ଜନ୍ମର ୩୦ ବର୍ଷ ଓ ବିବାହର ୯ ବର୍ଷ ପରେ ମହିଳା ଜଣକ ପାଲଟିଲେ ପୁରୁଷ

Published: Jun 27, 2020, 12:11 pm IST

କୋଲକାତା: ଦୁନିଆରେ ବହୁ ଆଶ୍ଚର୍ଯ୍ୟ କଥା ଘଟିଥାଏ। ପଶ୍ଚିମବଙ୍ଗରୁ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ୩୦ ବର୍ଷ ପରେ ମହିଳା ନୁହଁନ୍ତି ବରଂ ସେ ଜଣେ ପୁରୁଷ ବୋଲି ଜଣାପଡିଛି। ବିବାହର ୯ ବର୍ଷ ପରେ ତାଙ୍କ ସ୍ବାମୀ ଜାଣିବାକୁ ପାଇଛନ୍ତି ଯେ ସେ ଯାହାକୁ ବିବାହ କରିଛନ୍ତି ସେ ଜଣେ ମହିଳା ନୁହଁନ୍ତି ବରଂ ଜଣେ ପୁରୁଷ।  ପଶ୍ଚିମବଙ୍ଗର ବୀରଭୂମିରେ ଏହି ଘଟଣାଟି ଘଟିଥିବାର ସୂଚନା ରହିଛି।

ମିଳିଥିବା ସୂଚନା ଅନୁସାରେ ସମ୍ପୃକ୍ତ ମହିଳାଙ୍କର ତଳି ପେଟରେ ଦରଜ ହେଉଥିଲା। ଏଣୁ ସେ ଡାକ୍ତରଖାନା ଯାଇଥିଲେ। ସେଠାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିଲା। ରିପୋର୍ଟ ଆସିବା ପରେ  ଘଟଣାଟି ଜାଣି ସମସ୍ତଙ୍କ ହୋସ୍‌ ଉଡିଗଲା। ଏହି ରିପୋର୍ଟରେ ମହିଳା ଜଣକ ମହିଳା ନୁହନ୍ତ ବରଂ ସେ ଜଣେ ପୁରୁଷ ବୋଲି ସୂଚନା ରହିଥିଲା। ତାଙ୍କର ଅଣ୍ଡକୋଷରେ କ୍ୟାନସର ହୋଇଥିବାର ଡାକ୍ତର ଜଣାଇଥିଲେ। ଏବେ ମହିଳାଙ୍କର ଚିକିତ୍ସା ଚାଲିଛି।

ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ମହିଳା ଜଣକ ପୂରାପୂରି ମହିଳାଙ୍କ ପରି। ସେ ବାହାରୁ ମଧ୍ୟ ଦେଖିବାକୁ ଠିକ୍ ସ୍ତ୍ରୀ ପରି। ତାଙ୍କର କଣ୍ଠ ସ୍ବର ଏପରିକି ସ୍ତନ ଓ  ଯୌନାଙ୍ଗ ମଧ୍ୟ ମହିଳାଙ୍କ ଭଳି। କିନ୍ତୁ ତାଙ୍କ ଶରୀରରେ ଗର୍ଭାଶୟ କିମ୍ବା ଡିମ୍ବାଶୟ ନାହିଁ। ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ମହିଳା ଜଣକର କେବେ ମାସିକ ଋତୁସ୍ରାବ ମଧ୍ୟ ହୋଇନାହିଁ। ଏହା ଏକ ବହୁତ ବିରଳ ସ୍ଥିତି। ପ୍ରତି ୨୨ ହଜାର ଲୋକଙ୍କ ମଧ୍ୟରୁ ଜଣଙ୍କ ଠାରେ ଏଭଳି ସ୍ଥିତି ଦେଖିବାକୁ ମିଳିଥାଏ। ମହିଳାଜଣକ ” Androgen Insensitivity Syndromeରେ ପୀଡ଼ିତ। ଏହି କ୍ଷେତ୍ରରେ ପୁରୁଷ ଜଣକ ମହିଳାଙ୍କ ଭଳି ବିକଶିତ ହୋଇଥାନ୍ତି। ଏପରିକି ଏହି ମହିଳାଜଣଙ୍କର ଅନ୍ୟ ଜଣେ ଭଉଣୀଙ୍କଠାରେ ମଧ୍ୟ ସମାନ ପ୍ରକାରର ଲକ୍ଷଣ ଦେଖିବାକୁ ମିଳିଛି। ମହିଳା ଜଣକ ବହୁଥର ପିଲାପିଲି ପାଇଁ ଚେଷ୍ଟା କରି ବିଫଳ ରହିଥିଲେ।

Related posts