ଘରକୁ ଆସୁଥିବା ମାଆ ଝିଅଙ୍କ ସମେତ ଚାରି ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

Published: May 12, 2020, 11:40 am IST

ନୂଆଦିଲ୍ଲୀ : କରୋନା ମୁକାବିଲା ଲାଗି ଦେଶ ସାରା ଲାଗୁ ରହିଛି ଲକ୍ ଡାଉନ୍‌ । ଏହି ଲକ୍‌ ଡାଉନ୍‌ରେ ବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି ପ୍ରବାସୀ ଶ୍ରମିକମାନେ । ଲକ୍ ଡାଉନ୍‌ ଯୋଗୁଁ ରୋଜଗାର ନ ଥିବାବେଳେ ପେଟ ପାଇଁ ନାନା ହଇରାଣ ହରକତ ହେଉଛନ୍ତି । ଏପରି ସମୟରେ ସେମାନେ ନିଜ ନିଜ ଭିଟାମାଟିକୁ ଫେରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଚାରିଆଡେ ଲକ୍‌ ଡାଉନ୍‌ ଚାଲିଥିବାବେଳେ ଯାତାୟତର ମାଧ୍ୟମ ମଧ୍ୟ ବନ୍ଦ ରହିଛି । ଏପରି ସମୟରେ କିଏ ଚାଲି ଚାଲି ତ କିଏ ଟ୍ରକ୍‌ ପଛରେ କିଏ ସାଇକେଲରେ ନିଜ ଗ୍ରାମକୁ ଫେରୁଛନ୍ତି । ତେବେ ଫେରିବା ସମୟରେ ଅନେକେ ଦୁର୍ଘଟଣାର ଶିକାର ହେଉଛନ୍ତି । ସେହିପରି ଘରକୁ ଫେରୁଥିବା ଚାରି ପ୍ରବାସୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଏହି ପ୍ରବାସୀଙ୍କ ମଧ୍ୟରେ ମା-ଝିଅଙ୍କ ସମେତ ଅନ୍ୟ ଦୁଇଜଣ ରହିଛି । ତିନି ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ଚାରି ପ୍ରବାସୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି ।

ଆଜି ସକାଳେ ହରିୟାଣାର ଅମ୍ବାଲାରେ ଦୁଇଜଣ ପ୍ରବାସୀ ଶ୍ରମିକଙ୍କ ଉପରେ କାର୍‌ ଚଢାଯାଇଛି । ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଏହି ଶ୍ରମିକମାନେ ହରିୟାଣାରୁ ବିହାର ଅଭିମୁଖେ ଚାଲି ଚାଲି ଯାଉଥିଲେ । କାର୍‌ଟି ଭାରସାମ୍ୟ ହରାଇ ଏହି ପ୍ରବାସୀଙ୍କ ଉପରେ ଚଢିଯାଇଥିଲା । ତେବେ ଘଟଣାସ୍ଥଳରୁ ଡ୍ରାଇଭର ଜଣକ ଫେରାର୍‌ ରହିଛନ୍ତି ।

ସେହିପରି ଅନ୍ୟ ଏକ ଦୁର୍ଘଟଣା ୟୁପିର ରାୟବରେଲୀଠାରେ ହୋଇଛି । ଏଠାରେ ଜଣେ 25 ବର୍ଷୀୟ ପ୍ରବାସୀ ଶ୍ରମିକଙ୍କ କାର୍‌ ଧକ୍କାରେ ମୃତ୍ୟୁ ହୋଇଛି। ବୁଲନ୍ଦସହରରୁ କିଛି ଲୋକଙ୍କ ସହିତ ଯୁବକ ଜଣକ ସାଇକେଲ ଚଲାଇ ନିଜ ଗ୍ରାମକୁ ଯାଉଥିବାବେଳେ କାର୍‌ଟିର ବ୍ରେକ୍‌ ଫେଲ୍‌ ହୋଇଯାଇଥିଲା । ଡ୍ରାଇଭର୍‌ଟି କାର୍‌ ଉପରେ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଗାଡିଟି ଯୁବକଙ୍କ ଉପରେ ଚଢି ଯାଇଥିଲା ।

ଅପରପକ୍ଷରେ ଅନ୍ୟ ଏକ ସଡକ ଦୁର୍ଘଟଣାରେ ୟୁପିର ଫତେପୁର ଜିଲ୍ଲାରେ ଏକ ସଡକ ଦୁର୍ଘଟଣାରେ ମା – ଝିଅଙ୍କ ମୃତ୍ୟୁ ଘଟିଛି । ଦୁହେଁ ମହାରାଷ୍ଟ୍ରରୁ ଆସୁଥିବା କିଛି ଶ୍ରମିକଙ୍କ ସହିତ ଉତ୍ତରପ୍ରଦେଶର ଜୌନପୁର ଯାଉଥିଲେ ।

Related posts