ଚିଲିକା ଷ୍ଟେସନରେ ଚେନ୍‌ ଟାଣି ଟ୍ରେନ୍‌ରୁ ଓହ୍ଲାଇଲେ ପ୍ରବାସୀ

Published: May 23, 2020, 6:09 pm IST

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ପ୍ରବାସୀ ଶ୍ରମିକ। ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରୁ ଆସୁଥିବା ଶ୍ରମିକ ସ୍ପେସିଆଲ୍‌ ଟ୍ରେନ୍‌ଟି ଗଞ୍ଜାମ ଷ୍ଟେସନରେ ନ ରହିବାରୁ ଚିଲିକାରେ ଚେନ୍‌ ଟାଣି ଓହ୍ଲାଇଥିଲେ ପ୍ରବାସୀ ଶ୍ରମିକ। ପ୍ରାୟ ୪୨୦ ରୁ ଅଧିକ ପ୍ରବାସୀ ଶ୍ରମିକ ଟ୍ରେନ୍‌ରୁ ଓହ୍ଲାଇଥିବା ବେଳେ ଜିଆର୍‌ପି ପୋଲିସ୍‌ ପକ୍ଷରୁ ତାଙ୍କୁ ଅଟକ ରଖାଯାଇଥିଲା। ଏହି ଶ୍ରମିକ ସ୍ପେସିଆଲ ଟ୍ରେନ୍‌ରେ ପ୍ରାୟ ୭୦୦ ଶ୍ରମିକ ଆସିଥିବା ବେଳେ ଚିଲିକାରେ ଏହି ଅଭାବନୀୟ ଘଟଣା ଘଟିଛି। ଟ୍ରେନ୍‌ ନମ୍ବର ୦୭୨୩୪ର ଏହି ଶ୍ରମିକ ସ୍ପେସିଆଲ ଟ୍ରେନ୍‌ଟି ଗୁଣ୍ଟୁରରୁ ଭଦ୍ରକ ଅଭିମୁଖେ ଯାତ୍ରା କରୁଥିଲା।

ଓହ୍ଲାଇଥିବା ଯାତ୍ରୀଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୪୦୦ ରୁ ଅଧିକ ପ୍ରବାସୀ ରହିଥିବା ବେଳେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦର ୧୦ ଏବଂ କଳାହାଣ୍ଡିର ୧୦ ଜଣ ପ୍ରବାସୀ ରହିଥିଲେ। ଏହି ଘଟଣା ନେଇ ଆରପିଏଫ୍‌ ପକ୍ଷରୁ ଗଞ୍ଜାମ ପ୍ରଶାସନକୁ ଜଣାଇବା ପରେ ଖଲ୍ଲିକୋଟ ତହସିଲଦାର ପହଞ୍ଚି ଶ୍ରମିକଙ୍କୁ ସ୍ଥାନାନ୍ତର ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଚେନ୍‌ ଟଣା ହେବା ପରେ ଚିଲିକା ବ୍ଲକ୍‌ର ୬ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟ ଦିଲ୍ଳୀପ କୁମାର ମହାନ୍ତିଙ୍କ ନେତୃତ୍ଵରେ ଡୁଙ୍ଗମାଳ ପଞ୍ଚାୟତ ପକ୍ଷରୁ ଲିଙ୍ଗରାଜ ଜାଲି, ଭ୍ରମର ପାଇକରାୟ, ତାରକେଶ ପଟ୍ଟନାୟକ ଏବଂ ଅରୂପ ସ୍ବାଇଁ ସମସ୍ତ ପ୍ରବାସୀଙ୍କ ପାଇଁ ଶୁଖିଲା ଖାଦ୍ୟ ଏବଂ ପାଣିର ବନ୍ଦୋବସ୍ତ କରିଥିଲେ।

Related posts