ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଏପି ସିଂହ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ତେଜସ୍’ ଲଢ଼ୁଆ ବିମାନରେ ନିଜର ଶେଷ ଫାଇଟର ସୋର୍ଟି (ସମର ଉଡ଼ାଣ) ସମ୍ପନ୍ନ କରିଛନ୍ତି। ଯୋଧପୁରଠାରେ ଆୟୋଜିତ ବହୁରାଷ୍ଟ୍ରୀୟ ସାମରିକ ଅଭ୍ୟାସ ‘ତରଙ୍ଗ ଶକ୍ତି-୨୦୨୬’ ଅବସରରେ ସେ ଏହି ଉଡ଼ାଣ ଭରିଥିଲେ। ଆସନ୍ତା ଅକ୍ଟୋବର ୩୧ ତାରିଖରେ ସେ ନିଜ ପଦବୀରୁ ଅବସର ନେବାକୁ ଯାଉଥିବା ବେଳେ ଏହି ଉଡ଼ାଣକୁ ବାୟୁସେନା ପକ୍ଷରୁ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଓ ସ୍ମରଣୀୟ ମୁହୂର୍ତ୍ତ ଭାବେ ବର୍ଣ୍ଣନା କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଏହି ସାମରିକ ଅଭ୍ୟାସରେ ବାୟୁସେନା ମୁଖ୍ୟ ବନ୍ଧୁରାଷ୍ଟ୍ରଗୁଡ଼ିକର ବିମାନ ଏବଂ ‘ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍’ ସହ ମିଶି ଆକାଶରେ କୌଶଳ ପ୍ରଦର୍ଶନ କରିଥିଲେ। ଯୋଧପୁର ଏୟାରଫୋର୍ସ ଷ୍ଟେସନରେ ସେପ୍ଟେମ୍ବର ୨୬ରୁ ଅକ୍ଟୋବର ୧୨ ପର୍ଯ୍ୟନ୍ତ ‘ପାୱାର ଇନ୍ ପାର୍ଟନରସିପ୍’ ଥ୍ରୀମ୍ରେ ‘ତରଙ୍ଗ ଶକ୍ତି-୨୦୨୬’ ଅନୁଷ୍ଠିତ ହୋଇଥିଲା।
ଏୟାର ଚିଫ୍ ମାର୍ଶଲ ଏପି ସିଂହଙ୍କର ‘ତେଜସ୍’ ବିମାନ ସହ ବହୁ ପୁରୁଣା ସମ୍ପର୍କ ରହିଛି। ସେ ଜଣେ ପରୀକ୍ଷଣ ପାଇଲଟ୍ ଭାବେ ବାଙ୍ଗାଲୋରସ୍ଥିତ ‘ନ୍ୟାସନାଲ ଫ୍ଲାଇଟ୍ ଟେଷ୍ଟ ସେଣ୍ଟର’ରେ ‘ତେଜସ୍’ର ଉଡ଼ାଣ ପରୀକ୍ଷଣ ଦାୟିତ୍ବରେ ଥିଲେ। ୧୯୮୪ ଡିସେମ୍ବର ୨୧ରେ ବାୟୁସେନାରେ ଯୋଗଦେଇଥିବା ଏପି ସିଂହଙ୍କର ୫,୦୦୦ ଘଣ୍ଟାରୁ ଅଧିକ ସମୟ ଉଡ଼ାଣର ଅଭିଜ୍ଞତା ରହିଛି। ସେ ମିଗ୍-୨୧ ଉଡ଼ାଇଥିବା ଶେଷ ବାୟୁସେନା ମୁଖ୍ୟ ଅଟନ୍ତି।


