Categories
ଆଞ୍ଚଳିକ

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ନନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଫ୍ରଣ୍ଟ ଅଫିସ ରିଟେନର ପ୍ରଦୀପ୍ତ ପ୍ରଧାନ, ଆଇନଜୀବୀ ସଚ୍ଚିତ ମିଶ୍ର, ବିପ୍ଳବ ମୁଦୁଲି, ନନ୍ଦପୁର ପଞ୍ଚାୟତ ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ, ଏକାଧିକ ଏସଏଚଜି ମହିଳା, ଶ୍ରମିକ ଓ ପଞ୍ଚାୟତବାସି ଯୋଗଦେଇଥିଲେ।

ଏହି ଅବସରରେ ସମସ୍ତ ଅତିଥି ମାନେ ପ୍ରବାସୀ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ଓ ନିରାକରଣ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ପରିଶେଷରେ କମିଟି ଅଧ୍ୟକ୍ଷ ବିଚାରପତି ଶ୍ରୀ ମିଶ୍ର ଉକ୍ତ ସମସ୍ୟାର ସମାଧାନକୁ ଗୁରୁତ୍ୱ ଦେଇ ନିଜର ଅଭିଭାଷଣ ଶେଷ କରିଥିଲେ। ସମସ୍ତଙ୍କୁ ପ୍ରବାସୀ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ଏବଂ ଏହାର ସମାଧାନ, ନିର୍ମାଣ ଶ୍ରମିକଙ୍କ ପାଇଁ ଲେବର କାର୍ଡ ଦ୍ୱାରା ବିଭିନ୍ନ ସୁବିଧା ସୁଯୋଗ, ସଙ୍ଗଠିତ ଏବଂ ଅଣସଙ୍ଗଠିତ ଶ୍ରମିକଙ୍କ ପାଇଁ କାର୍ଡ ତିଆରି, ଏହାର ନବୀକରଣ, ଅନଲାଇନ୍‌ ଦ୍ୱାରା ସରକାରଙ୍କ ସୁବିଧା ପାଇବା ପାଇଁ ଆବେଦନ ଇତ୍ୟାଦି ଉପରେ ସଚେତନ କରାଯାଇଥିଲା।

Categories
ବିଶେଷ ଖବର

ଏବେ ବି ଲୋକମାନେ ଭୋକରେ ମରୁଛନ୍ତି, ଏହା ଏକ ଚିନ୍ତାର ବିଷୟ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଭିଡ ସମୟରେ ପ୍ରବାସୀ ଶ୍ରମିକଙ୍କ ଉପରେ ସୁପ୍ରିମକୋର୍ଟ ନେଇଥିବା ସ୍ଵତଃ ସଜ୍ଞାନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିଜେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସତ୍ତ୍ୱେ ଲୋକମାନେ ଭୋକରେ ଅଛନ୍ତି। ସରକାରୀ ଦାବି ସତ୍ତ୍ୱେ ଲୋକମାନେ ଭୋକରେ ମରୁଛନ୍ତି। ପ୍ରବାସୀ ଶ୍ରମିକମାନେ କିପରି ଉଭୟ ରାସନ ଏବଂ କାର୍ଡ ଠିକ୍ ସମୟରେ ପାଇବେ ତାହା ସରକାର ପରାମର୍ଶ ଦେବା ଉଚିତ୍। ଏହା ଏକ ଚିନ୍ତାର ବିଷୟ ହୋଇଥିବାବେଳେ ଅନେକ ଥର କୁହାଯାଇଛି ଯେ ଦେଶର କୌଣସି ନାଗରିକ ଭୋକରେ ମରିବା ଉଚିତ୍ ନୁହେଁ। ନାଗରିକମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବା ଉଚିତ ଏବଂ ଯଦି ଉଚିତ ହିତାଧିକାରୀ ରାସନ ପାଇବା ପାଇଁ ସରକାରଙ୍କ ନିକଟରେ ପହଞ୍ଚିପାରୁ ନାହାଁନ୍ତି, ତା’ହେଲେ ସରକାର ଏହାର ଯୋଜନାର ସୁଯୋଗ ନେବାକୁ ନାଗରିକଙ୍କ ନିକଟରେ ପହଞ୍ଚିବା ଉଚିତ। ଏହି ଧାରଣାକୁ ବାସ୍ତବତାକୁ ଆଣିବା ପାଇଁ ସରକାର ପଦକ୍ଷେପ ନେବା ଉଚିତ୍। ସବସିଡିଯୁକ୍ତ ଖାଦ୍ୟ ଶସ୍ୟ ପାଇବା ପାଇଁ ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ରାସନ କାର୍ଡ ଦିଆଯିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହାକୁ କିପରି କାର୍ଯ୍ୟକାରୀ କରାଯିବ ସେନେଇ କୋର୍ଟ କେନ୍ଦ୍ରରୁ ପରାମର୍ଶ ଲୋଡିଛନ୍ତି। ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଶୁଣିବାବେଳେ ଜଷ୍ଟିସ ଏମଆର ଶାହା ଏବଂ ଜଷ୍ଟିସ ବି.ଭି ନାଗରତ୍ନାଙ୍କ ଏକ ବେଞ୍ଚ ଏହି ମନ୍ତବ୍ୟ ଦେଇଛନ୍ତି।

ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଏକ କଲ୍ୟାଣକାରୀ ରାଜ୍ୟ ହୋଇ ଆମ ଦେଶରେ ଦୁଇଜଣ ଲୋକ ଗୁରୁତ୍ୱପୂର୍ଣ୍ଣ – କୃଷକ ଏବଂ ପ୍ରବାସୀ ଶ୍ରମିକ। ପ୍ରବାସୀ ଶ୍ରମିକମାନେ ଦେଶର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି, ସେମାନଙ୍କୁ ଆଦୌ ଅଣଦେଖା କରାଯାଇପାରିବ ନାହିଁ।

କୋଭିଡ ସମୟରେ ପ୍ରବାସୀ ଶ୍ରମିକଙ୍କ ଉପରେ ସୁପ୍ରିମକୋର୍ଟଙ୍କ ଦ୍ଵାରା ଆରମ୍ଭ ହୋଇଥିବା ମାମଲାରେ ଜଷ୍ଟିସ୍ ଶାହା କହିଛନ୍ତି ଯେ, କୃଷକ ଏବଂ ପ୍ରବାସୀ ଶ୍ରମିକମାନେ ଭାରତର ଦୁଇଟି ଶ୍ରେଣୀ, ଯେଉଁମାନେ ସହାୟତା ପାଇବାକୁ ଯୋଗ୍ୟ। କେତେକ ରାଜ୍ୟ ସେମାନଙ୍କୁ ସହାୟତା ଦେବାରେ ପଛରେ ଅଛନ୍ତି। ସେ କହିଛନ୍ତି ଯେ, ଅନେକ ରାଜ୍ୟ ଧାର୍ଯ୍ୟ ଲକ୍ଷ୍ୟରେ ପହଞ୍ଚି ପାରି ନାହାଁନ୍ତି। ଏଥି ସହିତ ଜଷ୍ଟିସ ଶାହାଙ୍କ ବେଞ୍ଚକୁ ଏଏସଜି ଐଶ୍ୱର୍ଯ୍ୟା ଭାଟି କହିଛନ୍ତି ଯେ, ପଞ୍ଜୀକରଣ ପ୍ରସଙ୍ଗରେ ଆମେ ସମସ୍ତ ପଦକ୍ଷେପ ନେଇଛୁ। ଅସନ୍ତୋଷ ବ୍ୟକ୍ତ କରି ଜଷ୍ଟିସ ଶାହା କହିଛନ୍ତି ଯେ, ବହୁ ସଂଖ୍ୟକ ପ୍ରବାସୀ ଶ୍ରମିକ ରାସନ କାର୍ଡ ପାଇନଥିବା କୋର୍ଟରେ ସୂଚନା ଦିଆଯାଇଛି। ଭାରତର କୌଣସି ନାଗରିକ ଭୋକରେ ମରିବା ଉଚିତ୍ ନୁହେଁ। କିନ୍ତୁ ନାଗରିକମାନେ ଭୋକରେ ମରୁଛନ୍ତି। ଗାଁର ଲୋକମାନେ ପେଟରେ କନା ବାନ୍ଧି ପାଣି ପିଇ ଭୋକକୁ ମାରିବାକୁ ବାଧ୍ୟ ହେଉଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ ଘୋଷଣା: ଏଣିକି ଠିକଣା ପ୍ରମାଣ ପତ୍ର ବିନା ପ୍ରବାସୀ ଶ୍ରମିକମାନେ ଗ୍ୟାସ ସଂଯୋଗ ପାଇବେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ମହୋବା ଜିଲ୍ଲାରୁ ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା’ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ବର୍ତ୍ତମାନ ପ୍ରବାସୀ ଶ୍ରମିକମାନେ ଠିକଣା ପ୍ରମାଣ ବିନା ଗ୍ୟାସ ସଂଯୋଗ ପାଇବେ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବୁନ୍ଦେଲଖଣ୍ଡ ସମେତ ୟୁପି ତଥା ଅନ୍ୟାନ୍ୟ ରାଜ୍ୟରୁ ଆମର ଅନେକ ସାଥି ନିଜ ଗାଁ ଛାଡି ରୋଜଗାର ପାଇଁ ଅନ୍ୟ ରାଜ୍ୟକୁ ଯାଆନ୍ତି। କିନ୍ତୁ ସେଠାରେ ସେମାନେ ଠିକଣା ପ୍ରମାଣ ପତ୍ର ସମସ୍ୟାର ସମ୍ମୁଖୀନ ହୁଅନ୍ତି। ତେବେ ଉଜ୍ଜ୍ଵଳା ୨.୦ ଯୋଜନା ସେହିଭଳି ଲକ୍ଷ ଲକ୍ଷ ପରିବାରକୁ ସର୍ବାଧିକ ସହଯୋଗ ପ୍ରଦାନ କରିବ।

ସେ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ ମୋର ଶ୍ରମିକ ସାଥିମାନେ ଠିକଣାର ପ୍ରମାଣ ପତ୍ର ପାଇଁ କେଉଁ ଆଡେ ବୁଲିବା ଆବଶ୍ୟକ ପଡିବ ନାହିଁ। ଆପଣମାନଙ୍କର ସଚ୍ଚୋଟତା ଉପରେ ସରକାରଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ଆପଣମାନଙ୍କୁ କେବଳ ଆପଣଙ୍କର ଠିକଣାର ଆତ୍ମ-ଘୋଷଣା ଦେବା, ଅର୍ଥାତ୍ ନିଜେ ଲେଖିକି ଦେବା ଦ୍ୱାରା ଆପଣମାନେ ଏକ ଗ୍ୟାସ୍ ସଂଯୋଗ ପାଇବେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉଜ୍ଜ୍ଵଳା ଯୋଜନାରେ ଭଉଣୀମାନଙ୍କର ସ୍ୱାସ୍ଥ୍ୟ, ସୁବିଧା ଏବଂ ସଶକ୍ତିକରଣର ଏହି ରିଜୋଲ୍ୟୁସନକୁ ଗୁରୁତ୍ୱ ଦିଆଯାଇଛି। ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ୮ କୋଟି ଗରିବ, ଦଲିତ, ବଞ୍ଚିତ, ପଛୁଆ, ଆଦିବାସୀ ପରିବାରକୁ ମାଗଣା ଗ୍ୟାସ ସଂଯୋଗ ଦିଆଯାଇଥିଲା। ଆମେ ଦେଖିଛୁ କରୋନା ଅବଧିରେ ଏହା କେତେ ଲାଭ କରିଛି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବର୍ତ୍ତମାନ ଦେଶ ମୌଳିକ ସୁବିଧା ପୂରଣ କରି ଏକ ଉତ୍ତମ ଜୀବନର ସ୍ୱପ୍ନକୁ ପୂରଣ କରିବା ଦିଗରେ ଗତି କରୁଛି। ଆମକୁ ଆସନ୍ତା ୨୫ ବର୍ଷ ମଧ୍ୟରେ ଏହି ସାମର୍ଥ୍ୟକୁ ବହୁଗୁଣିତ କରିବାକୁ ପଡିବ। ଏକତ୍ର ଆମକୁ ଏକ ଦକ୍ଷ ତଥା ଦକ୍ଷ ଭାରତର ଏହି ସଂକଳ୍ପକୁ ପ୍ରମାଣ କରିବାକୁ ପଡିବ। ଏଥିରେ ଭଉଣୀମାନେ ଏକ ବିଶେଷ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା’ର ପ୍ରଥମ ପର୍ଯ୍ୟାୟରେ ଉତ୍ତରପ୍ରଦେଶର ଗରିବ ପରିବାରକୁ ମୋଟ ଏକ କୋଟି ୪୭ ଲକ୍ଷ ୪୩ ହଜାର ୮୬୨ ଏଲପିଜି ସଂଯୋଗ ମାଗଣାରେ ଯୋଗାଇ ଦିଆଯାଇଛି। ଉଜ୍ଜ୍ଵଳା ଯୋଜନାର ପ୍ରଥମ ପର୍ଯ୍ୟାୟରେ ରହିଯାଇଥିବା ଏବଂ ଏହି ଯୋଜନା ଅଧୀନରେ ନଥିବା ଗରିବ ପରିବାରମାନେ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଲାଭ ପାଇବେ।

ଉଜ୍ଜ୍ଵଳା ଯୋଜନା ୨୦୧୬ ମସିହାରେ ଆରମ୍ଭ ହୋଇଥିଲା। ଏହା ଅଧୀନରେ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପରିବାରର ପାଞ୍ଚ କୋଟି ମହିଳାଙ୍କୁ ମାଗଣା ଏଲପିଜି ସଂଯୋଗ ଯୋଗାଇବାକୁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।

Categories
ଫଟୋ ଖବର

ଲକ ଡାଉନ ଖୋଲିବା ପରେ ଏବେ କର୍ମ କ୍ଷେତ୍ରକୁ ବାହୁଡିବାରେ ଲାଗିଛନ୍ତି ଓଡିଶାର ଶ୍ରମିକ

ବ୍ରହ୍ମପୁର, ମାସ ମାସ ଧରି କାମ ନ କରି ଘରେ ରହିବା ପରେ ବର୍ତ୍ତମାନ ପେଟ ପାଇଁ ପୁଣି ଥରେ କର୍ମ କ୍ଷେତ୍ରକୁ ବାହୁଡିବାକୁ ପଡିବ। ଶ୍ରମିକ ଟ୍ରେନରେ ଯିବା ପାଇଁ ବ୍ରହ୍ମପୁର ଷ୍ଟେସନରେ ଧାଡିର ଶ୍ରମିକମାନେ ଅପେକ୍ଷା କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରେଳବାଇ ସେପ୍ଟେମ୍ବର ୪ ସୁଦ୍ଧା ୮ ଲକ୍ଷ ୯ ହଜାର ଶ୍ରମ ଦିବସ ସୃଷ୍ଟି କରି ଦେଇଛି ୧,୬୧୩ କୋଟି ଟଙ୍କା

ଭୁବନେଶ୍ବର, ଚଳିତ ସେପ୍ଟେମ୍ବର ୪ ସୁଦ୍ଧା ୮,୦୯,୦୪୬ ଶ୍ରମ ଦିବସ ସୃଷ୍ଟି କରିଛି ଭାରତୀୟ ରେଳବାଇ। ଏହି କାର୍ଯ୍ୟକ୍ରମ ଲାଗୁ ହେଉଥିବା ଓଡ଼ିଶା, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ରାଜ୍ୟର ୧୧୬ଟି ଜିଲ୍ଲାରେ ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ଏହା କରାଯାଇଛି। ଏଥିରେ ୧୨,୨୬୭ ଶ୍ରମିକଙ୍କୁ ନିୟୋଜିତ କରାଯାଇ ସେମାନଙ୍କୁ ମଜୁରି ବାବଦରେ ୧ ହଜାର ୬ଶହ ୧୩ କୋଟି ଟଙ୍କା ପ୍ରଦାନ କରାଯାଇଛି।

ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲ ବ୍ୟକ୍ତିଗତ ଭାବେ ଏସବୁ ପ୍ରକଳ୍ପର କାମକୁ ନିବିଡ ଭାବେ ଅନୁଧ୍ୟାନ କରୁଛନ୍ତି। କରୋନା ଯୋଗୁଁ ଭିଟାମାଟିକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ କାମ ଯୋଗାଇଦେବାକୁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଏହି ୬ଟି ରାଜ୍ୟରେ ଭାରତୀୟ ରେଳବାଇ ପକ୍ଷରୁ ୧୬୪ଟି ଭିତ୍ତିଭୂମି ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି।

ଭାରତୀୟ ରେଳବାଇ ଏହି କାର୍ଯ୍ୟ ତଦାରଖ କରିବା ପାଇଁ ପ୍ରତ୍ୟେକ ଜିଲା ଏବଂ ରାଜ୍ୟରେ ନୋଡାଲ ଅଫିସର ନିଯୁକ୍ତି କରିଛି । ଏହାଫଳରେ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ରାଜ୍ୟ ଏବଂ କେନ୍ଦ୍ର ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ସମ୍ଭବ ହୋଇଛି ।

ଏହି ଯୋଜନାରେ କାର୍ଯ୍ୟକାରୀ ହେଉଥିବା ରେଳ ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି ଲେବଲ କ୍ରସିଂ ନିକଟରେ ସଂଯୋଗ ପଥ ନିର୍ମାଣ ଓ ତାହାର ରକ୍ଷଣାବେକ୍ଷଣ, ରେଳପଥ ପାଶ୍ୱର୍ରେ ଥିବା ଜଳପଥ ଓ ନାଳନର୍ଦ୍ଦମା ସଫେଇ ଏବଂ ରକ୍ଷଣାବେକ୍ଷଣ, ରେଳ ଷ୍ଟେସନକୁ ସଂଯୋଗ ପଥର ନିର୍ମାଣ ଏବଂ ତାହାର ରକ୍ଷଣାବେକ୍ଷଣ, ରେଳପଥଗୁଡିକର ମରାମତି ଏବଂ ଏହାର ଚଉଡା ବୃଦ୍ଧି, ରେଳପଥ ଜାଗାର ସୀମାରେଖା ନିକଟରେ ବୃକ୍ଷରୋପଣ ତଥା ରେଳପଥ ଓ କଟିଂ ଏବଂ ସେତୁଗୁଡିକର ସୁରକ୍ଷା କାର୍ଯ୍ୟ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଯୋଗୁଁ ସ୍ୱଗୃହକୁ ପଳାଇ ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ କାମଧନ୍ଦା ଯୋଗାଇ ଦେବା ଉଦ୍ଦେଶ୍ୟରେ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରିଥିଲେ । ଏହାଛଡା ଗ୍ରାମ୍ୟ ସ୍ତରରେ କାମଧନ୍ଦା ପାଉନଥିବା ଶ୍ରମିକଙ୍କୁ ମଧ୍ୟ ଏଥିରେ ରୋଜଗାର ଯୋଗାଇ ଦେବାର ବ୍ୟବସ୍ଥା ହୋଇଥିଲା । ଜୁନ୍ ୨୦ରେ ଏହି ରୋଜଗାର ଅଭିଯାନ ଘୋଷଣା କରାଯାଇଥିଲା । ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ଗ୍ରାମାଞ୍ଚଳରେ ସ୍ଥାୟୀ ଭିତ୍ତିଭୂମି ଗଢି ତୋଳିବାକୁ ୫୦ ହଜାର କୋଟି ଟଙ୍କା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।

ଏହି ଅଭିଯାନ ଏବେ ୧୨୫ ଦିନ ସଂପୂର୍ଣ୍ଣ କରିଛି। ମିଶନ ମୋଡରେ କାର୍ଯ୍ୟକାରୀ ହେଉଥିବା ଏହି ଅଭିଯାନରେ ୨୫ ପ୍ରକାର କାର‌୍ୟ୍ୟ ଓଡ଼ିଶା, ବିହାର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡଖଣ୍ଡ ଭଳି ପ୍ରବାସୀ ଶ୍ରମିକପ୍ରବଣ ରାଜ୍ୟର ୧୧୬ଟି ଜିଲ୍ଲାରେ କାର‌୍ୟ୍ୟକାରୀ ହେଉଛି। ଏହି ଯୋଜନା ପାଇଁ ମୋଟ ୫୦ ହଜାର କୋଟି ଟଙ୍କା ବ୍ୟୟ କରିବାକୁ ଲକ୍ଷ୍ୟ ରଖାଯାଇଛି।

କେନ୍ଦ୍ର ସରକାରଙ୍କ ଗ୍ରାମ ଉନ୍ନୟନ, ପଞ୍ଚାୟତିରାଜ, ସଡ଼କ ପରିବହନ ଓ ରାଜମାର୍ଗ, ଖଣି, ପାନୀୟଜଳ ଏବଂ ପରିମଳ, ପରିବେଶ, ରେଳବାଇ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌, ନୂଆ ଓ ଅଣପାରମ୍ପରିକ ଶକ୍ତି, ସୀମାନ୍ତ ସଡ଼କ, ଟେଲିକମ୍ ଓ କୃଷି ଆଦି ୧୨ଟି ମନ୍ତ୍ରଣାଳୟ ଓ ବିଭାଗର ମିଳିତ ସହଯୋଗରେ ଏହି ଅଭିଯାନ କାର୍ଯ୍ୟକାରୀ ହେଉଛି ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଓ ପରିଚାଳନାଗତ ବିଭ୍ରାନ୍ତି ପାଇଁ ରାଜ୍ୟ ସରକାର ଦାୟୀ: ରାଷ୍ଟ୍ରୀୟ ମଜଦୁର କଂଗ୍ରେସ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କରୋନା ଆରମ୍ଭ ସମୟରେ ଲକ୍ଷଲକ୍ଷ ପ୍ରବାସୀ ଘରମୁହାଁ ହେଲେ। ସେମାନଙ୍କ କୌଣସି ରେଜିଷ୍ଟେସନ ହେଲା ନାହିଁ। ସେମାନଙ୍କ ରହିବା ଖାଇବା ଅବ୍ୟବସ୍ଥା ସାଙ୍ଗକୁ କେତେ ପ୍ରବାସୀ ଆସିଲେ ଓ ଗଲେ ତା’ର ମଧ୍ୟ କୌଣସି ହିସାବ ରାଜ୍ୟ ସରାକର ପାଖରେ ନାହିଁ। ରାଜ୍ୟ ସରାକରଙ୍କ ଭୁଲ୍ ପ୍ରବାସୀ ନୀତି ଯୋଗୁଁ ଯେଉଁ ଶ୍ରମିକମାନେ ଘରମୁହାଁ ହେଉଥିଲେ ଏକାଧିକ ଦୁର୍ଘଟଣା ଘଟି ସେମାନଙ୍କ ପ୍ରାଣ ହରାଇଥିଲେ। ବର୍ତ୍ତମାନ ରାଜ୍ୟ ସରକାର ଜିଲ୍ଲାରେ ଶ୍ରମିକମାନଙ୍କୁ କାମ ଯୋଗାଇବା ଓ ଥଇଥାନ କରିବାରେ ବିଫଳ ହୋଇଛନ୍ତି, ଫଳରେ ଶ୍ରମିକମାନେ ପୁଣି କରୋନା ସଂକ୍ରମଣକୁ ନ ଡ଼ରି ବଂଚିବା ଆଶାରେ ସୁରାଟ, ମୁମ୍ବାଇ, ବେଙ୍ଗାଲୁରୁ ଆଦି ରାଜ୍ୟକୁ ଯିବା ଆରମ୍ଭ କରିଛନ୍ତି।

ଶନିବାର ଦିନ ଛତିଶଗଡ଼ ନିକଟରେ ଦୁର୍ଘଟଣାରେ ଗଂଜାମରୁ ଯାଉଥିବା ସାତଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପାଇଁ ନବୀନ ସରକାର ସଂପୂର୍ଣ୍ଣ ଦାୟୀ ବୋଲି ଆଜି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ଆହୁତ ସାମ୍ବାଦିକ ସମ୍ମିଳନୀରେ ସଭାପତି ପୀତବାସ ପଣ୍ଡା ଦାୟୀ କରିଛନ୍ତି। ଗତ କିଛି ଦିନ ହେଲା ହଜାର ହଜାର ଶ୍ରମିକ ଗଂଜାମ ଜିଲ୍ଲାରୁ ବିପଦସଂକୁଳ ଅବସ୍ଥାରେ ବସ୍‌ଯାତ୍ରା କରି ଅନ୍ୟ ରାଜ୍ୟକୁ ଯାଉଛନ୍ତି। ସେମାନଙ୍କ ପଂଜିକରଣ ହେଉନାହିଁ। ୨୦ ବର୍ଷ ଶାସନ ମଧ୍ୟରେ ଗଂଜାମ ଜିଲ୍ଲାକୁ ଶିଳ୍ପ ବିହୀନ କରାଯାଇଛି। ଆସିକା ସୁତାକଳରେ ତାଲା ଝୁଲୁଛି, ଚିନି ଶିଳ୍ପ ରୁଗ୍‌ଣା ଅବସ୍ଥାରେ। କଂଗ୍ରେସ ଅମଳରେ କରାଯାଇଥିବା ଶିଳ୍ପାୟନଗୁଡ଼ିକ ଆନ୍ତରିକ ଅଭାବରୁ ପୂର୍ଣ୍ଣାଙ୍ଗ ରୂପ ନେଇପାରୁନାହିଁ। ଜିଲ୍ଲାରେ ଶୀତଳ ଭଣ୍ଡାରର ଅଭାବ ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ।

ନବୀନ ସରକାର ଜିଲ୍ଲାରେ ମଦକୁ ଏକ କୁଟୀର ଶିଳ୍ପରେ ପରିଣତ କରି ଜିଲ୍ଲାର ଅର୍ଥନୀତିକୁ ଧ୍ୱଂସ କରି ଦେଇଛନ୍ତି। ତେଣୁ ରାଜ୍ୟ ସରକାର ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରବାସୀ ଶ୍ରମିକଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦିଅନ୍ତି। ପ୍ରବାସୀ ଶ୍ରମିକଙ୍କୁ ମନରେଗା ଯୋଜନାରେ କାମ ଯୋଗାଇ ଦେଇ ପଂଜିକରଣ ବାଧ୍ୟତାମୂଳକ କରିବାକୁ ସଭାପତି ଶ୍ରୀ ପଣ୍ଡା କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିନା ଟିକଟରେ ରେଳ ଯାତ୍ରା ପଡିଲା ମହଙ୍ଗା :  ଏକ୍ସପ୍ରେସ ଟ୍ରେନରୁ ଡେଇଁ ଯୁବକ ଗୁରୁତର

ଚିଲିକା :   ଜଣେ ପ୍ରବାସୀ ଶ୍ରମିକଙ୍କୁ ବିନା ଟିକେଟରେ ଯାତ୍ରା କରିବା ବେଶ୍‌ ମହଙ୍ଗା ପଡିଛି । ବିନା ଟିକେଟରେ ଯାତ୍ରା କରୁଥିବାବେଳେ ଟିଟିଇକୁ ଦେଖି ଗୁରୁତର ହୋଇଛନ୍ତି ଯୁବକ । ତେବେ ଏହି  ପ୍ରବାସୀ ଶ୍ରମିକ ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ଅଶୋକ ଭୁଜାଲି ।

ଲକ୍‌ ଡାଉନ୍‌ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ସମସ୍ତ ଶ୍ରମିକମାନଙ୍କ ପାଇଁ ନିଜ ରାଜ୍ୟ ସରକାରମାନେ ବ୍ୟବସ୍ଥା କରିଛନ୍ତି । ଏହି ବ୍ୟବସ୍ଥା ଜରିଆରେ ଶ୍ରମିକମାନେ ନିଜ ରାଜ୍ୟକୁ ଫେରି ପାରୁଛନ୍ତି । କିନ୍ତୁ ପଶ୍ଚିମବଙ୍ଗ ସରକାର ନିଜ ରାଜ୍ୟର ପ୍ରବାସୀମାନଙ୍କୁ ଫେରାଇ ନେବାର କୌଣସି ବ୍ୟବସ୍ଥାନ କରିଥିବା ଯୋଗୁଁ ଶ୍ରମିକମାନେ ସେମାନଙ୍କ ବ୍ୟବସ୍ଥାରେ ଫେରୁଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଲକ୍ ଡାଉନ ଯୋଗୁଁ ମୁମ୍ବାଇରେ ବହୁ ଦିନ ଧରି ଅଟକି ରହିଥିଲେ । ସେ ଗତକାଲି କୋଣାର୍କ ଏକ୍ସପ୍ରେସ୍‌ରେ ଅଶୋକ ବିନା ଟିକେଟରେ ଯାତ୍ରା କରୁଥିଲେ।  କିନ୍ତୁ ଗତକାଲି ରାତିରେ ଟିଟିଇକୁ ଦେଖି ଟ୍ରେନ୍‌ରୁ ଡେଇଁପଡିଥିଲେ। ଗୁରୁତର ହୋଇ ସେ ଆଜି ସକାଳ ପର୍ଯ୍ୟନ୍ତ ଚିଲିକା ନିକଟସ୍ଥ ଗଙ୍ଗାଧରପୁର ଷ୍ଟେସନ ନିକଟରେ ପଡିରହିଥିଲେ। ଖବର ପାଇ  ଗଂଗାଧର ପୁର ଅଗ୍ନିଶମ  ବାହିନୀ ତାଙ୍କୁ  ଉଦ୍ଧାର କରି  ଟାଙ୍ଗୀ ସରକାରୀ ଡାକ୍ତର ଖାନାରେ ଭର୍ତ୍ତି  କରିଥିଲେ । ପରେ ତାଙ୍କୁ ଭୁବନେଶ୍ବର  ସ୍ଥାନାନ୍ତର  କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ଗରିବ କଲ୍ୟାଣ ଯୋଜନାର ଶୁଭାରମ୍ଭ : ଶ୍ରମିକଙ୍କୁ 125 ଦିନର କାର୍ଯ୍ୟ ଯୋଗାଇବେ ସରକାର

ନୂଆଦିଲ୍ଲୀ : କରୋନା ଓ ଲକ୍‌ ଡାଉନ୍‌ ଯୋଗୁଁ ପ୍ରବାସୀ ଶ୍ରମିକମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ ରାଜ୍ୟରେ ରହି କାର୍ଯ୍ୟ କରୁଥିବା ଏହି ଶ୍ରମିକମାନେ ଏବେ ନିଜ ନିଜ ଘରକୁ ବାହୁଡିଛନ୍ତି । ଏପରି ସମୟରେ ସେମାନଙ୍କ ପାଖରେ ରୋଜଗାର ଏବେ ବିକଟ ସମସ୍ୟା ଭାବେ ଉଭା ହୋଇଛି । ପ୍ରବାସୀମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ମୋଦି। ବିହାର ଖଗଡ଼ିଆ ଜିଲ୍ଲା ଡେଲିହାର ଗାଁରୁ ଯୋଜନାର ଶୁଭାରମ୍ଭ କରାଯାଉଛି। ଏହି ଅଭିଯାନର ଶୁଭାରମ୍ଭ ସମୟରେ ଅନ୍ୟ ପାଞ୍ଚୋଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ କିଛି କେନ୍ଦ୍ରୀୟ ମନ୍ତ୍ରୀମାନେ ମଧ୍ୟ ସାମିଲ୍‌ ହୋଇଛନ୍ତି ।

ପ୍ରବାସୀମାନଙ୍କ ରୋଜଗାର ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଯୋଜନାଟି 6ଟି ରାଜ୍ୟର 116ଟି ଜିଲ୍‌ଲାରେ କାର୍ଯ୍ୟକାରୀ କରାଯିବ ।  ଏଥିପାଇଁ ପଚାଶ ହଜାର କୋଟିର ବ୍ୟୟ ବରାଦ ରହିଛି । ଏହି ଯୋଜନାରେ 25ଟି ପ୍ରୋଜେକ୍ଟ ରହିଛି। ଅଭିଯାନ ଅନୁସାରେ ଯେଉଁ ଜିଲ୍ଲା ଓ ରାଜ୍ୟଗୁଡ଼ିକରେ 25 ହଜାରରୁ ଅଧିକ ପ୍ରବାସୀ ଫେରିଥିବେ କେବଳ ସେହି ଜିଲ୍ଲଗୁଡ଼ିକ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବ। ଏହି ଯୋଜନା ଆଧାରରେ ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ରାଜ୍ୟରେ 125 ଦିନର କାର୍ଯ୍ୟ ଯୋଗାଇ ଦିଆଯିବ ବୋଲି ସୂଚନା ରହିଛି । ତେବେ ଏହି ଯୋଜନାରେ ବିହାର, ଉତ୍ତରପ୍ରଦେଶ, ଝାଡଖଣ୍ଡ ଓ ଓଡ଼ିଶା ଆଦି ରାଜ୍ୟ ସାମିଲ୍‌ ରହିଛନ୍ତି । ସେହିପରି ଓଡ଼ିଶାର ଚାରୋଟି ଜିଲ୍‌ଲା ସାମିଲ୍‌ ହୋଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ପ୍ରବାସୀଙ୍କୁ ଜୀବିକା ଯୋଗାଇବେ ସରକାର

ଭୁବନେଶ୍ବର : ଓଡ଼ିଶା ଫେରୁଥିବା ପ୍ରବାସୀଙ୍କୁ ଜୀବିକା ଯୋଗାଇବେ ସରକାର। ପ୍ରବାସୀଙ୍କୁ ଜୀବିକା ଯୋଗାଇବାକୁ ସ୍ବତନ୍ତ୍ର ଖସଡା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ସେଥିପାଇଁ 17 ହଜାର କୋଟି ବ୍ୟୟ ଅଟକଳ କରିଛନ୍ତି ରାଜ୍ୟ ସରକାର। ଏହି ଅର୍ଥ ଜୁନ୍‌ 2020ରୁ ମାର୍ଚ୍ଚ 2021 ମଧ୍ୟରେ ଖର୍ଚ୍ଚ ହେବ ବୋଲି ସୂଚନା ରହିଛି । ଯୁଦ୍ଧକାଳୀନ ଭିତ୍ତିରେ ପ୍ରବାସୀଙ୍କୁ ଜୀବିକା ଯୋଗାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ।

ଏହି କ୍ରମରେ ଗ୍ରାମାଞ୍ଚଳରେ କୃଷି ପାଇଁ 2 ଶହ କୋଟି ଟଙ୍କା ଖର୍ଚ୍ଚ ହେବ । 24 ଲକ୍ଷ 56 ହଜାର ଚାଷୀ ଉପକୃତ ହେବେ ବୋଲି ସୂଚନା ରହିଛି । 4 ହଜାର ପାନଚାଷୀଙ୍କ ପାଇଁ 16 କୋଟି ଟଙ୍କା ଖର୍ଚ୍ଚ ହେବ । 10 ହଜାର ଚାଷୀ ଓ 5 ହଜାର ଏସ୍‌ଏଚ୍‌ଜିକୁ ଛତୁ ଚାଷ ପାଇଁ ସହାୟତା ମିଳିବ । ତିନି ହଜାର ଚାଷୀଙ୍କୁ ଫୁଲ ଚାଷ ପାଇଁ ସାହାଯ୍ୟ କରାଯିବ। ସେହିପରି ମତ୍ସ୍ୟଚାଷରେ 111.47 କୋଟି ଟଙ୍କା ଖର୍ଚ୍ଚ ହେବ। ସ୍କିଲ୍‌ ଡେଭଲ୍‌ପେମେଣ୍ଟ ବାବଦରେ 140 କୋଟି ଟଙ୍କା ଖର୍ଚ୍ଚ ହେବ । 40 ହଜାର ପ୍ରବାସୀଙ୍କୁ ପଞ୍ଚାୟତରାଜ ବିଭାଗ ଟ୍ରେନିଂ ଦିଆଯିବ ବୋଲି ସୂଚନା ରହିଛି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାସ୍ତାରେ ଟଳି ପଡିଲେ ପ୍ରବାସୀ

ସୋର : ଘରକୁ ବାହୁଡ଼ି ପାରିଲେନି । ଅଧା ବାଟରେ ଚାଲିଗଲା ପ୍ରବାସୀଙ୍କ ଜୀବନ। ସୋର ଉତ୍ତରେଶ୍ବର ଛକ ପାଖରେ ପ୍ରବାସୀଙ୍କ ମୃତ୍ୟୁ ଘଟିଥିବାର ସୂଚନା ରହିଛି । ହାଇଦ୍ରାବାଦରୁ ପଶ୍ଚିମବଙ୍ଗ ଫେରିବା ବାଟରେ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ସୋରରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ଜଣକପଶ୍ଚିମବଙ୍ଗ ବୀରଭୂମି ଭବାନୀପୁର ଅଞ୍ଚଳର ଆୟାର ମହମ୍ମଦ ବୋଲି ଜଣାପଡିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପ୍ରବାସୀ ଜଣକ ନିଜ ପୁତୁରା ସହ ହାଇଦ୍ରାବାଦରୁ ଚାଲି ଚାଲି କୋଲକତା ଆସୁଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି । ଗତରାତିରେ ଆୟାର ଅସୁସ୍ଥ ଅନୁଭବ କରିବାରୁ ଉଭୟ ସୋର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ବରଫକଳ ଛକ ଠାରେ ରହି ଯାଇଥିଲେ। ତେବେ ଆଜି ସକାଳୁ ଆୟାରଙ୍କୁ ତାଙ୍କ ପୁତୁରା ଡାକିବାରୁ ସେ ଉଠି ନ ଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ସୋର ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ରେ ମହିଳା ମୃତ

ବଲାଙ୍ଗିର :ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ ଭିତରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ନାମ ରାଧା କର ହୋଇଥିବାବେଳେ ତାଙ୍କ ଘର କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାର ଜଡା ଗାଁରେ ବୋଲି ଜଣାପଡିଛି। ଟ୍ରେନ୍‌ଟି ବିଶାଖାପାଟଣାରୁ ବଲାଙ୍ଗିର ଷ୍ଟେସନ୍‌ରେ ପହଞ୍ଚିବା ପରେ ଟ୍ରେନରୁ ଶବ ଉଦ୍ଧାର କରାଯାଇଛି । ଆଜି ଭୋର 4ଟା 50ରେ ବଲାଙ୍ଗିର ଷ୍ଟେସନରେ ଏହି ପ୍ରବାସୀ ଟ୍ରେନ୍‌ଟି ଲାଗିଛି । ଏହି ଘଟଣାରେ ଜିଆର୍‌ପି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମହିଳା ଜଣକ ନିଜ ଭିଟାମାଟିକୁ ଫେରୁଥିବାବେଳେ ଟ୍ରେନ୍‌ ଭିତରେ ତାଙ୍କର ମୃତ୍ୟୁ ଘଟିଛି। ଛାତି ଯନ୍ତ୍ରଣାରୁ ଟ୍ରେନ୍‌ରେ ମହିଳାଙ୍କ ମୃତ୍ୟୁ ହୋଇଥିବାର ସମ୍ପର୍କୀୟ ସୂଚନା ଦେଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ପୁଣି ଏକ ପ୍ରବାସୀ ଶ୍ରମିକଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ : 35 ଆହତ, ତିନି ଗୁରୁତର

ପ୍ରୟାଗରାଜ ଉତ୍ତରପ୍ରଦେଶର ପ୍ରୟାଗରାଜରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ସୂଚନା ରହିଛି। ଏହି ଦୁର୍ଘଟଣାରେ 35 ଜଣ ଆହତ ହୋଇଥିବାବେଳେ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି। ମିଳିଥିବା ସୂଚନା ଅନୁସାରେ ବସ୍‌ର ଟାୟାର ଫାଟିବା କାରଣରୁ ବସଟି ଓଲଟି ପଡିଥିଲା। ବସ୍‌ ଟି ଜୟପୁରରୁ ପଶ୍ଚିମବଙ୍ଗ ଯାଉଥିବା ବାଟରେ ପ୍ରୟାଗରାଜର  ନଓ୍ବାବଗଞ୍ଜ ଅଞ୍ଚଳରେ ଏହି ଅଘଟଣ ଘଟିଛି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କରୋନା ସଂକଟକୁ ଦେଖି ମାର୍ଚ୍ଚ 24 ତାରିଖରେ ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ଏବେ ଦେଶରେ ଲକ୍‌ ଡାଉନ୍‌ 4.0 ଜାରି ହୋଇଛି । ଲକ୍‌ ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପରିସ୍ଥିତିକୁ ଦେଖି ପ୍ରବାସୀ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି । ଏହି ପଳାୟନ ମଧ୍ୟରେ ଦେଶରେ ବିଭିନ୍ନ ଅଞ୍ଚଳରେ ବସ୍‌ ଦୁର୍ଘଟଣା, ଟ୍ରେନ୍‌ ଦୁର୍ଘଟଣା  ଓ ସଡକ ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ ହେଉଥିବାର ସୂଚନା ମିଳୁଛି ।

କିଛି ଦିନ ତଳେ ୟୁପିର ଔରେୟାଠାରେ ଏକ ସଡକ ଦୁର୍ଘଟଣାରେ 24 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ 35 ଜଣ ଶ୍ରମିକ ଗୁରୁତରଆହତ ହୋଇଥିଲେ । ଏହି ଘଟଣା ପାଇଁ ସୀମାର ଦୁଇ ଏସ୍‌ଏଚ୍‌ଓଙ୍କ ନିଲମ୍ବିତ ମଧ୍ୟ କରାଯାଇଥିଲା । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ପୁଣି ଓଲଟିଲା ପ୍ରବାସୀ ବସ୍‌ : ଚାରି ଗୁରୁତର

ଜଳେଶ୍ବର : କରୋନା ପାଇଁ ସାରା ଦେଶରେ ଲାଗୁ ରହିଛି ଲକ୍‌ ଡାଉନ୍‌ । ଏବେ ଦେଶରେ ଲକ୍‌ ଡାଉନ୍‌ 4.0 ଜାରି ରହିଥିବାବେଳେ ଏବେ ଯାତାୟତକୁ ସର୍ତ୍ତମୂଳକ ଅନୁମତି ମିଳିଛି । ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ବାହୁଡିଛନ୍ତି । କିନ୍ତୁ ଏହି ଫେରିବା ବାଟରେ ବହୁ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଆଜି ପୁଣି ପ୍ରବାସୀ ଶ୍ରମିକଙ୍କ ବସ୍‌ ଓଲଟିଥିବାର ଖବର ଆସିଛି ।  ଲକ୍ଷ୍ମଣନାଥ ଗେଟ୍‌ ପାଖରେ ଭାରସାମ୍ୟ ହରାଇ ବସ୍‌ ଓଲଟି ପଡିଛି । ପ୍ରବାସୀ ଶ୍ରମିକଙ୍କ ବସ୍‌ ଓଲଟି ଚାରି ଗୁରୁତର, ବର୍ତ୍ତିଲେ 46 । ବସ୍‌ଟି କେରଳରୁ 50 ଶ୍ରମିକଙ୍କୁ ଧରି କୋଲକାତା ଯାଉଥିଲା । ଚାରି ଗୁରୁତରଙ୍କୁ ଜଳେଶ୍ବର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କଲା ପୋଲିସ୍‌ । ଅଗ୍ନିଶମ ବାହିନୀ ଦ୍ବାରା ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

Categories
ଆଜିର ଖବର ରାଜ୍ୟ ଖବର

ଦୁଇଟି ପୃଥକ ଦୁର୍ଘଟଣାରେ ପ୍ରବାସୀ ସମେତ ଦୁଇ ମୃତ, ଦୁଇ ଗୁରୁତର

ସୋର : ବାଲେଶ୍ବର ଜିଲ୍ଲାର ଦୁଇଟି ପୃଥକ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହେବା ସହିତ ଦୁଇ ଜଣ ଗୁରୁତର ହୋଇଛନ୍ତି । ଖନ୍ତପଡା ଭଳିଆପାଟଣାରେ ଟ୍ରକକୁ ପଛରୁ ଆଉ ଏକ ଟ୍ରକ୍‌ ଧକ୍କା ଦେବା ଫଳରେ ପଛ ଟ୍ରକରେ ବସିଥିବା ପ୍ରବାସୀ ଶ୍ରମିକଙ୍କ ମୃତ ହୋଇଛି । ସେହିପରି ଆଗ ଟ୍ରକ୍‌ର ଡ୍ରାଇଭରଙ୍କ ଗୁରତର ହୋଇଛନ୍ତି । ତେବେ ମୃତ ପ୍ରବାସୀଙ୍କ ପରିଚୟ ମିଳିପାରିନାହିଁ ।

ସେହିପରି ପଣପଣା ନିକଟରେ ପ୍ରବାସୀଙ୍କୁ ଛାଡି ଫେରିଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । କୋଲକାତାରେ ଛାଡି ଭୁବନେଶ୍ବର ଫେରୁଥିବା ବେଳେ ଟ୍ରକ ସହ ଧକ୍କା । ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭରର ମୃତ୍ୟୁ ହୋଇଥିବାବେଳେ ବସ୍‌ ଡ୍ରାଇଭର ଜଣକ ଗୁରୁତର ହୋଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ଫେରିଛନ୍ତି 1 ଲକ୍ଷ 33 ହଜାର 245 ପ୍ରବାସୀ

ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାକୁ 1 ଲକ୍ଷ 33 ହଜାର ପ୍ରବାସୀ ଶ୍ରମିକ ଆସିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତି ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ 55,567 ପ୍ରବାସୀ ଫେରିଛନ୍ତି। ସେହିପରି ବାଲେଶ୍ୱରକୁ 11, 368 ଜଣ ପ୍ରବାସୀ ଫେରିଥିବାବେଳେ କଟକକୁ 8198ଜଣ ପ୍ରବାସୀ ଫେରିଛନ୍ତି।  ପ୍ରବାସୀଙ୍କ ବୃଦ୍ଧି ଦେଖି ଗଞ୍ଜାମ, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡାରେ ଆଦି ବେଡ୍‌ ସଂଖ୍ୟା ବଢାଯିବ ବୋଲି କହିଛନ୍ତି ସଚିବ ମହାପାତ୍ର।

ସୂଚନାରୁ ପ୍ରକାଶ, ଏଯାବତ୍‌ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 737ରେ ପହଞ୍ଚିଥିବାବେଳେ 193 ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏବେ 538 ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

 

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ମାଟିରେ କେହି ଚାଲି ଚାଲି ଯିବେନି: ନିକଟସ୍ଥ ଥାନାକୁ ଗଲେ ସେମାନଙ୍କୁ ମିଳିବ ସୁବିଧା

ଭୁବନେଶ୍ବର: ଲକ୍ ଡାଉନ୍‌ ପାଇଁ ଏବେ ପ୍ରବାସୀ ଶ୍ରମିକମାନେ ଚାଲି ଚାଲି ନିଜ ରାଜ୍ୟକୁ ଯାଉଛନ୍ତି। ତେବେ ଓଡ଼ିଶା ସରକାର ଏମାନଙ୍କ ପାଇଁ ଏକ ଖୁସି ଖବର ଆଣିଛନ୍ତି। ରାସ୍ତାରେ ଚାଲି ଚାଲି ଯାଉଥିବା ଶ୍ରମିକଙ୍କ ପାଇଁ ଆଶ୍ବସ୍ତିକର ଖବର ରହିଛି। ଓଡ଼ିଶା ମାଟିରେ କୌଣସି ପ୍ରବାସୀ ଭାରତୀୟ ଚାଲି ଚାଲି ଯିବେନି ବୋଲି କହିଛନ୍ତି ପୋଲିସ୍‌ ଡିଜିପି। ଓଡ଼ିଶା ଭିତରେ ଯାଉଥିବା ଲୋକଙ୍କ ପାଇଁ ବିଶେଷ ବ୍ୟବସ୍ଥା ହେବ। ସେମାନେ ଓଡ଼ିଶାକୁ  ଆସୁଥାନ୍ତୁ ବା ଓଡ଼ିଶା ଦେଇ ଯାଉଥାନ୍ତୁ ସମସ୍ତଙ୍କ ପାଇଁ ବ୍ୟବସ୍ଥା ହେବ। ଓଡ଼ିଶାକୁ ଆସୁଥିବା ଲୋକ ଚେକ୍‌ ପଏଣ୍ଟରେ ପହଞ୍ଚିଲେ ବ୍ୟବସ୍ଥା ହେବ। ସେଠାରୁ ସେମାନଙ୍କୁ ଗାଡି କରି ନିଜ ଗନ୍ତବ୍ୟ ସ୍ଥଳକୁ ପଠାଇ ଦିଆଯିବ।

ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଓଡ଼ିଶା ସୀମାରେ ଛାଡିବା  ସହ ସେମାନଙ୍କ ଖାଇବା ବ୍ୟବସ୍ଥା ବି କରାଯିବ ବୋଲି କହିଛନ୍ତି ଡିଜିପି। ପରିବହନ ପାଇଁ ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ଭରଣା ହେବ ବୋଲି ସୂଚନା ରହିଛି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

300 କିମି ଚାଲି ଚାଲି ଆସିବା ପରେ ଲୁ’ ଯୋଗୁଁ ପ୍ରାଣ ହରାଇଲେ ପ୍ରବାସୀ ଶ୍ରମିକ : ହାଇଦ୍ରାବାଦରୁ ଚାଲି ଚାଲି ଆସୁଥିଲେ ମାଲକାନଗିରି

ଭୁବନେଶ୍ବର : କରୋନା ସଂକ୍ରମଣ ସହ ଲଢେଇ ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହି ଲକ୍‌ ଡାଉନ୍‌ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପ୍ରବାସୀ ଶ୍ରମିକମାନେ। ଲକ୍‌ ଡାଉନ୍‌ ଯୋଗୁଁ ହାଇଦ୍ରାବାଦରୁ ଓଡ଼ିଶା ଫେରୁଥିବା ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଶ୍ରମିକ ଜଣକ 300 କିଲୋମିଟର ପର୍ଯ୍ୟନ୍ତ ଚାଲି ଚାଲି ଆସୁଥିବାବେଳେ ଭଦ୍ରାଚଳମ୍‌ଠାରେ ଲୁ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ରହିଛି।

ମିଳିଥିବା ସୂଚନା ଅନୁସାରେ କିଛି ପ୍ରବାସୀ ଶ୍ରମିକମାନଙ୍କ ସହିତ ଏହି ପ୍ରବାସୀ ଶ୍ରମିକ ଜଣ ହାଇଦ୍ରାବାଦରୁ ଓଡ଼ିଶାର ମାଲକାନଗିରି ଯିବା ପାଇଁ ଚାଲି ଚାଲି ବାହାରିଥିଲେ। ମଙ୍ଗଳବାର ଦିନ ଏହି ଶ୍ରମିକମାନେ ଭଦ୍ରାଚଳମ୍‌ରେ ପହଁଞ୍ଚିଥିଲେ। ହଠାତ୍‌ ଶ୍ରମିକଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ ହୋଇଥିଲା । ତା’ରେ ତାଙ୍କୁ ବାନ୍ତି ହୋଇଥିଲା ସାଙ୍ଗେ ସାଙ୍ଗେ ସେ ରାସ୍ତାରେ ବେହୋସ ହୋଇପଡିଯାଇଥିଲେ।  ତତକ୍ଷଣାତ୍‌ ପୋଲିସ୍‌ ସୂଚନା ଦିଆଯାଇ ଭଦ୍ରାଚଳମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଛନ୍ତି । ବ୍ୟକ୍ତି ଜଣକ ମୃତ୍ୟୁ ଲୁ ଯୋଗୁଁ ହୋଇଛି ବୋଲି ସୂଚନା ରହିଛି। ଏହି ବ୍ୟକ୍ତି ଜଣକ ସୋମବାର ଦ୍ବିପ୍ରହରଠାରୁ କିଛି ବି ଖାଦ୍ୟ ଖାଇନଥିବାର ଜଣାପଡିଛି।

ସେହିପରି ମଙ୍ଗଳବାର ତେଲେଙ୍ଗାନା କାମରେଡ୍ଡୀ ଜିଲ୍ଲାଠାରେ ଏକ ବାହାନରେ ଅଧିକ ସଂଖ୍ୟକ ପ୍ରବାସୀ ଶ୍ରମିକ  ଯାଉଥିବା ସମୟରେ ଭାରସାମ୍ୟ ହରାଇ ଯାନଟି ଓଲଟି ପଡ଼ିବାରୁ 32 ବର୍ଷୀୟ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ 20 ଜଣ ଆହତ ହୋଇଛନ୍ତି । ଏହି ସମସ୍ତ ଶ୍ରମିକ ଝାଡଖଣ୍ଡ ଯାଉଥିଲେ ।

କରୋନା ଭାଇରସ୍‌ ଯୋଗୁଁ ପ୍ରବାସୀ ଶ୍ରମିକମାନେ କାମ ଧନ୍ଦା ନ ପାଇ ଉପାୟ ଶୂନ୍ୟ ଭାବରେ ନିଜ ଘରକୁ ପଳାୟନ କରୁଛନ୍ତି । ଯାତାୟତର ସୁବିଧା ନଥିବାରୁ କେହି କେହି ଚାଲି ଚାଲି ତ କେହି କେହି ସାଇକେଲ ଆଉ କେହି କେହି ଟ୍ରକ୍‌ ପଛରେ ତ ପୁଣି କିଏ ରେଳ ଧାରଣାରେ । ବିପଜ୍ଜନକ ଯାତ୍ରା କରି ପ୍ରବାସୀ ଶ୍ରମିକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଘରକୁ ଆସୁଥିବା ମାଆ ଝିଅଙ୍କ ସମେତ ଚାରି ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : କରୋନା ମୁକାବିଲା ଲାଗି ଦେଶ ସାରା ଲାଗୁ ରହିଛି ଲକ୍ ଡାଉନ୍‌ । ଏହି ଲକ୍‌ ଡାଉନ୍‌ରେ ବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି ପ୍ରବାସୀ ଶ୍ରମିକମାନେ । ଲକ୍ ଡାଉନ୍‌ ଯୋଗୁଁ ରୋଜଗାର ନ ଥିବାବେଳେ ପେଟ ପାଇଁ ନାନା ହଇରାଣ ହରକତ ହେଉଛନ୍ତି । ଏପରି ସମୟରେ ସେମାନେ ନିଜ ନିଜ ଭିଟାମାଟିକୁ ଫେରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଚାରିଆଡେ ଲକ୍‌ ଡାଉନ୍‌ ଚାଲିଥିବାବେଳେ ଯାତାୟତର ମାଧ୍ୟମ ମଧ୍ୟ ବନ୍ଦ ରହିଛି । ଏପରି ସମୟରେ କିଏ ଚାଲି ଚାଲି ତ କିଏ ଟ୍ରକ୍‌ ପଛରେ କିଏ ସାଇକେଲରେ ନିଜ ଗ୍ରାମକୁ ଫେରୁଛନ୍ତି । ତେବେ ଫେରିବା ସମୟରେ ଅନେକେ ଦୁର୍ଘଟଣାର ଶିକାର ହେଉଛନ୍ତି । ସେହିପରି ଘରକୁ ଫେରୁଥିବା ଚାରି ପ୍ରବାସୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଏହି ପ୍ରବାସୀଙ୍କ ମଧ୍ୟରେ ମା-ଝିଅଙ୍କ ସମେତ ଅନ୍ୟ ଦୁଇଜଣ ରହିଛି । ତିନି ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ଚାରି ପ୍ରବାସୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି ।

ଆଜି ସକାଳେ ହରିୟାଣାର ଅମ୍ବାଲାରେ ଦୁଇଜଣ ପ୍ରବାସୀ ଶ୍ରମିକଙ୍କ ଉପରେ କାର୍‌ ଚଢାଯାଇଛି । ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଏହି ଶ୍ରମିକମାନେ ହରିୟାଣାରୁ ବିହାର ଅଭିମୁଖେ ଚାଲି ଚାଲି ଯାଉଥିଲେ । କାର୍‌ଟି ଭାରସାମ୍ୟ ହରାଇ ଏହି ପ୍ରବାସୀଙ୍କ ଉପରେ ଚଢିଯାଇଥିଲା । ତେବେ ଘଟଣାସ୍ଥଳରୁ ଡ୍ରାଇଭର ଜଣକ ଫେରାର୍‌ ରହିଛନ୍ତି ।

ସେହିପରି ଅନ୍ୟ ଏକ ଦୁର୍ଘଟଣା ୟୁପିର ରାୟବରେଲୀଠାରେ ହୋଇଛି । ଏଠାରେ ଜଣେ 25 ବର୍ଷୀୟ ପ୍ରବାସୀ ଶ୍ରମିକଙ୍କ କାର୍‌ ଧକ୍କାରେ ମୃତ୍ୟୁ ହୋଇଛି। ବୁଲନ୍ଦସହରରୁ କିଛି ଲୋକଙ୍କ ସହିତ ଯୁବକ ଜଣକ ସାଇକେଲ ଚଲାଇ ନିଜ ଗ୍ରାମକୁ ଯାଉଥିବାବେଳେ କାର୍‌ଟିର ବ୍ରେକ୍‌ ଫେଲ୍‌ ହୋଇଯାଇଥିଲା । ଡ୍ରାଇଭର୍‌ଟି କାର୍‌ ଉପରେ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଗାଡିଟି ଯୁବକଙ୍କ ଉପରେ ଚଢି ଯାଇଥିଲା ।

ଅପରପକ୍ଷରେ ଅନ୍ୟ ଏକ ସଡକ ଦୁର୍ଘଟଣାରେ ୟୁପିର ଫତେପୁର ଜିଲ୍ଲାରେ ଏକ ସଡକ ଦୁର୍ଘଟଣାରେ ମା – ଝିଅଙ୍କ ମୃତ୍ୟୁ ଘଟିଛି । ଦୁହେଁ ମହାରାଷ୍ଟ୍ରରୁ ଆସୁଥିବା କିଛି ଶ୍ରମିକଙ୍କ ସହିତ ଉତ୍ତରପ୍ରଦେଶର ଜୌନପୁର ଯାଉଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଲକଡାଉନରେ ଫସିଥିବା ରାଜସ୍ଥାନର 74 ଜଣ ଶ୍ରମିକଙ୍କୁ ଦୁଇଟି ବସରେ ନିଜ ରାଜ୍ୟକୁ ପଠାଇଲା ଶ୍ରମ ବିଭାଗ

ଭୁବନେଶ୍ବର, ଓଡିଶାରେ ବିଭିନ୍ନ ସ୍ଥାନରେ ଫସିରହିଥିବା ବାହାର ରାଜ୍ୟର ଶ୍ରମିକମାନଙ୍କୁ ଉଦ୍ଧାର କାର୍ଯ୍ୟ କରାଯାଉଛି। ସେମାନଙ୍କୁ ରାଜ୍ୟ ଶ୍ରମ ବିଭାଗର ଅଧିକାରୀମାନେ ଉଦ୍ଧାର କରି ନିଜ ରାଜ୍ୟକୁ ଛାଡିବା ପାଇଁ ଉଦ୍ୟମ କରୁଛନ୍ତି। ସେହି ପରିପ୍ରେକ୍ଷୀରେ ଆଜି ରାଜସ୍ଥାନର 74 ଜଣ ଶ୍ରମିକଙ୍କୁ ଦୁଇଟି ବସରେ ତାଙ୍କ ରାଜ୍ୟକୁ ପଠାଯାଇଛି। ଯିବା ପୂର୍ବରୁ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ବସକୁ ସାନିଟାଇଜେସନ ମଧ୍ୟ କରାଯାଇଛି।

ଏଥିସହିତ ସେମାନଙ୍କର ରାସ୍ତାରେ ଆବଶ୍ୟକତା ହେଉଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ମଧ୍ୟ ଭୁବନେଶ୍ବର ଶ୍ରମ ବିଭାଗ  ଏବଂ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଦାନ କରାଯାଇଛି। ପୂର୍ବରୁ ମଧ୍ୟ ଶ୍ରମ ବିଭାଗ ତରଫରୁ କୋଲକାତା, ରାଜସ୍ଥାନ ଏବଂ ବିହାର ପରି ରାଜ୍ୟକୁ ବସ ଯୋଗେ ଶ୍ରମିକଙ୍କୁ ପଠାଯାଇଛି।

 

Categories
ଆଜିର ଖବର ଜାତୀୟ ଖବର

ଆମ୍ବ ଟ୍ରକ୍‌ ଓଲଟିବାରୁ 5 ଶ୍ରମିକଙ୍କ ମୃତ୍ୟୁ, 13 ଗୁରୁତର

ମଧ୍ୟପ୍ରଦେଶ : ଲକ୍‌ ଡାଉନ୍‌ ଯୋଗୁଁ ଶ୍ରମିକମାନଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡିଥିବାବେଳେ ଘରବାହୁଡା ଜାରି ରଖିଛନ୍ତି ପ୍ରବାସୀ । ତେବେ ଏହି ଘର ବାହୁଡା ସମୟରେ ଦୁର୍ଘଟଣା ଯୋଗୁଁ ମୃତ୍ୟୁମୁଖରେ ପଡୁଥିବାର ଘଟଣା ଏବେ ସାମ୍ନାକୁ ଆସୁଛି । ମଧ୍ୟପ୍ରଦେଶର ନରସିଂହପୁରର ଜିଲ୍ଲାରୁ ଆଜି ବିଳମ୍ବିତ ରାତ୍ରିରେ ଏକ ଟ୍ରକ୍‌ ଓଲଟିଯିବା ଫଳରେ ପାଞ୍ଚଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ 13 ଜଣ ଶ୍ରମିକ ଗୁରୁତର ରୂପେ ଆହତ ହୋଇଛନ୍ତି । ଏହି ସମସ୍ତ ଶ୍ରମିକମାନେ ହାଇଦ୍ରାବାଦରୁ ଏକ ଆମ୍ବ ଟ୍ରକ୍‌ ଯୋଗେ ଉତ୍ତରପ୍ରଦେଶର ଝାନ୍ସୀ ଯାଉଥିବାର ସୂଚନା ରହିଛି ।

ଲକ୍‌ ଡାଉନ୍‌ ଚାଲିଥିବା ସମୟରେ ଯାତାୟତ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି । ଦେଶରେ ବିଭିନ୍ନ ସହରରେ ଫସି ରହିଥିବା ଶ୍ରମିକମାନେ ଖାଦ୍ୟ ଓ କାମ ନ ପାଇ ନାନା ହଇରାଣ ହରକତ ହେଉଛନ୍ତି । ଏପରି ସମୟରେ ସେମାନେ ନିଜ ଭିଟାମାଟି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଯାତାୟତ ସମ୍ପର୍ଣ୍ଣ ରୂପେ ବନ୍ଦ ଥିବାରୁ କେହି ଚାଲି ଚାଲି ତ କିଏ ସାଇକେଲ ତ କିଏ ପୁଣି ରେଲଧାରଣା ଯୋଗେ । ଆଉ କେହି କେହି ମାଲ୍‌ ପରିବହନ କରୁଥିବା ଟ୍ରକ୍‌ରେ ଲୁଚିଛପି ନିଜ ଗ୍ରାମକୁ ଯାଉଛନ୍ତି । ଏମିତି ଲୁଚିଛପି ଯିବା ଶ୍ରମିକଙ୍କୁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହେଉଛି ।

ମିଳିଥିବା ସୂଚନା ଅନୁସାରେ ନରସିଂହପୁର ଜିଲ୍ଲାର ପାଠା ଗ୍ରାମ ନିକଟରେ ଏକ ଟ୍ରକ୍‌ ଭାରସାମ୍ୟ ଓଲଟାଇ ଦୁର୍ଘଟଣାଗସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ 5 ଜଣ ଶ୍ରମିକଙ୍କ ମୃତ୍ୟୁ ହେବା ସହିତ 13 ଜଣ ଆହତ ହୋଇଛନ୍ତି । ଏହି ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଏହି ଦୁଇ ଶ୍ରମିକଙ୍କୁ ଜବଲପରୁ ସ୍ଥାନାନ୍ତର କରାଯାଇଛି। ଏହି ଟ୍ରକ୍‌ରେ ଥିବା ସମସ୍ତ ଶ୍ରମିକମାନେ ଲୁଚି ଛପି ହାଇଦ୍ରାବାଦରୁ ଉତ୍ତରପ୍ରଦେଶର ଝାନ୍ସୀ ଅଭିମୁଖେ ଯାଉଥିଲେ । ଏହି ଆହତ ଶ୍ରମିକଙ୍କ ମଧ୍ୟରୁ ଜଣକୁ କିଛି ଦିନ ହେବ ଥଣ୍ଡା, କାଶ ରହିଥିଲା । ଏହାପରେ ମୃତକଙ୍କ ସମେତ ସମସ୍ତ ଶ୍ରମିକଙ୍କ କରୋନା ନମୁନା ପରୀକ୍ଷା ହେବାକୁ ଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ସାଇକେଲରେ ପରିବାରକୁ ଧରି ଲକ୍ଷ୍ନୌରୁ ଯାଉଥିଲେ ଛତିଶଗଡ : ଅଜଣା ଗାଡି ଧକ୍କାରେ ଦମ୍ପତି ମୃତ

ଲକ୍ଷ୍ନୌ: କରୋନା ମହାମାରୀ ସହ ମୁକାବିଲା ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି । ଏହି ଲକ୍‌ ଡାଉନ୍‌ ଯୋଗୁଁ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି ଶ୍ରମିକମାନେ । ଲକ୍‌ ଡାଉନ୍‌ ଯୋଗୁଁ ଦେଶର ବିଭିନ୍ନ ସହରରେ ଫସି ରହିଛନ୍ତି ଶ୍ରମିକମାନେ । ଖାଦ୍ୟ ଓ କାମ ଅଭାବରୁ ଏବେ ଘର ମୁହାଁ ହୋଇଛନ୍ତି ଏହି ପ୍ରବାସୀ ଶ୍ରମିକମାନେ ।  କେହି କେହି ଚାଲି ଚାଲି ତ କେହି ସାଇକେଲ୍‌ରେ । ଏହି ଯିବା ବାଟରେ ତାଙ୍କୁ ବହୁ କଷ୍ଟ କରିବାକୁ ପଡୁଥିବାବେଳେ ବହୁ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଗତକାଲି ରେଳ ଧାରଣାରେ ଶ୍ରମିକମାନେ ନିଜ ଗ୍ରାମକୁ ଯାଉଥିବାବେଳେ ମାଲ୍‌ବାହୀ ଟ୍ରେନ୍‌ ଧକ୍କା ଦେବା ଫଳରେ 15 ଜଣ ଶ୍ରମିକଙ୍କର ଶୋଚନୀୟ ମୃତ୍ୟୁ ହୋଇଥିଲା । ଏହିପରି ଏକ ଆଉ ଏକ ଶ୍ରମିକ ପରିବାରଙ୍କ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ।  ଲକ୍‌ ଡାଉନ୍‌ ଯୋଗୁଁ କାମ ଓ ଖାଦ୍ୟର ଅଭାବ ଯୋଗୁଁ ଲକ୍ଷ୍ନୌରେ ଫସି ରହିଥିବା ଶ୍ରମିକ ଦମ୍ପତି ନିଜ ଛୁଆଙ୍କ ସହ ସାଇକେଲ୍‌ ଯୋଗେ ଛତିଶଗଡ ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏହି ଦୁର୍ଘଟଣାରେ ସ୍ବାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଶିଶୁ ବଞ୍ଚିଯାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ମୃତ୍ୟୁବରଣ କରିଥିବା ସ୍ବାମୀ ସ୍ତ୍ରୀ ହେଉଛନ୍ତି ଛତିଶଗଡର କୃଷ୍ଣା ଓ ପ୍ରମିଳା । ଦୁହେଁ ଏକ ସାଇକେଲ ଯୋଗେ ଲକ୍ଷ୍ନୌର ସୁଶାନ୍ତ ଗୋଲ୍ଫ ସିଟିର ସହିଦ ପଥ ଦେଇ ଯାଉଥିବାବେଳେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ସ୍ବାମୀ ସ୍ତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଦମ୍ପତି ମୃତ୍ୟୁବରଣ କରିଛନ୍ତି ।