ପାରାଦ୍ୱୀପ ସହର ଓ ଆଖପାଖ ଅଂଚଳରେ ୧୪୪ ଧାରା ଜାରି: ଜିଲ୍ଲାରେ ବନ୍ଦ ରହିବ ଆଧାର ପଞ୍ଜିକରଣ କେନ୍ଦ୍ର

Published: Mar 17, 2020, 11:58 am IST

ରମେଶ ମହାନ୍ତି

ଜଗତସିଂହପୁର: କରୋନା ଭୂତାଣୁ ସଂକ୍ରମଣ ରୋଗର ନିୟନ୍ତ୍ରଣ ଓ ପ୍ରତିଷେଧକ ଚିକିତ୍ସା ଏବଂ ଜନସାଧାରଣଙ୍କ ଜୀବନ ସୂରକ୍ଷାକୁ ଦୃ୍ଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପାରାଦ୍ୱୀପ ସହର ଓ ଏହାର ଆଖପାଖ ଅଂଚଳରେ ୧୪୪ ଧାରା ଜାରି କରିଛନ୍ତି। ପାରାଦ୍ୱୀପ ସହର ମଧ୍ୟରେ ଥିବା ସର୍ବସାଧାରଣ ସ୍ଥାନ ଓ ବ୍ୟକ୍ତିଗତ ସ୍ଥାନରେ ୪ଜଣରୁ ଅଧିକ ଲୋକ ଏକାଠି ନହେବା, ସମୁଦ୍ରକୂଳରେ ଥିବା ବାଲିଯାତ୍ରା ପଡିଆ, ଜବାହାର ଗେଷ୍ଠହାଉସ୍ ଠାରେ ଏକତ୍ରୀତ ନହେବା ପାଇଁ କଟକଣା ଜାରି କରାଯାଇଛି। ଏଥିସହିତ ଗେଷ୍ଟହାଉସ୍, କଲ୍ୟାଣମଣ୍ଡପ, ହୋଟେଲ, ଯାତ୍ରୀ ନୀବାସ, ଧର୍ମଶାଳା ଏବଂ ସର୍ବସାଧାରଣ କିମ୍ବା ବ୍ୟକ୍ତିଗତ ସ୍ଥାନରେ କୌଣସି ସାମାଜିକ ଓ ଧାର୍ମିକ ଉତ୍ସବ ଆୟୋଜନ କରାଯାଇପାରିବ ନାହିଁ। ସରକାରୀ କାର୍ଯ୍ୟାଳୟ, ଶିଳ୍ପ କାରଖାନା ଓ ଅନୁଷ୍ଠାନଗୁଡିକ ସମ୍ମୁଖରେ କୌଣସି ରାଜନୈତିକ ଶୋଭାଯାତ୍ରା, ବିକ୍ଷୋଭ, ଧାରଣା ଓ ସାଧାରଣସଭା ଆୟୋଜିତ ହୋଇପାରିବ ନାହିଁ ବୋଲି ଜିଲ୍ଲାପାଳ ଆଦେଶନାମା ଜାରି କରିଛନ୍ତି। ଏହି ଆଦେଶନାମା ମାର୍ଚ୍ଚ ୧୬ ତାରିଖ ଠାରୁ ତତକ୍ଷଣାତ୍ ଲାଗୁ କରାଯାଇଛି। ଏହି ପରିପ୍ରେକ୍ଷୀରେ ପାରାଦ୍ୱୀପ ସହର ଓ ଆଖପାଖ ଅଂଚଳରେ ଥିବା ଥାନାର ଆରକ୍ଷୀ ନିରୀକ୍ଷକ ମାନେ ଡାକବାଜୀ ଯନ୍ତ୍ର ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ସାହାଯ୍ୟପ୍ରାପ୍ତ , ପବ୍ଲିକ୍ ଓ ବେସରକାରୀ ବିଦ୍ୟାଳୟ ଗୁଡିକ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ପ୍ରଥମ ଶ୍ରେଣୀରୁ ନବମ ଶ୍ରେଣୀ ଏବଂ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ବିଦ୍ୟାଳୟଗୁଡିକ ବନ୍ଦ ହେବା ସହିତ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟକୁ ଆସିବେ ନାହିଁ। କିନ୍ତୁ ନିର୍ଦ୍ଧିଷ୍ଟ ଆଦେଶ ନିମନ୍ତେ ସେମାନଙ୍କ ଫୋନକୁ ସଜାଗ ରଖିଥିବେ। ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଯଥାରୀତି କାର୍ଯ୍ୟସୂଚି ଅନୂଯାୟୀ ଅନୁଷ୍ଠିତ ହେବ। ଦଶମ ଓ ଦ୍ୱାଦଶ ଶ୍ରେଣୀର ଖାତା ମୁଲ୍ୟାଙ୍କନ କାର୍ଯ୍ୟ ନିର୍ଦ୍ଧାରୀତ ତାରିଖରେ ସ୍ୱାସ୍ଥ୍ୟବିଭାଗ ଦ୍ୱାରା ଜାରି ହୋଇଥିବା କରୋନା ଭୂତାଣୁ ପ୍ରତିଷେଧକ ବ୍ୟବସ୍ଥା ଅନୁଯାୟୀ ଅନୁଷ୍ଠିତ ହେବ। ଏଥିସହିତ ଓକାକ୍ ଅଧିନରେ ଚାଲୁଥିବା ସମସ୍ତ ଆଧାର ପଞ୍ଜିକରଣ କେନ୍ଦ୍ରଗୁଡିକ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସାମୟୀକ ଭାବେ ବନ୍ଦ ରହିବ ବୋଲି ଇଲେକଟ୍ରୋନିକ୍ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇଛନ୍ତି।

Related posts