Categories
ଆଜିର ଖବର ରାଜ୍ୟ ଖବର

ଗୋଷାଣୀ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ କଟକଣା : ଦେବସଭା ପାଇଁ ଜାରି ହେବ 144 ଧାରା

ପୁରୀ : ଗୋଷାଣୀ ଯାତ୍ରା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ନିଷ୍ପତ୍ତି ନିଆଯାଇଛି । କୋଭିଡ କଟକଣା ନେଇ ସିଂହଦ୍ବାର ସମ୍ମୁଖରେ ଜାରି ହେବ 144 ଧାରା । ଆସନ୍ତା 27 ତାରିଖରେ ଶ୍ରୀକ୍ଷେତ୍ରରେ ବିନା ଶ୍ରଦ୍ଧାଳୁରେ ଶ୍ରୀମନ୍ଦିର ସମ୍ମୁଖରେ ହେବ ଗୋଷାଣୀ ମେଳଣ । ମହାଦୀପ ଉଠିବା ପରେ ଗୋଟିଏ ଲେଖାଏଁ ମେଢ ବିସର୍ଜନ ପାଇଁ ଯିବେ । ମରିଚକୋଟରୁ ସିଂହଦ୍ୱାରା ପର୍ଯ୍ୟନ୍ତ ଓ ଶ୍ରୀମନ୍ଦିର ଚାରିପାଖରେ 144 ଧାରା ଲାଗିବ । ବିସର୍ଜନ ପାଇଁ କମିଟିର କେବଳ 7 ଜଣଙ୍କୁ ଅନୁମତି ଦିଆଯାଇଛି । ମଙ୍ଗଳାଘାଟରେ ଅସ୍ଥାୟୀ ପୁଷ୍କରିଣୀରେ ବିସର୍ଜନ କରାଯିବ । ଏନେଇ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ମା’ ଭଗବତୀ ମନ୍ଦିର ଏବଂ ସାତ ବଖରା ଘରେ ଜିଲ୍ଲା ପ୍ରଶାସନ ତରଫରୁ ଲାଗିଲା ଧାରା ୧୪୪

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ‘ମା’ ଭଗବତୀ ମନ୍ଦିର ଓ ’ସାତବଖରା ଘର’ ନିକଟରେ ପ୍ରଶାସନ ୧୪୪ ଧାରା ଜାରି କରିଛି । ଦଶହରା ପର୍ବକୁ ଧ୍ୟାନରେ ରଖି ଭିଡ ନିୟନ୍ତ୍ରଣ ତଥା କରୋନାକୁ ଦୃଷ୍ଟିରେ ରଖାଯାଇ ୧୪୪ ଧାରା ଜାରି କରାଯାଇଛି । ଖୋର୍ଦ୍ଧା ଉପଜିଲ୍ଲାପାଙ୍କ ନିର୍ଦ୍ଦେଶାନୁସାରେ ଏହି ସମସ୍ତ ଅଞ୍ଚଳଗୁଡିକରେ ଗତ ୧୯  ତାରିଖଠାରୁ ଆସନ୍ତା ୩୧  ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ । ତେବେ ଏହି ସମୟ ମଧ୍ୟରେ କେବଳ ନୀତିକାନ୍ତି ସହିତ ଜଡିତ ଥିବା ସେବାୟତଙ୍କୁ ମନ୍ଦିର ପ୍ରବେଶ ଅନୁମତି ରହିଛି । ଏହି ସମୟ ମଧ୍ୟରେ ସର୍ବସାଧାରଣଙ୍କୁ ମନ୍ଦିର ପ୍ରବେଶ ନିମେନ୍ତ ନିଷେଧାଜ୍ଞା ଜାରି କରାଯାଇଛି । ଏ ସମ୍ପର୍କ ରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ବାଣପୁର ତହସିଲ ଦ୍ୱାରା ଆଜି ପ୍ରଚାର ମଧ୍ୟ କରାଯାଇଛି । ସେହିପରି ଆଗକୁ ମହାଷ୍ଟମୀ ଓ ମହାନବମୀ ସମୟରେ ମନ୍ଦିର ତଥା ସମ୍ପୃକ୍ତ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା ପାଇଁ ଉପଜିଲ୍ଲାପାଳ ବାଣପୁର ଥାନାଧିକାରୀଙ୍କୁ ଆବଶ୍ୟକସ୍ଥଳେ ବ୍ୟାପକ ପୋଲିସ୍‌ ଫୋର୍ସ ମୂତୟନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ପାର୍ବଣ ସମୟରେ ଅଯଥା ଭିଡ ନ କରିବାକୁ ପରାମର୍ଶ ଦିଆଯାଇଛି। ପାର୍ବଣ ସମୟରେ କରୋନାକୁ ନେଇ ଅଧିକ ସଚେତନ ଓ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପରାମର୍ଶ ଦେଇଛନ୍ତି । ପାର୍ବଣ ସମୟରେ ଗହଳି ନକରି ଯଥାସମ୍ଭବ ଘରେ ରହି କରୋନାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀରେ ଲାଗୁ ହେବ 144 ଧାରା

ପୁରୀ : ପୁରୀରେ ଲାଗୁହେବ 144 ଧାରା । ସ୍ନାନ ଯାତ୍ରା ପାଇଁ ପୁରୀରେ ଜାରି ହେବ 144 ଧାରା । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଲୋକଙ୍କ ଆତଯାତ ରୋକିବାକୁ 144 ଜାରି ପାଇଁ ଯୋଜନା କରାଯାଇଛି । ଆସନ୍ତା 4 ତାରିଖ ରାତି 10ଟାରୁ ଏହି ଧାରା ଲାଗୁ କରାଯିବ।  ଏହା 6 ତାରିଖ ଦିନ 2ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ରହିଛି । ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନେଇ ଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି ।

କରୋନା ପାଇଁ ଅସମ୍ଭବ ଭିଡକୁ ଏଡାଇବା ପାଇଁ ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଉଛି। ଦେଶରେ ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ରାଜ୍ୟରେ ଧାର୍ମିକ ଅନୁଷ୍ଠାନଗୁଡିକୁ ଜୁ୍ନ୍‌ 30 ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି ।

ତେବେ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରାର ସିଧା ପ୍ରସାରଣ କରିବ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ଏହାବ୍ୟତୀତ ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁର ଏସ୍.ଭି.ଏମ୍ କଲେଜ୍ ଆଖ ପାଖରେ ୧୪୪ ଧାରା ଜାରୀ

ରମେଶ ମହାନ୍ତି

ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣ ଯୋଗୁ ଦେଶରେ ଭୟାବହ ପରିସ୍ଥିତି ଦେଖାଦେଇଛି। ବିଭିନ୍ନ ରାଜ୍ୟରୁ ଜଗତସିଂହପୁର ଜିଲ୍ଲାକୁ ଅଧିକ ସଂଖ୍ୟକ ଫେରୁଥିବା ପ୍ରବାସୀମାନଙ୍କ ପାଇଁ ଜଗତସିଂହପୁର ସ୍ଥିତ ଏସ୍.ଭି.ଏମ୍ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଟ୍ରାନଜିଟ୍ ପଏଣ୍ଟ ଓ ସ୍ୱାବ ସଂଗ୍ରହ କେନ୍ଦ୍ର କାର୍ଯ୍ୟ କରୁଥିବାରୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏସ୍.ଭି.ଏମ୍ କଲେଜ୍ ଆଖ ପାଖରେ ୧୪୪ ଧାରା ଜାରୀ କରିଛନ୍ତି। ଏହି ଧାରା ଆଜିଠାରୁ ବଳବତ୍ତର ରହିବ। ଉକ୍ତ କଲେଜ୍ ଆଖ ପାଖ ଓ ମେନ୍ ଗେଟ୍ ଠାରୁ ୧୦୦ ମିଟର ଦୁରତା ଭିତରେ ଏହି ଧାରା କାର୍ଯ୍ୟକାରୀ ହେବ। ବିଭିନ୍ନ ରାଜ୍ୟରୁ ଫେରୁଥିବା ପ୍ରବାସୀ ମାନେ ବିନା ଅନୁମତିରେ କ୍ୟାମ୍ପସ୍ ବାହାରକୁ ଯାଇପାରିବେ ନାହିଁ। ସାମାଜିକ ଦୂରତ୍ୱକୁ କଡାକଡି ଭାବେ ପାଳନ କରାଯିବ।

ଗତକାଲି ମେ, ୧୪ ତାରିଖରେ ଜିଲ୍ଲାକୁ ଫେରିଥିବା ପ୍ରବାସୀଙ୍କ ମଧ୍ୟରୁ ୧୩୨ ଜଣଙ୍କ ଠାରୁ ସ୍ୱାବ ସଂଗୃହୀତ ହୋଇଛି। ସେମାନଙ୍କ ମଧ୍ୟରୁ ବିହାରରୁ ୩ଜଣ, ତାମିଲନାଡୁରୁ ୧୨ଜଣ, ଗୁଜୁରାଟରୁ ୫ଜଣ, ଝାଡଖଣ୍ଡରୁ ୩ଜଣ, ପଶ୍ଚିମବଙ୍ଗରୁ ୨୨ଜଣ, ମହାରାଷ୍ଟ୍ରରୁ ୪୫ଜଣ, ତେଲେଙ୍ଗାନାରୁ ୩୯ଜଣ, ଆନ୍ଧ୍ରପ୍ରଦେଶରୁ ୧ଜଣ ଓ ମେଡିକାଲ ଷ୍ଟାଫ୍ ୨ଜଣଙ୍କ ଠାରୁ ସ୍ୱାବ ସଂଗୃହୀତ ହୋଇଛି। ଗତକାଲି ଏରସମା ବ୍ଲକ ଅଞ୍ଚଳରୁ ଏହି ସ୍ୱାବ ସଂଗୃହୀତ ହୋଇଛି। ଜଗତସିଂହପୁର ଜିଲ୍ଲାରେ ଅନ୍ୟ ରାଜ୍ୟ ଓ ଜିଲ୍ଲାରୁ ଆସି କାମ କରୁଥିବା ଶ୍ରମିକ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ନିଜ ରାଜ୍ୟ ଓ ଜିଲ୍ଲାକୁ ପଠାଯାଇଛି। ଏହି କ୍ରମରେ ଝାଡଖଣ୍ଡ ରାଜ୍ୟକୁ ୬୦ଜଣ, ରାଜସ୍ଥାନକୁ ୩୧ଜଣ ଓ ଛତିଶଗଡ଼କୁ ୧୦୦ଜଣଙ୍କୁ ମିଶାଇ ମୋଟ୍ ୧୯୧ଜଣଙ୍କୁ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ସେହିପରି ନୂଆପଡ଼ା ଜିଲ୍ଲାକୁ ୨୫୫ଜଣ, ମୟୂରଭଞ୍ଜ ୧୯ଜଣ, ବରଗଡକୁ ୧୩ଜଣ, ସୋନପୁରକୁ ୫ଜଣ, କେନ୍ଦୁଝରକୁ ୮ଜଣ, ଯାଜପୁରକୁ ୧୮ଜଣ ଓ ନବରଙ୍ଗପୁରକୁ ୫୮ଜଣଙ୍କୁ ମିଶାଇ ମୋଟ୍ ୩୭୬ଜଣ ଶ୍ରମିକଙ୍କୁ ସେମାନଙ୍କ ଜିଲ୍ଲାକୁ ପଠାଯାଇଛି। ଗତକାଲି ସୁଦ୍ଧା ଜିଲ୍ଲାର ୧୯୮ଟି ପଞ୍ଚାୟତରେ ୩୧୮ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧,୫୫୮ଟି ଶଯ୍ୟା ୨ଟି ପୌରାଞ୍ଚଳରେ ୬ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩୩୨ଟି ଶଯ୍ୟା ବ୍ୟବସ୍ଥା ସଂମ୍ପୁର୍ଣ୍ଣ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଗତକାଲି ଜିଲ୍ଲାପାଳ ନାଉଗାଁ ବ୍ଲକର ବଛାଳୋ,ରୋହିଆ,ଜାମୁଗାଁ ପଲିଟେକନିକ୍ ର ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସୁବିଧା ଅସୁବିଧା ତଦାରଖ କରିଥିଲେ।

Categories
ଆଞ୍ଚଳିକ

ପାରାଦ୍ୱୀପ ସହର ଓ ଆଖପାଖ ଅଂଚଳରେ ୧୪୪ ଧାରା ଜାରି: ଜିଲ୍ଲାରେ ବନ୍ଦ ରହିବ ଆଧାର ପଞ୍ଜିକରଣ କେନ୍ଦ୍ର

ରମେଶ ମହାନ୍ତି

ଜଗତସିଂହପୁର: କରୋନା ଭୂତାଣୁ ସଂକ୍ରମଣ ରୋଗର ନିୟନ୍ତ୍ରଣ ଓ ପ୍ରତିଷେଧକ ଚିକିତ୍ସା ଏବଂ ଜନସାଧାରଣଙ୍କ ଜୀବନ ସୂରକ୍ଷାକୁ ଦୃ୍ଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପାରାଦ୍ୱୀପ ସହର ଓ ଏହାର ଆଖପାଖ ଅଂଚଳରେ ୧୪୪ ଧାରା ଜାରି କରିଛନ୍ତି। ପାରାଦ୍ୱୀପ ସହର ମଧ୍ୟରେ ଥିବା ସର୍ବସାଧାରଣ ସ୍ଥାନ ଓ ବ୍ୟକ୍ତିଗତ ସ୍ଥାନରେ ୪ଜଣରୁ ଅଧିକ ଲୋକ ଏକାଠି ନହେବା, ସମୁଦ୍ରକୂଳରେ ଥିବା ବାଲିଯାତ୍ରା ପଡିଆ, ଜବାହାର ଗେଷ୍ଠହାଉସ୍ ଠାରେ ଏକତ୍ରୀତ ନହେବା ପାଇଁ କଟକଣା ଜାରି କରାଯାଇଛି। ଏଥିସହିତ ଗେଷ୍ଟହାଉସ୍, କଲ୍ୟାଣମଣ୍ଡପ, ହୋଟେଲ, ଯାତ୍ରୀ ନୀବାସ, ଧର୍ମଶାଳା ଏବଂ ସର୍ବସାଧାରଣ କିମ୍ବା ବ୍ୟକ୍ତିଗତ ସ୍ଥାନରେ କୌଣସି ସାମାଜିକ ଓ ଧାର୍ମିକ ଉତ୍ସବ ଆୟୋଜନ କରାଯାଇପାରିବ ନାହିଁ। ସରକାରୀ କାର୍ଯ୍ୟାଳୟ, ଶିଳ୍ପ କାରଖାନା ଓ ଅନୁଷ୍ଠାନଗୁଡିକ ସମ୍ମୁଖରେ କୌଣସି ରାଜନୈତିକ ଶୋଭାଯାତ୍ରା, ବିକ୍ଷୋଭ, ଧାରଣା ଓ ସାଧାରଣସଭା ଆୟୋଜିତ ହୋଇପାରିବ ନାହିଁ ବୋଲି ଜିଲ୍ଲାପାଳ ଆଦେଶନାମା ଜାରି କରିଛନ୍ତି। ଏହି ଆଦେଶନାମା ମାର୍ଚ୍ଚ ୧୬ ତାରିଖ ଠାରୁ ତତକ୍ଷଣାତ୍ ଲାଗୁ କରାଯାଇଛି। ଏହି ପରିପ୍ରେକ୍ଷୀରେ ପାରାଦ୍ୱୀପ ସହର ଓ ଆଖପାଖ ଅଂଚଳରେ ଥିବା ଥାନାର ଆରକ୍ଷୀ ନିରୀକ୍ଷକ ମାନେ ଡାକବାଜୀ ଯନ୍ତ୍ର ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ସାହାଯ୍ୟପ୍ରାପ୍ତ , ପବ୍ଲିକ୍ ଓ ବେସରକାରୀ ବିଦ୍ୟାଳୟ ଗୁଡିକ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ପ୍ରଥମ ଶ୍ରେଣୀରୁ ନବମ ଶ୍ରେଣୀ ଏବଂ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ବିଦ୍ୟାଳୟଗୁଡିକ ବନ୍ଦ ହେବା ସହିତ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟକୁ ଆସିବେ ନାହିଁ। କିନ୍ତୁ ନିର୍ଦ୍ଧିଷ୍ଟ ଆଦେଶ ନିମନ୍ତେ ସେମାନଙ୍କ ଫୋନକୁ ସଜାଗ ରଖିଥିବେ। ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଯଥାରୀତି କାର୍ଯ୍ୟସୂଚି ଅନୂଯାୟୀ ଅନୁଷ୍ଠିତ ହେବ। ଦଶମ ଓ ଦ୍ୱାଦଶ ଶ୍ରେଣୀର ଖାତା ମୁଲ୍ୟାଙ୍କନ କାର୍ଯ୍ୟ ନିର୍ଦ୍ଧାରୀତ ତାରିଖରେ ସ୍ୱାସ୍ଥ୍ୟବିଭାଗ ଦ୍ୱାରା ଜାରି ହୋଇଥିବା କରୋନା ଭୂତାଣୁ ପ୍ରତିଷେଧକ ବ୍ୟବସ୍ଥା ଅନୁଯାୟୀ ଅନୁଷ୍ଠିତ ହେବ। ଏଥିସହିତ ଓକାକ୍ ଅଧିନରେ ଚାଲୁଥିବା ସମସ୍ତ ଆଧାର ପଞ୍ଜିକରଣ କେନ୍ଦ୍ରଗୁଡିକ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସାମୟୀକ ଭାବେ ବନ୍ଦ ରହିବ ବୋଲି ଇଲେକଟ୍ରୋନିକ୍ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇଛନ୍ତି।

Categories
ଆଜିର ଖବର

ଝଙ୍କଡ ସାରଳା ମନ୍ଦିରରେ ୧୪୪ ଧାରା ଜାରି ଓ କରୋନା ସତର୍କ କଟକଣା

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟର ସଭାପତି ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ପ୍ରସିଦ୍ଧ ବାଣୀକ୍ଷେତ୍ର ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ମା’ସାରଳାଙ୍କ ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି। ଏଥିସହିତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସାରଳା ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍ଚ୍ଚ ୧୬ ତାରିଖ ସୋମବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କରୋନା ଭୂତାଣୁ ସତର୍କତା ସମ୍ପର୍କରେ କେତେକ ନୀତି-ନୀୟମ ପ୍ରଣୟନ କରିଛନ୍ତି। ମନ୍ଦିରର ଦକ୍ଷିଣ ଦ୍ୱାର ଓ ପଶ୍ଚିମ ଦ୍ୱାର ବନ୍ଦ ରହିବ।କେବଳ ସିଂହଦ୍ୱାର ବାଟେ ଯାତ୍ରୀ, ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ସମେତ ସେବାୟତମାନେ ଯାତାୟତ କରିପାରିବେ। ମା’ଙ୍କ ସିଂହାସନ ନିକଟକୁ ଯାତ୍ରୀ ମାନଙ୍କୁ ନେଇ ଦର୍ଶନ କରାଇବା ନିମନ୍ତେ ସେବାୟତମାନେ ନିବୃତ୍ତ ରହିବାକୁ ଅନୁରୋଧ କରାଯାଇଛି। ଏଥିସହିତ ୩/୪ ଜଣରୁ ଉର୍ଦ୍ଧ୍ଵ ଭକ୍ତ ଓ ସେବାୟତ ଏକତ୍ର ହୋଇ ମନ୍ଦିର ବେଢା ମଧ୍ୟରେ ରହିପାରିବେ ନାହିଁ। ମନ୍ଦିର ବେଢା ଓ ପୀଠର ଚତୁଃପାର୍ଶ୍ୱରେ ସ୍ୱଚ୍ଛତା ଓ ପରିସ୍କାର ପରିଚ୍ଛନତା ପ୍ରତି ଅଧିକ ଦୃଷ୍ଟି ଦିଆଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।ଶ୍ରଦ୍ଧାଳୁ,ଭକ୍ତ ଓ ଯାତ୍ରୀମାନଙ୍କ ସମେତ ସମସ୍ତ ସେବାୟତ ଓ ସେବାନିଯୋଗୀ ମାନେ ଏନେଇ ସହଯୋଗ କରିବା ନିମନ୍ତେ ପ୍ରଶାସନ ତରଫରୁ ନିବେଦନ କରାଯାଇଛି।