ଭୁବନେଶ୍ୱର ତା ୩.୭- ଓଡ଼ିଶା ସରକାର ଭୂମିହୀନ ଚାଷୀଙ୍କପାଇଁ ପୁଣି ବଳରାମ ଯୋଜନା ନାମରେ ଏକ ନୂଆ ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନା ଏକ ନିର୍ବାଚନୀ ଧୂଆଁ ବାଣ ବୋଲି କହି ଓଡିଶା ପ୍ରଦେଶ କଂଗ୍ରେସ କମିଟି ଏହି ଯୋଜନାକୁ କଟାକ୍ଷ କରିଛି। ପ୍ରକାଶ ଥାଉ କି ଏହି ଯୋଜନାରେ ଆଗାମୀ ୨ ବର୍ଷ ଭିତରେ ୭ଲକ୍ଷ ଚାଷୀ ପରିବାର ୧ ହଜାର ୪୦କୋଟି ଟଙ୍କାର ଋଣ ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ଠିକ ୧୯ ନିର୍ବାଚନ ପୂର୍ବରୁ ସରକାର କାଳିଆ ନାମରେ ଏକ ଯୋଜନା ପ୍ରଣୟନ କରିଥିଲେ । ଏଥିରେ ୭୫ଲକ୍ଷ ଚାଷୀ ପରିବାରଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ସାହାଯ୍ୟ ଦେବାପାଇଁ ଘୋଷଣା କରିଥିଲେ । ଅଦ୍ୟାବଧି ସରକାର ଏହି ଯୋଜନାରେ ୪୨ଲକ୍ଷ ଚାଷୀ ପରିବାରଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି । ଏହି ତାଲିକାରେ ଅନେକ ଅଯୋଗ୍ୟ ହିତାଧିକାରୀ ଥିବାର ପ୍ରମାଣ ମିଳିବାପରେ ସରକାର ସେମାନଙ୍କଠାରୁ ଟଙ୍କା ଫେରାଇବା ପାଇଁ ନୋଟିସ ଜାରି କରିଥିଲେ । ଏହି ତାଲିକାରେ ସରକାରୀ କର୍ମଚାରୀ, ଆୟକର ଦେଉଥିବା ବ୍ୟକ୍ତିବିଶେଷ, ଏକ ପରିବାରରୁ ଅନେକ ବ୍ୟକ୍ତିଙ୍କର ଅନ୍ତର୍ଭୁକ୍ତ ଏଭଳିକି ଅନେକ ନାବାଳକ ନାମ ମଧ୍ୟ ରହିଥିବାର ପ୍ରମାଣ ମିଳିଛି ।
ଏହି ସମୟ ଭିତରେ କେନ୍ଦ୍ର ସରକାର ମଧ୍ୟ ପ୍ରଧାନମନ୍ତ୍ରୀ କିଶାନନିଧି ଯୋଜନା ପ୍ରଣୟନ କରି ବର୍ଷକୁ ପାଖାପାଖି ୩୭ଲକ୍ଷ ଚାଷୀ ପରିବାରକୁ ୬ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି । ବର୍ତମାନ ଓଡ଼ିଶା ସରକାର କାଳିଆ ଯୋଜାନକୁ ପ୍ରଧାନମନ୍ତ୍ରୀ ଯୋଜନା ସାଥିରେ ମିଶାଇ ଯୋଗ୍ୟ ହିତାଧିକାରୀମାନଙ୍କୁ ମାତ୍ର ୪ ହଜାର ଟଙ୍କା ରାଜ୍ୟ ସରକାର ପ୍ରଦାନ କରିଛନ୍ତି । ବର୍ତମାନ ଏହି ପ୍ରରିପ୍ରେକ୍ଷୀରେ ରାଜ୍ୟ ସରକାର ବଳିଆ ଯୋଜନା ନାରେ ଭୂମିହୀନ ଚାଷୀମାନଙ୍କୁ ୫ଜଣିଆ ଗୋଷ୍ଠିକରି ଯେଉଁ ଋଣ ପ୍ରଦାନ କରିବା ପାଇଁ ନିଷ୍ପତି ନେଇଛନ୍ତି ତାହା ଏକ ପ୍ରଶ୍ନବାଚୀ ସୃଷ୍ଟିକରିଛି ।
ଏବେ ସୁଦ୍ଧା ଓଡ଼ିଶାରେ ଭାଗଚାଷୀ ଚିହ୍ନଟ ପ୍ରକ୍ରିୟା ହୋଇପାରି ନାହିଁ । ସେମାନଙ୍କୁ ଲୋନ ପ୍ରଦାନ କରିବାପାଇଁ ଜମିମାଲିକମାନେ ସେମାନଙ୍କୁ ଅଧିକୃତ ଭାଗଚାଷୀ ଭାବରେ ବିଧିବଧ ସ୍ୱୀକୃତି ଦେବେତ? ଏନେଇ ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ । ବର୍ତମାନ ସୁଦ୍ଧା ଓଡ଼ିଶାରେ ୪ଲକ୍ଷ ୨୭ହଜାରରୁ ଅଧିକ ମହିଳା ସ୍ୱୟଂସହାୟକ ଗୋଷ୍ଠୀ କାମକରୁଛନ୍ତି । ସରକାରଙ୍କ କାଳିଆ ଯୋଜାନପରେ ବଳିଆ ଯୋଜନା କଲେ ଏହାପରେ ଭଉଣୀମାନଙ୍କ ପାଇଁ ସୁଭଦ୍ରା ଯୋଜନା ଆଣନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ । ସରକାର ଯଦି କୃଷି ଓ କୃଷକର ଉନ୍ନତି ଚାହୁଁଛନ୍ତି ତେବେ ଏପରି ନିର୍ବାଚନୀ ବୈତରଣୀ ପାରହେବାପାଇଁ ଧୂଆଁବାଣ ନକରି ବାସ୍ତବ ରୂପରେଖ ସହ ଯୋଜନା ପ୍ରସ୍ତୁତ କରିବାପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।
(ସମୀକ୍ଷା ବ୍ଯୁରୋ)