କୁଜଙ୍ଗରେ ଲକ୍‌ ଡାଉନ୍‌ ନିୟମ କଡାକଡି: ସାପ୍ତାହିକ ହାଟରେ ସାମାଜିକ ଦୂରତ୍ବକୁ ଗୁରୁତ୍ବ

Published: Apr 7, 2020, 1:44 pm IST

ରଞ୍ଜିତ୍ ପଣ୍ଡା

କୁଜଙ୍ଗ: କୁଜଙ୍ଗରେ ସାପ୍ତାହିକ ହାଟରେ ଆଜି ଦେଖିବାକୁ ମିଳିଛି ସାମାଜିକ ଦୂରତ୍ବ। ସାମାଜିକ ଦୂରତ୍ବକୁ ମାନି ଲୋକମାନେ ହାଟରୁ ପରିବାପତ୍ର କିଣିଛନ୍ତି। ଦୋକାନୀଙ୍କଠାରୁ ଆରମ୍ଭ କରି ଗ୍ରାହକମାନେ ସମେସ୍ତ ଏହି ନିୟମକୁ  ସଠିକ୍‌ ରୂପେ ପାଳନ କରିଛନ୍ତି। କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ, ତହସିଲଦାର ପ୍ରଭାସ ରଞ୍ଜନ ଦେହୁରା, ଭାରପ୍ରାପ୍ତ ବିଡିଓ ପୂଜା ଲେଙ୍କା ତତ୍ତ୍ବାବଧାନରେ ଆଜି ଶୃଙ୍ଖଳିତ ଭାବେ ସାମାଜିକ ଦୂରତ୍ବ ନିୟମ ଅନୁସାରେ ହାଟ ଅନୁଷ୍ଠିତ ହୋଇଥିଲା। ଆଜି କୁଜଙ୍ଗ ସାପ୍ତାହିକ ହାଟ କଟକ ପାରାଦ୍ଵୀପ ରାସ୍ତାର ଉଭୟ ପାର୍ଶ୍ବରେ ବସିଥିଲା। ଲୋକମାନେ ନିର୍ଦ୍ଦିଷ୍ଟ ଦୂରତ୍ବରେ ରହି କିଣାକିଣି କରିଥିବାର ନଜର ଆସିଥିଲା। ଲୋକମାନେ ଚାଲି ଚାଲି ପରିବା କିଣିବାକୁ ଆସିଥିବାବେଳେ କେହି କେହି ସାଇକେଲ୍‌ ଦ୍ବାରା ମଧ୍ୟ ବଜାରକୁ ଆସିଥିଲେ। କେହି ଦୁଇଚକିଆ ଯାନର ବ୍ୟବହାର ନ କରିଥିବାବେଳେ ସରକାରଙ୍କ ନିୟମକୁ ସଠିକ୍‌ ରୂପେ ପାଳନ କରିଥିବାର ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, ଗତକାଲି ରାହାମାରେ ସାପ୍ତାହିକ ହାଟରେ ପ୍ରବଳ ଜନସମାବେଶ ହୋଇଥିବାର ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ରାହାମା ସାପ୍ତାହିକ ହାଟଟିକୁ କରୋନାକୁ ଦୃଷ୍ଟିରେ ରଖି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାର ସାମାଜିକ ଦୂରତ୍ବକୁ କଡାକଡି କରାଯାଇଛି। ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି।

Related posts