Categories
ଆଜିର ଖବର ଆଞ୍ଚଳିକ

କରୋନା ଭାଇରସ ସଂକ୍ରମଣ ମୁକାବିଲା ନିମନ୍ତେ ଜଗତସିଂହପୁର ପୌର ପରିଷଦର ପଦକ୍ଷେପ

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ପୌରପରିଷଦ ପକ୍ଷରୁ କରୋନା ଭାଇରସ ସଂକ୍ରମଣର ପ୍ରତିଷେଧକ ବ୍ୟବସ୍ଥା ଓ ଜନସାଧାରଣଙ୍କ ସଚେତନତା ନିମନ୍ତେ ସହରର ୨୧ଟି ୱାର୍ଡରେ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇଛି। ୨୧ଟି ଫ୍ଲେକ୍‌ସ ବ୍ୟାନର, ଏକ ହଜାର ପୋଷ୍ଟର ସମସ୍ତ ୱାର୍ଡରେ ଲଗାଯାଇଥିବା ବେଳେ ୪ ହଜାର ଲିଫଲେଟ୍ ବଂଟନ କରାଯାଇଛି। ମ୍ୟୁନିସିପାଲଟି କାର୍ଯ୍ୟାଳୟ ସମ୍ମୁଖରେ ଏକ ସଚେତନତା ଷ୍ଟଲ ଖୋଲାଯାଇ ଜନସାଧାରଣଙ୍କୁ ସଚେତନ କରାଯାଉଛି।

ସମସ୍ତ ସ୍ୱଚ୍ଛସାଥୀ ଓ ସୁପରଭାଇଜର ମାନେ ଘରକୁ ଘର ବୁଲି ଲୋକମାନଙ୍କୁ ସଚେତନ କରୁଛନ୍ତି। ସମସ୍ତ ସ୍ୱଚ୍ଛସାଥୀ, ସୁପରଭାଇଜର ଓ ୱାର୍ଡ ଅଧିକାରୀମାନେ ବାହାରୁ ଆସୁଥିବା ଲୋକମାନଙ୍କ ସଂପର୍କରେ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୦ନମ୍ବର କେନାଲକୁ ପରିଷ୍କାର କରାଯାଇ ଜୀବାଣୁ ନାଶ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ସରଳାଦେବୀ କଲ୍ୟାଣ ମଣ୍ଡପ ଷ୍ଟେଟ ବ୍ୟାଙ୍କ ସମ୍ମୁଖ କଲ୍ୟାଣ ମଣ୍ଡପକୁ ଉତ୍ସର୍ଗୀକୃତ ଭାବେ ଅସ୍ଥାୟୀ ସଂଘରୋଧ ଆଶ୍ରୟସ୍ଥଳୀ ଭାବେ ପରିଣତ କରାଯାଇଛି।

ସହରରେ ଥିବା ସପିଙ୍ଗ ମଲ, ଜିମନାସିୟମ୍‌, ବ୍ୟବସାୟ ପ୍ରତିଷ୍ଠାନକୁ ବନ୍ଦ କରିବାପାଇଁ ନୋଟିସ୍ ଦିଆଯାଇଛି। ହୋମିଓପ୍ୟାଥିକ ମେଡିକାଲ ଅଫିସରଙ୍କୁ ନେଇ ଏଥିପାଇଁ ଏକ ଟିମ୍ ଗଠନ କରାଯାଇଛି। ସାନିଟେସନ ଟିମ୍ ଗଠନ କରାଯଇ ସମସ୍ତ ପ୍ରତିଷେଧକାତ୍ମକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ପୌରପରିଷଦ କାର୍ଯ୍ୟାଳୟ ୨୪ ଘଂଟା ଖୋଲା ରଖାଯାଇ ସମସ୍ତ କର୍ମଚାରୀଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବିମଳ କୁମାର ଲେଙ୍କା ସୂଚନା ଦେଇଛନ୍ତି।

 

Categories
ଆଜିର ଖବର

ଝଙ୍କଡ ସାରଳା ମନ୍ଦିରରେ ୧୪୪ ଧାରା ଜାରି ଓ କରୋନା ସତର୍କ କଟକଣା

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟର ସଭାପତି ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ପ୍ରସିଦ୍ଧ ବାଣୀକ୍ଷେତ୍ର ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ମା’ସାରଳାଙ୍କ ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି। ଏଥିସହିତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସାରଳା ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍ଚ୍ଚ ୧୬ ତାରିଖ ସୋମବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କରୋନା ଭୂତାଣୁ ସତର୍କତା ସମ୍ପର୍କରେ କେତେକ ନୀତି-ନୀୟମ ପ୍ରଣୟନ କରିଛନ୍ତି। ମନ୍ଦିରର ଦକ୍ଷିଣ ଦ୍ୱାର ଓ ପଶ୍ଚିମ ଦ୍ୱାର ବନ୍ଦ ରହିବ।କେବଳ ସିଂହଦ୍ୱାର ବାଟେ ଯାତ୍ରୀ, ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ସମେତ ସେବାୟତମାନେ ଯାତାୟତ କରିପାରିବେ। ମା’ଙ୍କ ସିଂହାସନ ନିକଟକୁ ଯାତ୍ରୀ ମାନଙ୍କୁ ନେଇ ଦର୍ଶନ କରାଇବା ନିମନ୍ତେ ସେବାୟତମାନେ ନିବୃତ୍ତ ରହିବାକୁ ଅନୁରୋଧ କରାଯାଇଛି। ଏଥିସହିତ ୩/୪ ଜଣରୁ ଉର୍ଦ୍ଧ୍ଵ ଭକ୍ତ ଓ ସେବାୟତ ଏକତ୍ର ହୋଇ ମନ୍ଦିର ବେଢା ମଧ୍ୟରେ ରହିପାରିବେ ନାହିଁ। ମନ୍ଦିର ବେଢା ଓ ପୀଠର ଚତୁଃପାର୍ଶ୍ୱରେ ସ୍ୱଚ୍ଛତା ଓ ପରିସ୍କାର ପରିଚ୍ଛନତା ପ୍ରତି ଅଧିକ ଦୃଷ୍ଟି ଦିଆଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।ଶ୍ରଦ୍ଧାଳୁ,ଭକ୍ତ ଓ ଯାତ୍ରୀମାନଙ୍କ ସମେତ ସମସ୍ତ ସେବାୟତ ଓ ସେବାନିଯୋଗୀ ମାନେ ଏନେଇ ସହଯୋଗ କରିବା ନିମନ୍ତେ ପ୍ରଶାସନ ତରଫରୁ ନିବେଦନ କରାଯାଇଛି।

 

Categories
ଆଜିର ଖବର ଆଞ୍ଚଳିକ

ଝଙ୍କଡ ସାରଳାଙ୍କ ଦଶଘଟ ପରମ୍ପରାର ଶୁଭାରମ୍ଭ

ରମେଶ ମହାନ୍ତି

ଜଗତସିଂହପୁର: ପ୍ରସିଦ୍ଧ ବାଣୀକ୍ଷେତ୍ର ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ମା’ସାରଳାଙ୍କ ମନ୍ଦିରରୁ ଚୈତ୍ର ମୀନ ସଂକ୍ରାନ୍ତି ଠାରୁ ଦଶଘଟ ପରମ୍ପରାର ଶୁଭାରମ୍ଭ ହୋଇଛି। କନକପୁରର ଅଧିଶ୍ୱର ବାବା କନକେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ୧୦ଜଣ ରାଉଳ ସେବକ ଘଟଦଣ୍ଡ ସହିତ ନିଜକୁ ଘଟ ପାଟୁଆ ବେଶରେ ସଜ୍ଜିତ ହେବା ପରେ ଘଣ୍ଟ, ଘଣ୍ଟା, କାହାଳୀ, ଭେରୀ, ତୁରୀ, ଢୋଲ ମହୁରୀ ଓ ହରିବୋଲ ହୁଳହୁଳୀ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା ଝଙ୍କଡର ଗାଁ ଦାଣ୍ଡ।

ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଏହି ଦଶଘଟ ମା’ ସାରଳାଙ୍କ ମନ୍ଦିରରେ ପହଂଚିବା ପରେ ମା’ଙ୍କ ରତ୍ନସିଂହାସନ ସମ୍ମୁଖରେ ବଡପଣ୍ଡା ପ୍ରଗ୍ୟାଂଦିପ୍ତ ପଣ୍ଡା ପୂଜା କରିଥିଲେ। ପରେ ଏହି ଘଟପାଟୁଆ ମାନେ ମନ୍ଦିର ବେଢା ପରିକ୍ରମା କରିବା ପରେ ନାଟ୍ୟ ମଣ୍ଡପରେ଼ ଘଟନୃତ୍ୟ ପରିବେଷଣ କରିଥିଲେ। ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ଘଟଦଣ୍ଡ ଉପରେ ଶାଢୀ ପ୍ରଦାନ କରିବା ପରେ ଏହାର ପରିସମାପ୍ତି ଘଟିଥଲା

ଏହି ମୀନ ସଂକ୍ରାନ୍ତି ଠାରୁ ମହାବିଷୁବ ସଂକ୍ରାନ୍ତି ଝାମୁଯାତ୍ରା ପର୍ଯ୍ୟନ୍ତ ଘଟ ପାଟୁଆମାନେ ପୁର ପଲ୍ଲିରୁ ସହର ନଗରୀ ପରିକ୍ରମା କରି ଘଟନୃତ୍ୟ ମାଧ୍ୟମରେ ଦେବୀ ଶକ୍ତିର ଅଲୌକିକ ମହାମହିମା ଲୀଳା ପ୍ରଦର୍ଶନ କରି, ମାତୃ ଉପାସନା ଓ ମାତୃ ଶକ୍ତିକୁ ସମ୍ମାନର ବାର୍ତ୍ତା ଦେଇଆସୁଛନ୍ତି।

Categories
ଆଞ୍ଚଳିକ

ଜାତୀୟ କୃମିନାଶକ ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରମେଶ ମହାନ୍ତି

ଜଗତସିଂହପୁର: ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ନିମେନ୍ତ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓପିଡି ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରିଥିଲେ।  ଚଳିତ ମାସ ଫେବୃଆରୀ ୧୦ ତାରିଖରେ ଜାତୀୟ କୃମିନାଶକ ଦିବସରେ ଜିଲ୍ଲାର ସମସ୍ତ  ଅଙ୍ଗନଓ୍ବାଡି କେନ୍ଦ୍ର, ସମସ୍ତ ସରକାରୀ ଏବଂ ବେସରକାରୀ, କେନ୍ଦ୍ରୀୟ ବିଦ୍ୟାଳୟ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ କୃମିନାଶକ ଆଲ୍‌ବେଣ୍ଡାଜୋଲ୍‌ ବଟିକା ଓ ସିରପ୍‌ ୧ ବର୍ଷରୁ ୧୯ ବର୍ଷର ପିଲାଙ୍କୁ ପ୍ରଦାନ କରାଯିବ। ଜିଲ୍ଲାରେ ମୋଟ୍‌ ୨,୨୯,୩୬୬ ଜଣ ପିଲାଙ୍କୁ କୃମିନାଶକ ବଟିକା ପ୍ରଦାନ କରାଯିବାର ଧାର୍ଯ୍ୟ ଲକ୍ଷ୍ୟ ରହିଛି। ୧ ବର୍ଷରୁ ୩ ବର୍ଷର ଶିଶୁଙ୍କି ଅଙ୍ଗନଓ୍ବାଡି କେନ୍ଦ୍ରରେ ଆଲ୍‌ବେଣ୍ଡାଜୋଲ୍‌ ସିରଫ୍‌ ଦିଆଯିବ। ବିଦ୍ୟାଳୟ ଯାଉଥିବା ସମସ୍ତ ୬ ବର୍ଷରୁ ୧୯ ବର୍ଷ ଗାଟି ଲେଖାଏ ଆଲ୍‌ବେଣ୍ଡାଜୋଲ୍‌ ବଟିକା ଖାଇବେ। ସେହିପରି ପ୍ରାକ୍‌ ବିଦ୍ୟାଳୟରେ ପଢୁଥିବା ୪ରୁ ୫ ବର୍ଷର ପିଲା ମଧ୍ୟ ଅଙ୍ଗନଓ୍ବାଡି କେନ୍ଦ୍ରରେ ଏହି ବଟିକା ଖାଇବେ।

ଆଗାମୀ ଫେବୃଆରୀ ୧୦ ତାରିଖରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜଗତସିଂହପୁରଠାରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉପସ୍ଥିତ ରହି ଜାତୀୟ କୃମିନାଶକ ଦିବସର ଶୁଭାରମ୍ଭ କରିବେ। ଏହି ବୈଠକରେ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡ. ବିଜୟ ପଣ୍ଡା, ଏଡିଏମ୍‌ ଓ ପରିବାର କଲ୍ୟାଣ ଡ. ପ୍ରମୋଦ କୁମାର ବାରିକ୍‌, ଡ. ବସନ୍ତ କୁମାର ବାରିକ୍‌, ଡିପିଏଏମ୍‌ ଚକ୍ରଧର ଜେନା, ଜିଲ୍ଲା ଶିକ୍ଷା ବିଭାଗ କର୍ମକର୍ତ୍ତା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସିଡିପିଓ,ସ୍ବାସ୍ଥ୍ୟ ବିଭାଗ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ। ଉପପରିଚାଳକ, ପ୍ରଜନନ ଓ ଶିଶୁ ସ୍ବାସ୍ଥ୍ୟ ସୁକାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

 

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ତିର୍ତ୍ତୋଲ ଅଂଚଳରେ ଲୋକଙ୍କୁ ଗୋଡେଇ କାମୁଡୁଛନ୍ତି ମାଙ୍କଡ: ୧୦ ଆହତ ୧ ଗୁରୁତର

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅଂଚଳରେ ଏବେ ଆତଙ୍କରାଜ ଚଳାଇଛନ୍ତି ମାଙ୍କଡ। ଲୋକଙ୍କୁ ଦେଖିବାକ୍ଷଣି ଗୋଡେଇ ଗୋଡେଇ କାମୁଡୁଛନ୍ତି ଏହି ମାଙ୍କଡମାନେ। ସୂଚନାନୂଯାୟୀ ଉକ୍ତ ବ୍ଲକ ଅନ୍ତର୍ଗତ ଦଣ୍ଡମିର, ଆହାଣା, ବାଲିଝରୀ ଗ୍ରାମ ମାନଙ୍କରେ ମାଙ୍କଡ ଆତଙ୍କ ଯୋଗୁଁ ଲୋକେ ଭୟଭିତ ହୋଇ ଘରୁ ବାହାରିବା ମୁସ୍କିଲ ହୋଇଗଲାଣି। କିଛିଦିନ ତଳେ ଦଣ୍ଡମିର, ଆହାଣା, ବାଲିଝରି ଗ୍ରାମର ୧୦ଜଣରୁ ଉର୍ଦ୍ଧ ମହିଳା ଓ ପୁରୁଷଙ୍କୁ ମାଙ୍କଡ କାମୁଡିଥିବା ବେଳେ ବାଲିଝାରି ଗ୍ରାମର କଣ୍ଡୁରୀ ଘଡେଇ, ଆହାଣା ଗ୍ରାମର ସାକୁଲି ସେଠୀ, ଦଣ୍ଡମିର ଗ୍ରାମର ବନଲତା କାଣ୍ଡି ପ୍ରମୂଖ ମାଙ୍କଡ କାମୁଡାରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏଥିସହିତ ଗତକାଲି ଦିନ ତିନିଟା ବେଳେ ଆହାଣା ଗ୍ରାମର ଜିତେନ ଘଡେଇଙ୍କ ପତ୍ନି୍ଙ୍କ ଡାହାଣ ହାତକୁ ମାଙ୍କଡ କାମୁଡି ପୁଳାଏ ମାଉଁସ ନେଇଯାଇ ଗାଡ କରିଦେଇଥିଲା। ଯଥାଶିଘ୍ର ତାଙ୍କୁ ଚିକିତ୍ସା ପାଇଁ ସ୍ଥାନିୟ ମଣିଜଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଆହତ ଯୋଗୁଁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ସେ କଟକରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ବୋଲି ଜଣାପଡିଛି।

ଉକ୍ତ ଅଂଚଳରେ ଏବେ ମାଙ୍କଡ ଆତଙ୍କ ଯୋଗୁଁ ଛୋଟପିଲା ଠାରୁ ବୁଢାବୁଢି ଯାଏ ସମସ୍ତେ ଭୟଭିତ ଅବସ୍ଥାରେ ଅଛନ୍ତି। ଏପରିକି ବାପା ମା’ ମାନେ ତାଙ୍କ ପିଲାମାନଙ୍କୁ ପାଠପଢିବା ପାଇଁ ବିଦ୍ୟାଳୟକୁ ପଠାଇବାକୁ ମଧ୍ୟ ସୁରକ୍ଷିତ ମଣୁନାହାଁନ୍ତି। ଏହି ଦୁଷ୍ଟ ମାଙ୍କଡମାନଙ୍କ ଆତଙ୍କରେ ଅତିଷ୍ଠ ହୋଇ ସ୍ଥାନିୟ ଗ୍ରାମବାସୀ ତିର୍ତ୍ତୋଲ ତହସିଲ୍ ରେ ଲିଖିତ ଅଭିଯୋଗ କରି ପ୍ରଶାସନର ସହାୟତା ଲୋଡିଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ଯଥାଶିଘ୍ର କୌଣସି ପଦକ୍ଷପ ନିଆ ନଗଲେ ସ୍ଥାନୀୟ ଗ୍ରାମବାସି ରାଜରାସ୍ତାକୁ ଓହ୍ଲାଇବେ ବୋଲି ଜଣାପଡିଛି।

Categories
ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁରରେ ଜିଲ୍ଲା ସ୍ତରୀୟ ହୃଦରୋଗ ପରୀକ୍ଷଣ ଶିବିର ଅନୁଷ୍ଠିତ

ରମେଶ ମହାନ୍ତି

ଜଗତସିଂହପୁର: ଜିଲ୍ଲାସ୍ୱାସ୍ଥ୍ୟ ସମିତି, ଜଗତସିଂହପୁର ଆନୁକୁକୁଲ୍ୟରେ ଏକ ଜିଲ୍ଲାସ୍ତରୀୟ ହୃଦରୋଗ ପରୀକ୍ଷଣ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ଡି.ଇ.ଆଇ.ସି ରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ଶିବିରକୁ ଉଦଘାଟନ କରିଥିଲେ। ଏହି ଶିବିରକୁ ହୃଦରୋଗ ବିଶେଷଜ୍ଞ ଡଃ. ପଙ୍କଜ ଗୁପ୍ତା ଇକୋ ମେସିନ ଜରିଆରେ ପୁରୀ ଏବଂ ଜଗତସିଂହପୁର ଜିଲ୍ଲାରୁ ଏକ ଶହରୁ ଉର୍ଦ୍ଧ୍ଵ ଜନ୍ମରୁ ୧୮ ବର୍ଷ ବୟଷ୍କ ଶିଶୁଙ୍କୁ ପରୀକ୍ଷଣ କରି ଆବଶ୍ୟକ ମୁତାବକ ଔଷଧ ବଣ୍ଟନ କରାଯାଇଥିଲା। ଡଃ. ଗୁପ୍ତାଙ୍କ ସହିତ ନାରାୟଣ ହୃଦୟାଳୟର ତିନି ଜଣ ଟେକ୍ନିସିଆନ, ବି.ଏନ.ଏମ.ଏଚ ଜାମସେଦପୁର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏଥିରେ ରାଷ୍ଟ୍ରୀୟ ବାଲସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଓଡିଶା ଶାଖା ତରଫରୁ ପ୍ରଶାନ୍ତ କୁମାର ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. ବିଜୟା ପଣ୍ଡା, ଏ.ଡି.ପି.ଏଚ.ଓ, ଡଃ. ପ୍ରମୋଦ କୁମାର ବାରିକ, ଡଃ.ଲାଲମୋହନ ରାଉତ, ଡଃ. ବସନ୍ତ କୁମାର ବାରିକ, ଡଃ. ଗୁଞ୍ଜର ଚରଣ ମହନ୍ତ, ଡଃ. ଅଜୟ କୁମାର ସ୍ଵାଇଁ, ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଡି.ପି.ଏମ ଚକ୍ରଧର ଜେନା।, ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ସମେତ ବ୍ଲକସ୍ତରୀୟ ମୋବାଇଲ ହେଲଥ ଟିମ, ପୁରୀ ଜିଲ୍ଲାର ଡାକ୍ତର ଓ ଫାର୍ମାସିଷ୍ଟ ଏବଂ ସ୍ଟାଫ ନର୍ସମାନେ ସହାୟତା କରିଥିଲେ। ହୃଦରୋଗ ପରୀକ୍ଷଣ ଶିବିର କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ପ୍ରସଂଶା କରିଥିଲେ। ଜଗତସିଂହପୁର ଜିଲ୍ଲାରେ ଆୟୋଜିତ ଏହି ହୃଦରୋଗ ପରୀକ୍ଷଣ ଶିବିର ଆସିଥିବା  ଶିଶୁମାନଙ୍କୁ ମୋବାଇଲ ହେଲଥ ଟିମ ଦ୍ବାରା ସଠିକ ଚିହ୍ନଟ ହୋଇଥିବାରୁ ଡଃ. ପଙ୍କଜ ଗୁପ୍ତା ରାଷ୍ଟ୍ରୀୟ ବାଲସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ପ୍ରସଂଶା  କରିଥିଲେ। ଏହି ଶିବିରରେ ରକ୍ତଚାପ ପରୀକ୍ଷା, ହାର୍ଟ ରେଟ ପରୀକ୍ଷା, ବି.ଏସ.ଆଇ ଟେଷ୍ଟ କରାଯାଇଥିଲା।

Categories
ଆଞ୍ଚଳିକ

ସମୀକ୍ଷାର ମହାପ୍ରଭାବ:  ଜିଲ୍ଲାନାସି ଗ୍ରାମ ପଞ୍ଚାୟତରେ ଉନ୍ନତ ରାସ୍ତା ମରାମତି କାର୍ଯ୍ୟକୁ ଦିଆଗଲା ଗୁରୁତ୍ବ

ସମୀକ୍ଷା ବ୍ୟୁରୋ

କୁଜଙ୍ଗ, ୨୩/୧୨: ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ୍‌ ଅନ୍ତର୍ଗତ ଜିଲ୍ଲାନାସି ଗ୍ରାମ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା କାର୍ଯ୍ୟ ଅତି ନିମ୍ନମାନର ହୋଇଥିବାର ଅଭିଯୋଗ ହୋଇ ଏହି ସମ୍ପର୍କିତ ଖବର ପ୍ରସାରିତ ହେବା ପରେ ଏନେଇ ପ୍ରଶାସନ ତ୍ବରିତ୍ବ ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି। ସମ୍ପୃକ୍ତ ରାସ୍ତାରେ ଉତ୍ତମ କାର୍ଯ୍ୟ କରାଯାଉଥିବା ନେଇ ସୂଚନା ରହିଛି। ଉକ୍ତ ରାସ୍ତା ନିର୍ମାଣରେ ହେଉଥିବା ଅନିୟମିତତା ନେଇ ଗତ ୧୯ ତାରିଖରେ ଆମ ସମୀକ୍ଷା ନ୍ୟୁଜ୍‌ରେ ପ୍ରକାଶିତ ହୋଇଥିଲା। ଖବର ପ୍ରକାଶିତ ହେବା ପରେ ଏସଡିଓ ବାବାଜୀ ଚରଣ ବେହେରା ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏସଡିଓଙ୍କ ହସ୍ତକ୍ଷେପ ଫଳରେ ବିଭାଗୀୟ ଯନ୍ତ୍ରୀ କେଳୁଚରଣ ଦଳାଇ ଓ ଠିକାଦାର ଏବେ ଉକ୍ତ ରାସ୍ତାରେ ଉନ୍ନତମାନର ପିଚୁ ପକାଇ କାର୍ଯ୍ୟ ଆରମ୍ଭ କରିଥିବାର ସୂଚନା ରହିଛି।

ସୂଚନାଯୋଗ୍ୟ, କଟକ–ପାରାଦ୍ଵୀପ ରାସ୍ତା ତାଳଦଣ୍ଡା କେନାଲ ପାଖରୁ ଜିଲ୍ଲାନାସି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ମରାମତି କାର୍ଯ୍ୟ କରିବା ନାମରେ ଭଲ ରାସ୍ତା ଉପରେ ପତଳା ପିଚୁ ପକାଇ ସରକାରୀ ଅର୍ଥ ଆତ୍ମସାତ କରିବା ପାଇଁ ମସୁଧା ଚାଲିଥିବାର ଅଭିଯୋଗ ହୋଇଥିଲା।

Categories
ଆଞ୍ଚଳିକ

ଯନ୍ତ୍ରୀ ଓ ଠିକାଦାରଙ୍କ ଅସାଧୁ ମେଣ୍ଟ: ଭଲ ରାସ୍ତାରେ ନିମ୍ନମାନର ପିଚୁ ପକାଇ କରୁଛନ୍ତି ଅର୍ଥ ଆତ୍ମସାତ

ସମୀକ୍ଷା ବ୍ୟୁରୋ

କୁଜଙ୍ଗ, ୧୯/୧୨: ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଜିଲ୍ଲା ନାସି ଗ୍ରାମ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା କାର୍ଯ୍ୟ ଅତି ନିମ୍ନମାନର ହୋଇଥିବାର ଅଭିଯୋଗ ହୋଇଛି। ରାସ୍ତା ଓ କୋଠାବାଡ଼ି  ବିଭାଗ ପକ୍ଷରୁ ବିନା ଫଳକରେ ପିଚୁ ରାସ୍ତାକାମ ମରାମତି କାର୍ଯ୍ୟ ହେଉଛି। କଟକ – ପାରାଦ୍ଵୀପ ରାସ୍ତା ତାଳଦଣ୍ଡା କେନାଲ ପାଖରୁ ଜିଲ୍ଲା ନାସି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ମରାମତି କାର୍ଯ୍ୟ କରିବା ନାମରେ ଭଲ ରାସ୍ତା ଉପରେ ପତଳା ପିଚୁ ପକାଇ ସରକାରୀ ଅର୍ଥ ଆତ୍ମସାତ କରିବା ପାଇଁ ମସୁଧା ଚାଲିଥିବାର ଅଭିଯୋଗ ହେଉଛି। ଯାହା ଫଳରେ ରାସ୍ତାର ସ୍ଥାୟୀତ୍ବକୁ ନେଇ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇଛି।

ମିଳିଥିବା ସୂଚନାରୁ ପ୍ରକାଶ ଯେ, ଏହି ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା କାର୍ଯ୍ୟ ଗତ ୯ ତାରିଖରେ କରାଯାଇଥିବାବେଳେ ଏହାର ୧୦ ଦିନ ନ ପୂରୁଣୁ ରାସ୍ତାରୁ ପିଚୁ ଉଠିଯାଇଥିବାର ଦେଖିବାକୁ ମିଳିଛି। ଓ କୋଠାବାଡ଼ି ବିଭାଗର ଉପର ଠାଉରିଆ ଓ ଠିକାଦାର ପୋଷଣ ନୀତିକୁ ପଞ୍ଚାୟତବାସୀ ବିରୋଧ କରିବା ସହ ତୁରନ୍ତ ଜିଲ୍ଲା ପ୍ରଶାସନ ଏହି ଘଟଣାରେ ହସ୍ତକ୍ଷେପ କରି ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି। ଅପର ପକ୍ଷେ ଏହି କାର୍ଯ୍ୟକୁ କେଉଁ ଠିକାଦାର ଓ ଏହାର ବ୍ୟୟ ଅଟକଳ କେତେ ଏ ସମ୍ପର୍କରେ କିଛି ସୂଚନା ନଥିବାବେଳେ ଏହା ବିନା ଫଳକରେ କିପରି କରାଗଲା ବୋଲି ମଧ୍ୟ ପ୍ରଶ୍ନ ଉଠୁଛି। ଏହି ସମ୍ପର୍କରେ ଜାଣିବା ପାଇଁ ବିଭାଗୀୟ ଯନ୍ତ୍ରୀ କେଳୁ ଚରଣ ଦଳାଇଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ପୃକ୍ତ ଯନ୍ତ୍ରୀ ଜଣକ ଫୋନ୍‌ ଉଠାଉ ନାହାନ୍ତି। ଯନ୍ତ୍ରୀ ଓ ଠିକାଦାର ଅସାଧୁ ମେଣ୍ଟ କରି ଭଲ ରାସ୍ତାରେ ନିମ୍ନମାନର ପିଚୁ ମରାମତି କରି ସରକାରୀ ଅର୍ଥ ଆତ୍ମସାତ କରିବା ପାଇଁ ମସୁଧା ଚଲାଇଥିବାବେଳେ ଏମାନଙ୍କ ବିରୋଧରେ ତ୍ବରିତ୍ବ କାର୍ଯ୍ୟାନୁଷ୍ଠାନ କରିବାକୁ ସାଧାରଣରେ ଦାବି ହେଉଛି।