Categories
ଆଜିର ଖବର

ତିର୍ତ୍ତୋଲରେ କରୋନା କଟକଣାକୁ ବେଖାତିର: ସାପ୍ତାହିକ ହାଟରେ ଏକତ୍ରିତ ହେଲେ ଶତାଧିକ ଲୋକ

ରମେଶ ଚନ୍ଦ୍ର ମହାନ୍ତି

ଜଗତସିଂହପୁର: କରୋନା କୁ ନେଇ ରାଜ୍ୟର ୧୪ଟି ଜିଲ୍ଲାରେ ଲକ ଡାଉନ ଘୋଷଣା କରାଯାଇଛି। ଘରୁ ଲୋକଙ୍କୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ହେଲେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବାହାନାରେ ଗୋଟିଏ ସ୍ଥାନରେ ଶତାଧିକ ଲୋକ ରୁଣ୍ଡ ହେଉଥିଲେ ମଧ୍ୟ ପ୍ରଶାସନିକ ତତ୍ପରତାର ଅଭାବ ମୁଣ୍ଡବିନ୍ଧାର କାରଣ ସାଜିଛି। ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଅଞ୍ଚଳରେ। ଗୋଟିଏ ସ୍ଥାନରେ ଏକାଧିକ ଲୋକ ଏକାଠି ହେବା ଉପରେ କଟକଣା ଜାରି ହୋଇଛି। ହେଲେ ମାନୁନାହାଁନ୍ତି ଲୋକେ।

ତିର୍ତ୍ତୋଲ ବ୍ଲକ ନେହେରୁ ବଜାର ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ। ଲୋକ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ବାହାନାରେ ଗୋଟିଏ ସ୍ଥାନରେ ଏକାଠି ହୋଇଛନ୍ତି ଶତାଧିକ ଲୋକ। ବେପରୁଆ ଢଙ୍ଗରେ ଚାଲିଛି କିଣାବିକା। କରୋନା ଭୟରେ ଲୋକଙ୍କୁ ସଚେତନ ହେବା ପାଇଁ ସରକାର କଟକଣା ଜାରି କରିଥିଲେ ମଧ୍ୟ ମାନୁନାହାଁନ୍ତି ଲୋକେ। ଲୋକଙ୍କ ଭିଡକୁ ଦେଖି ହାଟରେ କୃତ୍ରିମ ଦରଦାମ ସାଙ୍ଗକୁ ଆଳୁ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବ ଦେଖିବାକୁ ମିଳିଛି। ହାଟରେ ଏତେ ସଂଖ୍ୟକ ଲୋକ ଏକାଠି ହୋଇଥିଲେ ମଧ୍ୟ ସ୍ଥାନୀୟ ପୋଲିସ ପ୍ରଶାସନର ନିଘା ନାହିଁ। ପୋଲିସଙ୍କ ଉପସ୍ଥିତିିରେ ଲୋକଙ୍କ ବେପରୁଆ ଢ଼ଙ୍ଗ ଅନ୍ୟ ମାନଙ୍କ ପାଇଁ ମରଣର କାରଣ ହୋଇପାରେ। ଏହି ସାପ୍ତାହିକ ହାଟ ରାତି  ୯ଟା ଯାଏ ଚାଲିଥିବା ଦେଖିବାକୁ ମିଳିଥିଲା।