Categories
ଆଜିର ଖବର ରାଜ୍ୟ ଖବର

କରୋନା କଟକଣା: ବାଲୁଗାଁ ରେଳ ଷ୍ଟେସନରେ ପଞ୍ଜିକରଣ କରିବେ ପ୍ରବାସୀ

ସୀତାରାମ ଅଗ୍ରୱାଲ

ଚିଲିକା: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲାରେ କରୋନା ମହାମାରୀ ତାହାର କାୟା ବିସ୍ତାର କରିବାରେ ଲାଗିଛି। ଚିଲିକା ନିର୍ବାଚନମଣ୍ଡଳୀରେ ଏହା ବ୍ୟାପକ ରୂପ ନେଉଥିବା ବେଳେ ଜିଲ୍ଲା ପ୍ରଶାସନ ମଧ୍ୟ କରୋନାକୁ ପ୍ରତିହିତ କରିବା ପାଇଁ ଅଣ୍ଟା ଭିଡିଛି। ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ତୁହାକୁ ତୁହା  ବାଲୁଗାଁ ଏବଂ ବାଣପୁର ଗସ୍ତ କରି କୋଭିଡ ସମୀକ୍ଷା କରୁଥୁବାର ଦେଖାଯାଉଛି।

ତେବେ ଆଜି ବାଲୁଗାଁ ଏନଏସି ପକ୍ଷରୁ କରୋନାକୁ ପ୍ରତିହିତ କରିବା ପାଇଁ ଏକ ଅଭିନଵ ପ୍ରୟାସ ହାତକୁ ନିଆଯାଇଛି। ଜିଲ୍ଲା ପ୍ରଶାସନ ଏବଂ ଏନଏସି ପ୍ରଶାସନ ପକ୍ଷରୁ ବାଲୁଗାଁ ରେଳ ଷ୍ଟେସନରେ ଏକ  ପଞ୍ଜିକରଣ କ୍ୟାମ୍ପ ଖୋଲାଯାଇଛି। ଓଡିଶା ବାହାରୁ ଯେଉଁ ଲୋକ ରେଳ ଦ୍ୱାରା ବାଲୁଗାଁ ଆସିବେ ସେମାନେ ଉକ୍ତ କାଉଣ୍ଟରରେ ନିଜକୁ ପଂଜିକୃତ କରାଇବେ। ଯାହାଦ୍ୱାରା ସେମାନଙ୍କ ତଥ୍ୟ ପ୍ରଶାସନ ପାଖରେ ରହିବ ଏବଂ ଭବିଷ୍ୟତରେ କୋଭିଡକୁ ପ୍ରତିହିତ କରିବାରେ ସହାୟ ହେବ।

ତେବେ ବାଲୁଗାଁ ଷ୍ଟେସନରେ ରାଜ୍ୟ ବାହାରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉକ୍ତ କ୍ୟାମ୍ପରେ ପଞ୍ଜିକରଣ କରାଇବା ପାଇଁ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ହେବନି କଣ୍ଟେନମେଣ୍ଟ

ଭୁବନେଶ୍ବର : ଭୁବନେଶ୍ବର ମହାନଗର ଅଞ୍ଚଳରେ ଆଉ ହେବନି କଣ୍ଟେନମେଣ୍ଟ ଜୋନ୍‌ ହେବନି ବୋଲି ସୂଚନା ରହିଛି । ସେହିପରି ଭୁବନେଶ୍ବରରେ ସିଲ୍‌ କିମ୍ବା କଣ୍ଟେନମେଣ୍ଟ ଜୋନ୍‌ କରାଯିବ ନାହିଁ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଆବଶ୍ୟକ ହେଲେ ରାଜ୍ୟ ସରକାରଙ୍କ ଅନୁମତି ହିସାବରେ କଣ୍ଟେନମେଣ୍ଟ ଜୋନ୍‌ କରାଯିବ ।

ସେହିପରି ଭୁବନେଶ୍ବରକୁ ଆସିଥିବା ପ୍ରବାସୀଙ୍କ ସମ୍ପର୍କରେ ସୂଚନା ରହିଛି । ମେ‘ 2ରୁ ଆଜି ପର୍ଯ୍ୟନ୍ତ ବାହାର ରାଜ୍ୟରୁ ଭୁବନେଶ୍ବରକୁ 2168ଜଣ ଆସିଛନ୍ତି ।  ଟ୍ରେନ୍‌ରେ 501 ଜଣ ଆସିଥିବାବେଳେ ବିମାନରେ 852 ଜଣ ଓ ଅନ୍ୟ ଯାନରେ 815ଜଣ ଆସିଛନ୍ତି । ଏମାନଙ୍କ ମଧ୍ୟରୁ 859ଜଣଙ୍କ କ୍ବାରେଣ୍ଟିନ୍‌ ଅବଧି ସରିଲାଣି ବୋଲି ସୂଚନା ରହିଛି । ଅନ୍ୟ 1309 ଜଣଙ୍କ ମଧ୍ୟରୁ 1297 ଜଣ ହୋମ୍‌ କ୍ବାରେଣ୍ଟିନ୍‌ରେ ଅଛନ୍ତି ବୋଲି ସୂଚନା ରହିଛି ।

Categories
ଆଜିର ଖବର

ପ୍ରବାସୀଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ : 7 ଗୁରୁତର

ଜଳେଶ୍ବର : ପୁଣି ପ୍ରବାସୀଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । କେରଳରୁ ମୁର୍ଶିଦାବାଦ ଯାଉଥିବା ଏହି ବସ୍‌ଟି ବସ୍ତା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବବେଳେ ଏହି ଦୁର୍ଘଟଣାରେ 7ଜଣ ଗୁରୁତର ହୋଇଛନ୍ତି । ଏନ୍‌ଏଚ୍‌ 60 ବସ୍ତା ନିକଟରେ ବସ୍‌କୁ ଏକ ଟ୍ରଲର୍‌ ପଛରୁ ଧକ୍କା ଦେଇଛି । ବସ୍‌ଟିରେ ପ୍ରାୟ 40 ଜଣ ପ୍ରବାସୀ ରହିଥିଲେ ବୋଲି ଜଣାପଡିଛି । ଆହତଙ୍କୁ ନିକଟସ୍ଥ ବସ୍ତା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାର ସୂଚନା ରହିଛି ।

ସୂଚନାଯୋଗ୍ୟ, ଗତକାଲି ମଧ୍ୟ ବାଲେଶ୍ବର ଠାରେ ଏକ ପ୍ରବାସୀଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ବସ୍‌ଟି କେରଳରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ସମୟରେ 16 ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ତିନି ଜଣ ଗୁରୁତର ହୋଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

କେରଳରୁ ଫେରିଲେ 169 ଓଡ଼ିଆ ଝିଅ

ଭୁବନେଶ୍ବର : କେରଳରେ ଫସି ରହିଥିବା 169 ଜଣ ଓଡ଼ିଆ ଝିଅ ଆଜି ଓଡ଼ିଶା ଫେରିଛନ୍ତି । ଏକ ସ୍ବତନ୍ତ୍ର ବିମାନ ଯୋଗେ ଏହି ଝିଅମାନେ ଆସି ଭୁବନେଶ୍ବରରେ ଓହ୍ଲାଇଛନ୍ତି । ଏର୍ଣ୍ଣାକୁଲମ୍‌ର ଏକ କପଡା କାରଖାନାରେ କାମ କରୁଥିଲେ ଏହି ଝିଅମାନେ । ଲକ୍‌ ଡାଉନ୍‌ ଯୋଗୁଁ ଏର୍ଣ୍ଣାକୁଲମ୍‌ରେ ଫସି ରହିଥିଲେ ଏହି ଯୁବତୀମାନେ । ଫେରିଥିବା ସମସ୍ତ ଝିଅମାନେ କେନ୍ଦ୍ରାପଡା ରାଜନଗର ଅଞ୍ଚଳର ବୋଲି ସୂଚନା ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ପ୍ରାୟ ସାଢେ ତିନି ଲକ୍ଷ ପ୍ରବାସୀ ଫେରିଲେଣି ଓ ଆହୁରି ଅନେକ ପ୍ରବାସୀ ଆଗକୁ ଫେରିବେ ବୋଲି ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଅମାନିଆ ପ୍ରବାସୀ : ବାଲୁଗାଁ ପାଖରେ ଚେନ୍‌ ପୁଲିଂ କରି ଓହ୍ଲାଇଲେ 44 ପ୍ରବାସୀ

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ : ଲକ୍‌ଡାଉନ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ଟ୍ରେନ୍‌ ଯୋଗେ ନିଜ ଭିଟାମାଟିକୁ ଫେରୁଥିବାବେଳେ କିଛି କିଛି ସ୍ଥାନରେ ଚେନ୍‌ ଟାଣି ଫେରାର୍‌ ହେଉଥିବାର ଖବର ଶୁଣିବାକୁ ମିଳୁଛି ।  ପ୍ରାୟ ପ୍ରତ୍ୟେକ ଦିନ ଏପରି ଘଟଣା ଘଟୁଛି । ଆଜି ପୁଣି ଚେନ୍‌ ପୁଲ୍‌ କରି ଟ୍ରେନ୍‌ରୁ ଓହ୍ଲାଇଗଲେ 44 ପ୍ରବାସୀ। ଚେନ୍ନାଇ-ଖୋର୍ଦ୍ଧା ରୋଡ୍‌ ଯାଉଥିବା ଶ୍ରମିକ ଟ୍ରେନ୍‌ର ଚେନ୍‌ ପୁଲ୍‌ କରିଛନ୍ତି ପ୍ରବାସୀମାନେ। ପ୍ରବାସୀମାନେ  ଧୂଆଁଳ ଫାଟକ ପାଖରେ ଚେନ୍‌ ପୁଲ୍‌ କରି ଓହ୍ଲାଇଥିବାର ସୂଚନା ରହିଛି। ଏହି ପ୍ରବାସୀଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ 32 ଜଣ ରହିଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 12 ଜଣ ରହିଛନ୍ତି । ପ୍ରବାସୀଙ୍କ ଚେନ୍‌ ପୁଲିଂ କରିଥିବାବେଳେ ସିଙ୍ଗେଶ୍ବର ସରପଞ୍ଚ ଏହା ସମ୍ପର୍କରେ  ପୋଲିସ୍‌ଙ୍କୁ ଖବର ଦେଇଥିଲେ । ଏହା ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକକୁ ଅଟକ ରଖିଥିଲେ । ଗାଡି ଯୋଗେ ସରପଞ୍ଚମାନେ ନିଜ ନିଜ ପଞ୍ଚାୟତର ପ୍ରବାସୀଙ୍କୁ ନେଉଛନ୍ତି ବୋଲି କହିଛନ୍ତି ବାଲୁଗାଁ ଏଏସ୍‌ଆଇ ଦିଲ୍ଲୀପ ବିଶ୍ବାଳ । ତେବେ  ଏ ପର୍ଯ୍ୟନ୍ତ ଟାଙ୍ଗୀ ବ୍ଲକ ଓ ଗଞ୍ଜାମର ଖଲ୍ଲିକୋଟ ଅଞ୍ଚଳର ପ୍ରବାସୀମାନଙ୍କୁ ନେବା ପାଇଁ କେହି ଆସିନଥିବାବେଳେ ସେମାନଙ୍କୁ ଅପେକ୍ଷା କରି ରହିଛନ୍ତି ବାଲୁଗାଁ ପୋଲିସ୍‌ ।

Categories
ଆଜିର ଖବର ରାଜ୍ୟ ଖବର

ରିପୋର୍ଟ ନ ଆସିବା ଯାଏଁ କ୍ବାରେଣ୍ଟିନ୍‌ରେ ରହିବେ ପ୍ରବାସୀ : ଜିଲ୍ଲାପାଳ

ଜଗତସିଂହପୁର : ସ୍ବାବ୍‌ ରିପୋର୍ଟ ନ ଆସିବା ଯାଏଁ ଘରକୁ ଯିବା ମନା କରାଯାଇଛି। କ୍ବାରେଣ୍ଟିନ୍‌ରେ ରହୁଥିବା ପ୍ରବାସୀଙ୍କ ପ୍ରସଙ୍ଗରେ ଜଗତସିଂହପୁର ଜିଲ୍ଲା ପ୍ରତିକ୍ରିୟା ଦେଇଛନ୍ତି। ସ୍ବାବ୍‌ ରିପୋର୍ଟ ନ ଆସିବା ଯାଏଁ ପ୍ରବାସୀଙ୍କୁ ଘରକୁ ଛଡାଯିବନି ବୋଲି କହିଛନ୍ତି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ସାତଦିନିଆ କ୍ବାରେଣ୍ଟିନ୍‌ ଅବଧି ଶେଷ ପରେ ପ୍ରବାସୀ ଘରକୁ ପଳାଉଥିଲେ । ମାତ୍ର ସ୍ବାବ୍‌ ରିପୋର୍ଟ ଆସିବା ପରେ ପଜିଟିଭ୍‌ ସ୍ପଷ୍ଟ ନେଇ ଚିନ୍ତା ବଢୁଥିଲା। ରିପୋର୍ଟ ଆସିବା ପରେ ପ୍ରବାସୀଙ୍କୁ ଘରୁ ଆଣିବାକୁ ପଡୁଥିଲା। ଏନେଇ ଜିଲ୍ଲାପାଳ କଡା ନିୟମ କରିଛନ୍ତି । କ୍ବାରେଣ୍ଟାଇନ୍‌ ଅବଧି ଶେଷ ହେବା ପରେ ବି ସେମାନଙ୍କ ସ୍ବାବ୍‌ ରିପୋର୍ଟ ଆସିବା ପରେ ସେମାନଙ୍କୁ ଘରକୁ ଛଡାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

Categories
ଆଜିର ଖବର ରାଜ୍ୟ ଖବର

କ୍ବାରେଣ୍ଟିନ୍‌ କେନ୍ଦ୍ରରେ ଅବ୍ୟବସ୍ଥା, ଏନ୍‌ଏଚ୍‌ ଅବରୋଧ କଲେ ପ୍ରବାସ ଫେରନ୍ତା

ଭଦ୍ରକ : କ୍ବାରେଣ୍ଟିନ୍‌ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ପ୍ରବାସୀ ମାନେ ତାତିଛନ୍ତି । ଆଜି ଭୋର୍‌ ସକାଳୁ ପ୍ରବାସ ଫେରନ୍ତାମାନେ 16 ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଦୁଇ ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ । ଫଳରେ ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଛି । ସୂଚନା ଅନୁସାରେ ଭଦ୍ରକ ସ୍ବୟଂଶାସିତ କଲେଜର କ୍ବାରେଣ୍ଟିନ୍‌ କେନ୍ଦ୍ରରେ ଅବ୍ୟବସ୍ଥା ଅଭିଯୋଗ କରାଯାଇଛି । ଏଠାରେ ବହୁ ସଂଖ୍ୟାରେ ପ୍ରବାସ ଫେରନ୍ତାଙ୍କୁ ରଖାଯାଇଛି ।

ପ୍ରବାସ ଫେରନ୍ତାଙ୍କ ଅଭିଯୋଗ ଅନୁସାରେ ଏହି କ୍ବାରେଣ୍ଟିନ୍‌ ସେଣ୍ଟରରେ ଘୋର ଅବ୍ୟବସ୍ଥା ଦେଖାଯାଇଛି । ଖାଇବା, ଶୋଇବା, ପାନୀୟଜଳ ବ୍ୟବସ୍ଥା ଅତି ନିମ୍ନମାନର । ପ୍ରବାସ ଫେରନ୍ତାଙ୍କୁ ଏଠାରେ ବହୁ କଷ୍ଟ ସହ୍ୟ କରିବାକୁ ପଡୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ପ୍ରବାସୀ ଫେରନ୍ତା ଆଜି ସକାଳୁ ଜାତୀୟ ରାଜପଥକୁ ଅବରୋଧ କରିବା ପରେ ଯାତାୟତ ପ୍ରଭାବିତ ହୋଇଛି । ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ଟ୍ରକ ଓ ଅନ୍ୟ ଯାନବାହାନ ଅଟକି ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ଷ୍ଟେସନରେ ଚେନ୍‌ ଟାଣି ଟ୍ରେନ୍‌ରୁ ଓହ୍ଲାଇଲେ ପ୍ରବାସୀ

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ପ୍ରବାସୀ ଶ୍ରମିକ। ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରୁ ଆସୁଥିବା ଶ୍ରମିକ ସ୍ପେସିଆଲ୍‌ ଟ୍ରେନ୍‌ଟି ଗଞ୍ଜାମ ଷ୍ଟେସନରେ ନ ରହିବାରୁ ଚିଲିକାରେ ଚେନ୍‌ ଟାଣି ଓହ୍ଲାଇଥିଲେ ପ୍ରବାସୀ ଶ୍ରମିକ। ପ୍ରାୟ ୪୨୦ ରୁ ଅଧିକ ପ୍ରବାସୀ ଶ୍ରମିକ ଟ୍ରେନ୍‌ରୁ ଓହ୍ଲାଇଥିବା ବେଳେ ଜିଆର୍‌ପି ପୋଲିସ୍‌ ପକ୍ଷରୁ ତାଙ୍କୁ ଅଟକ ରଖାଯାଇଥିଲା। ଏହି ଶ୍ରମିକ ସ୍ପେସିଆଲ ଟ୍ରେନ୍‌ରେ ପ୍ରାୟ ୭୦୦ ଶ୍ରମିକ ଆସିଥିବା ବେଳେ ଚିଲିକାରେ ଏହି ଅଭାବନୀୟ ଘଟଣା ଘଟିଛି। ଟ୍ରେନ୍‌ ନମ୍ବର ୦୭୨୩୪ର ଏହି ଶ୍ରମିକ ସ୍ପେସିଆଲ ଟ୍ରେନ୍‌ଟି ଗୁଣ୍ଟୁରରୁ ଭଦ୍ରକ ଅଭିମୁଖେ ଯାତ୍ରା କରୁଥିଲା।

ଓହ୍ଲାଇଥିବା ଯାତ୍ରୀଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୪୦୦ ରୁ ଅଧିକ ପ୍ରବାସୀ ରହିଥିବା ବେଳେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦର ୧୦ ଏବଂ କଳାହାଣ୍ଡିର ୧୦ ଜଣ ପ୍ରବାସୀ ରହିଥିଲେ। ଏହି ଘଟଣା ନେଇ ଆରପିଏଫ୍‌ ପକ୍ଷରୁ ଗଞ୍ଜାମ ପ୍ରଶାସନକୁ ଜଣାଇବା ପରେ ଖଲ୍ଲିକୋଟ ତହସିଲଦାର ପହଞ୍ଚି ଶ୍ରମିକଙ୍କୁ ସ୍ଥାନାନ୍ତର ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଚେନ୍‌ ଟଣା ହେବା ପରେ ଚିଲିକା ବ୍ଲକ୍‌ର ୬ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟ ଦିଲ୍ଳୀପ କୁମାର ମହାନ୍ତିଙ୍କ ନେତୃତ୍ଵରେ ଡୁଙ୍ଗମାଳ ପଞ୍ଚାୟତ ପକ୍ଷରୁ ଲିଙ୍ଗରାଜ ଜାଲି, ଭ୍ରମର ପାଇକରାୟ, ତାରକେଶ ପଟ୍ଟନାୟକ ଏବଂ ଅରୂପ ସ୍ବାଇଁ ସମସ୍ତ ପ୍ରବାସୀଙ୍କ ପାଇଁ ଶୁଖିଲା ଖାଦ୍ୟ ଏବଂ ପାଣିର ବନ୍ଦୋବସ୍ତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଦୁବାଇରୁ ଆସିଲେ ପ୍ରବାସୀ : ରାଜ୍ୟରେ ଏକ ଲକ୍ଷ ଟପିଲା ପ୍ରବାସୀଙ୍କ ଆଗମନ

ଭୁବନେଶ୍ବର : ଦୁବାଇରୁ ଆସିଲେ ପ୍ରବାସୀ। ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନରେ ଦୁବାଇରୁ ପ୍ରାୟ 150 ଯାତ୍ରୀ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। 12ଟି ଜିଲ୍ଲାର 150ଜଣ ଯାତ୍ରୀ ଆସିଥିବା ସୂଚନା ମିଳିଛି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ସ୍କ୍ରିନିଂ କରାଯାଉଛି। ସ୍କ୍ରିନିଂ ପରେ ସମସ୍ତଙ୍କୁ କ୍ୱାରେଣ୍ଟିନରେ ପଠାଯିବାର ବ୍ୟବସ୍ଥା କରାଯାଉଛି। ବନ୍ଦେ ଭାରତ ମିଶନରେ ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପ୍ରକ୍ରିୟା ଜାରି ରହିଛି। ଗତକାଲି ରେଳ ଓ ବିମାନ ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଗାଇଡଲାଇନ୍‌ ଜାରି କରିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ସବୁ ପ୍ରବାସୀଙ୍କର ସ୍ୱତନ୍ତ୍ର ସ୍କ୍ରିନିଂ କରାଯିବ ବୋଲି ବିଏମସି କମିଶନର ସୂଚନା ଦେଇଥିଲେ।

ସେହିପରି ପ୍ରବାସୀଙ୍କ ବାବଦରେ ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଆଜି 11 ହଜାର 487ଜଣ ପ୍ରବାସୀ ଆସିଥିବାର ସୂଚନା ରହିଛି। ଏଯାବତ୍‌ ରାଜ୍ୟକୁ 1 ଲକ୍ଷ 30 ଜଣ ପ୍ରବାସୀ ଆସିଛନ୍ତି ବୋଲି ସୂଚନା ରହିଛି।

Categories
ଆଜିର ଖବର ଆଞ୍ଚଳିକ

ଗତକାଲି ଜଗତସିଂହପୁରକୁ ଆସିଛନ୍ତି ୬୯୧ଜଣ ପ୍ରବାସୀ : ଏସ୍‌ଭିଏମ୍‌ରେ ଖୋଲିଛି ୨ଟି ସ୍ବାବ ସଂଗ୍ରହ କେନ୍ଦ୍ର

ରମେଶ ମହାନ୍ତି

ଜଗତସିଂହପୁର : ଗତକାଲି ରାତି ୮ଟା ସୁଦ୍ଧା ବିଭିନ୍ନ ରାଜ୍ୟ ଓ ଜିଲ୍ଲାରୁ ୬୯୧ଜଣ ପ୍ରବାସୀ ଜଗତସିଂହପୁର ଜିଲ୍ଲାରେ ପହଞ୍ଚିଛନ୍ତି। ସୂଚନାନୁଯାୟୀ ଗତ ୮ତାରିଖ ଦିନ ସଂଗୃହୀତ ହୋଇଥିବା ୧୨୪ଟି ସ୍ୱାବ ରିପୋର୍ଟ ନେଗେଟିଭ୍ ରହିଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ତେବେ ୯ ଓ ୧୦ ତାରିଖର ରିପୋର୍ଟ ହସ୍ତଗତ ହୋଇନାହିଁ।

ଗତକାଲି ପହଞ୍ଚିଥିବା ୬୯୧ ପ୍ରବାସୀଙ୍କ ମଧ୍ୟରୁ ୧୦୩ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇ ତିର୍ତ୍ତୋଲ ବ୍ଲକକୁ ୯୦ଜଣ, ଜଗତସିଂହପୁର ବ୍ଲକକୁ ୧୨ ଓ ରଘୁନାଥପୁର ବ୍ଲକକୁ ୧ଜଣଙ୍କୁ ସଂଗରୋଧ କେନ୍ଦ୍ରକୁ ପଠାଯାଇଛି। ସେମାନଙ୍କ ମଧ୍ୟରୁ ୩୩୯ ଜଣଙ୍କର ସ୍ୱାବ ସଂଗୃହୀତ ନହୋଇ ବାଲିକୁଦା ବ୍ଲକକୁ ୯୪ଜଣ, କୁଜଙ୍ଗ ଓ ପାରାଦ୍ୱୀପକୁ ୫୧ଜଣ, ନାଉଗାଁ ୯୦,ଏରସମା ୩୯,ବିରିଡି ୩୮ ଓ ରଘୁନାଥପୁର ୨୭ଜଣଙ୍କୁ ସଂପୃକ୍ତ ବ୍ଲକର ସଂଗରୋଧ କେନ୍ଦ୍ରକୁ ପଠାଯାଇଛି। ଏତଦ୍ ବ୍ୟତୀତ ୧୪୯ଜଣ ଏସ୍.ଭି.ଏମ୍ କଲେଜରେ ସଂଗରୋଧରେ ରହିଛନ୍ତି।

ଗତକାଲି ସୁଦ୍ଧା ଜିଲ୍ଲାରୁ ୧୬୭୫ ସାମ୍ପଲ୍ ସଂଗୃହୀତ ହୋଇଥିବା ବେଳେ ୫ଟି ପଜିଟିଭ୍ ଏବଂ ୧୨୬୪ଟି ନେଗେଟିଭ୍ ବାହାରିଛି। ଜଗତସିଂହପୁର ଏସ୍.ଭି.ଏମ୍ କଲେଜରେ ୨ଟି ସ୍ୱାବ ସଂଗ୍ରହ କେନ୍ଦ୍ର ଖୋଲାଯାଇଛି। ବାହାର ଫେରନ୍ତାଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ କାର୍ଯ୍ୟ କରୁଛି। ଜିଲ୍ଲାରେ ସଂଗରୋଧ କେନ୍ଦ୍ର ଗୁଡ଼ିକରେ ନିୟମିତ ବିଶୋଧନ କରାଯାଉଛି। ସଂଗରୋଧ କେନ୍ଦ୍ରରେ ରହୁଥିବା ବ୍ୟକ୍ତିମାନଙ୍କୁ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ ସାମଗ୍ରୀ ଯୋଗାଇ ଦିଆଯାଉଛି। ପଞ୍ଚାୟତ ସଂଗରୋଧ କେନ୍ଦ୍ରରେ ଖାଦ୍ୟ ଯୋଗାଣ ଦାୟିତ୍ୱରେ ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟ କରୁଛନ୍ତି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅଧା ବାଟରେ ପ୍ରବାସୀଙ୍କୁ ଛାଡି ବସ୍‌ ପାର୍‌

କଟକ : ପ୍ରବାସୀଙ୍କୁ ନେଇ ଓଡ଼ିଶାର ଚିନ୍ତା ବଢୁଥିବାବେଳେ ପୁଣି ଥରେ ଅଧା ବାଟରେ ପ୍ରବାସୀ ବସ୍‌ ଛାଡି ଫେରାର୍‌ ହୋଇଛି। 15 ପ୍ରବାସୀଙ୍କୁ ଅଧା ରାସ୍ତାରେ ଛାଡି ପଳାଇଛି ବସ୍‌। କଟକ ଓ ଓମ୍‌ପି ଛକରେ ଏହି ପ୍ରବାସୀଙ୍କୁ ଛାଡି ଦେଇ ବସ୍‌ଟି କେନ୍ଦ୍ରାପଡା ଯାଇଛି।  ନିଜ ଖର୍ଚ୍ଚରେ ତାମିଲନାଡୁ କାଞ୍ଚିପୁରମ୍‌ରୁ ଆସିଥିଲେ 30 ପ୍ରବାସୀ। ଏହି ବସ୍‌ରେ ଜଗତସିଂହପୁରର 15 ଓ କେନ୍ଦ୍ରାପଡାର 15 ପ୍ରବାସୀ ଥିଲେ। ଓଏମ୍‌ପି ଛକରୁ ଚାଲି ଚାଲି ଜଗତସିଂହପୁର ଅଭିମୁଖେ 15 ପ୍ରବାସୀ ଯାଉଥିବାର ଜଣାପଡିଛି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସରୁନି ପ୍ରବାସୀଙ୍କ ଦୁଃଖ: ସାଇକେଲରେ ରେଢାଖୋଲରୁ ଯାଉଛନ୍ତି ପଶ୍ଚିମବଙ୍ଗ

କନ୍ଦର୍ପ ବେହେରା

ରେଢାଖୋଲ: ସାରା ଦେଶରେ କରୋନା ପାଇଁ ଲକ୍ ଡାଉନ୍ ଚାଲିଥିବା ବେଳେ ରେଢାଖୋଲରେ କାମ କରିବାକୁ ଆସିଥିବା କିଛି ବଙ୍ଗାଳୀ ଲୋକ ଆଜି ସାଇକେଲରେ ପଶ୍ଚିମବଙ୍ଗ ଯାତ୍ରା କରିଛନ୍ତି।

ପ୍ରକାଶ ଯେ ବହୁମାସ ହେଲା ସେମାନେ ରେଢାଖୋଲରେ ଏକ ବ୍ରିଜ୍ କାମରେ ନିୟୋଜିତ ଥିଲେ। ଲକ୍ ଡାଉନ୍ ଯୋଗୁଁ ସେମାନେ ଘରକୁ ଫେରିପାରି ନ ଥିଲେ  ବୋଲି ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି। ଏମିତି ବହୁ ଶ୍ରମିକ ରେଢାଖୋଲ ଅଂଚଳରେ ପଶ୍ଚିମବଙ୍ଗରୁ ଆସି ଫସିରହିଥିଲେ ମଧ୍ୟ ସେମାନେ ଘରକୁ ଫେରିପାରୁନାହାନ୍ତି। ପଶ୍ଚିମବଙ୍ଗ ସରକାର ଏମାନଙ୍କୁ ନିଜ ରାଜ୍ୟକୁ ଫେରାଇ ନେବାର କୌଣସି ଉଦ୍ୟମ କରିନଥିବାବେଳେ ସେମାନେ ସାଇକେଲ୍‌ରେ ନିଜ ରାଜ୍ୟକୁ ବାହୁଡିବା ପାଇଁ ପ୍ରସ୍ତୁତି ଆରମ୍ଭକରିଛନ୍ତି। ସାଇକେଲରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଧରି ବାହାରିଛନ୍ତି ପଶ୍ଚିମବଙ୍ଗ। ଏପରି ସମୟରେ ଏହି ପ୍ରବାସୀମାନଙ୍କୁ ନିଜ ରାଜ୍ୟକୁ ଫେରାଇ ନେବା ପାଇଁ ପଶ୍ଚିମବଙ୍ଗ ସରକାର ଉଦ୍ୟମ କରିବା ଜରୁରୀ।