ରଥଯାତ୍ରାକୁ ସୁପ୍ରିମ୍‌କୋର୍ଟଙ୍କ ଗ୍ରୀନ୍‌ ସିଗ୍‌ନାଲ୍‌ : କେବଳ ପୁରୀ ରଥଯାତ୍ରାକୁ ମିଳିଲା ଅନୁମତି

Published: Jun 22, 2020, 4:10 pm IST

ନୂଆଦିଲ୍ଲୀ : ସମସ୍ତ କଳ୍ପନା ଜଳ୍ପନାର ଅନ୍ତଘଟିଛି । ରଥଯାତ୍ରାରେ ବଡ ଦାଣ୍ଡରେ ମହାପ୍ରଭୁଙ୍କ ରଥ ଗଡିବ । ରଥଯାତ୍ରା ମାମଲା ଉପରେ ସୁପ୍ରିମ୍‌କୋର୍ଟ ପୁନର୍ବାର ଶୁଣାଣି କରି କଡା କଟକଣା ଭିତରେ ଭକ୍ତଶୂନ୍ୟ ପୁରୀ ରଥଯାତ୍ରା ପାଇଁ ଅନୁମତି ପ୍ରଦାନ କରିଛନ୍ତି । କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେଇଛନ୍ତି ସୁପ୍ରିମ୍‌କୋର୍ଟ । ଏକାଧିକ ସର୍ତ୍ତ ସହ ପୁରୀ ରଥଯାତ୍ରା ପାଇଁ ଅନୁମତି ପ୍ରଦାନ କରିଛନ୍ତି ସର୍ବୋଚ୍ଚ ଅଦାଲତ ।

ଶ୍ରୀମନ୍ଦିର ପରିଚାଳନା ସମିତି, ରାଜ୍ୟ ଓ କେନ୍ଦ୍ର ସମନ୍ବୟରେ ଏହି ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ସ୍ବାସ୍ଥ୍ୟ ସମସ୍ୟା ସହ କୌଣସି ସାଲିସ୍‌ କରାଯାଇପାରିବ ନାହିଁ  ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ଯଦି ପରିସ୍ଥିତି ଖରାପ ହୁଏ, ତେବେ ରାଜ୍ୟ ସରକାର ଏନେଇ କଟକଣା ବା ଯାତ୍ରା ବନ୍ଦ କରିପାରିବେ ବୋଲି କହିଛନ୍ତି ସୁପ୍ରିମ୍‌କୋର୍ଟ ।

ରଥଯାତ୍ରା ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆଶଙ୍କା ରହିଥିବାରୁ କୋଭିଡ୍‌ ମହାମାରୀକୁ ଦୃଷ୍ଟିରେ ରଖି ଜୁନ୍‌ 18 ତାରିଖରେ ଚଳିତ ବର୍ଷ ରଥଯାତ୍ରାକୁ ସ୍ଥଗିତ କରିବାକୁ ସୁପ୍ରିମ୍‌କୋର୍ଟ ରାୟ ଦେଇଥିଲେ । ଏହା ପରେ ଏହି ରାୟକୁ ନେଇ ଜଗନ୍ନାଥପ୍ରେମୀମାନେ ଅସନ୍ତୁଷ୍ଟ ହେବା ସହିତ ଏହି ରାୟର ପୁନଃବିଚାର କରିବାକୁ ପିଟିସିନ୍‌ ପରେ ପିଟିସନ୍‌ ଦାଖଲ ହୋଇଥିଲା। ପରିଶେଷରେ କେନ୍ଦ୍ର ସରକାର ମଧ୍ୟ ରଥଯାତ୍ରାକୁ ସମର୍ଥନ କରି ଯୁକ୍ତି ଉପିସ୍ଥାପନ କରିଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମ୍ମତି ପରେ ସୁପ୍ରିମ୍‌କୋର୍ଟ ଏହି ମାମଲାର ଶୁଣାଣି କରିଥିଲେ।

Related posts