ଝଙ୍କଡ ସାରଳା ମନ୍ଦିରରେ ୧୪୪ ଧାରା ଜାରି ଓ କରୋନା ସତର୍କ କଟକଣା

Published: Mar 17, 2020, 10:18 am IST

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟର ସଭାପତି ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ପ୍ରସିଦ୍ଧ ବାଣୀକ୍ଷେତ୍ର ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ମା’ସାରଳାଙ୍କ ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି। ଏଥିସହିତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସାରଳା ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍ଚ୍ଚ ୧୬ ତାରିଖ ସୋମବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କରୋନା ଭୂତାଣୁ ସତର୍କତା ସମ୍ପର୍କରେ କେତେକ ନୀତି-ନୀୟମ ପ୍ରଣୟନ କରିଛନ୍ତି। ମନ୍ଦିରର ଦକ୍ଷିଣ ଦ୍ୱାର ଓ ପଶ୍ଚିମ ଦ୍ୱାର ବନ୍ଦ ରହିବ।କେବଳ ସିଂହଦ୍ୱାର ବାଟେ ଯାତ୍ରୀ, ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ସମେତ ସେବାୟତମାନେ ଯାତାୟତ କରିପାରିବେ। ମା’ଙ୍କ ସିଂହାସନ ନିକଟକୁ ଯାତ୍ରୀ ମାନଙ୍କୁ ନେଇ ଦର୍ଶନ କରାଇବା ନିମନ୍ତେ ସେବାୟତମାନେ ନିବୃତ୍ତ ରହିବାକୁ ଅନୁରୋଧ କରାଯାଇଛି। ଏଥିସହିତ ୩/୪ ଜଣରୁ ଉର୍ଦ୍ଧ୍ଵ ଭକ୍ତ ଓ ସେବାୟତ ଏକତ୍ର ହୋଇ ମନ୍ଦିର ବେଢା ମଧ୍ୟରେ ରହିପାରିବେ ନାହିଁ। ମନ୍ଦିର ବେଢା ଓ ପୀଠର ଚତୁଃପାର୍ଶ୍ୱରେ ସ୍ୱଚ୍ଛତା ଓ ପରିସ୍କାର ପରିଚ୍ଛନତା ପ୍ରତି ଅଧିକ ଦୃଷ୍ଟି ଦିଆଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।ଶ୍ରଦ୍ଧାଳୁ,ଭକ୍ତ ଓ ଯାତ୍ରୀମାନଙ୍କ ସମେତ ସମସ୍ତ ସେବାୟତ ଓ ସେବାନିଯୋଗୀ ମାନେ ଏନେଇ ସହଯୋଗ କରିବା ନିମନ୍ତେ ପ୍ରଶାସନ ତରଫରୁ ନିବେଦନ କରାଯାଇଛି।

 

Related posts