ଜଗତସିଂହପୁରରୁ ଚିହ୍ନଟ 11 ଜଣ ଆକ୍ରାନ୍ତଙ୍କ ତଥ୍ୟ ଜାରି

Published: May 29, 2020, 2:15 pm IST

ରମେଶ ମହାନ୍ତି

ଜଗତସିଂହପୁର :  ଆଜି ଜଗତସିଂହପୁରରୁ 11ଟି ପଜିଟିଭ୍‌ ମାମଲା ଆସିଛି। ଏହି ସମସ୍ତ 11 ଜଣ ଆକ୍ରାନ୍ତ କ୍ବାରେଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ତିର୍ତ୍ତୋଲ୍‌ ଓ ଏରସମାରୁ ଚାରି ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କୁଜଙ୍ଗରୁ 2 ଜଣ ଓ ବାଲିକୁଦାରୁ ଜଣେ ରହିଛନ୍ତି। ଗତ 24, 25 ଓ 26 ତାରିଖରେ ସାମ୍ପଲ୍‌ ସଂଗ୍ରହ କରାଯାଇଥିଲା।  ସ୍ବାବ୍‌ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଏମାନଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ସେହିପରି ଆଜି ଜଗତସିଂହପୁରରୁ 23ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ। ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା 60 ରହିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 28ରେ ପହଞ୍ଚିଛି। ଏବେ ସୁଦ୍ଧା ଜିଲ୍ଲାରେ 32ଟି ସକ୍ରିୟ କେସ୍‌ ରହିଛି ବୋଲି ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ।

ଆଜି ତିର୍ତ୍ତୋଲ ବ୍ଲକରୁ ଚିହ୍ନଟ ହୋଇଥିବା ଚାରି ଆକ୍ରାନ୍ତଙ୍କ ସବିଶେଷ ତଥ୍ୟ ଜଣାପଡିଛି।  ତିର୍ତ୍ତୋଲ୍‌ ବ୍ଲକ ପିପ୍ପଳମାଧବ ପଞ୍ଚାୟତ ପଞ୍ଚସଖା ସ୍କୁଲ୍ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ବାହାରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଗୁଜୁରାଟ ଫେରନ୍ତା ଥିବା ବେଳେ ଅନ୍ୟଜଣେ ତାମିଲନାଡୁ ଫେରନ୍ତା ବୋଲି ଜଣାପଡିଛି। ସେହିପରି ସାମନ୍ତରାପୁର ପଞ୍ଚାୟତର ସିରସ୍ତା ବାତ୍ୟା ଆଶ୍ରୟସ୍ଥଳୀ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ବାହାରିଥିବା 2ଜଣ ଆକ୍ରାନ୍ତ ସ୍ୱାମୀ ସ୍ତ୍ରୀ ହୋଇଥିବା ବେଳେ ସେମାନେ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡିଛି। ଗୋଟିଏ ପରିବାରରୁ 4ଜଣ ମହାରାଷ୍ଟ୍ରରୁ ଫେରି ଉକ୍ତ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଉକ୍ତ ସ୍ୱାମୀ ସ୍ତ୍ରୀ ଦୁଇଜଣ ଆକ୍ରାନ୍ତ ବୋଲି ଜଣାପଡିଛି।

Related posts