ବିଶ୍ଵ ଯକ୍ଷ୍ମା ଦିବସ ଅବସରରେ ଜଗତସିଂହପୁରରେ ସଚେତନତା ରଥର ଶୁଭାରମ୍ଭ

Published: Mar 24, 2021, 7:08 pm IST

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପାଳିତ ହୋଇଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଯକ୍ଷ୍ମା ହାରିବ ଦେଶ ଜିତିବ, ଆମର ଲକ୍ଷ୍ୟ ଟିବି (ଯକ୍ଷ୍ମା) ମୁକ୍ତ ଭାରତ।

ଯେକୌଣସି ଲୋକକୁ ଯକ୍ଷ୍ମା ରୋଗ ହୋଇପାରେ। ଏହାର ଲକ୍ଷଣ ହେଉଛି ଦୁଇ ସପ୍ତାହରୁ ଅଧିକ କାଶ ଲାଗି ରହିବା,ସଂନ୍ଧ୍ୟା ସମୟରେ ଅଳ୍ପ ଜ୍ୱର ହେବା, ଓଜନ କମିଯିବା, ଭୋକ ନ ଲାଗିବା ଏବଂ କଫରେ ରକ୍ତ ପଡିବା, ଛାତିରେ ଯନ୍ତ୍ରଣା ହେବା, ଯକ୍ଷ୍ମା ରୋଗୀ ଏଚ୍.ଆଇ.ଭି ଓ ମଧୁମେହ ପରିକ୍ଷା କରିବା ନିହାତି ଜରୁରି।

ଅନିୟମିତ କିମ୍ବା ଅସମ୍ପୂର୍ଣ୍ଣ ଚିକିତ୍ସା ଯୋଗୁଁ ଔଷଧ ପ୍ରତିରୋଧକ ଯକ୍ଷ୍ମା ହୋଇପାରେ। ସମସ୍ତ ସରକାରୀ/ବେସରକାରୀ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ, ସେମାନଙ୍କ ଦ୍ବାରା ଚିହ୍ନଟ ଓ ଚିକିତ୍ସିତ ହେଉଥିବା ରୋଗୀଙ୍କ ସମ୍ବନ୍ଧରେ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଇବା ବାଧ୍ୟତାମୂଳକ ଅଟେ।

ପ୍ରାଥମିକ ଭାବରେ ଯକ୍ଷ୍ମାରୋଗ ଫୁସଫୁସ୍ କୁ ପ୍ରଭାବିତ କରିଥାଏ। କିନ୍ତୁ ଏହା ଶରୀରର ନଖ ଓ ଚୁଟିକୁ ଛାଡ଼ି ଯେ କୌଣସି ଅଙ୍ଗକୁ ପ୍ରଭାବିତ କରିଥାଏ। ଏସମ୍ପର୍କରେ ସଚେତନ ହେବା ସହିତ କରୋନା ପାଇଁ ଉଦ୍ଦିଷ୍ଟ ସମସ୍ତ ନିୟମ ମାନି ଚଳିବା ଆବଶ୍ୟକ ଅଟେ। ଏହି ସଚେତନତା ରଥ ଜଗତସିଂହପୁର ଜିଲ୍ଲା ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରାଇବ। ଏ

ହି ଉଦଘାଟନୀ ଉତ୍ସବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟା ପଣ୍ଡା, ଏ.ଡି.ଏମ୍.ଓ ଡଃ ବସନ୍ତ ବାରିକ, ଡଃ ଶତୃଘ୍ନ ଦାଶ, ଡଃ ପ୍ରମୋଦ କୁମାର ବାରିକ, ଜିଲ୍ଲା ପ୍ରୋଗ୍ରାମ କୋଅଡିନେଟର୍ ବିପିନ୍ ବିହାରୀ ପାତ୍ରଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ଉପସ୍ଥିତ ଥିଲେ।

Related posts