ନବୀନଙ୍କ ଉପନିର୍ବାଚନ ଭାଷଣ: ସଂକ୍ଷିପ୍ତ ହେଲେ ମଧ୍ୟ ସବୁ ବର୍ଗକୁ ଆକୃଷ୍ଠ କରିବାର ରହିଛି କଳା ଓ କୌଶଳ

Published: Oct 30, 2020, 11:00 am IST

ଭୁବନେଶ୍ବର, ଉପନିର୍ବାଚନ ପାଇଁ ନବୀନ ତାଙ୍କର ପ୍ରଚାର ଶେଷ କରିଛନ୍ତି। ଦୁଇଟି ଉପନିର୍ବାଚନ ପାଇଁ ସେ ଦୁଇଥର ଭିଡିଓ କନଫ୍ରେସିଂ ମାଧ୍ୟମରେ ଭାଷଣ ଦେଇ ଭୋଟରଙ୍କୁ ଆକୃଷ୍ଠ କରିବାକୁ ଚେଷ୍ଠା କରିଛନ୍ତି। ତେବେ ତାହା ଲୋକଙ୍କୁ କେତେ ଆକୃଷ୍ଠ କରିଛି ତାହା ଭିନ୍ନ କଥା ହେଲେ ଏହି ଭାଷଣ ଥିଲା ଏକ ଭିନ୍ନ ପ୍ରକାରର। ମାତ୍ର ୫ରୁ ୮ ମିନିଟ ମଧ୍ୟରେ ହୁଏତ ଭାଷଣର ଅବଧି ହେବ, ହେଲେ ସେହି ସଂକ୍ଷିପ୍ତ ଭାଷଣରେ ବିଭିନ୍ନ ବର୍ଗର ଲୋକଙ୍କୁ କିପରି ବାନ୍ଧି ରଖିହେବ ସେ କଳା ଓ କୌଶଳ ଏହି ଭାଷଣରେ ଦେଖିବାକୁ ମିଳିଛି। ସାଧାରଣତଃ ନିର୍ବାଚନରେ ନେତାମାନେ ବଡବଡ କଥା କହିଥାନ୍ତି। ହେଲେ ନବୀନଙ୍କ ଏହି ସଂକ୍ଷିପ୍ତ ଭାଷଣରେ ସେପରି କିଛି ନ ଥିଲା। ଯାହା ଥିଲା ତାହା ବହୁ ଗୁରୁତ୍ବପୂର୍ଣ୍ଣ ଏବଂ ଲୋକଙ୍କୁ ଆକୃଷ୍ଠ କରିବାର କୌଶଳ।

ଉଭୟ ତିର୍ତ୍ତୋଲ ଏବଂ ବାଲେଶ୍ବର ଭାଷଣ ଉପରେ ଯଦି ଆଲୋଚନା କରାଯାଏ ତେବେ ଉଭୟରେ ନବୀନ ପ୍ରଥମେ ଧର୍ମ ଏବଂ ଆଞ୍ଚଳିକବାଦକୁ ପ୍ରାଧାନ୍ୟ ଦେଇଛନ୍ତି। ଯାହା ସେହି ଅଞ୍ଚଳର ଲୋକଙ୍କ ପାଇଁ ବେଶ୍ ଗୁରୁତ୍ବ ବହନ କରେ। ପ୍ରଥମେ ତିର୍ତ୍ତୋଲର ଭାଷଣରେ ସେ ଆରମ୍ଭ କଲେ ମା ସାରଳାଙ୍କ ପବିତ୍ର କ୍ଷେତ୍ରର ମୋର ତିର୍ତ୍ତୋଲ ଭାଇ ଓ ଭଉଣୀମାନେ। ସେହିପରି ବାଲେଶ୍ବରରେ ତାଙ୍କର ଭାଷଣ ଆରମ୍ଭ ହେଲା ଫକୀର ମୋହନଙ୍କ ଭୂମି ବାଲେଶ୍ବରର ମୋର ଭାଇ ଓ ଭଉଣୀମାନେ।

ସମସ୍ତେ ଜାଣନ୍ତି ଯେ ଯଦି କେହି ନିଜ ଅଞ୍ଚଳର କଥା କହେ ତେବେ ତାହା ସେହି ଅଞ୍ଚଳର ଲୋକଙ୍କୁ ବହୁତ ଭଲ ଲାଗେ। ହେଲେ ଯେତେବେଳେ ନବୀନଙ୍କ ପରି ବ୍ୟକ୍ତିତ୍ବ ସେହି ଅଞ୍ଚଳର ଦେବଦେବୀ ଏବଂ ମହାପୁରୁଷଙ୍କ କଥା କହୁଛନ୍ତି ତାହା ଲୋକଙ୍କୁ ବେଶ୍ ଉତ୍ସାହିତ କରିଛି। ଏହା ଥିଲା ନବୀନଙ୍କ ଲୋକଙ୍କ ପ୍ରତି ଭଲ ପାଇବା ପାଇଁ ଭାଷଣର ଏକ କଳା। ବାଲେଶ୍ବରରେ ନବୀନ କହିଲେ, ଫକୀରମୋହନ ହେଉଛନ୍ତି ମୋର ପ୍ରିୟ ଲେଖକ, ତାଙ୍କ ରେବତୀ ଗଳ୍ପ ମୋତେ ସବୁଠୁ ଭଲ ଲାଗେ। ଏହା ବାଲେଶ୍ବର ସଦର ବାସୀ ଶୁଣିବା ପରେ ନିଶ୍ଚିତ ଖୁସି ହେବେ ଏଥିରେ ସନ୍ଦେହ ନାହିଁ।

ଏହାର ପରବର୍ତ୍ତି ଭାଷଣକୁ ଯଦି ତର୍ଜମା କରାଯାଏ ତେବେ ତାହା ଥିଲା ସଂପ୍ରାତିକ କରୋନା ମାହାମାରୀ ଏବଂ ମହାବାତ୍ୟାର ପ୍ରସଂଗ। ସେ ତାଙ୍କ ଭାଷଣରେ ବେଶ୍ ଚତୁରତାର ସହ ଏହି ଦୁଇ ପ୍ରସଂଗକୁ ନିର୍ବାଚନ ଭାଷଣ ସହ ସୁନ୍ଦର ଭାବେ ଯୋଡିଛନ୍ତି। ଯଦି ନବୀନ ଏହି ଦୁଇଟି ପ୍ରସଂଗ ତାଙ୍କ ଭାଷଣରେ ରଖି ନ ଥାଆନ୍ତେ ତେବେ ହୁଏତ ଏହା ଅଧୁରା ଭାଷଣ ବୋଲି ଧରାଯାଇ ଥାଆନ୍ତା। ବଡ ଚତୁରତା ସହ ନବୀନ ମହାମାରୀ ସହିତ ଭୋଟ ଭାଷଣକୁ ମିଶ୍ରଣ କରିଛନ୍ତି।

ସେ କହିଛନ୍ତି ‘ମୁଁ ଯାଇଥିଲେ ଆପଣମାନେ ସମସ୍ତେ ନିଶ୍ଚିତ ଆସି ଥାଆନ୍ତେ। ହେଲେ କରୋନା ସମୟରେ ଆପଣମାନଙ୍କୁ ବିପଦରେ ନ ପକାଇବା ପାଇଁ ମୁଁ ଭିଡିଓ କନଫ୍ରେସିଂରେ ଭେଟୁଛି।’ ଏହି କଥାରେ ନବୀନଙ୍କୁ ଦୁଇଟି ଫାଇଦା ମିଳିଲା। ପ୍ରଥମତଃ ସେ ମଇଦାନକୁ ନ ଯିବାଟା ଠିକ୍ ବୋଲି ପ୍ରମାଣିତ କରିବା ଏବଂ କରୋନା ପାଇଁ ଲୋକଙ୍କୁ ସୁରକ୍ଷିତ ରଖିବା। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥାଟି ହେଉଛି ଉଭୟ ନିର୍ବାଚନ ମଣ୍ଡଳୀ ପାଇଁ ନବୀନ କହିଲେ ଯେ, ‘କରୋନା ପରେ ମୁଁ ଆପଣଙ୍କ ଅଞ୍ଚଳକୁ ଯିବି, ବିକାଶ କାମ ତଦାରଖ କରିବି, ଆପଣମାନଙ୍କ ସହିତ ମିଶିବି।’ ଏହି କେଇ ଧାଡି ଦୁଇ ନିର୍ବାଚନ ମଣ୍ଡଳୀର କର୍ମିଙ୍କୁ ବେଶ୍ ଉତ୍ସାହିତ କରିଛି।

ସେହିପରି ମହିଳାମାନଙ୍କୁ ଆକର୍ଷିତ କରିବା ପାଇଁ ନବୀନ ଉଭୟ ନିର୍ବାଚନ ମଣ୍ଡଳୀରେ ଗୋଟିଏ କଥା କହିଛନ୍ତି। ତା ହେଉଛି ‘ମିଶନ ଶକ୍ତି’ ର ମହିଳାମାନେ ବେଶ୍ ଭଲ କାମ କରୁଛନ୍ତି। ଆପଣମାନେ ଭଲ କାମ କରୁଥିବାରୁ ମୁଁ ଖୁସି।’ ଏହି କେତେ ଧାଡି ହିଁ ଉଭୟ ନିର୍ବାଚନ ମଣ୍ଡଳୀର ମହିଳାମାନଙ୍କୁ ବେଶ୍ ଆକର୍ଷିତ କରିଛି। ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପ୍ରଶଂସା କରୁଛନ୍ତି ଜାଣିବା ପରେ ସେମାନେ ଖୁସି ହେବା ନିଶ୍ଚିତ। ଯାହାକୁ କୁହାଯିବ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏହା ହେଲା ନବୀନ ଭିନ୍ନ ଏକ କଳା ଓ କୌଶଳ।

ନବୀନଙ୍କ ଏହା ଏକ ନିର୍ବାଚନୀ ଭାଷଣ ହୋଇଥିଲେ ମଧ୍ୟ ଏଥିରେ ରାଜନୀତି ଥିଲା କମ ସାମାଜିକ ବାର୍ତ୍ତା ଥିଲା ବେଶୀ । ରାଜନୈତିକ ନେତା ଭାବେ ସେ କେବଳ ନିଜେ କଣ କରିଛନ୍ତି ତାହାର ଏକ ଛୋଟିଆ ରୂପରେଖଟିଏ ପ୍ରଦାନ କରିଛନ୍ତି। ହେଲେ ସେ କେଉଁଠି ହେଲେ ରାଜନୈତିକ ପ୍ରତିଶ୍ରୁତିଟିଏ ଦେଇ ନାହାଁନ୍ତି। କେବଳ ବାଲେଶ୍ବର ପାଇଁ ସେ କହିଛନ୍ତି ଯେ, ବିଜେପୁର ପରି ବାଲେଶ୍ବରର ବିକାଶ ଦାୟିତ୍ବ ମୁଁ ନିଜେ ନେବି। ଆଜିକାଲିର ଯୁଗକୁ ଦେଖିଲେ ନେତାମାନେ ନିର୍ବାଚନ ସମୟରେ କେବଳ ପ୍ରତିଶୃତି ଦିଅନ୍ତି ହେଲେ ନିର୍ବାଚନ ପରେ ତାହା ଭୁଲି ଯାଆନ୍ତି। କିନ୍ତୁ ନବୀନଙ୍କ ଏହି ଭାଷଣରେ ତାହା ଦେଖିବାକୁ ମିଳି ନ ଥିଲା।

ତେବେ ଭାଷଣ ଶେଷରେ ନବୀନ ଉଭୟ ନିର୍ବାଚନମଣ୍ଡଳୀର କର୍ମିମାନଙ୍କୁ ଯାହା କହିଛନ୍ତି ତାହା ମଧ୍ୟ ବେଶ୍ ଚତୁରତା ଯୁକ୍ତ ନିର୍ବାଚନ ପ୍ରଚାର ବୋଲି କୁହାଯିବ। ଉଭୟ ନିର୍ବାଚନ ମଣ୍ଡଳୀର କର୍ମିଙ୍କୁ ସେ କହିଛନ୍ତି ‘ଆପଣ ଏବଂ ଆପଣଙ୍କ ପରିବାରର ମୋ ପାଇଁ ବେଶ୍ ମୂଲ୍ୟବାନ। କୋଭିଡ କଟକଣା ଭିତରେ ସୁରକ୍ଷିତ ଭାବେ ଆପଣମାନେ ଭୋଟ ଦେବାକୁ ଯାଆନ୍ତୁ। ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ।’ କରୋନା ସଚେତନତା ବାର୍ତ୍ତା ସହିତ ଶଙ୍ଖ ଚିହ୍ନରେ ଭୋଟ ଦେବା ପ୍ରସଂଗକୁ ଯୋଡି ନବୀନ ସୁନ୍ଦର ଭାବେ ଏହାକୁ ଉପସ୍ଥାପିତ କରିଛନ୍ତି। କହିବାକୁ ଗଲେ କରୋନା ସଚେତନତା ବାର୍ତ୍ତା ମାଧ୍ୟମରେ ଭୋଟ ପ୍ରଚାର କିପରି କରାଯାଏ ତାହା ନବୀନଙ୍କ ଭାଷଣରେ ପ୍ରତିୟମାନ ହୋଇଛି।

Related posts