ବନବିଭାଗ କର୍ମଚାରୀଙ୍କ ଚାରି ଘଣ୍ଟା ପରିଶ୍ରମ ପରେ ଏକ କୂଅ ଭିତରୁ ଉଦ୍ଧାର ହେଲା ବଜ୍ରକାପ୍ତା

Published: Jun 21, 2020, 6:31 pm IST

ଆଠଗଡ, ଆଜି ବନ ବିଭାଗର କର୍ମଚାରୀମାନେ ପ୍ରାୟ 4 ଘଣ୍ଟା ପରିଶ୍ରମ କରି ଏକ ଗଭୀର କୂଅ ଭିତରୁ ବଜ୍ରକାପ୍ତାକୁ ଉଦ୍ଧାର କରିପାରିଛନ୍ତି। ସକାଳ କେତେକ ଲୋକ ଆଠଗଡର ବୁଧିଆପାଟଣା ଅଞ୍ଚଳର ଏକ କୂଅ ପାଖରେ ଶଦ୍ଦ ହେଉଥିବାର ଶୁଣିବାକୁ ପାଇଥିଲେ। ଏହି ଶଦ୍ଦ କେଉଁଠି ଆସୁଛି ତାହା ଜଣାପଡି ନ ଥିଲେ ମଧ୍ୟ ପରବର୍ତ୍ତି ସମୟରେ କୂଅ ଭିତରୁ ଆସୁଥିବାର ଜଣାପଡିଥିଲା। ଗଭୀର କୂଅ ଭିତରେ ଠିକରେ କଣ ଅଛି ବୋଲି ଜଣାପଡି ନ ଥିଲା। ତେବେ ଏକ ବଡ ପକ୍ଷୀଟିଏ ପଡିଥିବାର ଅନୁମାନ କରାଯାଇ ବନ ବିଭାଗକୁ ଖବର ଦିଆଯାଇଥିଲା।

ଆଠଗଡ ବନ ବିଭାଗ କର୍ମଚାରୀମାନେ ଆସି ଦେଖିବା ପରେ ଜଣାପଡିଥିଲା ଯେ ଏହା ଏକ ବଜ୍ରକାପ୍ତା। ଏହାପରେ ଉଦ୍ଧାର କାମ ଆରମ୍ଭ ହୋଇଥିଲା। ଉଦ୍ଧାର ପରେ ତାହାର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଜଙ୍ଗଲରେ ଛାଡି ଦିଆଯାଇ ଥିଲା। ତେବେ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ଯେ, ପ୍ରକୃତରେ ବଜ୍ରକାପ୍ତାଟି କୂଅ ଭିତରକୁ ଖସିପଡିଥିଲା ନା କେହି ବିକ୍ରି କରିବା ଉଦ୍ଦେଶ୍ୟରେ କୂଅରେ ଲୁଚାଇ ରଖିଥିଲା। ନିକଟରେ ଆଠଗଡ ଜଙ୍ଗଲରୁ ବ୍ୟାପକ ବଜ୍ରକାପ୍ତା ଚୋରା ଚାଲାଣ ହେଉଥିବାର ପରିଲକ୍ଷିତ ହୋଇଛି। ତାହାକୁ ଲକ୍ଷ୍ୟ କରି ଏପରି ସନ୍ଦେହ ସୃଷ୍ଟି ହୋଇଛି।

Related posts