ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କୋଭିଡ ହସପିଟାଲରେ ପ୍ରଥମ ସନ୍ଦିଗ୍ଧର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରୁ ଜଣାପଡିଛି ଯେ, ତାମିଲ ନାଡୁରୁ ଗତ ୨୧.୦୫.୨୦୨୦ ଦିନ କଳାହାଣ୍ଡି ଫେରିଥିବା ଜଣେ ୩୫ ବର୍ଷିୟ ଯୁବକକୁ ଜୁନାଗଡ ବ୍ଲକ ଅନ୍ତର୍ଗତ ହାବସପୁର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିଲା । ଗତ ୨୪.୦୫. ୨୦୨୦ ରବିବାର ଦିନ ସେ ଶ୍ୱାସ କ୍ରିୟାରେ କଷ୍ଟ ଅନୁଭବ କରିବାରୁ ଆରଆରଟି ପକ୍ଷରୁ ପରୀକ୍ଷା କରାଯାଇ କୋଭିଡ ହସପିଟାଲ ସ୍ଥାନାନ୍ତରିତ କରାଯିବା ନେଇ ପରାମର୍ଶ ଦିଆଯାଇଥିଲା ।
ତଦନୁସାରେ ଉକ୍ତ ଯୁବକକୁ ରବିବାର ଦିନ ହିଁ ବାନେ୍ଦାପଲାସ୍ଥ କଳାହାଣ୍ଡି କୋଭିଡ ହସପିଟାଲକୁ ଦିନ ୧୨.୧୫ ରେ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ସନ୍ଦିଗ୍ଧ ରୋଗୀ ଭାବରେ ସ୍ୱତନ୍ତ୍ର ରୁମରେ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା । ଶେଷରେ ସଂପୃକ୍ତ ଯୁବକ ସୋମବାର ଦିନ ୧୧ଟା ସମୟରେ ନିଜ ଜୀବନ ସଂଗ୍ରାମରେ ହାରିଯାଇଥିବାର ସୂଚନା ମିଳିଛି । ସଂପୃକ୍ତ ଯୁବକଙ୍କ ସ୍ୱାବ ପରୀକ୍ଷା ପାଇଁ ନମୁନା ପଠାଯାଇଥିବା ବେଳେ ଅଦ୍ୟାବଧି ରିପୋର୍ଟ ଆସିନାହିଁ । ନମୁନା ରିପୋର୍ଟ ଆସିବା ପୂର୍ବରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମାନୁସାରେ ପରିବାର ବର୍ଗ ସହ ଆଲୋଚନା କରି ସଂସ୍କାର କରାଯିବା ନେଇ ବ୍ୟବସ୍ଥା କରାଯାଉଛି । ଉକ୍ତ ଯୁବକ ଜଣକ ଧର୍ମଗଡ ବ୍ଲକ ଅନ୍ତର୍ଗତ ଡୁମେରଗୁଡାର ବୋଲି ବେସରକାରୀ ସୂତ୍ରରୁ ଜଣାପଡିଛି ।