Categories
ଆଜିର ଖବର ରାଜ୍ୟ ଖବର

ଉପନିର୍ବାଚନରେ ଜିତିଥିବା ଦୁଇ ବିଜେଡି ବିଧାୟକ ବାଚସ୍ପତିଙ୍କ ପ୍ରକୋଷ୍ଠରେ ନେବେ ଶପଥ

ଭୁବନେଶ୍ବର, ଓଡିଶା ଉପନିର୍ବାଚନରେ ଜିତିଥିବା ଦୁଇ ବିଧାୟକ ବିଧାନସଭାର ସଭ୍ୟ ଭାବେ ଶପଥ ନେବେ। ସେମାନେ ହେଲେ ତିର୍ତ୍ତୋଲର ବିଜୟ କୁମାର ଦାସ ଏବଂ ବାଲେଶ୍ବରର ସ୍ବରୂପ ଦାସ। ଉଭୟ ହେଉଛନ୍ତି ବିଜୁ ଜନତା ଦଳର ବିଜେତା। ଏହି ଦୁଇ ଜଣ ଆସନ୍ତାକାଲି ବୁଧବାର ଦିନ 10ଟା 30 ମିନିଟରେ ଶପଥ ନେବେ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ଦୁଇଜଣଙ୍କୁ ତାଙ୍କ ଚ୍ୟାମ୍ବରରେ ଶପଥ ପାଠ କରାଇବେ। ଏନେଇ ବିଧାନସଭା ତରଫରୁ ପ୍ରସ୍ତୁତି କରାଯାଇଛି। ଶପଥପାଠ ପରେ ବାଚସ୍ପତି ଡାକିଥିବା ସର୍ବ ଦଳୀୟ ବୈଠକରେ ଯୋଗ ଦେବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ନୋ ଧର୍ମେନ୍ଦ୍ର, ନୋ ପ୍ରତାପ, ନୋ ଅପରାଜିତା, ନୋ ନିରଂଜନ;  ଓନଲ୍ଲି ନବୀନ ଆଣ୍ଡ ନବୀନ

ଭୁବନେଶ୍ବର, ପୁଣିଥରେ ପ୍ରମାଣିତ ହୋଇଛି ଯେ, ଓଡିଶାରେ ନିର୍ବାଚନ ଅର୍ଥ କେବଳ ନବୀନ ଏବଂ ନବୀନ। ଏହା ବ୍ୟାତିରକେ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ଅପରାଜିତା ଷଡଙ୍ଗୀ ଏବଂ ନିରଂଜନ ପଟ୍ଟନାୟକ କେହି ନୁହଁନ୍ତି। ଯେ ପର୍ଯ୍ୟନ୍ତ ନବୀନ ରାଜନୀତିରେ ଅଛନ୍ତି ସେ ପର୍ଯ୍ୟନ୍ତ ତାଙ୍କର କେହି କିଛି କରି ପାରିବେ ନାହିଁ। ଥରେ ନୁହେଁ କି ଦୁଇଥର ନୁହେଁ, 2000 ମସିହାଠାରୁ ଏହା ବାରମ୍ବାର ପ୍ରମାଣିତ ହୋଇ ଆସିଛି।

ବିଗତ ରାଜନୀତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କିଏ ସେ ପୋଡା ଟ୍ରାନସଫରମର, କିଏ ସେ ଦେହ ଖରାପ ପ୍ରସଂଗ, କିଏ ସେ ବିଭିନ୍ନ ଦୁର୍ନିତି ପ୍ରସଂଗ ଆଣିଥିଲେ ମଧ୍ୟ ତାହା କିଛି କାମ ଦେଉ ନାହିଁ। ବିରୋଧୀଙ୍କ ସବୁ ପ୍ରକାର ରଣ କୌଶଳ ଏବଂ ଚକ୍ରାନ୍ତକୁ ନବୀନଙ୍କ ଭାବମୂର୍ତ୍ତି ଧୂଳିସାତ କରିଦେଉଛି। ଫଳରେ ବର୍ତ୍ତମାନ ରାଜ୍ୟର ସବୁ ରାଜନୈତିକ ଦଳ ନିର୍ବାଚନ ଆସିଲେ ତ୍ରାହି ତ୍ରାହି ଚିତ୍କାର କରିବାକୁ ଲାଗିଲେଣି।

ବର୍ତ୍ତମାନର ବାଲେଶ୍ବର ଏବଂ ତିର୍ତ୍ତେଲ ଉପନିର୍ବାଚନ କଥା ବିଚାରକୁ ନିଆଯାଉ। ଏହି ଦୁଇ ଉପନିର୍ବାଚନରେ ବିରୋଧୀ ବିଜେପି ଏବଂ କଂଗ୍ରେସ ସତାପତ୍ତା ହରାଇ ବସିଲେଣି। ବାଲେଶ୍ବର ଉପନିର୍ବାଚନ ପ୍ରମାଣିତ କରିଦେଇଛି ଯେ, ବିଜେଡିର ପ୍ରାର୍ଥୀଙ୍କ ଅସ୍ଥିତ୍ବ ଥାଉ କି ନାହିଁ, ନବୀନ ବ୍ରାଣ୍ଡ ବାଜିଲେ ତାହା ଲୋକପ୍ରିୟ ହୋଇ ଯାଉଛି।

ସ୍ବରୂପ ଦାସଙ୍କୁ ଯେତେବେଳେ ବିଜେଡି ପ୍ରାର୍ଥୀ କଲା ସେତେବେଳେ ତାଙ୍କୁ ଓଡିଶା ଗଣମାଧ୍ୟମ ଜାଣି ନ ଥିଲା। ସମସ୍ତେ ଆଶ୍ଚର୍ଯ୍ୟ ହେଲେ ବାଲେଶ୍ବରର ଜଣେ ଟାଣୁଆ ପୂର୍ବତନ ସାଂସଦ ରବି ଜେନା ଏବଂ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ଥାଉ ଥାଉ ସ୍ବରୂପଙ୍କୁ କାହିଁକି ପ୍ରାର୍ଥୀ କରାଗଲା। ଏହାକୁ ଦେଖି ସେତେବେଳେ ସମସ୍ତେ ଆକଳନ କରି ନେଲେ ଯେ, ବିଜେପି ଏହି ଆସନରେ ନିଶ୍ଚିତ ଜିତିବ। କାରଣ ସହାନୁଭୂତ ଭୋଟ ସହିତ ବିଜେଡିର ଦୁର୍ବଳ ପ୍ରାର୍ଥୀ ମାନସ ଦତ୍ତଙ୍କୁ ଜିତାଇଦେବ। ହେଲେ ଫଳାଫଳ ଆସିବା ପରେ ସେ ଆକଳନ ଭୁଲ ବୋଲି ପ୍ରମାଣିତ ହୋଇଯାଇଛି।

ସ୍ବରୂପ ଦାସ ପ୍ରାୟ 13 ହଜାର ଭୋଟ ବ୍ୟବଧାନରେ ବିଜେପିଠାରୁ ଜିତିଲେ। ଆଉ କଂଗ୍ରେସ ବାଲେଶ୍ବରରେ ଅମାନତ ହରାଇ ବସିଛି। ଗତ ସାଧାରଣ ନିର୍ବାଚନରେ ବିଜେପି ଏଠାରେ ଯେତିକି ଭୋଟ ପାଇଥିଲା ଏହି ଉପନିର୍ବାଚନରେ ତାଠାରୁ କମ ଭୋଟ ପାଇଛି। ଏହି ଆସନଟି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଗଡ ବୋଲି କୁହାଯାଉଥିଲା। ଏପରିକି ପ୍ରତାପ ସେଠାରେ ଭାଡି ପକାଇ ରହିଥିଲେ ମଧ୍ୟ ନବୀନଙ୍କ କ୍ରେଜ ଆଗରେ ତାହା କିଛି କାମ କଲା ନାହିଁ। ବିଜେପି ପ୍ରାର୍ଥୀ 70 ହଜାର 746 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡିର ସ୍ବରପ ଦାସ 84 ହଜାର 97 ଖଣ୍ଡ ଭୋଟ ପାଇଛନ୍ତି। ଏଠାରେ ଗତ ସାଧାରଣ ନିର୍ବାଚନରୁ ବିଜେପି 3.68 ପ୍ରତିଶତ କମ ଭୋଟ ପାଇଛି।

ସେହିପରି ତିର୍ତ୍ତୋଲ ଉପନିର୍ବାଚନ କଥା ଯଦି ଦେଖିବା ତେବେ ବିଜୟ ଶଙ୍କର ଦାସ ସର୍ବାଧିକ ଭୋଟରେ ବିଜୟୀ ହୋଇଛନ୍ତି। ସେ 41 ହଜାର 703 ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରାଙ୍କୁ ହରାଇଛନ୍ତି। ବିଜୟ ମୋଟ ଭୋଟର 52.9 ପ୍ରତିଶତ ଭୋଟ ହାତେଇଥିବା ବେଳେ ରାଜ କିଶୋର ପାଇଛନ୍ତି ମାତ୍ର 27. 9 ପ୍ରତିଶତ ଭୋଟ। ଏଠାରେ ଖୋଦ୍ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥକଙ୍କ ଦବଦବା ରହିଥିଲା। ଏପରିକି ଧର୍ମେନ୍ଦ୍ର ଏହି ଉପନିର୍ବାଚନ ପାଇଁ ବିଶେଷ ଧ୍ୟାନ ମଧ୍ୟ ଦେଇଥିଲେ। ହେଲେ ନୀବନଙ୍କ ଆଗରେ ସେସବୁ ଫସର ଫାଟି ଯାଇଥିଲା।

ଓଡିଶାରେ ତିର୍ତ୍ତୋଲ ଓ ବାଲେଶ୍ବର ପୂର୍ବରୁ ଆଉ ଦୁଇଟି ଉପନିର୍ବାଚନ ହୋଇଥିଲା। ସେ ଦୁଇଟି ନିର୍ବାଚନ ମଣ୍ଡଳି ହେଲା ପାଟକୁରା ଏବଂ ବିଜେପୁର। ସେଥିରେ ମଧ୍ୟ ବିଜେଡି ନବୀନଙ୍କ ନାମରେ ବାଜି ମାରି ନେଇଛି। ପାଟକୁରାରେ ବିଜେପି ତରଫରୁ ବରିଷ୍ଠ ନେତା ବିଜାୟ ମହାପାତ୍ର ପ୍ରାର୍ଥୀ ହୋଇଥିଲେ। ହେଲେ ସେଠାରେ ସାବିତ୍ରୀ ଅଗ୍ରୱାଲା ଜିତି ଆସିଲେ। ସେହିପରି ବିଜେପୁରରେ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇ ପରବର୍ତ୍ତି ସମୟରେ ସେଠାରୁ ଇସ୍ତଫା ଦେବା ପରେ ଉପନିର୍ବାଚନ ହୋଇଥିଲା। ସେଠାରେ ମଧ୍ୟ ବିଜେଡି ପ୍ରାର୍ଥୀ ରୀତା ତରାଇ ରେକର୍ଡ ସଂଖ୍ୟକ ଭୋଟରେ ଜିତିଛନ୍ତି। ସେଥିପାଇଁ କୁହାଯିବ ଓଡିଶାରେ ନିର୍ବାଚନ ଅର୍ଥ ନବୀନ ଏବଂ ନବୀନ। ଏହା ବ୍ୟତିତ ଆଉ କିଛି ନାହିଁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଉପନିର୍ବାଚନରେ ମଧ୍ୟ ଭୋଟରଙ୍କ ମୁଡ୍ ସେହି ନବୀନ, ଲୋକଙ୍କୁ ମନେଇବାରେ ବିଫଳ ବିରୋଧୀ ଦଳ

ଭୁବନେଶ୍ୱର: ଦୀର୍ଘ ୨୧ ବର୍ଷର ରାଜ୍ୟ ଶାସନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ଳାନ୍ତ ଓ ଅବଶ କରିପାରିନି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଓଡ଼ିଶାରେ ତିଆରି ହୋଇଥିବା ବିଜୁ ଜନତା ଦଳ ଶାସନକ୍ଷମତାକୁ ଆସିବା ପୂର୍ବରୁ ରାଜ୍ୟରେ ଅନେକ ନେତା ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ନବୀନଙ୍କ ଭଳି ନିରଙ୍କୁସ, ସଂଖ୍ୟା ଗରିଷ୍ଠତା ହାସଲ କରି ଏଭଳି ଦୀର୍ଘ ବର୍ଷ ଶାସନ କ୍ଷମତାରେ ରହିବା ଭଳି ଐତିହାସିକ ସୁଯୋଗ କାହାକୁ ମିଳି ନ ଥିଲା। ଦୁର୍ନୀତି ଯୋଗୁ ଅତୀତର କଂଗ୍ରେସ ଶାସନ ବେଳେ ଯେଭଳି ବିକାଶ ହେବା କଥା ତାହା ହୋଇ ନ ଥିବାରୁ ନବୀନ ପ୍ରଥମେ ଦୁର୍ନୀତି ଉପରେ ରୋକ ଲଗାଇ ଦୁର୍ନୀତିଗ୍ରସ୍ତ ନେତାଙ୍କୁ ଦଳରୁ ତଡି ଦେଲେ। ଫଳରେ ଓଡ଼ିଆ ଲୋକଙ୍କ ଆଶା ଓ ଭରସାର ପ୍ରତୀକ ହୋଇ ଗଲେ ନବୀନ।

ପ୍ରଥମ ପାଳି ସରକାର ଗଠନ ବେଳେ ଭାରତୀୟ ଜନତା ପାର୍ଟି ସହ ମେଣ୍ଟ କରିଥିବା ବିଜେଡି ଆଉ ମେଣ୍ଟ ସରକାର ସପକ୍ଷରେ ନ ରହି ଜନମତକୁ ସମ୍ପୂର୍ଣ୍ଣ ଭରସା କରିଥିଲା। ବାସ୍ତବରେ ତାହା ହିଁ ଘଟିଚାଲିଲା। ଭୋଟର ନବୀନଙ୍କ ପ୍ରତି ଏତେ ଆଶାବାଦୀ ହୋଇଗଲେ ଯେ, କେବଳ ନବୀନ କହିଲେ ହିଁ ନିର୍ବାଚନରେ ବିଜୟ। ବିରୋଧୀଙ୍କ ଅପପ୍ରଚାର, ବିରୋଧ, ଆନ୍ଦୋଳନ ସବୁ ଯେମିତି ନିଷ୍ପ୍ରଭ ହୋଇ ଚାଲିଲା। ଫଳସ୍ୱରୂପ ରାଜ୍ୟରୁ କଂଗ୍ରେସ ଭୋଟ ଏତେ ତଳକୁ ଖସିଲା ଯେ, ଆଉ ଥରେ ଓଡ଼ିଶାରେ କଂଗ୍ରେସ ଶାସନ କ୍ଷମତାକୁ ଫେରିବା ଦିବାସ୍ବପ୍ନ ହୋଇଗଲାଣି।

ପୁଣି କ୍ଷମତାକୁ ଫେରିବାର ଲୋଭ କଂଗ୍ରେସ ନେତାଙ୍କ ମନରୁ ଲିଭୁନି। ଏଥିପାଇଁ ବାରମ୍ବାର ପିସିସି ନେତା ପରିବର୍ତ୍ତନ ମଧ୍ୟ ହୋଇଛି। ହେଲେ ପରିସ୍ଥିତି ଏପରି ହୋଇଛି ଯେ, କଂଗ୍ରେସ ଆଉ ବିଜେଡିର ପ୍ରତିଦ୍ବନ୍ଦ୍ବି ହୋଇ ନାହିଁ। ୨୦୧୪ ସାଧାରଣ ନିର୍ବାଚନରେ ସମଗ୍ର ଭାରତରେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଜନସାଧାରଣ ଅଧିକ ଆକୃଷ୍ଟ ହୋଇ ପଡିଲେ, ସେତେବେଳେ କିଛି ଲୋକଙ୍କ ମନ ଭିତରେ ଓଡ଼ିଶାରେ ବିଜେଡି ଶାସନକୁ ନେଇ ସନ୍ଦେହ ଦେଖା ଦେଇଥିଲା। ହେଲେ ନବୀନ ଥିଲେ ଏ ସମସ୍ତ ଚର୍ଚ୍ଚାର ଉର୍ଦ୍ଧ୍ବରେ। ବିଜେପିର ରଙ୍ଗୀନ ପ୍ରଚାର ଫିକା ପଡିଗଲା ନବୀନଙ୍କ ଶାନ୍ତ, ସରଳ ଓ ନିଷ୍କପଟ ମୁହଁ ଆଗରେ। ବିଜେଡି ହିଁ ଶାସନ କ୍ଷମତାରେ ରହିଲା। ପରିବର୍ତ୍ତନର ନାରା ଦେଉଥିବା ବିଜେପି ସ୍ତବ୍ଧ ହୋଇଗଲା। ସେହିଭଳି ୨୦୧୯  ରେ ଦେଶରେ ମୋଦି ଲହର ଓ ମୋଦି ମ୍ୟାଜିକ କାମ କରିଥିଲା ବେଳେ ଓଡ଼ିଶାରେ ସେଭଳି କିଛି ପ୍ରଭାବ ପଡ଼ିଲାନାହିଁ।

ନବୀନ ପଞ୍ଚମ ପାଳି ମୁଖ୍ୟମନ୍ତ୍ରୀ ଭାବେ ଶାସନ କ୍ଷମତାରେ ରହିଛନ୍ତି। ଅନେକ ପ୍ରତିବନ୍ଧକ ସତ୍ତ୍ୱେ ଅପରାଜୟ ନବୀନଙ୍କ ବିଜୟ ଧାରା ରୋକିବାକୁ ଏଯାଏ କେହି ବିରୋଧୀ ନ ଥିବା ସ୍ପଷ୍ଟ। ନବୀନଙ୍କ ଶାସନ ଶୈଳୀ ଓ ପ୍ରଶାସନକୁ ନିୟନ୍ତ୍ରଣରେ ରଖି ରାଜ୍ୟ ଚଳାଇବାର ଦକ୍ଷତା ନା ବିଜେପି ନା କଂଗ୍ରେସ କାହା ନିକଟରେ ନାହିଁ ବୋଲି ବାରମ୍ବାର ପ୍ରମାଣିତ ହୋଇସାରିଛି। ତେବେ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଉପ ନିର୍ବାଚନ ଭୋଟ ଗ୍ରହଣ ସରିଛି। ଫଳାଫଳକୁ ବିରୋଧୀଙ୍କ ଅପେକ୍ଷା ଥିଲା ବେଳେ ଭୋଟର କହୁଛନ୍ତି ସେହି ନବୀନ। କାରଣ ଗତ ସାଧାରଣ ନିର୍ବାଚନରେ ବିରୋଧୀ ବିଜେପି ବହୁତ କିଛି ତୁମ୍ବି ତୋଫାନ କରିଥିଲା। ଏଥର ଲୋକେ ନବୀନ ସରକାରଙ୍କୁ ବୁଝିଗଲେଣି। ଆଉ ତାଙ୍କୁ ଭୋଟ ଦେବେ ନାହିଁ। ହେଲେ ଫଳ ବାହରିଲା ବେଳକୁ ସେହି ନବୀନ।

ଗତ ବିଧାନସଭା ନିର୍ବାଚନ କାହିଁକି ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଠାରୁ ଯେତୋଟି ଉପନିର୍ବାଚନ ହୋଇଛି ସେଥିରେ ବିଜେଡିକୁ ହିଁ ସଫଳତା ମିଳିଛି। ତେବେ ପୂର୍ବର ସେହି ନବୀନ ଧିରେ ଧିରେ ପରିପକ୍ବ ହୋଇଥିବାରୁ ଗତ ଦୁଇଟି ପାଳିରେ ମଧ୍ୟ ଯେତୋଟି ଉପନିର୍ବାଚନ ହୋଇଛି ସବୁଥିରେ ବିଜେଡିକୁ ମିଳିଛି ସଫଳତା। ସେହି ଧାରା ଏବଂ ଲୋକଙ୍କ ମୁଡକୁ ଅନୁଧ୍ୟାନ କଲେ ଏହି ଦୁଇ ନିର୍ବାଚନରେ ମଧ୍ୟ ବିଜେଡି ବାଜିମାତ କରିବାର ସମ୍ଭାବନା ଅଧିକ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଶାନ୍ତି ଶୃଙ୍ଖଳାରେ ଶେଷ ହେଲା ମତଦାନ, କଡା ସୁରକ୍ଷା ସହିତ ଷ୍ଟ୍ରଙ୍ଗରୁମରେ ରଖାଗଲା ଇଭିଏମ

ଭୁବନେଶ୍ବର, ବେଶ୍ ଶାନ୍ତ ଶୃଙ୍ଖଳାର ସହିତ ଶେଷ ହେଲା ଓଡିଶାର ଦୁଇଟି ଆସନର ଉପନିର୍ବାଚନ। ଆଜି ସକାଳ 6 ଟାରୁ ମତଦାନ ପକ୍ରିୟା ଆରମ୍ଭ ହୋଇଥିଲା। ତେବେ ବାଲେଶ୍ବର କେତେକ ଆସନରେ ସଂଧ୍ୟା 6 ଟା ପରେ ମଧ୍ୟ ମତଦାନ ପକ୍ରିୟା ଚାଲୁ ରହିଛି। ତେବେ ସଦ୍ୟ ସୂଚନା ଅନୁସାରେ ବାଲେଶ୍ବରରେ ୭୧ ପ୍ରତିଶତ ଏବଂ ତିର୍ତ୍ତୋଲରେ ୬୯.୯ ପ୍ରତିଶତ ମତଦାନ ହୋଇଛି। ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ତେବେ ଚୁଡାନ୍ତ ମତଦାନ ପ୍ରତିଶତ କେତେ ହେଲା ସଂପୂର୍ଣ୍ଣ ଭୋଟ ଗ୍ରହଣ ସରିବା ପରେ ଆସନ୍ତାକାଲି ଜଣାପଡିବ।

ଗତ ସାଧାରଣ ନିର୍ବାଚନ ବେଳେ ବାଲେଶ୍ୱରରେ ୭୧.୨୯ ପ୍ରତିଶତ ଏବଂ ତିର୍ତ୍ତୋଲରେ ୭୪.୦୯ ପ୍ରତିଶତ ମତଦାନ ହୋଇଥିଲା। ଆଜି ଯେଉଁ ବୁଥଗୁଡିକରେ ନିର୍ଦ୍ଧାରିତ ସମୟରେ ମତଦାନ ହୋଇଯାଇଛି ସେହି ଇଭିଏମଗୁଡିକ ଷ୍ଟ୍ରଙ୍ଗରୁମରେ ରଖାଯାଇଛି। ସେଠାରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ଆସନ୍ତା 10 ତାରିଖରେ ଉଭୟ ଆସନ ଭୋଟ ଗଣନା କରାଯାଇ ସେହିଦିନ ଫଳାଫଳ ଘୋଷଣା କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଅପରାହ୍ନ ତିନିଟା ସୁଦ୍ଧା ଦୁଇ ଉପନିର୍ବାଚନରେ 55.04 ପ୍ରତିଶତ ମତଦାନ

ଭୁବନେଶ୍ବର, ଦୁଇ ଉପନିର୍ବାଚନରେ ହେଉଥିବା ମତଦାନର ଚତୁର୍ଥ ପର୍ଯ୍ୟାୟରେ 55.04 ପ୍ରତିଶତ ଭୋଟ ଗ୍ରହଣ ହୋଇଛି। ଏଥିରେ ଦୁଇ ନିର୍ବାଚନ ମଣ୍ଡଳୀରେ ଅପରାହ୍ନ 1 ଟା ସୁଦ୍ଧା 40.51 ପ୍ରତିଶତ ମତଦାନ ହୋଇଥିଲା।  ତେବେ ଏହି ପର୍ଯ୍ୟାୟରେ ବାଲେଶ୍ବରରେ 54.84 ପ୍ରତିଶତ ଏବଂ ତିର୍ତ୍ତୋଲରେ 55.23 ପ୍ରତିଶତ ମତଦାନ ହୋଇଛି। ସଂଧ୍ୟା ଛଅଟା ପର୍ଯ୍ୟନ୍ତ ଏହି ମତଦାନ ପକ୍ରିୟା ଚାଲିବ।

Categories
ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ଓଡିଶା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ, ଆଜି ହେଉଛି ଅନ୍ଧାରୀ ବିଜେ !

ଭୁବନେଶ୍ବର, ଓଡିଶାର ଦୁଇ ଉପନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ ଗ୍ରହଣ ହେବ। ସେହି ଦୁଇଟି ହେଲା ତିର୍ତ୍ତୋଲ ଓ ବାଲେଶ୍ବର। ସେଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି। କୋଭିଡ19 ପରେ ଓଡିଶାରେ ଏହା ହେଉଛି ପ୍ରଥମ ନିର୍ବାଚନ। ଭୋଟରମାନେ କିପରି ସୁରକ୍ଷିତ ଭାବେ ଭୋଟ ଦେବେ ସେ ନେଇ ବନ୍ଦୋବସ୍ତ କରାଯାଇଛି। ଗତକାଲି ଭୋଟ ପ୍ରଚାରର ଥିଲା ଶେଷ ଦିନ। ଶେଷ ଦିନରେ ପ୍ରାର୍ଥୀମାନେ ସେମାନଙ୍କର ରଣ କୌଶଳ ସବୁ ଆପଣେଇଛନ୍ତି।

ତେବେ ଆଜି ରାତିଟି ହେଉଛି ସବୁଠାରୁ ବେଶୀ ଗୁରୁତ୍ବ ପୂର୍ଣ୍ଣ। କାରଣ ନିର୍ବାଚନ ଇତିହାସ କହୁଛି ଯେ, ଭୋଟ ଗ୍ରହଣ ପୂର୍ବଦିନ ସବୁକିଛି ଏପଟ ସେପଟ ହୋଇଯାଏ। ଟଙ୍କା କାରାବାର ଠିକ ଏହି ପୂର୍ବ ରାତିରେ ହୋଇଥାଏ। ଯାହାକୁ କୁହାଯାଏ ଅନ୍ଧାରୀ ବିଜେ। ହେଲେ ବର୍ତ୍ତମାନ ବିଭିନ୍ନ କଟକଣା ଯୋଗୁଁ ନେତାମାନଙ୍କର ଅନ୍ଧାରୀ ବିଜେ କଷ୍ଟକର ହେଉଛି।

ସାଧାରଣତଃ କିଏ କେଉଁ ୱାର୍ଡରେ ଟଙ୍କା ବାଣ୍ଟିବ ତାହା ନିର୍ଦ୍ଧାରିତ ହୋଇଥାଏ। ଯେଉଁ ଅଞ୍ଚଳର ଭୋଟ ନିଜ ସପକ୍ଷରେ ନ ଯିବାର ସମ୍ଭାବନା ଥାଏ ସେହି ସ୍ଥାନରେ ଏହି କାରବାର ବେଶୀ। ହେଲେ ବର୍ତ୍ତମାନ ନେତାଙ୍କୁ ନେତା ଛକାଛକି ସହିତ ପୋଲିସ ଏବଂ ନିର୍ବାଚନ କମିଶନରଙ୍କ କଟକଣା ଯୋଗୁଁ ଏହା ସେପରି ହୋଇପାରୁ ନାହିଁ।

ଗତକାଲି ନିର୍ବାଚନ ପ୍ରଚାର ଶେଷ ହେବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ କହିଥିଲେ ଯେ, ତିର୍ତ୍ତୋଲ ଏବଂ ବାଲେଶ୍ବରରେ ଯେଉଁମାନେ ଭୋଟର ନୁହଁନ୍ତି ସେମାନେ ସେହି ଅଞ୍ଚଳ ଛାଡନ୍ତୁ। ଅର୍ଥାତ ରାଜଧାନୀଆ ନେତାମାନେ ପ୍ରଚାର ପାଇଁ ଯେଉଁ ଡେରା ପକାଇଥିଲେ ସେମାନେ ଶିଘ୍ର ନିର୍ବାଚନ ମଣ୍ଡଳୀ ଛାଡନ୍ତୁ। ନିର୍ବାଚନ ଅଧିକାରୀଙ୍କ କଥାରେ ନେତାମାନେ ଅଞ୍ଚଳ ଛାଡିଲେ ନା ଲୁଚି କରି ରହିଲେ ତାହା କହିବା ମୁସ୍କିଲ।

ତେବେ ଏହାକୁ ନେଇ ବିଜେପି ତରଫରୁ ଅସନ୍ତୋଷ ବ୍ୟକ୍ତ କରାଯାଇଥିଲା। ବିଜେପି ତରଫରୁ ଜଗତସିଂହପୁର ଜିଲ୍ଲାପାଳଙ୍କ ନିକଟରେ ଏକ ଅଭିଯୋଗ କରାଯାଇଛି। ତାହା ହେଲା ଯେ ତିର୍ତ୍ତୋଲରେ ଅନେକ ବାହାର ନେତା ଡେରାପକାଇ ଅଛନ୍ତି। ସେମାନଙ୍କୁ ତୁରନ୍ତ ନିର୍ବାଚନ ମଣ୍ଡଳୀରୁ ହଟାଯାଉ ବୋଲି ଲିଖିତ ଅଭିଯୋଗ କରାଯାଇଛି। ଏଥିରେ ନେତାଙ୍କ ନାମ ଓ ଟେଲିଫୋନ ନମ୍ବର ସହିତ କେଉଁ ସ୍ଥାନରେ କିଏ ଅଛନ୍ତି ତାହାର ବିବରଣୀ ବିଜେପି ଦେଇଛି।

ଘଟଣା ହେଲା ସବୁଦଳ ପାଇଁ  ଭୋଟ ଗ୍ରହଣ ପୂର୍ବ ରାତି ସବୁକିଛି। ଏହି ରାତିଟି ନ ଜଗିଲେ ସବୁକିଛି ଫାଟି ଯିବାର ସମ୍ଭାବନା ରହିଛି। ସେଥିପାଇଁ ଅନେକ ନେତା ନିର୍ବାଚନ ମଣ୍ଡଳୀରେ ନ ରହିଲେ ମଧ୍ୟ ସୀମା ଆରପଟେ ରହି ଅନୁଧ୍ୟାନ କରୁଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ନବୀନଙ୍କ ଉପନିର୍ବାଚନ ଭାଷଣ: ସଂକ୍ଷିପ୍ତ ହେଲେ ମଧ୍ୟ ସବୁ ବର୍ଗକୁ ଆକୃଷ୍ଠ କରିବାର ରହିଛି କଳା ଓ କୌଶଳ

ଭୁବନେଶ୍ବର, ଉପନିର୍ବାଚନ ପାଇଁ ନବୀନ ତାଙ୍କର ପ୍ରଚାର ଶେଷ କରିଛନ୍ତି। ଦୁଇଟି ଉପନିର୍ବାଚନ ପାଇଁ ସେ ଦୁଇଥର ଭିଡିଓ କନଫ୍ରେସିଂ ମାଧ୍ୟମରେ ଭାଷଣ ଦେଇ ଭୋଟରଙ୍କୁ ଆକୃଷ୍ଠ କରିବାକୁ ଚେଷ୍ଠା କରିଛନ୍ତି। ତେବେ ତାହା ଲୋକଙ୍କୁ କେତେ ଆକୃଷ୍ଠ କରିଛି ତାହା ଭିନ୍ନ କଥା ହେଲେ ଏହି ଭାଷଣ ଥିଲା ଏକ ଭିନ୍ନ ପ୍ରକାରର। ମାତ୍ର ୫ରୁ ୮ ମିନିଟ ମଧ୍ୟରେ ହୁଏତ ଭାଷଣର ଅବଧି ହେବ, ହେଲେ ସେହି ସଂକ୍ଷିପ୍ତ ଭାଷଣରେ ବିଭିନ୍ନ ବର୍ଗର ଲୋକଙ୍କୁ କିପରି ବାନ୍ଧି ରଖିହେବ ସେ କଳା ଓ କୌଶଳ ଏହି ଭାଷଣରେ ଦେଖିବାକୁ ମିଳିଛି। ସାଧାରଣତଃ ନିର୍ବାଚନରେ ନେତାମାନେ ବଡବଡ କଥା କହିଥାନ୍ତି। ହେଲେ ନବୀନଙ୍କ ଏହି ସଂକ୍ଷିପ୍ତ ଭାଷଣରେ ସେପରି କିଛି ନ ଥିଲା। ଯାହା ଥିଲା ତାହା ବହୁ ଗୁରୁତ୍ବପୂର୍ଣ୍ଣ ଏବଂ ଲୋକଙ୍କୁ ଆକୃଷ୍ଠ କରିବାର କୌଶଳ।

ଉଭୟ ତିର୍ତ୍ତୋଲ ଏବଂ ବାଲେଶ୍ବର ଭାଷଣ ଉପରେ ଯଦି ଆଲୋଚନା କରାଯାଏ ତେବେ ଉଭୟରେ ନବୀନ ପ୍ରଥମେ ଧର୍ମ ଏବଂ ଆଞ୍ଚଳିକବାଦକୁ ପ୍ରାଧାନ୍ୟ ଦେଇଛନ୍ତି। ଯାହା ସେହି ଅଞ୍ଚଳର ଲୋକଙ୍କ ପାଇଁ ବେଶ୍ ଗୁରୁତ୍ବ ବହନ କରେ। ପ୍ରଥମେ ତିର୍ତ୍ତୋଲର ଭାଷଣରେ ସେ ଆରମ୍ଭ କଲେ ମା ସାରଳାଙ୍କ ପବିତ୍ର କ୍ଷେତ୍ରର ମୋର ତିର୍ତ୍ତୋଲ ଭାଇ ଓ ଭଉଣୀମାନେ। ସେହିପରି ବାଲେଶ୍ବରରେ ତାଙ୍କର ଭାଷଣ ଆରମ୍ଭ ହେଲା ଫକୀର ମୋହନଙ୍କ ଭୂମି ବାଲେଶ୍ବରର ମୋର ଭାଇ ଓ ଭଉଣୀମାନେ।

ସମସ୍ତେ ଜାଣନ୍ତି ଯେ ଯଦି କେହି ନିଜ ଅଞ୍ଚଳର କଥା କହେ ତେବେ ତାହା ସେହି ଅଞ୍ଚଳର ଲୋକଙ୍କୁ ବହୁତ ଭଲ ଲାଗେ। ହେଲେ ଯେତେବେଳେ ନବୀନଙ୍କ ପରି ବ୍ୟକ୍ତିତ୍ବ ସେହି ଅଞ୍ଚଳର ଦେବଦେବୀ ଏବଂ ମହାପୁରୁଷଙ୍କ କଥା କହୁଛନ୍ତି ତାହା ଲୋକଙ୍କୁ ବେଶ୍ ଉତ୍ସାହିତ କରିଛି। ଏହା ଥିଲା ନବୀନଙ୍କ ଲୋକଙ୍କ ପ୍ରତି ଭଲ ପାଇବା ପାଇଁ ଭାଷଣର ଏକ କଳା। ବାଲେଶ୍ବରରେ ନବୀନ କହିଲେ, ଫକୀରମୋହନ ହେଉଛନ୍ତି ମୋର ପ୍ରିୟ ଲେଖକ, ତାଙ୍କ ରେବତୀ ଗଳ୍ପ ମୋତେ ସବୁଠୁ ଭଲ ଲାଗେ। ଏହା ବାଲେଶ୍ବର ସଦର ବାସୀ ଶୁଣିବା ପରେ ନିଶ୍ଚିତ ଖୁସି ହେବେ ଏଥିରେ ସନ୍ଦେହ ନାହିଁ।

ଏହାର ପରବର୍ତ୍ତି ଭାଷଣକୁ ଯଦି ତର୍ଜମା କରାଯାଏ ତେବେ ତାହା ଥିଲା ସଂପ୍ରାତିକ କରୋନା ମାହାମାରୀ ଏବଂ ମହାବାତ୍ୟାର ପ୍ରସଂଗ। ସେ ତାଙ୍କ ଭାଷଣରେ ବେଶ୍ ଚତୁରତାର ସହ ଏହି ଦୁଇ ପ୍ରସଂଗକୁ ନିର୍ବାଚନ ଭାଷଣ ସହ ସୁନ୍ଦର ଭାବେ ଯୋଡିଛନ୍ତି। ଯଦି ନବୀନ ଏହି ଦୁଇଟି ପ୍ରସଂଗ ତାଙ୍କ ଭାଷଣରେ ରଖି ନ ଥାଆନ୍ତେ ତେବେ ହୁଏତ ଏହା ଅଧୁରା ଭାଷଣ ବୋଲି ଧରାଯାଇ ଥାଆନ୍ତା। ବଡ ଚତୁରତା ସହ ନବୀନ ମହାମାରୀ ସହିତ ଭୋଟ ଭାଷଣକୁ ମିଶ୍ରଣ କରିଛନ୍ତି।

ସେ କହିଛନ୍ତି ‘ମୁଁ ଯାଇଥିଲେ ଆପଣମାନେ ସମସ୍ତେ ନିଶ୍ଚିତ ଆସି ଥାଆନ୍ତେ। ହେଲେ କରୋନା ସମୟରେ ଆପଣମାନଙ୍କୁ ବିପଦରେ ନ ପକାଇବା ପାଇଁ ମୁଁ ଭିଡିଓ କନଫ୍ରେସିଂରେ ଭେଟୁଛି।’ ଏହି କଥାରେ ନବୀନଙ୍କୁ ଦୁଇଟି ଫାଇଦା ମିଳିଲା। ପ୍ରଥମତଃ ସେ ମଇଦାନକୁ ନ ଯିବାଟା ଠିକ୍ ବୋଲି ପ୍ରମାଣିତ କରିବା ଏବଂ କରୋନା ପାଇଁ ଲୋକଙ୍କୁ ସୁରକ୍ଷିତ ରଖିବା। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥାଟି ହେଉଛି ଉଭୟ ନିର୍ବାଚନ ମଣ୍ଡଳୀ ପାଇଁ ନବୀନ କହିଲେ ଯେ, ‘କରୋନା ପରେ ମୁଁ ଆପଣଙ୍କ ଅଞ୍ଚଳକୁ ଯିବି, ବିକାଶ କାମ ତଦାରଖ କରିବି, ଆପଣମାନଙ୍କ ସହିତ ମିଶିବି।’ ଏହି କେଇ ଧାଡି ଦୁଇ ନିର୍ବାଚନ ମଣ୍ଡଳୀର କର୍ମିଙ୍କୁ ବେଶ୍ ଉତ୍ସାହିତ କରିଛି।

ସେହିପରି ମହିଳାମାନଙ୍କୁ ଆକର୍ଷିତ କରିବା ପାଇଁ ନବୀନ ଉଭୟ ନିର୍ବାଚନ ମଣ୍ଡଳୀରେ ଗୋଟିଏ କଥା କହିଛନ୍ତି। ତା ହେଉଛି ‘ମିଶନ ଶକ୍ତି’ ର ମହିଳାମାନେ ବେଶ୍ ଭଲ କାମ କରୁଛନ୍ତି। ଆପଣମାନେ ଭଲ କାମ କରୁଥିବାରୁ ମୁଁ ଖୁସି।’ ଏହି କେତେ ଧାଡି ହିଁ ଉଭୟ ନିର୍ବାଚନ ମଣ୍ଡଳୀର ମହିଳାମାନଙ୍କୁ ବେଶ୍ ଆକର୍ଷିତ କରିଛି। ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପ୍ରଶଂସା କରୁଛନ୍ତି ଜାଣିବା ପରେ ସେମାନେ ଖୁସି ହେବା ନିଶ୍ଚିତ। ଯାହାକୁ କୁହାଯିବ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏହା ହେଲା ନବୀନ ଭିନ୍ନ ଏକ କଳା ଓ କୌଶଳ।

ନବୀନଙ୍କ ଏହା ଏକ ନିର୍ବାଚନୀ ଭାଷଣ ହୋଇଥିଲେ ମଧ୍ୟ ଏଥିରେ ରାଜନୀତି ଥିଲା କମ ସାମାଜିକ ବାର୍ତ୍ତା ଥିଲା ବେଶୀ । ରାଜନୈତିକ ନେତା ଭାବେ ସେ କେବଳ ନିଜେ କଣ କରିଛନ୍ତି ତାହାର ଏକ ଛୋଟିଆ ରୂପରେଖଟିଏ ପ୍ରଦାନ କରିଛନ୍ତି। ହେଲେ ସେ କେଉଁଠି ହେଲେ ରାଜନୈତିକ ପ୍ରତିଶ୍ରୁତିଟିଏ ଦେଇ ନାହାଁନ୍ତି। କେବଳ ବାଲେଶ୍ବର ପାଇଁ ସେ କହିଛନ୍ତି ଯେ, ବିଜେପୁର ପରି ବାଲେଶ୍ବରର ବିକାଶ ଦାୟିତ୍ବ ମୁଁ ନିଜେ ନେବି। ଆଜିକାଲିର ଯୁଗକୁ ଦେଖିଲେ ନେତାମାନେ ନିର୍ବାଚନ ସମୟରେ କେବଳ ପ୍ରତିଶୃତି ଦିଅନ୍ତି ହେଲେ ନିର୍ବାଚନ ପରେ ତାହା ଭୁଲି ଯାଆନ୍ତି। କିନ୍ତୁ ନବୀନଙ୍କ ଏହି ଭାଷଣରେ ତାହା ଦେଖିବାକୁ ମିଳି ନ ଥିଲା।

ତେବେ ଭାଷଣ ଶେଷରେ ନବୀନ ଉଭୟ ନିର୍ବାଚନମଣ୍ଡଳୀର କର୍ମିମାନଙ୍କୁ ଯାହା କହିଛନ୍ତି ତାହା ମଧ୍ୟ ବେଶ୍ ଚତୁରତା ଯୁକ୍ତ ନିର୍ବାଚନ ପ୍ରଚାର ବୋଲି କୁହାଯିବ। ଉଭୟ ନିର୍ବାଚନ ମଣ୍ଡଳୀର କର୍ମିଙ୍କୁ ସେ କହିଛନ୍ତି ‘ଆପଣ ଏବଂ ଆପଣଙ୍କ ପରିବାରର ମୋ ପାଇଁ ବେଶ୍ ମୂଲ୍ୟବାନ। କୋଭିଡ କଟକଣା ଭିତରେ ସୁରକ୍ଷିତ ଭାବେ ଆପଣମାନେ ଭୋଟ ଦେବାକୁ ଯାଆନ୍ତୁ। ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ।’ କରୋନା ସଚେତନତା ବାର୍ତ୍ତା ସହିତ ଶଙ୍ଖ ଚିହ୍ନରେ ଭୋଟ ଦେବା ପ୍ରସଂଗକୁ ଯୋଡି ନବୀନ ସୁନ୍ଦର ଭାବେ ଏହାକୁ ଉପସ୍ଥାପିତ କରିଛନ୍ତି। କହିବାକୁ ଗଲେ କରୋନା ସଚେତନତା ବାର୍ତ୍ତା ମାଧ୍ୟମରେ ଭୋଟ ପ୍ରଚାର କିପରି କରାଯାଏ ତାହା ନବୀନଙ୍କ ଭାଷଣରେ ପ୍ରତିୟମାନ ହୋଇଛି।

Categories
ଜାତୀୟ ଖବର ବିଶେଷ ଖବର

ଓଡିଶା ଉପନିର୍ବାଚନ ଅଙ୍କ କଷା: କଂଗ୍ରେସ ପଛୁଆ, ମଝିରେ ବିଜେପି, ବାଜି ମାରିପାରେ ବିଜେଡି

ଭୁବନେଶ୍ୱର: ନଭେମ୍ବର ୩ ତାରିଖରେ ରାଜ୍ୟର ଦୁଇଟି ବିଧାନସଭା ଆସନ ପାଇଁ ଅନୁଷ୍ଠିତ ହେବ ଉପନିର୍ବାଚନ। ଏଥିପାଇଁ ସବୁ ଦଳରୁ ଜୋରଦାର ପ୍ରଚାର ଚାଲିଛି। ଦୁଇ ଜଣ କେନ୍ଦ୍ରମନ୍ତ୍ରୀ, ଖୋଦ ମୁଖ୍ୟମନ୍ତ୍ରୀଙ୍କ ସହିତ ଗଣ୍ଡଗଣ୍ଡା ନେତା ଏହି ଉପନିର୍ବାଚନ ପାଣିପାଗକୁ ଗରମ କରି ଦେଇଛନ୍ତି। ଯଦି ବିଗତ ୨୧ ବର୍ଷର ରାଜ୍ୟର ନିର୍ବାଚନ ଏବଂ ଉପନିର୍ବାଚନକୁ ସମୀକ୍ଷା କରାଯାଏ ତେବେ ସବୁଥିରେ ବିଜୁ ଜନତା ଦଳ ହିଁ ବାଜି ମାରିଛି। ବର୍ତ୍ତମାନ ସୁଦ୍ଧା ବିଜେଡିକୁ ଟପି ପାରିବାର କ୍ଷମତା ଆଉ କୌଣସି ରାଜନୈତିକ ଦଳ ପାଖରେ ନାହିଁ।

ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଟିଏ ବାକ୍ୟ ଓଡିଶାବାସୀଙ୍କ ହୃଦୟକୁ ଚହଲାଇ ଦେଇଥିଲା। ତାହା ହେଉଛି ଆପଣ ମାନେ ଖୁସି ତ! ମୁଁ ବି ଖୁସି। ବାସ ଏତିକିରେ ଭୋଟ ବାକ୍ସ ଫୁଲ। ଏହି କଥା କେଇ ପଦରେ କଣ କିମିଆଁ ଅଛି କେଜାଣି ଓଡ଼ିଆ ଲୋକଙ୍କ ମନ କିଣି ନେଇଥିଲେ ନବୀନ। ବିଜେଡିର ଭୋଟ ଗଣିତ ଆଗରେ ବିରୋଧୀଙ୍କ ସବୁ ଚକ୍ରାନ୍ତ ସବୁ ଆହ୍ୱାନ ଫେଲ ମାରିଛି।

ବାଲେଶ୍ୱର ସଦର ବିଧାନସଭା କ୍ଷେତ୍ର ଏକ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ତଥାପି ରାଜ୍ୟ ନିର୍ବାଚନ ଇତିହାସରେ ଜଗତସିଂହଁପୁର ଜିଲ୍ଲା ସବୁବେଳେ ଗୁରୁତ୍ୱ ବହନ କରିଛି। କାରଣ ଅତୀତରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଇତିହାସ ଦେଖିଲେ ଏଠାରୁ କଂଗ୍ରେସ ପ୍ରାର୍ଥୀ ବସନ୍ତ ବିଶ୍ୱାଳ ନିର୍ବାଚନ ଜିଣି ରାଜ୍ୟ ରାଜନୀତିରେ ଜଣେ ଚର୍ଚ୍ଚିତ ନେତା ହୋଇ ପାରିଥିଲେ।

ବର୍ତ୍ତମାନର ସ୍ଥିତିକୁ ଦେଖିଲେ ବାଲେଶ୍ୱର ଓ ତିର୍ତ୍ତୋଲରେ ବିଜେଡିର ସ୍ଥିତି ଖୁବ ଭଲ ଅଛି। ଯଦିଓ ଦୁଇଟି ଆସନରେ ତୀବ୍ର ପ୍ରତିଦ୍ବନ୍ଦିତା ଚାଲିଛି ତନ୍ମଧ୍ୟରୁ ବାଲେଶ୍ୱର ସଦର ଅପେକ୍ଷା ତିର୍ତ୍ତୋଲରେ ବିଜେଡି ଖୁବ ମଜବୁତ ସ୍ଥିତିରେ ରହିଥିବା ଜଣାପଡିଛି।  ହେଲେ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ସହରାଞ୍ଚଳ ଭୋଟର ବିଜେପି ସପକ୍ଷରେ ଥିବାବେଳେ ପଞ୍ଚାୟତ ସ୍ତରରେ ବିଜେଡି  ସ୍ଥିତି ଖୁବ ଭଲ। ବିଶେଷକରି ଗ୍ରାମାଞ୍ଚଳର ମହିଳା ଭୋଟର ବିଜେପି ଅପେକ୍ଷା ନବୀନଙ୍କ ପ୍ରତି ଅଧିକ ଆସ୍ଥା ପ୍ରକଟ କରୁଥିବାର ଜଣାପଡିଛି।

ଗତ ସାଧାରଣ ନିର୍ବାଚନରେ ବାଲେଶ୍ବର ଆସନରେ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତ ଜିତିଥିଲେ। ତାଙ୍କର ପରଲୋକ ପରେ ପୁତ୍ର ମାନସ ନିର୍ବାଚନ ମଇଦାନରେ ଲଢେଇ କରୁଛନ୍ତି। ଫଳରେ ବିଜେପି ଏଥର ସମବେଦନା ଭୋଟ ହାତେଇବା ସମ୍ଭାବନା ରହିଛି। ଏଥିସହିତ ବିଜେପିର ରାଜ୍ୟ ନେତା ଓ ଦୁଇ କେନ୍ଦ୍ର ମନ୍ତ୍ରୀ, ମାନସଙ୍କ ପ୍ରଚାର ପାଇଁ ଜୋରଦାର ଲାଗି ପଡିଛନ୍ତି। ଏପରିକି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଘରକୁ ଘର ବୁଲି ବିଜେପିକୁ ଜିତାଇବା ପାଇଁ ଉଦ୍ୟମ ମଧ୍ୟ ଜାରି ରଖିଛନ୍ତି।

ଅନ୍ୟପକ୍ଷେ ତିର୍ତ୍ତୋଲ ଆସନରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସ ନିର୍ବାଚିତ ହୋଇଥିଲେ। ବିଷ୍ଣୁଙ୍କ ଦେହାନ୍ତ ଯୋଗୁଁ ବର୍ତ୍ତମାନ ଉପନିର୍ବାଚନରେ ତାଙ୍କ ପୁତ୍ର ମଧ୍ୟ ବିଜେଡିରୁ ନିର୍ବାଚନରେ ଲଢ଼ୁଛନ୍ତି। ବିଜେଡି ସୁପ୍ରିମୋ ପୁଣି ଥରେ ସ୍ବର୍ଗତ ଦାସଙ୍କ ଲୋକପ୍ରିୟତାକୁ ଭରସା କରି ଏହି ଆସନରେ ତାଙ୍କ ପୁତ୍ର ବିଜୟ ଶଙ୍କର ଦାସଙ୍କୁ ଟିକଟ ଦେଇଛନ୍ତି। ଏଠାରୁ ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରା, କଂଗ୍ରେସର ହିଂମାଶୁ ଭୂଷଣ ମଲ୍ଲିକ, ସିପିଆଇର ବିଜୟ କୁମାର ଭୋଇଙ୍କ ସମେତ ୫ ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ମୋଟାମୋଟି ଦେଖିବାକୁ ଗଲେ ଏଠାରେ ବିଜେଡିର ପଲା ଭାରି ରହିଛି।

ଯଦିଓ ତିର୍ତ୍ତୋଲରେ ବିଜେପି ପ୍ରାର୍ଥୀ ପ୍ରଚାର ମଇଦାନରେ ପ୍ରଭାବ ଦେଖାଇଛନ୍ତି, ହେଲେ ଏଠାରେ ବିଜେଡି ସମବେଦନା ଭୋଟ ହାତେଇବେ। କଂଗ୍ରେସ ଏଠାରେ ଭଲ ପ୍ରାର୍ଥୀ ଦେଇଛି। ହେଲେ ପୂର୍ବ ନିର୍ବାଚନ ଫଳାଫଳ ଦେଖିଲେ କଂଗ୍ରେସ ହାତରେ ସେମିତି ଭୋଟ ନାହିଁ। ବାଲେଶ୍ୱର ସଦରରେ ମଧ୍ୟ କଂଗ୍ରେସ ଜଣେ ମହିଳା ପ୍ରାର୍ଥୀ ମମତା କୁଣ୍ଡୁଙ୍କୁ ଟିକଟ ଦେଇଛି। ପ୍ରାର୍ଥୀ ହିସାବରେ ମମତା ଭଲ ପ୍ରାର୍ଥୀ ହୋଇ ଥିଲେ ମଧ୍ୟ ଏଠାରେ ବିଜେଡିର ସ୍ୱରୂପ କୁମାର ଦାସ ଓ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ଟକ୍କର ଦେଇପାରିଲା ଭଳି ମନେ ହେଉ ନାହିଁ। ତେଣୁ କହିବାକୁ ଗଲେ ଉପ ନିର୍ବାଚନ ବିଜେଡି-ବିଜେପି ମଧ୍ୟରେ ଚାଲିଛି ଲଢେଇ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ଉପନିର୍ବାଚନ: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ବିରୋଧରେ ଅଭିଯୋଗ କଲା ବିଜେପି

ଭୁବନେଶ୍ୱର : ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଥିବାବେଳେ ଏବେ ସରକାରୀ ଅଧିକାରୀମାନେ ଶାସକ ଦଳକୁ ଜିତାଇବା କାର୍ଯ୍ୟରେ ଲାଗିପଡିଛନ୍ତି ।  ଖୋଦ୍ ସଦର ବ୍ଲକ ତହସିଲଦାର ତଥା ପ୍ରିଜାଇଡିଂ ଅଫିସର ଘର ଘର ବୁଲି ମିଛ ତଥ୍ୟ ଦର୍ଶାଇ ଲୋକଙ୍କ ଠାରୁ ବିଜେଡି ସପକ୍ଷରେ ଭୋଟ ସଂଗ୍ରହ କରୁଛନ୍ତି। ଏହିପରି ଅଭିଯୋଗ କରିଛି ରାଜ୍ୟ ବିଜେପି।

ସେହିପରି ତିର୍ତୋଲ ଉପନର୍ବାଚନରେ ଜଗତସିଂହପୁରର ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ବେଆଇନ ଭାବେ ନିଜ କ୍ଷମତାକୁ ଅପବ୍ୟବହାର କରି ନିର୍ବାଚନକୁ ପ୍ରଭାବିତ କରୁଛନ୍ତି । ରିଟଣ୍ଣିଂ ଅଫିସର ବାଲେଶ୍ୱର ସଦରରେ ବିଜେଡିକୁ ଜିତାଇବାର ମଙ୍ଗ ଧରିଛନ୍ତି ବୋଲି ବିଜେପି କହିଛି। ଏହା ବିରୁଦ୍ଧରେ ଦଳ ତରଫରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ଉପନିର୍ବାଚନ, କରୋନା ଯୋଗୁଁ ନେତାଙ୍କୁ ଘର ଦେବା ପାଇଁ ଗାଁ ଲୋକେ ରାଜି ହେଉ ନାହାଁନ୍ତି

ଭୁବନେଶ୍ବର, ବର୍ତ୍ତମାନ ତିର୍ତ୍ତୋଲ ଏବଂ ବାଲେଶ୍ବରରେ ସବୁ ଦଳର ନେତାମାନେ ଡେରା ପକାଇଲେଣି। ଆହୁରି ଅନେକ ଭୁବନେଶ୍ବରିଆ ନେତା ସେଠାକୁ ଯିବେ। ହେଲେ ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ନେତାଙ୍କ ପାଇଁ ବଡ ସମସ୍ୟା ଭାବେ ଉଭା ହୋଇଛି ଘର। କାରଣ ଗାଁ ଗହଳିର ଲୋକେ ଭୁବନେଶ୍ବର ପରି କୋରନା ଅଞ୍ଚଳରୁ ଯାଉଥିବା ନେତାମାନଙ୍କୁ ଘର ଦେବାକୁ ଚାହୁଁ ନାହାଁନ୍ତି।

ପ୍ରଥମ କଥା ହେଲେ ଏହି ଦୁଇ ନିର୍ବାଚନ ମଣ୍ଡଳୀର ସ୍ଥିତି ଯାହା ଏତେ ନେତାଙ୍କ ରହିବା ପାଇଁ ସେମିତି ହୋଟେଲ ନାହିଁ। ସେଥିପାଇଁ ନିଜ ନିଜ ଅଞ୍ଚଳର କର୍ମିମାନଙ୍କୁ ନେତାଙ୍କ ରହିବା ପାଇଁ ଘର ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ଅଥବା ନିଜ ଘରେ ରହିବା ପାଇଁ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି। ହେଲେ ଏଥର ଭୁବନେଶ୍ବରରେ କରୋନା ଯୋଗୁଁ କର୍ମିମାନେ ନେତାଙ୍କୁ ନିଜ ଘରେ ସ୍ଥାନ ଦେବାକୁ ଆଗ୍ରହ ପ୍ରକାଶ କରୁ ନାହିଁନ୍ତି। ଫଳରେ ପ୍ରଚାର ପାଇଁ ଯିବାକୁ ଥିବା ନେତାମାନେ ବର୍ତ୍ତମାନ କେଉଁଠି ରହିବେ ସେ ନେଇ ସମସ୍ୟା ଦେଖାଦେଇଛି।

ମୁଖ୍ୟନେତାମାନେ ସହରରେ ରହିବାର ଯେନତେଣ ପ୍ରକାରରେ ବନ୍ଦୋବସ୍ତ ହୋଇପାରୁଛି। ହେଲେ ପଞ୍ଚାୟତ ସ୍ତରର ନେତାଙ୍କ ପାଇଁ ଏହି ସମସ୍ୟା ଆହୁରି ଅଧିକ ହୋଇଛି। ଯେତେ ଯାହା ବୁଝାଇଲେ ବି ଗାଁ ଗହଳିର ଲୋକେ ଭୁବନେଶ୍ବରରୁ ଯାଉଥିବା ନେତାଙ୍କୁ ଘର ଦେବାକୁ ଆଦୌ ରାଜି ହେଉ ନାହାଁନ୍ତି। ହେଲେ ଲୋକଙ୍କୁ ଉଚ୍ଚା ଦରରେ ଭଡା ଦେବାର ପ୍ରତିଶୃତି ଦେଇ ନେତାମାନେ ସେମାନଙ୍କ ଘର ନେବାକୁ ଚେଷ୍ଠା କରୁଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

କରୋନା ପଜେଟିଭ ମତଦାତାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ତିର୍ତ୍ତୋଲରେ 340 ଏବଂ ବାଲେଶ୍ବରରେ 101 ଜଣ ଭୋଟର ଆକ୍ରାନ୍ତ

ଭୁବନେଶ୍ବର, ରାଜ୍ୟରେ ହେବାକୁ ଥିବା ଦୁଇଟି ଉପନିର୍ବାଚନ ପାଇଁ ଭୋଟରଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିଥିଲା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। କାରଣ କରୋନା ପଜେଟିଭ ଏବଂ ବୟସ୍କ ଭୋଟରଙ୍କୁ ସତର୍କତା ସହିତ ମତଦାନ କରିବା ପାଇଁ ବ୍ୟବସ୍ଥା କରାଯିବ। ସେଥିପାଇଁ ସ୍ଥାନୀୟ ନିର୍ବାଚନ ଅଧିକାରୀ ଘରକୁ ଘର ବୁଲି ତିନୋଟି ବର୍ଗର ଭୋଟରଙ୍କ ତଥ୍ୟ ସଂଗ୍ରହ କରିଥିଲେ।ସେମାନେ ହେଲେ ବୟସ୍କ, ଭିନ୍ନକ୍ଷମ ଏବଂ କରୋନା ପଜେଟିଭ ଭୋଟର। ଏମାନଙ୍କୁ ପୋଷ୍ଟାଲ ଭୋଟ ଦେବା ପାଇଁ ଉତ୍ସାହିତ କରାଯାଇଥିଲା। ସେହି ଅନୁସାରେ ଦୁଇ ନିର୍ବାଚନ ମଣ୍ଡଳୀର ଏହି ତିନୋଟି ବର୍ଗର ଭୋଟର ହେଲେ

ତିର୍ତ୍ତୋଲ

ତିନିବର୍ଗର ଭୋଟର ସଂଖ୍ୟା-15253 ଜଣ, ସେମାନଙ୍କ ମଧ୍ୟରୁ ପୋଷ୍ଟାଲ ଭୋଟ ପାଇଁ ରାଜି ହେଲେ 3685 ଜଣ, ବୁଥରେ ଭୋଟ ଦେବେ 9677 ଜଣ ଏବଂ ଅନୁପସ୍ଥିତ ଅଛନ୍ତି 1496 ଜଣ ଭୋଟର।

ତେବେ ଏହି ନିର୍ବାଚନ ମଣ୍ଡଳୀରେ କରୋନା ପଜେଟିଭ ଭୋଟର 340 ଜଣ ଅଛନ୍ତି। ସେମାନଙ୍କ ମଧ୍ୟରୁ 130 ଜଣ ପୋଷ୍ଟାଲ ଏବଂ 210 ଜଣ ବୁଥରେ ଭୋଟ ଦେବେ ବୋଲି ରାଜି ହୋଇଛନ୍ତି।

ବାଲେଶ୍ବର

ଏହି ତିନି ବର୍ଗର ମୋଟ ଭୋଟର ଅଛନ୍ତି 8275 ଜଣ, ପୋଷ୍ଟାଲ ଭୋଟ ଦେବାକୁ ରାଜି ଅଛନ୍ତି 1727 ଜଣ, ବୁଥରେ ଭୋଟ ଦେବା ପାଇଁ ରାଜି ଅଛନ୍ତି 3503 ଜଣ ଏବଂ 902 ଜଣ ଅନୁପସ୍ଥିତ ଅଛନ୍ତି। ତେବେ ଏହି ନିର୍ବାଚନ ମଣ୍ଡଳୀରେ 101 ଜଣ କରୋନା ପଜେଟିଭ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରୁ 7 ଜଣ ପୋଷ୍ଟାଲ ଭୋଟ ଦେବାକୁ ରାଜି ଥିବା ବେଳେ 94 ଜଣ ବୁଥରେ ଭୋଟ ଦେବେ ବୋଲି କହିଥିଲେ।

ପୋଷ୍ଟାଲ ଭୋଟ ପାଇଁ ବୁଥ ଅଫିସରମାନେ ଭୋଟ ଗ୍ରହଣ ପୂର୍ବଦିନ ଘରକୁ ଘର ବୁଲି ମତଦାନ କରାଇବେ। ସେଥିପାଇଁ ନିର୍ବାଚନ ଅଧିକାରୀଙ୍କ ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଯେଉଁମାନେ ପୋଷ୍ଟାଲ ଭୋଟ ଦେବେ ସେମାନଙ୍କୁ ଆଗରୁ ଚିହ୍ନଟ କରାଯାଇ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସରିଲା ପ୍ରାର୍ଥୀପତ୍ର ଦାଖଲ, ତିର୍ତ୍ତୋଲରେ ନଅ ଜଣ ଏବଂ ବାଲେଶ୍ବରରେ ଆଠ ଜଣ

ଭୁବନେଶ୍ବର, ଓଡିଶାର ହେବାକୁ ଥିବା ଦୁଇଟି ବିଧାନସଭା ଉପନିର୍ବାଚନରେ ପ୍ରାର୍ଥୀ ପତ୍ର ଦାଖଲ ଶେଷ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁସାରେ ତିର୍ତ୍ତୋଲରେ 9 ଜଣ ଏବଂ ବାଲେଶ୍ବର ଆସନ ପାଇଁ 8 ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତିର୍ତ୍ତୋଲରେ ଯେଉଁ 9 ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ସେମାନେ ବିଜେଡି, ବିଜେପି, କଂଗ୍ରେସ ଏବଂ ସିପିଆଇର ଜଣେ ଲେଖାଏଁ ପ୍ରାର୍ଥୀ ଅଛନ୍ତି। ସେହିପରି ସ୍ବାଧୀନ ଭାବେ ପାଞ୍ଚ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ବାଲେଶ୍ବର ଆସନ ପାଇଁ ମୋଟ ଆଠଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରେ ସାତ ଜଣ ପୁରଷ ହୋଇଥିବା ବେଳେ ଜଣେ ମହିଳା ଅଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି, ବିଜେପି କଂଗ୍ରେସ ସହିତ ଆଉ ପାଞ୍ଚ ଜଣ ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି।

ଆସନ୍ତାକାଲି ଶନିବାର ଦିନ ପ୍ରାର୍ଥୀ ପତ୍ର ଯାଞ୍ଚ କରାଯିବ। ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ 19 ତାରିଖ ରଖାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କଟିଲେ ଅନୁଭବ, ପଶିଲେ ଅରିନ୍ଦମ; ନବୀନ ପ୍ରଥମେ ଦ୍ବିତୀୟରେ ବବି, ବିଜେଡିର ତିରିଶି ଜଣିଆ ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ବର, ଓଡିଶାର ଦୁଇ ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ଏଥିରେ ପ୍ରଥମରେ ନବୀନ ପଟ୍ଟନାୟକ ଏବଂ ଦ୍ବିତୀୟରେ ପ୍ରଣବ ପ୍ରକାଶ ଦାସଙ୍କ ନାମ ରହିଛି। ଏହାପରେ ଅନ୍ୟ ନେତାଙ୍କ ନାମ ରହିଛି।

ସେହିପରି ବିଗତ ନିର୍ବାଚନଗୁଡିକରେ ଷ୍ଟାର ପ୍ରଚାରକ ଥିବା ଅଭିନେତା ଅନୁଭବ ମହାନ୍ତି ଏଥର ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପଡିଛନ୍ତି। ହେଲେ ଏଥର ଏହି ତାଲିକାରେ ପଶିଛନ୍ତି ଅନ୍ୟତମ ଅଭିନେତା ଅରିନ୍ଦମ ରାୟ। ଜାଣନ୍ତୁ ଏଥିରେ କିଏ କିଏ ଅଛନ୍ତି

 

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟ ବିଜେପି ପ୍ରକାଶ କଲା 30 ଜଣିଆ ଷ୍ଟାର ପ୍ରଚାରକ ତାଲିକା, ଜାଣନ୍ତୁ କିଏ ରହିଲା କିଏ କଟିଲା

ଭୁବନେଶ୍ବର, ଓଡିଶାର ଦୁଇଟି ଉପନିର୍ବାଚନ ପାଇଁ ବିଜେପି ତାହାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଏଥିରେ ରାଜ୍ୟର ବଛା ବଛା 30 ଜଣ ନେତା ଅଛନ୍ତି। ସେମାନଙ୍କ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ଅପରାଜିତା ଷଡଙ୍ଗୀ, ଜୁଏଲ ଓରାମ ପ୍ରମୁଖ ଅଛନ୍ତି। ଜାଣନ୍ତୁ ବିଜେପିର ସଂପର୍ଣ୍ଣ ଷ୍ଟାର ପ୍ରଚାରକଙ୍କ ନାମ

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଘୋଷଣା ହୋଇପାରେ ଓଡିଶାର ଦୁଇ ଉପନିର୍ବାଚନ ପାଇଁ ତାରିଖ, ନିର୍ବାଚନ କମିସନରଙ୍କ ପ୍ରେସମିଟ୍

ନୂଆଦିଲ୍ଲୀ, ଆଜି ଭାରତ ନିର୍ବାଚନ କମିସନରଙ୍କ ସାମ୍ବାଦିକ ସମ୍ମିଳନୀ ଅଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିହାର ନିର୍ବାଚନ ତାରିଖ ଘୋଷଣା ହେବ। ଏଥିସହିତ ଓଡିଶାର ମଧ୍ୟ ଦୁଇଟି ବିଧାନସଭା ଆସନର ଉପନିର୍ବାଚନ ତାରିଖ ମଧ୍ୟ ଘୋଷଣା ହେବ ବୋଲି ଜଣାପଡିଛି। ଓଡିଶାର ତିର୍ତ୍ତୋଲ ଏବଂ ବାଲେଶ୍ବର ସଦର ଆସନର ପ୍ରାର୍ଥୀ ମୃତ୍ୟୁବରଣ କରିବା ପରେ ତାହା ଖାଲିପଡିଛି।

ସାମ୍ବିଧାନିକ ନିୟମ ଅନୁସାରେ ଖାଲିପଡିଥିବା ଆସନରେ ଛଅ ମାସ ମଧ୍ୟରେ ନିର୍ବାଚନ ହେବା ବାଧ୍ୟ। ସେହି ଅନୁସାରେ ଆଜି ଏହି ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ଖାଲିପଡିଥିବା ଓଡିଶାର ଦୁଇ ବିଧାନସଭା ଆସନ ମଧ୍ୟରୁ ତିର୍ତ୍ତୋଲଟି ବିଜେଡି ଏବଂ ବାଲେଶ୍ବର ସଦରଟି ବିଜେପି ହାତରେ ଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ଉପନିର୍ବାଚନ: ପ୍ରାର୍ଥୀମାନେ ସେମାନଙ୍କ ଅପରାଧିକ କାର୍ଯ୍ୟ ସଂପର୍କରେ ପ୍ରଚାର କରାଇବାକୁ ବାଧ୍ୟ

ଭୁବନେଶ୍ୱର, ଉପନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀ ଓ ରାଜନୈତିକ ଦଳମାନେ ତିନୋଟି ପର୍ଯ୍ୟାୟରେ ପ୍ରାର୍ଥୀଙ୍କର ଅପରାଧ ପ୍ରବଣ ପୃଷ୍ଠଭୂମି ଛାପା ଓ ଇଲଟ୍ରୋନିକ୍ ଗଣମାଧ୍ୟମ ଜରିଆରେ ପ୍ରଚାର ପ୍ରସାର କରାଇବେ। ଆଜି ଏ ନେଇ ନିର୍ବାଚନ ଅଧିକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେହେତୁ ଓଡ଼ିଶାର ବାଲେଶ୍ୱର ଓ ତିର୍ତ୍ତୋଲ ଆସନରେ ଉପନିର୍ବାଚନ ହେବାକୁ ଯାଉଛି ସେଥିପାଇଁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଏଥିରେ କୁହାଯାଇଛି ଯେ, ପ୍ରଥମ ପର୍ଯ୍ୟାୟ ପ୍ରଚାର ପ୍ରସାର ପାଇଁ ପ୍ରାର୍ଥୀ ଓ ରାଜନୈତିକ ଦଳମାନେ ନାମାଙ୍କନ ପତ୍ର ପ୍ରତ୍ୟାହାରର ପ୍ରଥମ ଚାରିଦିନ ମଧ୍ୟରେ କରାଇବେ । ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ପ୍ରସାର ନାମାଙ୍କନ ପତ୍ର ପ୍ରାତ୍ୟାହାରର ପଞ୍ଚମରୁ ଅଷ୍ଟମ ଦିନ ମଧ୍ୟରେ ଏବଂ ସେହିପରି ତୃତୀୟ ପର୍ଯ୍ୟାୟ ପ୍ରଚାର ପ୍ରସାର ନାମାଙ୍କନ ପତ୍ର ପ୍ରତ୍ୟାହାରର ନବମ ଦିନଠାରୁ ନିର୍ବାଚନ ପ୍ରଚାରର ଶେଷ ଦିନ ମଧ୍ୟରେ ଅର୍ଥାତ୍‌ ଭୋଟ ଗ୍ରହଣର ଦୁଇଦିନ ପୂର୍ବରୁ କରାଇବେ।

ଅପ୍ରତିଦ୍ୱନ୍ଦୀ ପ୍ରାର୍ଥୀମାନଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ଭାବେ ଛାପା ଓ ଇଲଟ୍ରୋନିକ୍ ଗଣମାଧ୍ୟମ ଜରିଆରେ ପ୍ରାର୍ଥୀଙ୍କର ଅପରାଧ ପ୍ରବଣ ପୃଷ୍ଠଭୂମି ସଂପର୍କରେ ପ୍ରଚାର ପ୍ରସାର କରାଇବା ନିମନ୍ତେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଛ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଧାନସଭା ଉପନିର୍ବାଚନ, ବାଲେଶ୍ବରରେ ପ୍ରତାପ, ରବି ଏବଂ ନବଜ୍ୟୋତିଙ୍କ ମଧ୍ୟରେ ହେବ ପ୍ରକୃତ ଲଢେଇ

ସଂପଦ ଦଳାଇ

ଭୁବନେଶ୍ବର, ଖୁବ ଶିଘ୍ର ଓଡିଶାରେ ଦୁଇଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ଏହି ଦୁଇଟି ଆସନ ହେଲା ତିର୍ତ୍ତୋଲ ଏବଂ ବାଲେଶ୍ବର ସଦର ଆସନ। ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଧାୟକ ଥିବା ବିଷ୍ଣୁ ଦାସ ଏବଂ ବାଲେଶ୍ବର ସଦରର ବିଧାୟକ ଥିବା ମଦନମୋହନ ଦତ୍ତଙ୍କ ପରଲୋକ ହୋଇଛି। ଫଳରେ ଉଭୟ ଆସନ ବର୍ତ୍ତମାନ ଖାଲିପଡିଥିବାରୁ ଉପନିର୍ବାଚନ ହେବ। ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ରାଜ୍ୟ ରାଜନୀତିରେ ଏହି ଉପନିର୍ବାଚନକୁ ନେଇ ବେଶ୍ ତତ୍ପରତା ପ୍ରକାଶ ପାଇଲାଣି।

ତେବେ ଏହି ଦୁଇ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ବାଲେଶ୍ବର ସଦର ଆସନଟିକୁ ନେଇ ବର୍ତ୍ତମାନ ତିନିଦଳ ମଧ୍ୟରେ ବେଶ୍ ବଳକଶା ହେବାର ସମ୍ଭାବନା ସୃଷ୍ଟି ହୋଇଛି। କାରଣ ହେଲା ଏହି ନିର୍ବାଚନ ମଣ୍ଡଳିର ଯେଉଁ ଲୋକସଭା ଆସନଟି ଅଛି ସେହି ଆସନର ତିନି ଦଳର ଲୋକସଭା ନେତା ହେଉଛନ୍ତି ବେଶ୍ ପ୍ରଭାବଶାଳୀ। ସେମାନେ ହେଲେ ବିଜେଡିର ରବିନ୍ଦ୍ର ଜେନା, କଂଗ୍ରେସର ନବଜ୍ୟୋତି ପଟ୍ଟନାୟକ ଏବଂ ବିଜେପିର କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ।

ଯେହେତୁ ଏହି ଆସନଟି ଗତ ବିଧାନସଭା ନିର୍ବାଚନରେ ବିଜେଡି ହାତରୁ ବିଜେପି ଛଡାଇ ନେଇଥିଲା, ଏଥର ମଧ୍ୟ ଦଳ ବିଜୟ ଲାଭ କରିବ ବୋଲି ଆଶା ରଖିଛି। ତେବେ ବିଜେପିର ଅନ୍ୟ ଏକ ବଡ ଅସ୍ତ୍ର ଅଛି ତାହା ହେଲେ ସେହି ବିଧାନସଭା ଆସନର ଲୋକସଭା ସାଂସଦ ହେଉଛନ୍ତି ପ୍ରତାପ ଷଡଙ୍ଗୀ। ପ୍ରତାପ କେନ୍ଦ୍ରମନ୍ତ୍ରୀ ଥିବାରୁ ତାଙ୍କର ପ୍ରଭାବ ସେହି ବିଧାନସଭା ଆସନରେ ନିଶ୍ଚିତ ପରିଲକ୍ଷିତ ହେବ।

ଅନ୍ୟପଟେ କଂଗ୍ରେସ କଥା ଯଦି ବିଚାର କରାଯାଏ ତେବେ ଏହି ଲୋକସଭା ଆସନରୁ ପ୍ରାର୍ଥୀ ଥିଲେ ନବଜ୍ୟୋତି ପଟ୍ଟନାୟକ। କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକଙ୍କ ପୁତ୍ର ନବଜ୍ୟୋତିଙ୍କ ମଧ୍ୟ ସେହି ଅଞ୍ଚଳରେ ସଂଗଠନ ରହିଛି। ଲୋକସଭା ପରି ବିଧାନସଭା ଉପନିର୍ବାଚନରେ ମଧ୍ୟ ଦଳ ଭଲ ପରିଶ୍ରମ କରିବ ବୋଲି ଜଣାପଡିଲାଣି।

ସେହିପରି ବିଜେଡି କଥା ଯଦି ଚିନ୍ତା କରାଯାଏ ତେବେ ବାଲେଶ୍ବର ଲୋକସଭା ପ୍ରାର୍ଥୀ ରବି ଜେନାଙ୍କ ମଧ୍ୟ ବେଶ୍ ଦବଦବା ରହିଛି। ଏହି ଉପନିର୍ବାଚନ ବାଲେଶ୍ବର ଅଞ୍ଚଳର ବିଜେଡିର ଶକ୍ତିଶାଳି ନେତା ରବି ଜେନାଙ୍କ ସମ୍ମାନର ପ୍ରଶ୍ନ ହେବ। କାରଣ ସେ ଲୋକସଭାରେ ହାରିଯିବା ପରେ ବର୍ତ୍ତମାନ ଦଳରେ ସେ ଏକ କଣଠୋସା ହେଲା ପରି ରହିଛନ୍ତି।

ବର୍ତ୍ତମାନ ବାଲେଶ୍ବର ସଦର ବିଧାନସଭା ଉପନିର୍ବାଚନ ପାଇଁ କେଉଁ ଦଳରୁ କିଏ ସେ ପ୍ରାର୍ଥୀ ହେବେ ତାହା ଭିନ୍ନ କଥା। ହେଲେ ପ୍ରକୃତ ଲଢେଇ କିନ୍ତୁ ଗତ ନିର୍ବାଚନରେ ତିନି ଦଳର ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ହେବ ତାହା ନିଶ୍ଚିତ।

ଏହି ବିଧାନସଭା ଆସନ ପାଇଁ କଂଗ୍ରେସରୁ କୁଆଡେ ଖୋଦ ନବଜ୍ୟୋତି ପଟ୍ଟନାୟକ ପ୍ରାର୍ଥୀ ହେବେ ବୋଲି ଶୁଣାଯାଉଛି। ସେପଟେ ବିଜେଡି ମଧ୍ୟ କୁଆଡେ ରବି ଜେନାଙ୍କୁ ମଧ୍ୟ ପ୍ରାର୍ଥୀ କରିପାରେ ବୋଲି ସମ୍ଭାବନା ରହିଛି। ହେଲେ ବିଜେପି ସମବେଦନା ଭୋଟ ହାତେଇବା ପାଇଁ ହୁଏତ ଦିବଙ୍ଗତ ବିଧାୟକଙ୍କ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିପାରେ ବୋଲି ଜଣାପଡିଛି।

ଗତ ଲୋକସଭାରେ ବିପୁଳ ପଇସା ଖର୍ଚ୍ଚ କରି କଂଗ୍ରେସ ଏବଂ ବିଜେଡିର ଏହି ଦୁଇ ପ୍ରାର୍ଥୀ ହାରିବେ ପରେ ବର୍ତ୍ତମାନ ବିଧାନସଭା ପାଇଁ ମଧ୍ୟ ଲାଳାୟିତ। ସେଥିପାଇଁ ଏହି ଦୁଇଜଣଙ୍କର ପ୍ରାର୍ଥୀ ହେବା ବହୁ ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ଚାଲିଛି। ତେବେ ଏହା ନିଶ୍ଚିତ ଯେ, ବାଲେଶ୍ବର ଉପ ନିର୍ବାଚନ ସବୁଠାରୁ ବ୍ୟୟ ବହୁଳ ଉପନିର୍ବାଚନ ହେବ ଏଥିରେ ସନ୍ଦେହ ନାହିଁ।

ସେହିପରି ତିର୍ତ୍ତୋଲ ବିଧାନସଭା ଆସନଟି ବିଜେଡି ହାତରେ ଥିଲା। ଏହି ଆସନରେ ଦିବଙ୍ଗତ ନେତା ବିଷ୍ଣୁ ଦାସଙ୍କର ଦଖଲ ମଧ୍ୟ ବେଶ ରହିଥିଲା। ବିଜେଡିର ଯେଉଁ ଗଣିତ ତାହା ହେଲା ସମବେଦନା ଭୋଟ ହାତେଇବା ପାଇଁ ତାଙ୍କ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରିବା। ସେହି ଅନୁସାରେ ଏହି ଆସନରେ ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସ ପ୍ରାର୍ଥୀ ହେବାର ସମ୍ଭାବନା ଅଧିକ ରହିଛି।

ତେବେ ରାଜ୍ୟରେ ଗତ ୨୦ ବର୍ଷ ଧରି ଶାସନ ଗାଦିରେ ଥିବା ବିଜେଡି ଦୁଇଟି ଉପନିର୍ବାଚନକୁ ଛାଡିଦେଲେ ଆଉ ସବୁଥିରେ ବିଜୟ ଲାଭ କରିଛି। ସେ ଦୁଇଟି ହେଲା ଲକ୍ଷ୍ମୀପୁର ଓ ତଲସରା ବିଧାନସଭା ଉପନିର୍ବାଚନ। ସେହି ଦୃଷ୍ଟିରୁ ଏଥର ଉପନିର୍ବାଚନରେ ମଧ୍ୟ  ବିଜେଡି ବାଲେଶ୍ୱର ଓ ତିର୍ତ୍ତୋଲକୁ ଦଖଲ କରିବ ବୋଲି ନିଶ୍ଚିତ ହୋଇ ରହିଛି।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟର ଦୁଇଟି ଆସନରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ, କୋଭିଡ ଆକ୍ରାନ୍ତ ମଧ୍ୟ ଦେଇପାରିବେ ଭୋଟ

ଭୁବନେଶ୍ୱର,  ଭାରତ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁସାରେ ବିହାର ବିଧାନସଭା ନିର୍ବାଚନ ସହିତ ଓଡ଼ିଶାର ଦୁଇଟି ବିଧାନସଭା ଆସନ ବାଲେଶ୍ୱର ଓ ତିର୍ତ୍ତୋଲରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ବାଲେଶ୍ୱର ଓ ଜଗତସିଂହ ପୁରର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସହ ଉପନିର୍ବାଚନ ପ୍ରସ୍ତୁତି ସଂପର୍କରେ ଏକ ସମୀକ୍ଷା ବୈଠକ କରାଇଥିଲେ।

ସଂପ୍ରତି କୋଭିଡ୍‌-୧୯ ମହାମାରୀ ପରିପ୍ରେକ୍ଷୀରେ ସୁରୁଖୁରୁରେ ଉପନିର୍ବାଚନ ପରିଚାଳନା କରିବା ଆମ ସମସ୍ତଙ୍କ ପାଇଁ ଏକ ଚାଲେଞ୍ଜ ହେବ ଓ ନିର୍ବାଚନ ସମୟରେ କୋଭିଡ୍‌-୧୯ ନିୟମକୁ କଡ଼ାକଡ଼ି ଭାବେ ପାଳନ ସହ ସାମାଜିକ ଦୂରତ୍ୱ, ଥର୍ମାଲ୍‌ ସ୍କ୍ରିନିଂ, ମାସ୍କ ପିନ୍ଧିବା, ଗ୍ଲୋବସ୍‌ ପରିଧାନ, ସାନିଟାଇଜର ବ୍ୟବହାର, ଉଭୟ ଭୋଟର ଓ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କ ନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଆରୋପ କରିଥିଲେ।

କୋଭିଡ୍‌-୧୯ ମହାମାରୀ ଦୃଷ୍ଟିରୁ ନିର୍ବାଚନ ସମୟରେ ଜଣେ ଅଭିଜ୍ଞ ଡାକ୍ତରଙ୍କୁ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ ସ୍ତରରେ ନୋଡ଼ାଲ ସ୍ୱାସ୍ଥ୍ୟ ଅଧିକାରୀ ଭାବେ ନିଯୁକ୍ତି ପ୍ରଦାନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଲୋହାନୀ ଗୁରୁତ୍ୱ ଆରୋପ କରିଥିଲେ। କୋଭିଡ୍‌-୧୯ ମହାମାରୀ ଦୃଷ୍ଟିରୁ ନିର୍ବାଚନ ସମୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ଗୋଟିଏ ବୁଥ୍‌ରେ ସର୍ବାଧିକ ଏକ ହଜାର ମତଦାତା ମତଦାନ କରି ପାରିବେ ଓ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ସଂପୃକ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରି ଅତିରିକ୍ତ ବୁଥ୍‌ ଗଠନ ଉପରେ ଗୁରୁତ୍ୱ ଦିଆଯିବ।

କୋଭିଡ୍‌ ଆକ୍ରାନ୍ତ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ଆଇସୋଲେସନ୍‌ ସେଣ୍ଟର ଓ କୋଭିଡ୍‌ ସଂକ୍ରମିତ ଭୋଟରଙ୍କୁ ଭୋଟଦାନ ସମୟରେ ଶେଷ ପର୍ଯ୍ୟାୟରେ ମତଦାନ କରିବାକୁ ଅନୁମତି ପ୍ରଦାନ କରାଯିବ। ନିର୍ବାଚନ କାର୍ଯ୍ୟକ୍ରମରେ ନିୟୋଜିତ କର୍ମଚାରୀ ଓ ସେମାନଙ୍କୁ ତାଲିମ ବ୍ୟବ ସ୍ଥା, ଯାନବାହନର ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଷ୍ଟ୍ରଙ୍ଗରୁମ୍‌ ଓ ଭୋଟ ଗଣତି କେନ୍ଦ୍ର ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।