ଲେହରେ ପ୍ରଧାନମନ୍ତ୍ରୀ ମୋଦି, ବଢାଇବ ଭାରତୀୟ ସେନାର ମନୋବଳ

Published: Jul 3, 2020, 11:54 am IST

ଲେହ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଚାନକ ଲେହ ଗସ୍ତ। ଲାଇନ ଅଫ ଆକଚୁଆଲ କଣ୍ଚ୍ରୋଲ ବା ପ୍ରକୃତ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବଢୁଥିବା ବେଳେ ପ୍ରଧାନମନ୍ତ୍ରୀ ହଠାତ୍ ଲେହରେ ପହଞ୍ଚି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ଗୋଟିଏ ପଟେ ଏହା ସୀମାନ୍ତରେ ଦିନ ରାତି ଏକ କରି ଦେଇଥିବା ଭାରତୀୟ ଯବାନଙ୍କ ମନୋବଳ ବଢାଇବା ସହିତ ଶତ୍ରୁ ରାଷ୍ଟ୍ର ଚୀନ୍ ସହିତ ପୂରା ବିଶ୍ବକୁ ଏକ ବଡ଼ ବାର୍ତ୍ତା ଦେଇଛି।

ମୋଦି ଶୁକ୍ରବାର ସକାଳେ ଲେହରେ ପହଞ୍ଚି ଆଗୁଆ ଘାଟୀରେ ମୁତୟନ ସେନା ବାହିନୀର ଯବାନ ଓ କମାଣ୍ଡରମାନଙ୍କ ସହ ସୀମାରେ ଥିବା ସ୍ଥିତି ନେଇ ଆଲୋଚନା କରିଛନ୍ତି। ଲେହ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ପରୋକ୍ଷରେ ଚୀନକୁ ସ୍ପଷ୍ଟ କରି ଦେଇଛନ୍ତି ଯେ, ଭାରତ କୌଣସି ବି ପରିସ୍ଥିତିରେ ପଛକୁ ହଟିବାର ପ୍ରଶ୍ନ ହିଁ ଉଠୁନାହିଁ।

ପ୍ରଧାନମନ୍ତ୍ରୀଙ୍କ ସହିତ ଏହି ଗସ୍ତରେ ଭାରତୀୟ ମିଳିତ ସେନା ବାହିନୀର ମୁଖ୍ୟ ବିପିନ ରାଓତ ଏବଂ ପଦାତିକ ବାହିନୀ ମୁଖ୍ୟ ଜେନେରାଲ ଏମ.ଏମ. ନରଭାଣେ ସାମିଲ ଥିଲେ। ଚୀନ୍ ସେନା ଯେତେଦିନ ଯାଏ ପ୍ରକୃତ ନିୟନ୍ତ୍ରଣ ରେଖାରୁ ନ ହଟିବେ, ସେତେଦିନ ଯାଏଁ ଭାରତୀୟ ସେନା ମଧ୍ୟ ନିଜ ସ୍ଥାନରୁ ହଟିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତରୁ ସ୍ପଷ୍ଟ ହୋଇ ଯାଇଛି।

ଲେହର ନିମୁ ଘାଟୀରେ ପ୍ରଧାନମନ୍ତ୍ରୀ ସେନା ବାହିନୀ ଯବାନ ଓ ଅଫିସରମାନଙ୍କୁ ଭେଟି ସେମାନଙ୍କୁ ନିଜ ହାତରେ ମିଠା ଖୁଆଇଥିଲେ। ପ୍ରତିରକ୍ଷା ବିଶାରଦଙ୍କ ମତରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଆଗୁଆ ଘାଟୀରେ ମୁତୟନ ଯବାନଙ୍କ ମନୋବଳ ଅନେକାଂଶରେ ବଢାଇବ। (ଏଜେନ୍ସି)

 

Related posts