Categories
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରବାସୀଙ୍କ ସ୍ୱାବ ସଂଗ୍ରହ କାର୍ଯ୍ୟକ୍ରମ ତ୍ୱରାନ୍ୱିତ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାକୁ ଗତ ତିନି  ତାରିଖ ଠାରୁ ପ୍ରବାସୀ ଓଡ଼ିଆ ପର୍ଯ୍ୟାୟ କ୍ରମେ ଆସି ବିଭିନ୍ନ ବ୍ଲକରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅବସ୍ଥାନ କରୁଛନ୍ତି। ଏହି କ୍ରମରେ ୧୦ ତାରିଖରେ ଆନ୍ଧ୍ରପ୍ରଦେଶରୁ ୨୬ଜଣ, ତାମିଲନାଡୁରୁ ୧୮ଜଣ, ତେଲେଙ୍ଗାନାରୁ ୨୯ଜଣ, ଝାଡଖଣ୍ଡରୁ ୪ଜଣ, ପଶ୍ଚିମବଙ୍ଗରୁ ୨୪ଜଣ, ମହାରାଷ୍ଟ୍ରରୁ ୪ଜଣ, ରାଜସ୍ଥାନରୁ ୧ଜଣ, ଉତ୍ତରପ୍ରଦେଶରୁ ୧ଜଣ, କର୍ଣାଟକରୁ ୨ଜଣ, ଭୁବନେଶ୍ବରରୁ ୩ଜଣ, ମୟୁରଭଞ୍ଜରୁ ୨ଜଣ, ଗଞ୍ଜାମରୁ ୧ଜଣ ଆସିଥିଲେ।

ସମସ୍ତ ପ୍ରବାସୀଙ୍କର ସ୍ଥାନୀୟ ସରଳାଦେବୀ କଲ୍ୟାଣମଣ୍ଡପ ଠାରେ ସ୍ୱାବ ସଂଗ୍ରହ କରାଯାଇ  ଜିଲ୍ଲାରେ ଥିବା ବିଭିନ୍ନ କ୍ବାରେଣ୍ଟାଇନ୍‌ କେନ୍ଦ୍ରକୁ ପଠାଯାଇଛି । ଏହି କ୍ରମରେ ଜଗତସିଂହପୁର ପୌରାଞ୍ଚଳକୁ ୨ଜଣ, ଜଗତସିଂହପୁର ବ୍ଲକକୁ ୩୫ଜଣ, ବିରିଡି ବ୍ଲକକୁ ୪ଜଣ, ବାଲିକୁଦା ବ୍ଲକକୁ ୨୫ଜଣ, ନାଉଗାଁ ବ୍ଲକକୁ ୭ଜଣ, ରଘୁନାଥପୁର ବ୍ଲକକୁ ୩ଜଣ, ତିର୍ତ୍ତୋଲ ବ୍ଲକକୁ ୧୧ଜଣ, କୁଜଙ୍ଗ ବ୍ଲକକୁ ୯ଜଣ, ଏରସମା ବ୍ଲକକୁ ୧୪ଜଣ, ପାରାଦ୍ଵୀପ ପୌରାଞ୍ଚଳକୁ ୫ଜଣଙ୍କୁ କ୍ୱାରେଣ୍ଟାଇନ୍ କେନ୍ଦ୍ରକୁ ପଠାଯାଇଛି। ଗତକାଲି ୧୧୫ଜଣ ପ୍ରବାସୀ ଓଡିଆ, ଜଣେ ସ୍ୱାସ୍ଥ୍ୟକର୍ମୀ, ଜଣେ ଡ୍ରାଇଭର ଓ ନାଉଗାଁର ୩ଜଣଙ୍କ ଠାରୁ ପୁନର୍ବାର ସ୍ୱାବ ଏହିପରି ମୋଟ୍ ୧୨୦ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି।

ଏତଦବ୍ୟତୀତ ଜିଲ୍ଲାପାଳ ବିଭିନ୍ନ ପଞ୍ଚାୟତରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବାରମ୍ବାର ପରିଦର୍ଶନ କରି ବିଭିନ୍ନ ସୁବିଧା ଓ ଅସୁବିଧା ସମ୍ପର୍କରେ ସ୍ଥାନୀୟ ବି.ଡି.ଓ ଏବଂ ସରପଞ୍ଚ ମାନଙ୍କ ଠାରୁ ଅବଗତ ହେଉଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅନ୍ୟାଦେଶ ପର୍ଯ୍ୟନ୍ତ ପୂର୍ବ ନିର୍ଦ୍ଧାରିତ ସମସ୍ତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ସକାଳ ୭ଟା ଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଔଷଧ ଦୋକାନ ପାଇଁ ସମୟ ପରିବର୍ତ୍ତନ ପ୍ରଯୁଜ୍ୟ ନୁହେଁ। କରୋନା ମୁକାବିଲାରେ ଜିଲ୍ଲାବାସୀଙ୍କର ସହଯୋଗ କାମନା କରି ଜନସାଧାରଣ ସର୍ବଦା ସଜାଗ ଓ ସଚେତନ ସହ ସାମାଜିକ ଦୂରତ୍ୱ ଏବଂ ମାସ୍କ ବ୍ୟବହାର କଡାକଡି ଭାବେ ପାଳନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।