ବାଣପୁର ମା’ ଭଗବତୀ ମନ୍ଦିର ଏବଂ ସାତ ବଖରା ଘରେ ଜିଲ୍ଲା ପ୍ରଶାସନ ତରଫରୁ ଲାଗିଲା ଧାରା ୧୪୪

Published: Oct 22, 2020, 3:24 pm IST

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ‘ମା’ ଭଗବତୀ ମନ୍ଦିର ଓ ’ସାତବଖରା ଘର’ ନିକଟରେ ପ୍ରଶାସନ ୧୪୪ ଧାରା ଜାରି କରିଛି । ଦଶହରା ପର୍ବକୁ ଧ୍ୟାନରେ ରଖି ଭିଡ ନିୟନ୍ତ୍ରଣ ତଥା କରୋନାକୁ ଦୃଷ୍ଟିରେ ରଖାଯାଇ ୧୪୪ ଧାରା ଜାରି କରାଯାଇଛି । ଖୋର୍ଦ୍ଧା ଉପଜିଲ୍ଲାପାଙ୍କ ନିର୍ଦ୍ଦେଶାନୁସାରେ ଏହି ସମସ୍ତ ଅଞ୍ଚଳଗୁଡିକରେ ଗତ ୧୯  ତାରିଖଠାରୁ ଆସନ୍ତା ୩୧  ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ । ତେବେ ଏହି ସମୟ ମଧ୍ୟରେ କେବଳ ନୀତିକାନ୍ତି ସହିତ ଜଡିତ ଥିବା ସେବାୟତଙ୍କୁ ମନ୍ଦିର ପ୍ରବେଶ ଅନୁମତି ରହିଛି । ଏହି ସମୟ ମଧ୍ୟରେ ସର୍ବସାଧାରଣଙ୍କୁ ମନ୍ଦିର ପ୍ରବେଶ ନିମେନ୍ତ ନିଷେଧାଜ୍ଞା ଜାରି କରାଯାଇଛି । ଏ ସମ୍ପର୍କ ରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ବାଣପୁର ତହସିଲ ଦ୍ୱାରା ଆଜି ପ୍ରଚାର ମଧ୍ୟ କରାଯାଇଛି । ସେହିପରି ଆଗକୁ ମହାଷ୍ଟମୀ ଓ ମହାନବମୀ ସମୟରେ ମନ୍ଦିର ତଥା ସମ୍ପୃକ୍ତ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା ପାଇଁ ଉପଜିଲ୍ଲାପାଳ ବାଣପୁର ଥାନାଧିକାରୀଙ୍କୁ ଆବଶ୍ୟକସ୍ଥଳେ ବ୍ୟାପକ ପୋଲିସ୍‌ ଫୋର୍ସ ମୂତୟନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ପାର୍ବଣ ସମୟରେ ଅଯଥା ଭିଡ ନ କରିବାକୁ ପରାମର୍ଶ ଦିଆଯାଇଛି। ପାର୍ବଣ ସମୟରେ କରୋନାକୁ ନେଇ ଅଧିକ ସଚେତନ ଓ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପରାମର୍ଶ ଦେଇଛନ୍ତି । ପାର୍ବଣ ସମୟରେ ଗହଳି ନକରି ଯଥାସମ୍ଭବ ଘରେ ରହି କରୋନାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ ।

Related posts