ଓଡିଶା ଉପନିର୍ବାଚନ, କରୋନା ଯୋଗୁଁ ନେତାଙ୍କୁ ଘର ଦେବା ପାଇଁ ଗାଁ ଲୋକେ ରାଜି ହେଉ ନାହାଁନ୍ତି

Published: Oct 17, 2020, 11:32 am IST

ଭୁବନେଶ୍ବର, ବର୍ତ୍ତମାନ ତିର୍ତ୍ତୋଲ ଏବଂ ବାଲେଶ୍ବରରେ ସବୁ ଦଳର ନେତାମାନେ ଡେରା ପକାଇଲେଣି। ଆହୁରି ଅନେକ ଭୁବନେଶ୍ବରିଆ ନେତା ସେଠାକୁ ଯିବେ। ହେଲେ ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ନେତାଙ୍କ ପାଇଁ ବଡ ସମସ୍ୟା ଭାବେ ଉଭା ହୋଇଛି ଘର। କାରଣ ଗାଁ ଗହଳିର ଲୋକେ ଭୁବନେଶ୍ବର ପରି କୋରନା ଅଞ୍ଚଳରୁ ଯାଉଥିବା ନେତାମାନଙ୍କୁ ଘର ଦେବାକୁ ଚାହୁଁ ନାହାଁନ୍ତି।

ପ୍ରଥମ କଥା ହେଲେ ଏହି ଦୁଇ ନିର୍ବାଚନ ମଣ୍ଡଳୀର ସ୍ଥିତି ଯାହା ଏତେ ନେତାଙ୍କ ରହିବା ପାଇଁ ସେମିତି ହୋଟେଲ ନାହିଁ। ସେଥିପାଇଁ ନିଜ ନିଜ ଅଞ୍ଚଳର କର୍ମିମାନଙ୍କୁ ନେତାଙ୍କ ରହିବା ପାଇଁ ଘର ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ଅଥବା ନିଜ ଘରେ ରହିବା ପାଇଁ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି। ହେଲେ ଏଥର ଭୁବନେଶ୍ବରରେ କରୋନା ଯୋଗୁଁ କର୍ମିମାନେ ନେତାଙ୍କୁ ନିଜ ଘରେ ସ୍ଥାନ ଦେବାକୁ ଆଗ୍ରହ ପ୍ରକାଶ କରୁ ନାହିଁନ୍ତି। ଫଳରେ ପ୍ରଚାର ପାଇଁ ଯିବାକୁ ଥିବା ନେତାମାନେ ବର୍ତ୍ତମାନ କେଉଁଠି ରହିବେ ସେ ନେଇ ସମସ୍ୟା ଦେଖାଦେଇଛି।

ମୁଖ୍ୟନେତାମାନେ ସହରରେ ରହିବାର ଯେନତେଣ ପ୍ରକାରରେ ବନ୍ଦୋବସ୍ତ ହୋଇପାରୁଛି। ହେଲେ ପଞ୍ଚାୟତ ସ୍ତରର ନେତାଙ୍କ ପାଇଁ ଏହି ସମସ୍ୟା ଆହୁରି ଅଧିକ ହୋଇଛି। ଯେତେ ଯାହା ବୁଝାଇଲେ ବି ଗାଁ ଗହଳିର ଲୋକେ ଭୁବନେଶ୍ବରରୁ ଯାଉଥିବା ନେତାଙ୍କୁ ଘର ଦେବାକୁ ଆଦୌ ରାଜି ହେଉ ନାହାଁନ୍ତି। ହେଲେ ଲୋକଙ୍କୁ ଉଚ୍ଚା ଦରରେ ଭଡା ଦେବାର ପ୍ରତିଶୃତି ଦେଇ ନେତାମାନେ ସେମାନଙ୍କ ଘର ନେବାକୁ ଚେଷ୍ଠା କରୁଛନ୍ତି।

Related posts