କେଦାର ମିଶ୍ର
ମାର୍ଚ୍ଚ ୧୫ ତାରିଖରୁ ଓଡିଶା ସରକାର ଯୁଦ୍ଧକାଳୀନ ଭିତ୍ତିରେ କରୋନା ଭୂତାଣୁର ମୁକାବିଲା ଲାଗି ପ୍ରସ୍ତୁତି ଆରମ୍ଭ କରିଥିଲେ। ମାର୍ଚ୍ଚ ଓ ଏପ୍ରିଲ ମାସରେ ଦେଶର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡିଶାର ସଂକ୍ରମଣ ହାର ଅତ୍ୟନ୍ତ ନଗଣ୍ୟ ରହିଥିଲା। ଲକ ଡାଉନର ସଠିକ ଏବଂ ସକାରାତ୍ମକ ପ୍ରଭାବ ଯଦି କେଉଁ ରାଜ୍ୟରେ ସର୍ବାଧିକ ପଡିଥିଲା, ତାହା ଥିଲା ଓଡିଶା। ତେବେ ଲକ ଡାଉନ ସମୟରେ ଯାଜପୁର, ବାଲେଶ୍ଵର ଓ ଭଦ୍ରଖ ଜିଲ୍ଲାକୁ ପଶ୍ଚିମବଙ୍ଗରୁ କିଛି ଲୋକ ଫେରିଥିଲେ ଓ ସେମାନଙ୍କ ଭିତରୁ ଅନେକ କରୋନା ଆକ୍ରାନ୍ତ ବୋଲି ଜଣା ପଡିଥିଲା। ତେବେ ଲକ ଡାଉନ ନିୟମ ସାମାନ୍ୟ କୋହଳ ହେବାପରେ ଯେତେବେଳେ ଆମର ପ୍ରବାସୀ ଶ୍ରମିକମାନେ ଓଡିଶା ଫେରିବା ଆରମ୍ଭ କଲେ, ତା ପରଠୁ ହଠାତ ଓଡିଶାର ଚିତ୍ର ବଦଳିବା ଆରମ୍ଭ ହେଲା। ଆମର ପ୍ରବାସୀ ଶ୍ରମିକମାନେ ରାଜ୍ୟକୁ ଫେରିବା ସ୍ଵାଭାବିକ। ହେଲେ ଏହି ଶ୍ରମିକମାନେ ଯେଉଁ ରାଜ୍ୟରେ କାମ କରୁଥିଲେ, ସେହି ସବୁ ରାଜ୍ୟ ସରକାର ସତରେ କରୁଥିଲେ କଣ? ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ ପ୍ରବାସୀ ଶ୍ରମିକ ଗୁଜରାଟରୁ ଫେରିଥିଲେ। ସେମାନଙ୍କ ଫେରିବା ପରେ ସଙ୍ଗରୋଧ ବ୍ୟବସ୍ଥା, ପରୀକ୍ଷଣ ଓ ଚିକିତ୍ସା ବ୍ୟବସ୍ଥାରେ ଓଡିଶା ସରକାର ତତ୍ପରତା ଦେଖାଇଛନ୍ତି। ହେଲେ ଏହି ଶ୍ରମିକମାନେ ଫେରିବା ପରେ ହଠାତ ରାଜ୍ୟରେ କରୋନା ମୁକାବିଲାର ଯେଉଁ ସବୁଜ ଚିତ୍ର ରହିଥିଲା, ତାହା କ୍ରମେ କ୍ରମେ ବିପଜ୍ଜନକ ଭାବରେ ନାଲିଆ ହେବା ଆରମ୍ଭ କରିଥିଲା ଓ ଏକଦା ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହେଲେ ଛାନିଆ ହୋଇପଡୁଥିବା ଓଡିଶାରେ ଏବେ ୨୦୦ ଦୈନିକ ଆକ୍ରାନ୍ତ ଚିହ୍ନଟ ହେବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି।
ଏମିତି ଏକ ପୃଷ୍ଠଭୂମିରେ ଓଡିଶାରେ କରୋନା ମୁକାବିଲାର ସ୍ଥିତିକୁ ଆମେ କେମିତି ଦେଖିବା? ଆପାତତଃ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାର ସ୍ଥିତି ଆଜି ମଧ୍ୟ ଯଥେଷ୍ଟ ଭଲ ବୋଲି ଆମେ କହିପାରିବା। ଦେଶରେ ପ୍ରାୟ ୬.୨୦ ଲକ୍ଷ ଆକ୍ରାନ୍ତଙ୍କ ମଧ୍ୟରୁ ଓଡିଶାରେ ରହିଛନ୍ତି ମାତ୍ର ୭୫୪୫ ଜଣ। ଅର୍ଥାତ ଦେଶର ମାତ୍ର ୧.୨୪% ଆକ୍ରାନ୍ତ ଓଡିଶାରୁ ବାହାରିଛନ୍ତି। ମୃତ୍ୟୁହାର ରୋକିବାରେ ମଧ୍ୟ ଓଡିଶାର ସଫଳତା ଉଲ୍ଲେଖଯୋଗ୍ୟ। ଦେଶରେ ପ୍ରାୟ ୧୮ ହଜାର ଲୋକ ମୃତ୍ୟୁବରଣ କଲେଣି। ସେଥିରୁ ଓଡିଶାରେ ମୃତ୍ୟୁ ସଂଖ୍ୟା ୨୭ ଯାହାକି ଦେଶର ୦.୧୫%। ଲୋକଙ୍କ ଚିକିତ୍ସା ଓ ଜୀବନ ବଞ୍ଚାଇବା କ୍ଷେତ୍ରରେ ଓଡିଶା ଯଥେଷ୍ଟ ଭଲ କାମ କରିଛି ଓ ସେଥିଲାଗି ଓଡିଶା ସରକାରଙ୍କ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ପ୍ରଶଂସା କରିବାକୁ ପଡିବ।
ପ୍ରବାସୀ ଶ୍ରମିକଙ୍କ ଆଗମନ ଓ ସଙ୍ଗରୋଧ ବ୍ୟବସ୍ଥାରେ ଆମର ସଫଳତା ଆଜି ଏକ ବଡ ପ୍ରଶ୍ନବାଚୀ ହୋଇ ଠିଆ ହୋଇଛି। ମଇ ୧ ତାରିଖ ପର୍ୟନ୍ତ ଗଞ୍ଜାମ ଜିଲ୍ଲାରେ ଜଣେ ବି କୋଭିଡ ଆକ୍ରାନ୍ତ ନଥିବା ବେଳେ ଆଜି ଏହି ଜିଲ୍ଲା କରୋନାର ସବୁଠୁ ବଡ ହଟସ୍ପଟ ପାଲଟି ଯାଇଛି। ଦୁଇ ମାସରେ ଗଞ୍ଜାମରେ ସର୍ବାଧିକ ଆକ୍ରାନ୍ତ (୧୫୬୭) ବାହାରିଛନ୍ତି ଏବଂ ସର୍ବାଧିକ ମୃତ୍ୟୁବରଣ (୧୫) କରିଛନ୍ତି। ଗଞ୍ଜାମରେ ସ୍ଥିତି ଦିନକୁ ଦିନ ଅଧିକ ଜଟିଳ ହେଉଛି ଏବଂ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ତୀବ୍ରତର ହେଉଛି। ଗଞ୍ଜାମ ସହିତ ଖୁର୍ଦ୍ଧା (୮୬୮), କଟକ (୬୨୦),), ଯାଜପୁର (୫୩୭),ଗଜପତି (୪୪୨),ବାଲେଶ୍ଵର (୩୭୭), ଜଗତସିଂପୁର (୨୯୯), ପୁରୀ (୨୭୨), କେନ୍ଦ୍ରାପଡା (୨୫୧), ଭଦ୍ରଖ (୨୩୨), ସୁନ୍ଦରଗଡ (୨୧୭), ମୟୂରଭଞ୍ଜ (୨୧୫), ବଲାଙ୍ଗୀର (୧୯୪), କନ୍ଧମାଳ (୧୭୮), ନୟାଗଡ (୧୬୩), କେଉଁଝର (୧୪୬) ଏବଂ ମାଲକାନଗିରି (୧୦୬) ରେ ଶତାଧିକ ଆକ୍ରାନ୍ତ ଚିହ୍ନଟ ହେଲେଣି। ଖୁର୍ଦ୍ଧା, କଟକ ଓ ଗଞ୍ଜାମ ରାଜ୍ୟର ସବୁଠୁ ଜନବହୁଳ ଜିଲ୍ଲା। ଏହି ସବୁ ଜିଲ୍ଲାରେ ଗତ ଚାରିମାସ ଧରି ଲକ ଡାଉନ କଡାକଡି ଭାବେ ପାଳନ ହେଉଛି ଓ ଜୁନ ମାସରେ ୩୦ ରୁ ୧୭ ଦିନ ଏହିସବୁ ଅଞ୍ଚଳ ପୁରା ବନ୍ଦ ରହିଥିଲା। ତା ସତ୍ତ୍ୱେ ସଂକ୍ରମଣ ବ୍ୟାବକ ହେଉଥିବାରୁ ଏହିସବୁ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣର ବଢି ଚାଲିଛି।
ତେବେ ଓଡିଶାରେ କୋଭିଡ ମୁକାବିଲାର ସବୁଠୁ ସକାରାତ୍ମକ ଦିଗ ହେଉଛି, ପରୀକ୍ଷଣ, ଚିହ୍ନଟ ପ୍ରକ୍ରିୟା ଓ ଚିକିତ୍ସା ସୁବିଧା ର ସହଜ ବନ୍ଦୋବସ୍ତ। ଆଜି ପର୍ୟନ୍ତ ଚିକିତ୍ସା ଅବହେଳା ବା ରୋଗୀଙ୍କୁ ଖରାପ ଅବସ୍ଥାରେ ଛାଡି ଦେବାର କୌଣସି ଉଦାହରଣ ଆସିନାହିଁ। ପରୀକ୍ଷଣ କ୍ଷେତ୍ରରେ ପ୍ରତି ୧୦ ଲକ୍ଷ ଲୋକରେ ଆମର ୬୧୯୮ ଲୋକଙ୍କର ପରୀକ୍ଷା ହେଉଛି। ଏହା ଦୁଇଗୁଣ ବଢିବା ଦରକାର। ରାଜ୍ୟରେ ପର୍ୟାପ୍ତ ବେଡ ମହଜୁଦ ଅଛି ଓ ଔଷଧ ର ଅଭାବ ନାହିଁ। ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ୫୫୦୦ ରୁ ଅଧିକ। ରାଜ୍ୟରେ ୩୫ ଟି ସ୍ଵତନ୍ତ୍ର କୋଭିଡ ହସପିଟାଲ ଓ ୫୫୪୭ ବେଡ ରହିଛି। ଗତ କାଲୀ ସୁଦ୍ଧା ଆମର ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୮ ରହିଥିଲା। ତେଣୁ ରାଜ୍ୟରେ ସାଢେ ୩ ହଜାର ବଳକା ବେଡ ଆଜି ମଧ୍ୟ ପ୍ରସ୍ତୁତ ହୋଇ ରହିଛି।
ସବୁ ପ୍ରକାର ପ୍ରସ୍ତୁତି ସତ୍ତ୍ୱେ ଗୋଷ୍ଠୀ ସଂକ୍ରମଣ ହେଲେ, ସ୍ଥିତି ସମ୍ଭାଳିବା କୌଣସି ବି ସରକାରଙ୍କ ପକ୍ଷରେ ଅସମ୍ଭବ ହୋଇପଡିବ। ତେଣୁ ସଂକ୍ରମିତଙ୍କ ସଂଖ୍ଯାକୁ ସୀମିତ ରଖିବା ଓ ଗୋଷ୍ଠୀ ସଂକ୍ରମଣ ରୋକିବା ବର୍ତ୍ତମାନ ରାଜ୍ୟ ସରକାରଙ୍କ ପାଇଁ ସବୁଠୁ ବଡ ଆହ୍ଵାନ।