ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କୋଭିଡ ହସ୍ପିଟାଲ୍ରେ ପହଂଚିବା ପୂର୍ବରୁ ଜଣେ ସାତ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ଶିଶୁଟି ପିତାମାତାଙ୍କ ସହ ତେଲେଙ୍ଗାନାରୁ ଆସି ରେଗେଡା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାକୁ ଭବାନୀପାଟଣା କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହସପିଟାଲରେ ପହଞ୍ଚିବା ପୂର୍ବରୁ ଶିଶୁଟିର ପ୍ରାଣହାନି ଘଟିଥିଲା । ଶିଶୁଟିକୁ ମୃତ ଅବସ୍ଥାରେ ରିସିଭ କରାଯାଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏକ ପ୍ରେସ ରିଲିଜରେ ଜଣାଇଛନ୍ତି । ମୃତ ଶିଶୁର ସଂସ୍କାର କୋଭିଡ ପ୍ରୋଟୋକଲ ଅନୁସାରେ ତାର ପରିବାର ବର୍ଗ ଉପସ୍ଥିତିରେ କରାଯିବ ବୋଲି କୁହାଯାଇଛି ।
ସେହିପରି କଳାହାଣ୍ଡିରେ ଆଉ ଏକ କରୋନା ପଜିଟିଭ ଚିହ୍ନଟ ହୋଇଛି । ସଂପୃକ୍ତ ବ୍ୟକ୍ତି ଜଣକ ଗୋଲାମୁଣ୍ଡା ବ୍ଲକରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିବା ବେଳେ ତାଙ୍କୁ ଭବାନୀପାଟଣା କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଉକ୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ଚାଲିଥିବା ଜଣାପଡିଛି । ଏହାକୁ ମିଶାଇ କଳାହାଣ୍ଡିରେ ସମୁଦାୟ ସାତ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।