ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଓଡ଼ିଶାର ସମାନ୍ତରାଳ ବିକାଶ, ଆଞ୍ଚଳିକ ପ୍ରଗତି ଏବଂ ରାଜ୍ୟରେ ଚାଲିଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ରାଜ୍ୟପାଳ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ଭାବେ ଅବଗତ କରାଇଛନ୍ତି।
ଏହା ସହିତ ଓଡ଼ିଶା ଲୋକ ଭବନ ନିକଟରେ ହାସଲ କରିଥିବା ଏକ ବିଶେଷ ସ୍ୱୀକୃତି ସମ୍ପର୍କରେ ମଧ୍ୟ ରାଜ୍ୟପାଳ ପ୍ରଧାନମନ୍ତ୍ରୀଙ୍କୁ ସୂଚିତ କରିଥିଲେ। ପରିବେଶ ସୁରକ୍ଷା, ସ୍ଥାୟୀ ବିକାଶ ଓ ପରିବେଶୀୟ ଉତ୍ତରଦାୟିତ୍ୱ ପ୍ରତି ନିଷ୍ଠା ପାଇଁ ଓଡ଼ିଶା ଲୋକ ଭବନକୁ ପ୍ଲାଟିନମ ପ୍ରମାଣପତ୍ର ମିଳିଛି। ଦେଶର ପ୍ରଥମ ଲୋକ ଭବନ ଭାବେ ଓଡ଼ିଶା ଲୋକ ଭବନ ଏହି ଗୌରବପୂର୍ଣ୍ଣ ସମ୍ମାନ ଲାଭ କରିଥିବାରୁ ଏହା ସମଗ୍ର ରାଜ୍ୟ ପାଇଁ ଏକ ଗୌରବର ବିଷୟ ବୋଲି ଆଲୋଚନା ହୋଇଥିଲା।
ବୈଠକ ଶେଷରେ ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ମଧ୍ୟରେ ସୌଜନ୍ୟମୂଳକ ସ୍ମାରକ ଆଦାନପ୍ରଦାନ ହୋଇଥିଲା। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ୱୟ ରଖି ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ଦିଗରେ ଏହି ସାକ୍ଷାତ ଆଲୋଚନା ଅତ୍ୟନ୍ତ ସକାରାତ୍ମକ ରହିଛି।


