Categories
ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁରରୁ ଚିହ୍ନଟ 11 ଜଣ ଆକ୍ରାନ୍ତଙ୍କ ତଥ୍ୟ ଜାରି

ରମେଶ ମହାନ୍ତି

ଜଗତସିଂହପୁର :  ଆଜି ଜଗତସିଂହପୁରରୁ 11ଟି ପଜିଟିଭ୍‌ ମାମଲା ଆସିଛି। ଏହି ସମସ୍ତ 11 ଜଣ ଆକ୍ରାନ୍ତ କ୍ବାରେଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ତିର୍ତ୍ତୋଲ୍‌ ଓ ଏରସମାରୁ ଚାରି ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କୁଜଙ୍ଗରୁ 2 ଜଣ ଓ ବାଲିକୁଦାରୁ ଜଣେ ରହିଛନ୍ତି। ଗତ 24, 25 ଓ 26 ତାରିଖରେ ସାମ୍ପଲ୍‌ ସଂଗ୍ରହ କରାଯାଇଥିଲା।  ସ୍ବାବ୍‌ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଏମାନଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ସେହିପରି ଆଜି ଜଗତସିଂହପୁରରୁ 23ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ। ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା 60 ରହିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 28ରେ ପହଞ୍ଚିଛି। ଏବେ ସୁଦ୍ଧା ଜିଲ୍ଲାରେ 32ଟି ସକ୍ରିୟ କେସ୍‌ ରହିଛି ବୋଲି ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ।

ଆଜି ତିର୍ତ୍ତୋଲ ବ୍ଲକରୁ ଚିହ୍ନଟ ହୋଇଥିବା ଚାରି ଆକ୍ରାନ୍ତଙ୍କ ସବିଶେଷ ତଥ୍ୟ ଜଣାପଡିଛି।  ତିର୍ତ୍ତୋଲ୍‌ ବ୍ଲକ ପିପ୍ପଳମାଧବ ପଞ୍ଚାୟତ ପଞ୍ଚସଖା ସ୍କୁଲ୍ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ବାହାରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଗୁଜୁରାଟ ଫେରନ୍ତା ଥିବା ବେଳେ ଅନ୍ୟଜଣେ ତାମିଲନାଡୁ ଫେରନ୍ତା ବୋଲି ଜଣାପଡିଛି। ସେହିପରି ସାମନ୍ତରାପୁର ପଞ୍ଚାୟତର ସିରସ୍ତା ବାତ୍ୟା ଆଶ୍ରୟସ୍ଥଳୀ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ବାହାରିଥିବା 2ଜଣ ଆକ୍ରାନ୍ତ ସ୍ୱାମୀ ସ୍ତ୍ରୀ ହୋଇଥିବା ବେଳେ ସେମାନେ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡିଛି। ଗୋଟିଏ ପରିବାରରୁ 4ଜଣ ମହାରାଷ୍ଟ୍ରରୁ ଫେରି ଉକ୍ତ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଉକ୍ତ ସ୍ୱାମୀ ସ୍ତ୍ରୀ ଦୁଇଜଣ ଆକ୍ରାନ୍ତ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋଲିବନି ଚା, ପାନ ଦୋକାନ, ସେଲୁନ୍ ଓ ପାର୍ଲର: ଜଗତସିଂହପୁର ଜିଲ୍ଲାପାଳ

ରମେଶ ମହାନ୍ତି

ଜଗତସିଂହପୁର : ଜିଲ୍ଲା ପ୍ରଶାସନ ଓ ଜଗତସିଂହପୁର ମ୍ୟୁନିସିପାଲିଟିର ବଜାର କମିଟି ମଧ୍ୟରେ କୋଭିଡ୍ ୧୯ର ସୁପରିଚାଳନା, ଦୋକାନ ବଜାର, ହାଟ ଖୋଲିବା ସମ୍ପର୍କରେ ଏକ ବୈଠକ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଥିଲେ କୋଭିଡ୍-୧୯ ସମୟରେ ଜୀବନ ସହିତ ଜୀବିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ। ଜଗତସିଂହପୁର ଜନସାଧାରଣ ଅତ୍ୟନ୍ତ ସଚେତନ ତେଣୁ ଜଗତସିଂହପୁର ଜିଲ୍ଲାରେ ଏ ପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଜିଲ୍ଲାରେ ଯେଉଁ ୪୯ଟି ପଜିଟିଭ୍ କେସ୍ ବାହାରିଛି ତାହା ଅନ୍ୟ ରାଜ୍ୟରୁ ଆସିଥିବା ପ୍ରବାସୀ ଓଡିଆ ଅଟନ୍ତି।

ଦୋକାନୀ ଓ ଗ୍ରାହକ ସମସ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା, ଜନଗହଳିକୁ ବାରଣ କରିବା, ବ୍ୟକ୍ତି ବିଶେଷଙ୍କ ସଂସ୍ପର୍ଶରେ ନ ଆସିବା, ହାତ ସାନିଟାଇଜ୍ କରିବା, ଜନସାଧାରଣ ଓ ଦୋକାନୀ ମାନଙ୍କୁ ବଜାର କମିଟିର କର୍ମକର୍ତ୍ତାମାନେ ସଚେତନ କରାଇବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ବୈଠକର ବିବରଣୀ ଅନୁଯାୟୀ ଗୁରୁବାର ଠାରୁ ଦୋକାନ ବଜାର ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ସାପ୍ତାହିକ ସୋମନାଥ ହାଟ ଗୋଟିଏ ଦିନ ଅର୍ଥାତ୍ ଶନିବାର ଦିନ ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ଦୋକାନୀ ପ୍ରବାସୀ ଗ୍ରାହକମାନଙ୍କର ଠିକଣା ଓ ମୋବାଇଲ୍ ନମ୍ବରର ତଥ୍ୟ ରଖିବେ। ଅଧିକ ସଂକ୍ରମଣର ସମ୍ଭାବନା ଥିବାରୁ ଚା, ପାନ ଦୋକାନ, ସେଲୁନ୍ ଓ ପାର୍ଲର ଇତ୍ୟାଦି ଦୋକାନ ଖୋଲାଯିବ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ।

ପ୍ରତ୍ୟେକ ବଜାର କମିଟିର ସଭାପତି /ସଂପାଦକଙ୍କୁ ପୌରପରିଷଦ ତରଫରୁ ଆଇଡେଣ୍ଟି କାର୍ଡ଼ ଯୋଗାଇ ଦିଆଯିବ ଓ ଦୋକାନ ବଜାର, ହାଟ ଖୋଲିବା ଉପରେ ମାଇକ୍ ଦ୍ୱାରା ପ୍ରଚାର କରାଯିବା ନିମନ୍ତେ ନିର୍ବାହୀ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏତଦବ୍ୟତୀତ ପି.ସି.ଆର୍ ଭ୍ୟାନ୍ ପ୍ରତ୍ୟେକ ବଜାର ମଧ୍ୟରେ ଭ୍ରମଣ କରି ଆଇନ୍ ଶୃଙ୍ଖଳା ଓ ସାମାଜିକ ଦୂରତା ତଦାରଖ କରିବେ। ଆଗାମୀ ଦିନ ଆମପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ପରିବହନ ସେବା ଲାଗୁ ହୋଇଥିବାରୁ ଅଧିକ ସଂଖ୍ୟକ ଲୋକ ବସ ଓ ଅନ୍ୟାନ୍ୟ ଗାଡିରେ ଯିବା ଆସିବା କରିବେ। ଏଣୁ ଜଗତସିଂହପୁର ବସଷ୍ଟାଣ୍ଡକୁ ଯୋଗଧାରୀ ଠାରେ ଥିବା ନୂତନ ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରାଯିବ। ସରଳାଦେବୀ କଲ୍ୟାଣମଣ୍ଡପ ସମ୍ମୁଖରେ ଥିବା ଖାଲି ଯାଗାରେ ଅଟୋ, ଟ୍ରେକର୍ ରହିବାକୁ ବ୍ୟବସ୍ଥା କରିବାକୁ ନିର୍ବାହୀ ଅଧିକାରୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ଜିଲ୍ଲାକୁ ୪୫ହଜାର ପ୍ରବାସୀ ଆସିବା ପାଇଁ ପଞ୍ଜିକରଣ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୪୦୦୦ ଲୋକ ବାହାର ରାଜ୍ୟରୁ ଆସିଛନ୍ତି।ସମସ୍ତଙ୍କୁ ୭ଦିନ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହିବାକୁ ଓ ୭ଦିନ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ବ୍ୟବସ୍ଥା କରାଯାଇଛି ।ଜଗତସିଂହପୁର ଜିଲ୍ଲା କରୋନା ମୁକାବିଲାରେ ଭଲ ସ୍ଥିତିରେ ରହିଛି। ଏହି ବୈଠକରେ ଉପ ଆରକ୍ଷୀ ଅଧିକ୍ଷକ ଡି.ଆଇ.ବି ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଙ୍କ ସମେତ ବିଭିନ୍ନ ବଜାର କମିଟିର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁର ଆକ୍ରାନ୍ତଙ୍କ ତଥ୍ୟ ଜାରି କଲା ଜିଲ୍ଲା ପ୍ରଶାସନ

ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା 10 ଜଣ ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ।  ଚିହ୍ନଟ 10 ଜଣ ଆକ୍ରାନ୍ତ ପ୍ରବାସ ଫେରନ୍ତା ବୋଲି ଜଣାପଡିଛି। 8 ଜଣ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବାବେଳେ ତାମିଲନାଡୁରୁ ଦୁଇ ଫେରନ୍ତା ରହିଛନ୍ତି। 21 ତାରିଖରେ ସେମାନଙ୍କର ସ୍ବାବ ପରୀକ୍ଷା ପାଇଁ ନିଆଯାଇଥିବାବେଳେ ଚିହ୍ନଟ ସମସ୍ତ 10 ଆକ୍ରାନ୍ତ କ୍ବାରେଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବାର ସୂଚନା ରହିଛି। ଏହି 10 ଆକ୍ରାନ୍ତଙ୍କ ମଧ୍ୟରୁ ନାଉଗାଁ କ୍ବାରେଣ୍ଟିନ୍‌ ସେଣ୍ଟରରୁ 5 ଜଣ ଚିହ୍ନଟ ହୋଇଥିବାବେଳେ ବାଲିକୁଦାରୁ ଚାରି ଏବଂ ବିରିଡିରୁ ଜଣେ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତଙ୍କୁ ଏବେ କିମସ୍‌ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି ଚାଲିଛି। ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ ବୋଲି କହିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର।

ଗତକାଲି ଅର୍ଥାତ୍‌ 24 ତାରିଖ ଦିନ ସକାଳ 7ଟାରୁ 25 ତାରିଖ ସକାଳ 10ଟା ସୁଦ୍ଧା 575 ଜଣ ପ୍ରବାସୀ ଓଡ଼ିଆ ଜିଲ୍ଲାରେ ପହଞ୍ଚିଛନ୍ତି । ସେମାନଙ୍କୁ ବିଭିନ୍ନ ପଞ୍ଚାୟତରେ ଥିବା ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି । ଏହି କ୍ରମରେ ଜଗତସିଂହପୁର ବ୍ଲକକୁ 67ଜଣ, ଜଗତସିଂହପୁର ପୌର ପରିଷଦକୁ 8 ଜଣ, ବାଲିକୁଦା ବ୍ଲକକୁ 105 ଜଣ, କୁଜଙ୍ଗ ବ୍ଲକକୁ 48 ଜଣ, ନାଉଗାଁ ବ୍ଲକକୁ 47 ଜଣ, ଏରସମା ବ୍ଲକକୁ 92 ଜଣ, ତିର୍ତ୍ତୋଲ୍‌ ବ୍ଲକକୁ 127ଜଣ, ରଘୁନାଥପୁର ବ୍ଲକକୁ 49ଜଣ,ବିରିଡି ବ୍ଲକକୁ 30 ଜଣ ଓ ପାରାଦୀପ ପୌର ପରିଷଦକୁ 2ଜଣଙ୍କ ପଠାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କର ପରିବହନ, ଖାଇବା ପିଇବା, ରହଣିର ସୁବନ୍ଦୋବସ୍ତ କରାଯାଇଛି । ସମେସ୍ତ ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତ୍ବ ବଜାୟ ରଖନ୍ତୁ ବୋଲି ଜିଲ୍ଲାପାଳ ନିବେଦନ କରିଛନ୍ତି ।

ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 41କୁ ବୃଦ୍ଧି ହୋଇଥିବାବେଳେ 5 ଜଣ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ, ଆଜି ରାଜ୍ୟରେ 103ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 1438କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ 103 ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଉ 103 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ  ଦେବଗଡ ଜିଲ୍ଲାରୁ ସର୍ବାଧିକ 22 ଜଣ ରହିଥିବାବେଳେ କେନ୍ଦ୍ରାପଡା 15, ଜଗତସିଂହପୁରରୁ 10, ମାଲକାନଗିରିରୁ 9,  ଭଦ୍ରକ ଓ ବଲାଙ୍ଗିରରୁ 8 ଜଣ ଲେଖାଏଁ, କୋରାପୁଟ ଓ ଗଜପତିରୁ 6 ଜଣ ଲେଖାଏଁ, ଖୋର୍ଦ୍ଧା ଓ ବାଲେଶ୍ବରରୁ 5 ଜଣ ଲେଖାଏଁ ଥିବାବେଳେ ଗଞ୍ଜାମରୁ ଚାରି ଜଣ ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର ଓ କନ୍ଧମାଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।  ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 1438କୁ ବୃଦ୍ଧି ହୋଇଛି।  ରାଜ୍ୟରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 881 ରହିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 550ରେ ପହଞ୍ଚିଛି । ସେହିପରି ରାଜ୍ୟରେ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ହୋଇଛି ।

ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଯାବତ୍‌ ରାଜ୍ୟର 28ଟି ଜିଲ୍ଲାରୁ କରୋନା ବ୍ୟାପିଥିବାବେଳେ ଆଜି  16ଟି ଜିଲ୍ଲାରୁ 103 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 103ଜଣଙ୍କ ମଧ୍ୟରୁ 96 ଜଣ କ୍ବାରେଣ୍ଟିନ୍‌ କେନ୍ଦ୍ରର ହୋଇଥିବାବେଳେ 7 ଜଣ ଲୋକାଲ୍‌ କେସ୍‌ ବୋଲି ସୂଚନା ରହିଛି।

କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି :

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ
ଗଞ୍ଜାମ 353 233 117 3
ଯାଜପୁର 240 90 150 0
ବାଲେଶ୍ବର 133 57 76 0
ଭଦ୍ରକ 106 31 75 0
ଖୋର୍ଦ୍ଧା 82 51 28 3
ପୁରୀ 81 4 77 0
କଟକ 59 3 55 1
କେନ୍ଦ୍ରାପଡା 55 9 46 0
ନୟାଗଡ 45 1 44 0
ଜଗତସିଂହପୁର 41 5 36 0
ସୁନ୍ଦରଗଡ 37 25 12 0
ବୌଦ୍ଧ 33 4 29 0
ଅନୁଗୁଳ 24 15 9 0
ବଲାଙ୍ଗିର 24 2 22 0
ଦେବଗଡ 24 1 23 0
ମାଲକାନଗିରି 19 0 19 0
କଳାହାଣ୍ଡି 15 2 13 0
ମୟୂରଭଞ୍ଜ 15 9 6 0
କେଉଁଝର 12 4 8 0
ଗଜପତି 10 0 10 0
କୋରାପୁଟ 7 1 6 0
କନ୍ଧମାଳ 6 0 6 0
ଝାରସୁଗୁଡା 5 2 3 0
ସମ୍ବଲପୁର 5 0 5 0
ଢେଙ୍କାନାଳ 4 1 3 0
ବରଗଡ 1 0 1 0
ନବରଙ୍ଗପୁର 1 0 1 0
ନୂଆପଡା 1 0 1 0
Categories
ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁରରୁ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ

ରମେଶ ମହାନ୍ତି

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକରୁ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାର ସୂଚନା ମିଳିଛି । ଆକ୍ରାନ୍ତ ଜଣକ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଳିପଦା କ୍ୱାରେଣ୍ଟାଇନ୍ ସେଣ୍ଟରରୁ  ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ ଗୁଜୁରାଟ ଫେରନ୍ତା ବୋଲି ଜଣାପଡିଛି। ତାଙ୍କୁ ଭୁବନେଶ୍ବର କିମସ୍ କୋଭିଡ୍ ହସପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। ଗତ 19 ତାରିଖରେ ତିର୍ତ୍ତୋଲ୍‌ ବ୍ଲକର 5ଟି ନମୁନା ପରୀକ୍ଷଣ ପାଇଁ ପଠାଯାଇଥିବାବେଳେ ସେଥିମଧ୍ୟରୁ 4ଟି ନେଗେଟିଭ୍‌ ଆସିଥିବାବେଳେ ଗୋଟିଏ ପଜିଟିଭ ଆସିଛି ।  ସୂଚନାଯୋଗ୍ୟ, ଜିଲ୍ଲାରେ ଏବେ ସର୍ବମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 31କୁ ବୃଦ୍ଧି ହୋଇଥିବାବେଳେ 5 ଜଣ ସୁସ୍ଥ ହୋଇଛନ୍ତି। ଏବେ ଜିଲ୍ଲାରେ 26ଟି ସକ୍ରିୟ ମାମଲା ରହିଛି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁରରୁ ଚିହ୍ନଟ ଦୁଇ ଆକ୍ରାନ୍ତ ମହାରାଷ୍ଟ୍ର ଫେରନ୍ତା

ରମେଶ ମହାନ୍ତି

ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରୁ ଦୁଇଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଦୁଇଜଣଙ୍କ ମଧ୍ୟରୁ ଜଣେ ଏରସମାର ଓ ଆଉ ଜଣେ କୁଜଙ୍ଗର ବୋଲି ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ଦୁହେଁ ମହାରାଷ୍ଟ୍ର ଫେରନ୍ତା ବୋଲି ସୂଚନା ରହିଛି । ଦୁହିଁଙ୍କର କୌଣସି ଲକ୍ଷଣ ନଥିବାବେଳେ ପ୍ରବାସରୁ ଫେରିଥିବା ହେତୁ 17 ତାରିଖରେ ତାଙ୍କର ସାମ୍ପଲ୍‌ ପରୀକ୍ଷା ନିଆଯାଇଥିଲା । ମେ 17ତାରିଖରେ ସଂଗୃହିତ ହୋଇଥିବା ୧୭୫ ସ୍ୱାବ ରିପୋର୍ଟ ମଧ୍ୟରୁ ଏହି 2ଟି ପଜିଟିଭ୍ ବ୍ୟତିତ ଅନ୍ୟ ସମସ୍ତ ରିପୋର୍ଟ ନେଗେଟିଭ୍ ଆସିଛି । ମେ 18 ତାରିଖ ଦିନ ସଂଗୃହିତ ସମସ୍ତ 139 ସ୍ୱାବ ରିପୋର୍ଟ ନେଗେଟିଭ୍ ଆସିଅଛି । ମେ 19  ତାରିଖ ଦିନ 168ଟି ସ୍ୱାବ ସଂଗୃହିତ ହୋଇଛି ।  ଜିଲ୍ଲାରୁ ଚିହ୍ନଟ ଏହି ଦୁଇଜଣଙ୍କୁ  କିମ୍‌ସ‌ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଦୁଇ ଆକ୍ରାନ୍ତ ଜଣକ ରହୁଥିବା ଦୁଇଟି ଟିଏମ୍‌ସିକୁ କଣ୍ଟେନେମଣ୍ଟ ଜୋନ୍‌ ଘୋଷଣା କରାଯାଇଛି । କୁଜଙ୍ଗ ବ୍ଲକ ଓ ଏରସମା ବ୍ଲକର ବିଡିଓ ଏବଂ ମେଡିକାଲ ଅଫିସର ଏହି ଦିଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି । ସୂଚନାଯୋଗ୍ୟ, ଜଗତସିଂହପୁରରେ ଆଜି ନୂତନ ଦୁଇ ଚିହ୍ନଟ ହେବା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା 30ରେ ପହଞ୍ଚିଥିବବେଳେ 5 ଜଣ ସୁସ୍ଥ ହୋଇଛନ୍ତି । ଏବେ ଜିଲ୍ଲାରେ 25 ଜଣ ସକ୍ରିୟ ରହିଛନ୍ତି ।

ଗତକାଲି ସୁଦ୍ଧା ଜିଲ୍ଲାକୁ ମୋଟ 5667ଜଣ ପ୍ରବାସୀ ପ୍ରତ୍ୟାବର୍ତନ କରିଛନ୍ତି । ବିଗତ ଦୁଇ ଦିନ ମଧ୍ୟରେ ଜଗତସିଂହପୁର ଜିଲ୍ଲାକୁ 433 ଜଣ ଓଡିଆ ପ୍ରବାସୀ ଆସିଛନ୍ତି । ସେମାନଙ୍କୁ ବିଭିନ୍ନ ପଚାଂୟତରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି । ଏହି କ୍ରମରେ ନାଉଗାଁ ବ୍ଲକକୁ 48ଜଣ, ଜଗତସିଂହପୁର ବ୍ଲକକୁ 46 ଜଣ, ଜଗତସିଂହପୁର ପୈାର ପରିଷଦକୁ 12ଜଣ, ବାଲିକୁଦା ବ୍ଲକକୁ 137ଜଣ, କୁଜଙ୍ଗ ବ୍ଲକକୁ 19 ଜଣ, ଏରସମା ବ୍ଲକକୁ 99 ଜଣ, ତିର୍ତୋଲ ବ୍ଲକକୁ 56 ଜଣ, ରଘୁନାଥପୁର ବ୍ଲକକୁ 12ଜଣ, ବିରିଡି ବ୍ଲକକୁ 2 ଜଣଙ୍କୁ ପଠାଯାଇଅଛି । ସେହିପରି ସମସ୍ତ ଜନସାଧାରଣ ମୁହଁରେ ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ନିବେଦନ କରିଛନ୍ତି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁର : ୨୪ ଘଣ୍ଟାରେ ଜିଲ୍ଲାରୁ ଚିହ୍ନଟ ୨୩ ପଜିଟିଭ, ଗତକାଲି ଜିଲ୍ଲାକୁ ଆସିଛନ୍ତି ୭୦୦ ପ୍ରବାସୀ

ରମେଶ ମହାନ୍ତି

ଜଗତସିଂହପୁର : ଜଗତସିଂହପୁରର ଗତକାଲି ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ୩ ଜଣ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଏବେ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଚିହ୍ନଟ ୨୦ ଜଣଙ୍କ ମଧ୍ୟରୁ ନାଉଗାଁ ବ୍ଲକର ୧୯ଜଣ ଓ କୁଜଙ୍ଗ ବ୍ଲକର ୧ଜଣ ଅଛନ୍ତି । ଚିହ୍ନଟ ୨୦ଜଣଙ୍କ ମଧ୍ୟରୁ ୧୯ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ଜଣେ ତାମିଲନାଡୁ ଫେରନ୍ତା ଅଟନ୍ତି । ସମସ୍ତ ଚିହ୍ନଟ ଆକ୍ରାନ୍ତ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ । ସମସ୍ତ ୨୦ଜଣ ଆକ୍ରାନ୍ତଙ୍କୁ ଭୁବନେଶ୍ୱରର କିମ୍‌ସ ହସ୍‌ପିଟାଲକୁ ଚିକିତ୍ସା ନିମନ୍ତେ ପଠାଯାଇଅଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଆଜି ସକାଳୁ ଜଗତସିଂହପୁର ଜିଲ୍ଲାରେ ଆଉ ୩ଟି ପଜିଟିଭ୍ କେସ୍ ବାହାରିଛି ଓ ଏହି ସମସ୍ତ ପଜିଟିଭ୍ ଆକ୍ରାନ୍ତ ବାଲିକୁଦା ଅଚଂଳର ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ ଦେଇଛନ୍ତି ।

ଗତକାଲି ଜିଲ୍ଲାରେ ପୂର୍ବରୁ ଚିହ୍ନଟ ହୋଇଥିବା ୫ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ପାଞ୍ଚ ସୁସ୍ଥଙ୍କ ମଧ୍ୟରେ ଜଣେ ୭୦ବର୍ଷ ବୟସ୍କ ବୃଦ୍ଧ ଅଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି ।

ଗତକାଲି ଅର୍ଥାତ୍‌ ମେ ୧୮ତାରିଖ ଓ  ଆଜି ୧୯ତାରିଖ ସକାଳ ୭ଟା ସୁଦ୍ଧା ବିଭିନ୍ନ ରାଜ୍ୟରୁ ଜଗତସିଂହପୁର ଜିଲ୍ଲାକୁ ୭୦୦ଜଣ ଓଡିଆ ପ୍ରବାସୀ ଆସିଛନ୍ତି । ସେମାନଙ୍କୁ ବିଭିନ୍ନ ପଚାଂୟତରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି ।ଏହି କ୍ରମରେ ନାଉଗାଁ ବ୍ଲକକୁ ୮୯ଜଣ, ଜଗତସିଂହପୁର ବ୍ଲକକୁ ୭୭ଜଣ, ଜଗତସିଂହପୁର ପୌର ପରିଷଦକୁ ୨୧ଜଣ,ବା ଲିକୁଦା ବ୍ଲକକୁ୧୯୦ଜଣ,କୁଜଙ୍ଗ ବ୍ଲକକୁ୪୬ ଜଣ,ଏରସମା ବ୍ଲକକୁ୧୦୫ ଜଣ,ତିର୍ତୋଲ ବ୍ଲକକୁ ୯୦ଜଣ,ରଘୁନାଥପୁର ବ୍ଲକକୁ ୪୯ଜଣ,ବିରିଡି ବ୍ଲକକୁ ୩୩ଜଣଙ୍କୁ ପଠାଯାଇଅଛି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କର ପରିବହନ,ଖାଇବା ପିଇବା, ରହଣିର ସୁବନ୍ଦୋବସ୍ତ କରାଯାଇଛି । ମେ ୧୫ ତାରିଖରେ ସଂଗୃହିତ ହୋଇ ପରୀକ୍ଷା ପାଇଁ ଯାଇଥିବା ୧୨୩ଟି ସ୍ୱାବ ରିପୋର୍ଟ ମଧ୍ୟରୁ ପୂର୍ବରୁ ୭୩ଟି ରିପୋର୍ଟ ନେଗେଟିଭ୍ ଆସିଥଲା ଏବଂ ଗତକାଲି ଆଉ ୩୦ଟି ସ୍ୱାବ ରିପୋର୍ଟ ନେଗେଟିଭ୍ ଆସିଅଛି । ମେ ୧୬ ତାରିଖରେ ସଂଗୃହିତ ୧୫୧ ସ୍ୱାବ ରିପୋର୍ଟ ମଧ୍ୟରୁ ୧୪୮ଟିର ରିପୋର୍ଟ ନେଗେଟିଭ୍ ଆସିଅଛି ବୋଲି ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ପ୍ରକାଶ କରିଛନ୍ତି । ଗତ ୩ ତାରିଖ ଠାରୁ ୧୮ ତାରିଖ ଅପରାହ୍ନ ୩ଟା ସୁଦ୍ଧା ଜଗତସିଂହପୁର ଜିଲ୍ଲାକୁ ୪୮୬୨ ଜଣ ପ୍ରବାସୀ ଓଡିଆ ଆସିଛନ୍ତି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁର ଏସ୍.ଭି.ଏମ୍ କଲେଜ୍ ଆଖ ପାଖରେ ୧୪୪ ଧାରା ଜାରୀ

ରମେଶ ମହାନ୍ତି

ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣ ଯୋଗୁ ଦେଶରେ ଭୟାବହ ପରିସ୍ଥିତି ଦେଖାଦେଇଛି। ବିଭିନ୍ନ ରାଜ୍ୟରୁ ଜଗତସିଂହପୁର ଜିଲ୍ଲାକୁ ଅଧିକ ସଂଖ୍ୟକ ଫେରୁଥିବା ପ୍ରବାସୀମାନଙ୍କ ପାଇଁ ଜଗତସିଂହପୁର ସ୍ଥିତ ଏସ୍.ଭି.ଏମ୍ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଟ୍ରାନଜିଟ୍ ପଏଣ୍ଟ ଓ ସ୍ୱାବ ସଂଗ୍ରହ କେନ୍ଦ୍ର କାର୍ଯ୍ୟ କରୁଥିବାରୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏସ୍.ଭି.ଏମ୍ କଲେଜ୍ ଆଖ ପାଖରେ ୧୪୪ ଧାରା ଜାରୀ କରିଛନ୍ତି। ଏହି ଧାରା ଆଜିଠାରୁ ବଳବତ୍ତର ରହିବ। ଉକ୍ତ କଲେଜ୍ ଆଖ ପାଖ ଓ ମେନ୍ ଗେଟ୍ ଠାରୁ ୧୦୦ ମିଟର ଦୁରତା ଭିତରେ ଏହି ଧାରା କାର୍ଯ୍ୟକାରୀ ହେବ। ବିଭିନ୍ନ ରାଜ୍ୟରୁ ଫେରୁଥିବା ପ୍ରବାସୀ ମାନେ ବିନା ଅନୁମତିରେ କ୍ୟାମ୍ପସ୍ ବାହାରକୁ ଯାଇପାରିବେ ନାହିଁ। ସାମାଜିକ ଦୂରତ୍ୱକୁ କଡାକଡି ଭାବେ ପାଳନ କରାଯିବ।

ଗତକାଲି ମେ, ୧୪ ତାରିଖରେ ଜିଲ୍ଲାକୁ ଫେରିଥିବା ପ୍ରବାସୀଙ୍କ ମଧ୍ୟରୁ ୧୩୨ ଜଣଙ୍କ ଠାରୁ ସ୍ୱାବ ସଂଗୃହୀତ ହୋଇଛି। ସେମାନଙ୍କ ମଧ୍ୟରୁ ବିହାରରୁ ୩ଜଣ, ତାମିଲନାଡୁରୁ ୧୨ଜଣ, ଗୁଜୁରାଟରୁ ୫ଜଣ, ଝାଡଖଣ୍ଡରୁ ୩ଜଣ, ପଶ୍ଚିମବଙ୍ଗରୁ ୨୨ଜଣ, ମହାରାଷ୍ଟ୍ରରୁ ୪୫ଜଣ, ତେଲେଙ୍ଗାନାରୁ ୩୯ଜଣ, ଆନ୍ଧ୍ରପ୍ରଦେଶରୁ ୧ଜଣ ଓ ମେଡିକାଲ ଷ୍ଟାଫ୍ ୨ଜଣଙ୍କ ଠାରୁ ସ୍ୱାବ ସଂଗୃହୀତ ହୋଇଛି। ଗତକାଲି ଏରସମା ବ୍ଲକ ଅଞ୍ଚଳରୁ ଏହି ସ୍ୱାବ ସଂଗୃହୀତ ହୋଇଛି। ଜଗତସିଂହପୁର ଜିଲ୍ଲାରେ ଅନ୍ୟ ରାଜ୍ୟ ଓ ଜିଲ୍ଲାରୁ ଆସି କାମ କରୁଥିବା ଶ୍ରମିକ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ନିଜ ରାଜ୍ୟ ଓ ଜିଲ୍ଲାକୁ ପଠାଯାଇଛି। ଏହି କ୍ରମରେ ଝାଡଖଣ୍ଡ ରାଜ୍ୟକୁ ୬୦ଜଣ, ରାଜସ୍ଥାନକୁ ୩୧ଜଣ ଓ ଛତିଶଗଡ଼କୁ ୧୦୦ଜଣଙ୍କୁ ମିଶାଇ ମୋଟ୍ ୧୯୧ଜଣଙ୍କୁ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ସେହିପରି ନୂଆପଡ଼ା ଜିଲ୍ଲାକୁ ୨୫୫ଜଣ, ମୟୂରଭଞ୍ଜ ୧୯ଜଣ, ବରଗଡକୁ ୧୩ଜଣ, ସୋନପୁରକୁ ୫ଜଣ, କେନ୍ଦୁଝରକୁ ୮ଜଣ, ଯାଜପୁରକୁ ୧୮ଜଣ ଓ ନବରଙ୍ଗପୁରକୁ ୫୮ଜଣଙ୍କୁ ମିଶାଇ ମୋଟ୍ ୩୭୬ଜଣ ଶ୍ରମିକଙ୍କୁ ସେମାନଙ୍କ ଜିଲ୍ଲାକୁ ପଠାଯାଇଛି। ଗତକାଲି ସୁଦ୍ଧା ଜିଲ୍ଲାର ୧୯୮ଟି ପଞ୍ଚାୟତରେ ୩୧୮ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧,୫୫୮ଟି ଶଯ୍ୟା ୨ଟି ପୌରାଞ୍ଚଳରେ ୬ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩୩୨ଟି ଶଯ୍ୟା ବ୍ୟବସ୍ଥା ସଂମ୍ପୁର୍ଣ୍ଣ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଗତକାଲି ଜିଲ୍ଲାପାଳ ନାଉଗାଁ ବ୍ଲକର ବଛାଳୋ,ରୋହିଆ,ଜାମୁଗାଁ ପଲିଟେକନିକ୍ ର ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସୁବିଧା ଅସୁବିଧା ତଦାରଖ କରିଥିଲେ।

Categories
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଳାକୁ ଗତକାଲି ଫେରିଛନ୍ତି ୨୮୪ ପ୍ରବାସୀ: ସଂଗ୍ରହ ହୋଇଛି ୧୩୭ଟି ସ୍ବାବ ନମୂନା

ରମେଶ ମହାନ୍ତି
ଜଗତସିଂହପୁର: ବିଗତ ୨୪ ଘଣ୍ଟା ମଧ୍ୟରେ ଜଗତସିଂହପୁର ଜିଲ୍ଲାକୁ ୨୮୪ ଜଣ ପ୍ରବାସୀ ଫେରିଛନ୍ତି। ଏହାକୁ ମିଶାଇ ସମୁଦାୟ ୧୨୪୬ ଜଣ ପ୍ରବାସୀ ଜିଲ୍ଲାକୁ ଫେରିଛନ୍ତି। ସ୍ବାମୀ ବିବେକାନନ୍ଦ ମହାବିଦ୍ୟାଳୟ ପରିସରରେ ସମସ୍ତ ପ୍ରବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ନିଜ ନିଜ ବ୍ଲକ୍‌ ତଥା ପଞ୍ଚାୟତର କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଛି। ଗତକାଲି ସମୁଦାୟ ୧୩୭ ଟି ସ୍ବାବ ନମୂନା ସଂଗୃହୀତ ହୋଇ ପରୀକ୍ଷଣ ପାଇଁ ପଠାଯାଇଛି। ୯ ତାରିଖରେ ନିଆଯାଇଥିବା ୧୫୫ ଟି ସ୍ବାବ୍‌ ନମୂନାର ରିପୋର୍ଟ ନେଗେଟିଭ୍‌ ଆସିଥିବା ବେଳେ ୧୦ ତାରିଖରେ ସଂଗୃହୀତ ସ୍ବାବ ନମୂନାର ରିପୋର୍ଟ ବର୍ତ୍ତମାନ ସୁଦ୍ଧା ଆସିନାହିଁ।

ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ନିଜେ ଏସ୍‌ଭିଏମ୍‌ କଲେଜ ପରିସରରେ ଉପସ୍ଥିତ ରହି ପ୍ରବାସୀଙ୍କ ରହିବା ଏବଂ ଖାଇବା ସମ୍ପର୍କରେ ପଚାରି ବୁଝିଥିଲେ। ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ ବିଜୟ ପଣ୍ଡା, ପୌର ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା, ଜିଲ୍ଲାପାଳଙ୍କ ଓଏସ୍‌ଡି ସ୍ମୃତି ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ପ୍ରବାସୀଙ୍କ ନାମ ପଞ୍ଜୀକରଣ କରିବା ସହିତ ସମସ୍ତ ପ୍ରବାସୀଙ୍କୁ ବସ୍‌ ଯୋଗେ ପଠାଇଥିଲେ।

ଗତକାଲି ୨୮୪ ଜଣ ପ୍ରବାସୀ ଶ୍ରମିକ ଫେରିଥିବା ବେଳେ ସେମାନଙ୍କ ମଧ୍ୟରେ ଜଗତସିଂହପୁର ବ୍ଲକ୍‌ରୁ ୭୬ ଜଣ, କୁଜଙ୍ଗ ବ୍ଲକ୍‌ରୁ ୧୧ ଜଣ, ବାଲିକୁଦା ବ୍ଲକ୍‌ରୁ ୪୭ ଜଣ, ଏରସମା ବ୍ଲକ୍‌ରୁ ୫୩ ଜଣ, ନାଉଗାଁ ବ୍ଲକ୍‌ରୁ ୨୨ ଜଣ, ତିର୍ତ୍ତୋଲ ବ୍ଲକ୍‌ରୁ ୫୫ ଜଣ, ଜଗତସିଂହପୁର ପୌର ପରିଷଦର ୧୯ ଜଣ ଏବଂ ପାରାଦୀପ ପୌର ପରିଷଦର ଜଣେ ବ୍ୟକ୍ତି ରହିଛନ୍ତି। ସମସ୍ତ ପ୍ରବାସୀଙ୍କୁ ନିଜ ନିଜର ସ୍ଥାନୀୟ କ୍ବାରେଣ୍ଟିନ୍‌ ସେଣ୍ଟରକୁ ପଠାଇ ଦିଆଯାଇଛି।

Categories
ଆଜିର ଖବର ଆଞ୍ଚଳିକ

ଗତକାଲି ଜଗତସିଂହପୁରକୁ ଆସିଛନ୍ତି ୬୯୧ଜଣ ପ୍ରବାସୀ : ଏସ୍‌ଭିଏମ୍‌ରେ ଖୋଲିଛି ୨ଟି ସ୍ବାବ ସଂଗ୍ରହ କେନ୍ଦ୍ର

ରମେଶ ମହାନ୍ତି

ଜଗତସିଂହପୁର : ଗତକାଲି ରାତି ୮ଟା ସୁଦ୍ଧା ବିଭିନ୍ନ ରାଜ୍ୟ ଓ ଜିଲ୍ଲାରୁ ୬୯୧ଜଣ ପ୍ରବାସୀ ଜଗତସିଂହପୁର ଜିଲ୍ଲାରେ ପହଞ୍ଚିଛନ୍ତି। ସୂଚନାନୁଯାୟୀ ଗତ ୮ତାରିଖ ଦିନ ସଂଗୃହୀତ ହୋଇଥିବା ୧୨୪ଟି ସ୍ୱାବ ରିପୋର୍ଟ ନେଗେଟିଭ୍ ରହିଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ତେବେ ୯ ଓ ୧୦ ତାରିଖର ରିପୋର୍ଟ ହସ୍ତଗତ ହୋଇନାହିଁ।

ଗତକାଲି ପହଞ୍ଚିଥିବା ୬୯୧ ପ୍ରବାସୀଙ୍କ ମଧ୍ୟରୁ ୧୦୩ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇ ତିର୍ତ୍ତୋଲ ବ୍ଲକକୁ ୯୦ଜଣ, ଜଗତସିଂହପୁର ବ୍ଲକକୁ ୧୨ ଓ ରଘୁନାଥପୁର ବ୍ଲକକୁ ୧ଜଣଙ୍କୁ ସଂଗରୋଧ କେନ୍ଦ୍ରକୁ ପଠାଯାଇଛି। ସେମାନଙ୍କ ମଧ୍ୟରୁ ୩୩୯ ଜଣଙ୍କର ସ୍ୱାବ ସଂଗୃହୀତ ନହୋଇ ବାଲିକୁଦା ବ୍ଲକକୁ ୯୪ଜଣ, କୁଜଙ୍ଗ ଓ ପାରାଦ୍ୱୀପକୁ ୫୧ଜଣ, ନାଉଗାଁ ୯୦,ଏରସମା ୩୯,ବିରିଡି ୩୮ ଓ ରଘୁନାଥପୁର ୨୭ଜଣଙ୍କୁ ସଂପୃକ୍ତ ବ୍ଲକର ସଂଗରୋଧ କେନ୍ଦ୍ରକୁ ପଠାଯାଇଛି। ଏତଦ୍ ବ୍ୟତୀତ ୧୪୯ଜଣ ଏସ୍.ଭି.ଏମ୍ କଲେଜରେ ସଂଗରୋଧରେ ରହିଛନ୍ତି।

ଗତକାଲି ସୁଦ୍ଧା ଜିଲ୍ଲାରୁ ୧୬୭୫ ସାମ୍ପଲ୍ ସଂଗୃହୀତ ହୋଇଥିବା ବେଳେ ୫ଟି ପଜିଟିଭ୍ ଏବଂ ୧୨୬୪ଟି ନେଗେଟିଭ୍ ବାହାରିଛି। ଜଗତସିଂହପୁର ଏସ୍.ଭି.ଏମ୍ କଲେଜରେ ୨ଟି ସ୍ୱାବ ସଂଗ୍ରହ କେନ୍ଦ୍ର ଖୋଲାଯାଇଛି। ବାହାର ଫେରନ୍ତାଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ କାର୍ଯ୍ୟ କରୁଛି। ଜିଲ୍ଲାରେ ସଂଗରୋଧ କେନ୍ଦ୍ର ଗୁଡ଼ିକରେ ନିୟମିତ ବିଶୋଧନ କରାଯାଉଛି। ସଂଗରୋଧ କେନ୍ଦ୍ରରେ ରହୁଥିବା ବ୍ୟକ୍ତିମାନଙ୍କୁ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ ସାମଗ୍ରୀ ଯୋଗାଇ ଦିଆଯାଉଛି। ପଞ୍ଚାୟତ ସଂଗରୋଧ କେନ୍ଦ୍ରରେ ଖାଦ୍ୟ ଯୋଗାଣ ଦାୟିତ୍ୱରେ ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟ କରୁଛନ୍ତି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

Categories
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରବାସୀଙ୍କ ସ୍ୱାବ ସଂଗ୍ରହ କାର୍ଯ୍ୟକ୍ରମ ତ୍ୱରାନ୍ୱିତ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାକୁ ଗତ ତିନି  ତାରିଖ ଠାରୁ ପ୍ରବାସୀ ଓଡ଼ିଆ ପର୍ଯ୍ୟାୟ କ୍ରମେ ଆସି ବିଭିନ୍ନ ବ୍ଲକରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅବସ୍ଥାନ କରୁଛନ୍ତି। ଏହି କ୍ରମରେ ୧୦ ତାରିଖରେ ଆନ୍ଧ୍ରପ୍ରଦେଶରୁ ୨୬ଜଣ, ତାମିଲନାଡୁରୁ ୧୮ଜଣ, ତେଲେଙ୍ଗାନାରୁ ୨୯ଜଣ, ଝାଡଖଣ୍ଡରୁ ୪ଜଣ, ପଶ୍ଚିମବଙ୍ଗରୁ ୨୪ଜଣ, ମହାରାଷ୍ଟ୍ରରୁ ୪ଜଣ, ରାଜସ୍ଥାନରୁ ୧ଜଣ, ଉତ୍ତରପ୍ରଦେଶରୁ ୧ଜଣ, କର୍ଣାଟକରୁ ୨ଜଣ, ଭୁବନେଶ୍ବରରୁ ୩ଜଣ, ମୟୁରଭଞ୍ଜରୁ ୨ଜଣ, ଗଞ୍ଜାମରୁ ୧ଜଣ ଆସିଥିଲେ।

ସମସ୍ତ ପ୍ରବାସୀଙ୍କର ସ୍ଥାନୀୟ ସରଳାଦେବୀ କଲ୍ୟାଣମଣ୍ଡପ ଠାରେ ସ୍ୱାବ ସଂଗ୍ରହ କରାଯାଇ  ଜିଲ୍ଲାରେ ଥିବା ବିଭିନ୍ନ କ୍ବାରେଣ୍ଟାଇନ୍‌ କେନ୍ଦ୍ରକୁ ପଠାଯାଇଛି । ଏହି କ୍ରମରେ ଜଗତସିଂହପୁର ପୌରାଞ୍ଚଳକୁ ୨ଜଣ, ଜଗତସିଂହପୁର ବ୍ଲକକୁ ୩୫ଜଣ, ବିରିଡି ବ୍ଲକକୁ ୪ଜଣ, ବାଲିକୁଦା ବ୍ଲକକୁ ୨୫ଜଣ, ନାଉଗାଁ ବ୍ଲକକୁ ୭ଜଣ, ରଘୁନାଥପୁର ବ୍ଲକକୁ ୩ଜଣ, ତିର୍ତ୍ତୋଲ ବ୍ଲକକୁ ୧୧ଜଣ, କୁଜଙ୍ଗ ବ୍ଲକକୁ ୯ଜଣ, ଏରସମା ବ୍ଲକକୁ ୧୪ଜଣ, ପାରାଦ୍ଵୀପ ପୌରାଞ୍ଚଳକୁ ୫ଜଣଙ୍କୁ କ୍ୱାରେଣ୍ଟାଇନ୍ କେନ୍ଦ୍ରକୁ ପଠାଯାଇଛି। ଗତକାଲି ୧୧୫ଜଣ ପ୍ରବାସୀ ଓଡିଆ, ଜଣେ ସ୍ୱାସ୍ଥ୍ୟକର୍ମୀ, ଜଣେ ଡ୍ରାଇଭର ଓ ନାଉଗାଁର ୩ଜଣଙ୍କ ଠାରୁ ପୁନର୍ବାର ସ୍ୱାବ ଏହିପରି ମୋଟ୍ ୧୨୦ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି।

ଏତଦବ୍ୟତୀତ ଜିଲ୍ଲାପାଳ ବିଭିନ୍ନ ପଞ୍ଚାୟତରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବାରମ୍ବାର ପରିଦର୍ଶନ କରି ବିଭିନ୍ନ ସୁବିଧା ଓ ଅସୁବିଧା ସମ୍ପର୍କରେ ସ୍ଥାନୀୟ ବି.ଡି.ଓ ଏବଂ ସରପଞ୍ଚ ମାନଙ୍କ ଠାରୁ ଅବଗତ ହେଉଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅନ୍ୟାଦେଶ ପର୍ଯ୍ୟନ୍ତ ପୂର୍ବ ନିର୍ଦ୍ଧାରିତ ସମସ୍ତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ସକାଳ ୭ଟା ଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଔଷଧ ଦୋକାନ ପାଇଁ ସମୟ ପରିବର୍ତ୍ତନ ପ୍ରଯୁଜ୍ୟ ନୁହେଁ। କରୋନା ମୁକାବିଲାରେ ଜିଲ୍ଲାବାସୀଙ୍କର ସହଯୋଗ କାମନା କରି ଜନସାଧାରଣ ସର୍ବଦା ସଜାଗ ଓ ସଚେତନ ସହ ସାମାଜିକ ଦୂରତ୍ୱ ଏବଂ ମାସ୍କ ବ୍ୟବହାର କଡାକଡି ଭାବେ ପାଳନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅଧା ବାଟରେ ପ୍ରବାସୀଙ୍କୁ ଛାଡି ବସ୍‌ ପାର୍‌

କଟକ : ପ୍ରବାସୀଙ୍କୁ ନେଇ ଓଡ଼ିଶାର ଚିନ୍ତା ବଢୁଥିବାବେଳେ ପୁଣି ଥରେ ଅଧା ବାଟରେ ପ୍ରବାସୀ ବସ୍‌ ଛାଡି ଫେରାର୍‌ ହୋଇଛି। 15 ପ୍ରବାସୀଙ୍କୁ ଅଧା ରାସ୍ତାରେ ଛାଡି ପଳାଇଛି ବସ୍‌। କଟକ ଓ ଓମ୍‌ପି ଛକରେ ଏହି ପ୍ରବାସୀଙ୍କୁ ଛାଡି ଦେଇ ବସ୍‌ଟି କେନ୍ଦ୍ରାପଡା ଯାଇଛି।  ନିଜ ଖର୍ଚ୍ଚରେ ତାମିଲନାଡୁ କାଞ୍ଚିପୁରମ୍‌ରୁ ଆସିଥିଲେ 30 ପ୍ରବାସୀ। ଏହି ବସ୍‌ରେ ଜଗତସିଂହପୁରର 15 ଓ କେନ୍ଦ୍ରାପଡାର 15 ପ୍ରବାସୀ ଥିଲେ। ଓଏମ୍‌ପି ଛକରୁ ଚାଲି ଚାଲି ଜଗତସିଂହପୁର ଅଭିମୁଖେ 15 ପ୍ରବାସୀ ଯାଉଥିବାର ଜଣାପଡିଛି ।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁରରୁ ଆସିଥିବା ଶ୍ରମିକଙ୍କୁ ଚିଲିକା କୂଳରେ ଅଟକାଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଲା ବାଲୁଗାଁ ପୋଲିସ୍‌

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ପ୍ରବାସୀ ଶ୍ରମିକଙ୍କ ଚିନ୍ତା ବେଶ୍‌ ଘାରିଛି। କରୋନା ସ୍ଥିତିକୁ ଦେଖି ବିଭିନ୍ନ ଦେଶରେ ଥିବା ବିଭିନ୍ନ ରାଜ୍ୟ ଓ ଜିଲ୍ଲାକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇ ଲକ୍‌ଡାଉନ୍ ୩.୦ ଜାରି କରାଯାଇଛି। ଅପିତୁ ଏହି ପର୍ଯ୍ୟାୟ ଲକ୍‌ ଡାଉନ୍‌ରେ କିଛି କଟକଣାକୁ କୋହଳ କରାଯାଇଛି। ସେହିପରି ରାଜ୍ୟରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ତିନୋଟି ଜୋନ୍‌ରେ ବିଭକ୍ତ କରାଯାଇଛି। ଗ୍ରୀନ୍‌ ଜୋନ୍‌ରେ ଥିବା ଜଗତସିଂହପୁର ଜିଲ୍ଲାରେ ୫ ଟି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଜିଲ୍ଲାକୁ ଏବେ ଅରେଞ୍ଜ ଜୋନ୍‌ରେ ପରିବର୍ତ୍ତନ କରାଯାଇଛି। ଲକ୍‌ ଡାଉନ୍‌ ଯୋଗୁଁ ଶ୍ରମିକମାନେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି। କାମ ଧନ୍ଦା ନ ପାଇଁ ଶ୍ରମିକମାନେ ଏବେ ନିଜ ନିଜ ଭିଟାମାଟିକୁ ଫେରିବାକୁ ଉଦ୍ୟମ କରୁଛନ୍ତି। ଏହି କ୍ରମରେ ଗତକାଲି ରାତିରେ ଜଗତସିଂହପୁରପୁରରେ କାମ କରୁଥିବା କିଛି ଶ୍ରମିକ କୌଣସି ଏକ ଗାଡି ଯୋଗେ ବାଲୁଗାଁ ଗାନ୍ଧି ଛକ ଠାରେ ପହଞ୍ଚିଥିଲେ। ଏବଂ ସେଠାରୁ ଗ୍ରାମକୁ ଯିବା ପାଇଁ ଚିଲିକା କୂଳକୁ ଚାଲି ଚାଲି ଯାଉଥିବା ବେଳେ ବାଲୁଗାଁ ପୋଲିସ ଦ୍ୱାରା ଅଟକ ରଖଯାଇଥିଲା। ବର୍ତ୍ତମାନ ସମୟରେ ସନ୍ଧ୍ୟା ୭ ଟାରୁ ସକାଳ ୭ ଟା ପର୍ଯ୍ଯନ୍ତ କର୍ଫ୍ଯୁ ଲାଗିରହିଛି। ବାଲୁଗାଁ ପୋଲିସ୍ ର ଏହି ସମୟରେ କଡା ପ୍ରହାର ରହିଥିବାରୁ ରାତି ୯ ଟା ସମୟରେ ସେମାନଙ୍କୁ ଧରି ଅଟକ ରଖିଥିଲା। ଏହାପରେ ଏହି ସମସ୍ତ ଶ୍ରମିକଙ୍କ ବାଲୁଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ଏହି ଶ୍ରମିକମାନେ କୃଷ୍ଣପ୍ରସାଦ ଗଡ (ପାରିକୁଦ)ର ବୋଲି ପୋଲିସ୍‌କୁ କହିଥିଲେ। ଜଗତସିଂହପୁର ତିର୍ତ୍ତୋଲର କୌଣସି ଏକ ପ୍ରାଇଭେଟ୍‌ କମ୍ପାନୀରେ କାମ କରୁଥିଲେ ଏହି ଶ୍ରମିକମାନେ। ପୋଲିସ୍‌ ଅଟକ ରଖିଥିବା ଶ୍ରମିକଙ୍କ ମଧ୍ୟରେ ଶିଶୁ ଓ ମହିଳାଙ୍କ ସମେତ ୧୨ ଜଣ ଲୋକ ରହିଛନ୍ତି। ପୋଲିସ୍‌  ସେମାନଙ୍କ ସରପଞ୍ଚ ସହ କଥା ହେବା ପରେ ସରପଞ୍ଚ ଆଜି ସକାଳୁ ଡ଼ଙ୍ଗା ସାହାଯ୍ୟରେ ସେମାନଙ୍କୁ ବାଲୁଗାଁ ଠାରୁ ତାଙ୍କ ଗ୍ରାମକୁ ନେଇଥିବା ସୂଚନା ରହିଛି। ଏହି କାର୍ଯ୍ୟରେ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ଓ ବାଲୁଗାଁ ପୋଲିସ୍‌ ଏଏସ୍‌ଆଇ ଦିଲ୍ଲୀପ ବିଶ୍ବାଳ ସହଯୋଗ କରିଥିଲେ ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲାର କେଉଁ ବ୍ଲକକୁ କେତେ ଓଡିଆ ଫେରନ୍ତା ଆସିଛନ୍ତି ଜାଣିଛନ୍ତି କି ? ପଢନ୍ତୁ ଏହି ଖବର

ରମେଶ ମହାନ୍ତି

ଜଗତସିଂହପୁର : ଗତକାଲି ଜଗତସିଂହପୁର ଜିଲ୍ଲାକୁ ବିଭିନ୍ନ ରାଜ୍ୟ ଓ ଜିଲ୍ଲାରୁ ୫୯ଜଣ ପ୍ରବାସୀ ଶ୍ରମିକ ତଥା ଅନ୍ୟାନ୍ୟ ବ୍ୟକ୍ତି ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିଥିବା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ତେଲେଙ୍ଗାନାରୁ ୩୬ଜଣ, ରାଜସ୍ଥାନରୁ ୧ଜଣ, କଲିକତାରୁ ୫ଜଣ, ଆନ୍ଧ୍ରପ୍ରଦେଶରୁ ୪ଜଣ, ମହାରାଷ୍ଟ୍ରରୁ ୮ଜଣ, ଝାଡଖଣ୍ଡରୁ ୧ଜଣ, ତାମିଲନାଡୁରୁ ୧ଜଣ, ପୁଡୁଚେରୀରୁ ୨ଜଣ ଏବଂ ଅନୁଗୁଳରୁ ୧ଜଣ ଅଛନ୍ତି।

ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମେଡିକାଲ ଟିମ୍ ଦ୍ୱାରା ମ୍ୟୁନିସିପାଲିଟିର ସରଳାଦେବୀ କଲ୍ୟାଣ ମଣ୍ଡପଠାରେ ସେମାନଙ୍କଠାରୁ ସ୍ୱାବ ସଂଗ୍ରହ କରାଯାଇ ସେମାନଙ୍କୁ ବିଭିନ୍ନ ବ୍ଲକ ଓ ମ୍ୟୁନିସିପାଲିଟି କ୍ୱାରେଣ୍ଟାଇନ୍ ସେଣ୍ଟରଠାରେ ସଂଗରୋଧରେ ପଠାଯାଇଛି। ସେମାନଙ୍କ ମଧ୍ୟରେ ଜଗତସିଂହପୁର ବ୍ଲକର ୧୧ଜଣ, ରଘୁନାଥପୁର ବ୍ଲକର ୮ଜଣ, ବିରିଡ଼ି ବ୍ଲକର ୧ଜଣ, କୁଜଙ୍ଗ ବ୍ଲକର ୨ଜଣ, ବାଲିକୁଦା ବ୍ଲକର ୮ଜଣ, ଏରସମା ବ୍ଲକର ୭ଜଣ, ନାଉଗାଁ ବ୍ଲକର ୨ଜଣ, ତିର୍ତ୍ତୋଲ ବ୍ଲକର ୧୬ଜଣ, ପାରାଦ୍ଵୀପ ମ୍ୟୁନିସିପାଲିଟିର ୧ଜଣ ଓ ଜଗତସିଂହପୁର ମ୍ୟୁନିସିପାଲିଟିର ୩ଜଣ ଅଛନ୍ତି।

ସେହିପରି ଆଜି ଜଗତସିଂହପୁର ଜିଲ୍ଲାକୁ ବିଭିନ୍ନ ରାଜ୍ୟ ଓ ଜିଲ୍ଲାରୁ ୯୭ଜଣ ପ୍ରବାସୀ ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେମାନଙ୍କର ସ୍ୱାବ ସଂଗ୍ରହ ପରେ ସେମାନଙ୍କୁ ନିଜ ନିଜ ବ୍ଲକକୁ ପଠାଇ ଦିଆଯାଇଛି। ସେମାନଙ୍କ ମଧ୍ୟରେ ଜଗତସିଂହପୁର ବ୍ଲକ ଓ ମ୍ୟୁନିସିପାଲିଟିରୁ ୨୯ଜଣ,ଏରସମା ବ୍ଲକର ୨୦ଜଣ, ତିର୍ତ୍ତୋଲ ବ୍ଳକର ୧୭ଜଣ, କୁଜଙ୍ଗ ବ୍ଲକର ୫ଜଣ, ବାଲିକୁଦା ବ୍ଲକର ୭ଜଣ, ରଘୁନାଥପୁର ବ୍ଲକର ୪ଜଣ, ନାଉଗାଁ ବ୍ଲକର ୧୨ଜଣ, ବିରିଡି ବ୍ଲକର ୧ଜଣ ହୋଇଥିବା ବେଳେ ୨ଜଣଙ୍କୁ ବ୍ଲକକୁ ପଠାନଯାଇ ଏସ୍.ଭି.ଏମ୍ କଲେଜରେ । ଜିଲ୍ଲାରେ ଗତକାଲି ସୁଦ୍ଧା ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ୯୫୪୨ଟି ଶଯ୍ୟା ବ୍ୟବସ୍ଥା ସମ୍ପୁର୍ଣ୍ଣ ହୋଇଛି। ତନ୍ମଧ୍ୟରୁ ଗ୍ରାମାଞ୍ଚଳରେ ୯୪୩୨ଟି ଶଯ୍ୟା ଓ ସହରାଞ୍ଚଳରେ ୧୧୦ଟି ଶଯ୍ୟା ବ୍ୟବସ୍ଥା କରାଯାଇଛି।

ଗତକାଲି ସୁଦ୍ଧା ଜିଲ୍ଲାରୁ ମୋଟ୍ ୧୧୪୬ଟି ସ୍ୱାବ ସଂଗୃହୀତ ହୋଇଥିବା ବେଳେ ସେଥିମଧ୍ୟରୁ ୯୮୩ଟି ନେଗେଟିଭ୍ ,୫ଟି ପଜିଟିଭ୍ ଓ ୧୫୮ଟିର ରିପୋର୍ଟ ଆସିବାକୁ ବାକି ରହିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଗତକାଲି ନାଉଗାଁ ବ୍ଲକ୍ ଡେରିକ୍ ପଞ୍ଚାୟତର ଜଣେ ୭୦ବର୍ଷ ବୟସ୍କ ପଶ୍ଚିମବଙ୍ଗ ଫେରନ୍ତାଙ୍କର କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ଭୂବନେଶ୍ବର କିମସ୍ ହସପିଟାଲକୁ ପଠାଯାଇଛି। ସେ ରହୁଥିବା ମଉଳାଭଣଜା ମହାବିଦ୍ୟାଳୟ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାନିଟାଇଜ୍ କରାଯାଇ ସିଲ୍ କରାଯାଇଛି। ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିସହିତ ସମସ୍ତ ଜିଲ୍ଲାବାସୀ ଆତଙ୍କିତ ନହୋଇ ସତର୍କତା ଅବଲମ୍ବନ କରିବା ସହିତ ଅତ୍ୟାବଶ୍ୟକ କାର୍ଯ୍ୟ ନଥିଲେ ଘରୁ ନବାହାରିବା, ସମସ୍ତେ ମାସ୍କ ପରିଧାନ କରିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ସହିତ ହାତକୁ ବାରମ୍ବାର ସାବୁନ୍ କିମ୍ବା ହ୍ୟାଣ୍ଡୱାସରେ ଧୋଇବା ପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଅରେଞ୍ଜ ଜୋନ୍‌ରେ ଜଗତସିଂହପୁର ଜିଲ୍ଲା : ୫ କରୋନା ଆକ୍ରାନ୍ତଙ୍କ ତଥ୍ୟ ଜାରି

ରମେଶ ମହାନ୍ତି

ଜଗତସିଂହପୁର :ଜଗତସିଂହପୁର ଜିଲ୍ଲାରେ ଗତକାଲି ପ୍ରଥମକରି ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ୪ ଜଣ କରୋନା ଆକ୍ରାନ୍ତ ସୁରାଟ ଫେରନ୍ତା ଏବଂ ଉକ୍ତ ୪ ଜଣ ଆକ୍ରାନ୍ତଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୪ଟି ପୃଥକ୍ ଆମ୍ବୁଲାନ୍ସରେ ଭୁବନେଶ୍ବର କିମସ୍ ହସପିଟାଲକୁ ଗତକାଲି ରାତିରେ ପଠାଇ ଦିଆଯାଇଛି ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ସମସ୍ତ ୪ ଜଣ ଆକ୍ରାନ୍ତ ନାଉଗାଁ ବ୍ଲକ ଅଞ୍ଚଳର ଓ ସେମାନଙ୍କୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରଖାଯାଇଥିଲା। ସେମାନେ ରହୁଥିବା କ୍ୱାରେଣ୍ଟାଇନ୍ କେନ୍ଦ୍ରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାନିଟାଇଜ୍ କରାଯାଇ ସିଲ୍ କରାଯିବା ସହିତ ସଂପୃକ୍ତ କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆକ୍ରାନ୍ତଙ୍କ ବୟସ ୨୬ ବର୍ଷ,୩୨ ବର୍ଷ, ୩୦ ବର୍ଷର ଯୁବକ ହୋଇଥିବା ବେଳେ ଅନ୍ୟଜଣକ ୪୭ ବର୍ଷ ବୟସ୍କ ଅଟନ୍ତି।ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଗାଡିରେ ସେମାନଙ୍କୁ ଚାଉଳିଆଗଞ୍ଜ କଟକରୁ ଆଣି ଜଗତସିଂହପୁର ସରଳାଦେବୀ କଲ୍ୟାଣମଣ୍ଡପ ଠାରେ ସେମାନଙ୍କ ଠାରୁ ସ୍ୱାବ ସଂଗ୍ରହ କରାଯାଇଥିଲା ଏବଂ ଏକ ସ୍ୱତନ୍ତ୍ର ଗାଡିରେ ନାଉଗାଁ ବ୍ଲକ୍ ଜାମୁଗାଁ ପଞ୍ଚାୟତର କଣ୍ଟୁଣିଆ ୟୁ.ପି ସ୍କୁଲ୍ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଥିଲା।ସେମାନେ ସିଧାସଳଖ ସଂଗରୋଧ ଗୃହକୁ ଯାଇ ସେଠାରେ ରହିଥିବାରୁ ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣର ଭୟ ନାହିଁ।

ସେହିପରି ଗତକାଲି ମେ,୬ ତାରିଖରେ ୩୦ ଜଣ ପ୍ରବାସୀ ବିଭିନ୍ନ ରାଜ୍ୟରୁ ଜିଲ୍ଲାକୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୧୨ଜଣ ତେଲେଙ୍ଗାନା, ୨ଜଣ ଗୁଜୁରାଟ, ୧ଜଣ କର୍ଣ୍ଣାଟକ, ୧ଜଣ ଛତିଶଗଡ଼, ୬ଜଣ ପଶ୍ଚିମବଙ୍ଗ, ୧ଜଣ ମହାରାଷ୍ଟ୍ର, ୪ଜଣ ଝାଡଖଣ୍ଡ, ୧ଜଣ ଉତ୍ତରପ୍ରଦେଶ, ୧ଜଣ କେନ୍ଦ୍ରାପଡ଼ା ଓ ୧ଜଣ ଭଦ୍ରକରୁ ଆସିଛନ୍ତି। ସରଳାଦେବୀ କଲ୍ୟାଣ ମଣ୍ଡପଠାରେ ସେମାନଙ୍କ ଠାରୁ ସ୍ୱାବ ସଂଗ୍ରହ ପରେ ବିରିଡ଼ି ବ୍ଲକକୁ ୪ଜଣ ,ଜଗତସିଂହପୁର ବ୍ଲକ୍ କୁ ୫ଜଣ, ନାଉଗାଁ ବ୍ଲକ୍ କୁ ୨ଜଣ, କୁଜଙ୍ଗ ବ୍ଲକ୍ କୁ ୬ଜଣ, ତିର୍ତ୍ତୋଲ ବ୍ଲକ୍ କୁ ୬ଜଣ ଓ ରଘୁନାଥପୁର ବ୍ଲକ୍ କୁ ୭ଜଣଙ୍କୁ ବିଭିନ୍ନ କ୍ୱାରେଣ୍ଟାଇନ୍ କେନ୍ଦ୍ରକୁ ପଠାଯାଇଛି।

ଆଜି ଜିଲ୍ଲାରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଜଣକ ନାଉଗାଁର ହୋଇଥିବାବେଳେ ତାଙ୍କ ବୟସ ୭୦ ବର୍ଷ ବୋଲି ଜଣାପଡିଛି । ସେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଛି । ଆଗରୁ ତାଙ୍କଠାରେ କୌଣସି କରୋନା ଲକ୍ଷଣ ଦେଖା ଯାଇ ନ ଥିବାବେଳେ ସେ ପୂର୍ବରୁ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ । ପଜିଟିଭ୍‌ ଜଣାପଡିବା ପରେ ତାଙ୍କୁ କିମସ୍‌ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁର : ଗତକାଲି ପରୀକ୍ଷା ହୋଇଥିବା 43ଟି ସ୍ବାବ୍‌ ନମୁନା ନେଗେଟିଭ୍‌

ରମେଶ ମହାନ୍ତି

ଜଗତସିଂହପୁର : କରୋନା ଭୂତାଣୁ କୋଭିଡ୍‌ର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଦେଶର ବିଭିନ୍ନ ରାଜ୍ୟର ଓଡ଼ିଆ ପ୍ରବାସୀମାନେ ରାଜ୍ୟକୁ ଫେରିବା ପାଇଁ ପଞ୍ଜିକରଣ କରିଛନ୍ତି। ଏହି କ୍ରମରେ ଜଗତସିଂହପୁର ଜିଲ୍ଲାକୁ ଗତ ମେ ତିନି ତାରିଖରେ 36 ଜଣ ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀମାନେ ଜିଲ୍ଲାକୁ ଫେରିଥିଲେ। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ମେଡ଼ିକାଲ୍‌ ଟିମ୍‌ ଦ୍ବାରା ମ୍ୟୁନିସିପାଲିଟିର ସରଳା ଦେବୀ କଲ୍ୟାଣମଣ୍ଡପଠାରେ ସେମାନଙ୍କର ସ୍ବାବ ସଂଗୃହୀତ ହୋଇ ସେମାନଙ୍କୁ ନିଜ ନିଜ ପଞ୍ଚାୟତରେ ଅସ୍ଥାୟୀ ଚିକିତ୍ସା ଶିବିରରେ ସଙ୍ଗରୋଧ କରାଯାଇଛି। ଗତକାଲି ସେହି 36 ଜଣ ପ୍ରବାସୀଙ୍କର ସ୍ବାବ ନମୁନା ନେଗେଟିଭ୍‌ ଆସିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଗତକାଲି ଦ୍ବିତୀୟ ଦିବସରେ (ମେ ଚାରି ତାରିଖ)ଦିନ 48ଜଣ ପ୍ରବାସୀ ଓଡ଼ିଆ ଜିଲ୍ଲାକୁ ଆସିଛନ୍ତି। ସେମାନଙ୍କର ସ୍ବାବ ସଂଗ୍ରହ ପରେ ସମ୍ପୃକ୍ତ ବ୍ଲକ୍‌ ଓ ମ୍ୟୁନିସ୍‌ପାଲିଟିର କ୍ବାରେଣ୍ଟାଇନ୍‌ ଶିବିରରେ ରଖାଯାଇଛି। ଗତକାଲି ମେ’ ଚାରି ତାରିଖରେ 48 ଜଣ ପ୍ରବାସୀ ଓଡ଼ିଆ ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେମାନଙ୍କ ମଧ୍ୟରୁ କେରଳ ରାଜ୍ୟର ଏର୍ଣ୍ଣାକୁଲମ୍‌ରୁ 14 ଜଣ, ଗୁଜୁରାଟର ସୁରାଟରୁ 8 ଜଣ, ବାଙ୍ଗାଲୋରରୁ 23 ଜଣ, ଛତିଶଗଡର ରାୟପୁରରୁ 2 ଜଣ ଏବଂ ମଧ୍ୟପ୍ରଦେଶରୁ 1 ଜଣ ପ୍ରବାସୀ ଓଡ଼ିଆ ଅନ୍ତର୍ଭୁକ୍ତ। ଏହି 48 ଜଣଙ୍କ ମଧ୍ୟରୁ ତିର୍ତ୍ତୋଲ୍‌ ବ୍ଲକର 17ଜଣ , ଜଗତସିଂହପୁର ମ୍ୟୁନିସ୍‌ପାଲିଟିର ତିନିଜଣ, ବାଲିକୁଦା ବ୍ଲକର 12 ଜଣ, ନାଉଗାଁର 7 ଜଣ, ଏରସମାର ତିନି ଜଣ ରଘୁନାଥୁର ବ୍ଲକର 4 ଜଣ, ବିରିଡି ବ୍ଲକର 1 ଜଣ ଏବଂ ଜଗତସିଂହପୁର ବ୍ଲକର 1 ଜଣ ରହିଛି ବୋଲି ସୂଚନା ରହିଛି । ଏହି 48ଜଣଙ୍କ ମଧ୍ୟରୁ 43ଜଣଙ୍କର  ନମୁନା ପରୀକ୍ଷା ହୋଇଥିଲା । ଏହି ସମସ୍ତ ସ୍ବାବ ନମୁନା ନେଗେଟିଭ୍‌ ଆସିଛି ବୋଲି ସୂଚନା ରହିଛି ।

ଆଜି ମଧ୍ୟାହ୍ନ ସୁଦ୍ଧା ମିଳିଥିବା ସୂଚନାରୁ ଜଣାପଡିଛି 21 ଜଣ ପ୍ରବାସୀ ଜିଲ୍ଲାକୁ ଫେରୁଛନ୍ତି। ସେମାନଙ୍କ ମଧ୍ୟରୁ ଚାରି ଜଣ ଖୋର୍ଦ୍ଧା ଓ 1 ଜଣ ଗଞ୍ଜାମରୁ ଆସିବେ। ନାଉଗାଁ ବ୍ଲକ୍‌ ଅଞ୍ଚଳର 13 ଜଣ ପଶ୍ଚିମବଙ୍ଗରୁ ଫେରୁଛନ୍ତି। ସେହିପରି ବାଲିକୁଦା ବ୍ଲକ ଅଞ୍ଚଳର ଦୁଇ ଜଣ ଛତିଶଗଡରୁ ଓ 1 ଜଣ ଝାଡଖଣ୍ଡରୁ ଫେରୁଛନ୍ତି। ସମସ୍ତ ପ୍ରବାସୀ ଓଡ଼ିଆଙ୍କର ସରଳାଦେବୀ କଲ୍ୟାଣ ମଣ୍ଡପରେ ସ୍ବାବ ସଂଗ୍ରହ ପରେ ସେମାନଙ୍କୁ ବ୍ଲକ୍‌ ଓ ମ୍ୟୁନିସ୍‌ପାଲଟି କ୍ବାରେଣ୍ଟାଇନ୍‌ ସେଣ୍ଟରକୁ 14 ଦିନ ସଙ୍ଗରୋଧ ନିମେନ୍ତ ପଠାଇ ଦିଆଯିବ। ବିଶ୍ବ ମହାମାରୀ କୋଭିଡ୍‌ -19ର ଦ୍ରୁତ ସଂକ୍ରମଣକୁ ପ୍ରତିରୋଧ କରିବା ଓ ଅପ୍ରୀତିକର ପରିଣାମ ଯେପରି ନ ଘଟିବାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସମଗ୍ର ଜଗତସିଂହପୁର ଜିଲ୍ଲାରେ ସନ୍ଧ୍ୟା 7ଟାରୁ ସକାଳ 7ଟା ପର୍ଯ୍ୟନ୍ତ 12 ଘଣ୍ଟିଆ କର୍ଫ୍ୟୁ ଜାରି କରିଛନ୍ତି। ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ କାମ ନଥିଲେ ଲୋକମାନଙ୍କ ଚଳପ୍ରଚଳ ଉପରେ କଟକଣା ଜାରି କରାଯାଇଛି। ଏହାର ବ୍ୟତିକ୍ରମ ହେଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତୃତୀୟ ତାଲାବନ୍ଦ ସମୟରେ ସିନେମା ହଲ୍‌, ସପିଂ ମଲ୍‌, ଜିମ୍‌ନାସିୟମ୍‌, ସ୍ପୋର୍ଟସ୍‌ କମ୍ପ୍ଲେକ୍ସ, ସୁଇମିଂ ପୁଲିସ୍‌, ପାର୍କ, ଥିଏଟର, ବାର, ଅଡିଟୋରିୟମ୍‌ ଗୁଡିକ ବନ୍ଦ ରହିବ। ସମସ୍ତ ସାମାଜିକ, ରାଜେନୈତିକ, କ୍ରୀଡ଼ା, ଅମୋଦ ପ୍ରମୋଦ, ବିଦ୍ୟାଳୟ, ମହାବିଦ୍ୟାଳୟ, ସାଂସ୍କୃ୍ତିକ, ଧାର୍ମିକ କାର୍ଯ୍ୟ, ଅନ୍ୟାନ୍ୟ ଜନସମାବେଶ ଜିଲ୍ଲାରେ ଏହି ସମୟ ମଧ୍ୟରେ ଅନୁଷ୍ଠିତ ହୋଇ ପାରିବ ନାହିଁ। ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ, ପୂଜାସ୍ଥଳୀଗୁଡିକ ସର୍ବସାଧାରଣଙ୍କ ଦର୍ଶନ ନିମେନ୍ତ କଟକଣା ଜାରି କରାଯାଇଛି। ଜିଲ୍ଲାରେ ଚା ଦୋକାନ, ହୋଟେଲ୍‌ (ଅନୁମତି ବିହୀନ), ରେଷ୍ଟୁରାଣ୍ଟ (ଅନୁମତି ପ୍ରାପ୍ତ ଗୃହ ଡେଲିଭରି ବ୍ୟତୀତ) ଇଲୋକ୍ଟ୍ରାନିକ୍ସ ଦୋକାନ, ଗହଣା ଦୋକାନ, ବିଉଟି ପାର୍ଲର, ସେଲୁନ୍‌, ସ୍ପା, ଜିମ୍‌ନାସିୟମ୍‌, ସୁଇମିଂଫୁଲ୍‌, ଫାଷ୍ଟଫୁଡ୍‌ (ଠେଲାଗାଡି), ଟିଫିନ୍‌ ଷ୍ଟଲ୍‌, ଗହଣା ଦୋକାନ, ପାନଦୋକାନ,ଟୋବାକୋ, ଗୁଟ୍‌ଖା, ଚୁଇଙ୍ଗମ୍‌ ଆଦି ଖୋଲି ପାରିବ ନାହିଁ । ସମସ୍ତ ଅବକାରୀ ଦୋକାନ ବନ୍ଦ ରହିବ । ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ (ଔଷଧ ଦୋକାନ) ବ୍ୟତୀତ ଓ ଅଣ ଅତ୍ୟାବଶ୍ୟକୀୟ ଦୋକାନ ସାମାଜିକ ଦୂରତ୍ବ, ମାସ୍କ ବ୍ୟବହାର କରି ଧାର୍ଯ୍ୟ ସମୟ ସକାଳ 7ଟାରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ଚାଲି ପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି ।

Categories
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ: ତିର୍ତ୍ତୋଲର ୬୦ ଶ୍ରମିକଙ୍କୁ ପଠାଯିବ ନୂଆପଡ଼ା

ରମେଶ ମହାନ୍ତି
ଜଗତସିଂହପୁର: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଓସୱାନ୍ ଭି.ସି ରୁମ୍ ଠାରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଭିଡିଓ କନଫରେନ୍ସ ମାଧ୍ୟମରେ ଏକ ସମୀକ୍ଷା ବୈଠକ କରିଛନ୍ତି। ମେ ୩ ତାରିଖ ଲକ୍ ଡାଉନ୍ ପରେ ବିଭିନ୍ନ ରାଜ୍ୟରୁ ଜିଲ୍ଲାକୁ ଫେରିବାକୁ ଥିବା ଶ୍ରମିକମାନଙ୍କୁ ସଂଗରୋଧରେ ରଖିବା ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର (ଟି.ଏମ୍.ସି)ପ୍ରସ୍ତୁତି ସଂମ୍ପର୍କରେ ବିଡିଓ ଏବଂ ନିର୍ବାହୀ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଥିଲା। ସୋମବାର ସୁଦ୍ଧା ବିଭିନ୍ନ ରାଜ୍ୟରୁ ୧୨,୭୯୨ ଜଣ ବ୍ୟକ୍ତି ଜିଲ୍ଲାକୁ ଆସିବା ପାଇଁ ଅନଲାଇନ୍ ପଞ୍ଜିକରଣ କରିଛନ୍ତି ବୋଲି ଜିଲ୍ଲାପାଳ ଏହି ବୈଠକରେ ସୂଚନା ଦେଇଛନ୍ତି। ଆହୁରି 30 ହଜାର ଲୋକ ଆବେଦନ କରିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଜିଲ୍ଲାରେ ୧୯୩ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ କରାଯାଇ ୩୩୫୩ ଶଯ୍ୟା ଓ ସହରାଞ୍ଚଳରେ ୪ଟି ଅସ୍ଥାୟୀ କେନ୍ଦ୍ରରେ ୮୩ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି। ଅନ୍ୟୂନ ଆହୁରି ୧୦ହଜାର ଶଯ୍ୟା ବ୍ୟବସ୍ଥା କରିବାକୁ ବିଡିଓ ମାନେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ନେଇ ଜିଲ୍ଲାପାଳ ମତ ଦେଇଥିଲେ। ପ୍ରତ୍ୟେକ ପଞ୍ଚାୟତରେ ୩ରୁ ୪ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ପାଇଁ ମଧ୍ୟ ଜିଲ୍ଲାପାଳ ମତ ଦେଇଛନ୍ତି। ଏଥି ନିମନ୍ତେ ପ୍ରତ୍ୟେକ ବ୍ଲକ୍, ହାଇସ୍କୁଲ, କଲେଜ, ବହୁମୁଖି ବାତ୍ୟା ଆଶ୍ରୟସ୍ଥଳ, ନୋଡାଲ୍ ଏମ୍.ଇ ସ୍କୁଲ୍, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚିହ୍ନଟ କରି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ କରାଯିବ। ପ୍ରାଥମିକ ପ୍ରସ୍ତୁତି ସ୍ୱରୂପ ଘର ରଙ୍ଗଦେବା, ବିଦ୍ୟୁତ୍ ଓ ପାନୀୟଜଳ ବ୍ୟବସ୍ଥା, ପରିମଳ ନିମନ୍ତେ ପାଇଖାନା ନିର୍ମାଣ ପାଇଁ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ସେହିପରି ତିର୍ତ୍ତୋଲ ଅଞ୍ଚଳରେ ରହିଥିବା ୬୦ଜଣ ନୂଆପଡ଼ା ଶ୍ରମିକଙ୍କୁ ବସ୍ ମାଧ୍ୟମରେ ନୂଆପଡ଼ା ଜିଲ୍ଲାକୁ ପଠାଇବା ପାଇଁ ବ୍ୟବସ୍ଥା କରାଯିବ। ସେହିପରି ଏରସମା ବ୍ଲକର ଢିଙ୍କିଆ ପଞ୍ଚାୟତରେ କେନ୍ଦୁଝର ଜିଲ୍ଲାର ୧୦୦ରୁ ଉର୍ଦ୍ଧ ଶ୍ରମିକ ଅଛନ୍ତି। ପ୍ରାୟ ପ୍ରତ୍ୟେକ ପଞ୍ଚାୟତକୁ ୧୦୦ରୁ ୧୫୦ଜଣ ଲୋକ ଫେରିବେ ବୋଲି ଆଶା କରାଯାଉଛି। ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରତ୍ୟେକ ପ୍ରାପ୍ତବୟସ୍କଙ୍କ ପାଇଁ ଦିନକୁ ଖାଦ୍ୟ ବାବଦରେ ୧୨୦ଟଙ୍କା ଓ ୧୪ ବର୍ଷରୁ କମ୍ ପିଲାଙ୍କ ପାଇଁ ଦିନକୁ ୧୦୦ଟଙ୍କା ୧୪ଦିନ ପର୍ଯ୍ୟନ୍ତ ଖର୍ଚ୍ଚ କରାଯିବ। ଜିଲ୍ଲାରେ କୋଭିଡ୍ ନିୟମ ଅବମାନନା କରୁଥିବା ବ୍ୟକ୍ତିଙ୍କୁ ପୋଲିସ୍ ପକ୍ଷରୁ ଅଧିକ ଫାଇନ୍ ଆଦାୟ ହୋଇଥିବା ବେଳେ ତହସିଲଦାର ଓ ନିର୍ବାହୀ ଅଧିକାରୀମାନେ ଫାଇନ୍ ଆଦାୟ କରୁଛନ୍ତି। ପାରାଦ୍ୱୀପ ବନ୍ଦର ସହର ଦେଶର ଜୀବନରେଖା ହୋଇଥିବାରୁ ଏଠାକୁ ଯେପରି କୋଭିଡ୍ ପେସେଣ୍ଟ୍ ନ ଆସନ୍ତି ସେଥିପ୍ରତି ଅଧିକ ଗୁରୁତ୍ବ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଭାରତୀୟ ତୈଳ ନିଗମ,ପାରାଦ୍ୱୀପ ବନ୍ଦର, ଇଫକୋ ଓ ପି.ପି.ଏଲ୍ ସାର କାରଖାନା, ଖାଇବାତେଲ ପ୍ରକଳ୍ପ ଓ ଅନ୍ୟାନ୍ୟ ବୃହତ୍ ଶିଳ୍ପସଂସ୍ଥା ରାଜ୍ୟ ଓ ଦେଶର ପ୍ରଗତିର ମୁଖଶାଳା ଅଟେ।ପ୍ରତ୍ୟେକ ଶିଳ୍ପସଂସ୍ଥା କର୍ତୃପକ୍ଷ ଥର୍ମାଲ୍ ସ୍କାନର୍ ରଖିବା,କର୍ମଚାରୀ ମାନଙ୍କର ହେଲଥ ଚେକ୍ ଅପ୍ କରିବା, ଅଳ୍ପ ସଂଖ୍ୟକ କର୍ମଚାରୀ ସାମାଜିକ ଦୂରତା ମଧ୍ୟରେ କାରଖାନା କାର୍ଯ୍ୟ ଚାଲୁ ରଖିବା କାର୍ଯ୍ୟ ଅତିରିକ୍ତ ଜିଲ୍ଲାପାଳ ଓ ତହସିଲଦାର ତଦାରଖ କରିବେ। ଗତକାଲି ସୁଦ୍ଧା ଜିଲ୍ଲାରୁ ୬୦୩ଟି ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ ପାରାଦ୍ବୀପରୁ ୨୦୦ରୁ ଉର୍ଦ୍ଧ ନମୁନା ଅନ୍ତର୍ଭୁକ୍ତ ଅଛି। କୌଣସି ସରକାରୀ ଅଧିକାରୀ ଓ କର୍ମଚାରୀ କଟକ ଓ ଭୁବନେଶ୍ବରରୁ ଯିବା ଆସିବା କରୁଥିଲେ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଜଗତସିଂହପୁର ସଚ୍ଚିଦାନନ୍ଦ ସାହୁ,ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀର, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି, ଜିଲ୍ଲା ଶ୍ରମଅଧିକାରୀ, ବିଡିଓ, ନିର୍ବାହୀ ଅଧିକାରୀ, ଜିଲ୍ଲାପାଳଙ୍କ ଓ.ଏସ୍.ଡି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ଆଞ୍ଚଳିକ

ପଣା ସଂକ୍ରାନ୍ତି ଓ ଝାମୁଯାତ୍ରାକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରୀ କଲେ ଜିଲ୍ଲାପାଳ

ରମେଶ ମହାନ୍ତି

ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣକୁ ମୁକାବିଲା କରିବା ନିମନ୍ତେ ସରକାର ଯୋରଦାର ଉଦ୍ୟମ ଚଳାଇଛନ୍ତି।ଏଭଳି ପରିସ୍ଥିତିରେ ଏକାଧିକ ଲୋକ ଏକାଠି ହେବା ବିପଦ ସୃଷ୍ଟି କରିପାରେ। ଏପରିକି ଗତବର୍ଷ ପଣା ସଂକ୍ରାନ୍ତି ଓ ଝାମୁଯାତ୍ରା ବେଳେ ହୋଇଥିବା ଭିଡକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ବିଭିନ୍ନ ମନ୍ଦିର ଓ ଦେବାଦେବୀ ପୀଠ ମାନଙ୍କରେ ୧୪୪ ଧାରା ଜାରୀ କରିଛନ୍ତି। ଏହି ୧୪୪ ଧାରା ୧୨.୦୪. ୨୦୨୦ରିଖ ଠାରୁ ୧୪.୦୪.୨୦୨୦ ରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟରେ ୪ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ସମସ୍ତ ସାମାଜିକ ପର୍ବପର୍ବାଣୀ ଓ କର୍ମକର୍ମାଣୀ ଆୟୋଜନ ଉପରେ କଟକଣା ଜାରି କରାଯାଇଛି। ଏହି ଧାରା ମା’ଶାରଳାଙ୍କ ମନ୍ଦିର କନକପୁର ତିର୍ତ୍ତୋଲ, ମା’ଭଗବତୀ ମନ୍ଦିର ପରହାଟ, ବାଲିକୁଦା, ରାମଘାଟ ହନୁମାନ ମନ୍ଦିର, ନୁଆବଜାର ତାରିଣୀ ମନ୍ଦିର, ଷଣ୍ଢକୁଦ କାଳୀ ମନ୍ଦିର ପାରାଦ୍ବୀପ, ଗାରୋଇ ଜଗନ୍ନାଥ ମନ୍ଦିର ନାଉଗାଁ ଏବଂ ଧ୍ୟାନକୁଦ ଜଗନ୍ନାଥ ମନ୍ଦିର ବିରିଡି ନିମନ୍ତେ ଲାଗୁ କରାଯାଇଛି।

Categories
ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁରରୁ କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ

ରମେଶ ମହାନ୍ତି

ଜଗତସିଂହପୁର: କରୋନା ଭୂତାଣୁ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ଲୋକମାନେ। ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜଗତସିଂହପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ବିଜୟ ଲକ୍ଷ୍ମୀ ବେହେରା କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ଲକ୍ଷ ୫ହଜାର ଟଙ୍କାର ଚେକ୍ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ପ୍ରଦାନ କରିଛନ୍ତି। ବ୍ଲକର ଅଧ୍ୟକ୍ଷା ଓ ସରପଞ୍ଚ ମାନେ ଏହି ରାଶି ପ୍ରଦାନ କରିଛନ୍ତି।

ସେହିପରି ଓଡ଼ିଶା ରାଜସ୍ବ ଅମଲାସଂଘ ଜଗତସିଂହପୁର ଜିଲ୍ଲା ଶାଖା ତରଫରୁ ସଭାପତି ନିହାର ରଞ୍ଜନ ଦାସ, ସମ୍ପାଦକ ଦୁର୍ଗା ପ୍ରଶନ୍ନ ଦାସ, କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ମହାପାତ୍ର ରାଜ୍ୟରେ କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ଲକ୍ଷ ଟଙ୍କାର ଚେକ୍ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।

ପୂର୍ବରୁ ରଘୁନାଥପୁର ନୀଳିମା ମହାସଂଘ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୧ହଜାର ଟଙ୍କା ପ୍ରଦାନ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁରରେ କରୋନା କଟକଣାକୁ ମାନୁନାହାଁନ୍ତି ଲୋକେ: ପୁଣି ସାପ୍ତାହିକ ହାଟରେ ଏକତ୍ରିତ ହେଲେ ହଜାର ହଜାର ଲୋକ

ରମେଶ ମହାନ୍ତି

ଜଗତସିଂହପୁର: ଗତ ମଙ୍ଗଳବାର ଦିନ ତିର୍ତ୍ତୋଲ ନେହେରୁ ପଡିଆ ସାପ୍ତାହିକ ହାଟରେ ଏକତ୍ରିତ ହୋଇଥିଲେ ଶତାଧିକ ଲୋକ। ପୁଣି ଜଗତସିଂହପୁର ସୋମନାଥ ହାଟରେ  ଏକତ୍ରିତ ହେଲେ ହଜାର ହଜାର ଲୋକ। କରୋନା ଭୂତାଣୁ ସଂକ୍ରମଣକୁ ନେଇ ରାଜ୍ୟର ସମସ୍ତ ଜିଲ୍ଲାରେ ଲକ ଡାଉନ ଘୋଷଣା କରାଯାଇଥିବା ବେଳେ ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ହେଲେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବାହାନାରେ ଗୋଟିଏ ସ୍ଥାନରେ ଶତାଧିକ ଲୋକ ରୁଣ୍ଡ ହେଉଥିଲେ ମଧ୍ୟ ପ୍ରଶାସନିକ ତତ୍ପରତାର ଅଭାବ ଓ ଜିଲ୍ଲା ପୋଲିସ୍ ର କୋହଳ ମନୋଭାବ ମୁଣ୍ଡବିନ୍ଧାର କାରଣ ସାଜିଛି।

ଏପରିକି ଗତ ମଙ୍ଗଳବାର ଦିନ ତିର୍ତ୍ତୋଲର ସାପ୍ତାହିକ ନେହେରୁ ହାଟରେ ଶତାଧିକ ଲୋକ ଏକତ୍ରିତ ହୋଇଥିବାର ଦୃଶ୍ୟ ଖବର ପ୍ରସାରଣ ହେବା ପରେ ମଧ୍ୟ ଏଥିପ୍ରତି ନିଘାନାହିଁ ଜିଲ୍ଲା ପ୍ରଶାସନର। ପୁଣି ଜଗତସିଂହପୁର ସାପ୍ତାହିକ ସୋମନାଥ ହାଟରେ ଏକ୍ରତିତ ହୋଇଛନ୍ତି ହଜାର ହଜାର ଲୋକ। ଜଗତସିଂହପୁର ପୋଲିସ୍ ଉପସ୍ଥିତିରେ କରୋନା କଟକଣାକୁ ନମାନି ଏତେ ସଂଖ୍ୟାରେ ଲୋକ ଏକତ୍ରୀତ ହେବାଭଳି ଅଭାବନୀୟ ଦୃଶ୍ୟ ସାଧାରଣରେ ଚକିତ କରିଛି। ପୋଲିସ୍ ଉପସ୍ଥିତିରେ ହଜାର ହଜାର ଲୋକ ଏକାଠି ହେବା ପୋଲିସ୍ ର କୋହଳ ମନୋଭାବ ବୋଲି କୁହାଯାଉଛି।

ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବାହାନାରେ ଗୋଟିଏ ସ୍ଥାନରେ ଏକାଠି ହୋଇଛନ୍ତି ହଜାର ହଜାର ଲୋକ। ବେପରୁଆ ଢଙ୍ଗରେ ଚାଲିଛି କିଣାବିକା। କରୋନା ସଂକ୍ରମଣ ନେଇ ସରକାର କଟକଣା ଜାରି କରିଥିଲେ ମଧ୍ୟ ମାନୁନାହାଁନ୍ତି ଲୋକେ। ଜିଲ୍ଲାର ସବୁଠୁ ବଡ ସାପ୍ତାହିକ ହାଟ କୁହାଯାଉଥିବା ଏହି ସୋମନାଥ ହାଟ ଆଜି ସକାଳୁ ଆରମ୍ଭ ହୋଇଥିବା ବେଳେ ପୋଲିସ୍ ଉପସ୍ଥିତିରେ କଟକଣାକୁ ନମାନି ହଜାର ହଜାର ଲୋକ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇଥିବା ଖବର ପାଇ ଜିଲ୍ଲାପାଳ ଦିନପ୍ରାୟ ୧୧ଟା ବେଳେ ଉକ୍ତ ହାଟରେ ପହଂଚି ଲୋକମାନଙ୍କୁ ଏକତ୍ରିତ ନହେବାକୁ ବୁଝାଇଥିଲେ ବୋଲି ଜଣାପଡିଛି। ପୋଲିସ୍ ଉପସ୍ଥିତିରେ ଲୋକଙ୍କ ବେପରୁଆ ଢଙ୍ଗ ଅନ୍ୟମାନଙ୍କ ପାଇଁ ମରଣର କାରଣ ହୋଇପାରେ ବୋଲି କୁହାଯାଉଛି।

Categories
ଆଜିର ଖବର

ତିର୍ତ୍ତୋଲରେ କରୋନା କଟକଣାକୁ ବେଖାତିର: ସାପ୍ତାହିକ ହାଟରେ ଏକତ୍ରିତ ହେଲେ ଶତାଧିକ ଲୋକ

ରମେଶ ଚନ୍ଦ୍ର ମହାନ୍ତି

ଜଗତସିଂହପୁର: କରୋନା କୁ ନେଇ ରାଜ୍ୟର ୧୪ଟି ଜିଲ୍ଲାରେ ଲକ ଡାଉନ ଘୋଷଣା କରାଯାଇଛି। ଘରୁ ଲୋକଙ୍କୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ହେଲେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବାହାନାରେ ଗୋଟିଏ ସ୍ଥାନରେ ଶତାଧିକ ଲୋକ ରୁଣ୍ଡ ହେଉଥିଲେ ମଧ୍ୟ ପ୍ରଶାସନିକ ତତ୍ପରତାର ଅଭାବ ମୁଣ୍ଡବିନ୍ଧାର କାରଣ ସାଜିଛି। ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଅଞ୍ଚଳରେ। ଗୋଟିଏ ସ୍ଥାନରେ ଏକାଧିକ ଲୋକ ଏକାଠି ହେବା ଉପରେ କଟକଣା ଜାରି ହୋଇଛି। ହେଲେ ମାନୁନାହାଁନ୍ତି ଲୋକେ।

ତିର୍ତ୍ତୋଲ ବ୍ଲକ ନେହେରୁ ବଜାର ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ। ଲୋକ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ବାହାନାରେ ଗୋଟିଏ ସ୍ଥାନରେ ଏକାଠି ହୋଇଛନ୍ତି ଶତାଧିକ ଲୋକ। ବେପରୁଆ ଢଙ୍ଗରେ ଚାଲିଛି କିଣାବିକା। କରୋନା ଭୟରେ ଲୋକଙ୍କୁ ସଚେତନ ହେବା ପାଇଁ ସରକାର କଟକଣା ଜାରି କରିଥିଲେ ମଧ୍ୟ ମାନୁନାହାଁନ୍ତି ଲୋକେ। ଲୋକଙ୍କ ଭିଡକୁ ଦେଖି ହାଟରେ କୃତ୍ରିମ ଦରଦାମ ସାଙ୍ଗକୁ ଆଳୁ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବ ଦେଖିବାକୁ ମିଳିଛି। ହାଟରେ ଏତେ ସଂଖ୍ୟକ ଲୋକ ଏକାଠି ହୋଇଥିଲେ ମଧ୍ୟ ସ୍ଥାନୀୟ ପୋଲିସ ପ୍ରଶାସନର ନିଘା ନାହିଁ। ପୋଲିସଙ୍କ ଉପସ୍ଥିତିିରେ ଲୋକଙ୍କ ବେପରୁଆ ଢ଼ଙ୍ଗ ଅନ୍ୟ ମାନଙ୍କ ପାଇଁ ମରଣର କାରଣ ହୋଇପାରେ। ଏହି ସାପ୍ତାହିକ ହାଟ ରାତି  ୯ଟା ଯାଏ ଚାଲିଥିବା ଦେଖିବାକୁ ମିଳିଥିଲା।