ଅମାନିଆ ପ୍ରବାସୀ : ବାଲୁଗାଁ ପାଖରେ ଚେନ୍‌ ପୁଲିଂ କରି ଓହ୍ଲାଇଲେ 44 ପ୍ରବାସୀ

Published: May 28, 2020, 2:25 pm IST

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ : ଲକ୍‌ଡାଉନ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ଟ୍ରେନ୍‌ ଯୋଗେ ନିଜ ଭିଟାମାଟିକୁ ଫେରୁଥିବାବେଳେ କିଛି କିଛି ସ୍ଥାନରେ ଚେନ୍‌ ଟାଣି ଫେରାର୍‌ ହେଉଥିବାର ଖବର ଶୁଣିବାକୁ ମିଳୁଛି ।  ପ୍ରାୟ ପ୍ରତ୍ୟେକ ଦିନ ଏପରି ଘଟଣା ଘଟୁଛି । ଆଜି ପୁଣି ଚେନ୍‌ ପୁଲ୍‌ କରି ଟ୍ରେନ୍‌ରୁ ଓହ୍ଲାଇଗଲେ 44 ପ୍ରବାସୀ। ଚେନ୍ନାଇ-ଖୋର୍ଦ୍ଧା ରୋଡ୍‌ ଯାଉଥିବା ଶ୍ରମିକ ଟ୍ରେନ୍‌ର ଚେନ୍‌ ପୁଲ୍‌ କରିଛନ୍ତି ପ୍ରବାସୀମାନେ। ପ୍ରବାସୀମାନେ  ଧୂଆଁଳ ଫାଟକ ପାଖରେ ଚେନ୍‌ ପୁଲ୍‌ କରି ଓହ୍ଲାଇଥିବାର ସୂଚନା ରହିଛି। ଏହି ପ୍ରବାସୀଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ 32 ଜଣ ରହିଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 12 ଜଣ ରହିଛନ୍ତି । ପ୍ରବାସୀଙ୍କ ଚେନ୍‌ ପୁଲିଂ କରିଥିବାବେଳେ ସିଙ୍ଗେଶ୍ବର ସରପଞ୍ଚ ଏହା ସମ୍ପର୍କରେ  ପୋଲିସ୍‌ଙ୍କୁ ଖବର ଦେଇଥିଲେ । ଏହା ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକକୁ ଅଟକ ରଖିଥିଲେ । ଗାଡି ଯୋଗେ ସରପଞ୍ଚମାନେ ନିଜ ନିଜ ପଞ୍ଚାୟତର ପ୍ରବାସୀଙ୍କୁ ନେଉଛନ୍ତି ବୋଲି କହିଛନ୍ତି ବାଲୁଗାଁ ଏଏସ୍‌ଆଇ ଦିଲ୍ଲୀପ ବିଶ୍ବାଳ । ତେବେ  ଏ ପର୍ଯ୍ୟନ୍ତ ଟାଙ୍ଗୀ ବ୍ଲକ ଓ ଗଞ୍ଜାମର ଖଲ୍ଲିକୋଟ ଅଞ୍ଚଳର ପ୍ରବାସୀମାନଙ୍କୁ ନେବା ପାଇଁ କେହି ଆସିନଥିବାବେଳେ ସେମାନଙ୍କୁ ଅପେକ୍ଷା କରି ରହିଛନ୍ତି ବାଲୁଗାଁ ପୋଲିସ୍‌ ।

Related posts