Categories
ଆଜିର ଖବର ରାଜ୍ୟ ଖବର

ଗାଁ ଠୁ ସହର ପର୍ଯ୍ୟନ୍ତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ବଢ଼ୁଛି ଜନଭାଗିଦାରୀ

ନୂଆଦିଲ୍ଲୀ: ବର୍ତ୍ତମାନ ସୁଦ୍ଧା ୬ କୋଟିରୁ ଅଧିକ ଲୋକଙ୍କ ଅଂଶଗ୍ରହଣ ସହ ସାରା ଦେଶରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହିତ ଆଗେଇ ଚାଲିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ନେଇ ଓଡ଼ିଶାରେ ମଧ୍ୟ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି। ଓଡ଼ିଶାର ସହରାଞ୍ଚଳରେ ବିଭିନ୍ନ ୱାର୍ଡ ଏବଂ ଗ୍ରାମାଞ୍ଚଳର ପଞ୍ଚାୟତରେ ସଂକଳ୍ପଯାତ୍ରାର ସଚେତନତା ରଥକୁ ଭବ୍ୟ ସ୍ୱାଗତ କରାଯାଉଛି। ଖୁବଶୀଘ୍ର ଯାତ୍ରାରେ ଓଡ଼ିଶାର ୧ କୋଟିରୁ ଅଧିକ ଲୋକଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଯାତ୍ରା ରହଣୀ ସ୍ଥଳରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି।

ଏଥିସହିତ ସରକାରୀ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କର ପଞ୍ଜୀକରଣ ମଧ୍ୟ କରାଯାଉଛି। ଘର ପାଖରେ ସରକାରୀ ଯୋଜନାର ଲାଭ ପାଇବାର ସୁବିଧା ପହଞ୍ଚି ଥିବାରୁ ଓଡ଼ିଶାର ବିଭିନ୍ନ ପଞ୍ଚାୟତ ଓ ପୌରାଞ୍ଚଳ ୱାର୍ଡରେ ସ୍ଥାନୀୟ ମହିଳା ଓ ପୁରୁଷମାନେ ସଂକଳ୍ପ ଯାତ୍ରାର ସଚେତନତା ରଥକୁ ପାରମ୍ପରିକ ଢଙ୍ଗରେ, ଘଣ୍ଟଘଣ୍ଟା, ହୁଳହୁଳି ଓ ବାଦ୍ୟ ବଜାଇ ସ୍ୱାଗତ କରୁଥିବା ଦେଖାଯାଇଛି। କିଛି ସ୍ଥାନରେ ଲୋକମାନେ ଗାଁ ବାହାରକୁ କିଛି ଦୂର ପର୍ଯ୍ୟନ୍ତ ଯାଇ ସଂକଳ୍ପ ଯାତ୍ରାର ସଚେତନତା ରଥକୁ ପାଛୋଟି ଆଣୁଛନ୍ତି। ନିକଟରେ ଏହାର ଉଦାହରଣ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ତହସିଲ ଅନ୍ତର୍ଗତ ରାଲେଗଡ଼ା ପଞ୍ଚାୟତରେ। ପଞ୍ଚାୟତକୁ ଯିବା ପାଇଁ ଝୁଲା ପୋଲ ପାର ହେବାକୁ ପଡ଼ୁଥିବା କାରଣରୁ ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ ସେଠାକୁ ଯାଇପାରିନଥିଲା। ଏଥିପାଇଁ ସ୍ଥାନୀୟ ଲୋକ ଓ ମହିଳାମାନେ ୨ କିଲୋମିଟର ରାସ୍ତା ଅତିକ୍ରମ କରି ଆସି ସଂକଳ୍ପ ଯାତ୍ରା ଗାଡ଼ି ପାଖରେ ପହଞ୍ଚି ଥିଲେ।

ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସଂକଳ୍ପ ଯାତ୍ରା ରଥ ପହଞ୍ଚିବା ପରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ସଚେତନତା ବାହନରେ ଲାଗିଥିବା ଏଲଇଡି ସ୍କ୍ରିନ୍‌ରେ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସାରଣ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି। ସ୍ଥାନୀୟ ଜନ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଆଶା, ଅଙ୍ଗନୱାଡ଼ି କର୍ମୀ, ବିଭିନ୍ନ ଯୋଜନାର ନୋଡାଲ ଅଧିକାରୀ, ବ୍ୟାଙ୍କ ଓ ଡାକ ବିଭାଗର କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, କୃଷି ବିଭାଗ କର୍ମଚାରୀମାନେ ଯାତ୍ରା ରହଣୀ ସ୍ଥଳରେ ଉପସ୍ଥିତ ରହି ସାଧାରଣ ଲୋକଙ୍କୁ ସଚେତନ କରିବା ସହ ସେମାନଙ୍କୁ ସରକାରୀ ଯୋଜନାରେ ସାମିଲ କରୁଛନ୍ତି । ଘର ପାଖରେ ମୌଳିକ ସୁବିଧାସୁଯୋଗ ପାଇବାର ଅବସର ଜୁଟିଥିବାରୁ ଯାତ୍ରାରେ ଅଧିକରୁ ଅଧିକ ଲୋକଙ୍କ ଭାଗିଦାରୀ ଦେଖିବାକୁ ମିଳୁଛି । ସଂକଳ୍ପ ଯାତ୍ରାର ସଚେତନତା ରଥ ଗୋଟିଏ ପଞ୍ଚାୟତରୁ ଅନ୍ୟ ପଞ୍ଚାୟତକୁ ଯିବା ସହିତ କେନ୍ଦ୍ର ସରକାରଙ୍କ ପିଏମ ଆବାସ, ଉଜ୍ଜ୍ୱଳା, ବୀମା ଯୋଜନା, ଗରିବ କଲ୍ୟାଣ ଅନ୍ନ ଯୋଜନା, କୃଷି ବିଭାଗ, ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ପ୍ରମୁଖ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରୁଛି । ଯାତ୍ରା ରହଣୀ ସ୍ଥଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ଶିବିରରେ ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଯକ୍ଷ୍ମା, ମଧୁମେହ, ଉଚ୍ଚରକ୍ତଚାପ, ସିକଲ୍‌ ସେଲ୍‌ ଏନିମିଆ ଭଳି ରୋଗ ପାଇଁ ଆବଶ୍ୟକ ଚିକିତ୍ସା ପରାମର୍ଶ ଦିଆଯାଉଛି । ଆବଶ୍ୟକ ସ୍ଥଳେ ଲକ୍ଷଣଯୁକ୍ତ ରୋଗୀଙ୍କୁ ଉଚ୍ଚତର ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଉଛି । ଏହି ସ୍ୱାସ୍ଥ୍ୟ ଶିବିରରେ ମଧ୍ୟ ବହୁ ସଂଖ୍ୟାରେ ଲୋକ ଅଂଶଗ୍ରହଣ କରିବା ସହ ସ୍ୱାସ୍ଥ୍ୟ କ୍ଷେତ୍ରର ଯୋଜନାର ସୁବିଧା ପାଇବା ଲାଗି ନିଜର ପଞ୍ଜୀକରଣ କରାଉଛନ୍ତି । ଡାକ ବିଭାଗ ଓ ବ୍ୟାଙ୍କ ପକ୍ଷରୁ ମିଳୁଥିବା ସଞ୍ଚୟ ଓ ବୀମା ଯୋଜନା ସମ୍ପର୍କରେ ଲୋକମାନେ ଅବଗତ ହେଉଥିବା ମଧ୍ୟ ଦେଖାଯାଇଛି । ମାତୃ ଓ ଶିଶୁ ବିକାଶ ଯୋଜନା, ପୋଷଣ ଯୋଜନା ଆଦି ସହ ଜଡ଼ିତ ଖାଦ୍ୟ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଉଛି । ସାଧାରଣ ହିତାଧିକାରୀମାନେ ସେମାନଙ୍କର ଅନୁଭୂତି ପ୍ରକାଶ କରୁଛନ୍ତି । କିଛି ସ୍ଥାନରେ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ ମଧ୍ୟ କରାଯାଉଛି । ଏଥିସହିତ ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ଶପଥ ପାଠ ମଧ୍ୟ କରାଯାଉଛି । ଏଥିରେ ବିପୁଳ ଜନଭାଗିଦାରୀ ଦେଖିବାକୁ ମିଳୁଛି ।

Categories
ଆଞ୍ଚଳିକ

ବାଣପୁର: ପ୍ରବାସୀ ଶ୍ରମିକଙ୍କ ନିମନ୍ତେ ସଚେତନତା ରଥର ଶୁଭାରମ୍ଭ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ, ଭୁବନେଶ୍ୱର ତରଫରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଆନ୍ତଃ ରାଜ୍ୟ ପ୍ରବାସୀ ଶ୍ରମିକମାନଙ୍କ ଉଦ୍ଦେଶ୍ୟରେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି। ଏହା ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଯୁଗ୍ମ ଶ୍ରମ ଆୟୁକ୍ତ ଭୁବନେଶ୍ଵର ପ୍ରଣବ କୁମାର ପାତ୍ର, ଖୋର୍ଦ୍ଧା ଜିଲ୍ଲା ଭାରପ୍ରାପ୍ତ ଶ୍ରମ ଅଧିକାରୀ ପ୍ରଭାକର ବିଶ୍ୱାଳ, ଭୁବନେଶ୍ଵର ସହକାରୀ ଶ୍ରମ ଅଧିକାରିଣୀ ରଶ୍ମିତା ପାତ୍ର ଏବଂ ବାଲୁଗାଁ ସହକାରୀ ଶ୍ରମ ଅଧିକାରୀ ଚନ୍ଦନ ମାଝୀଙ୍କ ଉପସ୍ଥିତିରେ ଶୁଭାରମ୍ଭ ହୋଇଥିଲା।

ଏହି ସଚେତନତା ରଥ ଜିଲ୍ଲାର ସମସ୍ତ ପ୍ରବାସୀ ଶ୍ରମିକ ଭୁକ୍ତ ଅଞ୍ଚଳ ଯଥା ବାଣପୁର, ଚିଲିକା, ଟାଙ୍ଗୀ ଓ ବାଲୁଗାଁ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ଓ ସହରରେ ସଚେତନ କରାଇବ। ଏହା ସହିତ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ବିଭାଗ ତରଫରୁ ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ଉଦିଷ୍ଟ ଆଇନ୍ (ସୁବିଧା,ସୁଯୋଗ ଓ ଅଧିକାର) ବିଷୟରେ ମଧ୍ୟ ଅବଗତ କରାଇବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, କଳାହାଣ୍ଡି ତରଫରୁ ଏକ ଶିଶୁ ଶ୍ରମିକ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ଏହି ସଚେତନତା ରଥ ଜିଲ୍ଲା ର ବିଭିନ୍ନ ବ୍ଲକ , ଏନ୍ ଏ ସି ଅଂଚଳ ପରିକ୍ରମା କରି ଶିଶୁ ଶ୍ରମିକ ନିରାକରଣ ଓ ଶିଶୁ ତଥା କିଶୋର ମାନଙ୍କୁ ବିଭିନ୍ନ କର୍ମସଂସ୍ଥାନ ରେ ନିୟୋଜନ ନିଷେଧ ଉପରେ ସଚେତନତା ସୃଷ୍ଟି କରିବ। ଶିଶୁ ଓ କିଶୋର ( ନିରାକରଣ ଓ ନିୟନ୍ତ୍ରଣ) ୧୯୮୬ ନିୟମ ଅନୁଯାୟୀ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ବିଭିନ୍ନ ବୃତ୍ତି ରେ ନିଯୁକ୍ତି ଦେବା ନିଷେଧ ଏବଂ ୧୫ ରୁ ୧୮ ବର୍ଷ ପର୍ଯ୍ୟନ୍ତ କିଶୋର ମାନଙ୍କୁ ବିପଦ ସଙ୍କୁଳ କର୍ମ ସଂସ୍ଥାନ ଓ ପ୍ରକ୍ରିୟାରେ ନିୟୋଜନ କରିବା ଏକ ଧର୍ତ୍ତବ୍ୟ ଅପରାଧ ଅଟେ। ଏଭଳି ନିୟୋଜନ କରିଥିବା ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ ହେଲେ ୫୦,୦୦୦ ଟଙ୍କା ଆର୍ଥିକ ଜୋରିମାନା ଓ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡିବ। ଦେଖାଯାଉଛି ବିଭିନ୍ନ ହୋଟେଲ , ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କରେ ଅସାଧୁ ବ୍ୟବସାୟୀ କମ ପାରିଶ୍ରମିକ ଦେଇ ଶିଶୁ ଶ୍ରମିକ ନିୟୋଜନ କରୁଛନ୍ତି ଏହି ବିଷୟରେ ଜନ ସାଧାରଣ ସଚେତନ ହୋଇ ଶ୍ରମ କାର୍ଯ୍ୟାଳୟ ରେ ଅଭିଯୋଗ କରିପାରିଲେ ଶିଶୁ ଶ୍ରମିକ ମୁକ୍ତ ଓଡ଼ିଶା ର ସଂକଳ୍ପ ପୂରଣ ହୋଇପାରିବ ବୋଲି ଆଶା କରାଯାଉଛି।

ସଚେତନତା ରଥ ଶୁଭାରମ୍ଭ ସମୟରେ ଜିଲ୍ଲା ଶ୍ରମ ଅଧିକାରୀ ସୁବାସ ଚନ୍ଦ୍ର ମଣ୍ଡଳ,ସହକାରୀ ଶ୍ରମ ଅଧିକାରୀ ଜିତମ୍ ମାଝୀ, ଟ୍ରେଡ ୟୁନିଅନ୍ ସଭାପତି ଶିଶିର ପଟ୍ଟନାୟକ, ଡି ଆଇ ପି ଆର୍ ଓ ମନୋଜ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ର କର୍ମଚାରୀ ଅଂଶୁମାନ ବାବୁ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲାରେ ସଚେତନତା ରଥର ଶୁଭାରମ୍ଭ

ଖୋର୍ଦ୍ଧା: ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ୩୦ ଟି ସଡକ ରଥ ଓଡିଶା ଦେଇ ସଡକ ସୁରକ୍ଷା ସଚେତନତା ବିସ୍ତାର କରିବ। ଜାତୀୟ ସଡକ ସୁରକ୍ଷା ଚଳଚ୍ଚିତ୍ର ସମ୍ପୃକ୍ତ ଜିଲ୍ଲା ଅନ୍ତର୍ଗତ ଛୋଟ ସହର ଓ ଗ୍ରାମରେ ପ୍ରଦର୍ଶିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ସକାଳ ୯.୩୦ ମିନିଟ ସମୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଡକ ସୁରକ୍ଷା ସଚେତନତା ପାଇଁ ୨ ଗୋଟି ରଥର ଶୁଭାରମ୍ଭ, ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଣି ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଏବଂ ଜିଲ୍ଲାର ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତି ରେ ହୋଇଥିଲା।

ଉକ୍ତ ରଥକୁ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।  ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ଭୁବନେଶ୍ୱର ୧ ଓ ୨ ର ଅଧିକାରୀ ବିକାଶ ଚନ୍ଦ୍ର ଚୌଧୁରୀ ଏବଂ ସନତ କୁମାର ଜେନା ପତାକା ଉତ୍ତୋଳନ ସମାରୋହର ଆୟୋଜନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ବାଲ୍ୟ ବିବାହ, ଶିଶୁ ଓ ମହିଳା ବିରୋଧି ଅପରାଧ ସଚେତନତା ରଥ ଶୁଭାରମ୍ଭ

ଖୋର୍ଦ୍ଧା: ସଚେତନତା ଅଭାବରୁ ଆଜି ମଧ୍ୟ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ସମାଜରେ ବଞ୍ଚି ରହିଛି। ପିତାମାତା ଏବଂ ସମ୍ପର୍କୀୟ ମାନେ କେତେବେଳେ ପରମ୍ପରା ନାମରେ ତ ପୁଣି କେତେବେଳେ ଦାରିଦ୍ର୍ୟତା କାରଣରୁ କିଶୋରୀ ବାଳିକା ମାନଙ୍କୁ ବିବାହ ବନ୍ଧନରେ ବାନ୍ଧିଦେଇ ସେମାନଙ୍କୁ ଅକାଳ ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି। ବିବାହ ଯୋଗ୍ୟ ବୟସ ପୂର୍ବରୁ ମାତୃତ୍ବ ଲାଭ କରି ଅକାଳରେ ଝଡି ଯାଉଛନ୍ତି ଅନେକ କିଶୋରୀ ବାଳିକା। ଖୋର୍ଦ୍ଧା ଜିଲ୍ଲାରେ ଏଭଳି କୁଶ୍ଚିତ ପ୍ରଥାର ବିଲୋପ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଏକ ସଚେତନତା ଭ୍ରାମ୍ୟମାଣ ରଥର ଶୁଭାରମ୍ଭ ହୋଇଛି।

ଏହି ସଚେତନତା ରଥକୁ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର ସବୁଜ ପତାକା ଦେଖାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶୁଭାରମ୍ଭ କରିଥିଲେ।

ବାଲ୍ୟ ବିବାହକୁ ନା ସ୍କୁଲ ଯିବାକୁ ହଁ କହିବା, ବାଲ୍ୟ ବିବାହ ବନ୍ଦ କରିବା, ଲିଙ୍ଗଗତ ଭେଦଭାବ ଦୂର କରିବା, ଶିଶୁ ଅଧିକାର ସୁରକ୍ଷା, ଶିଶୁ ଚାଲାଣ ରୋକିବା, ମହିଳା ହିଂସା ରୋକିବା ବାର୍ତ୍ତା ବହନ କରି ଏହି ସଚେତନତା ରଥ ୫ ଦିନ ଧରି ଜିଲ୍ଲାର ୧୦ଟି ବ୍ଲକ ସହିତ ବିଭିନ୍ନ ସହର ପରିକ୍ରମା କରିବ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଉପ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଆପଦକାଳୀନ ଅଧିକାରୀଣି ଉର୍ମିପ୍ରଭା ମହାରଣା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ, ପ୍ରକଳ୍ପ ଅଧିକାରୀ ଶିଖା ରାୟ ପୋଦ୍ଦାର, ପରାମର୍ଶଦାତା ଶ୍ବାତୀ ତନ୍ମୟା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ସିଡିପିଓ, ସୁପରଭାଇଜର, ଅଙ୍ଗନୱାଡି କର୍ମୀ, କିଶୋରୀ ବାଳିକା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ସ୍ବାସ୍ଥ୍ୟ

ବିଶ୍ଵ ଯକ୍ଷ୍ମା ଦିବସ ଅବସରରେ ଜଗତସିଂହପୁରରେ ସଚେତନତା ରଥର ଶୁଭାରମ୍ଭ

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପାଳିତ ହୋଇଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଯକ୍ଷ୍ମା ହାରିବ ଦେଶ ଜିତିବ, ଆମର ଲକ୍ଷ୍ୟ ଟିବି (ଯକ୍ଷ୍ମା) ମୁକ୍ତ ଭାରତ।

ଯେକୌଣସି ଲୋକକୁ ଯକ୍ଷ୍ମା ରୋଗ ହୋଇପାରେ। ଏହାର ଲକ୍ଷଣ ହେଉଛି ଦୁଇ ସପ୍ତାହରୁ ଅଧିକ କାଶ ଲାଗି ରହିବା,ସଂନ୍ଧ୍ୟା ସମୟରେ ଅଳ୍ପ ଜ୍ୱର ହେବା, ଓଜନ କମିଯିବା, ଭୋକ ନ ଲାଗିବା ଏବଂ କଫରେ ରକ୍ତ ପଡିବା, ଛାତିରେ ଯନ୍ତ୍ରଣା ହେବା, ଯକ୍ଷ୍ମା ରୋଗୀ ଏଚ୍.ଆଇ.ଭି ଓ ମଧୁମେହ ପରିକ୍ଷା କରିବା ନିହାତି ଜରୁରି।

ଅନିୟମିତ କିମ୍ବା ଅସମ୍ପୂର୍ଣ୍ଣ ଚିକିତ୍ସା ଯୋଗୁଁ ଔଷଧ ପ୍ରତିରୋଧକ ଯକ୍ଷ୍ମା ହୋଇପାରେ। ସମସ୍ତ ସରକାରୀ/ବେସରକାରୀ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ, ସେମାନଙ୍କ ଦ୍ବାରା ଚିହ୍ନଟ ଓ ଚିକିତ୍ସିତ ହେଉଥିବା ରୋଗୀଙ୍କ ସମ୍ବନ୍ଧରେ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଇବା ବାଧ୍ୟତାମୂଳକ ଅଟେ।

ପ୍ରାଥମିକ ଭାବରେ ଯକ୍ଷ୍ମାରୋଗ ଫୁସଫୁସ୍ କୁ ପ୍ରଭାବିତ କରିଥାଏ। କିନ୍ତୁ ଏହା ଶରୀରର ନଖ ଓ ଚୁଟିକୁ ଛାଡ଼ି ଯେ କୌଣସି ଅଙ୍ଗକୁ ପ୍ରଭାବିତ କରିଥାଏ। ଏସମ୍ପର୍କରେ ସଚେତନ ହେବା ସହିତ କରୋନା ପାଇଁ ଉଦ୍ଦିଷ୍ଟ ସମସ୍ତ ନିୟମ ମାନି ଚଳିବା ଆବଶ୍ୟକ ଅଟେ। ଏହି ସଚେତନତା ରଥ ଜଗତସିଂହପୁର ଜିଲ୍ଲା ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରାଇବ। ଏ

ହି ଉଦଘାଟନୀ ଉତ୍ସବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟା ପଣ୍ଡା, ଏ.ଡି.ଏମ୍.ଓ ଡଃ ବସନ୍ତ ବାରିକ, ଡଃ ଶତୃଘ୍ନ ଦାଶ, ଡଃ ପ୍ରମୋଦ କୁମାର ବାରିକ, ଜିଲ୍ଲା ପ୍ରୋଗ୍ରାମ କୋଅଡିନେଟର୍ ବିପିନ୍ ବିହାରୀ ପାତ୍ରଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ଉପସ୍ଥିତ ଥିଲେ।