ତିର୍ତ୍ତୋଲ ଉପ-ନିର୍ବାଚନ ନିମନ୍ତେ ସମସ୍ତ ପୋଲିଂ ଅଧିକାରୀଙ୍କୁ ବୁଥ୍ ପ୍ରେରଣ

Published: Nov 1, 2020, 8:10 pm IST

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ଉପ-ନିର୍ବାଚନ ନିମନ୍ତେ ସମସ୍ତ ପୋଲିଂ ପାର୍ଟିଙ୍କୁ ଆଜି ସମସ୍ତ ବୁଥ୍‌କୁ ପ୍ରେରଣ କରାଯାଇଛି। ସ୍ଥାନୀୟ ଏସ୍‌.ଭି.ଏମ୍ କଲେଜରେ ଏଥିନିମନ୍ତେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ବୁଥ୍ ସଂଖ୍ୟା ୨୬୫ ରୁ ୩୭୩କୁ ବୃଦ୍ଧି କରାଯାଇଛି। ୧୯୪୦ ଜଣ ପ୍ରିଜାଇଡିଙ୍ଗ୍ ପୋଲିଂ ଅଧିକାରୀ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ପୋଲିଂ ପାର୍ଟିକୁ ନେବା ଆଣିବା ପାଇଁ ୧୫୭ଟି ବସ୍‌ର ବ୍ୟବସ୍ଥା କରାଯାଇଛି।

ଉପ-ନିର୍ବାଚନ ନିମନ୍ତେ ୬୨ ଜଣ ସି.ଏ.ପି.ଏଫ୍‌, ୩୭ ଜଣ ୱେବ୍ କାଷ୍ଟିଙ୍ଗ୍‌, ୪୦ ଜଣ ମାଇକ୍ରୋ ଅବଜରଭର୍‌, ୫ଟି ଭିଡ଼ିଓ ଗ୍ରାଫି ନିୟୋଜିତ ହୋଇଛନ୍ତି। ଉପ-ନିର୍ବାଚନ ନିମନ୍ତେ ୩୩ ଜଣ ସେକ୍ଟର ଅଫିସର ନିୟୋଜିତ ହୋଇଛନ୍ତି। ଆଜି ପୋଲିଂ ପାର୍ଟିଙ୍କୁ ୩୭ଟି ଡିସ୍‌ପରସାଲ କାଉଟଂର ମାଧ୍ୟମରେ ପୋଲିଂ ସାମଗ୍ରୀ ପ୍ରଦାନ କରାଯାଇଛି। ଜିଲ୍ଲାପାଳ-ତଥା-ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଏବଂ ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର୍ ଏସ୍‌.ଭି.ଏମ୍ କଲେଜରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ। ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ପି.ରାଜେନ୍ଦ୍ର ଚୋଲନ୍ ପୂର୍ବାହ୍ନରେ ଏସ୍‌.ଭି.ଏମ୍ କଲେଜରେ ଡିସ୍‌ପରସାଲ କାଉଟଂର ବୁଲି ଦେଖିଥିଲେ।

ଅତିରିକ୍ତ ଜିଲ୍ଲାପାଳ-ତଥା-ରିଟର୍ଣ୍ଣିଂ ଅଧିକାରୀ ସଚ୍ଚିଦାନନ୍ଦ ସାହୁ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଚିନ୍ମୟୀ ବିଶ୍ୱାଳ, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଉପ-ଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ବାଲିକୁଦା ତହସିଲଦାର ସିଦ୍ଧାର୍ଥ ଶଙ୍କର ସାହୁ, ଡେପୁଟି କଲେକ୍ଟର ଅଜୟ କୁମାର ମହାନ୍ତି, ସହାୟକ ଜିଲ୍ଲାପାଳ ଦିନେଶ ମିଶ୍ର, ଅକ୍ଷୟ କୁମାର ବଡୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପୋଲିଂ ପାର୍ଟିମାନଙ୍କୁ ସୁବିଧାରେ ବୁଥ୍‌ମାନଙ୍କୁ ପ୍ରେରଣ କରିଥିଲେ।

କୋଭିଡ୍‌-୧୯ କଟକଣା ମାର୍ଗଦର୍ଶିକା ସମ୍ପର୍କରେ ପୋଲିଂ କର୍ମଚାରୀମାନଙ୍କୁ ହେଲପ୍ ଡେସ୍କ୍ ମାଧ୍ୟମରେ ସଚେତନତା କରାଯାଇଥିଲା। ପୋଲିଂ ପାର୍ଟିମାନଙ୍କ ସୁବିଧା ନିମନ୍ତେ କଲେଜ ପରିସରରେ ପାନୀୟ ଜଳ ଯୋଗାଣ ଓ ଶୌଚାଳୟର ସୁବନ୍ଦୋବସ୍ତ କରାଯାଇଥିଲା।

Related posts