ଶେଷ ଦିନରେ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ଓ ୨ଜଣ ସ୍ୱାଧୀନ ପ୍ରାର୍ଥୀ

Published: Oct 16, 2020, 9:30 pm IST

ରମେଶ ମହାନ୍ତି

ଜଗତସିଂହପୁର: ନାମାଙ୍କନପତ୍ର ଦାଖଲର ଆଜି ଶେଷ ଦିନ ଥିବାବେଳେ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ଓ ଦୁଇଜଣ ସ୍ୱାଧୀନ ପ୍ରାର୍ଥୀ ସଚିତ୍ର ମଲ୍ଲିକ ଏବଂ ଗୋଲାପ ମଞ୍ଜରି ଭୋଇ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି।

ବହୁ ଦଳୀୟ କର୍ମୀଙ୍କ ସହ ବିଜୟ ଶଙ୍କର ଦାସ ଏକ ରାଲିରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ନିଜର ନାମାଙ୍କନପତ୍ର ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ସଚ୍ଚିଦାନନ୍ଦ ଦାସଙ୍କ ନିକଟରେ ଦାଖଲ କରିଛନ୍ତି।
ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ସେ ପ୍ରଥମେ ଜଗତ୍‌ସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ଦର୍ଶନ କରିଥିଲେ ।କରୋନା କଟକଣା ପାଇଁ ସର୍ବସାଧାରଣଙ୍କୁ ମନ୍ଦିର ଭିତରକୁ ଯିବା ପାଇଁ ଅନୁମତି ନଥିବାରୁ ମନ୍ଦିରର ମୁଖ୍ୟ ଦ୍ୱାର ବାହାରେ ସେ ପୂଜାର୍ଚ୍ଚନା କରିଥିଲେ। ବିଜୟଙ୍କ ସହ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଓ ଜଗତସିଂହପୁର ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ମୁଦୁଲିଙ୍କ ସମେତ ତିର୍ତ୍ତୋଲ, ରଘୁନାଥପୁର ଓ ବିରିଡ଼ି ବ୍ଲକର ବହୁ ତୁଙ୍ଗ ନେତା ସାମିଲ ହୋଇଥିଲେ।

ଏଥିସହିତ ନାମାଙ୍କନପତ୍ର ଦାଖଲର ଆଜି ଶେଷ ଦିନ ଥିବାବେଳେ ଆଜି ସୁଦ୍ଧା ମୋଟ୍ ୯ଜଣ ପ୍ରାର୍ଥୀ ନିଜର ନାମାଙ୍କନପତ୍ର ଦାଖଲ କରିଥିବା ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Related posts