କେନ୍ଦ୍ରାପଡା ଜିଲ୍ଲାରୁ ଉଦ୍ଧାର ହେଲା ବିରଳ ଧଳାରଙ୍ଗର ସାପ

Published: Jul 7, 2020, 2:13 pm IST

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ବ୍ଲକରେ ବାଲିସୁଆଁ ଗ୍ରାମରୁ ଉଦ୍ଧାର ହୋଇଛି ଏକ ବିରଳ ଧଳା ରଙ୍ଗର ସାପ । ସମ୍ପୂର୍ଣ୍ଣ ଧଳା ରଙ୍ଗର ଦେହ ଏବଂ କଳା ରଙ୍ଗର ଆଖି ଥିବା ଏହି ସାପଟିକୁ ଗତକାଲି ବାଲିସୁଆଁ ଗାଁ ର ଯୁବକ ଅବିନାଶ ସ୍ୱାଇଁ ରାତି ପ୍ରାୟ 10 ଟା ସମୟରେ ଏକ ରାସ୍ତା ପାର ହେଉଥିବା ବେଳେ ଦେଖିଥିଲେ । ଧଳା ରଙ୍ଗର ଏଭଳି ସାପ ସେ ଆଗରୁ କେବେ ଦେଖି ନଥିଲେ ।

ତେଣୁ ସେ କୌତୂହଳ ବଶତଃ ଏକ ବାଡ଼ି ସାହାଯ୍ୟରେ ଏକ ପ୍ଲାଷ୍ଟିକ ଡବା ଭିତରେ ପୁରେଇ ଦେଇଥିଲେ । ଡବା ଭିତରୁ ଫଟୋ ଉଠେଇ ସ୍ନେକ ହେଲ୍ପ ଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ସେ ସେହି ଫୋଟୋ ଗୁଡିକ ପଠେଇ ସାପ ଟିକୁ ଚିହ୍ନିବା ପାଇଁ କହିଥିଲେ । ଶୁଭେନ୍ଦୁ ଧଳା ଦେହ ଏବଂ କଳା ଆଖି ସହିତ ଏହି ସାପ ଟିକି ଲିଉସିଷ୍ଟିକ ଚିତି ବୋଲି ଚିହ୍ନଟ କରିଥିଲେ । ଆଜି ସକାଳୁ ଶୁଭେନ୍ଦୁଙ୍କଠାରୁ ନିର୍ଦେଶ ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ନଳିନୀ ପ୍ରସାଦ ଦାସ ବାଲିସୁଆଁ ଗ୍ରାମରେ ପହଞ୍ଚି ସେହି ସାପଟିକୁ ଉଦ୍ଧାର କରିଥିଲେ । ସାପଟିକୁ ତାର ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି । ସାପଟି ଚିତି ସାପ ହୋଇଥିବାରୁ ଅନ୍ୟ  ଚିତି ସାପ ପରି ତା ପାଖରେ ମାରାତ୍ମକ ନ୍ୟୁରୋଟକ୍ସିକ ବିଷ ଅଛି ବୋଲି ସୂଚନା ରହିଛି ।

Related posts