Categories
ଆଜିର ଖବର ଆଞ୍ଚଳିକ

କୁଜଙ୍ଗରେ ଲକ୍‌ ଡାଉନ୍‌ ନିୟମ କଡାକଡି: ସାପ୍ତାହିକ ହାଟରେ ସାମାଜିକ ଦୂରତ୍ବକୁ ଗୁରୁତ୍ବ

ରଞ୍ଜିତ୍ ପଣ୍ଡା

କୁଜଙ୍ଗ: କୁଜଙ୍ଗରେ ସାପ୍ତାହିକ ହାଟରେ ଆଜି ଦେଖିବାକୁ ମିଳିଛି ସାମାଜିକ ଦୂରତ୍ବ। ସାମାଜିକ ଦୂରତ୍ବକୁ ମାନି ଲୋକମାନେ ହାଟରୁ ପରିବାପତ୍ର କିଣିଛନ୍ତି। ଦୋକାନୀଙ୍କଠାରୁ ଆରମ୍ଭ କରି ଗ୍ରାହକମାନେ ସମେସ୍ତ ଏହି ନିୟମକୁ  ସଠିକ୍‌ ରୂପେ ପାଳନ କରିଛନ୍ତି। କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ, ତହସିଲଦାର ପ୍ରଭାସ ରଞ୍ଜନ ଦେହୁରା, ଭାରପ୍ରାପ୍ତ ବିଡିଓ ପୂଜା ଲେଙ୍କା ତତ୍ତ୍ବାବଧାନରେ ଆଜି ଶୃଙ୍ଖଳିତ ଭାବେ ସାମାଜିକ ଦୂରତ୍ବ ନିୟମ ଅନୁସାରେ ହାଟ ଅନୁଷ୍ଠିତ ହୋଇଥିଲା। ଆଜି କୁଜଙ୍ଗ ସାପ୍ତାହିକ ହାଟ କଟକ ପାରାଦ୍ଵୀପ ରାସ୍ତାର ଉଭୟ ପାର୍ଶ୍ବରେ ବସିଥିଲା। ଲୋକମାନେ ନିର୍ଦ୍ଦିଷ୍ଟ ଦୂରତ୍ବରେ ରହି କିଣାକିଣି କରିଥିବାର ନଜର ଆସିଥିଲା। ଲୋକମାନେ ଚାଲି ଚାଲି ପରିବା କିଣିବାକୁ ଆସିଥିବାବେଳେ କେହି କେହି ସାଇକେଲ୍‌ ଦ୍ବାରା ମଧ୍ୟ ବଜାରକୁ ଆସିଥିଲେ। କେହି ଦୁଇଚକିଆ ଯାନର ବ୍ୟବହାର ନ କରିଥିବାବେଳେ ସରକାରଙ୍କ ନିୟମକୁ ସଠିକ୍‌ ରୂପେ ପାଳନ କରିଥିବାର ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, ଗତକାଲି ରାହାମାରେ ସାପ୍ତାହିକ ହାଟରେ ପ୍ରବଳ ଜନସମାବେଶ ହୋଇଥିବାର ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ରାହାମା ସାପ୍ତାହିକ ହାଟଟିକୁ କରୋନାକୁ ଦୃଷ୍ଟିରେ ରଖି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାର ସାମାଜିକ ଦୂରତ୍ବକୁ କଡାକଡି କରାଯାଇଛି। ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁରରେ କରୋନା କଟକଣାକୁ ମାନୁନାହାଁନ୍ତି ଲୋକେ: ପୁଣି ସାପ୍ତାହିକ ହାଟରେ ଏକତ୍ରିତ ହେଲେ ହଜାର ହଜାର ଲୋକ

ରମେଶ ମହାନ୍ତି

ଜଗତସିଂହପୁର: ଗତ ମଙ୍ଗଳବାର ଦିନ ତିର୍ତ୍ତୋଲ ନେହେରୁ ପଡିଆ ସାପ୍ତାହିକ ହାଟରେ ଏକତ୍ରିତ ହୋଇଥିଲେ ଶତାଧିକ ଲୋକ। ପୁଣି ଜଗତସିଂହପୁର ସୋମନାଥ ହାଟରେ  ଏକତ୍ରିତ ହେଲେ ହଜାର ହଜାର ଲୋକ। କରୋନା ଭୂତାଣୁ ସଂକ୍ରମଣକୁ ନେଇ ରାଜ୍ୟର ସମସ୍ତ ଜିଲ୍ଲାରେ ଲକ ଡାଉନ ଘୋଷଣା କରାଯାଇଥିବା ବେଳେ ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ହେଲେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବାହାନାରେ ଗୋଟିଏ ସ୍ଥାନରେ ଶତାଧିକ ଲୋକ ରୁଣ୍ଡ ହେଉଥିଲେ ମଧ୍ୟ ପ୍ରଶାସନିକ ତତ୍ପରତାର ଅଭାବ ଓ ଜିଲ୍ଲା ପୋଲିସ୍ ର କୋହଳ ମନୋଭାବ ମୁଣ୍ଡବିନ୍ଧାର କାରଣ ସାଜିଛି।

ଏପରିକି ଗତ ମଙ୍ଗଳବାର ଦିନ ତିର୍ତ୍ତୋଲର ସାପ୍ତାହିକ ନେହେରୁ ହାଟରେ ଶତାଧିକ ଲୋକ ଏକତ୍ରିତ ହୋଇଥିବାର ଦୃଶ୍ୟ ଖବର ପ୍ରସାରଣ ହେବା ପରେ ମଧ୍ୟ ଏଥିପ୍ରତି ନିଘାନାହିଁ ଜିଲ୍ଲା ପ୍ରଶାସନର। ପୁଣି ଜଗତସିଂହପୁର ସାପ୍ତାହିକ ସୋମନାଥ ହାଟରେ ଏକ୍ରତିତ ହୋଇଛନ୍ତି ହଜାର ହଜାର ଲୋକ। ଜଗତସିଂହପୁର ପୋଲିସ୍ ଉପସ୍ଥିତିରେ କରୋନା କଟକଣାକୁ ନମାନି ଏତେ ସଂଖ୍ୟାରେ ଲୋକ ଏକତ୍ରୀତ ହେବାଭଳି ଅଭାବନୀୟ ଦୃଶ୍ୟ ସାଧାରଣରେ ଚକିତ କରିଛି। ପୋଲିସ୍ ଉପସ୍ଥିତିରେ ହଜାର ହଜାର ଲୋକ ଏକାଠି ହେବା ପୋଲିସ୍ ର କୋହଳ ମନୋଭାବ ବୋଲି କୁହାଯାଉଛି।

ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବାହାନାରେ ଗୋଟିଏ ସ୍ଥାନରେ ଏକାଠି ହୋଇଛନ୍ତି ହଜାର ହଜାର ଲୋକ। ବେପରୁଆ ଢଙ୍ଗରେ ଚାଲିଛି କିଣାବିକା। କରୋନା ସଂକ୍ରମଣ ନେଇ ସରକାର କଟକଣା ଜାରି କରିଥିଲେ ମଧ୍ୟ ମାନୁନାହାଁନ୍ତି ଲୋକେ। ଜିଲ୍ଲାର ସବୁଠୁ ବଡ ସାପ୍ତାହିକ ହାଟ କୁହାଯାଉଥିବା ଏହି ସୋମନାଥ ହାଟ ଆଜି ସକାଳୁ ଆରମ୍ଭ ହୋଇଥିବା ବେଳେ ପୋଲିସ୍ ଉପସ୍ଥିତିରେ କଟକଣାକୁ ନମାନି ହଜାର ହଜାର ଲୋକ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇଥିବା ଖବର ପାଇ ଜିଲ୍ଲାପାଳ ଦିନପ୍ରାୟ ୧୧ଟା ବେଳେ ଉକ୍ତ ହାଟରେ ପହଂଚି ଲୋକମାନଙ୍କୁ ଏକତ୍ରିତ ନହେବାକୁ ବୁଝାଇଥିଲେ ବୋଲି ଜଣାପଡିଛି। ପୋଲିସ୍ ଉପସ୍ଥିତିରେ ଲୋକଙ୍କ ବେପରୁଆ ଢଙ୍ଗ ଅନ୍ୟମାନଙ୍କ ପାଇଁ ମରଣର କାରଣ ହୋଇପାରେ ବୋଲି କୁହାଯାଉଛି।