Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ମା’ ଭଗବତୀ ମନ୍ଦିର ଏବଂ ସାତ ବଖରା ଘରେ ଜିଲ୍ଲା ପ୍ରଶାସନ ତରଫରୁ ଲାଗିଲା ଧାରା ୧୪୪

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ‘ମା’ ଭଗବତୀ ମନ୍ଦିର ଓ ’ସାତବଖରା ଘର’ ନିକଟରେ ପ୍ରଶାସନ ୧୪୪ ଧାରା ଜାରି କରିଛି । ଦଶହରା ପର୍ବକୁ ଧ୍ୟାନରେ ରଖି ଭିଡ ନିୟନ୍ତ୍ରଣ ତଥା କରୋନାକୁ ଦୃଷ୍ଟିରେ ରଖାଯାଇ ୧୪୪ ଧାରା ଜାରି କରାଯାଇଛି । ଖୋର୍ଦ୍ଧା ଉପଜିଲ୍ଲାପାଙ୍କ ନିର୍ଦ୍ଦେଶାନୁସାରେ ଏହି ସମସ୍ତ ଅଞ୍ଚଳଗୁଡିକରେ ଗତ ୧୯  ତାରିଖଠାରୁ ଆସନ୍ତା ୩୧  ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ । ତେବେ ଏହି ସମୟ ମଧ୍ୟରେ କେବଳ ନୀତିକାନ୍ତି ସହିତ ଜଡିତ ଥିବା ସେବାୟତଙ୍କୁ ମନ୍ଦିର ପ୍ରବେଶ ଅନୁମତି ରହିଛି । ଏହି ସମୟ ମଧ୍ୟରେ ସର୍ବସାଧାରଣଙ୍କୁ ମନ୍ଦିର ପ୍ରବେଶ ନିମେନ୍ତ ନିଷେଧାଜ୍ଞା ଜାରି କରାଯାଇଛି । ଏ ସମ୍ପର୍କ ରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ବାଣପୁର ତହସିଲ ଦ୍ୱାରା ଆଜି ପ୍ରଚାର ମଧ୍ୟ କରାଯାଇଛି । ସେହିପରି ଆଗକୁ ମହାଷ୍ଟମୀ ଓ ମହାନବମୀ ସମୟରେ ମନ୍ଦିର ତଥା ସମ୍ପୃକ୍ତ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା ପାଇଁ ଉପଜିଲ୍ଲାପାଳ ବାଣପୁର ଥାନାଧିକାରୀଙ୍କୁ ଆବଶ୍ୟକସ୍ଥଳେ ବ୍ୟାପକ ପୋଲିସ୍‌ ଫୋର୍ସ ମୂତୟନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ପାର୍ବଣ ସମୟରେ ଅଯଥା ଭିଡ ନ କରିବାକୁ ପରାମର୍ଶ ଦିଆଯାଇଛି। ପାର୍ବଣ ସମୟରେ କରୋନାକୁ ନେଇ ଅଧିକ ସଚେତନ ଓ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପରାମର୍ଶ ଦେଇଛନ୍ତି । ପାର୍ବଣ ସମୟରେ ଗହଳି ନକରି ଯଥାସମ୍ଭବ ଘରେ ରହି କରୋନାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବିଧାନସଭା ଏଥିକ୍ସ କମିଟିଙ୍କ ଅଚାନକ ଭଗବତୀ ମନ୍ଦିର ପରିଦର୍ଶନ, ମନ୍ଦିରର ଉନ୍ନତି ନେଇ ସାଧାରଣରେ ଚର୍ଚ୍ଚା

ସମୀକ୍ଷା ବ୍ୟୁରୋ

ବାଣପୁର : ରାଜ୍ୟସରକାର ମନ୍ଦିର ଓ ପର୍ଯ୍ୟଟନ ଶିଳ୍ପକୁ ବିଶେଷ ଗୁରୁତ୍ବ ଦେଉଥିବାବେଳେ ଆଜି ବାଣପୁରର ପ୍ରସିଦ୍ଧ ମା’ ଭଗବତୀଙ୍କ ମନ୍ଦିରଠାରେ ବିଜେଡି ବିଧାୟକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଏହି ଭିଡକୁ ଦେଖି ସାଧାରଣରେ ବେଶ୍‌ ଉତ୍ସାହ ସୃଷ୍ଟି ହୋଇଛି। ନିକଟରେ ମଠ, ମନ୍ଦିର ପାଇଁ ରାଜ୍ୟ ସରକାର  ଉଲ୍ଲେଖନୀୟ ପଦକ୍ଷେପ ନେଉଥିବାବେଳେ ବାଣପୁର ମନ୍ଦିରକୁ ବିଧାନସଭା ଏଥିକ୍ସ କମିଟିର ସଭ୍ୟ, ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ଅଚାନକ ଗସ୍ତ ସହରରେ ବେଶ୍‌ ଉତ୍ସାହ ସୃଷ୍ଟି କରିଛି।  ଆଗାମୀ ସମୟରେ ବାଣପୁରର ପ୍ରସିଦ୍ଧ ଭଗବତୀ ମନ୍ଦିରର ଉନ୍ନତି ନେଇ ବିଶେଷ କିଛି ଯୋଜନା କରାଯାଇ ଥାଇପାରେ ବୋଲି ଅନୁମାନ କରାଯାଉଛି। ଆଜି ବାଣପୁରର ଭଗବତୀ ମନ୍ଦିର ପରିଦର୍ଶନ କରିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ବିଧାନସଭା ଏଥିକ୍ସ କମିଟିର ଅଧ୍ୟକ୍ଷ ଅମର ଶତପଥୀ, ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାୟକ ଭୁପିନ୍ଦର ସିଂହ,  ବିଧାୟକ କିଶୋର ମହାନ୍ତି ପ୍ରମୁଖ। ଏହି ଅବସରରେ ଚିଲିକା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେବ, ଖୋର୍ଦ୍ଧା ଜିଲ୍ଲାପାଳ, ବିଡିଓ, ତହସିଲଦାର୍‌, ବ୍ଲକ ଅଧ୍ୟକ୍ଷ, ବ୍ଲକ୍‌ ଉପାଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ରହିଥିଲେ।

ବିଧାୟକ ଅମର ଶତପଥୀଙ୍କୁ ବାଣପୁରରେ ରହିଥିବା ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କରେ ପଚାରାଯାଇଥିବା ପ୍ରଶ୍ନକୁ ସେ ସହଜରେ ଏଡାଇ ଦେଇ ଏହାକୁ ସ୍ଥାନୀୟ ବିଧାୟକ ଦେଖିବେ ବୋଲି କହିଥିଲେ। ତେବେ ମନ୍ଦିରର ଉନ୍ନତି ନେଇ ସମୀକ୍ଷା କରାଯାଉଥିବା ନେଇ ଅମର ଶତପଥୀ କହିଥିଲେ।

ସୂଚନାଯୋଗ୍ୟ, ବାଣପୁରରେ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ରହିଥିବା ଅବ୍ୟବସ୍ଥାକୁ ସ୍ଥାନୀୟ ଜନସାଧାରଣ ହଇରାଣ ହରକତ ହେଉଛନ୍ତି। ରାଜ୍ୟସରକାରଙ୍କ ତରଫରୁ ଫାଇଭ୍‌ ଟି ସଚିବ ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଏହାର ସ୍ଥିତି ସୀମକ୍ଷା କରୁଥିବାବେଳେ ବାଣପୁର ବାଦ୍‌ ପଡିଛି। ଅବିଭକ୍ତ ପୁରୀଜିଲ୍ଲାର ପ୍ରଥମ ସ୍ବାସ୍ଥ୍ୟକେନ୍ଦ୍ର  ବାଣପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରର  ସମସ୍ୟା ଉଦ୍‌ବେଗଜନକ ରହିଥିବାବେଳେ ଏହାକୁ ନେଇ ରାଜ୍ୟସରକାରଙ୍କ ଉଦାସୀନତା ସାଧାରଣରେ ଏକ ପ୍ରଶ୍ନବାଚୀ ପାଲଟିଛି।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ