ଘରକୁ ଘର ସାଇକେଲ ବୁଲି ସାଂସଦଙ୍କୁ ଭେଟିଲେ କଂଗ୍ରେସ ନେତା, କାହିଁକି ଗଲେ ପଢନ୍ତୁ ଏ ଖବର

Published: Jul 5, 2020, 9:15 pm IST

ନୂଆଦିଲ୍ଲୀ: ଦିଲ୍ଲୀରେ ମୋଟ ସାଂସଦ ଅଛନ୍ତି ୧୦ ଜଣ। ଲୋକସଭାର ସମସ୍ତ ୭ ଜଣ ଯାକ ସାଂସଦ ହେଉଛନ୍ତି ଶାସକ ବିଜେପିର। ୩ ଜଣ ଯାକ ରାଜ୍ୟସଭା ସାଂସଦ ହେଉଛନ୍ତି ଆମ୍ ଆଦମୀ ପାର୍ଟିର। ହେଲେ ଏମାନଙ୍କୁ ଆଜି ଭେଟି ଦାବିପତ୍ର ଦେବାକୁ ଯାଇଥିଲେ ଦିଲ୍ଲୀ କଂଗ୍ରେସର ସଭାପତି ଅନିଲ କୁମାର ଚୌଧୁରୀ। ହେଲେ କାର କିମ୍ବା ମୋଟରସାଇକେଲ ନୁହେଁ, ସେ ସାଇକେଲରେ ଦିଲ୍ଲୀ ସାରା ବୁଲି ସମସ୍ତ ସାଂସଦଙ୍କ ଘରେ ପହଞ୍ଚି ଯାଇଥିଲେ।

ତୈଳ ଦର ବୃଦ୍ଧିର ପ୍ରତିବାଦ କରି ଏକ ପତ୍ର ସମସ୍ତ ସାଂସଦଙ୍କୁ ଦେଇଥିଲେ। ଦାବି କରିଥିଲେ ଯେ, ସାଂସଦମାନେ ନିଜ ନିଜ ଦଳର ସରକାରଙ୍କୁ ଜଣାଇ ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ରୀୟ ଶୁଳକ ଓ ଭାଟ୍ କମାଇବାକୁ ଦାବି ଉପସ୍ଥାପନ କରନ୍ତୁ। ଭାଟ୍ ଉଠିବା ଦ୍ବାରା ସାଧାରଣ ଲୋକେ କିଛିଟା ଆଶ୍ବସ୍ତ ହେବେ। ହେଲେ କେବଳ ବିଜେପିର ମନୋଜ ତିୱାରୀ ଏବଂ ଆପ୍ ର ସଂଜୟ ସିଂହ ବ୍ୟକ୍ତିଗତ ଭାବେ ଦିଲ୍ଲୀ କଂଗ୍ରେସ ମୁଖିଆଙ୍କ ଠାରୁ ଦାବିପତ୍ର ଗ୍ରହଣ କରିଥିଲେ।

ତୈଳ ଦର ବୃଦ୍ଧି ଯୋଗୁଁ ଲୋକଙ୍କ ଦୁର୍ଦ୍ଦଶା ଜଣାଇବା ତାଙ୍କର ଏହି ସାଇକେଲ ଯାତ୍ରାର ଉଦ୍ଦେଶ୍ୟ ଥିଲା ବୋଲି ଅନିଲ ଚୌଧୁରୀ କହିଛନ୍ତି। ଲଗାତାର ତୈଳ ଦର ବୃଦ୍ଧିକୁ କଂଗ୍ରେସ ନିୟମିତ ବିରୋଧ କରି ଆସୁଥିଲେ ହେଁ କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବା ସେ ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାର ତୈଳ ଦର ଉପରେ ଲିଟର ପିଛା ୩୨ ଟଙ୍କା ଉପ୍ତାଦନ ଶୁଳକ ନେଉଥିବା ବେଳେ ଦିଲ୍ଲୀ ସରକାର ଭାଟ୍ ବାବଦରେ ୧୮ ଟଙ୍କା ନେଉଛନ୍ତି।

Related posts