Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ‘ଶିଶୁଙ୍କ ପାଇଁ ଦିନଟିଏ’ ଜିଲ୍ଲା ସ୍ତରୀୟ ବୈଠକ

ଖୋର୍ଦ୍ଧା: ଶିଶୁଙ୍କ ପାଇଁ ଦିନଟିଏ ଜିଲ୍ଲା ସ୍ତରୀୟ ବୈଠକ ତଥା ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ନିରୋଧ ଟାସ୍କ ଫୋର୍ସ, ବେଟୀ ବଚାଓ ବେଟୀ ପଢାଓ ଏବଂ ଶିଶୁ ଶ୍ରମିକ ଉଚ୍ଛେଦ ସମ୍ପର୍କିତ ବୈଠକ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଆଜିର ଏହି ବୈଠକରେ ଗତ ଡିସେମ୍ବର ୧୦ ତାରିଖରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ ରାଜ୍ୟ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ୧୨ ଜଣ ଶିଶୁଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ପ୍ରମାଣପତ୍ର ଏବଂ ଟ୍ରଫି ପ୍ରଦାନ କରି ସମ୍ବଦ୍ଧିତ କରିଥିଲେ।

ଶିଶୁମାନଙ୍କ ସୁରକ୍ଷା ଏବଂ ସେମାନଙ୍କର ଶିକ୍ଷା ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦେବା ସହିତ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣା,ଶିଶୁ ଶ୍ରମିକ ଉଚ୍ଛେଦ, ଗ୍ରାମ୍ୟ ଶିଶୁ କଲ୍ୟାଣ ଏବଂ ସୁରକ୍ଷା କମିଟି କୁ କ୍ରିୟାଶୀଳ କରିବା, ଅଧାରୁ ବିଦ୍ୟାଳୟରୁ ପିଲାମାନେ ପାଠ ଛାଡୁଥିବା ଶିଶୁ ମାନଙ୍କୁ ଚିହ୍ନଟ କରିବା ସହିତ ଭୃଣ ହତ୍ୟା ରୋକିବା ଦିଗରେ ପଦକ୍ଷେପ ନେବା ତ‌ଥା ଶିଶୁ ମାନେ କିପରି ରକ୍ତ ହୀନତାରୁ ମୁକ୍ତି ପାଇବେ, ସେ ଦିଗରେ ପଦକ୍ଷେପ ନେବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ବୈଠକରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ବାଣିଶ୍ରୀ ପଟ୍ଟନାୟକ ସ୍ବାଗତ ଭାଷଣ ଦେବାସହ ବୈଠକର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ ସମିତିର ଅଧ୍ଯକ୍ଷା ରଞ୍ଜିତା ପଣ୍ଡା, ଅତିରିକ୍ତ ଶିଶୁ ମଙ୍ଗଳ ସମିତିର ସଭ୍ୟା ସୁମିତାରାଣି ଘୋସ, ଅତିରିକ୍ତ ଜିଲା ସ୍ବାସ୍ଥ୍ୟ ଅଧିକାରୀ ଡଃ ରଘୁନାଥ ନାୟକ, ଜିଲ୍ଲା ଶ୍ରମ ଅଧିକାରୀ ପ୍ରଭାକର ବିଶ୍ବାଳ, ଅତିରିକ୍ତ ଶ୍ରମ ଅଧିକାରିଣୀ ପ୍ରଜ୍ଞା ପରମିତା ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନିରୂପମା ପାଣି, ଅତିରିକ୍ତ ଶିକ୍ଷା ଅଧିକାରୀ ସ୍ନିଗ୍ଧା ମିଶ୍ର, ସଦର ଏସଡିପିଓ ଦିଲ୍ଲୀପ କୁମାର ଦାସ, ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ନାୟକ, ଆକ୍ସନ ଏଡ ର ଜିଲ୍ଲା ପରାମର୍ଶଦାତ୍ରୀ ସ୍ବାତୀ ତନ୍ମୟା ମିଶ୍ର ତଥା ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ଏବଂ ସମସ୍ତ ସିଡିପିଓ ମାନେ ଉପସ୍ଥିତ ରହି ଜିଲ୍ଲାରେ ଶିଶୁ ସୁରକ୍ଷା ଦିଗରେ ଗୁରୁତ୍ବାରୋପ କରିଥିଲେ।

ଏହି ବୈଠକ ପରିଚାଳନରେ ସହଯୋଗ କରିଥିଲେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ରଞ୍ଜନ କୁମାର ଗୋଛାୟତ, ରୀତାଞ୍ଜଳି ମହାନ୍ତି ଓ ମନସ୍ବିନୀ ମହାପାତ୍ର ପ୍ରମୁଖ।

Categories
ଆଞ୍ଚଳିକ

ବାଲ୍ୟ ବିବାହ, ଶିଶୁ ଯୌନ ନିର୍ଯାତନା ଓ ଶିଶୁ ଚାଲାଣ ସଂପର୍କିତ ସଚେତନତା କର୍ମଶାଳା

କନ୍ଦର୍ପ ବେହେରା
ରେଢାଖୋଲ: ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୈଳାସ ସତ୍ୟାର୍ଥୀ ଚିଲ୍ଦ୍ରେନ୍ ଫାଉଣ୍ଡେସନ, ୟୁ.ଏସ୍ ଓ ବିଶ୍ଵ ଯୁବକେନ୍ଦ୍ର, ଅନୁଗୁଳ ଶାଖା ତରଫରୁ ଏକ ଶିଶୁ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡଃ.ମନୋରଞ୍ଜନ ପ୍ରଧାନଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ପ୍ରକଳ୍ପ ସଂଯୋଜକ ଅଭୟ ଚରଣ ସ୍ବାଇଁ, ଜ୍ୟୋସ୍ମିତା ପ୍ରଧାନ, ପ୍ରାଧ୍ୟାପିକା ଡଃ.ସରସୀରାଣୀ ଗଡନାୟକ, ଅଧ୍ୟାପିକା ବିନୀତା ମୁର୍ମୁ, ଅଧ୍ୟାପକ ସରୋଜ ଭୁଏ ଅତିଥି ଭାବେ ଯୋଗଦେଇ ଆଜିର ସମାଜରେ ଚାଲିଥିବା ବାଲ୍ୟବିବାହ, ଶିଶୁ ଯୌନ ନିର୍ଯାତନା ଓ ଶିଶୁ ଚାଲାଣ ସଂପର୍କରେ ବକ୍ତାମାନେ ଆଲୋଚନା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସଚେତନତା କରିଥିଲେ।

ଏହି କର୍ମଶାଳାରେ କଳା ବିଭାଗର ୨୧୫ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଛାତ୍ରୀ ସିକି ସ୍ବାଇଁ ସମସ୍ତଙ୍କୁ ଶପଥଗ୍ରହଣ କରାଇଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷା ବିଭାଗ ଅଧ୍ୟାପକ ଡଃ.ପ୍ରଶାନ୍ତ କୁମାର ଦାଶ ପରିଚାଳନା କରିଥିଲେ । ଶେଷରେ ହୁସେନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଆସାମରେ ବାଲ୍ୟ ବିବାହ ମାମଲା: ଏପର୍ଯ୍ୟନ୍ତ ୨୨୭୮ ଗିରଫ, ୪୦୭୪ ମାମଲା ରୁଜୁ

ନୂଆଦିଲ୍ଲୀ: ବାଲ୍ୟ ବିବାହକୁ ନେଇ ରାଜ୍ୟବ୍ୟାପୀ ଚାଲିଥିବା କଟକଣା ଅନୁଯାୟୀ ଆସାମ ପୋଲିସ ଗତ ଦୁଇ ଦିନ ମଧ୍ୟରେ ୨୨୦୦ ରୁ ଅଧିକ ଲୋକଙ୍କୁ ଗିରଫ କରିଛି। ବାଲ୍ୟ ବିବାହ ମାମଲାରେ ବିଶ୍ୱନାଥରେ ୧୩୯ ଜଣ, ବାରପେଟାରେ ୧୩୦, ଧୁବ୍ରିରେ ୧୨୬, ବକ୍ସାରେ ୧୨୩, ବୋଙ୍ଗଇଗାଓଁରେ ୧୧୭, ନାଗାଓଁରେ ୧୦୧, କୋକରାଝରେ ୯୪, କାମରୁପରେ ୮୫, ଗୋଲପାରା ଏବଂ ଉଦଲଗୁରି ଜିଲ୍ଲାରେ ୮୪ ଜଣ ଲେଖାଏଁ ଗିରଫ ହୋଇଛନ୍ତି।

ଆସାମ ପୋଲିସ ଆଜି ପର୍ଯ୍ୟନ୍ତ ସାରା ରାଜ୍ୟରେ ବାଲ୍ୟ ବିବାହ ସମ୍ପର୍କିତ ମାମଲାରେ ୨୨୭୮ ଜଣଙ୍କୁ ଗିରଫ କରିଛି ଏବଂ ୪୦୭୪ ମାମଲା ରୁଜୁ କରିଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ଶନିବାର ଦିନ ଘୋଷଣା କରିଛନ୍ତି ଯେ ରାଜ୍ୟ ପୋଲିସର ଶିଶୁ ବିରୋଧୀ ଅଭିଯାନ ୨୦୨୬ ମସିହାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଜାରି ରହିବ। ସର୍ମାଙ୍କ ଅନୁଯାୟୀ, ଅଳ୍ପ ବୟସରେ ବିବାହ କରୁଥିବା ପିତାମାତାଙ୍କୁ ଗିରଫ କରିବା ପରିବର୍ତ୍ତେ ସେମାନଙ୍କୁ ଚେତାବନୀ ଦିଆଯାଉଛି।

Categories
ଆଜିର ଖବର ଜାତୀୟ ଖବର

ମୁସଲମାନଙ୍କୁ ହଇରାଣ କରିବା ଲକ୍ଷ୍ୟ: ବାଲ୍ୟ ବିବାହ ଯୋଗୁଁ ଗିରଫକୁ ନେଇ କହିଲେ ବଦ୍ରୁଦ୍ଦିନ ଅଜମଲ

ନୂଆଦିଲ୍ଲୀ: ଆସାମରେ ବାଲ୍ୟ ବିବାହ ସଂପର୍କରେ ଗିରଫଦାରୀକୁ ନେଇ ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (AIUDF) ର ସଭାପତି ମୌଲାନା ବଦ୍ରୁଦ୍ଦିନ ଅଜମଲ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ସର୍ମାଙ୍କୁ ଟାର୍ଗେଟ କରିଛନ୍ତି। ମୁସଲମାନମାନଙ୍କୁ ହଇରାଣ କରିବା ପାଇଁ ଏସବୁ କରାଯାଉଛି ବୋଲି ସେ କହିଛନ୍ତି।

ଗଣମାଧ୍ୟମ ଅନୁଯାୟୀ ଆସାମର ଧୁବ୍ରିର ସାଂସଦ ଅଜମଲ କହିଛନ୍ତି ଯେ, “ଆମର ମୁଖ୍ୟମନ୍ତ୍ରୀ ହିମନ୍ତା ବିଶ୍ୱ ସରମା ସାହେବ ବେଳେବେଳେ ହଠାତ୍ ସ୍ୱପ୍ନ ଦେଖନ୍ତି ଯେ, ବହୁତ ଦିନ ହେଲାଣି ମୁଁ ମୁସଲମାନମାନଙ୍କୁ ହଇରାଣ କରିନାହିଁ। ସେ ନିଦରୁ ଉଠନ୍ତି। ଏହା ପରେ ମୁସଲମାନମାନଙ୍କୁ ହଇରାଣ କରିବା ଭଳି ଯୋଜନା ଆରମ୍ଭ କରିଦିଅନ୍ତି।

ବାଲ୍ୟ ବିବାହ ବିରୋଧରେ ଏକ ବିଶାଳ ଅଭିଯାନର ଅଂଶ ଭାବରେ ଆସାମ ପୋଲିସ ଆଜି ପର୍ଯ୍ୟନ୍ତ ୧୮୦୦ ଲୋକଙ୍କୁ ଗିରଫ କରିଛି। ଏପର୍ଯ୍ୟନ୍ତ ସର୍ବାଧିକ ୩୭୦ ଟି ମାମଲା ରୁଜୁ ହୋଇଥିବା ବେଳେ ଧୁବ୍ରିରୁ ସର୍ବାଧିକ ୧୩୬ ଜଣଙ୍କୁ ଗିରଫ କରାଯାଇଛି। ଏହା ପରେ ବାରପେଟାରେ ୧୧୦ ଜଣ ଏବଂ ନାଗାଓଁରେ ୧୦୦ ଜଣଙ୍କୁ ଗିରଫ କରାଯାଇଛି। ଅଜମଲ କହିଛନ୍ତି ଯେ, ବାଲ୍ୟ ବିବାହ ଅଧିନିୟମ ଅନୁଯାୟୀ ୨୦୦୭ ରେ ବାଲ୍ୟ ବିବାହ ଏକ ଦଣ୍ଡନୀୟ ଅପରାଧ ହୋଇଥିଲା, କିନ୍ତୁ ଆସାମ ସରକାର ଗୋଟିଏ ଦିନ ମଧ୍ୟ ଏ ସମ୍ପର୍କରେ କୌଣସି ଅଭିଯାନ ଚଳାଇ ନଥିଲେ।

AIUDF ସଭାପତି ଅଜମଲ କହିଛନ୍ତି ଯେ, ବର୍ତ୍ତମାନ ସରକାର ଗିରଫ କରୁଛନ୍ତି। ଏଥିରେ ୯୦ ପ୍ରତିଶତ ମୁସଲମାନ ପୁଅ ଓ ଝିଅଙ୍କୁ ଗିରଫ କରାଯାଉଥିବା ଜଣାପଡିବ। ସେମାନେ ଏକପାଖିଆ ଗିରଫ କରିବେ। ଆମେ ଏହା ଜାଣୁ। ସେମାନଙ୍କର ଚିନ୍ତା ମୁସଲମାନ ବିରୋଧୀ। ଏହି ଉପାୟରେ ଗିରଫ କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ସାଂସଦ ଅଜମଲ କହିଛନ୍ତି ଯେ, ସମଗ୍ର ଆସାମରେ ଅତି କମରେ ୩୦-୪୦ ଦିନ ପର୍ଯ୍ୟନ୍ତ ରାଜ୍ୟ ସରକାର ଏକ ଅଭିଯାନ ଚଳାଇବା ଉଚିତ୍। ଲୋକଙ୍କୁ ଗଣମାଧ୍ୟମ ମାଧ୍ୟମରେ ଜଣାଇବାକୁ ପଡିବ ଏବଂ ସଚେତନତା ବିସ୍ତାର କରିବାକୁ ପଡିବ। ପ୍ରଥମେ “ଲୋକଙ୍କୁ ଚେତାବନୀ ଏବଂ ପରେ ଆପଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଯେଉଁମାନେ ପୂର୍ବରୁ ବିବାହ କରିଛନ୍ତି, ସେହି ଲୋକମାନଙ୍କ ପ୍ରତି କ’ଣ କରାଯିବ? ଯଦି ଆମେ ଏହିପରି ଗିରଫ ଜାରି ରଖୁ, ତେବେ ଲକ୍ଷ ଲକ୍ଷ ଲୋକଙ୍କୁ ଗିରଫ କରାଯିବ। ଏହା ଏକ ଭୁଲ କଥା।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ “ବାଲ୍ୟ ବିବାହ ନିରୋଧ” କରିବା ପ୍ରୟାସ ପାଇଁ ରଥ ଶୁଭାରମ୍ଭ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ଦିବା ୯ ଘଣ୍ଟାରେ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ସମ୍ମୁଖରେ “ବାଲ୍ୟ ବିବାହ” ରୋକିବା ସମ୍ବନ୍ଧୀୟ ଏକ ସଚେତନମୂଳକ ରଥଯାତ୍ରା କରିବା କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲପାଳ ସୁଶାନ୍ତ କୁମାର ପଟେଲ୍ ଯୋଗଦାନ କରି ପତାକା ପ୍ରଦର୍ଶନପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଅତିରିକ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, କଳାହାଣ୍ଡି, କାର୍ଯ୍ୟକ୍ରମ ଅଧିକାରୀ, କଳାହାଣ୍ଡି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, କଳାହାଣ୍ଡି, ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ, ଭବାନୀପାଟଣା, ସହରାଞ୍ଚଳ ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନ ଶକ୍ତି କଳାହାଣ୍ଡି ଜିଲ୍ଲା ମିଶନ ଶକ୍ତି ସଂଯୋଜିକା, କଳାହାଣ୍ଡି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସଭ୍ୟା, ବ୍ଲକ୍ ପ୍ରକଳ୍ପ ସଂଯୋଜିକ। , ଭବାନୀପାଟଣା, ସହରାଞ୍ଚଳ, ମହିଳା ପରିଦର୍ଶିକା ସେକ୍ଟର i,ii, & iii ଏବଂ ଅଙ୍ଗନୱାଡ଼ି କର୍ମୀ ତଥା ବ୍ଲକ୍ ମହାସଂଘର ସଭାନେତ୍ରୀ, ସମ୍ପାଦିକା, କୋଷାଧ୍ୟକ୍ଷଙ୍କ ସହିତ ସ୍ଵୟଂ ସହାୟକ ଦଳର ସଭ୍ୟା ମାନେ ବହୁ ସଂଖ୍ୟା ରେ ଯୋଗ ଦାନ କରି ଉତ୍ସବ କୁ ସାଫଲ୍ୟ ମଣ୍ଡିତ କରିବାରେ ସହାୟକ ହୋଇଥିଲେ।

ଏହା ପରେ ବାଲ୍ୟ ବିବାହ ରୋକିବା ନିମନ୍ତେ ବିଭିନ୍ନ ସଚେତନ ମୂଳକ ‘ପ୍ଲା କାର୍ଡ’ ଧରି ସ୍ଲୋଗାନ ଦେଇଥିଲେ। ପରେ ପରେ ରଥଟି ବିଭିନ୍ନ ଗ୍ରାମ ଗସ୍ତ କରି ସଚେତନମୂଳକ ବାର୍ତ୍ତା ପ୍ରଦାନ କରିବା ଉଦ୍ଦେଶ୍ୟରେ ବାହାରିଥିଲା।

“ଆସନ୍ତୁ ଆମେ ସମସ୍ତେ ମିଶି ବାଲ୍ୟ ବିବାହ ରୋକିବା”;
“ବାଲ୍ୟ ବିବାହ ଏକ ସାମାଜିକ କଳଙ୍କ”: ଏହାକୁ ଆମେ ଗାଁ ଗାଁ ରେ ପ୍ରଚାର କରିବା।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ବାଲ୍ୟ ବିବାହ, ଶିଶୁ ଓ ମହିଳା ବିରୋଧି ଅପରାଧ ସଚେତନତା ରଥ ଶୁଭାରମ୍ଭ

ଖୋର୍ଦ୍ଧା: ସଚେତନତା ଅଭାବରୁ ଆଜି ମଧ୍ୟ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ସମାଜରେ ବଞ୍ଚି ରହିଛି। ପିତାମାତା ଏବଂ ସମ୍ପର୍କୀୟ ମାନେ କେତେବେଳେ ପରମ୍ପରା ନାମରେ ତ ପୁଣି କେତେବେଳେ ଦାରିଦ୍ର୍ୟତା କାରଣରୁ କିଶୋରୀ ବାଳିକା ମାନଙ୍କୁ ବିବାହ ବନ୍ଧନରେ ବାନ୍ଧିଦେଇ ସେମାନଙ୍କୁ ଅକାଳ ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି। ବିବାହ ଯୋଗ୍ୟ ବୟସ ପୂର୍ବରୁ ମାତୃତ୍ବ ଲାଭ କରି ଅକାଳରେ ଝଡି ଯାଉଛନ୍ତି ଅନେକ କିଶୋରୀ ବାଳିକା। ଖୋର୍ଦ୍ଧା ଜିଲ୍ଲାରେ ଏଭଳି କୁଶ୍ଚିତ ପ୍ରଥାର ବିଲୋପ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଏକ ସଚେତନତା ଭ୍ରାମ୍ୟମାଣ ରଥର ଶୁଭାରମ୍ଭ ହୋଇଛି।

ଏହି ସଚେତନତା ରଥକୁ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର ସବୁଜ ପତାକା ଦେଖାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶୁଭାରମ୍ଭ କରିଥିଲେ।

ବାଲ୍ୟ ବିବାହକୁ ନା ସ୍କୁଲ ଯିବାକୁ ହଁ କହିବା, ବାଲ୍ୟ ବିବାହ ବନ୍ଦ କରିବା, ଲିଙ୍ଗଗତ ଭେଦଭାବ ଦୂର କରିବା, ଶିଶୁ ଅଧିକାର ସୁରକ୍ଷା, ଶିଶୁ ଚାଲାଣ ରୋକିବା, ମହିଳା ହିଂସା ରୋକିବା ବାର୍ତ୍ତା ବହନ କରି ଏହି ସଚେତନତା ରଥ ୫ ଦିନ ଧରି ଜିଲ୍ଲାର ୧୦ଟି ବ୍ଲକ ସହିତ ବିଭିନ୍ନ ସହର ପରିକ୍ରମା କରିବ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଉପ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଆପଦକାଳୀନ ଅଧିକାରୀଣି ଉର୍ମିପ୍ରଭା ମହାରଣା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ, ପ୍ରକଳ୍ପ ଅଧିକାରୀ ଶିଖା ରାୟ ପୋଦ୍ଦାର, ପରାମର୍ଶଦାତା ଶ୍ବାତୀ ତନ୍ମୟା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ସିଡିପିଓ, ସୁପରଭାଇଜର, ଅଙ୍ଗନୱାଡି କର୍ମୀ, କିଶୋରୀ ବାଳିକା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପୁଣି ବିବାହ ବେଦୀରୁ ନାବାଳିକାକୁ ଉଦ୍ଧାର କଲେ ତହସିଲ୍‌ଦାର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ୍ ସଚେତନତା ସତ୍ତ୍ୱେ କିଛି ଲୋକ ଅବୁଝା ହିଁ ରହୁଛନ୍ତି। ଝିଅକୁ ୧୮ ବର୍ଷ ପୂର୍ବରୁ ବିବାହ କରିବା ଏକ ଦଣ୍ଡନୀୟ ଅପରାଧୀ ହେଲେ ମଧ୍ୟ ଆଜିକା କମ୍ପ୍ୟୁଟର ଯୁଗରେ ମଧ୍ୟ ଝିଅକୁ ବୋଝ ଭାବି ଜଲ୍‌ଦି ବାହାଘର କରିବା ଦେଖିବାକୁ ମିଳୁଛି।

କୁକୁଡ଼ାଖଣ୍ଡି ବ୍ଲକ୍‌ର ଏଭଳି ତିନୋଟି ନାବାଳିକା ବିବାହକୁ ତହସିଲ୍‌ଦାର ଭଣ୍ଡୁର କରିବା ସହ ନାବାଳିକାକୁ ଉଦ୍ଧାର କରିଛନ୍ତି। ଆଜି ମଧ୍ୟ ଗୋଟିଏ ସ୍ଥାନରେ ନାବାଳିକା ବିବାହ ହେଉଥିବା ଖବର ପାଇ ତହସିଲ୍‌ଦାର ଡ. ଇପ୍‌ସିିତା ପ୍ରିୟଦର୍ଶିନୀ ମିଶ୍ର ଉଦ୍ଧାର କରିବାକୁ ଯାଇ ନାକେଦମ ହୋଇଥିବା ଦେଖିବାକୁ ମିଳିଥିଲା। ସପ୍ତାହ ମଧ୍ୟରେ ଏହି ବ୍ଲକ୍‌ରୁ ବିବାହ ବେଦୀରୁ ତିନିଜଣ ନାବାଳିକା ଉଦ୍ଧାର ହେଲେଣି।

ଆଜି କୁକୁଡ଼ାଖଣ୍ଡି ବ୍ଳକ୍ ରତ୍ନପୁର ଗ୍ରାମର ଜଣେ ୧୫ ବର୍ଷୀୟ ନାବାଳିକାର ବାହାଘର ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କ ସହ ହିଂଜିଳିକାଟୁ ଥାନା ଅନ୍ତର୍ଗତ କୁରେଇଶୁଣି ମନ୍ଦିରରେ କରିବା ପାଇଁ ପରିବାର ବର୍ଗ ଯୋଜନା ଚାଲିଥିଲା। ଏନେଇ ଘରେ ଭୋଜିଭାତ, ପରିବାର ବର୍ଗ ଉପସ୍ଥିତ ହୋଇସାରିଥିଲେ। କୌଣସି ସୂତ୍ରରୁ କୁକୁଡ଼ାଖଣ୍ଡି ତହସିଲ୍‌ଦାର ଡ. ମିଶ୍ର ପହଞ୍ଚିଥିଲେ। କିନ୍ତୁ ନାବାଳିକାକୁ ଉଦ୍ଧାର କରିବାକୁ ତାଙ୍କୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥିଲା।

ପ୍ରଥମେ ନାବାଳିକାର ପରିବାର ବର୍ଗ ପ୍ରଶାସନକୁ ଚକମା ଦେଖାଇ ନାବାଳିକାକୁ ଘରୁ ମନ୍ଦିରକୁ ନେଇଯାଇଥିଲେ। ଅଧିକାରୀ ଓ ପୋଲିସ ପହଞ୍ଚିବା ପରେ ବାହାବେଦୀରୁ ନାବାଳିକା ସମେତ ବରକୁ ରତ୍ନପୁର ନେଇ ଆସିଥିଲେ। ଏଠାରେ କୌଣସି ବାହାରଘର ହେଉନାହିଁ ବୋଲି ମଧ୍ୟ ଦୃଢ଼ତାର ସହ କହି ତହସିଲ୍‌ଦାରଙ୍କୁ ମଧ୍ୟ ଆଇନର ପାଠ ପଢ଼ାଇଥିଲେ। କିନ୍ତୁ ଦବଙ୍ଗ ତହସିଲ୍‌ଦାର କ’ଣ ସେମାନଙ୍କୁ ଛାଡ଼ିବେ। ଶେଷରେ ତିନିଘଣ୍ଟା ପରିଶ୍ରମ କରିଲା ପରେ ନାବାଳିକାକୁ ଉଦ୍ଧାର କରି ନିଜ ଗାଡ଼ିରେ ବସାଇ ତହସିଲ୍‌ଦାର ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର କରିଥିଲେ।

ପୂର୍ବରୁ ମଧ୍ୟ ହୁଗୁଳାପଟା ଗ୍ରାମରେ ଥିବା ଠାକୁରାଣୀ ମନ୍ଦିର ସାହିରେ ଜଣେ ନାବାଳିକାକୁ ପ୍ରଶାସନ ସ୍ଥାନୀୟ ଜନପ୍ରତିନଧିଙ୍କ ସହାୟତାରେ ଉଦ୍ଧାର କରାଯାଇଥିଲା।

ସୂଚନାଯୋଗ୍ୟ ଆଜିର ଘଟଣାକୁ ମିଶାଇ କୁକୁଡ଼ାଖଣ୍ଡି ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ଅତିରିକ୍ତ ଦାୟିତ୍ୱ ବହନ କରୁôଥବା କୁକୁଡ଼ାଖଣ୍ଡି ତହସିଲ୍‌ଦାର ଡ. ମିଶ୍ର ବ୍ଲକ୍‌ରୁ ସପ୍ତାହ ମଧ୍ୟରେ ତିନିଜଣ ନାବାଳିକାକୁ ଉଦ୍ଧାର କରିଲେଣି। ତେବେ ଆଜି ମଧ୍ୟ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି। ଫଳରେ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି।

କୁକୁଡ଼ାଖଣ୍ଡି ବ୍ଲକ୍‌ଟି ବ୍ରହ୍ମପୁର ସହର ସଂଲଗ୍ନ ହୋଇଥିବା ସହ ଏଠାର ଲୋକେ ଉଚ୍ଚଶିକ୍ଷିତ। କିନ୍ତୁ ଏଭଳି ଘଟଣାଗୁଡ଼ିକୁ ଦେଖିବା ପରେ ନାବାଳିକା ବିବାହ ପ୍ରଥା ରୋକିବା ନେଇ ସଚେତନତା ଉପରେ ପ୍ରଶ୍ନବାଚୀ ଲାଗିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲ୍ୟ ବିବାହ ରୋକିଲା ପ୍ରଶାସନ: ବର ଘରୁ ନାବାଳିକା କନ୍ୟା ଉଦ୍ଧାର

ପିଣ୍ଟୁ ବିଶୋୟୀ

ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବେଗୁନିଆପଡ଼ା ଗ୍ରାମରେ ଏକ ବାଲ୍ୟ ବିବାହକୁ ରୋକିଲା ପ୍ରଶାସନ। ବାହାଘର ପୂର୍ବରୁ ସ୍ଥାନୀୟ ପ୍ରଶାସନ ପହଞ୍ଚି ବର କନ୍ୟା ଓ ପରିବାର ସଦସ୍ୟଙ୍କୁ ବୁଝେଇ ଶୁଝେଇ ବାହାଘରକୁ ଅଟକାଇଛନ୍ତି। ଝିଅର ବୟସ ବର୍ତ୍ତମାନ ୧୭ ତେଣୁ ଝିଅ ସାବାଳିକା ହେବାପରେ ହିଁ ବାହାଘର ହେବ ବୋଲି ବୁଝାଇଛି ପ୍ରଶାସନ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଉକ୍ତ ଗ୍ରାମର ଜଣେ ନାବାଳିକା ଝିଅର ବାହାଘର ତିରିଡା ଗ୍ରାମର ଜୈନକ ଯୁବକ ସହିତ ଠିକ୍ ହୋଇଥିଲ। ଆଜି ସନ୍ଧ୍ୟାରେ ତାହାର ବାହାଘର ହୋଇଥାନ୍ତା। ଏଥି ନିମନ୍ତେ ଭୋଜିଭାତ ସହିତ ବନ୍ଧୁ ବାନ୍ଧବଙ୍କୁ ନିମନ୍ତ୍ରଣ ପତ୍ର ବଣ୍ଟା ସରିଥିଲା। ଏବଂ ବିବାହ ନିମନ୍ତେ ଝିଅ ମଧ୍ୟ ପୁଅ ଘରକୁ ପଳାଇ ଥିଲା କିନ୍ତୁ କୌଣସି ସୂତ୍ର ରୁ ଖବର ପାଇ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ, ବେଗୁନିଆପଡ଼ା ଫାଣ୍ଡି ପୋଲିସର କର୍ମକର୍ତ୍ତା, ପରିଦର୍ଶିକା ରଞ୍ଜିତା ବିଶୋୟୀ, ଅଙ୍ଗନୱାଡି କର୍ମୀ ଅହଲ୍ୟା ଦେବୀ, ଗ୍ରାମ ଭଦ୍ରବ୍ୟକ୍ତି ପ୍ରମୂଖ ପୁଅ ଘରେ ପହଂଚି ବୟସ ହୋଇନାହିଁ ବୋଲି କହି ବିବାହ ବନ୍ଦ କରିବା ପାଇଁ କହିବା ସହ ଝିଅ ଏବଂ ପୁଅର ଅଭିଭାବକଙ୍କ ଠାରୁ ଏକ ଚୁକ୍ତିନାମା ପତ୍ର ଦସ୍ତଖତ କରି ନେଇଛନ୍ତି।

ସେପଟେ ବର ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଏହି ଘଟଣା ପରେ ସମସ୍ତେ ଚିନ୍ତାଗ୍ରସ୍ତ ହେବା ସହ ଝିଅକୁ ବୟସ ହୋଇସାରିବା ପରେ ସେ ସେଇଠାରେ ହିଁ ବିବାହ କରିବା ପାଇଁ ସ୍ଥିର ହୋଇଛି। ଏବଂ ଝିଅକୁ ତା ବାପା ଘରକୁ ପଠାଇ ଦିଆଗଲା ବୋଲି ସି ଡି ପି ଓ ଶ୍ରୀମତୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି।