ଜଗତସିଂହପୁରରୁ ଆସିଥିବା ଶ୍ରମିକଙ୍କୁ ଚିଲିକା କୂଳରେ ଅଟକାଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଲା ବାଲୁଗାଁ ପୋଲିସ୍‌

Published: May 9, 2020, 8:58 am IST

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ପ୍ରବାସୀ ଶ୍ରମିକଙ୍କ ଚିନ୍ତା ବେଶ୍‌ ଘାରିଛି। କରୋନା ସ୍ଥିତିକୁ ଦେଖି ବିଭିନ୍ନ ଦେଶରେ ଥିବା ବିଭିନ୍ନ ରାଜ୍ୟ ଓ ଜିଲ୍ଲାକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇ ଲକ୍‌ଡାଉନ୍ ୩.୦ ଜାରି କରାଯାଇଛି। ଅପିତୁ ଏହି ପର୍ଯ୍ୟାୟ ଲକ୍‌ ଡାଉନ୍‌ରେ କିଛି କଟକଣାକୁ କୋହଳ କରାଯାଇଛି। ସେହିପରି ରାଜ୍ୟରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ତିନୋଟି ଜୋନ୍‌ରେ ବିଭକ୍ତ କରାଯାଇଛି। ଗ୍ରୀନ୍‌ ଜୋନ୍‌ରେ ଥିବା ଜଗତସିଂହପୁର ଜିଲ୍ଲାରେ ୫ ଟି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଜିଲ୍ଲାକୁ ଏବେ ଅରେଞ୍ଜ ଜୋନ୍‌ରେ ପରିବର୍ତ୍ତନ କରାଯାଇଛି। ଲକ୍‌ ଡାଉନ୍‌ ଯୋଗୁଁ ଶ୍ରମିକମାନେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି। କାମ ଧନ୍ଦା ନ ପାଇଁ ଶ୍ରମିକମାନେ ଏବେ ନିଜ ନିଜ ଭିଟାମାଟିକୁ ଫେରିବାକୁ ଉଦ୍ୟମ କରୁଛନ୍ତି। ଏହି କ୍ରମରେ ଗତକାଲି ରାତିରେ ଜଗତସିଂହପୁରପୁରରେ କାମ କରୁଥିବା କିଛି ଶ୍ରମିକ କୌଣସି ଏକ ଗାଡି ଯୋଗେ ବାଲୁଗାଁ ଗାନ୍ଧି ଛକ ଠାରେ ପହଞ୍ଚିଥିଲେ। ଏବଂ ସେଠାରୁ ଗ୍ରାମକୁ ଯିବା ପାଇଁ ଚିଲିକା କୂଳକୁ ଚାଲି ଚାଲି ଯାଉଥିବା ବେଳେ ବାଲୁଗାଁ ପୋଲିସ ଦ୍ୱାରା ଅଟକ ରଖଯାଇଥିଲା। ବର୍ତ୍ତମାନ ସମୟରେ ସନ୍ଧ୍ୟା ୭ ଟାରୁ ସକାଳ ୭ ଟା ପର୍ଯ୍ଯନ୍ତ କର୍ଫ୍ଯୁ ଲାଗିରହିଛି। ବାଲୁଗାଁ ପୋଲିସ୍ ର ଏହି ସମୟରେ କଡା ପ୍ରହାର ରହିଥିବାରୁ ରାତି ୯ ଟା ସମୟରେ ସେମାନଙ୍କୁ ଧରି ଅଟକ ରଖିଥିଲା। ଏହାପରେ ଏହି ସମସ୍ତ ଶ୍ରମିକଙ୍କ ବାଲୁଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ଏହି ଶ୍ରମିକମାନେ କୃଷ୍ଣପ୍ରସାଦ ଗଡ (ପାରିକୁଦ)ର ବୋଲି ପୋଲିସ୍‌କୁ କହିଥିଲେ। ଜଗତସିଂହପୁର ତିର୍ତ୍ତୋଲର କୌଣସି ଏକ ପ୍ରାଇଭେଟ୍‌ କମ୍ପାନୀରେ କାମ କରୁଥିଲେ ଏହି ଶ୍ରମିକମାନେ। ପୋଲିସ୍‌ ଅଟକ ରଖିଥିବା ଶ୍ରମିକଙ୍କ ମଧ୍ୟରେ ଶିଶୁ ଓ ମହିଳାଙ୍କ ସମେତ ୧୨ ଜଣ ଲୋକ ରହିଛନ୍ତି। ପୋଲିସ୍‌  ସେମାନଙ୍କ ସରପଞ୍ଚ ସହ କଥା ହେବା ପରେ ସରପଞ୍ଚ ଆଜି ସକାଳୁ ଡ଼ଙ୍ଗା ସାହାଯ୍ୟରେ ସେମାନଙ୍କୁ ବାଲୁଗାଁ ଠାରୁ ତାଙ୍କ ଗ୍ରାମକୁ ନେଇଥିବା ସୂଚନା ରହିଛି। ଏହି କାର୍ଯ୍ୟରେ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ଓ ବାଲୁଗାଁ ପୋଲିସ୍‌ ଏଏସ୍‌ଆଇ ଦିଲ୍ଲୀପ ବିଶ୍ବାଳ ସହଯୋଗ କରିଥିଲେ ।

Related posts