ଖୋର୍ଦ୍ଧା ଜିଲ୍ଲାରେ ବାଲ୍ୟ ବିବାହ, ଶିଶୁ ଓ ମହିଳା ବିରୋଧି ଅପରାଧ ସଚେତନତା ରଥ ଶୁଭାରମ୍ଭ

Published: Aug 30, 2022, 6:49 pm IST

ଖୋର୍ଦ୍ଧା: ସଚେତନତା ଅଭାବରୁ ଆଜି ମଧ୍ୟ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ସମାଜରେ ବଞ୍ଚି ରହିଛି। ପିତାମାତା ଏବଂ ସମ୍ପର୍କୀୟ ମାନେ କେତେବେଳେ ପରମ୍ପରା ନାମରେ ତ ପୁଣି କେତେବେଳେ ଦାରିଦ୍ର୍ୟତା କାରଣରୁ କିଶୋରୀ ବାଳିକା ମାନଙ୍କୁ ବିବାହ ବନ୍ଧନରେ ବାନ୍ଧିଦେଇ ସେମାନଙ୍କୁ ଅକାଳ ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି। ବିବାହ ଯୋଗ୍ୟ ବୟସ ପୂର୍ବରୁ ମାତୃତ୍ବ ଲାଭ କରି ଅକାଳରେ ଝଡି ଯାଉଛନ୍ତି ଅନେକ କିଶୋରୀ ବାଳିକା। ଖୋର୍ଦ୍ଧା ଜିଲ୍ଲାରେ ଏଭଳି କୁଶ୍ଚିତ ପ୍ରଥାର ବିଲୋପ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଏକ ସଚେତନତା ଭ୍ରାମ୍ୟମାଣ ରଥର ଶୁଭାରମ୍ଭ ହୋଇଛି।

ଏହି ସଚେତନତା ରଥକୁ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର ସବୁଜ ପତାକା ଦେଖାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶୁଭାରମ୍ଭ କରିଥିଲେ।

ବାଲ୍ୟ ବିବାହକୁ ନା ସ୍କୁଲ ଯିବାକୁ ହଁ କହିବା, ବାଲ୍ୟ ବିବାହ ବନ୍ଦ କରିବା, ଲିଙ୍ଗଗତ ଭେଦଭାବ ଦୂର କରିବା, ଶିଶୁ ଅଧିକାର ସୁରକ୍ଷା, ଶିଶୁ ଚାଲାଣ ରୋକିବା, ମହିଳା ହିଂସା ରୋକିବା ବାର୍ତ୍ତା ବହନ କରି ଏହି ସଚେତନତା ରଥ ୫ ଦିନ ଧରି ଜିଲ୍ଲାର ୧୦ଟି ବ୍ଲକ ସହିତ ବିଭିନ୍ନ ସହର ପରିକ୍ରମା କରିବ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଉପ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଆପଦକାଳୀନ ଅଧିକାରୀଣି ଉର୍ମିପ୍ରଭା ମହାରଣା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ, ପ୍ରକଳ୍ପ ଅଧିକାରୀ ଶିଖା ରାୟ ପୋଦ୍ଦାର, ପରାମର୍ଶଦାତା ଶ୍ବାତୀ ତନ୍ମୟା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ସିଡିପିଓ, ସୁପରଭାଇଜର, ଅଙ୍ଗନୱାଡି କର୍ମୀ, କିଶୋରୀ ବାଳିକା ପ୍ରମୁଖ ଉପସ୍ଥିତ ଥିଲେ।

Related posts