ଖୋର୍ଦ୍ଧାରେ ‘ଶିଶୁଙ୍କ ପାଇଁ ଦିନଟିଏ’ ଜିଲ୍ଲା ସ୍ତରୀୟ ବୈଠକ

Published: Dec 28, 2023, 6:36 pm IST

ଖୋର୍ଦ୍ଧା: ଶିଶୁଙ୍କ ପାଇଁ ଦିନଟିଏ ଜିଲ୍ଲା ସ୍ତରୀୟ ବୈଠକ ତଥା ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ନିରୋଧ ଟାସ୍କ ଫୋର୍ସ, ବେଟୀ ବଚାଓ ବେଟୀ ପଢାଓ ଏବଂ ଶିଶୁ ଶ୍ରମିକ ଉଚ୍ଛେଦ ସମ୍ପର୍କିତ ବୈଠକ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଆଜିର ଏହି ବୈଠକରେ ଗତ ଡିସେମ୍ବର ୧୦ ତାରିଖରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ ରାଜ୍ୟ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ୧୨ ଜଣ ଶିଶୁଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ପ୍ରମାଣପତ୍ର ଏବଂ ଟ୍ରଫି ପ୍ରଦାନ କରି ସମ୍ବଦ୍ଧିତ କରିଥିଲେ।

ଶିଶୁମାନଙ୍କ ସୁରକ୍ଷା ଏବଂ ସେମାନଙ୍କର ଶିକ୍ଷା ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦେବା ସହିତ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣା,ଶିଶୁ ଶ୍ରମିକ ଉଚ୍ଛେଦ, ଗ୍ରାମ୍ୟ ଶିଶୁ କଲ୍ୟାଣ ଏବଂ ସୁରକ୍ଷା କମିଟି କୁ କ୍ରିୟାଶୀଳ କରିବା, ଅଧାରୁ ବିଦ୍ୟାଳୟରୁ ପିଲାମାନେ ପାଠ ଛାଡୁଥିବା ଶିଶୁ ମାନଙ୍କୁ ଚିହ୍ନଟ କରିବା ସହିତ ଭୃଣ ହତ୍ୟା ରୋକିବା ଦିଗରେ ପଦକ୍ଷେପ ନେବା ତ‌ଥା ଶିଶୁ ମାନେ କିପରି ରକ୍ତ ହୀନତାରୁ ମୁକ୍ତି ପାଇବେ, ସେ ଦିଗରେ ପଦକ୍ଷେପ ନେବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ବୈଠକରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ବାଣିଶ୍ରୀ ପଟ୍ଟନାୟକ ସ୍ବାଗତ ଭାଷଣ ଦେବାସହ ବୈଠକର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ ସମିତିର ଅଧ୍ଯକ୍ଷା ରଞ୍ଜିତା ପଣ୍ଡା, ଅତିରିକ୍ତ ଶିଶୁ ମଙ୍ଗଳ ସମିତିର ସଭ୍ୟା ସୁମିତାରାଣି ଘୋସ, ଅତିରିକ୍ତ ଜିଲା ସ୍ବାସ୍ଥ୍ୟ ଅଧିକାରୀ ଡଃ ରଘୁନାଥ ନାୟକ, ଜିଲ୍ଲା ଶ୍ରମ ଅଧିକାରୀ ପ୍ରଭାକର ବିଶ୍ବାଳ, ଅତିରିକ୍ତ ଶ୍ରମ ଅଧିକାରିଣୀ ପ୍ରଜ୍ଞା ପରମିତା ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନିରୂପମା ପାଣି, ଅତିରିକ୍ତ ଶିକ୍ଷା ଅଧିକାରୀ ସ୍ନିଗ୍ଧା ମିଶ୍ର, ସଦର ଏସଡିପିଓ ଦିଲ୍ଲୀପ କୁମାର ଦାସ, ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ନାୟକ, ଆକ୍ସନ ଏଡ ର ଜିଲ୍ଲା ପରାମର୍ଶଦାତ୍ରୀ ସ୍ବାତୀ ତନ୍ମୟା ମିଶ୍ର ତଥା ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ଏବଂ ସମସ୍ତ ସିଡିପିଓ ମାନେ ଉପସ୍ଥିତ ରହି ଜିଲ୍ଲାରେ ଶିଶୁ ସୁରକ୍ଷା ଦିଗରେ ଗୁରୁତ୍ବାରୋପ କରିଥିଲେ।

ଏହି ବୈଠକ ପରିଚାଳନରେ ସହଯୋଗ କରିଥିଲେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ରଞ୍ଜନ କୁମାର ଗୋଛାୟତ, ରୀତାଞ୍ଜଳି ମହାନ୍ତି ଓ ମନସ୍ବିନୀ ମହାପାତ୍ର ପ୍ରମୁଖ।

Related posts