ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ସବ୍ ରେଜିଷ୍ଟ୍ରାର ଭାବେ କାର୍ଯ୍ୟରତ ଥିବା ପ୍ରୋବେସନାରୀ ORS ଅଧିକାରୀ ମନୀଷା ମିଶ୍ରଙ୍କୁ ରାଜ୍ୟ ସରକାର ତତ୍କାଳ ପ୍ରଭାବରୁ ଚାକିରିରୁ ବରଖାସ୍ତ କରିଛନ୍ତି। ଜମି ପଞ୍ଜୀକରଣ ଓ ବିକ୍ରୟ ଦଲିଲ ପ୍ରଦାନ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିବା ଏବଂ ଗିରଫ ହେବାର ମାତ୍ର ୩ ଦିନ ମଧ୍ୟରେ ସରକାର ଏହି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କରାଯାଇଛି।
ଘଟଣାରୁ ପ୍ରକାଶ ଯେ, ବାଲେଶ୍ୱର ଜିଲ୍ଲା ପଞ୍ଚରୁଖି ଗାଁର ଜ୍ଞାନରଞ୍ଜନ ପାତ୍ର ନିଜର ଏକ ଜମି ସମ୍ପର୍କିତ କାମ କରାଇବା ପାଇଁ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ସବ୍ ରେଜିଷ୍ଟ୍ରାର ମନୀଷା ମିଶ୍ର ଉକ୍ତ କାମ କରିଦେବା ବଦଳରେ ୭ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ଅଭିଯୋଗକାରୀ ଜ୍ଞାନରଞ୍ଜନ ବାଲେଶ୍ୱର ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ଗତ ନଭେମ୍ବର ୬ ତାରିଖରେ ମନୀଷା ମିଶ୍ର ନିଜ ଅଫିସ୍ ଚାମ୍ବରରେ ଅଭିଯୋଗକାରୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ବାଲେଶ୍ୱର ଭିଜିଲାନ୍ସ ଡିଭିଜନର ଅଧିକାରୀମାନେ ଅତର୍କିତ ଭାବେ ଚଢ଼ଉ କରି ତାଙ୍କୁ ଟଙ୍କା ସହ କାବୁ କରିଥିଲେ।
ଏହି ଘଟଣାରେ ଦୁର୍ନୀତି ନିବାରଣ ସଂଶୋଧନ ଆଇନର ଧାରା ୭ ଅନୁଯାୟୀ ବାଲେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ପରବର୍ତ୍ତୀ ସମୟରେ ନଭେମ୍ବର ୭ ତାରିଖରେ ତାଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା ଏବଂ କୋର୍ଟ ତାଙ୍କୁ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ମନୀଷା ମିଶ୍ର ଜଣେ ପ୍ରୋବେସନରେ ଥିବା ଅର୍ଥାତ୍ ପରୀକ୍ଷାମୂଳକ ଚାକିରି ଅବଧିରେ ଥିବା ଅଧିକାରୀ ଥିଲେ ଏବଂ ତାଙ୍କର ଚାକିରିର ସ୍ଥାୟୀ ଅବଧି ଶେଷ ହୋଇନଥିଲା। ଭିଜିଲାନ୍ସ ବିଭାଗର ତଦନ୍ତ ରିପୋର୍ଟ ଏବଂ ତାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ଗୁରୁତ୍ୱକୁ ଗଭୀର ଭାବେ ବିଚାରକୁ ନେଇ ରାଜ୍ୟ ସରକାର ଏହି ଚାକିରି ବାତିଲ ନିଷ୍ପତ୍ତି ନେଇଛନ୍ତି। ସରକାରୀ ନିର୍ଦ୍ଦେଶନାମାରେ ଏହି ଘଟଣାକୁ ଗୁରୁତର ଦୁର୍ନୀତି ଓ କର୍ମଚାରୀ ଆଚରଣବିଧିର ସ୍ପଷ୍ଟ ଉଲ୍ଲଂଘନ ଭାବେ ଦର୍ଶାଯାଇଛି। ଏଭଳି ସମ୍ବେଦନଶୀଳ ଦୁର୍ନୀତି ଅଭିଯୋଗ ଆସିବା ପରେ, ଜଣେ ସରକାରୀ ଅଧିକାରୀଙ୍କୁ ଚାକିରିରେ ରଖିବା ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଊପଯୁକ୍ତ ନୁହେଁ ବୋଲି ନିଯୁକ୍ତି କର୍ତ୍ତୃପକ୍ଷ ମତ ପ୍ରକାଶ କରିଛନ୍ତି।


