀନଙ୍କ ପରି ବ୍ୟକ୍ତିତ୍ବ ସେହି ଅଞ୍ଚଳର ଦେବଦେବୀ ଏବଂ ମହାପୁରୁଷଙ୍କ କଥା କହୁଛନ୍ତି ତାହା ଲୋକଙ୍କୁ ବେଶ୍ ଉତ୍ସାହିତ କରିଛି। ଏହା ଥିଲା ନବୀନଙ୍କ ଲୋକଙ୍କ ପ୍ରତି ଭଲ ପାଇବା ପାଇଁ ଭାଷଣର ଏକ କଳା। ବାଲେଶ୍ବରରେ ନବୀନ କହିଲେ, ଫକୀରମୋହନ ହେଉଛନ୍ତି ମୋର ପ୍ରିୟ ଲେଖକ, ତାଙ୍କ ରେବତୀ ଗଳ୍ପ ମୋତେ ସବୁଠୁ ଭଲ ଲାଗେ। ଏହା ବାଲେଶ୍ବର ସଦର ବାସୀ ଶୁଣିବା ପରେ ନିଶ୍ଚିତ ଖୁସି ହେବେ ଏଥିରେ ସନ୍ଦେହ ନାହିଁ।

ଏହାର ପରବର୍ତ୍ତି ଭାଷଣକୁ ଯଦି ତର୍ଜମା କରାଯାଏ ତେବେ ତାହା ଥିଲା ସଂପ୍ରାତିକ କରୋନା ମାହାମାରୀ ଏବଂ ମହାବାତ୍ୟାର ପ୍ରସଂଗ। ସେ ତାଙ୍କ ଭାଷଣରେ ବେଶ୍ ଚତୁରତାର ସହ ଏହି ଦୁଇ ପ୍ରସଂଗକୁ ନିର୍ବାଚନ ଭାଷଣ ସହ ସୁନ୍ଦର ଭାବେ ଯୋଡିଛନ୍ତି। ଯଦି ନବୀନ ଏହି ଦୁଇଟି ପ୍ରସଂଗ ତାଙ୍କ ଭାଷଣରେ ରଖି ନ ଥାଆନ୍ତେ ତେବେ ହୁଏତ ଏହା ଅଧୁରା ଭାଷଣ ବୋଲି ଧରାଯାଇ ଥାଆନ୍ତା। ବଡ ଚତୁରତା ସହ ନବୀନ ମହାମାରୀ ସହିତ ଭୋଟ ଭାଷଣକୁ ମିଶ୍ରଣ କରିଛନ୍ତି।

ସେ କହିଛନ୍ତି ‘ମୁଁ ଯାଇଥିଲେ ଆପଣମାନେ ସମସ୍ତେ ନିଶ୍ଚିତ ଆସି ଥାଆନ୍ତେ। ହେଲେ କରୋନା ସମୟରେ ଆପଣମାନଙ୍କୁ ବିପଦରେ ନ ପକାଇବା ପାଇଁ ମୁଁ ଭିଡିଓ କନଫ୍ରେସିଂରେ ଭେଟୁଛି।’ ଏହି କଥାରେ ନବୀନଙ୍କୁ ଦୁଇଟି ଫାଇଦା ମିଳିଲା। ପ୍ରଥମତଃ ସେ ମଇଦାନକୁ ନ ଯିବାଟା ଠିକ୍ ବୋଲି ପ୍ରମାଣିତ କରିବା ଏବଂ କରୋନା ପାଇଁ ଲୋକଙ୍କୁ ସୁରକ୍ଷିତ ରଖିବା। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥାଟି ହେଉଛି ଉଭୟ ନିର୍ବାଚନ ମଣ୍ଡଳୀ ପାଇଁ ନବୀନ କହିଲେ ଯେ, ‘କରୋନା ପରେ ମୁଁ ଆପଣଙ୍କ ଅଞ୍ଚଳକୁ ଯିବି, ବିକାଶ କାମ ତଦାରଖ କରିବି, ଆପଣମାନଙ୍କ ସହିତ ମିଶିବି।’ ଏହି କେଇ ଧାଡି ଦୁଇ ନିର୍ବାଚନ ମଣ୍ଡଳୀର କର୍ମିଙ୍କୁ ବେଶ୍ ଉତ୍ସାହିତ କରିଛି।

ସେହିପରି ମହିଳାମାନଙ୍କୁ ଆକର୍ଷିତ କରିବା ପାଇଁ ନବୀନ ଉଭୟ ନିର୍ବାଚନ ମଣ୍ଡଳୀରେ ଗୋଟିଏ କଥା କହିଛନ୍ତି। ତା ହେଉଛି ‘ମିଶନ ଶକ୍ତି’ ର ମହିଳାମାନେ ବେଶ୍ ଭଲ କାମ କରୁଛନ୍ତି। ଆପଣମାନେ ଭଲ କାମ କରୁଥିବାରୁ ମୁଁ ଖୁସି।’ ଏହି କେତେ ଧାଡି ହିଁ ଉଭୟ ନିର୍ବାଚନ ମଣ୍ଡଳୀର ମହିଳାମାନଙ୍କୁ ବେଶ୍ ଆକର୍ଷିତ କରିଛି। ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପ୍ରଶଂସା କରୁଛନ୍ତି ଜାଣିବା ପରେ ସେମାନେ ଖୁସି ହେବା ନିଶ୍ଚିତ। ଯାହାକୁ କୁହାଯିବ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏହା ହେଲା ନବୀନ ଭିନ୍ନ ଏକ କଳା ଓ କୌଶଳ।

ନବୀନଙ୍କ ଏହା ଏକ ନିର୍ବାଚନୀ ଭାଷଣ ହୋଇଥିଲେ ମଧ୍ୟ ଏଥିରେ ରାଜନୀତି ଥିଲା କମ ସାମାଜିକ ବାର୍ତ୍ତା ଥିଲା ବେଶୀ । ରାଜନୈତିକ ନେତା ଭାବେ ସେ କେବଳ ନିଜେ କଣ କରିଛନ୍ତି ତାହାର ଏକ ଛୋଟିଆ ରୂପରେଖଟିଏ ପ୍ରଦାନ କରିଛନ୍ତି। ହେଲେ ସେ କେଉଁଠି ହେଲେ ରାଜନୈତିକ ପ୍ରତିଶ୍ରୁତିଟିଏ ଦେଇ ନାହାଁନ୍ତି। କେବଳ ବାଲେଶ୍ବର ପାଇଁ ସେ କହିଛନ୍ତି ଯେ, ବିଜେପୁର ପରି ବାଲେଶ୍ବରର ବିକାଶ ଦାୟିତ୍ବ ମୁଁ ନିଜେ ନେବି। ଆଜିକାଲିର ଯୁଗକୁ ଦେଖିଲେ ନେତାମାନେ ନିର୍ବାଚନ ସମୟରେ କେବଳ ପ୍ରତିଶୃତି ଦିଅନ୍ତି ହେଲେ ନିର୍ବାଚନ ପରେ ତାହା ଭୁଲି ଯାଆନ୍ତି। କିନ୍ତୁ ନବୀନଙ୍କ ଏହି ଭାଷଣରେ ତାହା ଦେଖିବାକୁ ମିଳି ନ ଥିଲା।

ତେବେ ଭାଷଣ ଶେଷରେ ନବୀନ ଉଭୟ ନିର୍ବାଚନମଣ୍ଡଳୀର କର୍ମିମାନଙ୍କୁ ଯାହା କହିଛନ୍ତି ତାହା ମଧ୍ୟ ବେଶ୍ ଚତୁରତା ଯୁକ୍ତ ନିର୍ବାଚନ ପ୍ରଚାର ବୋଲି କୁହାଯିବ। ଉଭୟ ନିର୍ବାଚନ ମଣ୍ଡଳୀର କର୍ମିଙ୍କୁ ସେ କହିଛନ୍ତି ‘ଆପଣ ଏବଂ ଆପଣଙ୍କ ପରିବାରର ମୋ ପାଇଁ ବେଶ୍ ମୂଲ୍ୟବାନ। କୋଭିଡ କଟକଣା ଭିତରେ ସୁରକ୍ଷିତ ଭାବେ ଆପଣମାନେ ଭୋଟ ଦେବାକୁ ଯାଆନ୍ତୁ। ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ।’ କରୋନା ସଚେତନତା ବାର୍ତ୍ତା ସହିତ ଶଙ୍ଖ ଚିହ୍ନରେ ଭୋଟ ଦେବା ପ୍ରସଂଗକୁ ଯୋଡି ନବୀନ ସୁନ୍ଦର ଭାବେ ଏହାକୁ ଉପସ୍ଥାପିତ କରିଛନ୍ତି। କହିବାକୁ ଗଲେ କରୋନା ସଚେତନତା ବାର୍ତ୍ତା ମାଧ୍ୟମରେ ଭୋଟ ପ୍ରଚାର କିପରି କରାଯାଏ ତାହା ନବୀନଙ୍କ ଭାଷଣରେ ପ୍ରତିୟମାନ ହୋଇଛି।

Categories
ଫଟୋ ଖବର

ବାଲେଶ୍ବର ଉପନିର୍ବାଚନ ପ୍ରଚାର ମଇଦାନରେ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ବାଲେଶ୍ବର, ବାଲେଶ୍ବର ଉପନିର୍ବାଚନ ପ୍ରଚାର ମଇଦାନରେ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

Categories
ଆଜିର ଖବର ରାଜ୍ୟ ଖବର

ଉପନିର୍ବାଚନ: ଧର୍ମେନ୍ଦ୍ର କହିଲେ ନବ ଦାସ ଟଙ୍କା ବ୍ୟାଗ ଧରି ବୁଲୁଛନ୍ତି, ନବ କହିଲେ ପ୍ରମାଣ କରି ଦେଖାଅ

ବାଲେଶ୍ବର, ବର୍ତ୍ତମାନ ଓଡିଶାର ଦୁଇ ଉପନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର ଆରମ୍ଭ ହୋଇଯାଇଛି। ଏପରିକି ପରସ୍ପର ଭିତରେ କାଦୁଅ ଫିଙ୍ଗା ଅଭିଯାନ ମଧ୍ୟ ଆରମ୍ଭ ହୋଇଯାଇଛି। ଆଜି ବାଲେଶ୍ବରେ ଉପନିର୍ବାଚନ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଅଭିଯୋଗ କଲେ। ତାହା ହେଲା ବାଲେଶ୍ବରରେ କୁଆଡେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଟଙ୍କା ବ୍ୟାଗ ଧରି ବୁଲୁଛନ୍ତି। ଟଙ୍କା ବାଣ୍ଟିବା ପାଇଁ ସେ କୁଆଡେ ସୁଯୋଗ ଖୋଜୁଛନ୍ତି।

ଏହାକୁ ନେଇ ବିଜେଡି ତରଫରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଖୋଦ ନବ ଦାସ ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ଧର୍ମେନ୍ଦ୍ରଙ୍କ ପାଖରେ ପ୍ରମାଣ ଅଛି ଯଦି ନିର୍ବାଚନ କମିଶନରଙ୍କ ନିକଟରେ ଦାଖଲ କରନ୍ତୁ। ଏହାକୁ ନେଇ ବାଲେଶ୍ବର ନୁହେଁ ରାଜ୍ୟ ରାଜନୀତିରେ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଛି।

Categories
ଫଟୋ ଖବର

ଉପନିର୍ବାଚନ ପ୍ରଚାର ପାଇଁ ବାଲେଶ୍ବରରେ ପହଁଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଉପନିର୍ବାଚନ ପ୍ରଚାର ପାଇଁ ବାଲେଶ୍ବରରେ ପହଁଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ଉପନିର୍ବାଚନ, କରୋନା ଯୋଗୁଁ ନେତାଙ୍କୁ ଘର ଦେବା ପାଇଁ ଗାଁ ଲୋକେ ରାଜି ହେଉ ନାହାଁନ୍ତି

ଭୁବନେଶ୍ବର, ବର୍ତ୍ତମାନ ତିର୍ତ୍ତୋଲ ଏବଂ ବାଲେଶ୍ବରରେ ସବୁ ଦଳର ନେତାମାନେ ଡେରା ପକାଇଲେଣି। ଆହୁରି ଅନେକ ଭୁବନେଶ୍ବରିଆ ନେତା ସେଠାକୁ ଯିବେ। ହେଲେ ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ନେତାଙ୍କ ପାଇଁ ବଡ ସମସ୍ୟା ଭାବେ ଉଭା ହୋଇଛି ଘର। କାରଣ ଗାଁ ଗହଳିର ଲୋକେ ଭୁବନେଶ୍ବର ପରି କୋରନା ଅଞ୍ଚଳରୁ ଯାଉଥିବା ନେତାମାନଙ୍କୁ ଘର ଦେବାକୁ ଚାହୁଁ ନାହାଁନ୍ତି।

ପ୍ରଥମ କଥା ହେଲେ ଏହି ଦୁଇ ନିର୍ବାଚନ ମଣ୍ଡଳୀର ସ୍ଥିତି ଯାହା ଏତେ ନେତାଙ୍କ ରହିବା ପାଇଁ ସେମିତି ହୋଟେଲ ନାହିଁ। ସେଥିପାଇଁ ନିଜ ନିଜ ଅଞ୍ଚଳର କର୍ମିମାନଙ୍କୁ ନେତାଙ୍କ ରହିବା ପାଇଁ ଘର ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ଅଥବା ନିଜ ଘରେ ରହିବା ପାଇଁ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି। ହେଲେ ଏଥର ଭୁବନେଶ୍ବରରେ କରୋନା ଯୋଗୁଁ କର୍ମିମାନେ ନେତାଙ୍କୁ ନିଜ ଘରେ ସ୍ଥାନ ଦେବାକୁ ଆଗ୍ରହ ପ୍ରକାଶ କରୁ ନାହିଁନ୍ତି। ଫଳରେ ପ୍ରଚାର ପାଇଁ ଯିବାକୁ ଥିବା ନେତାମାନେ ବର୍ତ୍ତମାନ କେଉଁଠି ରହିବେ ସେ ନେଇ ସମସ୍ୟା ଦେଖାଦେଇଛି।

ମୁଖ୍ୟନେତାମାନେ ସହରରେ ରହିବାର ଯେନତେଣ ପ୍ରକାରରେ ବନ୍ଦୋବସ୍ତ ହୋଇପାରୁଛି। ହେଲେ ପଞ୍ଚାୟତ ସ୍ତରର ନେତାଙ୍କ ପାଇଁ ଏହି ସମସ୍ୟା ଆହୁରି ଅଧିକ ହୋଇଛି। ଯେତେ ଯାହା ବୁଝାଇଲେ ବି ଗାଁ ଗହଳିର ଲୋକେ ଭୁବନେଶ୍ବରରୁ ଯାଉଥିବା ନେତାଙ୍କୁ ଘର ଦେବାକୁ ଆଦୌ ରାଜି ହେଉ ନାହାଁନ୍ତି। ହେଲେ ଲୋକଙ୍କୁ ଉଚ୍ଚା ଦରରେ ଭଡା ଦେବାର ପ୍ରତିଶୃତି ଦେଇ ନେତାମାନେ ସେମାନଙ୍କ ଘର ନେବାକୁ ଚେଷ୍ଠା କରୁଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡିର ବାଲେଶ୍ବର ସଦର ପ୍ରାର୍ଥୀ, ପୁଣି ଥରେ ଓଡିଶା ରାଜନୀତିରେ ପଶିଲା ରାଜା ସ୍ବାଇଁ ଓ ଚକରା କାହାଣୀ

ଭୁବନେଶ୍ବର, ବିଜେଡି ଉପନିର୍ବାଚନ ପାଇଁ ତାହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦୁଇ ଉପନିର୍ବାଚନରେ ତିର୍ତ୍ତୋଲ ପ୍ରାର୍ଥଙ୍କୁ ନେଇ କାହାରି କିଛି କହିବାର ନାହିଁ। କାରଣ ତାହା ସମସ୍ତେ ଆଶା କରୁଥିଲେ ଯେ ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରାଯିବ। ଯଦି ପୂର୍ବ ଉପନିର୍ବାଚନଗୁଡିକୁ ଦୃଷ୍ଟିରେ ନେଲେ ସ୍ପଷ୍ଟ ହୋଇଛି ଯେ, ବିଜେଡି ପରଲୋକଗତ ବିଧାୟକଙ୍କ ସଂପର୍କୀୟଙ୍କୁ ପ୍ରାର୍ଥୀ କରିଛି। ଆଉ ଜିତିଛି ମଧ୍ୟ। ସେହି ହିସାବରେ ବିଜୟ ଶଙ୍କରଙ୍କୁ ପ୍ରାର୍ଥୀ ନ କରି ବିଜେଡିର ଉପାୟ ନ ଥିଲା।

ହେଲେ ସମସ୍ତଙ୍କର ନଜର ଥିଲା ବାଲେଶ୍ବର ଆସନ ପାଇଁ ବିଜେଡି କାହାକୁ ପ୍ରାର୍ଥୀ କରିବ। କାରଣ ଏହି ଉପନିର୍ବାଚନ ପାଇଁ ଦୀର୍ଘଦିନ ଧରି ପୂର୍ବତନ ସାଂସଦ ରବି ଜେନା ଏବଂ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କ ମଧ୍ୟରେ ଛକା ପଞ୍ଚା ଚାଲିଥିଲା। ଉଭୟ ପ୍ରାର୍ଥୀ ହେବେ ବୋଲି କୁଆଡେ ଉପର ମହଲରେ ଦାବୀ କରୁଥିଲେ। ହେଲେ ଦଳ ସେମାନଙ୍କୁ ପ୍ରାର୍ଥୀତ୍ବକୁ ଝୁଲାଇ ରଖିଥିଲା। ଶେଷରେ ରବି ଜେନାଙ୍କୁ ନ ହେଲା ନାଇଁ ଧର୍ମପତ୍ନୀ ସୁହାସିନୀ ଜେନାଙ୍କୁ ପ୍ରାର୍ଥୀ କରାଯାଉ ବୋଲି କୁଆଡେ ଦାବୀ ମଧ୍ୟ କରିଥିଲେ। ହେଲେ ତାହା ମଧ୍ୟ ହେଲା ନାହିଁ। କାରଣ ବର୍ତ୍ତମାନ ପରିସ୍ଥିତିରେ ଦଳ ଅନ୍ୟତମ ଦାବୀଦାର ଜୀବନ ପ୍ରଦୀପ ଦାସଙ୍କ ଅସନ୍ତୁଷ୍ଠ କରାଇବାକୁ ଚାହୁଁ ନ ଥିଲା।

ବାଲେଶ୍ବର କିଏ ପ୍ରାର୍ଥୀ ହେବ ସେଥିପାଇଁ ମନ୍ତ୍ରୀ ପ୍ରତାପ ଜେନା ଏବଂ ଦେବୀ ମିଶ୍ର ପ୍ରମୁଖଙ୍କ ତତ୍ବାବଧାନରେ ବାରମ୍ବାର ବୈଠକ କରାଯାଇଥିଲା। ହେଲେ ଅଡୁଆ ତୁଟିଲା ନାହିଁ। ଶେଷରେ ନିଷ୍ପତି ହେଲା ଯେ, ଉଭୟଙ୍କୁ କିମ୍ବା ଉଭୟଙ୍କ ପରିବାରରୁ କାହାକୁ ହେଲେ ପ୍ରାର୍ଥୀ କରାଯିବ ନାହିଁ। ଏଥିରେ କୁଆଡେ ଉଭୟ ସନ୍ତୁଷ୍ଠ ହୋଇ ରାଜି ହେଲେ। ଏହି ପରିସ୍ଥିତିରେ ବିଜେଡିର ଟାଣୁଆ ନେତା ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ ଅଭିନେତା ଅରିନ୍ଦମ ରାୟଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଲା।

ଏହିପରି ଭାବେ ବିଭିନ୍ନ ନାମକୁ ନେଇ ରାଜ୍ୟ ରାଜନୀତିରେ ବେଶ୍ କିଛି ଦିନ ଧରି ବହୁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ହେଲେ ନବୀନ ସେ ସବୁକୁ ପଛରେ ପକାଇ ଜଣେ ଅଚିହ୍ନା ମୁହଁକୁ ପ୍ରାର୍ଥୀ କରି ଛିଡା କରାଇଛନ୍ତି। ସେ ହେଉଛନ୍ତି ସ୍ବରୂପ ଦାସ। ଜଣେ ପୂର୍ବତନ କାଉନସିଲର। ତାଙ୍କର ରାଜନିତୀରେ ସେମିତି ବଳିଷ୍ଠ ଭୂମିକା ନାହିଁ। ବରଂ ସ୍ବରୂପଙ୍କ ଭାଇ ସେଠାରେ ମୁନିସପାଲ ଅଧ୍ୟକ୍ଷ ଥିଲେ। ତାଙ୍କୁ ରାଜନୀତିରେ ଉଣାଅଧିକେ ଜାଣିଛନ୍ତି। ହେଲେ ବିଜେଡି ଏପରି ଜଣେ ବ୍ୟକ୍ତିଙ୍କୁ କଣ ପାଇଁ  ପ୍ରାର୍ଥୀ କଲା ସେ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

ବିଜେଡିର ଜଣେ ନେତାଙ୍କ ଭିତିରଆ ସୂଚନା ଅନୁସାରେ ରବି ଜେନାଙ୍କୁ କୁଆଡେ କୁହାଗଲା ଯେ, ତୁମ ତୁମର ପରିବାର ସଦସ୍ୟକୁ ଛାଡି ତିନିଜଣ ଖାସ ସମର୍ଥକଙ୍କ ନାମ ଦିଅ। ଯେଉଁମାନେ ତୁମ କଥାରେ ଚାଲିବେ। ସେହି ହିସାବରେ ରବି ଜେନା କୁଆଡେ ତିନିଜଣଙ୍କ ନାମ ଦେଇଥିଲେ। ସେମାନଙ୍କ ଭିତରେ ଥିଲେ ସ୍ବରୂପ ଦାସ। ଫଳରେ ଦଳ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଦେଲା। ଉଭୟଙ୍କୁ କିମ୍ବା ଉଭୟଙ୍କ ପରିବାରରୁ କାହାକୁ ହେଲେ ପ୍ରାର୍ଥି କରାଗଲା ନାହିଁ। ଫଳେ ଉଭୟ ଖୁସି। ହେଲେ ରବି ଜେନାଙ୍କୁ ଭିତିରଆ ଖୁସି କରିବା ପାଇଁ ତାଙ୍କ ସମର୍ଥକଙ୍କୁ ପ୍ରାର୍ଥୀ କରାଇ ଦିଆଗଲା।

ପ୍ରକୃତରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହା ତାଙ୍କର ଦଳୀୟ ବ୍ୟାପାର। ହେଲେ ଜଣେ ଅନାମଧେୟ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବାକୁ ନେଇ ଚାରିଆଡେ ଚର୍ଚ୍ଚା ଏବଂ ସମାଲୋଚନା ହେଉଛି। କୁହାଯାଉଛି ଓଡିଶା ରାଜନୀତିରେ ପୁଣି ଥରେ ଆଠଗଡର ରାଜା ସ୍ବାଇଁ ଏବଂ ଚକରା ରାଉତ ଘଟଣାର ପୁନରାବୃତ୍ତି ହେଉଛି।

ଆଜିର ଏପରି ଅନାମଧେୟଙ୍କୁ ଟିକେଟ ଦେବା ଘଟଣାରେ ଆମେ ୨୦୦୯ ନିର୍ବାଚନରେ ଏକ ବଡ କାହାଣୀକୁ ମନେପକାଇବାକୁ ଉଚିତ ମନେକରୁ। ତାହାଥିଲା ଆଠଗଡର ବିଜେଡି ନେତା ରାଜା ସ୍ବାଇଁ ବା ରଣେନ୍ଦ୍ର ପ୍ରତାପ ସ୍ବାଇଙ୍କ ଟିକେଟକୁ ଚକ୍ରାନ୍ତ କରି କାଟି ଦିଆଯାଇଥିଲା। ଆଉ ଏପରି  ସମୟରେ ତାଙ୍କର ପ୍ରାର୍ଥୀ ପତ୍ର ନାକଚ ହେଲା ଯେପରି ସେ ଆଉ ନାମାଙ୍କନ ପତ୍ର ଦାଖଲ କରିପାରିବେ ନାହିଁ। ହେଲେ ସେତେବେଳେ ଅନାମଧେୟ ଏବଂ ରାଜା ସ୍ବାଇଁଙ୍କ ସୁପାରିଶରେ ସ୍ବାଧୀନ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ତାଙ୍କ ବିଶ୍ବସ୍ଥ ରମେଶ ରାଉତ।

ରାଜାଙ୍କର ପ୍ରାର୍ଥୀପତ୍ର ନାକଚ ହେବା ପରେ ସେତେବେଳେ ଦଳ କହିଲା ତୁମର ବିଶ୍ବସ୍ଥ ରମେଶ ରାଉତ ଓରଫ ଚକରାକୁ ସମର୍ଥନ କର। ତାହା ହି ହେଲା। ଆଉ ଚକରା ଜିତିକରି ବିଧାୟକ ହେଲେ। ସେତେବେଳେ ରାଜା ସ୍ବାଇଁ ଭାବିଥିଲେ ଯେ, ସେ ଚକରାକୁ ଉଠ ବସ କରିବେ। ହେଲେ ପରବର୍ତ୍ତି ସମୟରେ ତାହା ହେଲା ନାହିଁ। ଏହି ମାମଲା କୋର୍ଟ କଚେରୀ ପର୍ଯ୍ୟନ୍ତ ଗଲା ଏବଂ ସେଠାରେ ଦୁଇ ବର୍ଷ ପରେ ଉପନିର୍ବାଚନ କରାଗଲା। ଉପନିର୍ବାଚନରେ ଚକରାଙ୍କ କୌଣସି ନାମ ନିଶାନ ରହିଲା ନାହିଁ, ପୁଣିଥରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓରଫ ରାଜା ସ୍ବାଇଁ ଜିତିକି ଆସିଲେ।

ଏବେ ବାଲେଶ୍ବର ରାଜନୀତିରେ ତାହା ହିଁ ହେବାକୁ ଯାଉଛି। ସ୍ବରୂପ ଦାସଙ୍କୁ ଦଳ ସବୁ ପ୍ରକାରର କଳବଳ କୌଶଳ ଦେଇ ଜିତାଇ ଦେବ। ହେଲେ ପ୍ରକୃତ କ୍ଷମତା ରହିବ ରବି ଜେନାଙ୍କ ହାତରେ। ତେବେ ଏଥର ଚକରାଙ୍କ ପରି ସ୍ବରୂପଙ୍କ ରୂପ ଯଦି ବଦଳିଯିବ ତେବେ ରବି ଜେନା ହୁଏତ ଭାଣ୍ଡିଆ ହୋଇଯାଇ ପାରନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ଉପନିର୍ବାଚନ: ପ୍ରାର୍ଥୀମାନେ ସେମାନଙ୍କ ଅପରାଧିକ କାର୍ଯ୍ୟ ସଂପର୍କରେ ପ୍ରଚାର କରାଇବାକୁ ବାଧ୍ୟ

ଭୁବନେଶ୍ୱର, ଉପନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀ ଓ ରାଜନୈତିକ ଦଳମାନେ ତିନୋଟି ପର୍ଯ୍ୟାୟରେ ପ୍ରାର୍ଥୀଙ୍କର ଅପରାଧ ପ୍ରବଣ ପୃଷ୍ଠଭୂମି ଛାପା ଓ ଇଲଟ୍ରୋନିକ୍ ଗଣମାଧ୍ୟମ ଜରିଆରେ ପ୍ରଚାର ପ୍ରସାର କରାଇବେ। ଆଜି ଏ ନେଇ ନିର୍ବାଚନ ଅଧିକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେହେତୁ ଓଡ଼ିଶାର ବାଲେଶ୍ୱର ଓ ତିର୍ତ୍ତୋଲ ଆସନରେ ଉପନିର୍ବାଚନ ହେବାକୁ ଯାଉଛି ସେଥିପାଇଁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଏଥିରେ କୁହାଯାଇଛି ଯେ, ପ୍ରଥମ ପର୍ଯ୍ୟାୟ ପ୍ରଚାର ପ୍ରସାର ପାଇଁ ପ୍ରାର୍ଥୀ ଓ ରାଜନୈତିକ ଦଳମାନେ ନାମାଙ୍କନ ପତ୍ର ପ୍ରତ୍ୟାହାରର ପ୍ରଥମ ଚାରିଦିନ ମଧ୍ୟରେ କରାଇବେ । ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ପ୍ରସାର ନାମାଙ୍କନ ପତ୍ର ପ୍ରାତ୍ୟାହାରର ପଞ୍ଚମରୁ ଅଷ୍ଟମ ଦିନ ମଧ୍ୟରେ ଏବଂ ସେହିପରି ତୃତୀୟ ପର୍ଯ୍ୟାୟ ପ୍ରଚାର ପ୍ରସାର ନାମାଙ୍କନ ପତ୍ର ପ୍ରତ୍ୟାହାରର ନବମ ଦିନଠାରୁ ନିର୍ବାଚନ ପ୍ରଚାରର ଶେଷ ଦିନ ମଧ୍ୟରେ ଅର୍ଥାତ୍‌ ଭୋଟ ଗ୍ରହଣର ଦୁଇଦିନ ପୂର୍ବରୁ କରାଇବେ।

ଅପ୍ରତିଦ୍ୱନ୍ଦୀ ପ୍ରାର୍ଥୀମାନଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ଭାବେ ଛାପା ଓ ଇଲଟ୍ରୋନିକ୍ ଗଣମାଧ୍ୟମ ଜରିଆରେ ପ୍ରାର୍ଥୀଙ୍କର ଅପରାଧ ପ୍ରବଣ ପୃଷ୍ଠଭୂମି ସଂପର୍କରେ ପ୍ରଚାର ପ୍ରସାର କରାଇବା ନିମନ୍ତେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଛ।